କବିତା

ତୁମେ ଆସିବ ବୋଲି

Binay Mohapatra's odia poem Tume Aasiba Boli

ତୁମେ ଆସିଥିଲେ ଭଲ ଲାଗିଥାନ୍ତା,
ସାଥି ହୋଇ ବସିଥାନ୍ତେ ଦେହକୁ ଦେହ ଲଗାଇ
ପାର୍କର କଣରେ ସେହି କୃଷ୍ଣଚୁଡା ଗଛତଳେ
ସିମେଣ୍ଟ ବେଞ୍ଚରେ ।

ତୁମେ ଆସିବ ବୋଲି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମେ ଆସିବ ବୋଲି,
ବସନ୍ତକୁ ଡାକିଥିଲି,
ମଳୟକୁ ଆଉ କୋଇଲିକୁ ବି ।
ହେଲେ ତୁମେ ଆସିଲନି,
କିଛି ଦୁଃଖ ନାହିଁ, ତୁମେ ଆସିଲନି ବୋଲି,
ତୁମେ ଆସିଲନି, କଣ ବା ବିଗିଡିଗଲା !
ବସନ୍ତ ଆସିଲା, ରଙ୍ଗ ବିଛାଡି ଗଲା,
ମୋ ଅଗଣାର ଗୋଲାପ ଗଛରେ ଆାଉ
ରାସ୍ତାକଡ କୃଷ୍ଣଚୁଡା ଗଛକୁ ବି
ନାଲି ଓଢଣୀ ଦେଇଗଲା,
ଆଉ ଶୋରିଷ ଖେତରେ
ହଳଦିଆ ଶାଢୀ ଢାଙ୍କିଦେଲା ।
ଆଉ ତ ଆଉ,
ଆମ୍ବ ଗଛରେ ବଉଳ ଆସିଲା,
ମହୁଲର ଫୁଲ ମଳୟେ ମହକି ଗଲା,
କୋଇଲି ଗାଇଲା କୁହୁ କୁହୁ ଆଉ
ପ୍ରେମୀ ହୃଦୟକୁ ରୋମାଞ୍ଚିତ କରିଗଲା,
ବନ, ଉପବନ ତରୁ ଲତା ଆଉ ପବନ
ସବୁ କିଛି ପ୍ରେମର ରଙ୍ଗରେ
ଜୁଡୁ ବୁଡୁ ହୋଇ ଗଲା ।

ତୁମେ ଆସିଥିଲେ ଭଲ ଲାଗିଥାନ୍ତା,
ସାଥି ହୋଇ ବସିଥାନ୍ତେ ଦେହକୁ ଦେହ ଲଗାଇ
ପାର୍କର କଣରେ ସେହି କୃଷ୍ଣଚୁଡା ଗଛତଳେ
ସିମେଣ୍ଟ ବେଞ୍ଚରେ ।
ତୁମ ହାତକୁ ଧରି ଥାଆନ୍ତି ହାତରେ ଜାବୁଡି,
କିଛି ଗପ ସପ୍ କରି ଥାଆନ୍ତେ,
ମନେ ପକେଇ ଥାଆନ୍ତେ ପୁରୁଣା ଦିନର କଥା,
ଆଉ କିଛି ଭବିଷ୍ୟତର ଯୋଜନା ।
ତୁମେ କିଛି କହିଥାନ୍ତ ମୁଁ ଶୁଣିଥାନ୍ତି,
ଆଉ ମୁଁ କିଛି କହିଥାନ୍ତି, ତୁମେ ଶୁଣିଥାନ୍ତ ।
ଛୋଟ ଛୋଟ କଥାରେ
ତୁମେ କେବେ ରୁଷି ଯାଇ ଥାଆନ୍ତ,
ଯେମିତି ଆଗରୁ ରୁଷି ଯାଉଥିଲ, ଆଉ
ମୁଁ ଟିକେ ଗେହ୍ଲେଇ ଦେଲେ କୁନି ଝିଅଟିଏ ପରି
ତୁମେ ଖିଲିଖଲି ହସି ଦେଇ ଥାଆନ୍ତ ।

କିଛି କଥା ନାହିଁ, ଦୁଃଖ ବି ନାହିଁ,
ତୁମେ ଆସିଲନି ତ ଆସିଲନି,
ହେଲେ ଫଗୁଣ ତ ଆସିଲା,
ହୋଲିର ରଙ୍ଗରେ ଦେହ, ମୁଣ୍ଡ
ପୋଷାକ ତ ପୋଷାକ,
ଗଛର ପତ୍ର, ଘରର କାନ୍ଥରେ ବି
ହୋଲିର ଛିଟା ଲାଗି ଗଲା ।
ହେଲେ ମୋ ମନରେ ଲାଗିଲାନି,
ଟୋପିଏ ବି ରଙ୍ଗ,
ଅପରାହ୍ନ ସୂର୍ଯ୍ୟର କିରଣ ଯେ
ଦେହ ମନ ଆଉ ହୃଦୟରେ
ବୋଳି ସାରିଲାଣି କ୍ଳାନ୍ତିର ନାଲିମା,
ସଂଜ ଘୋଟି ଆସିଲାଣି,
ରାତ୍ରି ହେବାକୁ ବା ଆଉ କେତେ ଡେରି ?
ହୋଇପାରେ ପୁଣି କେବେ ଦେଖା ହୋଇଯିବ,
ଦେଖା ହେଲେ ଦୁହିଙ୍କୁ ଖୁସି ତ ଲାଗିବ
ଦେଖା ନହେଲେ ବି କିଛି କଥା ନାହିଁ,
ଜୀବନର ଏଇ ନିଃସଙ୍ଗତା ଯେ
ଦେହସୁହା ହୋଇ ସାରିଲାଣି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top