ଅବିଶ୍ୱାସର ପାହାଡ଼ ଉପରେ ବସି
ବେଳେବେଳେ ଭସା ମେଘ ପରି ଆସୁଥିବା ଚେନାଏ ବିଶ୍ୱାସ
ତୁମେ, ତୁମେ ମୋର କାଠ ପଥରର ମୁଠାଏ ଆଶ୍ୱାସ ।
ଭାସି ଯାଉଥିବା ନଈ ସୁଅରେ ପଡ଼ି
କାଠକୁଟାର ଡଙ୍ଗା ଉପରେ ଚଢ଼ି ପାରିହେବାର ପ୍ରୟାସ
କେତେବେଳେ କୂଳରେ ଲାଗିବି କି ନାହିଁର ଅବିଶ୍ୱାସ
ତୁମେ ମୋର ବାଲି ଦିଅଁ, ଶାଳଗ୍ରାମ, ଅବା ଭକ୍ତିର ଉଚ୍ଛ୍ୱାସ ।
କଅଁଳି ନ ଥିବା ଡେଣାକୁ ସଜାଡ଼ି
ମାଆ ଥଣ୍ଟରୁ ଆହାର ଛାଡୁ ନ ଛାଡୁ
ସକାଳୁଆ ସୂରୁଜକୁ ଦେଖି ଆକାଶ ଲଙ୍ଘିବାର ମହାପ୍ରୟାସ
ତୁମେ ମୋର ଦୂର ଦିଗନ୍ତର ଅନନ୍ତ ଆକାଶ, ଅସୀମ ପ୍ରକାଶ ।
କୋଳାହଳରେ ହଜି ଯାଇଥିବା ମଣିଷ ପରି
ମଠ ମନ୍ଦିର ଚଉହଦି ମାପୁ ମାପୁ ସରିଯାଇ ଥିବା ଜୀବନ ପରି
କାହା ପାଇଁ କ’ଣ ତୁମେ, ମୁଁ କୁହେ ତୁମେ ମୋ ଦେବତା, ତୁମେ ମୋ ବିଶ୍ୱାସ !