ବ୍ୟଙ୍ଗକବିତା

କାଳିଆ ଗାଦି ସମ୍ଭାଳେ

Er Bidyadhar Panda's odia satire poem Kaliaa Gaadi Sambhaale

ଦାରୋଗା ବାବୁଏ ନାଁ ଗାଁ ଲେଖ
ଆଗକୁ ଆସିବ କାମ
ପୂଜାପର୍ବାଣୀରେ ଆଗରୁ ଠୁକିଲେ
ହାଜତରେ ନେବେ ନାମ

କାଳିଆ ଗାଦି ସମ୍ଭାଳେ

ଫେସ୍ ବୁକ୍ ଓ ଟ୍ୱିଟର ସାଙ୍ଗେ
ହ୍ୱାଟ୍ସ୍ ଆପ୍ କରେ ଖେଳ
ଖରାବେଳିଆଙ୍କ ମସ୍ତିଭରା କଥା
ପ୍ରଶାସନ ଝାଳ ନାଳ

ଭଦ୍ରଖ ସହର ନିଆଁରେ ଜଳୁଛି
କିବା ଛାର କଥା ପାଇଁ
କୁମ୍ଭୀର କାନ୍ଦଣା ନାଟକ ଚାଲିଛି
ଗହ୍ମା ପୁନେଇଁରେ ମାଇଁ

ଦାରୋଗା ବାବୁଏ ନାଁ ଗାଁ ଲେଖ
ଆଗକୁ ଆସିବ କାମ
ପୂଜାପର୍ବାଣୀରେ ଆଗରୁ ଠୁକିଲେ
ହାଜତରେ ନେବେ ନାମ

ବାହାରେ ଛାଡ଼ିଲେ ଛୁଟା ଷଣ୍ଢପରି
ଏମିତି ଜାଳିବେ ନିଆଁ
ଜନ ସାଧାରଣ ଭଲମନ୍ଦ ଦିନେ
ଡ଼ରିକି ଚାଲିବେ କିଆଁ?

କେନ୍ଦ୍ରରେ ବିଜେପି ରାଜ୍ୟରେ ବିଜେଡ଼ି
ଦି’ବର୍ଷରେ ହେବ ଖେଳ
ଜନତାଙ୍କ ହିତ ଧ୍ୟାନରେ ରଖିକି
ଓପାଡ଼ ଦଙ୍ଗାର ମୂଳ

ପାଢ଼ି ଟ୍ୟୁଟରିୟାଲ୍ ରାଇଜ ପ୍ରସିଦ୍ଧ
ଜେବି ପାଢିଙ୍କ ଚେଷ୍ଟାରେ
ୠଣଭାର ବୋଝ ସହି ପାରିଲେନି
ପ୍ରାଣ ତ୍ୟାଗିଲେ କଷ୍ଟରେ

ଜୀବଦଶା ସହ ମୃତ୍ୟୁ ବି ତାଙ୍କର
ଶିକ୍ଷା’ଟିଏ ଗଲା ଦେଇ
ମହତ୍ୱକାଂକ୍ଷାକୁ ସଂଯମିତ ରଖ
ୠଣ କର ଦେଖି ଚାହିଁ

ସମୟ ଥାଉଣୁ ଇହଧାମ ତ୍ୟାଗ
କରିବାକୁ ବଳେ ମତି
ଶୋକାତୁର ଛାତ୍ର ପ୍ରାର୍ଥନା କରନ୍ତି
ଆତ୍ମାର ହେଉ ସଦ୍‌ଗତି

ଧରମା କାଟିଛି କିରୋସିନି କୋଟା
ଦାସବର୍ମା କରେ ହାଲ୍ଲା
କେନ୍ଦ୍ର ରାଇଜର ଝଗଡ଼ାରେ ପଡ଼ି
ଗରିବ ଜନତା ମଲା

ବିଜେପି କାରେଣି ବୈଠକ ବସିବ
ଓଡ଼ିଶା ବଙ୍ଗରେ ବେଶୀ
ଅନ୍ଥରା ଦାଇଲି ଧାର କରୁ କରୁ
ଆସିଯିବ ଉଣେଇସି

ଶଙ୍ଖ ମୋହ ଭାଙ୍ଗି ହାତରୁ ଖସିବେ
ନେତାଏ କିଛି ଛୋପରା
ମୋଦିମୁହାଁ ସବୁ ପଦୁଅଁ କେଶର
ଖୁମ୍ପିବେ କଂସାରି ପାରା

ଆର୍.ଏସ୍.ଏସ୍. ବାଡ଼ି ପଡ଼ିଗଲେ
ଫର୍ ଫାର୍ ଯିବେ ଉଡ଼ି
ଧାନତକ ଖାଲି କୁଲ୍ଲାରେ ଖେଳିବେ
ତଳେ ପଡ଼ିବେ ଅଗାଡ଼ି

ବିଜେପି ଆଗରୁ ଧୁଆ ଅଧୁଆକୁ
କରୁଥିଲା ଏକା ଭାଉ
ନୂଆ ମୋଦି ହାୱା ସମିକରଣରେ
ତୁମେକି ବାସିବ ଆଉ?

ଅମିତ ସାହାଜି ମିତ ନୁହଁ କା’ର
ଜିତିବା ଲୋକକୁ ସାହା
ଟିକେଟ ବଣ୍ଟାରେ ନିଶା ଖସିଯିବ
ତୁଟିବ ବିଜେପି ମାୟା

ସମଯାଜପୁର ସେତୁ ପାଇଁ ଭକ୍ତ
ଦର୍ଶନ ଲାଗି ଚିନ୍ତିତ
କାଳିଆ ଠାକୁର କେମିତି କରୁଛୁ
ଦୁର୍ନ୍ନିତି ଖୋରଙ୍କ ହିତ?

ଚକ୍ର ଅସ୍ତ୍ର ତୋର ହଜିଯାଇଛିକି
ଅନନ୍ତ ଶୟନ ବେଳେ?
ସଦ୍ ବୁଦ୍ଧି ଦେ’ ଠିକାଦାର୍ ମାନଙ୍କୁ
ଗାଦି ସଅଳ ସମ୍ଭାଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top