[ ଗ୍ରୀକ ପୁରାଣର କଥା – ସିସିଫସ୍ କୁ ଦେବତା ମାନେ ଶାସ୍ତି ଦେଇ ଥିଲେ । ଗୋଟିଏ ବିରାଟ ପଥର ଖଣ୍ଡକୁ ପାହାଡ଼ ଉପରକୁ ଉଠାଇବାକୁ ହେବ । ଯେତେଥର ପଥରଟି ଚୁଡା ନିକଟରେ ପହଞ୍ଚେ , ସେତେଥର ପୁଣି ତାହା ତଳକୁ ଗଡି ପଡେ । ଆଉ ସିସିଫସ୍ ତାହାକୁ ପାହାଡ଼ ଉପରକୁ ଉଠାଇବାକୁ ପୁଣି ପରିଶ୍ରମ କରେ । ଆଜୀବନ ତାହାକୁ ସେହି କାର୍ଯ୍ୟ କରିବାକୁ ହେବ ଏହା ଭାବି ସିସିଫସ୍ ହତାଶ ହୋଇ ପଡେ । ନିମ୍ନ କବିତାଟି ଏହି ଭାବଧାରାକୁ ନେଇ ଲିଖିତ । ]
ଆମେ ସବୁ ସିସିଫସ୍ର ବଂଶଧର
ହାତେ ଧରି ମୋବାଇଲ ଆପ୍ସ
ପିନ୍ଧୁ ଖାଲି ଜୀନ୍ସ ପେଣ୍ଟ ଆଉ ଟି ସାର୍ଟ
ରଖୁ ନିଶ, ଫ୍ରେଞ୍ଚକଟ୍ ଦାଢ଼ି ଆଉ
ଲମ୍ବା କଲି ବାଳ
ପାର୍ଥକ୍ୟ ଆମର ଏଇଠାରେ –
ହାତେ ଧରି ଫାଇଲ,
ଭିତରେ ତା ସାର୍ଟିଫିକେଟ ମାଳ ମାଳ
ଲମ୍ବା ‘କ୍ୟୁ’ କରି ସର୍ବଶେଷେ ଦେଖାଉ
ସେହି ରେକର୍ଡର ମାଳ ଆଉ
ଛାଡୁ ଲମ୍ବା ଲମ୍ବା ଶ୍ୱାସ
ଆଶା ……! ଆମ ବୈତରଣୀ
ପାର ହେବାର ଅମୋଘ ଅସ୍ତ୍ର
କିନ୍ତୁ ବନ୍ଧୁ ଆଶା ନୁହେଁ ସେ
ସେ ଯେ ସିସିଫସ୍ର ପଥରର ଖଣ୍ଡ !
ସିସିଫସ୍କୁ ଦେଇଥିଲେ ଦେବତାଏ ଅଭିଶାପ !
କିନ୍ତୁ ଆମକୁ କେ କଲା ଅଭିଶପ୍ତ ?
ଅବା ଆମେ ସବୁ ଅଭିଶପ୍ତ ଯୁଗ ଯୁଗ ଧରି ?
ଚାଲିଥିବ ଅବା ସେ ଯେ ଯୁଗ ଯୁଗ ଧରି
…… ଜନ୍ମ ଜନ୍ମାନ୍ତର ଧରି ??
ଜନ୍ମ ଜନ୍ମାନ୍ତରେ କଣ’ ସିସିଫସ୍ର ବଂଶଧର ବଢି ନାହାନ୍ତି ?
କିନ୍ତୁ ହାଏ ! ଜନ୍ମ ଜନ୍ମାନ୍ତରେ ବଂଶବୃଦ୍ଧି ସତ୍ୱେ ମଧ୍ୟ
ସେହି ପଥରର ଖଣ୍ଡଟିକୁ ରଖି ହେଲା ନାହିଁ
ପର୍ବତର ଶିଖରରେ ?
ହାଏ ଆମେ ସବୁ କେତେ ଦୁର୍ବଳ ସତେ ?
ନୁହେଁ ବନ୍ଧୁ ନୁହେଁ ସେ ଯେ ପଥରର ଖଣ୍ଡ !
ପ୍ରତୀକ ସେ , ଚିହ୍ନାଇ ଦିଏ ଦୁର୍ନୀତିର ଭାଣ୍ଡ
ସେ ଭାଣ୍ଡର କ୍ଷୟ ନାହିଁ ଅକ୍ଷୟସେ !
ଯେତେ ଯେତେ କ୍ଷୟ ହେଉଥିବ
ସେତେ ସେତେ ବଢ଼ୁଥିବି ସେ
ପର୍ବତ ଶିଖରେ ପହଞ୍ଚି ସ୍ଥିର
ହେବ ନାହିଁ କେବେ ସେ
ତେବେ ଆମେ ସବୁ ସିସିଫସ୍ର
ବଂଶଧର ଯିବୁ କାହିଁ ?
ମୁକ୍ତି କାହିଁ ? ମୁକ୍ତି କାହିଁ ?? ମୁକ୍ତି କାହିଁ ???
ଦୂରରୁ ଛାଡାଇ ଡାକ ସିସିଫସ୍-
“ତୁମେ ସବୁ ଜନ୍ମ ଜନ୍ମାନ୍ତର ଅଭିଶପ୍ତ !
ମୁକ୍ତି ତୁମର ନାହିଁ !!”
