ପ୍ରେମ ନଜର କରେ ନିଜର
ଧରିଲେ ଥରେ ଛାଡ଼େନି ଜର
ଜରୁଆ ପାଟି ବାଜଇ ଖନି
ଶୁଭଇ ପଛେ ହୃଦର ଧ୍ୱନି
ଜରରେ ପଡ଼ି ଦିଏ ସେ ରଡ଼ି
“ଲେଖୁଛି ତୋ’ ନାଁ କାଟି ମୋ ନାଡ଼ି” ।
ଦେହର ତାତି ଉଠଇ ମାତି
ଘନେଇ ଉଠେ ଉତ୍କଟ ବ୍ୟାଧି
ଜାବୁଡ଼ି ଧରେ ହୃଦୟ ତନ୍ତ୍ରୀ
ଅପହରେ ତା’ ପ୍ରତିଟି ଗତି
ମଗଜ ଘର କୀଟରେ ଚୂର୍ଣ୍ଣ
ଚିନ୍ତା, ଚୈତନ୍ୟ ହୋଇଲା ଶୂନ୍ୟ ।
ବଟିକା, ଟୀକା ବଇଦ ଦୱା
ହୋଇଲା ସବୁ ଅସାର ଯାହା
ହୁଡ଼ିଲା ସବୁ ବୁଦ୍ଧି ବିଚାର
ସଖା ସୋଦର କରିଲା ପର
ଏ କି ବିଷମ ହେଲା ସମସ୍ୟା
ଭୁଲିଗଲା ସେ ନିଜ ବେଉସା ।
ଗଣ୍ଡର ବ୍ରଣକୁ କରି ଗଣ୍ଠିଧନ
ମନରେ ସାଇତେ ପ୍ରିୟା ବଦନ
ଲଲାଟେ ମାଖି ଲଳନା ଲାଳସା
ତୁଣ୍ଡରେ ଜପି ପ୍ରେମ ଚଉତିଶା
ନିରନ୍ତର ସେବି ପ୍ରେମ ସୁଧାନିଧି
ଧ୍ୟାଉଥିବ ସିଏ ଅନନ୍ତ ଅବଧି ।
ମଧୁମୟ ତା’ ପ୍ରତିଟି କ୍ଷଣ
ସପନେ ଯେବେ ହୁଏ ସେ ଲୀନ
କୁହୁଡ଼ି ପହଁରି ଯାଏ ସେପାରି
ହେବ କି ଦେଖା ହୃଦୟ ମଞ୍ଜରୀ
ପାଦେ ଭେଟିଦେବ ସାରା ସଂସାର
ହେବା ଆଗରୁ ସ୍ୱପ୍ନ ତା’ ଚୁର !!