ସମ୍ପ୍ରତି ରାଜ୍ୟରେ ଆତ୍ମହତ୍ୟା ଶବ୍ଦକୁ ନେଇ ଖୁବ୍ ଚର୍ଚ୍ଚା ଚାଲୁଛି । ତେବେ ବିଶେଷ କରି ଚାଷୀମାନଙ୍କର ଆତ୍ମହତ୍ୟା ବିଷୟରେ ଖବର କାଗଜ ଗୁଡ଼ିକରେ ଅନେକ ଲେଖା ପ୍ରକାଶ ପାଉଛି । ଚାଷୀମାନେ ସମସ୍ୟା ଜର୍ଜରିତ ହୋଇ ଆତ୍ମହତ୍ୟାର ପନ୍ଥାକୁ ଅନୁସରଣ କରୁଛନ୍ତି କି ଚାଷର କ୍ଷୟକ୍ଷତି ନେଇ ନିଜର ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ଏହାକୁ ନେଇ ଏବେ ଖୁବ୍ ରାଜନୀତି ଚାଲିଛି । ବିଧାନସଭାରେ ବିରୋଧୀଦଳ ଓ ଶାସକ ଦଳ ମଧ୍ୟରେ ତୁମ୍ୱୀ ତୋଫାନ୍ ହେଉଛି । ହେଲେ ଏକ ସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ ହୋଇପାରୁନାହିଁ ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଓଡ଼ିଶାର ଅଧିବାସୀମାନେ ପ୍ରାୟ ଚାଷ ଉପରେ ନିର୍ଭରଶୀଳ । ଓଡ଼ିଶାର ଚାଷୀମାନେ ଉନ୍ନତ କୃଷି ଉତ୍ପାଦନ ପଦ୍ଧତି ଅବଲମ୍ୱନ କଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରେ କୃଷକର ମେରୁଦଣ୍ଡ ଭାଙ୍ଗି ଯାଉଛି । ବନ୍ୟା, ବାତ୍ୟା, ମରୁଡ଼ି ଆଦି ଓଡ଼ିଶାର କୃଷକମାନଙ୍କ ମନରେ ଭୟ ଓ ଆତଙ୍କ ଖେଳାଇ ଦେଇଛି । ହଜାର ହଜାର ଟଙ୍କା ମାଟିକୁ ଫୋପାଡ଼ି ଥିବା ଚାଷୀର ଭରସା ପାଉନାହିଁ ପାଣିପାଗ ଉପରେ । ଫଳରେ ସମସ୍ୟା ବାସ୍ତବ ରୂପ ନେଲା ବେଳେ ଚାଷୀ ଅଧୈର୍ଯ୍ୟ ହୋଇପଡୁଛି । ନେତା, ମନ୍ତ୍ରୀମାନେ ଚାଷୀମାନଙ୍କର ଆତ୍ମହତ୍ୟାକୁ ନେଇ ଯେଉଁ ମନ୍ତବ୍ୟମାନ ଦେଉଛନ୍ତି ତାହା ଚାଷୀକୂଳ ପ୍ରତି ଅତି ଲଜ୍ଜ୍ୟାଜନକ, ଅଶୋଭନୀୟ ତଥା ଅମାନବୀୟ ପରି ମନେହେଉଛି ।
ଚାଷୀମାନେ ଅମର ଲଡୁ ଖାଇଲେ ମରିବେ ନାହିଁ । ଯଦିଓ ଏ ପ୍ରକାର ବିଚାର ବିମର୍ଷହୀନ ମନ୍ତବ୍ୟ ମନ୍ତ୍ରୀ ଦେଇପାରୁଛନ୍ତି ତେବେ ସେ ଅମର ଲଡୁ ପ୍ରସ୍ତାବ ସରକାରଙ୍କୁ ଦେଇ ନାହାନ୍ତି କାହିଁକି ? ମାନନୀୟା ମନ୍ତ୍ରୀ ମହୋଦୟା ମଧ୍ୟ ନିଶ୍ଚୟ କୌଣସି ନା କୌଣସି ଚାଷୀର ସମ୍ପର୍କୀୟା ହୋଇଥିବେ । ତେବେ ବରିଷ୍ଠ ମନ୍ତ୍ରୀ ତଥା ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ କହିଛନ୍ତି ଚାଷୀମାନେ ଆତ୍ମହତ୍ୟା କରନ୍ତି ନାହିଁ । କେତେ ଦୂର ଏହି ମନ୍ତବ୍ୟ ଯଥାର୍ଥ ତାହା ଓଡ଼ିଶାବାସୀ ନିଶ୍ଚୟ ଜାଣିପାରୁଥିବେ । ତେବେ କଥା ହେଲା ଆତ୍ମହତ୍ୟାରେ ଚାଷୀ ମରୁ ଅଥବା ଯେକୌଣସି ଘରୋଇ ସମସ୍ୟାକୁ ସାମନା କରି ନ ପାରି ମରଣ ପନ୍ଥାକୁ ଆପଣେଇ ନେଉ ତାହା ମୃତ୍ୟୁ ଅଟେ । ଯେଉଁ ରାଜ୍ୟରେ ସମସ୍ୟାକୁ ସମାଧାନ କରିପାରୁ ନଥିବା ମଣିଷମାନେ ଆତ୍ମହତ୍ୟା କରନ୍ତି । ସମସ୍ୟା ଜର୍ଜରିତ ମଣିଷମାନଙ୍କ ପାଇଁ ଆହା ପଦେ କହିବାକୁ କେହି ନଥାନ୍ତି । ଜୀବନକୁ ଘୃଣା କରୁଥିବା ମଣିଷମାନଙ୍କୁ ବୋଧ ଦେବା ପାଇଁ କେହି ଆଗେଇ ଆସନ୍ତି ନାହିଁ ସେଠି ଗୋଟାଏ ପ୍ରଗତି ଚାଲିଛି ବୋଲି କେମିତି ଆମେ କହିପାରିବା ?? କେମିତି ସୁଶାସନର ଡିଣ୍ଡିମ ସରକାର ପିଟନ୍ତି ତାହା କେବେ ଭାବି ହୁଏନା ।
ଚାଷକାମ, କୃଷକ ଆତ୍ମହତ୍ୟା, ନେତା ଓ ମନ୍ତ୍ରୀମାନଙ୍କର ମନ୍ତବ୍ୟ ତଥା ବିଧାନସଭାରେ ହଟ୍ଟଗୋଳ ସବୁ ଭିନ୍ନ ଭିନ୍ନ କଥା । ଚାଷୀ, ଶାଗ, ପଖାଳ ଗଣ୍ଡେ ଖାଇ ହଳ ଲଙ୍ଗଳ ଧରି ଆଗେଇ ଯାଏ କ୍ଷେତକୁ । ଖରା, ବର୍ଷା, ବାତ୍ୟା, ବିଜୁଳି, ଘଡ଼ଘଡ଼ି, ସୌରାଘାତ କିଛିକୁ ବି ତା’ର ଖାତିର ନ ଥାଏ । ରକ୍ତକୁ ପାଣି କରି ସେ ହିଡ଼ ହାଣେ । ଜମିରେ ସୁନା ଫଳାଏ । ଫସଲ ଉଜୁଡ଼ିଗଲା ତ ପ୍ରାଣଟା ତା’ର କାନ୍ଦି ଉଠେ । ହେଲେ ରାଜଧାନୀରେ ଶାସନ ଚାଲେ । ଶୀତତାପ ନିୟନ୍ତ୍ରିତ କୋଠରୀମାନଙ୍କରେ ବୈଠକ ବସେ । ଭାଷଣ ବାଜି ଚାଲେ, ତର୍କବିତର୍କ ବି ଚାଲେ । ମିଡ଼ିଆ ଖବର ଲେଖେ ଫଟୋ ଉଠାଏ । ଅଧିକାରୀମାନେ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶାନାମା ଲେଖାହୁଏ । ହେଲେ କିଏ ବା ପହେଞ୍ଚ ଚାଷୀ ପାଖରେ ? କିଏ ବା ଦେଖେ ତା ଉଜୁଡ଼ା କ୍ଷେତକୁ କିଏ ବା ବୁଝେ ତା’ ଅନ୍ତରର ବ୍ୟଥାକୁ ???? ଚାଷୀଟିଏ ତଳ ପାହାଚର ମଣିଷ ବୋଲି ତା’ର ସମସ୍ୟା ପ୍ରତି କେହି ଦୃଷ୍ଟି ପକାଏନା । ସରଳ ଚାଷୀଟିଏ ପ୍ରତିବାଦ କରିପାରେ ନାହିଁ ବୋଲି ତା’ର ସ୍ୱାର୍ଥ ବାଟ ମାରଣା ହୁଏ ।
ଆଜି ରାଜ୍ୟରେ ଚାଷୀମାନଙ୍କର ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ ପରେ ଦାଉ ସାଧିବା ବେଳେ ଅନ୍ୟପଟେ ଚାଷର ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରୁ ନାହିଁ । ତେଣୁ ଓଡ଼ିଶାର ଚାଷୀ ସଦା ସର୍ବଦା ଚିନ୍ତାଶୀଳ ରହୁଛି । ସରକାରୀ ସ୍ତରରେ ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ ଯୋଜନାମାନ ଗଢ଼ା ଯାଉଛି ହେଲେ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଚାଷୀମାନଙ୍କୁ ଯେ ସରକାର ଖାଲି ଋଣ ଯୋଗାଇ ଦେଲେ ଯେ ଚାଷୀର ଉନ୍ନତି ସହିତ ଚାଷର ଉନ୍ନତି ହେବ ତାହା କେବେ ଠିକ୍ ନୁହେଁ । ଋଣ ଶୁଝିପାରୁ ନଥିବା ଚାଷୀ ପାଇଁ ସରକାର ଆଉ କି ଆଶା ଭରସା ଯୋଗାଇ ଦେଇପାରିବେ ତାହା ହୁଏ ତ ଏକ ଆଲୋଚନାର ବିଷୟ ହୋଇପାରେ ନିଶ୍ଚୟ ।
ଏବେ ଆତ୍ମହତ୍ୟା ଉପରେ ସମ୍ୟକ୍ ଆଲୋଚନା କରାଯାଇପାରେ । ଆତ୍ମହତ୍ୟା ପ୍ରବଣ ମଣିଷମାନେ କାହିଁକି ଜୀବନ ପ୍ରତି ବିମୁଖ ହୋଇଉଠୁଛନ୍ତି ତାହା ଗୋଟିଏ ସମାଜ ହିଁ କେବଳ ବୁଝିପାରିବ । ସରକାରୀ ସ୍ତରରେ ଯେତେ ଆଲୋଚନା ହେଲେ ମଧ୍ୟ ତଥା ବିରୋଧୀ ଦଳ ଯେତେ ରଡ଼ି କଲେ ମଧ୍ୟ ମଣିଷର ଆତ୍ମହତ୍ୟା ନିଷ୍ପତ୍ତିକୁ ରୋକିବାର ନିର୍ଯ୍ୟାସ କିଛି ବାହାରି ପାରିବ ନାହିଁ । ସମାଜର ମଣିଷମାନେ ଯଦି ସମସ୍ୟା ଜର୍ଜରିତ ମଣିଷମାନଙ୍କୁ ସାହାଯ୍ୟ, ସହଯୋଗ, ସାହାସ ତଥା ଧୈର୍ଯ୍ୟ ଯୋଗାଇ ଦେଇ ନ ପାରିବେ ସେଠି ଆତ୍ମହତ୍ୟା କେବେ ବି ବନ୍ଦ ହୋଇପାରିବ ନାହିଁ । ଦିନକୁ ଦିନ ମଣିଷର ଆବଶ୍ୟକତା ବଢ଼ିବାରେ ଲାଗିଛି । ଆବଶ୍ୟକତା ପୂରଣ ହୋଇ ନ ପାରିଲେ ମଣିଷର ମନରେ ଆଜି ବ୍ୟସ୍ତତା ସୃଷ୍ଟି ହେଉଛି । ମୋହଗ୍ରସ୍ତ ମଣିଷ ପାପ କରିବାକୁ ପଛାଏ ନାହିଁ । ଆତ୍ମହତ୍ୟା ବି ଏକ ପାପ ହୋଇପାରେ । ପରିବେଶ ଉପରେ ପ୍ରଭାବ ପକାଏ । ଶେଷରେ ଏପରି ପରିସ୍ଥିତି ସୃଷ୍ଟିହୁଏ ଯାହାଦ୍ୱାରା ମଣିଷ କିଛି ନା କିଛି ଭୁଲ୍ କରିବାକୁ ପାଦ ବଢ଼ାଏ । ପରିବାରରେ ବ୍ୟସ୍ତ ବିବ୍ରତ ମଣିଷକୁ ଯଦି ପରିବାରବର୍ଗ ନ ବୁଝାଇ ନ ପାରିବେ ସମାଜ ଯଦି ସାହାରା ନ ହେବ ତେବେ ସେଠି ସରକାର ବା କ’ଣ କରିପାରିବେ ???? ତେଣୁ ଆତ୍ମହତ୍ୟା ଏକ ସାମାଜିକ ସମସ୍ୟା ହୋଇ ସମାଜର କ୍ଷତି ସାଧନ କଲା ବେଳେ ଏହା ଏକ ରାଷ୍ଟ୍ରୀୟ ସମସ୍ୟା ଭାବେ ଦେଶର ପ୍ରଗତିକୁ ବାଧା ଦେଇଥାଏ ।