ପିଲାଦିନେ ସାଙ୍ଗ ମେଳରେ ପ୍ରକୃତି କୋଳରେ ଆମେ ଅନେକ ଖେଳ ଖେଳିଛୁ । ଏମିତିକି ସମୟ ସହ ଖେଳିବାର ଦୁଃସାହସ ମଧ୍ୟ କରିଛୁ । ନଡ଼ିଆ ବାହୁଙ୍ଗାର ପତ୍ରକୁ ଚିରି ତିଆରି କରିଛୁ ଘଣ୍ଟା । ସେହି ଘଣ୍ଟାକୁ ହାତରେ ବାନ୍ଧି ସମୟକୁ କରାୟତ୍ତ କରିବାର ଅପାର ଆନନ୍ଦକୁ ଅନୁଭବ କରିଛୁ । ସହଜ ହାତ ତିଆରି ଏହି ପତରର ଘଣ୍ଟାରେ ନା ସତସତିକା ଚାଲୁଥାଏ ଘଣ୍ଟାର କଣ୍ଟା ନା ସେଥିରେ ଥାଏ ସମୟ । ସେତେବେଳେ ଏହା କେବଳ ଆମର ଘଣ୍ଟା ପିନ୍ଧିବାର ଅଝଟ ଇଚ୍ଛା ଓ ଶିଶୁସୁଲଭ କୌତୂହଳତାକୁ ଚରିତାର୍ଥ କରୁଥିଲା । ଏଥି ସହିତ ଏହି ଘଣ୍ଟାଟି ଆମକୁ ବିଗତ ସମୟର ସ୍ଥିର ବିନ୍ଦୁ ଉପରେ ଚିହ୍ନାଉଥିଲା ଶୈଶବ ସ୍ମୃତିର ସବୁଜ ସମୟକୁ । ଯେଉଁ ସମୟରେ ଆମ ପାଖରେ ସମୟକୁ ନେଇ କୃତ୍ରିମ ସଚେତନତା ନ ଥିଲା । ଖୁବ୍ ଅସଚେତନ ଭାବରେ ଆମେ ଉପଭୋଗ କରିଚାଲିଥିଲୁ ଶୈଶବର ସ୍ୱାଦକୁ ।
ହାତରେ କେବେ ବନ୍ଧିଥିବା ଶୈଶବର ଏହି ସ୍ମୃତିଟି ଆମ ସମସ୍ତଙ୍କର ଉଣା ଅଧିକେ ରହିଥିବ । ଗାଢ଼ ସବୁଜ ରଙ୍ଗର ସରୁ ନଡ଼ିଆ ପତ୍ରରେ ମିଛ ଘଣ୍ଟା ତିଆରି କରି ହାତରେ ପିନ୍ଧିବାର ବୟସ ଏବେ ଅତିକ୍ରାନ୍ତ ହୋଇସାରିଲାଣି । ଶୈଶବର ଆଖିରେ ସମୟକୁ ଚିହ୍ନିବାର ଏହି ପ୍ରଥମ ଖେଳଣାଟି ଆମ ଅତୀତ ଜୀବନର ଏକ ପ୍ରାଣପ୍ରାଚୁର୍ଯ୍ୟମୟ ଦିଗନ୍ତ ଆଡ଼କୁ ଆଙ୍ଗୁଳି ଦେଖାଇଥାଏ । ଏକ ପରିପୂର୍ଣ୍ଣ ଆନନ୍ଦଦାୟୀ ବାଲ୍ୟକାଳକୁ ମନେପକାଇ ଦେଇଥାଏ । ମଣିଷ ପାଖରେ ବାଲ୍ୟକାଳ ସବୁବେଳେ ନ ଥାଏ । ଥାଏ ତା’ର ବିକ୍ଷିପ୍ତ ମଧୁର ସ୍ମୃତି । ଯେଉଁ ଦୁର୍ମୂଲ୍ୟ ସ୍ମୃତି ମଣିଷର ପାଖେ ପାଖେ ରହି ତା’ର ଅନୁଭୂତିର ସୀମାରେଖାକୁ ପ୍ରସାରିତ କରିଥାଏ । ଚାରିପାଖର ଜଗତ ଓ ଜୀବନ ବିଷୟରେ ଅନ୍ତରଙ୍ଗ ପ୍ରତ୍ୟକ୍ଷ ଅନୁଭୂତି ଦେଇଥାଏ । ବାଲ୍ୟକାଳର ମୁକ୍ତପଣ ଓ ସ୍ୱାଧୀନତା ଭିତରେ ମଣିଷ ବାହ୍ୟଜୀବନ ଓ ବାହ୍ୟପ୍ରକୃତିକୁ ଚିହ୍ନିଥାଏ । ତା’ ସହିତ ମିଶିଥାଏ ଓ ସେଥିରୁ ନିଜର ସ୍ୱତନ୍ତ୍ର ଅନୁଭବକୁ ଜନ୍ମ ଦେଇଥାଏ । ଏହି ସୂକ୍ଷ୍ମ ଅନୁଭବ ପରବର୍ତ୍ତୀ କାଳରେ ତାକୁ ଜୀବନର ବିବିଧତା ଓ ବ୍ୟାପକତାକୁ ବୁଝିବାରେ ସହାୟକ ହୋଇଥାଏ ।
ହଜିଲା ପିଲାଦିନର ଖେଳସାଥୀ ଥିବା ଏହି ଅଭୁଲା ବସ୍ତୁଟି ଆଜିର ସମୟର ପରିବର୍ତ୍ତିତ ପରିବେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ସମ୍ୱେଦନଶୀଳ ପ୍ରସଙ୍ଗକୁ ପ୍ରତୀକାତ୍ମକ ଭାବରେ ଉଦ୍ରେକ କରାଇଥାଏ । ଯାହା ସିଧାସଳଖ ଆମ ମାନସଲୋକକୁ ଉଦ୍ବେଳିତ କରେ ଏବଂ କୋମଳ ଓ ସ୍ୱଚ୍ଛନ୍ଦ ଶୈଶବର ସଙ୍କଟ କଥାକୁ ସୂଚାଇଥାଏ । ପ୍ରଥମତଃ ଦେଖିବାକୁ ଗଲେ ଆଜିର ଶୈଶବ ତା’ର ସ୍ୱାଭାବିକ ଶୈଶବଠାରୁ ବଞ୍ଚିତ । ଦ୍ୱିତୀୟତଃ ଏହା ପୁଣି ପ୍ରକୃତିର ସାନ୍ନିଧ୍ୟଠାରୁ କ୍ରମଶଃ ଦୂରେଇ ଯିବାରେ ଲାଗିଛି । ସମୟର ଚାପରେ ଶୈଶବ ଆଜି ଅବରୁଦ୍ଧ । ଏବେ ସମୟ ଚୋରାଇ ନେଇଛି ପିଲାଙ୍କଠାରୁ ସେମାନଙ୍କର ଶୈଶବ । ପିଲାଟିଏ ନିଜର ସ୍ୱାଭାବିକ ବାଲ୍ୟକାଳକୁ ନିଜସ୍ୱ ଢଙ୍ଗରେ ଉପଭୋଗ କରିବା ଆଗରୁ ତା’ ଠାରୁ ଛଡେ଼ଇ ନିଆଯାଉଛି ଏହି ମୁହୂର୍ତ୍ତ ସବୁକୁ । ଜୀବନ ଧାରଣକୁ ନେଇ ଚାଲିଥିବା ତୀବ୍ର ପ୍ରତିଯୋଗିତା ଓ ଆତ୍ମପରିଚୟ ପ୍ରତିଷ୍ଠା ପାଇଁ ପିଲାଟି ବେଳରୁ ଶିଶୁର ମନକୁ ଏପରି ଏକ ଦିଗଦର୍ଶୀ କରାଇ ଦିଆଯାଉଛି ଯେ ତା’ ଆଖି ଆଗରେ ଶୈଶବର ବିମୁକ୍ତ ସ୍ୱପ୍ନ ଭସାବଦଲ ପରି ଉଡ଼ି ବୁଲିବା ବଦଳରେ ସେ ଦେଖୁଛି ଏକ ବସ୍ତୁ ସର୍ବସ୍ୱ ସଫଳ ଜୀବନର ସ୍ୱପ୍ନ । ଶୈଶବ କେତେବେଳେ ଆସି ସରିଯାଉଛି ସେ ଜାଣିପାରୁନାହିଁ । ଅତି ଛୋଟବେଳୁ ବଡ଼ ହେଲେ ଇଞ୍ଜିନିୟର ହେବ ନା ଡାକ୍ତର ହେବ, କାର ଚଢ଼ିବ ନା ଆକାଶରେ ଉଡ଼ାଜାହାଜ ଚଢ଼ିବ ସେହି ଅନୁସାରେ ପିଲାମାନଙ୍କୁ ତିଆରି କରାଯାଉଛି । ତାହା ପୁଣି ଖୁବ୍ ସତର୍କତାର ସହିତ । ସେଥିପାଇଁ ଯାବତୀୟ ବ୍ୟବସ୍ଥାକୁ ଆଣି ପିଲାମାନଙ୍କର ପାଖରେ ଯୋଗାଇ ଦିଆଯାଉଛି । ଯେମିତି ହେଲେ ଯେଉଁ ବାଟେ ହେଲେ ସଫଳତା ମିଳିବା ଦରକାର । ଅର୍ଥକୁ ସବୁ କିଛି କୁହାଯାଉଥିବା ଏହି ଦୁନିଆଁରେ ପିଲାଟି କିପରି ଜଣେ ଭଲ ଅର୍ଥ ଆୟକାରୀ ମଣିଷରେ ପରିଗଣିତ ହେବ ସେଥିପାଇଁ ପଛକୁ ପଛ ଛୋଟରୁ ବଡ଼ ଆକର୍ଷଣ ସବୁ ତା’ ଆଗରେ ଆଣି ଖଞ୍ଜାଇ ଦିଆଯାଉଛି । ତାକୁ ହୃଦୟ ଥିବା ଏକ ଜୀବନ୍ତ ମଣିଷରୁ ହୃଦୟହୀନ ଯାନ୍ତ୍ରବ ମଣିଷକୁ ରୂପାନ୍ତରିତ କରାଯାଉଛି । ଯିଏ କେବଳ ବଡ଼ ହେଲେ ଅର୍ଥରୋଜଗାର କରି ଜାଣିବ । ଯନ୍ତ୍ର ମଣିଷ ପରି ବଞ୍ଚିପାରିବ । ରେକର୍ଡ କରାହୋଇଥିବା କ୍ୟାସେଟ୍ ପରି ଧରାବନ୍ଧା ଜୀବନର ନିୟମ ଭିତରେ ଅଣନିଶ୍ୱାସୀ ହୋଇ ମଧ୍ୟ ନିଜର ସ୍ଥିତିକୁ ଜାହିର କରିପାରିବ । ସମାଜରେ ଆର୍ଥିକ ଦୃଷ୍ଟିରୁ ଜଣେ ସଫଳ ମଣିଷ ରୂପେ ତିଆରି ହୋଇ ଚାଲିବା ନିଶାରେ ନିଜ ପାଦରେ ଦଳିଚକଟି ଦେବ ନିଜର ସୁବର୍ଣ୍ଣ ଶୈଶବ । ଜୀବନର ସମସ୍ତ କୋମଳ ଅନୁଭବଠାରୁ ବହୁତ ଦୂରରେ ଥିବା ତା’ର ଅବସ୍ଥିତି ।
ଆଜିର ପିଲାମାନଙ୍କର ଅଧିକାଂଶ ସମୟ କଟୁଛି ଘରର ପାଚେରୀ ଭିତରେ । ପାଚେରୀ ସେପଟେ ଥିବା ପ୍ରକୃତି ସହ ଏମାନଙ୍କର ମିଳାମିଶା ଖୁବ୍ କମ୍ । ଘରୁ ପଦାକୁ ଗୋଡ଼ କାଢ଼ିଲେ ସେମାନଙ୍କ କୁନି କୁନି କାନ୍ଧ ଉପରେ ସ୍କୁଲ୍ ବହିର ବୋଧ । ସ୍କୁଲ୍ରୁ ଫେରି ଘରକୁ ପଶିଲେ ମୁଣ୍ଡ ଉପରେ ଟିଉସନ୍ ପାଠର ବୋଝ । ସେମାନଙ୍କ ଛୋଟ ଛୋଟ ଆଖିରେ ସୁନ୍ଦର ଭବିଷ୍ୟତକୁ ଗଣନା କରୁଥିବା ବାପା ମା’ଙ୍କର ସ୍ୱପ୍ନର ବୋଝ । ଏହି ବୋଝ ଉପରେ ବୋଝର ଚାପରେ ନଇଁ ପଡୁଥିବା ପିଲାଟିର କଅଁଳ ମନ ମୁଣ୍ଡ ଟେକି ପ୍ରକୃତିର ଅନାବିଳ ସୌନ୍ଦର୍ଯ୍ୟ ସହ ପରିଚିତ ହେବ ବା କେମିତି ? ସେଠି ହାତରେ ନଡ଼ିଆପତରର ଘଣ୍ଟା ପିନ୍ଧି ସମୟ ପ୍ରତି ବେପରୁଆ ମନୋଭାବ ପୋଷଣ କରିବାର ସ୍ୱର୍ଦ୍ଧା ଆସିବ ବା କେଉଁଠି ? ଶୈଶବ ପଛେ ଭାସିଯାଉ ନିଷ୍ଠୁର ସମୟର ସୁଅରେ, ଶୈଶବର ସବୁ କୌତୂହଳତା ଓ ଦୁର୍ଦ୍ଦମତାରେ ପୂର୍ଣ୍ଣଛେଦ ପଡୁ ପଛେ ଅସମୟରେ, ସେଥିପ୍ରତି ଧ୍ୟାନ ନାହିଁ । ଲକ୍ଷ୍ୟପଥରେ ଶୀଘ୍ର ବୟଃପ୍ରାପ୍ତି ହେଲେ ଆହୁରି ଭଲ । ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ଦୁନିଆଁରେ ପିଲାଙ୍କ ଆଗତ କଥା ଭାଳି ତା’ ପାଇଁ ଭଲ ସ୍କୁଲ୍, ଭଲ ଟିଉସନ୍ ମାଷ୍ଟର୍ ଓ ତା’ର ଭଲ କ୍ୟାରିୟର୍ ପାଇଁ ବ୍ୟସ୍ତ ବିବ୍ରତ ରହୁଥିବା ବାପା ମାଆ ମାନେ ନିଜ ପିଲାଙ୍କ ଦେହରୁ ବାଲ୍ୟକାଳର ପୋଷାକ ପରିଧାନ ଓହ୍ଲାଇ ପିନ୍ଧାଇ ଦେଇଥାନ୍ତି ଏକ ଶୃଙ୍ଖଳ । ଯାହାକୁ ଡେଇଁବାର ଦୁଃସାହସ କରେ ନାହିଁ ତା’ର ନିରୀହ ଶୈଶବ ।
ସେଦିନ ଆମ ହାତରେ ଘଣ୍ଟାଥିଲା । ନଡ଼ିଆ ପତରର ମିଛ ଘଣ୍ଟା । ସେ ଘଣ୍ଟାରେ ସତ ସମୟ ନଥିଲା । କିନ୍ତୁ ଆମ ପାଖରେ ଆମ ଶୈଶବ ଥିଲା । ଶୈଶବକୁ ଉପଭୋଗ କରିବା ପାଇଁ ସେପରି ବିଶେଷ ବାରଣ ବା କଟକଣା ନ ଥିଲା । ବାଲ୍ୟକାଳର ସ୍ୱାଧୀନତାକୁ ମନ ଭରି ଅନୁଭବ କରିବାରେ ମିଳୁଥିଲା ନିରୁତା ଆନନ୍ଦ । ଏବେ ସମୟକୁ ଭଲ କରି ବୁଝିବା ଓ ଚିହ୍ନିବା ଆଗରୁ ପିଲାଏ ହାତରେ ବାନ୍ଧୁଛନ୍ତି ସତସତିକା ଘଣ୍ଟା । ଘଣ୍ଟାର ଟିକ୍ ଟିକ୍ ଚାଲିବା ସହିତ ତାଳ ଦେଇ ସେମାନଙ୍କ ଜୀବନ ପାଲଟିଛି ଏକ ରୁଟିନ୍ । ଏହି ରୁଟିନ୍ ବନ୍ଧା ଜୀବନ ଭିତରେ ସେମାନେ ହରାଇ ଚାଲିଛନ୍ତି ସେମାନଙ୍କର ଶୈଶବର ସ୍ୱାଧୀନତା । ସେଦିନର ନଡ଼ିଆ ପତରର ଘଣ୍ଟା ଓ ଏବେକାର ପିଲାମାନେ ବାନ୍ଧୁଥିବା ଧପ୍ ଧପି ଡିଜିଟାଲ୍ ରଙ୍ଗବେରଙ୍ଗର ଘଣ୍ଟା ଭିତରେ ଲୁଚି ଯାଇଛି ଅନେକ କିଛି । ହଜିଯାଇଛି ପୁରୁଣା ଶୈଶବ । ସମୟ ଚକ୍ରରେ ବନ୍ଧା ପଡ଼ିଛି ପିଲାଦିନ । ପିଲାଦିନ ଦେଖୁ ଦେଖୁ ହୋଇ ଯାଉଛି ବଡ଼ଦିନ । ପିଲାଙ୍କ ମୁହଁରେ ପିଲାଳିଆମିର ଦୁଷ୍ଟାମି ବଦଳରେ ଦେଖିବାକୁ ମିଳୁଛି ଅଦିନିଆ ବୟସ୍କ ଅଭିଜ୍ଞତାର ଛାପ । ତାକୁ ଦେଖି ବାପାମାଆମାନେ ମଧ୍ୟ ଖୁସି । କହନ୍ତି- ପିଲାଟି ଆମର ସବୁ କଥା ବୁଝିପାରିଲାଣି- ଭଲ ମନ୍ଦ କ’ଣ ଜାଣିପାରିଲାଣି. . . ଇତ୍ୟାଦି ।
ମାତ୍ରାଧିକ ସମୟ ସଚେତନତା ସାମ୍ପ୍ରତିକ ଜୀବନଧାରାର ଏକ ବିଲକ୍ଷଣ ଦିଗ । ଏହି ଧାରାରେ ଜୀବନ ବଞ୍ଚିବାକୁ ଆମେ ସମସ୍ତେ ଏକ ପ୍ରକାରର ବାଧ୍ୟ । କାରଣ ପୁଞ୍ଜିବାଦର ବିଚ୍ଛୁରିତ ମାୟାଜାଲରେ ଯିଏ ବିଫଳ ସିଏ ସଫଳ ହେବା ପାଇଁ ବ୍ୟଗ୍ର ଆଉ ଯିଏ ସଫଳ ସିଏ ଆହୁରି ଅଧିକ ସଫଳ ହେବା ପାଇଁ ବ୍ୟଗ୍ର । “ଟାଇମ୍ ଇଜ୍ ମନି” ବା ସମୟର ଅନ୍ୟନାମ ଅର୍ଥର ସ୍ଲୋଗାନ୍କୁ ଜୀବନର ନୂଆ ଦର୍ଶନ ରୂପେ ଗ୍ରହଣ କରି ଘରର କାନ୍ଥରେ, ଅଫିସ୍ର ଟେବୁଲ୍ ଉପରେ ଓ ଗାଡ଼ିର ପଛରେ ମାଟି ଘୂରି ବୁଲୁଥିବା ମଣିଷମାନେ ଶୈଶବର ପ୍ରକୃତ ସୌକୁମାର୍ଯ୍ୟ କହିଲେ କ’ଣ ବୁଝିଥାନ୍ତି, ତାହା ସେମାନଙ୍କୁ ଜଣା ? ଶୈଶବ କ’ଣ ଓ ଏହାର ରଙ୍ଗ କେମିତି ଏ ବିଷୟରେ ସେମାନଙ୍କର ଜାଣିବାର ନ ଥାଏ ସରାଗ ।
ଶୈଶବର ସ୍ମୃତି ସମସ୍ତଙ୍କ ପାଇଁ ମହାର୍ଘ । ସମସ୍ତଙ୍କ ଜୀବନକାଳର ଏହି ସଂକ୍ଷିପ୍ତ କାଳଖଣ୍ଡଟି ଏକ ମୂଲ୍ୟବାନ୍ ଅଂଶବିଶେଷ ରୂପେ ବିବେଚିତ ହୋଇଥାଏ । ଏହା କେବଳ ଏକ ସୁନ୍ଦର ତିକ୍ତ ମଧୁର ଅତୀତକୁ ନିଜ ଭିତରେ ସାଇତି ରଖିଥାଏ ବୋଲି ନୁହେଁ ବରଂ ନିଃସର୍ତ୍ତ ଓ ନିଃସ୍ୱାର୍ଥପର ଭାବରେ ସମୟକୁ ବିନିଯୋଗ କରିଥାଏ ବୋଲି । ସଂବାଳୁଆ ଖୋସାରୁ ପ୍ରଜାପତିଟିଏ ଜନ୍ମ ନେଇ ଡେଣା ମେଲି ଯେପରି ବାହାର ପୃଥିବୀକୁ ଉଡ଼ି ଦେଖିବା ଆରମ୍ଭ କରେ ଓ ଦେଖି ଲକ୍ଷ୍ୟହୀନ ଆନନ୍ଦରେ ଅଧିକ ହୋଇଉଠେ, ସେହିପରି ମଣିଷ ପାଇଁ ଶୈଶବର ଦୁନିଆଁ ଏକ ନୂଆ ଡେଣା ଲଗା ଦୁନିଆଁ ପରି । ବିସ୍ମୟ ଓ ପ୍ରତ୍ୟୟରେ ଭରପୁର ଏକ ସମ୍ଭାବନାମୟ ଦୁନିଆଁ । ଶୈଶବ ସେଥିରୁ ବଞ୍ଚିତ ନ ହେଉ ।
