ରହସ୍ୟ

ମୁଖବନ୍ଧ: ଶାସ୍ତ୍ରୀଜୀଙ୍କ ହତ୍ୟାର ରହସ୍ୟ

Shastrijinka Hatyaara Rahasya

ବିଦେଶ ମାଟିରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ରାଷ୍ଟ୍ରପ୍ରମୁଖଙ୍କ ମୃତ୍ୟୁବରଣ ଭାରତୀୟ ଇତିହାସର ଏକ ମାତ୍ର ଉଦାହରଣ ହୋଇଥିବାବେଳେ କାହିଁକି କୌଣସି ତଦନ୍ତ କରାଗଲା ନାହିଁ ?

ଶାସ୍ତ୍ରୀଜୀଙ୍କ ହତ୍ୟାର ରହସ୍ୟ

ମୁଖବନ୍ଧ

୧୯୬୬ ଅପ୍ରିଲ ୨୬ ପ୍ରାତଃ ୫:୨୩ରେ ପୂର୍ବ ସୋଭିଏତ ସଙ୍ଘର ଏକ ପ୍ରମୁଖ ସହର, ତାସକନ୍ଦ ଥରିଥିଲା ଏକ ଭୟଙ୍କର ଭୂମିକମ୍ପରେ । ଏହି ବିଧ୍ୱଂସକାରୀ ଭୂମିକମ୍ପ ବ୍ୟାପକ ଧନ ଜୀବନହାନୀ ଘଟାଇବା ସହ ପ୍ରାୟ ୩ ଲକ୍ଷ ଲୋକଙ୍କୁ କରିଥିଲା ଗୃହହୀନ । ତାସକନ୍ଦ ସହର ଏକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସହରର ଅନେକ ଅଂଶ ବି ଭୂମିକମ୍ପ ତାଣ୍ଡବରୁ ବର୍ତ୍ତୀ ନଥିଲା । ଏହି ସମୟରେ ସେଠାକାର ଈଶ୍ୱର ଭୀରୁ ଲୋକେ କୁହାକୁହି ହେଲେ, ବର୍ଷ ପ୍ରାରମ୍ଭରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଯେପରି ଅସମୟ, ଅସହାୟ ଓ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଲା ଏହି ଭୂମିକମ୍ପ ବୋଧହୁଏ ସେହି ଘଟଣାର ଦୈବୀ ପ୍ରତିକାର । କିଛି ମାସ ଉପରାନ୍ତ ଶୋକାତୁରା ଲଲିତା ଶାସ୍ତ୍ରୀ ତାସକନ୍ଦର ସେହି ଡାଚାକୁ ଯାଇଥିଲେ ଯେଉଁଠି ୧୯୬୬ରେ ତାଙ୍କ ପତି ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅବସ୍ଥାନର ବନ୍ଦୋବସ୍ତ କରାଯାଇଥିଲା । ଡାଚାର ଦେଖାଶୁଣାରେ ନିଯୁକ୍ତ ଥିବା ଜଣେ ମହିଳା କର୍ମଚାରୀ ତାଙ୍କୁ କଥିତ କକ୍ଷକୁ ବାଟ କଡେଇ ନେଇଥିଲେ, ଯେଉଁଠି ଶାସ୍ତ୍ରୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମହିଳା କର୍ମଚାରୀ ଜଣକ ଫୁସ୍‌ଫୁସ୍ କିନ୍ତୁ କିଛିଟା ବ୍ୟଥିତ ସ୍ୱରରେ କହିଲେ, “ଟେଲିଫୋନ୍‌ ନଥିଲା” । ତାଙ୍କର ଏହି ଗୁଢ ବାକ୍ୟ ବୋଧେ ସୂଚାଉଥିଲା ଯେ, ନିଜ ଶେଷ ସମୟରେ ସ୍ୱର୍ଗତ ଶାସ୍ତ୍ରୀ ବାହାର ଦୁନିଆ ସହିତ ଯୋଗାଯୋଗରୁ ସଂପୂର୍ଣ୍ଣ ରୂପେ ବଞ୍ଚିତ ହୋଇଥିଲେ ।

ଶାସ୍ତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁକୁ ସ୍ୱାଭାବିକ ବୋଲି ଗ୍ରହଣ କରିନଥିଲେ ତାସକନ୍ଦ ସହର ଅଧିବାସୀ । ନିଜ ନିଜ ଭିତରେ ଏ ବିଷୟରେ ସେମାନେ ଚୁପ୍‌ଚାପ୍ ଆଲୋଚନା ମଧ୍ୟ କରୁଥିଲେ । ଏହାର ପ୍ରତିଫଳନ ଭାରତରେ ମଧ୍ୟ ଦେଖାଯାଇଥିଲା । ଆଜିର ସମୟରେ ମଧ୍ୟ ତାସକନ୍ଦ ସହରରେ ୧୯୬୬ ଜାନୁଆରୀରେ ଘଟିଥିବା ଦୁଃଖଦ ଘଟଣାକୁ ଭାରତର ଅନ୍ୟତମ ପ୍ରମୁଖ ରାଜନୈତିକ ବିବାଦିତ ଘଟଣା ବୋଲି ବିବେଚିତ କରାଯାଏ; ଅନ୍ୟଟି ହେଉଛି ୧୯୪୫ରେ ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ । ଆଜି ପର୍ଯ୍ୟନ୍ତ ଶାସ୍ତ୍ରୀଙ୍କ ମୃତ୍ୟୁ ଜନମାନସକୁ ଏପରି ଆଚ୍ଛାଦିତ କରି ରଖିଛି ଯେ ତାଙ୍କ ନାମ ଉଚ୍ଚାରଣ ମାତ୍ରେ ହିଁ, ଅତ୍ୟନ୍ତ ସ୍ୱାଭାବିକ ଭାବେ ତାସକନ୍ଦ ଘଟଣାର ଆଲୋଚନା ଆରମ୍ଭ ହେଇଯାଏ; ପ୍ରକୃତରେ କ’ଣ ଘଟିଥିଲା ଜାନୁଆରୀ ୧୯୬୬ର ସେହି ରାତ୍ରିରେ, ଶାସ୍ତ୍ରୀଙ୍କ ଶେଷ ରହଣୀ ସ୍ଥାନରେ ? ଶାସ୍ତ୍ରୀଜୀ ଜଣେ ମହାନ୍ ବ୍ୟକ୍ତିତ୍ୱ; ତାଙ୍କ ସାଧାରଣ ଜୀବନଶୈଳୀ, ସଚ୍ଚୋଟତା, ସତ୍ୟନିଷ୍ଠତା ଚିର ସ୍ମରଣୀୟ ଓ ଅନୁକରଣୀୟ । ପରନ୍ତୁ ଆମ ମନକୁ ଏବେ ବି ଏକ ପ୍ରଶ୍ନ ଆନ୍ଦୋଳିତ ତଥା ବିଚଳିତ କରେ । ବିଦେଶ ମାଟିରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ରାଷ୍ଟ୍ରପ୍ରମୁଖଙ୍କ ମୃତ୍ୟୁବରଣ ଭାରତୀୟ ଇତିହାସର ଏକ ମାତ୍ର ଉଦାହରଣ ହୋଇଥିବାବେଳେ କାହିଁକି କୌଣସି ତଦନ୍ତ କରାଗଲା ନାହିଁ ?

ଦେଶବାସୀଙ୍କଠାରେ ପ୍ରକୃତ ସତ୍ୟର ଉନ୍ମୋଚନ ଉଦ୍ଧେଶ୍ୟରେ ଘଟଣାଟି ବହୁବାର ସାଂସଦ ଓ ଗଣମାଧ୍ୟମରେ (ମୁଦ୍ରଣ ଓ ବୈଦ୍ୟୁତିକ) ପ୍ରର୍ଯ୍ୟାଲୋଚିତ । ସାଂସଦରେ ଶାସ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନର କିଛି ମୂହୁର୍ତ୍ତ ପରେ ଅଟଳ ବିହାରୀ ବାଜପେୟୀ ସର୍ବପ୍ରଥମେ ପ୍ରଶ୍ନ କରିଥିଲେ , ‘ପ୍ରକୃତରେ ତାସକନ୍ଦରେ କ’ଣ ହେଇଥିଲା ?’ କ’ଣ ଶାସ୍ତ୍ରୀଙ୍କ ଏପରି ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିନଥାନ୍ତା? ଅସୁସ୍ଥତା ଅନୁଭବ କରିବା ମାତ୍ରେ କାହିଁକି ଶାସ୍ତ୍ରୀଜୀ ନିଜ ଶଯ୍ୟା / କକ୍ଷରୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିଲେନି ? ଜରୁରୀ ପରିସ୍ଥିତିରେ ଅମ୍ଳଜାନ ଦିଆଯିବାର କୌଣସି ବ୍ୟବସ୍ଥା ତାଙ୍କ କକ୍ଷରେ କାହିଁକି କରାଯାଇନଥିଲା ? ତତ୍କାଳ ଚିକିତ୍ସାର ସବୁ ଆଧୁନିକ ବନ୍ଦୋବସ୍ତ ଯଦି ସୂଚାରୁ ରୂପେ ଉପଲବ୍ଧ ଥାଆନ୍ତା, ବୋଧହୁଏ ୫-୬ ମିନିଟର ସେହି ଘଡ଼ିସନ୍ଧି ମୂହୁର୍ତ୍ତକୁ ଆୟଧୀନ କରି ଶାସ୍ତ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରା ଯାଇପାରିଥାଆନ୍ତା ।

ତଥାପି ଶାସ୍ତ୍ରୀଙ୍କ ମୃତ୍ୟୁ କିଏ କାମନା କରୁଥିଲା? ଭାରତ ବିରୁଦ୍ଧରେ ଏପରି ସଙ୍ଗୀନ ଷଡ଼ଯନ୍ତ୍ର କରିବାର ଅଭିପ୍ରାୟ କ’ଣ ହୋଇପାରେ? ଶାସ୍ତ୍ରୀଙ୍କ ବାଲ୍ୟବନ୍ଧୁ ଟି.ଏନ ସିଂହଙ୍କ ଭାଷାରେ – ଶାସ୍ତ୍ରୀ ତ ଅଜାତଶତ୍ରୁ । ଏପରି ବ୍ୟକ୍ତିଙ୍କର କ’ଣ କୌଣସି ଶତ୍ରୁ ଥାଇପାରନ୍ତି ? କେନ୍ଦ୍ରୀୟ ତଦନ୍ତ ସଂସ୍ଥା ( ସି.ଆଇ.ଏ)ର ୧୯୬୫ର ଏକ ରିପୋର୍ଟ ମଧ୍ୟ ଟି.ଏନ ସିଂହଙ୍କ ଉକ୍ତିର ପୁଷ୍ଟି କରିଥିଲା । ଲେଖାଥିଲା, ତାଙ୍କ ଚାଲିଶ ବର୍ଷର ଦୀର୍ଘ ରାଜୈନତିକ ଜୀବନରେ ଅଳ୍ପ ଥାଇପାରନ୍ତି ବା ସେମିତି କେହି ଶତ୍ରୁ ନ ବି ଥାଇପାରନ୍ତି ।

ଶାସ୍ତ୍ରୀଙ୍କ ହୃଦ୍‌ଘାତ୍‌ଜନିତ ମୃତ୍ୟୁ ହିଁ ହୋଇଥିଲା ବୋଲି ସରକାର ଦୃଢ଼ୋକ୍ତି ହେତୁ କୌଣସି ତଦନ୍ତ ନିର୍ଦ୍ଧେଶ ଦିଆଗଲା ନାହିଁ । ଅନେକ ବ୍ୟକ୍ତିବିଶେଷ ତଥା ସାଧାରଣ ଜନତାଙ୍କ ପାଇଁ ତାସକନ୍ଦ ଘଟଣା ସ୍ୱାଭାବିକ ନଥିଲା । କିଛି ତ ରସହ୍ୟ ଥିଲା ଯାହା ଅନୁସନ୍ଧାନ ସାପେକ୍ଷ । କିନ୍ତ ନିଜ ମତରେ ସରକାର ଅଟଳ ରହିଲେ । କଦବା, କ୍ୱଚିତ୍ ତଦନ୍ତର ଦାବି ଉଠୁଥିଲା, ପୁଣି ଧିମେଇ ବା ଥମିି ଯାଉଥିଲା । ଏମିତି ବି ସମୟ ଥିଲା ଯେବେ ତଦନ୍ତ ଦାବି ସଂପୂର୍ଣ୍ଣ ରୂପେ (ସାମୟିକ) ଉଭେଇ ଗଲା ବା ଶୀତଳ ଭଣ୍ଡାରକୁ ଚାଲିଗଲା ବୋଲି କୁହାଯାଇପାରେ । ଅବଶ୍ୟ ଯେବେ ବି ସୁବାଷ ବୋଷଙ୍କ ବିବାଦୀୟ ଅର୍ନ୍ତଦାନ ବିଷୟ ଉତ୍ଥାପନ ହୁଏ ଶାସ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ଆଲୋଚନା ପରିସରଭୁକ୍ତ ହେଉଥିଲା । ଦୁଇଟି ଘଟଣା ଧିରେ ଧିରେ ପରସ୍ପର ସହିତ ଯୋଡ଼ି ହେଇଗଲେ । ୧୯୭୦ରେ ବୋଷଙ୍କ ସମର୍ଥକମାନେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାରଙ୍କୁ ରାଜି କରେଇବାରେ ସଫଳ ହେଲେ । ଏହା ଶାସ୍ତ୍ରୀଙ୍କ ସମର୍ଥକଙ୍କୁ ପ୍ରୋତ୍ସାହିତ କଲା । ବୋଷଙ୍କ ସମର୍ଥକଙ୍କ ସହ ମିଶି ସେମାନେ ମଧ୍ୟ ଶାସ୍ତ୍ରୀଙ୍କ ମୃତ୍ୟୁର ଅନୁରୂପ ତଦନ୍ତ ସକାଶେ ଜୋରଦାର ପ୍ରୟାସ କଲେ । କିନ୍ତୁ ସବୁ ବିଫଳ ହେଲା । ୧୦୭୦ରୁ ହିଁ, ପ୍ରସଙ୍ଗଟି ଗୁରୁତ୍ୱହୀନ/ଅପ୍ରାସଙ୍ଗିକ ହୋଇଗଲା ।

୨୦୧୮ରେ ଏ ଘଟଣାରେ ଆମେ କାହିଁକି ଆଗ୍ରହୀ ? ୧୯୬୬ରେ ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦ ଉପରେ ପର୍ଯ୍ୟବେସିତ ଏହି ଛୋଟ ପୁସ୍ତକଟି କେଉଁ ଉଦ୍ଧେଶ୍ୟ ସାଧନ କରିବ ? ମୋର ମୂଳ ଉଦ୍ଧେଶ୍ୟ ହେଉଛି ଘଟଣାର ଉଚିତ ପରିସମାପ୍ତି । ଘଟଣାଟିକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେ ସମୟର ସରକାର ଅରାଜି ଥିବା କାରଣରୁ ଆଜି ପର୍ଯ୍ୟନ୍ତ ପ୍ରସଙ୍ଗଟି ବିବାଦୀୟ ରହିଛି । ଶାସ୍ତ୍ରୀଙ୍କ ପରିବାର ସଦସ୍ୟ, ଯେଉଁମାନେ ଆଜି ସୁଦ୍ଧା ଶାସ୍ତ୍ରୀଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବେ ଗ୍ରହଣ କରିପାରିନାହାଁନ୍ତି ଏବଂ ଅନେକ ବ୍ୟକ୍ତିବିଶେଷ ମଧ୍ୟ ଘଟଣାର ଯତୋଚିତ୍ ପରିସମାପ୍ତି କାମନା କରନ୍ତି ।

୧୯୬୬ର କାଳ ରାତ୍ରୀର ସ୍ମରଣ ମାତ୍ରେ ହିଁ ଶାସ୍ତ୍ରୀଙ୍କ ଦୁଇ ପୁତ୍ରଙ୍କ ଆଖି ଆଜି ବି ଲୁହରେ ଜକେଇ ଆସେ । ଅକସ୍ମାତ୍ ଫୋନ୍‌ରେ ଖବର ଆସେ ତାଙ୍କ ପିତା ଗୁରୁତର ଅସୁସ୍ଥ । ପରବର୍ତ୍ତୀ ୩୦ ମିନିଟ ସେମାନେ ନିଜ ମାତା ଶ୍ରୀମତୀ ଲଲିତା ଶାସ୍ତ୍ରୀଙ୍କ ସହ ଭଗବାନଙ୍କ ନିକଟରେ ଆକୁଳ ପ୍ରାର୍ଥନାମଗ୍ନ ହୁଅନ୍ତି, କିନ୍ତୁ…

ସୁବାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣାରେ ବିବାଦୀୟ ମୃତ୍ୟୁ ପ୍ରସଙ୍ଗରେ ମୁଁ ଅନେକ ପୁସ୍ତକ ରଚନା କରିଥିବା ହେତୁ ଅନେକ ବ୍ୟକ୍ତି ମତେ ଶାସ୍ତ୍ରୀଙ୍କ ଉପରେ ଅନୁରୂପ ପୁସ୍ତକ ରଚନା ପାଇଁ ପ୍ରସ୍ତାବ ଦିଅନ୍ତି । କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ଏ ପ୍ରସ୍ତାବକୁ ଏତେଟା ଗୁରୁତ୍ୱ ଦେଇନଥିଲି । ଏହାର ଦୁଇଟି କାରଣ ଥିଲା । ପ୍ରଥମତଃ ବୋଷଙ୍କ ଘଟଣାରେ ଅନେକ ସରକାରୀ ନଥିପତ୍ର ଥିଲାବେଳେ ଶାସ୍ତ୍ରୀଙ୍କ ମୃତ୍ୟୁ ବିଷୟରେ ସେଭଳି କିଛି ଦସ୍ତାବିଜର ଅଭାବ । ଶାସ୍ତ୍ରୀଙ୍କ କ୍ଷେତ୍ରରେ ସୂଚନା ଅଧିକାର ଆଇନ ବଳରେ ସର୍ବ ପ୍ରଥମେ ମୁଁ ହିଁ ନିବେଦନ କରିଥିଲି ଓ ଯେଉଁ ତଥ୍ୟ ପ୍ରାପ୍ତ ହେଲା ତାହା କେବଳ ପ୍ରବନ୍ଧ ଓ ଖବର ରଚନାପାଇଁ ପ୍ରେରିତ କରିବାକୁ ପର୍ଯ୍ୟାପ୍ତ ଥିଲା । ଉଭୟ ବିଷୟରେ ଲୋକେ ସମସ୍ୱରରେ ଆଲୋଚନା କରୁଥିଲେ ବି ଦୁହିଁଙ୍କ ପ୍ରସଙ୍ଗ ପରସ୍ପରଠାରୁ ଭିନ୍ନ ଥିଲା । ବୋଷଙ୍କ କ୍ଷେତ୍ରରେ ସରକାରୀ ତର୍କ/ ବିବୃତି କୁ ବିରୋଧ କରୁଥିବା ଲୋକେ ଦାବୀ କରୁଥିଲେ ଯେ ସେ ଜୀବିତ ଅଛନ୍ତି । ଅପରପକ୍ଷରେ ଶାସ୍ତ୍ରୀଙ୍କର ତ ତାସକନ୍ଦରେ ହିଁ ମୃତ୍ୟୁ ହୋଇଯାଇଥିଲା ଓ ଏହା ପ୍ରମାଣିତ । ତେଣୁ ଶାସ୍ତ୍ରୀଙ୍କ ଅପେକ୍ଷା ବୋଷଙ୍କ ବିଷୟରେ ଅନେକ ଅନୁସନ୍ଧାନର ଅବକାଶ ରହିଥିଲା । ଶାସ୍ତ୍ରୀଙ୍କ କ୍ଷେତ୍ରରେ କେବଳ ନିଶ୍ଚିତ ହେବାର ଥିଲା ଯେ ସେ ସ୍ୱାଭାବିକ ମୃତ୍ୟୁ ପ୍ରାପ୍ତ ହୋଇଛନ୍ତି । ପର୍ଯ୍ୟାପ୍ତ ନଥିପତ୍ରରୂପକ ତଥ୍ୟର ଅଭାବ ଯୋଗୁଁ ଶାସ୍ତ୍ରୀଙ୍କ ସଂନ୍ଦେହଜନକ ମୃତ୍ୟୁ, ସରକାରଙ୍କ ଆଚରଣ ଓ ଉପଯୁକ୍ତ ତଦନ୍ତ ଦାବିରେ ବିରୋଧୀଙ୍କ ସମସ୍ତ ପ୍ରଚେଷ୍ଟା, ଗଣମାଧ୍ୟମର ଭୂମିକା ଆଦିର ଏକ ସଂକ୍ଷିପ୍ତ କିନ୍ତୁ ବିସ୍ତୃତ ଓ ଯୁକ୍ତିଯୁକ୍ତ ପୁସ୍ତକ ରଚନା କରିବା କାଠିକର କାର୍ଯ୍ୟ ।

ଦ୍ୱିତୀୟ କାରଣଟି ହେଲା, କେବଳ ଜାତୀୟ ନେତାଙ୍କ ବିବାଦୀୟ ମୃତ୍ୟୁ ଉପରେ ପୁସ୍ତକ ରଚନା କରୁଥିବା ଲେଖକ ଭାବେ ପରିଚିତ ହେବାକୁ ମୁଁ ଚାହୁଁନଥିଲି । ଅବଶ୍ୟ ମୋର ଉଦ୍ଧେଶ୍ୟ ବର୍ଷ ବର୍ଷ ଧରି ଦୋଦୁଲ୍ୟମାନ ସ୍ଥିତିରେ ଥିବା ଏଭଳି ଜଟିଳ ପ୍ରସଙ୍ଗ ସବୁର ସ୍ଥାୟୀ ସମାଧାନ । ଶାସ୍ତ୍ରୀଙ୍କ ଘଟଣା ପରିପ୍ରେକ୍ଷୀରେ ମୁଁ ଅନେକ ପ୍ରବନ୍ଧ ରଚନା କରିଛି ଓ ସେସବୁ ବିଶେଷ ପାଠକୀୟ ଆଦୃତି ଲାଭ କରିଛି । କିନ୍ତୁ ଏହା ଉପରେ ପୁସ୍ତକ ରଚନା କରିବା କଥାକୁ ମୁଁ ଏହି ବର୍ଷ ହିଁ ଗମ୍ଭୀରତାର ଚିନ୍ତା କଲି ।

କିଛି ମାସ ପୂର୍ବେ ଦିଲ୍ଲୀର ଏକ ହୋଟେଲରେ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଅବସରରେ ଶାସ୍ତ୍ରୀଙ୍କ ମାମଲାରେ ପୁସ୍ତକ ଲେଖିବାକୁ ମନସ୍ଥ କଲି । ‘ତାସକନ୍ଦ ଫାଇଲସ୍‌” ନାମକ ଏକ ଚିତ୍ର ର୍ନିମାଣ ପରିପ୍ରେକ୍ଷୀରେ ଅଗ୍ନିହୋତ୍ରୀଙ୍କୁ ମୁଁ ଅନେକ ଗବେଷଣାଲବଧ୍ ତଥ୍ୟ ଓ ସୂଚନା ଯୋଗାଇଥିଲି । ମୋର ସମସ୍ତ ସଂଶୟକୁ ଦମନ କରି ମୁଁ ଏକ ପୁସ୍ତକ ରଚନା କରିବାରେ ମନୋନିବେଶ କଲି । ମୋତେ ଉତ୍ସାହିତ କରୁଥିଲା ‘ତାସ୍‌କେଣ୍ଟ୍‌ ଫାଇଲ୍‌ସ’ର ନିର୍ମାଣ ପ୍ରକ୍ରିୟା । ମୁଁ ଆଶା କରୁଥିଲି ଏହି ଚିତ୍ର ପ୍ରଦର୍ଶନ ନିଶ୍ଚୟ ଶାସ୍ତ୍ରୀଙ୍କ ଦୁଃଖଦ ମୃତ୍ୟୁ ଭଳି ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଜନମାନସରେ ପୁନଃଜାଗ୍ରତ କରିବ ଓ ଏହାର ଅନ୍ତିମ ସମାଧାନ ପାଇଁ ଦ୍ୱାର ଉନ୍ମୁକ୍ତ ହେବ ।

-: ତା’ପରେ :-

Anuj Dhar

ସଂକ୍ଷିପ୍ତରେ ଶ୍ରୀ ଅନୁଜ ଧର

ପୂର୍ବତନ ସାମ୍ବାଦିକ (ହିନ୍ଦୁସ୍ଥାନ ଟାଇମସ୍ ଓ ଏନ୍‌ଟିଭି), ଗବେଷକ ଓ ‘ମିଶନ ନେତାଜୀ’ ନାମକ ଏକ ସଂସ୍ଥାର ସଂସ୍ଥାପକ, ଅନୁଜ ଧରଙ୍କ ନୂତନ ପୁସ୍ତକ(୨୦୧୮) ‘ୟୋର ପ୍ରାଇମିନିଷ୍ଟର ଇଜ୍ ଡେଡ୍‌’ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆକସ୍ମିକ ଓ ସଗ୍ଧିନ୍ଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଠିଥିବା ରାଜନୈତିକ ଝଡ଼ ଓ ବିବାଦ ଉପରେ ପର୍ଯବେସିତ । ତାଙ୍କ ରଚିତ ଅନ୍ୟ ଚର୍ଚ୍ଚିତ ଓ ବିଶେଷ ଆଦୃତ ପୁସ୍ତକ ହେଲା – ‘ଇଣ୍ଡିଆଜ୍ ବିଗେଷ୍ଟ କଭର ଅପ’ (୨୦୧୨) ଯେଉଁଥିରେ ସୁବାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ମୃତ୍ୟୁ ଓ ତତ୍ପରବର୍ତ୍ତୀ ତାଙ୍କ ଜୀବିତ ଥିବା ଘେନି ଲାଗି ରହିଥିବା ସଂଶୟ ଓ ବିବାଦର ଚମତ୍କାର ଉପସ୍ଥାପନା ଦେଖିବାକୁ ମିଳେ । ଏହି ପୁସ୍ତକ ମଧ୍ୟ ବୋଷ : ଡେଡ୍/ ଏଲାଇଭ୍ ଶୀର୍ଷକ ଏକ ୱେବ୍ ସିରିଜ (ଇଣ୍ଟରନେଟରେ ପ୍ରସାରିତ ଧାରାବାହିକ)ର ପ୍ରସ୍ତୁତି ପାଇଁ ପ୍ରେରଣାର ଉତ୍ସ ଥିଲା । ତାଙ୍କ ଦ୍ୱାରା ଲିଖିତ ଅନ୍ୟ କିଛି ପୁସ୍ତକ ମଧ୍ୟରେ ‘ହ୍ୱାଟ୍‌ ହାପେନଡ୍‌ ଟୁ ନେତାଜୀ’ ଓ ‘ବ୍ୟାକ୍ ଫ୍ରମ୍ ଡେଡ୍‌ : ଇନସାଇଡ଼ ଦ ସୁବାଷ ବୋଷ ମିଷ୍ଟ୍ରି’, ‘କୋନୁନ୍‌ଡ୍ରମ୍‌’ ଅନ୍ୟତମ ।

ଲୋକପ୍ରିୟ ଲେଖା

To Top