ଗଳ୍ପ

ଦଧୀଚି

Prakash Behera's odia story Dadhichi

ସେ କିନ୍ତୁ କିଂକର୍ତ୍ତବ୍ୟବିମୂଢ଼ । ସେ ନିଜେ ପରିବାର ପାଇଁ ଯେତିକି ଅଦରକାରୀ ହୋଇପଡ଼ିନି, ତା’ଠୁ ବେଶି ଅଲୋଡ଼ା ହେଇ ପଡ଼ିଛନ୍ତି ତା’ ଫାଇଲ୍ ଭିତରେ ଥିବା ନିଜ ସାର୍ଟିଫିକେଟ୍ ସବୁ ।

ଦଧୀଚି

ରାକେଶ କିନ୍ତୁ ଶେଷରେ ଠିକ୍ କଲା ଆଉ ଘରକୁ ନ ଫେରିବାକୁ । କ’ଣ ପାଇଁ ବା ସେ ଘରକୁ ଫେରିବ ? ଫେରିଲେ ବି କେମିତି ସେ ଘରେ ମୁହଁ ଦେଖେଇବ ? କୋଉ ସରାଗରେ ? ଯେତେବେଳେ ଘରେ ସମସ୍ତେ ଛୋଟ ବଡ଼ ଆଶା ନେଇ ତା’ ଫେରିବା ବାଟକୁ ଚାହିଁ ବସିଥିବେ, ସେତେବେଳେ ସେ ସେଇଠି କେମିତି ନିରାଶାର ପାଦ ଯୋଡ଼ାକ ଥାପିବ ? ବରଂ ତା’ ଅପେକ୍ଷା. . . ! ନା, ତା’ ସେ କରିପାରିବନି । ଭୟ ଲାଗୁଛି ବୋଲି ନୁହଁ, ବରଂ ଯେତେ ଥର ନିଜକୁ ନିଜେ ମାରିଦେବା କଥା ଭାବୁଛି, ସେତେଥର ତା’ ବିବେକ ଆସି ତା’ ଛାତି ଉପରେ ବସି ପଡୁଛି । କ୍ରମାଗତ ଭାବେ ତା’ ସ୍ନାୟୁତନ୍ତ୍ରୀଗୁଡ଼ିକୁ ଖିନ୍‌ଭିନ୍ କରି ପକଉଛି । ଏତେ ଗୁଡ଼ା ପାଠ ପଢ଼ିଛି । ନା, ସେ ଏତେ ବଡ଼ ପାପ ଅର୍ଜି ପାରିବନି । ତା’ହେଲେ ନିଖୋଜ ହେଇଯିବ କି ଆଉ ! ଯଦି ସେ ମୂର୍ଖଟାଏ ହେଇଥାନ୍ତା ବା ତା’ର ବୁଦ୍ଧି ବିବେକ ବୋଲି ହିତାହିତ ଜ୍ଞାନ କିଛି ନ ଥାନ୍ତା, ତେବେ ସେ ସେଇ ମୁହୂର୍ତ୍ତରେ ବ୍ୟାଗ୍‌ଟା କାନ୍ଧରେ ପକାଇ ଚଟାପଟ୍ କୋଉ ଟ୍ରେନ୍ ଚଢ଼ି ଦିଲ୍ଲୀ କି ହରିୟାଣା ପଳେଇ ଯାଇଥାନ୍ତା । ଅଥଚ ତା’ର ପରବର୍ତ୍ତୀ ଭାବନା ତା’ ପାଇଁ ଗୋଟେ ସମାଧାନର ରାସ୍ତା ଖୋଲି ଦେଲା ଯେ ସେ ଏମିତି ଅଜଣା ଅଶୁଣା ଭାବେ ଏ ଦୁନିଆଁରେ କୋଉଠି ରହିପାରିବନି !

କିଛିଦିନ ବା କିଛିମାସ ଅପେକ୍ଷା କରିବା ଘରେ ଅଭାବିକୁ ନେଇ ହନ୍ତସନ୍ତ ହେଉଥିବା ପରିବାରଟି ନିଶ୍ଚେ ଖବରକାଗଜରେ ତା’ ଫଟୋ ସହ ଅବିକଳ ସେ ଚିହ୍ନା ପଡ଼ିବା ପାଇଁ ତା’ ସମ୍ୱନ୍ଧୀୟ କିଛି ପରିଚୟ ତଥ୍ୟ ଦେବେ । ଦିନେ ନା ଦିନେ କେହି ନା କେହି ତା ସହିତ ଏଇ ସବୁ ସୂଚନା ମେଳ ଖାଉଥିବା ଦେଖି ତା’ ଘରକୁ ଖବର ଦେବେ ବା ତାକୁ ନେଇ ତା’ ଘରେ ପହଞ୍ଚାଇ ଦେବେ । ହେଲେ ସେ ଏଇ ପୃଥିବୀରେ ଗଛ, ଲତା, ପାଣି, ପବନ ପରି ଜୀବନ ନେଇ ବଞ୍ଚିଥିବ । ଅଥଚ ତା’ ବଞ୍ଚିବାକୁ ପାଥେୟ କରି ତାକୁ ଚାହିଁ ରହିଥିବା ତା’ ବାପା, ବୋଉ, ଜେଜେ ଓ ସାରା ପରିବାର ତାକୁ ଭାବି ଭାବି ସନ୍ତୁଳି ହେଇ ନିଃଶେଷ ହେଇଯିବେ, ଏକଥା ଭାବିଲା ବେଳକୁ ଆପାତତଃ ମନକୁ ସ୍ଥିର କରିନେଲା ଯେ ସେ ଏମିତି ଅବିଜ୍ଞାପିତ ଭାବେ କୁଆଡ଼େ ପଳାଇ ଯିବନି ।

ତେବେ ସେ କରିବ କ’ଣ ? ଚୋରି, ଡକାୟତି, ଲୁଟ୍ ନା କିଛି ବ୍ୟବସାୟ. . . ! ଏଗୁଡ଼ା କିଛି ବି ସେ କରିପାରିବନି । କାରଣ ଚୋରି କି ଡକାୟତି ପାଇଁ ତା’ ବିବେକ ତାକୁ ସାଥ ଦେବ ନାହିଁ ବା ବ୍ୟବସାୟ ପାଇଁ ତା ପାଖରେ ଯଥେଷ୍ଟ ସମ୍ୱଳ ନାହିଁ ।

ଅଥଚ ତା’ ସାମ୍ନାରେ ଏବେ ଛିଡ଼ା ହେଇଛି ବିରାଟ ଏକ ପ୍ରଶ୍ନବାଚୀ ! ନିଜେ ବଞ୍ଚିବାର ରାହା ଓ ଅନ୍ୟମାନଙ୍କୁ ବେଞ୍ଚଇବାର ଭରସା । ସେ କିନ୍ତୁ କିଂକର୍ତ୍ତବ୍ୟବିମୂଢ଼ । ସେ ନିଜେ ପରିବାର ପାଇଁ ଯେତିକି ଅଦରକାରୀ ହୋଇପଡ଼ିନି, ତା’ଠୁ ବେଶି ଅଲୋଡ଼ା ହେଇ ପଡ଼ିଛନ୍ତି ତା’ ଫାଇଲ୍ ଭିତରେ ଥିବା ନିଜ ସାର୍ଟିଫିକେଟ୍ ସବୁ ।

ଏଇତକ କମେଇବା ପାଇଁ ତା’ ବାପାଙ୍କୁ କେତେ ମେହନତି କରିବାକୁ ପଡ଼ିନି । ଦୁଇ ପୁଅ ତିନି ଝିଅରେ ସେ ଭଲ ପଢୁଥିଲା ବୋଲି ବାପା ତାକୁ କାମରେ ଲଗେଇଲେନି । ନିଜର ଜମିବାଡ଼ି କିଛି ନଥିଲା ବୋଲି ସେ ପରଘରେ ମୂଲ ଲାଗିଛନ୍ତି । ଗୋତି ଖଟିଛନ୍ତି । ହେଲେ ପିଲାଗୁଡ଼ାଙ୍କୁ ମଣିଷ ପରି ମଣିଷଟିଏ କରିବା ପଣରୁ ସେ କେବେ ଓହରି ଯାଇନାହାନ୍ତି । କେବଳ ବାପା କାହିଁକି, ବୋଉ ବି ଘରକାମ ଛଡ଼ା ପର ଘରେ ପାଇଟି କରି ବାପାଙ୍କର ସେଇ ପଣକୁ ସାକାର କରିବାକୁ ସବୁ ମତେ ଚେଷ୍ଟା କରିଛି । ହେଲେ ସେଇ ସବୁ ପରିଶ୍ରମ ଓ ଉଦ୍ୟମର ଫଳ ଆଜି ବିଭୀଷିକା ଛଡ଼ା ଆଉ କିଛି ହୋଇ ରହିନାହିଁ ।

ନା, ଆଉ ଶୋଇ ହବନି । ବସ୍‌ଷ୍ଟାଣ୍ଡ୍‌ର ସିମେଣ୍ଟ୍ ବେଞ୍ଚ୍ ଉପରେ ଗଡୁଥିବା ରାକେଶ କଡ଼ ଲେଉଟାଇଲା । ସାମ୍ନା ପାନ ଦୋକାନ ଭିତର କାନ୍ଥ ଘଣ୍ଟାକୁ ଆଖି ପକାଇଲା । ରାତି ଏଗାରଟା ପନ୍ଦର । ଡିସେମ୍ୱରର କୁହୁଡ଼ି ଧୀରେ ଧୀରେ ଜୋର୍ ଧରୁଥିଲା । ରାତି ଅଧିକ ହେବା ସାଙ୍ଗକୁ ଶୀତ ବି ବେଶ୍ ମାଡ଼ି ମାଡ଼ି ପଡୁଥିଲା । ଘୋଡ଼ି ହୋଇଥିବା ଚଦରକୁ ସେ ବେକ ପର୍ଯ୍ୟନ୍ତ ଟାଣି ଆଣିଲା ଓ ଜାକିଜୁକି ହୋଇ ଫାଇଲ୍‌ଟିକୁ ମୁଣ୍ଡ ତଳେ ଦେଇ ସେମିତି ଅନ୍‌ଛା କରି ପଡ଼ିରହିଲା ।

ରାକେଶ ଆସି ସକାଳୁ ସକାଳୁ ଘର ଛାଡ଼ିଥିଲା । ଘରଠୁ ଚାରିଘଣ୍ଟାର ବସ୍ ବାଟ ପରେ ସହରକୁ ପୋଲିସ୍ ସର୍ଜେଣ୍ଟ୍ ଚାକିରୀ ପାଇଁ ଆସିଥିଲା । ପ୍ରିଲିମିନାରୀ ଟେଷ୍ଟ୍ କ୍ୱାଲିଫାଏ କରିଥିଲେ ବି ଅତର୍କିତ ଭାବେ ତା’ ହାତରୁ ଏଇ ଚାକିରୀଟା ଚାଲି ଯାଇଥିଲା । ଯେତେବେଳେ ଫିଜିକାଲ୍ ଟେଷ୍ଟ୍‌ରେ ତା’ ଡାହାଣ ଆଣ୍ଠୁ ତଳକୁ କେତେଗୁଡ଼ାଏ ଶିରା ଛନ୍ଦି ହେଇ ଜମାଟ ବାନ୍ଧିଥିବା ଯୋଗୁଁ ତାଙ୍କୁ ରିଜେକ୍ଟ କରାଗଲା, ସେ ଦୁଃଖ ଓ ହତାଶାରେ ଜର୍ଜରିତ ହୋଇ ଭାବୁଥିଲା ସେ ଡାହାଣ ଗୋଡ଼ଟା ତା’ର ନ ହୋଇଥିଲେ ଭଲ ହୋଇଥାନ୍ତା ।

ହେଲେ କୋଉଟା ଭଲ କୋଉଟା ମନ୍ଦ ସେ କଥା ବିଚାର କରିବା ତା’ର ସାଧ୍ୟାତୀତ ଥିଲା । ଭଲ-ମନ୍ଦ ଭିତରେ ଫରକ୍ ପରଖିବା ବେଳକୁ ତା’ର ଶ୍ରୀଧର ଦାଦାଙ୍କ କଥା ମନେପଡୁଥିଲା । ପାଠ ଭଲ ହେଉଥିଲେ ବି ବାପା ନିଜ ଭବିଷ୍ୟତକୁ ପଛ କରି ଶ୍ରୀଧର ଦାଦାଙ୍କୁ ପଢାଇଥିଲେ । କାରଣ ଦି’ଭାଇଙ୍କ ପଢ଼ାଖର୍ଚ୍ଚ ତୁଲାଇବାକୁ ତାଙ୍କ ବାପା ଅସମର୍ଥ ହେବେ ବୋଲି ଜାଣିଥିଲେ । ଶ୍ରୀଧର ଦାଦା ଯେନତେନ ପ୍ରକାରେଣ ଏକାଦଶ ପାସ୍ କରିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଅମିନ ଚାକିରୀ ଖଣ୍ଡେ ମିଳି ଯାଇଥିଲା ।

ଶ୍ରୀଧର ଦାଦାଙ୍କ ଚାକିରୀ ମିଳିବା ଦିନ ବେଶି ଖୁସି ହୋଇଯାଇଥିଲେ ରାକେଶର ବାପା ଓ ଜେଜେ ବାପା । ଯାହାହେଉ ଘରର ଦୁଃଖ ଘୁଞ୍ଚିଗଲା ଜାଣ । କିନ୍ତୁ ସେଇ ଖୁସି ବେଶି ଦିନ ରହିଲା ନାହିଁ । ଯେଉଁ ଖୁସି ଶ୍ରୀଧର ଦାଦାଙ୍କ ଚାକିରୀ ସହ ତାଙ୍କ ଘରକୁ ଆସିଥିଲା, ସେଇ ଖୁସି ତାଙ୍କ ବାହାଘରର କେତୋଟି ମାସ ପରେ ଆପେ ଆପେ ଶୀତ କୁହୁଡ଼ି ପରି ଫେରି ଯାଇଥିଲା ।

ସାରା ଦିନର କ୍ଳାନ୍ତି ଆଉ ଅବସାଦ ପରେ ରାକେଶ ଆଉ କିଛି ନ ଭାବି ଶୋଇଯିବାକୁ ଚାହୁଁଥିଲା । ହେଲେ ଶୋଇବ କ’ଣ, ଘଡ଼ିଏ ବି ଇଚ୍ଛା କରି ଆଖି ମୁଦି ପାରୁନଥିଲା । ଆଜି ଦିନର ବିଫଳତା ସହ ଘରର ବିପର୍ଯ୍ୟୟ ତାକୁ ଖୁବ୍ କରୁଣ ମନେ ହେଉଥିଲା । ସେଇ ବିପର୍ଯ୍ୟୟର କାରଣ ଖୋଜୁ ଖୋଜୁ ସେ ଖୁଡ଼ୀଙ୍କୁ ଯେତିକି ଦାୟୀ କରୁନଥିଲା, ଦାଦାଙ୍କୁ ତତୋଧିକ ଦୋଷୀ ବୋଲି ଭାବୁଥିଲା । କାରଣ ଖୁଡ଼ୀଙ୍କର ଯେତେ ସବୁ ଷଡ଼ଯନ୍ତ୍ରକୁ ଦାଦା ଜଣେ ପୁରୁଷ ହିସାବରେ ନୁହେଁ, ଘରର ଜଣେ ଦାୟିତ୍ୱବାନ୍ ପୁଅ ଭାବରେ ବି ବିରୋଧ କରିନଥିଲେ । ବରଂ ଗୋଟେ ଚାବିଦିଆ କଣ୍ଢେଇ ଭଳି ଖୁଡ଼ୀଙ୍କର ପ୍ରତିଟି ଆଦେଶର ସେ ଏକାନ୍ତ ଅନୁଗତ ପାଲଟି ଯାଇଥିଲେ ।

ଖୁଡ଼ୀ ଗୋଟେ ମହାଜନି ପରିବାରରୁ ଆସିଥିଲେ । ଆସୁ ଆସୁ ତାଙ୍କ ହୁକୁମାତିରେ ସେ ସାରା ପରିବାରକୁ ରଖିବାକୁ ଚାହିଁଲେ । ଘରର ସବୁ ଖର୍ଚ୍ଚ ତାଙ୍କ ହାତଟେକାକୁ ଅନେଇ ରହୁଥିଲା । ଖୁବ୍ ଭାଙ୍ଗି ପଡ଼ିଥିଲା ବୋଉ । ଆଉ କିଛି ଉପାୟ ନଥିଲା । ତାଙ୍କ ପରାମର୍ଶ ନ ମାନି ଜେଜେ ଚାକିରୀଆ ପୁଅ ପାଇଁ ଖାନଦାନି କନିଆଁଟେ ବୋହୂ କରି ନେଇ ଆସିଲେ ଯେ ଖାଲି ନାକରେ କାନରେ କାନ୍ଦିବା ସାର ହେଲା ।

ଖୁଡ଼ୀଙ୍କ ମନ ତଥାପି ତାଙ୍କର ଏଇ ଛୋଟ ଜମିଦାରୀ ହୁକୁମାତିରେ ସନ୍ତୁଷ୍ଟ ନଥିଲା । ସବୁବେଳେ ଗରଗର ହେଉଥିଲେ ବୋଉ ଓ ବାପାଙ୍କ ଉପରେ । “ପୋଷି ନ ପାରିବ ଯଦି ପଲେ ଛୁଆ କାହିଁକି ଜନମ କରୁଥିଲ ?” – ଖୁଡ଼ୀଙ୍କର ଏଇ କଟୂକ୍ତି ବୋଉର ମନକୁ ସବୁବେଳେ କ୍ଷତାକ୍ତ କରୁଥିଲା । ଏତିକିରେ ଅଟକି ନଥିଲେ ଖୁଡ଼ୀ । ତାଙ୍କ ବାପାଙ୍କୁ କହି ଦାଦାଙ୍କ ଚାକିରୀ ବଦଳାଇ ନେଲେ ସହରକୁ ଓ ସେଠାରେ ରହିଲେ । ତା’ ପରଠୁ ପୂର୍ବର ସେଇ ଦୈନ୍ୟ ତାଙ୍କ ପରିବାରର ଚିର ସାଥୀ ହୋଇ ରହିଗଲା ।

କେବେ ଦିନେ ସେ ଶପଥ କରି ବୋଉ ଆଗରେ କହିଥିଲା, “ତୁ ମନ ଦୁଃଖ କରନା ବୋଉ, ମୁଁ ବହୁତ ପାଠ ପଢ଼ିବି । ଦାଦାଙ୍କ ଠାରୁ ବଡ଼ ଗୋଟେ ଚାକିରୀ କରିବି ଆଉ ଖୁଡ଼ୀଙ୍କୁ ଦେଖେଇ ଦେବି ଆଉ ତାଙ୍କ ଦୟାର ପାତ୍ର ନୋହୁଁ । ତତେ ଆଉ ବାପାଙ୍କୁ ଭଲରେ ରଖିବି । ରୋଜି ନାନୀ ଓ ଲିପିକୁ ଭଲ ଜାଗାରେ ବାହା ଦେବି । ରଞ୍ଜନ ଓ ଲିତା ଯେତେ ଆଗକୁ ପଢ଼ିବେ, ସେତେ ପଇସା ତାଙ୍କୁ ଯୋଗେଇବି । ଖାଲି ତୁ ମତେ ଟିକେ ଆଶୀର୍ବାଦ କରୁଥା । ମୋ ପାଇଁ ଠାକୁରଙ୍କୁ ଡାକୁଥା’ ।”

ହେଲେ ସେ ଏବେ ଅନୁଭବ କରୁଛି ସେଇ ସ୍ୱପ୍ନ, ସେଇ ଅଭିଳାଷ ଯେମିତି ତା’ ଚାରି ପାଖରେ କୁହୁଡ଼ି ଭଳି ଦୁର୍ବଳ ହୋଇଯାଇଛି । ଆଉ ତା’ର ଆସ୍ତରଣ ଏତେ ପତଳା ଯେ ତାକୁ ନେଇ ବଡ଼ ଆଶାଟେ ବାନ୍ଧି ହେବ ନାହିଁ ।

ଗାଁ ପାଖ କଲେଜରୁ ରାକେଶ ବି.ଏ. ପାସ୍ କରିଥିଲା । ଆଗକୁ ପଢ଼ିବାର ଝୁଙ୍କ୍ ପରିବାରର ଅସାମର୍ଥ୍ୟ ପାଖରେ ହାର୍ ମାନିବାରୁ ସେତିକିରେ ଯାହା ଚାକିରୀ ଯୋଗାଡ଼ ହେଇପାରିବ, ସେଇ ଅନୁସନ୍ଧାନରେ ରହିଲା । ହେଲେ ଆଜିର ସମୟରେ ଯୋଉଠି ମାଳ ମାଳ ଗ୍ରାଜୁଏଟ୍ ବୁଲୁଛନ୍ତି, ସେଠି ତା’ ସାର୍ଟିଫିକେଟ୍‌କୁ ପଚାରେ କିଏ ? ତା’ ଛଡ଼ା ଚାକିରୀ ପାଇଁ ଖାଲି ସାର୍ଟିଫିକେଟ୍ ତ ନୁହେଁ, ଆଉ ଅନ୍ୟ କିଛି ଲୋଡ଼ା ଥାଏ ।

– ତା’ପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top