ଗଳ୍ପ

ଜାଜନିକା

Ritika Pattanaik's Odia Story jaajanika

ସେ ଦିନ ତା ହାତରୁ ଚିନୁର ଦାମିକା ତେଲ ବୋତଲ ହାତରୁ ଖସି ପଡ଼ି ଭାଙ୍ଗିଗଲା । ମାଡାମ୍‌ଙ୍କ ମା’ କେତେ କ’ଣ କହି ଗାଳି ଦେଲେ । କିନ୍ତୁ ମାଡାମ୍ ତା ସପକ୍ଷରେ କହିଲେ ।

ଜାଜନିକା

ତା’ର ସ୍ଥିର ଅପଳକ ଶୂନ୍ୟ ଦୃଷ୍ଟି ଫାଟକ ସେପାଖ ଦୀର୍ଘ ରାସ୍ତାରେ ଲାଖିରହିଥିଲା । ଚାରିଟି ଦେବଦାରୁ ଗଛ ମଧ୍ୟର ଫାଙ୍କ ଦେଇ ରାସ୍ତାରେ ଚଳପ୍ରଚଳ ହେଉଥିବା ଲୋକେ, ଯାନବାହାନ ଆଦି ଦୃଶ୍ୟ ହେଉଥିଲେ; ମେ’ ମାସର ପ୍ରଖର ରଶ୍ମୀ କ୍ରମଶଃ ମଉଳି ଯାଉଥିଲା । ଶୀତଳ ପବନ ଧଲ୍କାଏ ତାକୁ ଛୁଇଁଗଲା । ବର୍ଷା ହେବ ବୋଧହୁଏ । ପୁଣି ଚଳଚଞ୍ଚଳ ହେଇଉଠୁଥିଲା ନିର୍ଜନ ଉଦାସୀ ଅପରାହ୍ନ; ତା’ର ଏକାକୀତ୍ୱ ବି ଦୂରେଇଯାଉଥିଲା, ସେ ଟିକେ ହାଲକା ଅନୁଭବ କରୁଥିଲା । ଏହି ସ୍ପନ୍ଦିତ ରାସ୍ତାକୁ ଅନେଇ ଅନେଇ ତା’ର ନିଃସଙ୍ଗତା ଦୂରେଇ ଦିଏ; ଏମିତି କେବେ ସେ ଅଙ୍କାବଙ୍କା ଗାଁ ରାସ୍ତାକୁ ଅନେଇ ବସୁଥିଲା ମାମୁଘର ବାରଣ୍ଡାରେ । ବାପାଙ୍କ ବାଟ ଚାହିଁ ।

ସେ ଗୋଟିଏ ଦିଆସିଲି କାଠି ଜଲାଇଲା । ପୁରୁଣା ଖବରକାଗଜର ଏକ ଫର୍ଦ୍ଧକୁ ଚିରି ଜଳୁଥିବା ଦିଆସିଲି କାଠିରେ ଲଗେଇଦେଲା । କାଗଜଟି ଅଧା ଜଳିଗଲା ପରେ ସେ ହଠାତ୍ ନିଆଁ ଲିଭାଇଦେଲା । ଆଉ ଗୋଟିଏ ଟୁକୁଡ଼ା କାଗଜ ଜଲାଇବା ପାଇଁ ଉଦ୍ୟମ କରୁଥିଲା କି…କଲିଂ ବେଲର ଧ୍ୱନିରେ ସେ ଚମକି ପଡ଼ିଲା । ଏବେ କିଏ ଆସିଲା ? କିଛି ଅଘଟଣ ଘଟିଲା କି? ଅତି ଉତ୍ସୁକତାର ସହ ନିଜ ସୁନ୍ଦର ଲମ୍ବା କେଶକୁ ଉଠାଇ ଆଣି ଏକ ବ୍ୟାକ କ୍ଳିପ୍ ସାହାଯ୍ୟରେ ଖୋସାଟିଏ କରିଦେଲା । ଦୁଆର ପାଖରେ ପହଞ୍ଚି କି-ହୋଲ ଦେଇ ଦେଖିଲା । ମାଡାମ୍‌ଙ୍କ କଡ଼ା ତାଗିଦ ଅଜଣା ଲୋକଙ୍କୁ ଦୁଆର ଖୋଲିବ ନାହିଁ । ଓଃ! ବଣ୍ଟି ଭାଇ…ସାରଙ୍କ ଫର୍ନିଚର ଦୋକାନର ସେଲସ୍‌ମ୍ୟାନ । ଏକ ଜରୁରୀ ଫାଇଲ ପାଇଁ ଆସିଥିଲା । ତା ମନ ଟିକେ ଦବି ଗଲା; ଷ୍ଟଡ଼ି ରୁମକୁ ଯାଇ ଏକ ନାଲି ଫୋଲଡର ବଣ୍ଟି ହାତକୁ ବଢାଇ ଦେଲା ।

ନିଜ ଉପରେ ଭୀଷଣ କ୍ରୋଧ ଆସିଲା; କାହିଁକି କେଜାଣି ଏମିତି ‘ଅଶୁଭ’ ଅଜଣା, ଆଶଙ୍କା ତାକୁ ଗ୍ରାସ କରେ? ସେ କ’ଣ ଇଚ୍ଛା କରେ ତା’ କଳ୍ପନା ସହ ତାଳ ଦେଇ କିଛି ‘ଅଘଟଣ’ ଘଟିଯାଉ? ସେ ଅସ୍ଥିର ଚିତ୍ତରେ ଘରସାରା ପଦଚାରଣା କରିବାକୁ ଲାଗିଲା ।

-ଓଃ! ମାଡାମ୍‌ତ ଆଜି ମାଷ୍ଟର ବେଡ଼ ରୁମର ତାଲା ପକାଇବାକୁ ଭୁଲିଯାଇଛନ୍ତି । ସେ ଦୁଆର ବନ୍ଦ କରିବା ଉଦ୍ଧେଶ୍ୟରେ ଗଲା ତ ଏକ ସମ୍ନୋହନର ଡୋରରେ ଟାଣିହେଇ ବେଡ଼ରୁମ ଭିତରେ ପଶିଗଲା । ଏମିତି ବି ସେ ବହୁତ ଥର ଏ ରୁମକୁ ଆସିଛି । କିନ୍ତୁ ଲଜ୍ଜା ହେଉ ବା ସଂକୋଚ ସେ କେବେ ଚାରି ଆଡ଼କୁ ଅନାଏ ନାହିଁ । ଯେଉଁ କାମ ପାଇଁ ଯାଇଥାଏ ସେ କାମ ଶେଷ କରି ଜଲଦି ଜଲଦି ବାହାରି ଆସେ ।

-ଆଃ! କି ସୁନ୍ଦର ସଜା ହେଇଛି । ସବୁ ଚିକ୍ ଚି୍କ । ଚିନୁର କାନ୍ଦ ଶୁଣି ସେ ବାହାରକୁ ଆସି ତାକୁ କୋଳକୁ ଉଠାଇ ନେଲା ଓ ପୁଣି ବେଡ଼ରୁମ ଭିତରକୁ ଯାଇ ସାଜସଜ୍ଜାକୁ ନୀରିକ୍ଷଣ କଲା ।

ଏମିତି ନୁହେଁ ଯେ ସେ ପ୍ରାଚୁର୍ଯ୍ୟକୁ ପାଖରୁ ଦେଖିନାହିଁ । ଦିଲ୍ଲୀର ସେ ଗୁଜୁରାଟି ପରିବାରର ଆଡ଼ମ୍ବର ତ ଆଖି ଝଳସାଇ ଦେଲା ଭଳି । କିନ୍ତୁ ସେ ସବୁକୁ ଦେଖେ ଦୂରରୁ । ଏକ ଆଗନ୍ତୁକର କୌତୁହଳୀରେ । ଆତ୍ମୀୟତାର ଅନୁଭବ ହିଁ କେବେ ନଥିଲା ସେ ପରିବାର ପ୍ରତି । କିନ୍ତୁ ଏଠିକା ପରିବେଶ ତାକୁ ବହୁତ ଆପଣାର ଲାଗୁଛି ।

ଡ୍ରେସିଂ ଟେବୁଲ ଉପରେ ଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ତା’ର ନଜର ଅଟକିଗଲା । “କେତେ ଦାମିକା ଏ ସବୁ !” ସେ ଗୋଟିଏ ସାମ୍ପୁ ବୋତଲ ଉଠାଇଲା । ଚାରିଶହ ଟଙ୍କା! “ମୁଁ ତ ଟଙ୍କିକିଆ ସାମ୍ପୁରେ ବ୍ୟବହାର କରି ମୋର କେଶ ଏତେ ସୁନ୍ଦର ।” ତା’ ଓଠ ଧାରରେ ଖେଳିଗଲା ଏକ ଫିକା ସ୍ମିତ । ଟିଭିରେ ବିଭିନ୍ନ ବିଜ୍ଞାପନ ଦେଖି ତା’ର ବି ଇଛା ହୁଏ ସେ ଏସବୁ କିଣିପାରନ୍ତା କି ? କିନ୍ତୁ ପରେ ଭାବେ କ’ଣ ଦରକାର ଏତେ ସବୁ ଦାମୀ ଜିନିଷ ? ଭଳିକି ଭଳିକି ତେଲ, ସାମ୍ପୁ ବ୍ୟବହାର କଲେ ହୁଏତ କେଶ ଉପରେ ପ୍ରଭାବ ପଡ଼ିପାରେ । ମାଡ଼ାମ୍‌ଙ୍କର ଛୋଟ ଆଉ ପତଳା କେଶ, ତାକୁ ଘନ କରିବା ପାଇଁ ସେ ଏତେ ଖର୍ଚ୍ଚ କରୁଛନ୍ତି । ମାଡ଼ମ୍ ନିଜେ ବି କେତେ ଥର ତା’ର ସୁନ୍ଦର କେଶର ତାରିଫ୍‌ କରିଛନ୍ତି । ବୋଉର ବି ଏମିତି ସୁନ୍ଦର କେଶ ଥିଲା…ଏବେ ବି । ସେ ଘରେ ଥିଲାବେଳେ ତେଲ ଲଗାଇ, ବେଣୀ ପକାଇ ଦିଏ । ଏବେ କିଏ ତା’ର ଯତ୍ନ ନେଉଥିବ ? ସେ ତ ସେମିତି ବି ହୋସ୍‌ରେ ନଥାଏ । ଆଉ ନିଜକୁ ସଜାଇବ କ’ଣ ?

ସେ ନିଜକୁ ଦର୍ପଣରେ ନିରେଖି ଦେଖିଲା । ସେ ସୁନ୍ଦର, ତନୁ ପାତଳୀ, ଶ୍ୟାମଳୀ ତ’ କ’ଣ ହେଲା? କିନ୍ତୁ ପ୍ରୀତି ମାଡ଼ମ୍ ମୋଟି । କାନ୍ଥରେ ଟଙ୍ଗା ହେଇଥିବା ଏକ ଫଟୋ ଫ୍ରେମ୍‌କୁ ସେ କାଢିଲା । “ପୁରୁଣା ଫଟୋ ବୋଧହୁଏ । କେତେ ସୁନ୍ଦର ଫିଗର ଥିଲା । ଚିନୁ ଜନ୍ମ ହେଲା ପରେ ବୋଧେ ଏତେ ମୋଟି ହେଇଯାଇଛନ୍ତି ।” ସେ ଏକ ଗୋଳାପୀ ନେଲ୍‌ପଲିସ୍ ବୋତଲ ଖୋଲିଲା ; ନିଜ ନଖରେ ଲଗାଇବାକୁ ଉଦ୍ୟତ ହେଲା । “ନା ! ଥାଉ, ମାଡ଼ମ୍ ଜାଣିଯିବେ ଯେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଶ୍ୱାସର ଅପବ୍ୟହାର କରୁଛି ।” ସେ ଆଜି ଆଲମିରା ବି ବନ୍ଦ କରିବାକୁ ଭୁଲି ଯାଇଛନ୍ତି । “ଓଃ କେତେ ଶାଢୀ,… ଡ୍ରେସ୍‌ ବି ।” ସେ ନିଜର ପୁରୁଣା, ଫିକା ପଡ଼ିଆସୁଥିବା ସାଲୱାର କମିଜକୁ ଦେଖିଲା । କେବେ ଏହି ଡ୍ରେସ୍‌‌ଟି ଥିଲା ଗାଢ ନୀଳ । ବହୁତ ଦିନ ଯାଏ ସେ ଏଇ ପୋଷାକଟି ସାଇତି ରଖିଥଲା; ପର୍ବପର୍ବାଣୀ ବା କୌଣସି ଖାସ୍ ଦିନରେ ପିନ୍ଧିବ ଉଦ୍ଧେଶ୍ୟରେ…. । ସାତ ବର୍ଷ ତଳେ ଯେବେ ସଦା ଚଞ୍ଚଳ, ଆଶାବାଦୀ ହାପି ଟ୍ରେନ୍‌ ଚକ ତଳେ ଏକ ବିଭତ୍ସ, ଦୁଃଖଦ ମୃତ୍ୟୁର ଶିକାର ହେଲା, ସେହି ମୂହୁର୍ତ୍ତରେ ହିଁ ତା’ର ସବୁ ସ୍ୱପ୍ନ ବି ଯେମିତି ଅନିର୍ଦ୍ଧିଷ୍ଟ କାଳ ପାଇଁ ନିରୁଦ୍ଧିଷ୍ଟ ହେଇଗଲେ । ଅବିଭକ୍ତ ସମୟର ସୀମାବଦ୍ଧତା ସେଙ୍ଗ ହିଁ  ତା’ର ଘନିଷ୍ଠ ଆତ୍ମୀୟତା ବଢିଚାଲିଲା ।

ଚିନୁକୁ କୋଳକୁ ଉଠାଇ ନେଲା ସେ, ତା ନରମ ଟିକି ପାପୁଲିରେ ଏକ ଚୁମା ଦେଲା । ଚିନୁର ନିଷ୍ପାପ, ଚୁଲ୍‌ବୁଲ୍ ଚେହେରା, ଦରୋଟି କଥା ତାକୁ ଆହ୍ଳାଦିତ କରେ । -ଫୋନ ଦିଅ, ମାମା ସାଙ୍ଗେ କଥା ହେବି, ଜିଦ୍ ଧରିଲା ଚିନୁ । ତାକୁ ଆଶ୍ଚର୍ଯ୍ୟ ଲାଗେ ଯେ ସେ ଜମା ବି ବିରକ୍ତ ହୁଏନି ଚିନୁର କୋଳାହଳରେ । ଦିଲ୍ଲୀରେ ତ ସେ ପିଲାମାନଙ୍କ ବ୍ୟବହାରକୁ ନେଇ ଏମିତି ରାଗି ଯାଉଥିଲା ସେ, ବେଳେ ବେଳେ ହାତ ଉଠାଇ ଦିଏ, ମାଲିକଙ୍କ ଅନୁପସ୍ଥିତିରେ । ଫ୍ରିଜ୍‌ରୁ ଏକ କାଡବେରୀ ଚକ୍ଲେଟ୍ ବାର୍ ଧରାଇ ଦେଲା ଚିନୁକୁ ; ଟିଭି ଅନ୍ କଲା, କିନ୍ତୁ ସଙ୍ଗେ ସଙ୍ଗେ ବନ୍ଦ କରିଦେଲା । ଚିନୁକୁ ଧରି ବାଲାକୋନୀକୁ ଗଲା, “ଦେଖ , ସେଇଟା କ’ଣ କହିଲୁ, ଗାଈ….”

ତା’ ବୋଉର ମସ୍ତିସ୍କ ବିକୃତିଜନିତ ବାଚାଲାମୀ, ଅବାନ୍ତର ପ୍ରଳାପ, ନିଜର ହିତାହିତ ଜ୍ଞାନ ଭୁଲି, ଗାଁ ରାସ୍ତାରେ ବୁଲିବା ସମସ୍ତଙ୍କ ପାଇଁ ଅସହ୍ୟ ହେଇପଡ଼ିଥିଲା । ବିବାହର ମାତ୍ର ଆଠମାସ ପରେ ଏ ଭଳି ରୋଗର ଲକ୍ଷଣ ଦେଖା ଦେବା ହେତୁ ବହୁତ ଗୁଣିଆ ଓ ପରେ ଡାକ୍ତରଙ୍କୁ ଦେଖାଇଥିଲେ  ତା’ର ଜେଜେ ଘର ଲୋକେ । ତଥାପି ଅବସ୍ଥାରେ ଆଶାନୁରୂପ ଉନ୍ନତି ହେଲାନି । ଜେଜେଙ୍କ ଚାପ ବଶତଃ ବାପା ତାକୁ ମାମୁଘରେ ଛାଡ଼ିଦେଇ ଯାଇଥିଲା । ତା’ ପରେ ଅନ୍ୟ ଜଣକୁ ବିବାହ କଲା । କିନ୍ତୁ ବିଧିର ବିଧାନ ବିଚିତ୍ର । ଗୋଟିଏ ପୁଅକୁ ଜନ୍ମ ଦେବାର ସାତମାସ ପରେ  ତା’ର ସାବତ ମାଆର ମୃତ୍ୟୁ ହେଲା । ତା’ ପରେ ବାପା  ତା’ର ବୋଉକୁ ନିଜ ପାଖକୁ ଫେରେଇ ଆଣିଲା ।

ସେତେବେଳେ ସେ ଯାହା ଜାଣେ ବୋଉ  ତା’ର ଟିକେ ସୁସ୍ଥ ଥିଲା । ଗୋଟିଏ ଝିଅ, ଦୁଇଟି ପୁଅ ଆଉ  ତା’ର ସାବତ ଭାଇକୁ ନେଇ ସେମାନଙ୍କ ସଂସାର ଚାଲିଲା ସୁରୁଖୁରୁରେ, ବେଶ କିଛି ବର୍ଷ । କିନ୍ତୁ ପୁଣି ତା ବୋଉର ପୁରୁଣା ପାଗଳାମୀ ରୋଗ ବାହାରିଲା । ତା’ ବାପା ନିଜ ଦ୍ୱିତୀୟ ପତ୍ନୀର ପୁଅକୁ ଧରି ଗଲା ଯେ ଆଉ ଫେରିଲାନି । ରାଧୁଦାଦାଙ୍କ ପୁଅଠୁ ଖବର ମିଳିଲା ସେମାନେ ଉତ୍ତର ପ୍ରଦେଶର ଗାଜିଆବାଦରେ । ଆଜିକୁ ପନ୍ଦର ବର୍ଷ ବିତିଗଲା । ବାପା ସାଙ୍ଗେ ଆଉ ଭେଟ ହେବ କି ନାହିଁ କିଏ ଜାଣେ? ରହିଗଲେ ଏକୁଟିଆ ସେମାନେ, ସହୃଦୟ ମାମୁ ଓ ମାଇଁ ସେମାନଙ୍କର ସବୁ ଦାୟିତ୍ୱ ନେଲେ ଓ ନିଜର ଅଭାବୀ ସଂସାର ସହ ଭଉଣୀ ଓ  ତା’ର ତିନୋଟି ପିଲାଙ୍କର ସମସ୍ତ ଦାୟିତ୍ୱ ବୁଝିଲେ । ଦୁଇ ଭାଇ ନବମ ଶ୍ରେଣୀରୁ ପାଠ ପଢା ଛାଡ଼ି କାମ ଉଦ୍ଧେଶ୍ୟରେ ବାହାର ରାଜ୍ୟକୁ ଚାଲିଗଲେ । ସେମାନେ ଯାହା କିଛି ଆର୍ଥିକ ସହାୟତା ଦେଉଥିଲେ । ସେଇଥିପାଇଁ କୌଣସିମତେ ସେ +୨ ପଢିପାରିଲା । ଉଚ୍ଚ ଶିକ୍ଷା ଇଚ୍ଛାକୁ ପ୍ରତିହତ କଲା  ତା’ର ପାରିପାର୍ଶ୍ଵିକ ଅବସ୍ଥା । ଯୋଗ୍ୟତା ଅନୁସାରେ କୌଣସି ଚାକିରୀ ନ ମିଳିବାରୁ ସେ ବାଧ୍ୟ ହୋଇ ଜଣେ ସମ୍ପର୍କୀୟଙ୍କ ଉପଦେଶରେ ଦିଲ୍ଲୀ ଯାଇ ଏକ ପରିଚାରିକା ଭାବେ କାମ କରିବାକୁ ବାଧ୍ୟ ହେଲା । ସେ ଆଉ ମାମୁ, ମାଇଁଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲା । ଏବେ ତ  ତା’ର ଭାଇମାନେ ମଧ୍ୟ ମୁହଁ ବୁଲେଇନେଲେଣି ।

xxxxxxxxxx

ଛୋଟ ଛୁଆ ଦେଖାଦେଖି କରିବା ପାଇଁ ଏକ ଅଭିଜ୍ଞ ସ୍ତ୍ରୀଲୋକ ଆବଶ୍ୟକ’ ଖବରକାଗଜରେ ଏହିପରି ଏକ ବିଜ୍ଞାପନ ଦେଖି ସେ ଏଠାକୁ ଆସିଥିଲା ।

“-ତୁମର ତ ବହୁତ କମ୍ ବୟସ । ଆମକୁ ଏକ ଅନୁଭବୀ ଲୋକ ଦରକାର ଥିଲା । ଏମିତି ଲୋକ ଯିଏ କି ଆମ ଅନୁପସ୍ଥିତିରେ ଛୋଟ ଛୁଆର ଭଲ ଦେଖାଶୁଣା କରିପାରିବ । ଆମେ ତା ହାତରେ ଦାୟିତ୍ୱ ଦେଇ ନିଶ୍ଚିନ୍ତ ହେବୁ ।” ବେଶ୍ ଆକର୍ଷଣୀୟ, ଗୋରା କିନ୍ତୁ ପ୍ରସାଧନ ରଞ୍ଜିତ ଚେହେରା, ସୌଖୀନ ପୋଷାକ ଓ ହାଲ୍କା ଗହଣା ପରିହିତା ସ୍ତ୍ରୀଲୋକ ଜଣକ କହିଲେ । ବୋଧେ ଘରର ମାଳିକାଣୀ, ସେ ଅନୁମାନ କଲା ।

-ମାଡ଼ାମ, ମୁଁ ଆଗରୁ ଏହି କାମ କରିଛି, ଦିଲ୍ଲୀର ଜଣେ ଗୁଜୁରାଟି ପରିବାରରେ । ସେମିତି ତ ମୁଁ କେବଳ ଘରକାମ ଦେଖାଦେଖି କରିବା ପାଇଁ ନିଯୁକ୍ତ ଥିଲି । କିନ୍ତୁ ଧିରେ ଧିରେ ସେମାନଙ୍କ ଛୋଟ ପିଲାଙ୍କ ଦାୟିତ୍ୱ ବି ମୁଁ ନେଲି । ସେଠି ଦି’ବର୍ଷ ଥିଲି । ତା’ ଛଡ଼ା ମୋତେ ଏବେ ଛବିଶ ବର୍ଷ ହେଲାଣି । ଗୋଟିଏ ନିଶ୍ୱାସରେ ଏତକ କହିଗଲା ଓ ଛେକ ଢୋକିଲା ।

-କାହିଁକି ଛାଡ଼ିଲ ? ସୋଫାରେ ବସି ଖବର କାଗଜ ପଢୁଥିବା ସୌମ୍ୟ ବ୍ୟକ୍ତି ଜଣକ ହଠାତ୍ ପ୍ରଶ୍ନ କଲେ ।

-ମୋ ବୋଉ ଏଠି ଏକୁଟିଆ । ଭାଇମାନେ ବାହାରେ । ଗାଁରେ ବୋଉ ପାଖରେ ନରହିଲେ ବି ନିକଟ କୌଣସି ସହରରେ ତ ରହିପାରିବି । ଦିଲ୍ଲୀ ବହୁତ ଦୂର । ସେ କହିଲା, ମୁଣ୍ଡ ତଳକୁ କରି । ଏହି ଜଣକ ବୋଧେ ମାଲିକ । ଇଏ ସେମିତି ନୁହଁନ୍ତି ତ…ଏକ ପରିଚିତ ଆଶଙ୍କା ତାକୁ କଲା ତ୍ରସ୍ତ ।

-ସେଠି କେତେ ଦରମା ପାଉଥିଲ ? ଏବେ କେତେ ଆଶା କରୁଛ ? ମାଡାମ୍‌ ଜଣକ ପୁଣି ପଚାରି ଚାଲିିଲେ ।

-ରହିବା, ଖାଇବା ବାଦ୍ ଦେଇ ସାତହଜାର ପାଉଥିଲି । କିନ୍ତୁ ମୋର ସେମିତି କିଛି ଡିମାଣ୍ଡ ନାହିଁ, ଯାହା ଆପଣ ଦେବେ ।

-ରହିବା ଖାଇବାକୁ ବାଦ ଦେଇ ଆମେ ଏବେ ପାଞ୍ଚ ହଜାର ଦେବୁ । ତା’ପରେ…..

ଏତେ ସବୁ ପ୍ରଶ୍ନୋତ୍ତର ଭିତରେ  ତା’ର ଆଖି ବାରମ୍ବାର ଘୁରି ଆସୁଥିଲା ବୈଠକଖାନାର ଉତ୍ତର କୋଣରେ ଥିବା ଏକ ବଡ଼ ଆକ୍ୱାରିୟମ ଉପରେ । ସେଥିରେ ପହଁରି ବୁଲୁଥିଲେ ରଙ୍ଗବେରଙ୍ଗର ଅନେକ ମାଛ । କେତେ ନିର୍ଭୟରେ, କେତେ ଶାନ୍ତିରେ ସୁନ୍ଦର ନାଲି ନେଲି, ହଳଦିଆ ଛୋଟ ଛୋଟ ଗୋଡ଼ି, ପଥରରେ ସଜ୍ଜିତ ପଥରେ ସେମାନେ ଘୁରିବୁଲୁଛନ୍ତି । ଆଉ ସେ କେତେ ଅସୁରକ୍ଷିତ ମନେ କରେ, ଘରେ, ବାହାରେ, କର୍ମ ସ୍ଥଳେ ବା ରାସ୍ତାରେ । ଯେମିତି ତା’ ଉପରେ କାହାର ଆଖି ଘୁରିବୁଲୁଛି । ପ୍ରତିକ୍ଷଣରେ… ତାକୁ ଗିଳିପକେଇବ; କିନ୍ତୁ କେତେ ସହଜ ନିର୍ଦ୍ଧିଷ୍ଟତା ଏହି ପଥରେ, ଯେମିତି ଲାଗୁଥିଲା ଦିନେ, ବାପା,ବୋଉ ସହିତ ଗାଁ ଶିବ ମନ୍ଦିରରେ ସାଗର ମେଳା ଦେଖି ଫେରିବା ବେଳେ; ବାପାଙ୍କ ପାଖରେ ବସି ଖାଇବା ବେଳେ, ଦେହ ଖରାପ ହେଲେ ବୋଉର ସେ ସ୍ନେହବୋଳା ସ୍ଫର୍ଶ, ଔଷଧ ଆଣିବାକୁ ବାପାଙ୍କ ବ୍ୟଗ୍ରତା, ହାପିର ଉତ୍ସାହ, ଯାହା ତାକୁ ସଂକ୍ରମଣ କରିଯାଏ, ମନରେ ଭରିଦିଏ କିଛି ନୂତନ ଉଦ୍ଧୀପନା ; ଆଉ ଏବେ…? ଦିନେ ଏମିତି ଏକ ମନ୍ତବ୍ୟ ତା’ ମୁହଁରୁ ହଠାତ୍ ବାହାରିଗଲା ଆକ୍ୱାରିୟମର ମାଛଙ୍କ ଉଦ୍ଧେଶ୍ୟରେ; ପ୍ରୀତି ମାଡ଼ାମ୍‌ଙ୍କ ଉପସ୍ଥିତିରେ । ସେ କହିଲେ, ‘ତମେ ତ ବଡ଼ ବିଚିତ୍ର ଜାଜନିକା, କିଏ ସିନା ସ୍ୱାଧୀନତା ଚାହେଁ, ପରିଧି ଭିତରେ ରହିବାକୁ କାହାର ଇଛା?’ ଜାଜନିକା ଚମକି ପଡ଼ି ନିରୁତ୍ତର ରହିଲା । ପ୍ରୀତିର ପ୍ରଶ୍ନୀଳ ନଜରରୁ ନିଜକୁ ପ୍ରାୟ ତିନି ଘଣ୍ଟା ଦୂରେଇ ରଖିଲା ।

ଆଜି କି ପ୍ରାୟ ଛଅ ମାସ ତଳେ…ସେଦିନ ବସଷ୍ଟାଣ୍ଡରୁ ଚାଲି ଚାଲି ଏଠିକି ଆସିଥିଲା ସେ । କେତେ ଲମ୍ବା ରାସ୍ତା, କେତେ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଥିଲା ସେଦିନ । ତା’ ଜୀବନରେ ଖାଲି ଟାଣ ଖରା ତ କେବେ ପୁଣି ଭୀଷଣ ବର୍ଷା….ପାଣି ଭର୍ତ୍ତି ଖାଲଖମା, ପୂର୍ଣ୍ଣଗନ୍ଧମୟ…. । କିନ୍ତୁ ସେ ଥିଲା ନିର୍ବିକାର । ଚାକିରୀ ବିଷୟରେ ନିଶ୍ଚିତ ହେଇଗଲା ପରେ, ହିଁ ସେ ଅନୁଭବ କଲା ତାକୁ ଭୀଷଣ ଶୋଷ । ବୋଧହୁଏ ସେଦିନର ଅସ୍ୱାଭିକ ଉତ୍କଣ୍ଠା ଓ ତଦ୍ଜନିତ ଭୟ ହେତୁ କି କ’ଣ ସେ ପ୍ରାୟ ଭୁଲି ଯାଇଥିଲା ନିଜର ଯନ୍ତ୍ରଣାକୁ; ମାନସିକ ଉଦ୍‌ବେଳନକୁ ତଥା ଶାରୀରିକ କଷ୍ଟକୁ ।

-ତୁମ ଜିନିଷପତ୍ର ଘେନି ପହିଲା ସୁଦ୍ଧା ଏଠାକୁ ଆସିଯାଅ । ଏଇଟା ତୁମ ରୁମ୍ । ଆସ କିଛି ଖାଇନେବ ।  ତା’ର ନିଯୁକ୍ତଦାତା ପ୍ରୀତିର ସମ୍ବେଦନଶୀଳତାରେ ସେ ବହୁତ ପ୍ରଭାବିତ ହେଲା ।

ସଂଭ୍ରମତାର ସହିତ ସେ ଖାଇବାକୁ ମନା କରି ଜଲଦି ଜଳଦି ବସ ଷ୍ଟାଣ୍ଡ ଅଭିମୁଖେ ବାହାରିଗଲା । ଏବଂ ତହିଁ ପରଦିନ ହିଁ ଦ୍ୱିପହର ବେଳକୁ ସେ ଗାଁରୁ ଫେରି କାମରେ ଯୋଗ ଦେଲା ।

xxxxxxxxxx

ସେ ତନ୍ମୟପ୍ରାୟ ଦେଖୁଥିଲା ପ୍ରୀତିକୁ ଯେ ଚିନୁ ଦେହସାରା ତେଲ ଘସିଚାଲିଥିଲା ।

ଥରେ ପ୍ରୀତି ସହିତ ସେ ଚିନୁକୁ ପ୍ଳେ ସ୍କୁଲରୁ ଆଣିବାକୁ ଯାଇଥିଲା । ସ୍କୁଲ ପାଖ ଏକ ମନ୍ଦିର ପ୍ରାଙ୍ଗଣରେ ଦେଖିଲା ଏକ ଅଭାବନୀୟ ଦୃଶ୍ୟ । ଏକ ଅର୍ଦ୍ଧ୍ୟ ଉଲଗ୍ନ ସ୍ତ୍ରୀଲୋକୁ ନିର୍ଘାତ ଭାବେ ପିଟିଚାଲିଥିଲେ କିଛି ଲୋକ । “ଏହି ତ ସେହି ପାଗଳୀ ଯେ ଏଠି ପ୍ରାୟ ଘୁରିବୁଲେ ।” ନୁଖୁରା କେଶ, ମଳିନ ଦୁର୍ବଳ ଚେହେରା ଓ ଶତଚିରା ଶାଢୀଟିଏ, ଯାହା  ତା’ର ଯୌବନକୁ ଘୋଡେ଼ବାରେ ଥିଲା ଅସମର୍ଥ । ସେ କୁଆଡେ଼ ଠାକୁରାଣୀଙ୍କ ଶାଢୀ ଚୋରେଇବାକୁ ଉଦ୍ୟମ କରୁଥିଲା । ଲୋକଙ୍କ ହାତରେ ଧରା ପଡ଼ି ଗଲା….ତେଣୁ ଏତେ ଅମାନବୀୟ ମାଡ଼ ।

-ଆସ ଜାଜନିକା, କ’ଣ ଦେଖୁଛ ? ପ୍ରୀତି ଡାକୁଥିଲା । ଜାଜନିକା ବାଧ୍ୟ ହେଇ ଗାଡ଼ିରେ ବସିଲା । ଆଉ ଶୁଭୁନଥିଲା ବିକଳ କାନ୍ଦଣା, କି କୋଳହଳ । କିନ୍ତୁ ଜାଜନିକା ହଜିଯାଇଥିଲା ଭିନ୍ନ ଏକ କୋଳାହଳରେ । ମାଡ଼ ସହିତ ସେ ବି କେତେ ଅଭ୍ୟସ୍ତ । ମାମୁଁ , ମାଇଁଙ୍କଠୁ ଏମିତି କେତେ ଚଟକଣା ଖାଇଛି । ବିକଳ ହେଇ ସେ ନିଜ ବୋଉକୁ ଅନାଏ, କାଳେ ବୋଉ ତା’ ସପକ୍ଷରେ କିଛି କହିବ । କିନ୍ତୁ ବୋଉର ସେ ଅସ୍ଥିର ଅଥଚ କାକୁସ୍ଥ ନିରୀହ ଚାହାଣୀ ତାକୁ ବାଧ୍ୟ କରେ ସବୁ ସହିଯିବାକୁ, ସବୁ ଭୁଲିଯିବାକୁ ।

-ଜାଜନିକା ! କ’ ଣ ହେଲା । ମାଡ଼ମ୍‌ଙ୍କ ଡାକରେ ସେ ଚମକି ପଡ଼ିଲା ଆଉ ନିଜକୁ ଭାବପ୍ରବଣତାକୁ ସମ୍ଭାଳି ନେଲା ।

-ମାଡ଼ମ୍, ମୁଁ କରିଦେବି…, ସେ ପଚାରିଲା ।

-ଆରେ ନା ନିକା…ପୁଅକୁ ଟବ୍‌ରେ ବସାଇ ମଗ୍‌ରେ ତା’ ଉପରେ ନଖ ଉଷୁମ ପାଣି ଢାଳୁଢାଳୁ ପ୍ରୀତି କହିଲା, ଆଜି ତ ମୁଁ ଘରେ ଅଛି । ଆଜି ଟିକେ ମୁଁ ମୋ ପୁଅର ଯତ୍ନ ନିଏ ।

-ଆଜି କ’ଣ ଲଞ୍ଚ୍‌ ହେବ ।

-ଆରେ ମୁଁ ଭୁଲିଯାଇଛି । ଆଜି ମୋ କକା ପୁଅ ଭାଇ ଘରକୁ ଯିବାର ଅଛି । ତୁମେ ତୁମ ନିଜ ପାଇଁ କିଛି କରି ନିଅ । ଆମେ ଏହି ଏଗାରଟା ସୁଦ୍ଧା ବାହାରିବୁ, ପୁଅର ଓଦା ଦେହକୁ ତଉଳିଆରେ ପୋଛୁ ପୋଛୁ ପ୍ରୀତି କହିଲା ।

ସେ ଚୁପ ହେଇ ଠିଆ ହେଇଥିଲା । ଆଜି କେତେ ଅଳଗା ବ୍ୟବହାର ମାଡାମ୍‌ଙ୍କର । ଆଗ ଭଳି ଆନ୍ତରିକତା ନାହିଁ । ହଁ ସେ ତ’ ଯେତେହେଲେ ଚାକରାଣୀ…କେମିତି ଭୁଲି ଯାଏ ? ତଥାପି ଏ ଘର ତାକୁ ଅତ୍ୟନ୍ତ ନିଜର ଲାଗୁଥିଲା । ଏ ଘର ଲୋକଙ୍କ ବ୍ୟବହାରରେ ସେ ଭୁଲି ଯାଇଥିଲା ଯେ ସେ ଏ ଘରର ଏକ ମାମୁଲି କର୍ମଚାରୀ ମାତ୍ର । ସେଦିନ କଥା ଆଜି ବି ମନେ ଅଛି । ସେ ଦିନ ତା ହାତରୁ ଚିନୁର ଦାମିକା ତେଲ ବୋତଲ ହାତରୁ ଖସି ପଡ଼ି ଭାଙ୍ଗିଗଲା । ମାଡାମ୍‌ଙ୍କ ମା’ କେତେ କ’ଣ କହି ଗାଳି ଦେଲେ । କିନ୍ତୁ ମାଡାମ୍ ତା ସପକ୍ଷରେ କହିଲେ । -“ଥାଉ ମା’ …. ଆଉ ଗୋଟେ କିଣି ଆଣିବା । ଏତେ କାମ ପଡ଼ିଛି । ତେଣୁ ତରତର ହେବାରୁ ହାତରୁ ଖସିପଡ଼ିଲା । ସେମିତି ବି ସେ ବହୁତ ମନ ଲଗାଇ କାମ କରେ । କେତେବେଳେ କେମିତି….”

-ନିକା କ’ଣ ଭାବୁଛ ? ଘର କଥା ? ପ୍ରୀତିର ପ୍ରଶ୍ନରେ ସେ ଚମକି ପଡ଼ିଲା । “ବହୁତ ଦିନ ହେଇଗଲାଣି ଘର ଆଡେ଼ ଟିକେ ବୁଲିଆସୁନ ? ଆଜି ଆମ ସାଙ୍ଗରେ ଚାଲ । ଗାଁରେ ଛାଡ଼ିଦେବୁ । ସେହି ରାସ୍ତାରେ ତ ଯିବୁ ।”

ଘର ? କେଉଁ ଘର? ଏଠିକି ଆସିଲା ବେଳେ ସେ ଘର କଥା ବହୁତ ମନେ ପକାଉଥିଲା । ବହୁତ ଟଙ୍କା ସଂଚୟ ହେଲେ ସେ ତା ବୋଉର ଚିକିତ୍ସା କରେଇବ । କିନ୍ତୁ ଏବେ ସେହି ଦାୟିତ୍ୱବୋଧତା ଯେମିତି ଆଉ ତାକୁ ଚିନ୍ତିତ କିମ୍ବା ବିବ୍ରତ କରୁନି । କେତେ ବିରକ୍ତ ଲାଗେ ବୋଉର ବାଚାଳ, ଅସଲଗ୍ନ କଥାବାର୍ତ୍ତା ସବୁ । ଏଇଥିପାଇଁ ଗାଁରେ ଥିଲାବେଳେ ଘରେ ରହିବାକୁ ଇଚ୍ଛା ହୁଏନି । ପୋଖରୀ କୂଳର ସେଇ ଚମ୍ପାଗଛ ମୂଳ  ତା’ର ପ୍ରିୟ ସ୍ଥାନ । ଲାଗେନି ଭୟ ଜମା ବି ପୋଖରୀ ସେପାଖ ଶ୍ମଶାନରେ ଜଳୁଥିବା ଜୁଇଁକୁ ଦେଖି ..

ଆଉ ଏବେ, ଏମାନେ ଯଦି ଜାଣନ୍ତି ତା’ବୋଉ ମାନସିକ ରୋଗ୍ରଗ୍ରସ୍ଥ ତା’ହେଲେ ସେମାନଙ୍କର ବିଶ୍ୱାସ ଉଠିଯିବ ନିଶ୍ଚୟ. …. ତାର ବି ମାନସିକ ରୋଗ ଥାଇପାରେ ବୋଲି ସଂନ୍ଦେହ କରିବେ ଯଦି ? ଏବେ ସେମାନେ ତାକୁ କେତେ ବୁଦ୍ଧିମତୀ, କର୍ମପ୍ରବୀଣା ବୋଲି ଭାବୁଛନ୍ତି, ସବୁ ବଦଳି ଯିବ ….ସେମିତି ତ ବୋଉ ପାଖକୁ ଟଙ୍କା ପଠାଉଛି । ବିଶେଷ କରି  ତା’ର ଔଷଧ ଖର୍ଚ୍ଚ ପାଇଁ । କିନ୍ତୁ ଜାଣେନା କେଉଁ ବାଟେ ସେ ଟଙ୍କା ଖର୍ଚ୍ଚ ହେଉଥିବ । ଏବେ ତ ତା ମାମୁ ବି ଅତିଷ୍ଠ ହୋଇଗଲେଣି ତା ବୋଉର ବୋଝ ଉଠେଇ ଉଠେଇ । ସେଦିନ ଫୋନରେ ପରୋକ୍ଷରେ କହିଥିଲେ କୌଣସୀ ଆଶ୍ରମ କଥା । ଏମିତି ତ କେତେ ରାତି ଶୋଇ ପାରେନା ବୋଉର ଚିନ୍ତାରେ । ପୁଣି ବହୁତ କଷ୍ଟରେ ନିଜକୁ ସମ୍ଭାଳେ ।

ସେ ଆଉ ତାର ମନକୁ ଭାରାକ୍ରାନ୍ତ କରିବାକୁ ଚାହେଁନି । ଟିକେ ସ୍ୱାର୍ଥୀ ହେଲେ ହିଁ ଭଲ । ସେ କାହିଁକି ସବୁ ଦାୟିତ୍ୱ ଉଠାଇବ?  ତା’ର ରୋଜଗାରିଆ ଭାଇମାନେ ବି ତ ଅଛନ୍ତି । ସେମାନେ ବି ତ ନିଜ କିଂକର୍ତ୍ତବ୍ୟ ବିଷୟରେ ସଚେତନ ହେବା ଆବ୍ୟଶକ । ଅଶାନ୍ତି , ଦ୍ୱନ୍ଦ ଭିତରୁ ସେ ମୁକୁଳିବାକୁ ଚାହେଁ ।

-ନାହିଁ ମାଡାମ୍, ଥାଉ ଆଉ କେବେ ।

-ତମେ ଏକୁଟିଆ ରହି ପାରିବ? ଦୁଇ ଦିନ । ଏହି ପ୍ରଥମ ଥର ପାଇଁ ଆମେ ତୁମକୁ ଏକୁଟିଆ ଛାଡିଯିବୁ । ଆଗକୁ ବି ଏକ ଦୀର୍ଘ ଛୁଟିର ପ୍ଳାନ ଅଛି । ।

-ମାଡାମ୍ ଧୀରେ…., ପ୍ରୀତିର ଗୋଡ ସାବୁନ ପାଣିରେ ଖସି ଯାଉ ଯାଉ ସେ ଧରିପକାଇଲା ।

-“ତୁମ ଉପରେ ଆମର ବହୁତ ବିଶ୍ୱାସ । ଆମର ବହୁତ ଭଲ ଭାଗ୍ୟ ଯେ ତୁମ ପରି ପିଲାକୁ ପାଇଁ ।”

ଜାଜନିକା କିନ୍ତୁ ଭାବୁଥିଲା ଅଲଗା କିଛି । ସେ  ତା’ର ଅତି ପରିଚିତ ସେହି ଭାବନା ରାଜ୍ୟକୁ ଚାଲିଯାଇଥିଲା । ପ୍ରୀତି କ’ଣ କହୁଥିଲା ସେ ଶୁଣିପାରୁନଥିଲା….. ମାଡାମ୍‌ଙ୍କ ଗୋଡ଼ ଖସି ଯାଇଛି । ସେ ତଳେ ପଡ଼ିଯାଇଛନ୍ତି ଆଉ ମୁଣ୍ଡରୁ ଧାର ଧାର ରକ୍ତ ବୋହିଯାଉଛି । ଗୋଡ଼ ବି ଫ୍ରାକ୍ଚର ହେଇଛି କି କ’ଣ ? ତାଙ୍କର ନିଜ ଲୋକଙ୍କର ଦେଖା ନାହିଁ, ସମସ୍ତେ କେତେ ସ୍ୱାର୍ଥପର । ସେ ଏକୁଟିଆ ତାଙ୍କୁ ନେଇ ଡାକ୍ତରଖାନା ଯାଇଛି । ତା’ପରେ ମାଡାମ୍ ଆଉ ସାର୍‌ଙ୍କ ବିଶ୍ୱାସ ତା’ ଉପରେ ଆହୁରି ବଢିଯାଇଚି । ନିଜର ବନ୍ଧୁବାନ୍ଧବ, ପଡ଼ିଶା, ଲୋକଙ୍କୁଠୁ ବି ବେଶି ।

– ନିକା, ତୁମ ଘରେ କିଏ ସବୁ ଅଛନ୍ତି? କେବେ ତ କହି ନାହଁ ତୁମ ଘର ବିଷୟରେ….

– ମୁଁ ମାମୁ, ମାଇଁଙ୍କ ଘରେ ବଢିଛି । ବୋଉ ଅଛି, ତା’ ଦେହ ସବୁବେଳେ ଖରାପ, …ଭାଇମାନେ ବାହାରେ, ବଡ଼ ଭାଇ ପୁନାରେ ଅଟୋ ଚଳାଉଛି, ସାନ ଛତିଶଗଡ଼ରେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଛି ।

– କ’ଣ ହେଇଛି ତୁମ ବୋଉଙ୍କର? ଓଃ! ସାଡେ଼ ନ’ଟା ହେଲାଣି…..ପ୍ରୀତି ଜାଜନିକାର ଉତ୍ତରକୁ ଅପେକ୍ଷା ନକରି ତର ତର ହେଇ ବେଡ଼ରୁମକୁ ଚାଲିଗଲା ।

ଏକ ଦୀର୍ଘଶ୍ୱାସ ଛାଡ଼ିଲା ସେ; ବୋଧହୁଏ ପ୍ରଶ୍ନ ଉତ୍ତରର ପ୍ରହେଳିକା ଭିତରୁ –ସାମୟିକ ଭାବେ ହେଉ ପଛେ- ବାହାରିଯାଇଥିବା ହେତୁ ଆଶ୍ୱସ୍ତତା ବା ତା’ ବିଷୟରେ ଶୁଣିବା ପାଇଁ ଅନ୍ୟର ଧୈର୍ଯ୍ୟ ଓ ସମୟର ଅଭାବ ଦେଖି ତତ୍ଜନିତ ଅବସାଦ ?

“ଆଃ….. ମାଡାମ୍ ଆଜି କେତେ ସୁନ୍ଦର ଦେଖା ଯାଉଚନ୍ତି ଲାଲ ଅନାରକଲି ସାଲୱାର କମିଜରେ ।”

ଚିନୁକୁ ନିଜ କୋଳକୁ ଆଣିବାକୁ ସେ ହାତ ବଢାଇଲା । ଚିନୁ କିନ୍ତୁ ଶୁଣିଲା ନାହିଁ ଏବଂ ମାଆ ପାଖେ ଲାଖିରହିଲା, ଯେମିତି କି ସେ ଏକ ଆଗନ୍ତୁକ । ତାକୁ ଲାଗିଲା ଏତେ ଦିନ ହେଲା ସେ ଚିନୁର ଦେଖାରେଖା କରୁଛି, ଯେମିତି କି ସେ  ତା’ର କୁନି ସାଙ୍ଗ । ଚିନୁ ବି ତ ତା ସାଙ୍ଗରେ ବହୁତ ଖୁସି ରୁହେ, କିନ୍ତୁ ତା’ ମାଆ ତା ପାଖରେ ଥିଲେ ତାକୁ ଯେମିତି ଉପେକ୍ଷା କରେ । ସେ ଏକ ଛୋଟ ଛୁଆକୁ ବି ଆପଣେଇ ପାରିଲାନି । ନିଜକୁ ବହୁତ ଉପେକ୍ଷିତ ଓ ଏକ ପ୍ରକାରର ଗ୍ଳାନିବୋଧରେ ସେ ଅବଶ ହେଲା । ମାଡାମ୍‌ଙ୍କ ଉପରେ ରାଗ ଆସିଲା । ବୋଧହୁଏ ସେ ଚିନୁର ଏପରି ବ୍ୟବହାରକୁ ପ୍ରଶ୍ୟୟ ଦେଉଛନ୍ତି । ଚିନୁକୁ ସେ କିଭଳି ଅତି ନିଜର କରିପାରିବ ?

ଓଃ! ମୁଁ ଏ କ’ଣ ଭାବୁଛି …ସେ ଏକ ସାଡେ଼ ତିନି ବର୍ଷର ଅବୋଧ ଶିଶୁ । ସେ ବା ବାଛବିଚାର କ’ଣ ଜାଣେ? ସେ କିନ୍ତୁ ଚାହେଁ ଚିନୁ ତାକୁ ଅଧିକ ଭଲ ପାଉ । ସେଥିପାଇଁ କିଛି ତ କରିବାକୁ ପଡ଼ିବ  ତା’ର ମନ ଜିଣିବା ପାଇଁ ଆଉ ମାଡାମଙ୍କର ବି । ଧର….. ଚିନୁର ଜର ହେଇଛି; ଦେହ ଖରାପ ହେଉଛି ବେଳକୁ ବେଳ ଆଉ ଘରେ ସେ ଏକୁଟିଆ । ଘନ ଅନ୍ଧାର, ବର୍ଷା ରାତି । ନିଶୂନ ସେ ରାସ୍ତା । ମାଡାମ ଓ ସାର୍ ବାହାରକୁ ଯାଇଛନ୍ତି । ଫୋନ ବି ଉଠାଉନାହାଁନ୍ତି । ସେ କ’ଣ କରିବ ? ବହୁତ କଷ୍ଟରେ ରିକ୍ସା କି ଅଟୋ ଯୋଗାଡ଼ କରି , କୌଣସି ପାଖ ପୋଡ଼ଶୀକୁ ଜଣାଇ ସେ ତାକୁ ଡାକ୍ତରଖାନା ନେଇଯିବ । ଡାକ୍ତର କହିବେ ଯଦି ଆଉ ଟିକେ ଡେରି କରିଥାଅନ୍ତ….ତା’ ହେଲେ । ଡାକ୍ତରବାବୁ ମାଡାମ୍ ଓ ସାରଙ୍କ ଆଗରେ  ତା’ର ବହୁତ ପ୍ରଶଂସା କରିବେ, କି କିଭଳି ତା’ ଭଳି ଦାୟିତ୍ୱବାନ, ବିଶ୍ୱସ୍ତ କର୍ମଚାରୀ ନଥିଲେ….ଆଉ କିଏ ହୋଇଥିଲେ..ତ କଥା ସରିଥାଆନ୍ତା । ମାଡାମ୍ ଓ ସାର୍ କୃତ୍ୟ କୃତ୍ୟ ହେଇ ଯିବେ । ସବୁ କାମ ପାଇଁ  ତା’ର ଉପରେ ନିର୍ଭର କରିବେ…ସେ ବି ସେମାନଙ୍କୁ ନିରାଶ କରିବନି । ଏ ଘଟଣା ପରେ ଚିନୁ ବି ତା ବିନା ରହିପାରିବନି, ତାକୁ ବହୁତ ଭଲ ପାଇବ, ନିଜ ମା’ ଠୁ ବି ବେଶି । ନ ହେଲେ ଧର କୌଣସି ଦୁର୍ବୁତ୍ତ ଚିନୁକୁ ଅପହରଣ କରି ନେବ ଆଉ ସେ ସାହାସର ସହିତ  ତା’ର ମୁକାବିଲା କରି ଚିନୁକୁ ବଞ୍ଚାଇବ….

-ଏ ନିକା କ’ଣ ଏତେ ଭାବୁଛ ? ମୁଁ ଜାଣେ ତୁମେ ଏକୁଟିଆ କେମିତି ରହିବ, ସେଥିପାଇଁ ଚିନ୍ତିତ । ଗତଥର ସିନା ମୋ ମା’ ଥିଲେ ବୋଲି ତୁମେ ରହିଗଲ.., ପ୍ରୀତି ବ୍ରେଡ୍‌ରେ ବଟର ଲଗାଉ ଥିଲା ତ ଲକ୍ଷ୍ୟ କଲା ଜାଜାନିକାର ଅନ୍ୟମନସ୍କତା । ହାପି ବି ତାକୁ ନିକା ଡାକୁଥିଲା । ଏହି ଡାକ ଯେମିତି ଆନ୍ତରିକତା ତଥା ସେହ୍ନର ପ୍ଳାବନର ଧାରାରେ ସିକ୍ତ, ତା ମନ ଭରିଯାଏ ଅଦ୍ଭୁତ ଏକ ପ୍ରଶାନ୍ତିରେ ।

-ନାଁ ମାଡାମ୍…, (ମାଡାମ୍ ଜାଣିପାରିଲେ କି ମୁଁ କ’ଣ ଭାବୁଛି ?) ନିଜକୁ ହାଲ୍କା କରିବାର ପ୍ରଚେଷ୍ଟାରେ ପଚାରିଲା “ଆପଣଙ୍କ କକାଭାଇ କି ଭଉଣୀମାନେ ତ କେବେ ଏଠିକି ଆସନ୍ତିନି ? ”

– “ସେମାନେ ନିଉ ଜର୍ଜିରେ ରୁହନ୍ତି । ଓଃ ….ମାନେ ଆମେରିକାରେ । ଏବେ ଏଠିକି ଆସିଛନ୍ତି । ପ୍ରୀତି ହସିଲା ।” ସେ ହସର ସହଜ ସ୍ନିଗତା ସହିତ ଅସହଜ ହୋଇପଡୁଥିଲା ଜାଜନିକା, ଉଦ୍‌ବେଗର କ୍ଷୀବ୍ରତା ତାକୁ ଧଇଁସଇଁ କରୁଥିଲା । ।

– “ଆପଣ କେବେ ଆମେରିକା ଯାଇଛନ୍ତି ?”

– “ଆରେ ନା..ଭାବୁଛୁ ଆସନ୍ତା ବର୍ଷ ଯିବୁ ।” ପ୍ରିଜ୍‌ରେ କିଛି ପରିବା, ପନିର, ମଟନ, ଅଣ୍ଡା ଅଛି.. ସଂକୋଚ କରିବ ନାହିଁ, ବ୍ୟବହାର କରିବାକୁ….. ଆଉ ଏ ଟଙ୍କା କିଛି ରଖ..ଯାହା ତମର ଇଚ୍ଛା କିଣି ଆଣିବ ।

ସେ ଆଉ କିଛି ପ୍ରଶ୍ନ ପଚାରିବା ପୁର୍ବରୁ, ପ୍ରୀତି ଫୋନ କଲ ଆସିବାରୁ ସେଥିରେ ବ୍ୟସ୍ତ ରହିଲା ।

xxxxxxxxxx

ଆଜି କି ଦି’ଦିନ ହେଇଗଲାଣି..ଆଜି ସେମାନେ ଆସିବେ…ତାକୁ ବି ତ ନିଜ ସଙ୍ଗେ ନେଇପାରିଥାଆନ୍ତେ । ତାକୁ ବହୁତ ଭାରି ଲାଗୁଥିଲା । ମାଡାମ୍ ଫୋନ ତ କରୁଛନ୍ତି କିନ୍ତୁ କେବଳ ଘର ବିଷୟରେ ପଚାରିବା ପାଇଁ, ଟିକେ ବି ପଚାରିଲେ ନାହିଁ ସେ ଖାଇଛି କି ନାହିଁ, ଭୟ ଲାଗୁନି ଏକୁଟିଆ….ସେ ହଠାତ୍ ଅନୁଭବ କଲା ମାଡାମ୍ କେବେ ତାକୁ ତା’ ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ ଆଗ୍ରହ ଦେଖାନ୍ତିନି, କେବଳ କାମ ବିଷୟରେ ଯାହା ତାଗିଦ୍, ଉପଦେଶ । ସେ ତ ପ୍ରାୟ ଅନର୍ଗଳ ଗପିଚାଲନ୍ତି; ପ୍ରଗଳ୍ଭ ….ନିଜ ପରିବାରର ଆଭିଜାତ୍ୟ ବିଷୟରେ ତ କେବେ ନିଜର ଅସୁବିଧାକୁ ନେଇ । ସାର୍ ତାଙ୍କୁ କେତେଥର ତାଗିଦ୍ କରିଥିବାର ସେ ଶୁଣିଛି ସେ ଘରର କର୍ମଚାରୀଙ୍କ ସାଙ୍ଗେ ଏତେ ନିବିଡ଼ ହେବା କ’ଣ ଦରକାର? ସେ କିନ୍ତୁ ବହୁତ ଆଗ୍ରହରେ ଶୁଣେ ଏବଂ ପ୍ରଶ୍ନ ବି ପଚାରେ । ଭାବେ ମାଡାମ୍‌ ନିଶ୍ଚୟ ତାକୁ ଅତି ନିଜର ବୋଲି ଭାବୁଛନ୍ତି । ସେଥିପାଇଁ ତ ସବୁ ଦୁଃଖସୁଖ ତା ସହିତ ବାଣ୍ଟୁଛନ୍ତି । କିନ୍ତୁ ….ସେ ଜାଣେ ଏହି ସବୁ କଥା ତ ସେ ତାଙ୍କ ସାଙ୍ଗସାଥିଙ୍କ ଆଗରେ ବି ଗପନ୍ତି । ତା’ହେଲେ ସେ କେମିତି ‘ବିଶେଷ’ ଯେ ?  ଜାଜନିକାକୁ ଲାଗେ ଯେମିତି ତା’ ଭଳି ଜଣେ ନିମ୍ନଶ୍ରେଣୀର ଝିଅ ବିଷୟରେ ଜାଣିବା ପାଇଁ କାହିଁକି କିଏ ଆଗ୍ରହ ପ୍ରକାଶ କରିବ ? ବରଂ ନିମ୍ନଦେଶରେ ଥିବା ବ୍ୟକ୍ତି ଜଣକ ହିଁ ବୋଧହୁଏ ଉପର ଶ୍ରେଣୀ ବିଷୟରେ ଜାଣିବାକୁ ବିଶେଷ ଆଗ୍ରହ ରଖେ । ଯେମିତି କି ସ୍ୱପ୍ନ ଦେଖେ ଯେ ସେ ବି ଦିନେ ଶୀର୍ଷରେ ପହଞ୍ଚି ପାରିବ । ନିଜ ଆର୍ଥିକ ତଥା ସମାଜିକ ସ୍ଥିତିରେ ସୁଧାର ଆଣିବ । ଭଲ ହେଲା! ତା ବିଷୟରେ କେହି ଅଧିକ ମୁଣ୍ଡ ଖେଳାଇଲେ ଭଲ ଲାଗେନି । ଏହି ପ୍ରକାରର ଅଯଥା ଆଗ୍ରହ ନଥିଲେ ହିଁ ଭଲ । ଦିଲ୍ଲୀର ସେହି ଗୁଜୁରାଟି ପରିବାରର ଗର୍ବୀ ମାଡାମ୍ ତାକୁ କେତେ କ’ଣ ଗୁରେଇ ତୁରେଇ ପଚାରନ୍ତି, କେତେ ଥର ସେ ଆଡେ଼ଇ ଯାଇଛି ତ କେତେଥର ମିଛ କହିବାକୁ ବାଧ୍ୟ ହେଇଛି । ଆଉ ତାଙ୍କ ଦିଅର ବି, ଅଯଥାରେ ଘନିଷ୍ଠ ହେବାକୁ ଆଗ୍ରହ ତ ଅକାରଣେ ତା ଦେହକୁ ଛୁଇଁବାର ଚେଷ୍ଟା । “ବୋଧହୁଏ ମୁଁ ଟିକିଏ ଅସ୍ୱାଭାବିକ, ନହେଲେ ଆଉ କେଉଁ ଝିଅ ହେଇଥିଲେ ପରିସ୍ଥିତିରୁ ଲାଭ ଉଠାଇଥାଆନ୍ତା । ଏକ ଧନୀ ସୌମ୍ୟ ଯୁବକର ସାନିଧ୍ୟ ପାଇଁ ପ୍ରେମର ମିଛ ଜାଲ ବିଛାଇପାରିଥାଆନ୍ତା । ପୁଣି ଯଦି ପ୍ରତାରଣାର ଶିକାର ହେଇଥାଆନ୍ତା ତ ……ସେତେବେଳେ ଦେଖାଯାଇଥାଆନ୍ତା । କେତେ କୌଶଳରେ ସେ ବଂଚିଛି କୁତ୍ସିତ ନଜରରୁ ଆଉ କୌଣସି ଅବାଂଚିତ ଘଟଣାରୁ…… । ସେଠା କାମ ଛାଡ଼ିବାର ଏହା ଅନ୍ୟତମ କାରଣ ।”

ସେ ,ଏକ ନୁଡ଼ୁଲସ୍ ପ୍ୟାକେଟ ଖୋଲିଲା । ଆଜି କିଛି ଅଲଗା କରି ଖାଇବା ପାଇଁ ଇଛା । ନା, ଥାଉ.. ବାହାରକୁ ଯାଇ ଛକ ଉପରେ ଆଲୁଦମ୍ ଓ ଦହିବରାବାଲାଠୁ କିଛି କିଣିଆଣିବ । କେତେ ଯୁଗ ବିତିଗଲାଣି…. ସାଙ୍ଗମାନଙ୍କ ସହିତ ଚାଟ୍ ଦହିବରା ଖାଇବାର ସେ ସବୁ ସ୍ମୃତି କେତେ ଅପାସୋରା ! କିଛି ସମୟ ପାଇଁ ନିଜର ଆର୍ଥିକ ଦୁରବସ୍ଥା, ଦ୍ୱିଧା, ସବୁ ଭୁଲିଯାଉଥିଲା ସେ ।

କେବଳ ତା’ ରୁମ ଓ ବୈଠକଖାନା ଖୋଲା, ଅନ୍ୟ ସବୁ ରୁମ୍‌ରେ ତାଲା । ସେ କ’ଣ ଚୋର କି? ସେ ଏକ ଲାଲ୍ ସୂତା ରିଲରୁ ଲମ୍ବା ସୂତା ଖଣ୍ଡେ କାଟି ଗଣ୍ଠି ପକାଇବାକୁ ଲାଗିଲା ।

ଏକ..ଦୁଇ..ତିନି……ଡାଇନିଂ ଟେବୁଲରେ ବସି ସେ ଆଲୁଦମ୍ ଓ ଦହିବରାର ମିଶ୍ରଣକୁ ସେ କେତେବେଳୁ ଖାଇ ସାରିଲାଣି  ତା’ର ମନେ ନାହିଁ….ସେ ସେମିତି ବସିଥିଲା….ଅନାବନା ଚିନ୍ତାର ଘେରରେ ସେ ଛନ୍ଦିହେଇ ଯାଉଥିଲା ।

ସେ ବହୁତ ପରିଶ୍ରମ କରିବ । “ମାଲିକଙ୍କୁ ଅଭିଯୋଗ କରିବାର ସୁଯୋଗ ଦେବିନି । ମାଡାମ୍ ଯାହା ବି କୁହନ୍ତୁ ସେ ଜାଣେ ବନ୍ଧୁବାନ୍ଧବ ସାଙ୍ଗସାଥି କେବେ ବିପଦ ବେଳେ ଏତେ ତ୍ୟାଗ କରିବେନି ଯେମିତି କି ମୁଁ କରିପାରିବି । ନ’ ହେଲେ ମାଡାମ୍‌ଙ୍କ ଶାଶୁ କାହିଁକି ଏଠି ରହୁନାହାନ୍ତି । ଚିନୁକୁ ତ ଟିକେ ଦେଖାଦେଖି କରିପାରିବେ । କେତେବେଳେ ନିଜ ସାନପୁଅ ପାଖକୁ ସିଙ୍ଗାପୁର ତ ଆଉ କେତେବେଳ ଝିଅ ପାଖକୁ ଦିଲ୍ଲୀ । ତାଙ୍କୁ ଯେମିତି ଗୋଟିଏ ଜାଗାରେ ରହି କୌଣସି ଦାୟିତ୍ୱ ମୁଣ୍ଡାଇବା ପସନ୍ଦ ନୁହେଁ । ସେଥିପାଇଁ ତ ତାଙ୍କ ସ୍ୱାମୀଙ୍କୁ ଏକୁଟିଆ ଛାଡ଼ି ସେ ଦେଶ ବିଦେଶ ଘୁରିବୁଲୁଛନ୍ତି, ଜୀବନର ମଜ୍ଜା ଉଠାଉଛନ୍ତି । ସେ ଦିନ ତ ସାର୍ କହୁଥିଲେ ତାଙ୍କ ବାପାଙ୍କୁ ଏଠାକୁ ନେଇଆସିବାକୁ । ବାପାଙ୍କୁ ଏ ବୟସରେ ଏକା ଛାଡ଼ିବା ଠିକ୍ ନୁହେଁ ବୋଲି । ତାଙ୍କ ବାପା ବି ବିଚିତ୍ର ! ଗାଁ ତ ନୁହେଁ ଛୋଟ ସହରଟିରେ ନିଜ ସମ୍ପତ୍ତି ବାଡ଼ିକୁ ଭୂତ ଭଳି ଜଗିବସିଛନ୍ତି । “ଏମିତି ଅଯଥା ଆସକ୍ତି ବା ଅବ୍‌ଶେସନ ନିଜ ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ।” ବୋଊର ଚିକିତ୍ସା ଅବସରରେ ପରାମର୍ଶ ଦେଇଥିଲେ ସେ ଡାକ୍ତରଜଣକ । ବୋଧହୁଏ ତାକୁ ଲକ୍ଷ୍ୟ କରି । ଜାଜନିକା ବ୍ୟତିବ୍ୟସ୍ତ ହେଇ ଉଠୁଥିଲା । ସେ ଯଦି କିଛି କରି ପାରନ୍ତା…ଏହି ପରିବାର ପାଇଁ….

ବେଳେବେଳେ ସାର୍‌ଙ୍କର ତାଗିଦ୍ ତାକୁ ଅସ୍ୱସ୍ତିକର ବୋଧହୁଏ । କେବେ କେବେ ତା କାମରେ ବହୁତ ଖୁସି ଥିଲା ପରି ମନେ ହୁଅନ୍ତି ତ ଆଉ କେବେ ତାକୁ ଯେମିତି ସନ୍ଦେହ କରନ୍ତି । କାଳେ ସେ ଖାମଖିଆଲି ହେଇ କାମ କରିବ, କିଛି ଜିନିଷ ଚୋରାଇ ନେବ କି ଅଯଥା କୌଣସି ଜିନିଷ ଖର୍ଚ୍ଚ କରିବ ଇତ୍ୟାଦି ଇତ୍ୟାଦି ନକରାତ୍ମକ ମନୋଭାବ । ମାଡାମ୍ କେବେ ତାଙ୍କ ସ୍ୱାମୀଙ୍କ କଥାକୁ ସମର୍ଥନ କରନ୍ତି ତ କେବେ ବିରୋଧ । ବେଳେ ବେଳେ ତାହାର ଅହେତୁକ ଆଗ୍ରହ ଆଉ ଅତି ମାତ୍ରାରେ ସେବା ମନୋବୃତ୍ତି ତାଙ୍କର ପସନ୍ଦ ହୁଏନି ବୋଧହୁଏ….. ।

ତା’ର ଗେଟଅପ୍‌ରେ କିଛି ପରିବର୍ତ୍ତନ ଆସିବା ଜରୁରୀ । କେତେ ଟଙ୍କା ସଂଚିଲାଣି । ଦିଆସିଲି ଖଣ୍ଡେ ଜଳାଇ, ନିଜ ପର୍ସରୁ ଦଶ ଟଙ୍କାଟିଏ କାଢି ଅଗରେ ଲଗାଇଲା । ନା ! ଚମକି ପଡ଼ି ନୋଟଟିକୁ ଫୁଙ୍କି ନିଆଁ ଲିଭାଇଦେଲା । ନୋଟଟିକୁ ହାତରେ ଧରି ମକଚିବାକୁ ଲାଗିଲା । ଏତେ ଟଙ୍କା କ’ଣ ହେବ? ସେ ବୋଧେ ବହୁତ ଦରମା ନେଉଛି । ସେଦିନ ମାଡାମ୍ କହୁଥିଲେ, ଦରମା ବଢାଇବା କଥା । ସେ ତାଙ୍କୁ ମନା କରିବ । ଏବେ ଯାହା ପାଉଛି ସେତିକି ଯଥେଷ୍ଟ । ସେମିତି ତ କିଛି ବେଶି କାମ ନୁହେଁ । ମାଡାମ୍‌ଙ୍କ ମତ, ନ୍ୟାୟୋଚିତ ପ୍ରାପ୍ୟଠୁ କମ୍ ଦରମା ଦେଇ କାହାକୁ ଶୋଷଣ କରିବାକୁ ସେମାନେ ଚାହାନ୍ତିଁନି । କିନ୍ତୁ ସେ ଏ କ’ଣ କରୁଛି?  ତା’ର ନହେଲା ନାହିଁ ତା’ ବୋଉ ପାଇଁ ତ ଦରକାର । ଅଯଥା ଖର୍ଚ୍ଚ ସେ କରେନା । ପର୍ବପର୍ବାଣୀ ଅବା କୌଣସି ଅନ୍ୟ ଅବସରରେ ଯେଉଁ ପୋଷାକ କି ଜିନିଷପତ୍ର ମିଳେ ସେଥିରେ କାମ ଚଳାଇ ନିଏ ।

ଏବେ ସେ କେବଳ ନିଜ ପାଇଁ କିଛି କରିବ । ସେ କେତେଥର ଲକ୍ଷ୍ୟ କରିଛି  ତା’ର ଅତି ସାଧାରଣ ବେଶପୋଷାକ ପାଇଁ ସାର୍ ମ୍ୟାଡ଼ାମ୍ ନିଜ ବନ୍ଧୁବାନ୍ଧବ, କିମ୍ବା ଆଗନ୍ତୁକ ଆଗରେ ଯେମିତି ସଂକୋଚ ଅନୁଭବ କରନ୍ତି । ନା.. ବୋଧହୁଏ ତାକୁ ସେମିତି ଲାଗେ । ସେ ଯାହା ହେଉ..ଏଥର ମାଡାମ୍ ସପିଂ ପାଇଁ ଗଲେ ସେ ନିଜ ପାଇଁ କିଛି କିଣିବ ।

xxxxxxxxxx

– ବାଃ ମାଡାମ ଏଇ ଡ୍ରେସ୍‌ ଟା ତ କେବେ ପିନ୍ଧିନାହାନ୍ତି । ଏହି ସୁନ୍ଦର ପିଙ୍କ ଡ୍ରେସ୍‌ଟି… । ପୋଷାକପତ୍ର ଚଉତାଚଉତି କରି ଆଲମିରାରେ ରଖିବାବେଳେ  ତା’ର ଦୃଷ୍ଟି ଅଟକିଲା  ତା’ର ପ୍ରିୟ ଗୋଳାପୀ ରଙ୍ଗ ଉପରେ ।

– ସେଥିରେ ନିଆଁ ଝୁଲ ଲାଗି ଟିକେ କଣା ହେଇଯାଇଛି ତ …

– ମୁଁ ତ ଏମିତି କେତେ କଣା, ଫଟା ଡ୍ରେସ୍‌ ପ୍ୟାଚ କରି ପିନ୍ଧିଛି….ଏଇଟା ତ ଅତି ମାମୁଲି.., ପିନ୍ଧିଥିବା ନିଜ ଡ୍ରେସ୍‌ଟିର କଣା ଜାଗାକୁ ଦେଖି ସେ ମନେ ମନେ ହସିଲା ।

– ଏଇଟା ତୁମେ ନେଇଯାଅ ଜାଜନିକା..ଅଯଥା ପଡ଼ି ରହିଛି । ଯାଅ, ଏଇଟିକୁ ପିନ୍ଧି ଆସ ତ ..ଦେଖିବା ତୁମକୁ କେମିତି ସୁଟ୍ କରୁଛି । ଏମିତି ତ ଅନେକ ଡ୍ରେସ୍‌ ପଡ଼ିରହିଛି… ମୁଁ ତୁମକୁ କିଛି ଦେଇଦେବି….

“କାହାର ପୁରୁଣା ଡ୍ରେସ୍‌ ସେ ଆଜି ପର୍ଯ୍ୟନ୍ତ କେବେ ପିନ୍ଧିନି । ଏହା ଏକ ପ୍ରକାରର ଅପମାନ ନୁହେଁ କି?;….. ଟିକେ ପ୍ରଶଂସା କରିଦେଲି କ’ଣ ଜିନିଷ ପ୍ରତି ଲୋଭ ରଖି? କିନ୍ତୁ କ୍ଷତି କ’ଣ? ମାଡ଼ାମ୍ ତ ତାକୁ ନିଜ ଭଉଣୀ ଭଳି ଦେଖୁଛନ୍ତି,” ସେ ନିଜକୁ ନିଜେ ସାନ୍ତ୍ୱନା ଦେଲା ଓ ଡ୍ରେସ୍‌ଟିକୁ ଆଗ୍ରହର ସହ ଧରି ଭିତରକୁ ଗଲା ।

-ଆରେ ନିକା ତୁମେ ତ ବହୁତ ସୁନ୍ଦର ଦେଖାଯାଉଛ । ….ଚାଲ କିଛି ସପିଂ କରି ଆସିବା । ମୁଁ ଯାଉଛି ଗାଡ଼ି ବାହାର କରିବି । ତୁମେ ଚିନୁକୁ ନେଇ ତଳକୁ ଆସ ।

ସେଦିନ ଥିଲା ରବିବାର…..ସପିଂ ମଲରେ ବହୁତ ଗହଳି…କେତେ ଡ଼ିଜାଇନର ବେଶ ପୋଷାକରେ ଯୁବକ, ଯୁବତୀ, ପୌଢ ବି । ଏଠିକି ଆସିଲେ ତା ଆଖି ଖୋସିହେଇଯାଏ । ପୁଣି ଯେମିତି ତା ଶ୍ୱାସ ରୁନ୍ଧି ହେଇଗଲା ପରି ଲାଗେ, ସେ ଯେମିତି ବାଟବଣା ହେଇଯିବ ଭିଡ଼ର ଏହି କୁହେଳୀ ଭିତରେ । ତେଣୁ ସେ ପ୍ରାୟ ପ୍ରୀତିର ପାଖେ ପାଖେ ରୁହେ ।

ପ୍ରୀତି ପାଖାପାଖି ୭୦୦୦ ଟଙ୍କାର ଡ୍ରେସ୍‌‌, ଶାଢୀ ଆଉ କିଛି ପ୍ରସାଧନ ସାମଗ୍ରୀ କିଣିଲା । ବାହାରକୁ ଆସିଲା ବେଳକୁ ଦିନ ଗୋଟାଏ । କିଛି ଫଳ କିଣିବା ପାଇଁ ସେମାନେ ଏକ ଠେଲା ଗାଡ଼ି ପାଖକୁ ଗଲେ । “ସେଠି ତ ଫଳ ମିଳୁଥିଲା ମାଡାମ୍ …ଏଠି କାହିଁକି…” । ଚିନୁ ଘରକୁ ଫେରିବା ପାଇଁ ବ୍ୟସ୍ତ ହୋଇ ଉଠୁଥିଲା । ସେ ବି ବୁଲିବୁଲି ଥକିପଡ଼ିଥିଲା । କଳା ମେଘ ବି ଘୋଟିଆସିଲାଣି ଆକାଶରେ । ଅନ୍ଧାର ହେଇ ଆସୁଛି । ପବନର ବେଗ ବି ଜୋର ଧରିଲାଣି, କାଳବୈଶାଖୀର ଆଭାସ୍ । ଯାନବାହାନଗୁଡ଼ିକ ନିଜ ନିଜର ହେଡ଼ ଲାଇଟ ଜଳାଇ ଦ୍ରୁତ ଗତିରେ ଯାତଆତ… ।

– ସେଠି ମୂଲଚାଲ କରିହେବନି…ତେଣୁ…..,ପ୍ରୀତି ସଂକ୍ଷିପ୍ତ ଉତ୍ତର ଦେଲା ।

ପର୍ସରୁ ଟଙ୍କା କାଢିବାର ଅବସରରେ ପ୍ରୀତି ଚିନୁକୁ କୋଳରୁ ଓହ୍ଳାଇଦେଇଥିଲା । ଚିନୁ ଟୁକୁରୁ ଟୁକୁରୁ ଚାଲିଯାଇ ରାସ୍ତା ମଝିରେ ପହଞ୍ଚି ଗଲାଣି । ସେତେବେଳେ ଅବଶ୍ୟ ଯାନବାହାନ ଚଳାଚଳ କମି ଯାଇଥିଲା । ଜାଜାନିକା ସବୁ ଦେଖି ବି କିଛି ନଜାଣିବା, ନଦେଖିବା ପରି ଠିଆ ହେଇରହିଥିଲା । ଚିନୁ ରାସ୍ତା ମଝିକୁ ଆସିଗଲାଣି । ଠିକ୍ ସେତିକି ବେଳେ ହେଡ଼ ଲାଇଟ ଜଳୁନଥିବା ଏକ ସ୍କର୍ପିଓ ଦ୍ରୁତ ଗତିରେ ମାଡ଼ି ଆସିଲା । ସେ ଚିନୁ ଚିନୁ କହି ଦୌଡ଼ିଗଲା ତ ପ୍ରୀତି ଚମକି ପଡ଼ି ପଛକୁ ଚାହିଁ କିଂକର୍ତ୍ତର୍ବ୍ୟବିମୂଢ ହେଇଗଲା । ମାତ୍ର ଦୁଇ ସେକେଣ୍ଡ ପରେ ପ୍ରକୃତିସ୍ଥ ହେଇ ସେ ଆଗକୁ ଦୌଡ଼ିଲା । ସେତେବେଳେ ବହୁତ ଲୋକ ରୁଣ୍ଡ ହେଇସାରିଥିଲେ । ବର୍ଷାର କିଛି ବୁନ୍ଦା ତା ଉପରେ ପଡ଼ିଲା । ଚିନୁ ଚିନୁ ଚିତ୍କାର କରି ଭିଡ଼ ଠେଲି ଆଗକୁ ମାଡ଼ିଗଲା ପ୍ରୀତି । ଘଡ଼ଘଡ଼ି, ବଜ୍ରପାତ ଓ ବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକ ଗହଳି କମିବାରେ ଲାଗିଲା । ଦେଖିଲା… ଜାଜନିକା ତଳେ ପଡ଼ିଛ ରହିଛି, ରକ୍ତ ଜୁଡ଼ୁବୁଡ଼ୁ , ନିର୍ଜୀବ ଲାଗୁଛି ; ଅକ୍ଷତ ଚିନୁ କାନ୍ଦୁଛି, ଜାଜନିକା ଦେହର ଚାପ ତଳୁ ମୁକ୍ତ ହେବାର ଚେଷ୍ଟାକରୁଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top