ଗଳ୍ପ

କାନ୍ଦୁରୀ ବୁଢ଼ୀର ଶେଷ ହସ

Dr Bibhuti Pattanaik's odia story Kaanduri Budhira Shesha Hasa

ମୁଁ ବଞ୍ଚିଥିଲା ଯାଏ ତତେ ପୋତା ଧନର ଠିକଣା କହିଦେବି । ଟଙ୍କା ବାକ୍ସର କଞ୍ଚି ତତେ ଦେଇ ଦେବି । ତୁ ଯୋଗନୀଖିଆ, ବାଡ଼ିପଶା, ହେଡ଼ାଖିଆ, ତା ପରେ ଛପା ଅଯୋଗ୍ୟ ଅଶ୍ଳୀଳ ଗ୍ରାମ୍ୟ ବଚନିକା

କାନ୍ଦୁରୀ ବୁଢ଼ୀର ଶେଷ ହସ

-: ପୂର୍ବରୁ :-

ଲାବଣ୍ୟ ବାହା ହୋଇ ନଛିପୁର ଚାଲିଗଲା ପରେ ଅକ୍ଷିବୋଉର କାନ୍ଦ ବନ୍ଦ ହୋଇଗଲା । ଆରମ୍ଭ ହେଲା ସମ୍ପାକଟା, ଗାଳି ଗୁଲଜ, ଅଶ୍ରାବ୍ୟ, ଅଶ୍ଳୀଳ ଗ୍ରାମ୍ୟଗାଳି । ରାତି ପାହିବା ଆଗରୁ କିଏ ତା’ର ନିଦ ଭାଙ୍ଗିଦିଏ । ତା’ ଭାତ ହାଣ୍ଡିକୁ କିଏ ଓଲଟାଇ ପକାଇ ତାକୁ ଉପାସ ରଖେ । ପୁଣି ତା’ର ଛୁଇଁଭର୍ତ୍ତି ସଜନା ଗଛରେ ଚଢ଼ି ଡାଳ ଭାଙ୍ଗିଦିଏ ।

କିଏ ?

କିଏ ତା’ର ଅଗଣାରେ ଦଉଡ଼ିରେ ଶୁଖିଥିବା ତା’ର ଶାଢ଼ିକୁ ଉଡ଼ାଇ ନେଇ ଟୁବ୍ ଗାଡ଼ିଆରେ ପକାଇ ଦିଏ ।

ବୁଢ଼ୀ ପଚାରିଲେ ସେ କିଛି ସଠିକ୍ ଉତ୍ତର ଦେଇପାରେ ନାହିଁ ।

ମୋ ସାଙ୍ଗରେ କିଏ ସେ ଅଦ୍ଭୁତ କରୁଛି ମୁଁ କେମିତି ଜାଣିବି । ମୋ ଆଖିରେ ପରଳ ମାଡ଼ିଗଲାଣି । କିଛି ଦିଶୁ ନାଇଁ, କାନକୁ ଭଲ ଶୁଭୁ ନାଇଁ । ମୋର ଆଖି ଅଛି- ମୁଁ କିଛି ଦେଖିପାରୁ ନାହିଁ । ମୋର କାନ ଅଛି- କିଛି ଶୁଣାଯାଉ ନାଇଁ ।

ବେଳକାଳ ଉଣ୍ଡି ସେ ଝର୍କା, କବାଟ ଧଡ଼ଧାଡ଼ ଖୋଲି ଭିତରକୁ ପଶି ଆସୁଛି । ପଚାରୁଛି-କୋଉଠି-ପୋତି ରଖିଛ ସୁନା ଗହଣା, ରୂପା ଗହଣା । କୋଉ ବାକ୍ସରେ ଲୁଚାଇ ରଖିଛ- ପାଞ୍ଚଲକ୍ଷ ଟଙ୍କା ।

ମତେ ସୁନା ଗହଣା, ଟଙ୍କା ଦିଅ ମୁଁ ଚାଲିଯିବି । ଆଉ ତମକୁ ହଇରାଣ କରିବାକୁ ଆସିବି ନାଇଁ ।

ତୋର ଏଡ଼େ ସାହସ । ମୁଁ ବଞ୍ଚିଥିଲା ଯାଏ ତତେ ପୋତା ଧନର ଠିକଣା କହିଦେବି । ଟଙ୍କା ବାକ୍ସର କଞ୍ଚି ତତେ ଦେଇ ଦେବି । ତୁ ଯୋଗନୀଖିଆ, ବାଡ଼ିପଶା, ହେଡ଼ାଖିଆ, ତା ପରେ ଛପା ଅଯୋଗ୍ୟ ଅଶ୍ଳୀଳ ଗ୍ରାମ୍ୟ ବଚନିକା ।

ସାଇପଡ଼ିଶା ଲୋକ କାନ୍ଦୁରୀ ବୁଢ଼ୀର ସେ ଅଶ୍ରାବ୍ୟ ଗାଳି ଶୁଣି କାନରେ ହାତ ଦେଇ ଦିଅନ୍ତି । ଅଦୃଶ୍ୟ ଶତ୍ରୁ ଉଦ୍ଦେଶ୍ୟରେ ବୁଢ଼ୀର ସେଇ ଅସହ୍ୟ ଅଶ୍ଳୀଳ ଗାଳି ପରିବେଶକୁ ଦୂଷିତ କରିଦିଏ ।

ମଧୁପୁର ଗାଆଁ ଲୋକେ କାନ୍ଦୁରୀ ବୁଢ଼ୀର ସେ ଅଶ୍ରାବ୍ୟ ଗାଳିର ପ୍ରତିବାଦ କରିପାରନ୍ତି ନାହିଁ । କଲେ ମଧ୍ୟ ସେ ଶୁଣିବ ବୋଲି କାହାରି ବିଶ୍ୱାସ ହୁଏ ନାହିଁ ।

ବୁଢ଼ୀ ପୁତ୍ର-ଶୋକ ସହ୍ୟ କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଛି । ସେ ପାଗଳୀ ହୋଇଯାଇଛି । ପାଗଳିନୀ ପାଖରେ ପ୍ରତିବାଦ କରିବାର କିଛି ମାନେ ହୁଏ ନାଇଁ ।

କିନ୍ତୁ ହଠାତ୍ ଦିନେ ସକାଳୁ କାନ୍ଦୁରୀ ବୁଢ଼ୀର ପାଟିତୁଣ୍ଡ ଆଉ ଶୁଣାଗଲା ନାହିଁ । ନା କାନ୍ଦ, ନା ଗାଳି, ବୁଢ଼ୀର ସେ ନିରବତା ମଧୁପୁର ଗ୍ରାମବାସୀମାନଙ୍କୁ ତଟସ୍ଥ କରିଦେଲା । ଯେଉଁମାନେ ତା’ର ବୁକୁଫଟା କାନ୍ଦଣା ଏବଂ ଅଶ୍ରାବ୍ୟ ଗାଳି ଶୁଣି ବିରକ୍ତ, ଅତିଷ୍ଠ ହୋଇ ଉଠିଥିଲେ- ତା’ର ଆକସ୍ମିକ ନିରବତା ସେମାନଙ୍କୁ ଶଙ୍କିତ ଓ ଆଚମ୍ୱିତ କରିଦେଲା ।

କାନ୍ଦୁରୀ ବୁଢ଼ୀର କଅଣ ହେଲା ଜାଣିବା ପାଇଁ ସେମାନେ ଆଖି, କାନ ଖୋଲା ରଖି ଧୀରେ ଧୀରେ ତା’ ଘର ବାରଣ୍ଡା ଉପରକୁ ଉଠି ଆସିଲେ ।

ବୁଢ଼ୀ ଦାଣ୍ଡପିଣ୍ଡାରେ ମସିଣାରେ ଶୋଇଥିଲା । ତା’ର ନିଶ୍ୱାସ ପ୍ରଶ୍ୱାସର ଗତି ଖୁବ୍ ଶିଥିଳ ଜଣା ପଡୁଥିଲା ।

ଲାବଣ୍ୟର ବାପା ପଧାନ ବୁଢ଼ା ବୁଢ଼ୀ କାନ ପାଖକୁ ମୁହଁ ନେଇ ଡାକିଲା- “ସମୁଦୁଣୀ ! ସମୁଦୁଣୀ !”

ବୁଢ଼ୀ ବଡ଼ କଷ୍ଟରେ ଆଖି ପତା ଖୋଲିଲା ।

ଖୁବ୍ ଧୀରେ ଧୀରେ- ଫିସ୍‌ଫିସ୍ କରି କହିଲା, “ପଠାଣଭୂତକୁ କାଲି ଟଙ୍କା ବାକ୍ସ ଚାବି ଦେଇ ଦେଲି । ସେ କହିଛି- ମତେ ମୋ ପୁଅ ପାଖକୁ ନେଇଯିବ ।”

ପୁଅ ପାଖକୁ ଯିବା କଥା କହିଲାବେଳେ କାନ୍ଦୁରୀ ବୁଢ଼ୀ ମୁହଁରେ ଚିରୁଡ଼ାଏ ହସ ଚହଲି ଆସି ସ୍ଥିର ହୋଇଗଲା ।

ବୁଢ଼ୀର ଆଖିପତା ବୁଜି ହୋଇଗଲା, ନିଶ୍ୱାସ ପ୍ରଶ୍ୱାସ ବନ୍ଦ !

ଲୋକପ୍ରିୟ ଲେଖା

To Top