ଗଳ୍ପ

ମୁଛତଳ ହସ

Laxmidhara Nayak's odia story Muchatala Hasa

ମଦୁଆ ପାଇଁ ମଦ ବୋତଲ ଯେମିତି. . . ଯୋଉ ଲେବୁଲ୍ ଲାଗିଥାଉ. . . ୟା’ଙ୍କ ପାଇଁ, ପର ଘରର ଝିଅ ବୋହୂ ସେମିତି, ଯୋଉ ଜାତିର ହେଇଥାଉ । ଉଚ୍ଚ-ନୀଚ, ଜାତି-ଗୋତ୍ରର ମାନେ କିଛି ନାହିଁ ।

ମୁଛତଳ ହସ

-: ପୂର୍ବରୁ :-

ନଣ୍ଡା ଦାସ କହିଲା- “ଆଜ୍ଞା, କହ୍ନିଆ ପୂରା ଭିଡ଼ିକି ଧରିଥାଏ, ନୂରିଆକୁ । ମୋଟେ ଛାଡୁନଥାଏ । ବର. . . କି ବାପଘର ଲୋକେ ଯେତେ ଟାଣିଲେ, ମୋଟେ ହୁଙ୍କିଲା ନାହିଁ ।” ଚିଲ୍ଲେଇ ଚିଲ୍ଲେଇ କହିଲା- “ଯିଏ ଇଜ୍ଜତ ନ ଦେଇ, ଇଜ୍ଜତ ନିଏ. . . ସେଇଟା ତା’ ଶତ୍ରୁ । ମଦ ପାଇଁ ଦିନେ ତାକୁ ସେ ବିକି ଦେଇପାରେ । ମଦ ପାଇଁ ତା’ ସଧବା କାଚକୁ ବି ହାତରୁ କାଢ଼ି ନେଇପାରେ । ଯିଏ ତା’ ନିଜ ଜୀବନକୁ ପାଣି ଛଡ଼ାଇ, ତାକୁ ମରଣ ମୁହଁରୁ ଉଦ୍ଧାର କରେ, ସେ ତା’ ପାଇଁ ଶତ୍ରୁ ନୁହେଁ. . . ତା’ ସ୍ୱାମୀ ! ଯାହା ବି ଘଟିଯାଉ ଜୀବନରେ. . . ସେ ନିଜ ସ୍ତ୍ରୀପଣକୁ କଳଙ୍କ ଲାଗିବାକୁ ଦେବ ନାହିଁ ।” ରହି ରହି ପୁଣି କହିଲା ସେ କହ୍ନିଆ- “ମତେ ଯଦି କେହି ମୋ ସ୍ୱାମୀଠାରୁ ଛଡେ଼ଇନବାକୁ ଚାହିଁବ. . . ଏଥର ମୁଁ ଗୋଡ଼ ହାତରେ ଦଉଡ଼ି ବାନ୍ଧି ନଈକୁ ଡେଇଁ ପଡ଼ିବି. . . ।”

ଏତିକିରେ ସମସ୍ତେ ଚୁପ୍. . . ।

କହ୍ନିଆ ଭାଇ କହିଲା- “ଏ ଟୋକା ! ତୋ ନାଁ କ’ଣ ? ଜାତି କ’ଣ ? ଘର କୋଉ ଗାଁ ? ତୋ ବାପା ବୋଉ କିଏ ? ପାଠ କେତେ ପଢ଼ିଚୁ ?”

ନୂରିଆ କହିଲା- “ତା’ ନାଁ ନୂରିଆ, ତା’ ଜାତି ବାଉରି । ସେ ସାମନ୍ତରାପୁର ଚନ୍ଦନସାଆନ୍ତଙ୍କ ନାଗମୂଲିଆ । ବାପା ମାଆ ମରିଯାଇଥିବାରୁ, ସେଇ ସାଆନ୍ତେ ତାହାର ବାପ ମାଆ । ସେ ମୋଟେ ପାଠ ପଢ଼ିନାହିଁ ।”

ଏତିକିରେ ଆଜ୍ଞା ସବୁ ନିଶାପ ରଫା. . . ।

କହ୍ନିଆ ଭାଇ ମତ ଦେଲା- “ନିଜ ଜାତି । ବଡ଼ଲୋକଙ୍କ ଆଶ୍ରାରେ ଅଛି । ସେ ବି ଏକୁ ପୁଅ ପରି ଦେଖୁଥିବେ । ଅସୁବିଧା କିଛି ନାହିଁ । ମୋ ଭଉଣୀ ଚନ୍ଦନ ସାଆନ୍ତଙ୍କ ବୋହୂ ପରି ଶାନ୍ତିରେ ରହିବ । ନୂରିଆକୁ ଆଉଥରେ ବାହାହେବ ମୋ ଭଉଣୀ । ସ୍ୱାମୀ ନ ପଢୁ. . . ସ୍ତ୍ରୀ ତ ବହୁତ ପଢ଼ିଛି ।”

ଏତିକି ନିଷ୍ପତ୍ତିରେ ଶିଶୁପାଳବର ମାରିଲା ଧକାଏ ନୂରିଆକୁ ଯେ. . . ସେ ନଈ ଅତଡ଼ାକୁ ଖସି ପଡୁଥିଲା. . . ତା’ ହାତ ଧରି ଉପରକୁ ଭିଡ଼ି ଆଣିଲା- ଏ କହ୍ନିଆ । ଭାରି ସାହାସୀ ଆଜ୍ଞା. . . ।

ନୂରିଆ ଆସିଲା ଉପରକୁ, ଧରିଲା ଠେଙ୍ଗା, ପିଟିଲା ପିଟିଲା ସେ ବର ସହିତ ଦଶବାରଟାଙ୍କୁ ଯେ. . . ଜଖମ୍ କରିଦେଲା । ତା’ପରେ ଆଜ୍ଞା. . . ଆପଣ ସାଆନ୍ତେଙ୍କ ଟ୍ରକ୍‌ରେ. . . ଘୁଷୁରୀ, ଡାଲି, ଚାଉଳ, ପରିବା, ଚିନି, ମସଲା ଆଉ କାଠ. . . ସବୁ ସହିତ ଭଉଣୀକୁ ଧରି, ତା’ ଭାଇ ଏଠି ଛାଡ଼ିଗଲା ଆଜ୍ଞା. . . ।

ଆମେ ପଚାରିଲୁ- “ନୂରିଆରେ ! ଏତେ ପିଟାପିଟି କଲୁ, ସବୁବେଳେ ସାଆନ୍ତଙ୍କ କାମରେ ସହର ଯାଉଚୁ. . . କିଛି ଅସୁବିଧା ହବ କି’ରେ ?”

କହିଲା- “ମୋର ସାଆନ୍ତେ ଅଛନ୍ତି. . . ।”

ହଠାତ୍ ପଦିଆ କହିଲା- “ବୁଝିଲୁ ତ. . . । ଏଠି ବି ସାଆନ୍ତଙ୍କ ନାଁର କରାମତି । କହ୍ନିଆର ଭାଇ ସାଆନ୍ତଙ୍କ ନାଁ ଶୁଣି, ନୂରିଆକୁ ଭଉଣୀ ଦେଲା । ବୁଝିବାକୁ ଗଲେ. . . କହ୍ନିଆ ନୂରିଆକୁ ନୁହେଁ, ସାଆନ୍ତଙ୍କୁ ମିଳିଛି ।”

ଠୋ କରି ଚଟକଣା ଲଗେଇ ଦେଲେ ସାଆନ୍ତେ- ପଦିଆ ଗାଲରେ ।

ପଚାରିଲେ- “କ’ଣ କହିଦେଲୁରେ ମୂର୍ଖ ? ପଇତାଟା ମାରା କରିଦେଲୁ ।”

ପଦିଆ ଏମିତି ଦାନ୍ତ ନେଫିଡ଼ି ନିଃଶବ୍ଦରେ ହସିଲା, ବୁଝି ହେଲାନି-

ସାଆନ୍ତେ ତାକୁ ମାରିଲେ, କି ଗେଲ କଲେ । ପଦିଆ ଗାଲ ନାଲି ପଡ଼ି ସାରିଥିଲା, ଶକ୍ତ ଚାପୁଡ଼ା ଖାଇ. . . ସାଆନ୍ତଙ୍କ ମୁହଁ କିନ୍ତୁ, ମାଡ଼ ଦେବା ପରେ, ନାଲି ପଡ଼ିଗଲା । କାହିଁକି କେଜାଣି, ତାଙ୍କର ବୃଦ୍ଧବାହୁ ଦୁଇଟା ଥରେ ଦୁଇଥର ଛଟ୍ ଛଟ୍ ହେଲେ । ଧଳା ମୁଛ ଫୁଲିଉଠିଲା ମୂଳରୁ । ସୁନା ଖୋଳ ଲଗା ଛାମୁ ଦାନ୍ତ ଦୁଇଟା ଚକ୍ ମକ୍ ହେଇ ଦିଶିଲେ । ଓଠ ସନ୍ଧିରେ କ୍ଷୀଣ ହସଧାରେ ଚହଟି ଉଠିଲା । ସେ ନୂରିଆଘର ଝରକା ଆଡେ଼ ଥରେ ଚାହିଁଦେଇ, କହିଲେ- “ପଚାର ବେ. . . ଝିଅଟାର ବାପଘର କେଉଁ ଗାଁରେ ? ତା’ ନାଁ କ’ଣ ?”

ପଦିଆକୁ ପଚାରିବାକୁ ପଡ଼ିଲାନି । ଭଗିଆବୁଢ଼ା ସଙ୍ଗେ ସଙ୍ଗେ କହିଲା- “ସାଆନ୍ତେ ଆଜ୍ଞା, କହ୍ନିଆ ନାଁ- ଦୁର୍ଗା । ତା’ ଘର. . . ସହର ପାଖ ମଙ୍ଗରାଜପୁର ।”

ହଠାତ୍ ସାଆନ୍ତେ ବିରକ୍ତ ହେଇ କହିଲେ- “ଶଃ ! ନାଁ ଦୁର୍ଗାକୁ ଘର ପୁଣି ମଙ୍ଗରାଜପୁର । ଆଃ. . . !”

ସେ ଶୀଘ୍ର ଶୀଘ୍ର ପାଦ ବଢ଼ାଇଲେ ଉଆସ ଆଡେ଼ । ପଦିଆକୁ ଛାଡ଼ି, ବାକି ଚାରି ସଖା, ଗଛକୁ ଶାଖା ନଛାଡ଼ିଲା ପରି, ତାଙ୍କ ସଙ୍ଗେ ସଙ୍ଗେ ବାହାରିଗଲେ । ପଦିଆର ତ ଗାଲ ପୋଡୁଥାଏ, ସେଇ ରାଗରେ ସେ ଭଗିଆ ଗାଲରେ ଠୋ’ କରି ଚାପୁଡ଼ାଏ କଷିଦେଲା । ବୁଢ଼ାଟା ଆଖିରୁ ଜୁଳୁଜୁଳା ବାହାରିଗଲା । ଦି’ଧାର ଲୁହ ଖସିପଡ଼ିଲା । ବିନୟରେ ପଚାରିଲା- “ମୁଁ କି ଦୋଷ କଲି ସାଆନ୍ତେ ?”

ପଦିଆ କହିଲା- “ଶଃ ! ତତେ ଆଉ କୋଉ ନାଁ ଆସିଲା ନାହିଁ । ଦି’ଟା ଜାକ ନାଁ. . . ସାଆନ୍ତଙ୍କ ଛାତିକୁ ବିନ୍ଧିଦେଲା ବେ । ଦୁର୍ଗା ନାଁ ଧଇଲୁ, ଧଇଲୁ. . . ମଙ୍ଗରାଜପୁର କହିଲୁ କାହିଁକି ? ସାଆନ୍ତଙ୍କର ଗୋଟିଏ ବୋଲି ସନ୍ତାନ- ଦୁର୍ଗା ! ଝିଅ ସେଇ, ପୁଅ ସେଇ । ମଙ୍ଗରାଜପୁରରେ ବାହା ହେଇଥିଲେ । ଚଉଠି ରାତିରେ ଜ୍ୱାଇଁ ସାପକାଟିରେ ମଲେ । ତୁ ଜାଣିନାହୁଁ । ସ୍ୱାମୀ କ’ଣ ଜାଣିବା ଆଗରୁ ଦୁର୍ଗା ବିଧବା ହେଇଗଲେ । ତୁ ଜାଣିନାହୁଁ । ତାଙ୍କ ବିଧବା ବେଶରୂପ ଦେଖି, ବାପଟାର ହୃଦୟ କ’ଣ ହେଉଥିବ ? ଶଃ, ସବୁ ଜାଣକି, ସେଇ ଘା’ରେ ଆଙ୍ଗୁଳି ଖେଞ୍ଚି ଦେଲୁ । ଆଜି ରାତି ପାହୁଁ. . . ମୁଁ ତତେ ଛାଡ଼ିବି ନାହିଁ. . . ।”

ଏତିକି କହି, ପଦିଆ ଶୀଘ୍ର ଶୀଘ୍ର ଚାଲିଗଲା ବେଳେ ଭାବୁଥିଲା- କି ଝିଅ. . . କି ଜ୍ୱାଇଁ ଚନ୍ଦନସାଆନ୍ତଙ୍କର । ସ୍ତ୍ରୀ ମଲା ଦିନରୁ ତ ଆହୁରି ଆଇଁଷପାଟିଆ ହେଇଗଲେଣି । ମଦୁଆ ପାଇଁ ମଦ ବୋତଲ ଯେମିତି. . . ଯୋଉ ଲେବୁଲ୍ ଲାଗିଥାଉ. . . ୟା’ଙ୍କ ପାଇଁ, ପର ଘରର ଝିଅ ବୋହୂ ସେମିତି, ଯୋଉ ଜାତିର ହେଇଥାଉ । ଉଚ୍ଚ-ନୀଚ, ଜାତି-ଗୋତ୍ରର ମାନେ କିଛି ନାହିଁ । ଅହରହ ଦୁଃଖର ନିଆଁରେ ଜଳୁଥିବା ସବୁ ନାରୀ, ତାଙ୍କ ପାଇଁ ଶୁଦ୍ଧ ସୁବର୍ଣ୍ଣ । ମହ ମହ ବାସ୍ନାର ଖାଣ୍ଟି ଗୁଆଘିଅ ।

. . . ହଅ. . . । ସେ ତାଙ୍କର ଯାହା କରନ୍ତୁ. . . ଆମେ ତିନି ପୁରୁଷ ପାଇଁ ଅର୍ଜିଯିବାର ସୁଯୋଗ ଅଛି ତ. . . ହାତଛଡ଼ା କରିବୁ କାହିଁକି ?

ପଦିଆ ବାହାରିଯାଇଥିଲା. . . ।

ଘର ଭିତରୁ ଝରକା ଦେଇ ସବୁ ଦେଖୁଥିଲା, ସବୁ ଶୁଣୁଥିଲା ସେହି ବାହା ହେଇଥିବା. . . ଅଭିଆଡ଼ୀ ସୁନ୍ଦରୀ ଯୁବତୀ । ଭାବୁଥିଲା- ଏତେ ଭୟଙ୍କର ଭୟଙ୍କର ଲାଗୁଛି କାହିଁକି- ଏ ପୂର୍ଣ୍ଣିମା ରାତିଟା ? ହସୁଛି, ନା କାନ୍ଦୁଛି ?

ଚନ୍ଦନ ସାଆନ୍ତେଙ୍କ ପ୍ରତି ତା’ ହୃଦୟରେ ଭକ୍ତି ଆସୁଥିଲା ଯେତିକି, ଭୟ ବି ଆସୁଥିଲା ସେତିକି । ଦ୍ୱନ୍ଦ୍ୱ ବି କମ୍ ନୁହେଁ- ମନର ଭାବନାକୁ ଏକଡ଼ ସେକଡ଼ କରିବାରେ ।

. . . ପଦିଆର ଅସନା ମନ୍ତବ୍ୟ- “କନିଆଁ ନୂରିଆକୁ ନୁହେଁ, ସାଆନ୍ତଙ୍କୁ ମିଳିଛି. . .” ଏକଥା ଶୁଣିଲାକ୍ଷଣି ଠୋ’କରି ଚଟକଣାଟିଏ ଲଗାଇଲେ ତା’ ଗାଲରେ । ଏହି ପାଇଁ ଭକ୍ତି । ମାଡ଼ ଦେଇ ମଧ୍ୟ ସାଆନ୍ତଙ୍କ ମୁହଁ ନାଲି ପଡ଼ିଗଲା । ଓଠ କଣରେ ମୁରୁକି ହସଟେ ଚେଇଁ ଉଠିଲା । କାହିଁକି ପଦିଆ ଦାନ୍ତ ଦେଖାଇ ହସିଲା । ଏହି ପାଇଁ- ଭୟ ! ବୁଢ଼ାଟେ ହେଲେଣି ସାଆନ୍ତେ । ନାକ ତଳ ନିଶ. . . ମୁଣ୍ଡ ଉପର କେଶ. . . ପୁରା ପାଚିକି ଝୋଟ । ତଥାପି ତାଙ୍କର ନାହିଁ ନାହିଁ ଦେଖେଇ ହବାରେ, ହଁ ହଁ ଲୁଚିଛି କି । ପୁଣି ନଣ୍ଡା ଦାସ ପୁରୋହିତ କାହିଁକି କହିଲା- “ସାଆନ୍ତେ ଆପଣ ଥରେ କନିଆଁକୁ ଦେଖି ଦେଇ, ଅନୁମତି ଦେଇ ଦେବେ ତ. . . ବାହାଘର ଶେଷ । କନିଆଁକୁ ଦେଖିବାର କିଛି ଅନ୍ୟ ଅର୍ଥ ଅଛି କି !

ଏହା ହିଁ ବାଉରିସାହିର ଅନିନ୍ଦ୍ୟ ସୁନ୍ଦରୀ ମନରେ ଦ୍ୱନ୍ଦ୍ୱ ।

ସୁଲୀ ବୁଲୀ ଦୁହେଁ ପହଞ୍ଚିଗଲେ. . . ।

ବୁଲୀ ହସି ହସି ପଚାରିଲା- “ନୂଆଉ ! ବାଟ ଚାହିଁଚ ।”

ସୁଲୀ ପଚାରିଲା- “ନୂଆଉ ! ନୂରିଆଭାଇ ଆସିବାଯାଏ ତମ ପାଖରେ ରହିଯିବୁ କି ?”

ଦୁର୍ଗାର ଦୃଢ଼ ପ୍ରଶ୍ନ- “ଏ ସାହିର ଝିଅ ବୋହୂଙ୍କ ଇଜ୍ଜତ କ’ଣ ଚନ୍ଦନ ସାଆନ୍ତଙ୍କ ଇଚ୍ଛାରେ ହସେ. . . ଇଚ୍ଛାରେ କାନ୍ଦେ ?”

ବୁଲି ଚାହିଁଲା ସୁଲୀ ମୁହଁକୁ. . . ଦମ୍ଭ ଧରି. . . ।

ବୁଲି ପ୍ରଥମେ କହିଲା- “ଆମ ସାହିର ଝିଅ-ବୋହୂ ଚନ୍ଦନ-ସାଆନ୍ତେଙ୍କ ପା’ପୋଛ । ତାଙ୍କ ପାଦର ସବୁ ଧୂଳି ଆମର ଚନ୍ଦନ । ସେ ପୋଛୁଥିବେ. . . ଆମେ ଦେହରେ ସାଇତି ରଖୁଥିବୁ ।”

ସୁଲୀ କହିଲା- “ଏଠି ସମସ୍ତେ ତୁଠ ପଥର । ଖାଲି ସାଆନ୍ତ ନୁହନ୍ତି. . . ତାଙ୍କ ପାଖ ଲୋକେ ଯିଏ ଗାଧୋଇବାକୁ ଆସିବେ, ଆମେ ତାଙ୍କ ପାଇଁ ତିଆର୍ ଅଛୁଁ । ଆମରି ଉପରେ ଘଷି ହେଇ, ମଳି ଛଡ଼ାଇବେ । ଅସନା ମସନା କାଚିକୁଚି, ସଫା ହେଇ ପଳେଇଯିବେ- ସାଆନ୍ତେମାନେ । ଆମ ପଥର ଦିହ ସବୁ ସହୁଥିବ । ଅନିଚ୍ଛାରେ ବି ଅନେଇଥିବୁ- ଆଉ କିଏ, କେତେବେଳେ ଆସି, ମଳି ଛଡେ଼ଇବ ।”

ଦୁର୍ଗା ଦେଖିଲା- ସୁଲୀ ଓ ବୁଲୀଙ୍କ ଆଖି ଛଳଛଳ ।

ସରଳା ଯୁବତୀ ଦୁହେଁ. . . ଜୀବନର ଅତି ଜଟିଳ କଥାକୁ, କେତେ ନିତିଦିନିଆ ଉଦାହରଣରେ କହିଦେଲେ ଯେ ।

ତାଙ୍କୁ ନିଜ ଛାତିକୁ ଆଉଜାଇ ନେଲା ଦୁର୍ଗା । ରହି ରହି ତା’ ଛାତିରୁ କମ୍ପନ ଉଠୁଥିଲା । ଖରତର ଦେଉଥିଲା ଶ୍ୱାସ ।

କହିଲା- “ଏଠି ଝିଅ ବୋହୂମାନଙ୍କୁ ପା’ପୋଛ କି ପଥର ନ ସଜେଇ, ଫୁଲଟିଏ ଲେଖାଁ ପରି ସଜେଇବାକୁ, କାହାରି ଇଚ୍ଛା କି ସାହସ ନାହିଁ କି ? କ’ଣ ପାଇଁ ଏତେ ଅତ୍ୟାଚାର ଏମାନେ ସହୁଛନ୍ତି ? ”

ସୁଲୀ କହିଲା- “ଅଭାବ ଆମର ସ୍ୱଭାବକୁ ଖାଇଚାଲିଛି ନୂଆଉ । ସବୁ ପ୍ରକାର ଅଭାବ ମେଣ୍ଟାଇବା ପାଇଁ ସାଆନ୍ତେମାନେ ଟଙ୍କା, ଧାନ, ଲୁଗାପଟା, ତେଲ, ଲୁଣ ଯୋଗାଇ ଦେଉଛନ୍ତି, ରୋଗୀ ପାଇଁ ଔଷଧ ବି ଦେଉଛନ୍ତି । ସେହି କରଜ ଶୁଝୁ ଶୁଝୁ, ନୂଆ କରଜ ବୋଝ ହେଉଛି । ସାଆନ୍ତମାନଙ୍କ ପିଆଦା ତ ଯମଦୂତ । ପହଞ୍ଚିଯିବେ ତ. . . ଜାଣିବ- ଯାହା ଚାହିଁବେ, ତାହା କରିବେ । ସେତେବେଳେ ସମସ୍ତେ ଲୁଣଛିଟା ଦିଆ ଜୋକ ପରି ଝାଉଁଳି ଯାଇଥିବେ । ଦେହରେ କାହାରି ମେରୁହାଡ଼ ତ ମୂଳରୁ ନାହିଁ । ସଳଖ ହେବାକୁ ବଳ କାହିଁ ।”

ଦୁର୍ଗା କହିଲା- “ତମ ଚନ୍ଦନ ସାଆନ୍ତେଙ୍କ ଝିଅ ଦୁର୍ଗା. . . ଆମ ଗାଁ ବୋହୂ ଥିଲା । ମୋ ସହିତ କଟକରେ ପଢୁଥିଲା । ତା’ ପାଖକୁ ଚିଠିଟିଏ ଲେଖି ଦେଉଛି । ଏବେ ଏବେ ନେଇ ତାକୁ ଦିଅ ।”

. . . ତା’ ନାଁ ଦୁର୍ଗା ତ. . . ମୋ ନା ବି ଦୁର୍ଗା । ମୋ ଆତ୍ମା କହୁଛି- ତା’ ଦ୍ୱାରା କିଛି ହେବ । ସେ ଆମ କଲେଜରେ ସବୁ ପ୍ରକାର ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଉଥିଲା । ସଫଳ ବି ହେଉଥିଲା । ଭୟଙ୍କର ରାଗୀ ।

. . . ପ୍ରଥମତଃ, ସେ ଜଣେ ନାରୀ । ସବୁ ଧନ ସମ୍ପତ୍ତି ଥାଇ, ତା’ ପରି ଦୁଃଖିନୀ ନାରୀଟିଏ. . . ଏ ବୟସରେ ନଥିବ । ଦୁଃଖିନୀଙ୍କ ଦୁଃଖ ବୁଝି, କିଛି କରିପାରିବ ବୋଲି ମୋର ବିଶ୍ୱାସ ହେଉଛି ।

. . . ଯଦି କିଛି ନ କରେ, ବାପର ପକ୍ଷ ନିଏ, ମୁଁ କାହିଁକି ଦୈବ ବଳରେ ଆସିଯାଇଛି- ଏଠିକୁ । ମୁଁ ଦୁର୍ଗା ପରା । ଦୁର୍ଗା କ’ଣ ନିରବରେ ସରସ୍ୱତୀଙ୍କ ପରି ବୀଣା ବଜାଏ । ସେ ତ୍ରିଶୂଳ ଧରେ । ମୁଁ ସମସ୍ତଙ୍କୁ ଦୁର୍ଗା ସଜେଇଦେବି ।

. . . ଏଠି ଶୋଇଥିବା ବୁଦ୍ଧି, ଜ୍ଞାନ, ସମ୍ମାନ ଓ ଦାୟିତ୍ୱ. . . ସବୁ ଚେଇଁ ଉଠିବେ । ତମ ସମସ୍ତଙ୍କର ଲୁଟିଯାଇଥିବା ସମ୍ମାନ, ତୁମରି ଦ୍ୱାରା ହିଁ ମୁଁ ତୋଳି ଆଣିବି ।

. . . ଦେଶର ମାଟିରେ ସବୁ ମଣିଷ ସମାନ ଅଧିକାର ପାଇବେ । ଏଠି ଶୋଷଣ ରହିବ ନାହିଁ । ସମସ୍ତେ ଶ୍ରମ ଦେଇ, ଉପଯୁକ୍ତ ପାରିଶ୍ରମିକ ପାଇବେ । ସମସ୍ତେ ସୁନ୍ଦର ପରିବାର ଗଢ଼ିବେ ଏଠି ନିଜ ଇଚ୍ଛାର ମୂଲ୍ୟ ରହି, ଦେଶର, ଜାତିର ଗଠନରେ, ଉନ୍ନତିରେ. . . ନାରୀମାନେ ହେବେ- ଲକ୍ଷ୍ମୀ ଠାକୁରାଣୀ ! ଗୋଟେ ଗୋଟେ ସମତାର ସମାଜ ଓ ଅମୃତର ପରିବାର ଆମ୍ଭମାନଙ୍କର ହେବ । ଆମର ପଣତ ହେବ- ସମସ୍ତଙ୍କ ପାଇଁ ନିର୍ଭୟ ଆଶ୍ରୟର ପବିତ୍ର ଛାୟୀ । ମା’ର ପଣତ ପରି ।

. . . ସେମାନେ ଆମର ସନ୍ତାନ, ଆମେ ତାଙ୍କର ମା’. . . ଏଭଳି ଭାବନା ଓ ଅନୁରୂପ କର୍ମରେ, ଆମ ସମାଜ ହସିଉଠିବ. . . ବିଭିନ୍ନ ପରିପୂର୍ଣ୍ଣତାରେ । କ’ଣ. . . ତମେ ଦୁହେଁ ପାରିବ ସୁଲୀ-ବୁଲୀ ?

– କେବଳ ଆମେ ନୁହେଁ ନୂଆଉ. . . ବାଉରିସାହିର ସମସ୍ତେ ତମ ପଛରେ ରହିବେ । ଆମେ ବରଂ ମାଟିରେ ମିଶିବୁ. . . ଆଉ ଅନ୍ୟାୟ ସହିବୁ ନାହିଁ ।

. . . ତେବେ କାଗଜ କଲମ ଆଣ, ଦୁର୍ଗାକୁ ଦୁର୍ଗା ଚିଠି ଲେଖିବ ।

କିନ୍ତୁ ବାଉରି ସାହିରେ କାହାରି ଘରେ କାଗଜ କଲମ ନଥିଲା ।

ଚନ୍ଦନ ସାଆନ୍ତେଙ୍କ ଅପାର କରୁଣାରୁ. . . ସର୍ବଶିକ୍ଷା ଅଭିଯାନରେ ପକ୍କା ସ୍କୁଲ୍ ଘର ପାଇଁ ଟଙ୍କା ଆସିଥିଲେ ବି, ଇଟା ଖଣ୍ଡିଏ କିଣାଯାଇନଥିଲା । ଚାଳଛପର ଥିଲା ମାଟି ଘରଟା । ଗତ ବର୍ଷାଋତୁରେ ଅଛିଆଣି ହେଇ, ମାଟିରେ ଲୋଟିଛି । ସରକାରୀ ସାହାଯ୍ୟରେ ବହିପତ୍ର, ଖାତା କଲମ, ସବୁ ବର୍ଷ ପରି ଏ ବର୍ଷ ବି ବାଟମାରଣା ହୋଇସାରିଛି । ସ୍କୁଲ୍ ନଥିବାରୁ, ପିଲାଏ କାଛିଆଟିଏ ଲେଖାଁ ଅଣ୍ଟାରେ ଗୁଡ଼ାଇ, ମାଛ କଙ୍କଡ଼ା ଧରିବାକୁ ଯାଉଛନ୍ତି ଜୋର ନାଳ କି ଚତରାକୁ । ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ, ଡାଲି, ଅଣ୍ଡା ଆସୁଥିଲେ ବି. . . ଦିନେ ନୂଆଁ ଉଠିନାହିଁ । ସବୁର ହିସାବ-ରାଧେ ରାଧେ. . . ଅଧଏ ଅଧେ । ସରପଞ୍ଚ ଚନ୍ଦନ ସାଆନ୍ତେ ସବୁ ଯୋଜନାର ସର୍ବେସର୍ବା ।

ନଣନ୍ଦ ଦୁହିଁଙ୍କ କଅଁଳ ଛାତିକୁ ଏତେ ଦୃଢ଼ କରିସାରିଥିଲା ଯେ ତାଙ୍କ ନୂଆଉଙ୍କ ପ୍ରେରଣା. . . ସବୁ ଆଶଙ୍କା ଛାତିକୁ ଛେପ ପକାଇ, ସେ ଦୁହେଁ ଚନ୍ଦନ ସାଆନ୍ତେଙ୍କ ବିଧବା ଝିଅ. . . ଦୁର୍ଗା ଦେଈଙ୍କ ପାଖକୁ ବାହାରିଗଲେ- ଚଣ୍ଡୀ ପରି ଲାଗୁଥିବା, ଏ ନୁଆଉଙ୍କ ଗୋପନ ଖବର ମୁହେଁ ମୁହେଁ ଦେବାକୁ । ଏ ଖବର ଯେମିତି ତାଙ୍କ ପାଇଁ ନୂଆ ସକାଳର ସ୍ୱପ୍ନ ଥିଲା. . . ପରିବର୍ତ୍ତନର ପବନ ଥିଲା ।

. . . ନୂରିଆ ବେଶୀ ରାତିଯାଏ ସହର ମଣ୍ଡିରୁ ଫେରିଲାନାହିଁ । ରାତି ବଢ଼ି ବଢ଼ି ଗଲା । ତାକୁ ଆଉ ଅପେକ୍ଷା ନ କରି, ବାଉରିସାହିର ସବୁ ଲୋକ ଭୋଜି ଖାଇ ଶୋଇପଡ଼ିଲେ । କେବଳ ଏଇ ତିନିଟା ଝିଅଙ୍କ ଆଖିକୁ ନିଦ ନଥାଏ ।

ରାତି ଆହୁରି ଗଡ଼ିଗଡ଼ି ଗଲା. . . ତଥାପି ନୂରିଆ ଫେରିଲା ନାହିଁ ।

ସାଆନ୍ତଙ୍କ କାମ । ନିଜ ବାହାଘର ପଛ, ତାଙ୍କ କାମ ଆଗ ।

ପଦିଆ ବିଚାରରେ- ଏମାନେ ତ ପୋକମାଛି । ପାଗଯାଗରେ ହାଣ୍ଡି ବଦଳାଇବା ଯାହା. . . ୟା’ଙ୍କ ବାହାଘର ପର୍ବ ସେୟା । କୋଉ ବାଜା ରୋଷଣୀ କି ନାଚ ତାମସା ଅଛି ଯେ. . . ମଜା ନେବା ପାଇଁ ନୂରିଆକୁ ଛୁଟି ମିଳନ୍ତା ।

ନାଗମୂଲିଆଙ୍କ ଜୀବନ ରୀତିରେ ବାଗବାଇଶ ଗୋଟେ କ’ଣ ? ଯାଇଛି ତ ଯାଇଥାଉ ମଣ୍ଡିକୁ । ପହିଲ୍‌ମାନ୍ ଶଙ୍କରାକୁ ତ ତା’ ସହିତ ପଠାଇଛନ୍ତି ଚତୁର ସାଆନ୍ତେ ।

ଗଲାବେଳେ ଶଙ୍କରା ପଚାରିଥିଲା- ସଫା କରିଦେବି ସାଆନ୍ତେ । ଅତାପତା ମିଳିବ ନାହିଁ । ଖାଲି ଟିକେ ହସି ଦେଲେ. . . ମୁଁ ବୁଝିଯିବି ।

ସାଆନ୍ତେ ଦୟାଳୁ । ମନାକଲେ, କହିଲେ- ନୂରିଆ ବିଶ୍ୱସ୍ତ ଲୋକ । ଆମକୁ ବାପ ପରି ଭୟ-ଭକ୍ତି, ସବୁ କରେ । ତା’ ପରି ବିଶ୍ୱାସୀ ନାଗମୂଲିଆ ମିଳିବ ନାହିଁ । ସେ ବଞ୍ଚିକି ଥାଉ. . . ଆମର କ୍ଷତିଟା କ’ଣ ହେଇଯିବ ? ସେ ତ ଆମ ଇଚ୍ଛାରେ ଚାଲିଛି, ଚାଲିବ, ଚାଲିବାକୁ ବାଧ୍ୟ ହେବ । କଟକ କଲେଜ୍‌ରେ ପଢ଼ିଥିବା ସୁନ୍ଦରୀ ସ୍ତ୍ରୀଟାକୁ କିଏ ଭଲ ପିନ୍ଧିବା, ଭଲ ନାଇବା, ଭଲ ଖାଇବାକୁ ଦେବାକୁ ନ ଚାହିଁବ । ଆମ ଦୁର୍ଗାଟା ପରି ସେ ଦୁର୍ଗା ବିଧବା ହେଲେ ତ. . . ବାପଘର ଛାଇକୁ ପଳେଇବ । ଲାଭ କ’ଣ ହେବ-ନୂରିଆକୁ ସଫା କଲେ । . . . ତୁ’ଟା ମୂର୍ଖଟା. . . ।

ଆଜ୍ଞା ମୂର୍ଖ ଖାଲି ନୁହଁ, ଗଣ୍ଡମୂର୍ଖ । ଏତେ ଆଡ଼ର ବିଚାରକୁ ମୋ ମୁଣ୍ଡ ପଶିବା ତ ସହଜ ନୁହେଁ । ମାଲିକ୍ ମାଲିକ ଆଜ୍ଞା. . . ଆପଣଙ୍କ ପାଦ ଧୂଳିକୁ ମୁଁ ସରି ନୁହଁ ।

ଚନ୍ଦନ ସାଆନ୍ତେ କହିଲେ- ନୂରିଆର ଘରକୁ ଫେରିବା ଯେତେ ଡେରି ହେବ. . . ସେତେ ଭଲ, ଟିକେ ବୁଲି ଆସିବୁ ଭାଟି ଆଡେ଼ । ଟ୍ରକ୍ ଡ୍ରାଇଭର ଆଉ ନୂରିଆକୁ ବି ନେଇଯିବୁ । ଢୋକେ ଦି’ଢୋକ ପିଆଇଦେବୁ ନୂରିଆକୁ । ତା’ର ଅଭ୍ୟାସ ହେଇଗଲେ. . . ସବୁଦିନ ରାତିରେ ଆମ ଖମାର-ବାରିରେ ଢଳିପଡୁଥିବ । ବିଚାରୀ ଦୁର୍ଗା ତେଣେ ଅନେଇ ବସିଥିବ. . . । ତୁ ଗୋଟେ କାମ କରିବୁ. . . ନୂରିଆ ତ ନିଶାରେ ଥିବ । କାଲି ସକାଳେ ଆଣିବୁ. . . ।

ରାତି ବଢ଼ି ବଢ଼ିଯାଉଛି. . . ।

ନିଜ ନିଜ ଦାୟିତ୍ୱ ଶେଷ କରି, ବୁଲୀ-ସୁଲୀ ପଇଡ଼ମଶିଣାରେ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ଦୁର୍ଗା ଆଖିକୁ ନିଦ କାହିଁ । ତାକୁ ଦିଶୁଛି- ଦୁର୍ଗା ପୂଜାରେ ଅନେକ ମେଢ଼ । ମହିଷାସୁର ବଧର ଭୟଙ୍କର ଦୃଶ୍ୟ । ଆଉଟା ସୁନା ପରି ଦାଉଦାଉ ହେଇ ଜଳୁଛି ଦୁର୍ଗାଙ୍କ ସାରା ଶରୀର । ଦୁର୍ଗା ଭୂଷିଦେଲେ ମହିଷା ଛାତିକୁ ତ୍ରିଶୂଳରେ । ଇସ୍. . . କି ପିଚ୍ ପିଚ୍ ରକ୍ତ ! !

ସେ ଦୁର୍ଗାକୁ. . . ଚନ୍ଦନ ସାଆନ୍ତେଙ୍କ ଝିଅ ବି ଦୁର୍ଗା ।

ପ୍ରକୃତ ଦୁର୍ଗା କିଏ ହେବ ଆଜି ରାତିରେ ?

ଆସିବ ତ ଦୁର୍ଗା ??

ଯଦି ନ ଆସେ, ତାକୁ ହିଁ ଦୁର୍ଗା ସାଜିବାକୁ ହେବ ।

ବୁଲୀ ସୁଲୀ ତାଙ୍କ ଘରୁ ଧାରୁଆ କଟାରୀଟା ଆଣି ମଶିଣା ତଳେ ରଖିଛନ୍ତି । ଆସୁ କୋଉ ସାଆନ୍ତ ସେ ଆସିବ ।

ଟିଣା କବାଟରେ କେହି ହାତ ମାରି, ଖଡ୍ ଖଡ୍ କଲା. . . ।

ଚମକିପଡ଼ିଲା ଆନମନା ଦୁର୍ଗା. . . ।

ପଚାରିଲା- କିଏ. . . ?

– ଖୋଲ୍ କବାଟ । ଶୀଘ୍ର. . . !

ଦୃଢ଼ ଭାବରେ କଟାରୀଟା ମୁଠାରେ ଧରି, ଧୀରେ କବାଟ ଖୋଲିଦେଲା ଦୁର୍ଗା. . . । ଅନ୍ୟାୟ ଅନୀତି ବିରୁଦ୍ଧରେ ପାଦ ବଢେ଼ଇଥିବା ଚନ୍ଦନସାଆନ୍ତେଙ୍କ ଝିଅ ଦୁର୍ଗା ତା’ ସାମ୍ନାରେ । ସେ ନୂରିଆର ଦୁର୍ଗାକୁ ରକ୍ଷା କରିବା ପାଇଁ, ଶକ୍ତିମୟୀ ହେଇ, ଆସିଛି ।

ଧଳାଶାଢ଼ି ପିନ୍ଧିବା ପରିବର୍ତ୍ତେ ପିନ୍ଧିଛି- ଲାଲ୍ ପାଟଶାଢ଼ୀ । ଉନ୍ମୁକ୍ତ କେଶା । ସୁନ୍ଥାରେ ସିନ୍ଦୂର, କି ହାତରେ ସଧବାର ଶଙ୍ଖା ନାହିଁ । ମୁଠାରେ ଚକ୍‌ମକ୍ କରୁଛି- ଦୁଇ ଧାରୁଆ ନେପାଳି ଭୁଜାଲୀ । ଥରେ ଭୂଷି ଦେଇ, ବୁଲାଇ ଆଣିଲେ. . . ଅନ୍ତବୁଜୁଳା ଟାଣି ଆଣିବ- ବେଣ୍ଟ ପାଖ ତୀକ୍ଷ୍ଣ କରତ-ଧାର ।

ଅତି ଦୃଢ଼ ସ୍ୱରରେ ନିର୍ଦ୍ଦେଶ ଦେଲା ପରି କହିଲା- “ବୁଲୀ ସୁଲୀକୁ ସାଙ୍ଗରେ ଧରି, ବାହାରି ଯା’. . . ତାଙ୍କ ଘରକୁ । ସେଇଠି ଆରାମ୍‌ରେ ଶୋଇଯିବୁ. . . ବାକି ରାତି ଶେଷ ହେବା ଯାଏ । ସକାଳୁ ଉଠିକି ଦେଖିବୁ- ପୂର୍ବ ଆକାଶରେ ନୂଆ ସୂର୍ଯ୍ୟ ଉଇଁ ସାରିଥିବ । ସେହି ସୂର୍ଯ୍ୟରୁ ନୂଆ ଶକ୍ତି ତୋଳି ଆଣି, ଭରିଦେବୁ ଏ ବାଉରିସାହିଆଙ୍କ ଦୁର୍ବଳ ଛାତିରେ ।”

ମୁଁ ଦୁର୍ଗାକୁ ତୁ ଦୁର୍ଗା. . . ! !

ତୋର ମନ୍ତ୍ର. . . ମୋର ଉଚ୍ଚାରଣ ।

ତୋର ଉଚ୍ଚାରଣ. . . ମୋର ଆଚରଣ ।

ମୁଁ ଜେଲ୍ ଖଟିବାକୁ ପ୍ରସ୍ତୁତ ହେଇ ଆସିଛି । ସେଠୁ ଫେରିଆସି ଯେମିତି ଦେଖିବି- ଏ ନିରୀହ ଠେକୁଆମାନେ ସିଂହ ସାଜିଛନ୍ତି । ମୋର ସବୁ ସମ୍ପତ୍ତି ଏଇ ଦୁର୍ବଳ ଗୋଷ୍ଠୀର ବିକାଶରେ ଲାଗିବ. . . ।

ଯା’ ଦୁର୍ଗା. . . ଉଠା ବୁଲୀ ସୁଲୀଙ୍କୁ. . . ବାହାରି ଯା’ ଏଠୁ । ମହିଷାସୁର ଆଉ ତା’ ଦଳ ବଳର ଭ୍ରମଣ ବେଳ ଆସିଗଲା ପରା ।

କଟାରୀ ହାତଟା ଉପରକୁ ଟେକି ଦୁର୍ଗା କହିଲା- “ତୁ ମହିଷାସୁର ପାଇଁ ଦୁର୍ଗା ହେଲେ, ମୁଁ ଚଣ୍ଡ-ମୁଣ୍ଡଙ୍କ ପାଇଁ ରଣଚଣ୍ଡୀ । ଲଢ଼ିବା ତ ମିଳିମିଶି ଲଢ଼ିବା । ନିପାତ୍ କରିଦେବା ଅସୁରବଳକୁ. . . ।”

ଉଠି ପଡ଼ିଲେ ବୁଲୀ ସୁଲୀ । କହିଲେ- “ଆମେ ବି ପ୍ରେତିନୀ ହେଇ, ବିଷରକ୍ତ ଶୋଷିଯିବୁ ନୂଆଉ. . . ।”

ଲୋକପ୍ରିୟ ଲେଖା

To Top