ଗଳ୍ପ

ପାଠୋଇ ବୋହୂ

Byaasakabi Fakir Mohan Senapati's odia story Paathoi Bohu

ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ- ବୟସୀ, ପୁଣି ବୁଢ଼ୀ ।

ପାଠୋଇ ବୋହୂ

ତେର ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡ଼ିଆ ପଡ଼ାର ଉତ୍ତର ଦକ୍ଷିଣ ଲମ୍ୱା ସଡ଼କର ଦୁଇ ତରଫ ଲମ୍ୱାଲମ୍ୱି ଦୁଇ ସାହାଲା ଘର । ସବୁ ଗୁଡ଼ିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ବୋଲି ନାହିଁ । କଟକ, ପୁରୀ, ଯାଜପୁର ବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡ଼ାରେ ବସା କରି ରହନ୍ତି ।

ମୁକ୍ତାର ବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମ ପଟ ସାହାଲାର ମଝିରେ । ବସାରେ କୁଟୁମ୍ୱ ବୋଇଲେ ବୁଢ଼ୀମାଆଟି, ଆଉ କେହି ନାହିଁ । ପାଖ ପଡ଼ିଶା ପେସ୍କାର ରାଜକିଶୋର ବାବୁ । ତାଙ୍କ ବସାରେ ବୁଢ଼ୀମା’, ସ୍ତ୍ରୀ ଆଉ ଆଠ ବର୍ଷର ଝିଅଟି ରାଧୀ । ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ- ବୟସୀ, ପୁଣି ବୁଢ଼ୀ । ବିଦେଶରେ ସାଙ୍ଗସୁଙ୍ଗା ଆଉ, କେହି ନାହିଁ । ଦୁଇ ବୁଢ଼ୀ ଭିତରେ ଏ ତା’ ବସାକୁ । ସେ ୟା’ ବସାକୁ ଦିନମାନରେ ଦୁଇ ତିନିଥର ଯିବା ଆସିବା କରନ୍ତି । ପେସ୍କାର ମା’ କିନ୍ତୁ ମୁକ୍ତାର ବସାକୁ ଦିନ ଭିତରେ ଢେର ଥର ଆସନ୍ତି । ବୋହୂଟା କିଛି ପାଇଟି କରିବାକୁ ଦିଏ ନାହିଁ, ତୁଚ୍ଛା ବସାଟାରେ ବସି କ’ଣ କରିବେ ? ପଛ ବାଡ଼ିପଟ ଓଳିଏ ଓଳିଏ ବାଟ, ସେ ପଟରେ ମଣିଷ ନାହିଁ । ଯେତେବେଳେ ଇଚ୍ଛା ଯା’ ଆସ କରନ୍ତି । ଆଉ ବେଳେ ଯାହା ହେଉ- ବେଳବୁଡ଼, ଚଉଦ ଘଡ଼ିଆ ବୁଢ଼ୀ ଦୁଇଟା ଚମ ଧୁଡୁଧୁଡୁ ହାଡୁଆ ଗୋଡ଼ ପୁଞ୍ଜାକ ମେଲେଇ ଦେଇ ବସି ଢେର ସୁଖ ଦୁଃଖ କଥାଭାଷା ହୁଅନ୍ତି । ଦିନେ ଏଣୁ ତେଣୁ କଥା କୁହାକୁହି ହେଉ ହେଉ ନା ପଚରାପଚରି ହେଲେ । ମୁକ୍ତାର ମା’ କହିଲେ, “ମୋ ନା ପଦ୍ମା !” ପେସ୍କାର ମା’ ହସି ହସି କହିଲେ, “ମଲା ଯା’- ମୋ ବଡ଼ ଅପା ନା ଯେ ପଦ୍ମାବତୀ । ତୁମେ ଯେ ମୋ ଅପା ହେଲ, ମୁଁ ଏବେ ଅପା ବୋଲି ଡାକିବି ।” ମୋ ନା ସୀତା, ମତେ ତୁମେ ସୀତା ବୋଲି ଡାକିବ । କ’ଣ ଏଇ କଥା ହେଲା ନା । ପଦ୍ମା ଦେଈ ହସି ହସି କହିଲେ, “ହେଉ ତା’ ହିଁ ହେବ ।”

ମୁକ୍ତାରବାବୁ ପାଞ୍ଚ ବରଷ କାଳୁ ବାପ ଛେଉଣ୍ଡିଆ । ତାଙ୍କ ବାପେ କମଳଲୋଚନ ପଟ୍ଟନାୟକେ ବରଷକୁ ଚାଳିଶ ଟଙ୍କା, ଦୁଇ ଯୋଡ଼ ଖଦି, ଯୋଡ଼ାଏ ଗାମୁଛା ଦରମାରେ ଜଣେ କାପୁଡ଼ିଆର ଗୁମାସ୍ତା ଥିଲେ । ଯାହା ଦରମା ଗଣ୍ଡାକ ପାଉଥିଲେ, ପେଟ ପିଠକୁ ନିଅଣ୍ଟ, ବିଧବା ଲାଗି ସାଇତି ଯିବେ କ’ଣ ?

ବିଧବା ପଦ୍ମା ଦେଈ ଗ୍ରାମର ୟା’ ତା’ ଘରେ ଢେଙ୍କି ମାଡ଼ି ପାଞ୍ଚ ପାଇଟି କରି ବଡ଼ କଷ୍ଟରେ ପୁଅଟିକୁ ମଣିଷ କରାଇଥିଲେ । ପିଲା ଗୋପାଳଟି ବି ଖୁବ୍ ବୁଦ୍ଧିଆ ଥିଲା, ପାଠରେ ଖୁବ୍ ମନ ରଖିଥାଏ, ଏଥିପାଇଁ ମଣିଷ ହୋଇଥିଲା । ପିଲାଦିନୁ ଆପଣା ଅବସ୍ଥା ବୁଝିଲାଣି । ମାଆର ଦୁଃଖ ଦେଖି ଉହାଡ଼ରେ ଯାଇ କାନ୍ଦେ । ମନରେ କହେ, ମୁଁ ରୋଜଗାର କଲେ ମା’କୁ ଖୁବ୍ ସୁଖରେ ରଖିବି । ଗୋପାଳବାବୁ ମୁକ୍ତାରୀ ପାସ୍ କରି ବାଲେଶ୍ୱରକୁ ଆସିବେ, ସୁଖରେ ରଖାଇବେ ବୋଲି ମା’ଙ୍କୁ ଗାଁରୁ ଅଣାଇ ବସାରେ ରଖାଇଥିଲେ, ମାତ୍ର ପାରିଲେ ନାହିଁ । ବାବୁଙ୍କର ଇଚ୍ଛା, ମା’ ଭଲ ଖାଇ ଭଲ ଖଣ୍ଡେ ପିନ୍ଧି ବସାରେ ତୁନି ହୋଇ ବସିଥାନ୍ତୁ, ମା’ ସେ କଥା ଶୁଣିବେ କିଆଁ ! ବସାରେ ସବୁ ପାଇଟି କରିବେ, ପିନ୍ଧିବାକୁ ସେଇ ମୋଟା ଖଦିଟାଏ । ଭଲ ଲୁଗା ଆଣିଲେ କହିବେ, “ଆରେ ଗୋପାଳ ଏଡ଼େ ପାତଳ ଲୁଗା କିଆଁରେ- ମାସ ଚାରିଟାରେ ଚିରି ଫାଳ ଫାଳ ହୋଇଯିବ, ଦେହକୁ କନା ପରି ଲାଗିବ, ଲୁଗା ପିନ୍ଧିଲା ପରି ଜଣାପଡ଼ିବ ନାହିଁ । ମଲା ଯା- କେତେ ଓସାର ମ ! ଗୋଡ଼ରେ ଛନ୍ଦି ହେବ, ଚାଲିବି କିମିତିରେ ?” ବୁଢ଼ୀର ଇଚ୍ଛା, ମୋ ଛୁଆଟା ପିଲାଦିନେ ବଡ଼ ଦୁଃଖ ପାଇଛି, ଭଲ ଖାଇ ନାହିଁ, ଭଲ ପିନ୍ଧି ନାହିଁ, ମୋର ତ ଚଳି ଯାଉଛି, ତା’ ଅର୍ଜନ ଟଙ୍କାଗୁଡ଼ାକ ଖର୍ଚ୍ଚ କରିବି କିଆଁ । ଯେତେ ଗୋଡ଼ ହାତ ଧରି ନେହୁରା କଲେ ବି ଶୁଣିବାକୁ ନାହିଁ । ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ । ଗୋପାଳବାବୁ କଚେରି ବାହୁଡ଼ା ସଞ୍ଜବେଳେ ମା’ ପାଖରେ ଘଡ଼ିଏ ବସି ଦୁଃଖ ସୁଖ କଥା କହନ୍ତି । ଯେଉଁଦିନ ଯେତେ ରୋଜଗାର ହୁଏ, ମା’ ପାଖରେ ଥୋଇ ଦିଅନ୍ତି । ଟଙ୍କା ଦେଖି ବୁଢ଼ୀ ଛାତି କୁଣ୍ଢେ ହୋଇଯାଏ । ଭଲ କରି ଓଲଟା ଓଲଟି କରି ଦେଖେ, ଠାକୁର ଦେବତା ନାମ ଡାକି ଟଙ୍କାଗୁଡ଼ିକ ଛ’ଥର ମୁଣ୍ଡରେ ମାରେ, ଗଣି ପୋଛି ଭଲ କରି ବାନ୍ଧି ପେଡ଼ିରେ ରଖେ । ନିଜ ପାଇଁ ପଇସାଏ ବି ଖରଚ କରେ ନାହିଁ । ପୁଅ ପାଇଁ ହେଲେ ପାଞ୍ଚଟା ଜିନିଷ ଅଣାଇ ପାଞ୍ଚ ତିଅଣ କରି ଖୁଆଏ । ପୁଅ ବି ତେତିକିବେଳେ ଅଡ଼ି ବସେ- “ନା, ମା’, ତୁ ନ ଖାଇଲେ ମୁଁ ଖାଇବି ନାହିଁ ।”

ଗୋପାଳବାବୁ ଦିନେ ସଞ୍ଜବେଳେ ବହୁତ ସାକୁଲାସାକୁଲି କରି କହିଲେ, “ମା’ ତୁ ତ ରାନ୍ଧି ପାରିବୁ ନାହିଁ, ଗୋଟାଏ ପୁଝାରି ଆଣି ରଖିବି ।”

ମା- “ପୁଝାରି କ’ଣରେ ? କି ବ୍ରାହ୍ମଣ ବୋଲି କି ବ୍ରାହ୍ମଣ – ସୂତା ଗୋଛାଏ ବେକରେ ପକାଇଲେ ହେଲା ପରା । ସେ ମୋ ଇଶାଣରେ ପଶି ହାଣ୍ଡି ଛୁଇଁବ, ତା’ ହାତରୁ ଖାଇବି । ତିନି କାଳ ଗଲା, ଏବେ ଯଥା- କାଳକୁ ବିଦେଶରେ ଜାତିପତି ହରେଇବି ପରା ।”

ଗୋପାଳବାବୁ ତୁନି । ଆଉ ଦିନେ ଗୋଟାଏ ମାଇକିନିଆ ବସାରେ ଉପସ୍ଥିତ ।

ମା- “ଏ କିଏରେ ଗୋପାଳ !”

ଗୋପାଳ- “ମା’, ଏ ଗୋଟିଏ ଦାସୀ । ଆସିଛି ବାହାର ପାଇଟି କରିବ ।”

ମା- “ବାହାର ପାଇଟି କ’ଣରେ ? ଆରେ ଅଇଣ୍ଠା ବାସନ ଦି’ଖଣ୍ଡ ପିଛୁଳି ପକାଇଲେ ଗଲା । ଘର ବାହାରଟା ଖର୍କାଖର୍କି କରି ଦେଇ ଛୁଞ୍ଚକନାଟା ବୁଲେଇ ଆଣିଲେ ପାଇଟି ଛିଡ଼ିଲା । ଦାସୀ କ’ଣରେ ? ଦେ’, ଦେ’ ବିଦାକରି ଦେ’ ।”

ଏ କଥା ବି ସତ, ଏପରି ଅଭ୍ୟାସ ହୋଇଯାଇଛି ଯେ, ବୁଢ଼ୀ କାମ ପାଇଟିକୁ କଷ୍ଟ ମଣେ ନାହିଁ, କାମ ନ କରି ରହିପାରେ ନାହିଁ ।

ଗୋପାଳ ବାବୁଙ୍କର ବାଇଶ ତେଇଶ ବର୍ଷ ପାରି ହୋଇଗଲାଣି, ଏହି ତ ବିଭା ବୟସ । ମା’ ବିଭାକଥା କେତେଥର କହିଲେଣି । ମାଆଙ୍କ କୌଣସି କଥା ତଳେ ପଡ଼େ ନାହିଁ, ହେଲେ ବିଭାକଥା ଶୁଣି ଗୋପାଳବାବୁ ଶୁଣି ନ ଶୁଣିଲା ପରି ପିଠେଇ ଚାଲିଯାନ୍ତି । ଶେଷକୁ ପୁତୁରା ପେସ୍କାର ବାବୁଙ୍କୁ ଧରିଲେ, ତାଙ୍କ କଥା ବି ଶୁଣିବାକୁ ନାହିଁ । ଗୋପାଳବାବୁ ମନରେ ସ୍ଥିର କରିଛନ୍ତି, ମା’ ତ ବୁଢ଼ୀ ହେଲାଣି, ବସାରେ ତ ଆଉ କେହି ନାହିଁ । କଚେରୀ ଦରବାରରୁ ଆସି କାହା ସାଙ୍ଗରେ ବସି ଦି’ଟା କଥାଭାଷା ହେବେ । ବସା ଖର୍ଚ୍ଚ ପତ୍ର ହିସାବ ବୁଝିପାରୁଥିବ, ଏପରି ପାଠୋଇ କନ୍ୟାଟିଏ ପାଇଲେ ବିଭା ହେବ । ମୂର୍ଖ କନ୍ୟାଟାଏ ବିଭା ହେଲେ କ’ଣ ହେବ ?

ବୁଢ଼ୀ ଏବେ ଗୋଟାଏ ଫିକର ବାହାର କଲାଣି । ପୁଅକୁ ଶୁଣାଇ ଶୁଣାଇ ତୁଚ୍ଛାଟାରେ ହେଲେ କହେ “ଓହୋ ଚାଲିପାରୁନାହିଁ, ପାଣି ଆଣି ପାରୁ ନାହିଁ, ଆଜି ରାତିରେ କିମିତି ଦି’ଟା ଫୁଟାଫୁଟି କରି ଦେବି ।”

ଗୋପାଳ- “ମୁଁ ତ ସେହି କଥା କହୁଛି ମା’, ଏବେ ହେଲେ ଗୋଟାଏ ରାନ୍ଧୁଣୀ ଆଣେ ।”

ମା’- “କ’ଣ ଯଥାକାଳରୁ ଧର୍ମ ନଷ୍ଟ କରିବି !”

ଗୋପାଳବାବୁ ଏବେ ଅଥୟ । ଲାଗିଲା କନ୍ୟା ଖୋଜାଖୋଜି । ଏ ବିଷୟରେ ପେସ୍କାର ବାବୁଙ୍କର ଭାରି ତନଘନ ଲାଗିଛି । ଢେର ଖୋଜାଖୋଜିରେ କନ୍ୟାଟିଏ ଠିକଣା ହେଲା, ନୀଳଦିରି ଇଲାକା ମୟୂରଭଞ୍ଜ ଦୋସମାଳୀ ଭାଲୁକପୋଷି ଗାଁରେ । ଭାଲୁକପୋଷି ଗୋଟାଏ ପାହାଡ଼-ମୂଳିଆ ବଣଭିତିରିଆ ଗାଁ, ଆଖପାଖ ଦୁଇ ତିନି କୋଶ ଭିତରେ ଆଉ ଗାଁ ନାହିଁ । ଗାଁରେ ସାନ୍ତାଳ ଚାଳିଶ କି ପଚାଶ ଘର । ବେପାରୀ ତେଲି ମହାଜନ ଦୋହରା ଘର ଯୋଡ଼ାଏ । ରାଜାଙ୍କ ଗଡ଼ ପାଖରୁ ଗାଁଟା ଢେର ଦୂର, ଖଜଣା ଅସୁଲ କରିବା ପାଇଁ ପିଆଦା ପଇଦଳ ବାଘ ଭାଲୁ ଡରରେ ଏକୁଟିଆ ଯିବାକୁ ମଙ୍ଗନ୍ତି ନାହିଁ । ଦୁଇ ତିନିଜଣ ସାଙ୍ଗସୁଙ୍ଗା ହୋଇଗଲେ ସାନ୍ତାଳ-ଗୁଡ଼ାକ ବଣରେ ପଶିଯାନ୍ତି । ପିଆଦାମାନେ ଭେଟି ପାରନ୍ତି ନାହିଁ । ଦେବାକୁ ମରିବାକୁ କିଏ ସହଜରେ ରାଜି ହୁଏ । ବଣୁଆଗୁଡ଼ାକ ଖଜଣା ଗଣ୍ଡାକ ଦେବାକୁ ନାରାଜ, ଟିକିଏ ଟାଣ କଲେ ଗାଁ ଛାଡ଼ି ପଳାଇବେ, ନୋହିଲେ ଅମାନିଆ ହୋଇ ଗଣ୍ଠି ଫେରାଇ ଦେବେ । ସେ ଗୁଡ଼ାଙ୍କୁ କରଗତ ରଖିବା ଲାଗି ରାଜାଙ୍କ ଛାମୁରୁ ଦଶମାଣ ହେତା ଜମି ଦେଇ ସେହି ଗାଁରେ ସବୁଦିନେ ରହିବା ପାଇଁ ଜଣେ ପଧାନ ରଖିଲେ । ସେହି ହେତା ଜମି ଲୋଭରେ ଏବେକା ପଧାନ ଘନଶ୍ୟାମ ମହାନ୍ତିଙ୍କ ବାପେ ରାମ ମହାନ୍ତିଏ ଦୋହରା ଘର କରୁ କରୁ ସେ ଜାଗାରେ ରହି ଯାଇଛନ୍ତି ।

ଘନଶ୍ୟାମଙ୍କ ପରିବାର ବୋଇଲେ ମାମୁଁ ମାଇଁ ଦି’ପ୍ରାଣୀ, ଆଉ ପନ୍ଦର ବର୍ଷ ବୟସର ଗୋଟିଏ ଅଭିଆଡ଼ୀ ଝିଅ, ନାମ ସରସ୍ୱତୀ । ଗାଁଟା ବଡ଼ ବଣୁଆ, ସଞ୍ଜ ବାଜିଲା ତ ବାଘ ଭାଲୁ ମେଳା ମେଳା, ଦିନ ଥାଉ ଥାଉ ଲୋକମାନେ ଖାଇ ପିଇ ତାଟି କବାଟ କିଳି ଶୋଇ ପଡ଼ନ୍ତି । ସେହିଠାରେ କନ୍ୟା ଠିକଣା ହେଲା । ବୋଇଲା ବାର କଥାରେ ବାହା, ଢେର ଥର କଥାବାର୍ତ୍ତା ଚଳିଲା, ଶେଷକୁ ଧାଈ ଦେଖି ଆସି କହିଲା କନ୍ୟାପରି କନ୍ୟାଟାଏ ଏକା, ନାମ ସରସ୍ୱତୀ, ଦେଖିବାକୁ ଲକ୍ଷ୍ମୀ ମୂର୍ତ୍ତିଟିଏ, ଗୋଟିଏ ଚାଉଳରେ ଗଢ଼ା, ଗୁଣର ସୀମା ନାହିଁ ।

କନ୍ୟା କଥା ଶୁଣି ବୁଢ଼ୀ ତ ଅଥୟ । ରୂପ ଗୁଣ ଶୁଣି ଗୋପାଳବାବୁଙ୍କ ମନ ଟିକିଏ ତରଳିଲା, ବିଚାର କଲେ, ନ ପଢ଼ିଛି ତ ନାହିଁ, କ’ଣ କରାଯିବ, ତାକୁ ନ ହୁଏ ବସାରେ ବସି ପଢ଼ାଇବି ।

ତା’ପରେ

ଲୋକପ୍ରିୟ ଲେଖା

To Top