ଗଳ୍ପ

ପାଠୋଇ ବୋହୂ

Byaasakabi Fakir Mohan Senapati's odia story Paathoi Bohu

ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆଣିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କ’ଣ ନା, ଭଗବତୀ ଡାଆଣୀ । କ’ଣ ଖୋଜୁଥିଲି, କ’ଣ ପାଇଲି- କପାଳ କଥା ।

ପାଠୋଇ ବୋହୂ

-: ପୂର୍ବରୁ :-

ବିଭା ହୋଇଗଲା । ବସାରେ ହେଲେ ଚାରି ଜଣ । ଗୋପାଳବାବୁ ବାର ଚଉଦ ବର୍ଷର ଗୋଟିଏ ଭଣ୍ଡାରୀ ପିଲାକୁ ଡାକହାକ ଶୁଣିବା, ବଜାରହାଟ ସଉଦା କରି ଦେବା ଲାଗି ରଖି ଦେଇଛନ୍ତି । ଗୋପାଳବାବୁଙ୍କ ଇଚ୍ଛା, ବୋହୂ ସାଙ୍ଗରେ ଯେଉଁ ଦାସୀଟା ଆସିଛି, ତାକୁ ସବୁଦିନେ ବସାରେ ରଖିବେ । ମା’ ଡରରେ ରଖିଲେ ନାହିଁ । ବୁଢ଼ୀ ଏତେ ଢମଢ଼ମାଳି ବୁଝେ ନାହିଁ । କହିଲେ, “ଆଜି ଜାଣି ଟଙ୍କା ଯୋଡ଼ାଏ ଘରେ ପଶୁଛି, ଦାସୀଟାଏ ରଖି ପକାଇବା, କାଲି ଟଙ୍କା ନ ମିଳିଲା । ନାହିଁରେ ବାପା, ଟଙ୍କା ଯୋଡ଼ାକ ସାଇତି ରଖିଥିଲେ ବେଳରେ ଓ’ କରିବ ।”

ବୋହୂର ରୂପ ଗୁଣ ଦେଖି ବୁଢ଼ୀ ଦିନ ରାତି ତାହାରି ପ୍ରଶଂସା ଗାଉଛି, ମୁହଁରେ ସବୁବେଳେ ହାତେ ଲମ୍ୱ ଓଢ଼ଣା, ନଇଁ ନଇଁ ଚାଲେ, ପନ୍ଦର ଦିନ ହେଲା ଆସିଲା, ପଦେ ବୋଲି କଥା କେହି ଶୁଣି ନାହିଁ । ଭଲ ଘର ଝିଅଟିଏ ଏକା, ମା’ ଭଲ ଗୁଣଗୁଡ଼ିଏ ଶିଖାଇଛି, ଇତ୍ୟାଦି ଇତ୍ୟାଦି ।

ବୁଢ଼ୀଟା ଯେମନ୍ତ ବୋହୂକୁ ଚାହିଁ ବସିଥିଲା, ବିଭାଘର ଅଷ୍ଟମଙ୍ଗଳା ଯାଇ ନାହିଁ, ବୁଢ଼ୀ ବାଧିକା ପଡ଼ିଲା ଯେ, ବିଛଣା ଧରିଛି, ଆଉ ଉଠିବାକୁ ନାହିଁ । ଦିନ ପନ୍ଦରଟା ମଧ୍ୟରେ ଆପଣା ନିଜ ଜାଗାକୁ ଚାଲିଗଲା ।

ମରିବା ଦି’ଦିନ ଆଗରୁ ପୁଅକୁ ପାଖରେ ବସାଇ ଢେର ଉପଦେଶ ଦେଲା । ବାପା ! ବେଳ ମାଫିକେ ଖାଇବୁ, ଟଙ୍କାକଉଡ଼ି ସାଇତିବୁ, ବୋହୂକୁ ଭଲ ପାଇବୁ, ମୋର ଢେର ଦିନରୁ ମନ, ଗୋଟିଏ ସୁନା ଅଳକା ବନାଇ ଦେବୁ, ବୋହୂ ମୁଣ୍ଡରେ ଲଗାଇବ । ସୀତା- ଦେଈଙ୍କୁ ଡକାଇ କହିଲା, “ଆଲୋ ସୀତା, ବୋହୂଟା ତତେ ଲାଗିଲା, ପିଲାଟା କିଛି ଜାଣେ ନାହିଁ ।” ବୁଢ଼ୀର ପାଟି ପଡ଼ିଗଲା, ଆଉ କିଛି କହିପାରିଲା ନାହିଁ । ମାଉସୀ ପୁତୁରା ଦି’ଜଣ ଗୋଡ଼ ପାଖରେ ବସି ଢେର କାନ୍ଦିଲେ ।

ବୁଢ଼ୀର ତ କ୍ରିୟାକର୍ମ ସବୁ ଛିଡ଼ିଲା । ଗୋପାଳବାବୁ ଏବେ ବୋହୂଟାକୁ ପାଠ ପଢ଼ାଇବାକୁ ଆରମ୍ଭ କରି ଦେଲେ । ରୋଜ ସଞ୍ଜବେଳୁ ପାଖରେ ବସାଇ ରାତି ଦୁଇଘଡ଼ି ଯାଏ ପଢ଼ାନ୍ତି । ଅ’ ଅକ୍ଷରଟା ଲେଖି ଶିଖିବାକୁ ମାସେ କାଳ ବିତିଗଲା । ମାସ ଦି’ଟା ଭିତରେ ବୋହୂ ଅ/ଆ ଦି’ଟା ପୁରାପୁରି ଶିଖିଗଲାଣି, ଇ’ ଅକ୍ଷରଟା କିନ୍ତୁ ସହଜରେ ହେଉନାହିଁ, ହ୍ରସ୍ୱଇ’ଟା ଶିଖିବାକୁ ଛ’ସାତ ଦିନ ଗଲା, ଲେଖି ଆସୁନାହିଁ । ବୋହୂ କହୁଛି, ଏ ଅକ୍ଷରଟା ବଡ଼ ମୋଡ଼, ଲେଖି ଆସୁନାହିଁ । ପନ୍ଦର ଦିନକାଳ ମେହନତ କରି ଶିଖାଇ ନ ପାରିବାରୁ ଗୋପାଳ ବାବୁ ବଡ଼ ଦିକ୍‌ଦାର ହେଲେଣି । ବୋହୂଟା ବି ଠାଁ ଏକ ଜାଗାରେ ଦୁଇ ଘଣ୍ଟାକାଳ ବସି ପଢ଼ି ପଢ଼ି ଦିକ୍‌ଦାର୍ । ଗୋପାଳବାବୁ ମନରେ କଲେ- ବୁଢ଼ୀ ଶାରୀକୁ ରାମ ରାମ ଶିଖାଇବା ସହଜ କଥା ନୁହେଁ ।

ସରସ୍ୱତୀ ଦେଈ ମନରେ କଲେ- ସେ ଏତେ ମେହନତ କରି କିଆଁ ପାଠ ପଢ଼ିବେ, ବାବୁଙ୍କୁ ପଚାରିବେ ପଚାରିବେ ମନରେ କରନ୍ତି, ହେଲେ ପାରିଲେ ନାହିଁ । ଆଜି ଖୁବ୍ ସାହସ କରି କହିଲେ ହେ, ତୁମେ ସିନା କଚେରି ଦରବାରକୁ ଯିବ, ପାଠ ପଢ଼ିବ, ମୁଁ କିଆଁ ପାଠ ପଢ଼ିବି ।

ଗୋପାଳ- କଚେରି ଦରବାର ନାହିଁ, ତୁମେ ପାଠ ପଢ଼ିଲେ ବୁଦ୍ଧି ହେବ । ଏ କଥା ଶୁଣି ସରସ୍ୱତୀ ଦେଈ ତ ଖୁବ୍ ଗୋଟାଏ ହସିଲେ । ଗୋପାଳବାବୁ ମନରେ କଲେ, ତାଙ୍କ କଥା ମନକୁ ନ ପାଇବାରୁ ବୋହୂ ଅବଜ୍ଞା କରି ହସିଲେ । ହେଲେ ଗୋପାଳବାବୁଙ୍କର ଏଟା ଭୁଲ୍, ପୁରାପୁରି ଭୁଲ । ଅସଲ କଥା କ’ଣ କି, ସରସ୍ୱତୀ ଦେଈ ଭଲ କରି ଜାଣନ୍ତି, ତାଙ୍କର ବୁଦ୍ଧି ଢେର୍ । ରୂପରେ ଗୁଣରେ ତାଙ୍କ କଛରେ ମୁଲକରେ କେହି ନାହିଁ, ତେବେ ଆଉ ପାଠ ପଢ଼ିବେ କିଆଁ ? ତାଙ୍କ ଯେ ବୁଦ୍ଧି ଢେର୍, ତାହା ଗାଁ ସାନ୍ତାଳ ମାଇକିନିଆମାନଙ୍କ କତିରୁ କେତେ ଥର ଶୁଣିଛନ୍ତି । ତାଙ୍କ ବୋଉ ବି ଢେରଲୋକ ପାଖରେ କହିଛନ୍ତି, ବୁଦ୍ଧିରେ ମୋ ଝିଅ କଛରେ ଆଉ ଗୋଟାଏ ଝିଅ ମୁଲକରୁ କାଢ଼ିଲ ଭଲା । ଭାତ ରନ୍ଧାରେ କିଏ ବାଛିବ । ଶାଗ ସନ୍ତୁଳିଲେ ଗାଁ ଗୋଟାଏ ମହକି ଯାଏ । ସବୁ ଗୁଣରେ ମୋ ଝିଅ ଫରାକିତ । ଚିତଉପିଠା କରିବାରେ ତା’ ଆଗରେ କେଉଁ ଝିଅଟା ଠିଆ ହେବ ହେଉ ତ ଦେଖେ । ଦୁଆରେ ଝୋଟି ଦେଇଥିଲେ ଦାଣ୍ଡଗଲା ଲୋକ ଚାହିଁ ଚାହିଁ ଯା’ନ୍ତି । ସେ ମନରେ କଲା, ବାବୁଙ୍କୁ ମୋ ବୁଦ୍ଧିକଥା ଅଜଣା, ସେଇଥି ଲାଗି ପାଠ ପଢ଼ିବାକୁ କହୁଛନ୍ତି । ସବୁ କାମ ଦାମ ଛାଡ଼ି ମୁଁ ତ ଆଉ ହର୍ସଇ ହର୍ସଇ ଦି’ଘଣ୍ଟା ବସି କହିପାରିବି ନାହିଁ ।

ଏଣିକି ବାବୁ ପାଠ ପଢ଼ିବାଲାଗି ଡାକିଲେ, ମା’ ହାତରେ ପାଇଟି ଅଛି କହି ମୁହଁ ବୁଲାଇ ଚାଲିଯାନ୍ତି । ଗୋପାଳବାବୁ ଏଥିପାଇଁ ବଡ଼ ବିରକ୍ତ ।

ଗୋପାଳବାବୁ ମନରେ କଲେ, ଏ’ଟା ତ ପଢ଼ିଲା ନାହିଁ, ତୁଚ୍ଛାରେ ବସାଟାରେ ବସି ବସି କ’ଣ କରିବି ? ଗାଁ ମୁଣ୍ଡରେ ରାଧେ ବାବାଜୀ ମଠ- ଅମଲାମାନେ ମିଳି ସେଠାରେ ଗୋଟିଏ ସଭା କରିଛନ୍ତି, ନାମ ଭକ୍ତିଦାୟିନୀ ସଭା । ସଭାରେ ପୁରାଣ ପାଠ ଓ ଧର୍ମ ବିଷୟ ଚର୍ଚ୍ଚା ହୁଏ । ସଞ୍ଜ ବାଜିଗଲେ ବାବୁ ସେହି ସଭାକୁ ଚାଲିଯାନ୍ତି ।

ସରସ୍ୱତୀ ଦେଈ ପ୍ରଥମରୁ ବିରକ୍ତ ଥିଲେ । ସଞ୍ଜ ବାଜିଲା, ଖାଇ ପିଇ ଶୋଇ ପଡ଼ିବ, ୟା’ଙ୍କ ଘରେ ରାତି ପହରକେ ଭାତ ଖାଇବେ, ଏ’ଟା କ’ଣ ମ ? ସରସ୍ୱତୀ ଦେଈଙ୍କର ଏଣିକି ମନ ମଧ୍ୟରେ ଭୟାନକ ଚିନ୍ତା ।

ପ୍ରଥମ ଚିନ୍ତା- ଗାଁରେ ତ ସମସ୍ତେ ତାଟି କବାଟ ଦେଇ ଶୋଇ ପଡ଼ିଲେଣି, ବାବୁ ଆଉ ଏକୁଟିଆ କୁଆଡ଼େ ଯା’ନ୍ତି । ବାଘଟାଏ ଭାଲୁଟାଏ ବାହାରି ପଡ଼ିଲେ କ’ଣ ହେବ ? ସବୁବେଳେ ଘୋଡ଼ିଘାଡ଼ି ହୋଇ କୋଣରେ ବସିଥିବେ, କାହାରି ସାଙ୍ଗରେ ତ କଥା କହିବେ ନାହିଁ । ଦାଣ୍ଡ ଲୋକ ତ ଘର ଭିତରକୁ କେହି ଆସନ୍ତି ନାହିଁ, ଏ ଗାଁ ହାଲ କାହୁଁ ଜାଣିବେ ।

ଦ୍ୱିତୀୟ ଚିନ୍ତା- ବାବୁ ଏଣିକି ମତେ ଆଉ ଭଲ ପାଉ ନାହାନ୍ତି- ନିଶ୍ଚେ ଆଉ କାହାକୁ ଭଲ ପାଉଛନ୍ତି- ସେ କିଏ ?

ତୃତୀୟ ଚିନ୍ତା ବାବୁ କ’ଣ ରୋଜ ତାହାରି ପାଖକୁ ଯା’ନ୍ତି । ଅବଶ୍ୟ ତାହାରି ପାଖକୁ ଯା’ନ୍ତି ।

ସବୁବେଳେ ଚିନ୍ତାରେ ଦେହ ଶୁଖି ଗଲାଣି । ଶେଷରେ ସ୍ଥିର କଲେ, ବାବୁଙ୍କୁ ପଚାରିବେ, କୁଆଡ଼େ ଯା’ନ୍ତି ? ହେଲେ, ପଚାରିବାକୁ ଭରସା ଖଟୁ ନାହିଁ ।

ଶାଶୁ ମଲା ଦିନ ପାଖରୁ ମଉସୀଶାଶୁ ରୋଜ ବେଳବୁଡ଼େ ବୋହୂକୁ ଦେଖିବାକୁ ଆସନ୍ତି । ଏବେ ରୋଜ ଥରେ ବୁଝାନ୍ତି, ଶାଶୁ ଲାଗି ଏତେ ଚିନ୍ତା କର ନା, ତୋ ଦେହ ଶୁଖିଗଲାଣିରେ । ଶାଶୁ ବୁଢ଼ୀ ହୋଇଥିଲା, ମରିଗଲା, କ’ଣ କରିବୁ ? ଶାଶୁ ଶଶୁରକୁ ଘେନି କ’ଣ ବୋହୂମାନେ ସବୁଦିନେ ଘର କରନ୍ତି । ଯା’ ମା’, ଆଉ ଚିନ୍ତା କର ନା । ବୁଢ଼ୀ ମନରେ କଲା, ବୋହୂ ଶାଶୁ ଲାଗି ଭାଳି ଭାଳି ଶୁଖିଗଲାଣି ।

ଆଜି ମାସର ଶେଷ ଶନିବାର । ବାବୁ ଚଞ୍ଚଳ କଚେରିରୁ ଆସିଥିଲେ । ସଞ୍ଜ ନ ବାଜୁଣୁ ସଭାକୁ ବାହାରିଛନ୍ତି । ସରସ୍ୱତୀ ଦେଈ ଖୁବ୍ ହେମତ କରି ପାଖକୁ ଯାଇ ପଚାରିଲେ, “ହୋଇ ହେ, ରୋଜ ରାତିରେ ତୁମେ କାହା ପାଖକୁ ଯାଅ ?”

ବାବୁ- ଭକ୍ତି-ଦାୟିନୀ ସଭାକୁ !

ସରସ୍ୱତୀ- କ’ଣ-କ’ଣ କହିଲେ ? ଭଗବତୀ ଡାହାଣୀ ।

ବାବୁ ହସି ହସି କହିଲେ- ହଁ ହଁ, ଭଗବତୀ ଡାହାଣୀ ।

ସରସ୍ୱତୀ- ଶୋଭା କ’ଣ କହିଲ, ସେ କ’ଣ ବଡ଼ ଶୋଭାକାର ?

ବାବୁ ଟାହୁଲି କରି କହିଲେ- ହଁ, ହଁ, ଭାରି ଶୋଭାକାର ।

ବାବୁ ହସି ହସି ଚାଲିଗଲେ, ମନ ମଧ୍ୟରେ ଭାରି ଦିକ୍‌ଦାରଟା ବି ହେଲେ । ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆଣିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କ’ଣ ନା, ଭଗବତୀ ଡାଆଣୀ । କ’ଣ ଖୋଜୁଥିଲି, କ’ଣ ପାଇଲି- କପାଳ କଥା । ସରସ୍ୱତୀ ଦେଈ ଯେ ଜାଗାରେ ଛିଡ଼ା ହୋଇଥିଲେ, ଠିକ୍ ସେହି ଜାଗାରେ ଖୁମ୍ୱଟି ପରି କାନ୍ଥକୁ ଆଉଜି ଛିଡ଼ା ହୋଇଛନ୍ତି । ରାତି ଘଡ଼ିଏ ହୋଇଗଲାଣି, ଅର୍ଜୁନା ଡାକି ଦେଲା, ମା’ ଇମିତିଟା ହୋଇ ଛିଡ଼ା ହୋଇଛନ୍ତି କିଆଁ ? ହାଣ୍ଡିଶାଳ ଦୁଆରେ ଘସି କୁହୁଳା ଥୋଇ ଦେଇଛି, ପାଣି ଦି’ମାଠିଆ ରଖି ଦେଲିଣି, ଯାଉନ୍ତୁ, ଭାତ ରାନ୍ଧିବେ ଯାଉନ୍ତୁ । ଅର୍ଜୁନାର ଦୁଇ ତିନି ଡାକରେ ସରସ୍ୱତୀ ହୁଁ ବୋଲି କହି ହାଣ୍ଡିଶାଳକୁ ବାହାରିଲେ, ଚୂଲୀରେ କୁହୁଳାଟା ପକାଇ ଦେଇ ହାଣ୍ଡି ବସାଇ ଦେଲେ । ରୋଜିନା ତିନି ଜଣ ପାଇଁ ରନ୍ଧା ସେରେ ଚାଉଳ । ସରସ୍ୱତୀ ଦେଈ ଅମପା ଅପୋଛା ଚାଉଳ ଧୁଆଏ ଚାଉଳ ଆଣି ହାଣ୍ଡିରେ ଢାଳି ଦେଲେ । ଚାଉଳଟା ଅଧୁଆ । ଲୋଟାଏ ପାଣି ଢାଳି ଦେଇ ଚୁଲ୍ଲୀ ଜଳା ଲଗାଇଛନ୍ତି । ଅର୍ଜୁନା ଅନାଇ ଥାଏ । ଦେଖି ଦେଖି ମନରେ କଲା, ଆଜି ଏ କ’ଣ ହେଉଛି ? ଦଣ୍ଡକ ବାଦେ ଅର୍ଜୁନା ଡାକିଦେଲା, “ମା’ ମା’, ଦେଖନ୍ତୁ- ଦେଖନ୍ତୁ ଭାତ ତଳି ଲାଗିଗଲା ପରା- ଚାଉଳ ପୋଡ଼ା ଗନ୍ଧାଉଛି ।” ହୁଁ ବୋଲି କହି ସରସ୍ୱତୀ ଦେଈ ଆଉ ଅଧ ମାଠିଆଏ ପାଣି ଗବ ଗବ କରି ହାଣ୍ଡିରେ ଢାଳି ଦେଲେ । ଦଣ୍ଡକ ବାଦେ ମେଞ୍ଚାଏ ହଳଦି ଓ ମୁଠାଏ ଲୁଣ ହାଣ୍ଡିରେ ପକାଇ ଦେଇ ଘାଣ୍ଟି ବସିଲେ । ଅର୍ଜୁନା ଡାକିଲା, “ମା’ ମା’, ଭାତରେ ହଳଦି ପକାଇଲେ କିଆଁ ?” ଅର୍ଜୁନାର କଥା କ’ଣ କାନରେ ପଶୁଛି ! ଆକାଶ ପାତାଳ ଭାବନା, ଚିନ୍ତାର ସୀମା ନାହିଁ । ଆଖି ଆଗରେ ପୃଥିବୀଟା ଯେମନ୍ତ ଭୁରି ଯାଉଛି, ଭଗବତୀ ଡାହାଣୀ ନାଚି ନାଚି ତାଙ୍କ ପାଖକୁ ଧାଇଁ ଆସୁଛି ।

ସରସ୍ୱତୀ ମନରେ କଲେ, ଭଗବତୀ ଡାହାଣୀ କଥା ଅର୍ଜୁନାକୁ ପଚାରି ବୁଝିବେ । ସ୍ୱାମୀ କଥା-ଅସୁନ୍ଦର କଥା । ଟୋକାଟାକୁ ପଚାରିବାକୁ ବଡ଼ ଲାଜ ମାଡୁଛି । ଅର୍ଜୁନାକୁ ଦୁଇ ତିନିଥର ଅନାଇଲେ, ପଚାରି ପାରୁ ନାହାନ୍ତି । ଆଉ ସମ୍ଭାଳି ହୋଇ ପାରିଲେ ନାହିଁ, ପଚାରିଲେ, “ହୋଇ’ରେଅର୍ଜୁନା, ତୁ ଭଗବତୀ ଡାହାଣୀକୁ ଦେଖିଛୁ ?”

ଅର୍ଜୁନା- କୋଉଁ ଡାହାଣୀ, ମା’ ?

ସରସ୍ୱତୀ- ଆରେ ସେଇ ଭଗବତୀ-ସେ କ’ଣ ବଡ଼ ଶୋଭାକାର ?

ସରସ୍ୱତୀ ମନରେ କରିଛନ୍ତି, ଅର୍ଜୁନା ସବୁ ଜାଣେ, ଅବଶ୍ୟ ଜାଣେ । ଅର୍ଜୁନା ଦଣ୍ଡେ ଯାଏ ତୁନି ହୋଇ ରହିଲା, ସେ ଚଲାକ ଭଣ୍ଡାରି ପିଲା, ଆପଣା ଅଜଣାପଣିଆ କିଆଁ ପ୍ରକାଶ କରିବ । ଖୁବ୍ ପାଟିଟା କରି କହିଲା, “ହଁ ମା’, ଦେଖିଛି, ଦେଖିଛି ।” ନିଶ୍ଚୟ ସେ ଜାଣିଶୁଣି ମିଛ କହି ନାହିଁ । କଥା କ’ଣ କି, ସେ ବାବୁଙ୍କ ସାଙ୍ଗରେ ଦିନେ ରାତିରେ ଶ୍ୟାମସୁନ୍ଦର ମନ୍ଦିରକୁ ଝୁଲଣ ଯାତ୍ରା ଦେଖିବାକୁ ଯାଇଥିଲା । ଗୋଟିଏ ସୁନ୍ଦରୀ ମାଇକିନିଆ ଠାକୁର ଆଗରେ ନାଚି ନାଚି ଗୀତ ଗାଉଥିଲା, ଦେଖି ଆସିଛି । ଅର୍ଜୁନା ଘର ଢାମରା ଯୋର ଲୁଣା ଦଣ୍ଡି ସମୁଦ୍ରକୂଳ ମଫସଲ- ମାଇକିନିଆ ନାଚନ୍ତି, ଆଉ ଏଡ଼େ ସୁନ୍ଦର ମାଇକିନିଆ ତାହାର କୌଣସି ପୁରୁଷରେ କେହି ଦେଖି ନାହିଁ । ମନରେ କଲା, ତାହାରି କଥା ମା’ ପଚାରୁଛନ୍ତି ।

ସରସ୍ୱତୀ- ବାବୁ କ’ଣ ତା’ ପାଖରେ ବସିଥିଲେ ?

ଅର୍ଜୁନା- ହଁ, ତା’ ପାଖରେ ବସିଥିଲେ । ତାହା ବାଦେ ଆପଣାର ଜାଣନ୍ତାପଣିଆ ପ୍ରକାଶ କରିବା ଲାଗି ବର୍ଣ୍ଣନା କଲା, ସେ ଭଗବତୀ ଡାହାଣୀ କେଡ଼େ ସୁନ୍ଦର, କିମିତି ବଡ଼ ସୁନ୍ଦର ଲୁଗା ପିନ୍ଧିଛି, ଦିହରେ ମୁଣ୍ଡରେ କେତେ ସୁନା ଅଳକା ଲଗାଇଛି ।

ସାନ୍ତାଣୀ ଗୋଟାଏ ଲୁହା ଚଟୁ ଧରି ଭାତ ଘାଣ୍ଟୁ ଥିଲେ, ମୁହଁ ଫେରାଇ ଅର୍ଜୁନାକୁ ପଚାରିଲେ, କ’ଣ କ’ଣ, ସେ ମୁଣ୍ଡରେ ସୁନା ଅଳକା ଲଗେଇଛି ?

ଅର୍ଜୁନା- ହଁ ମା’ ସୁନା ଅଳକା ଲଗେଇଛି, ମୁଁ ଦେଖିଛି ପରା ।

ସରସ୍ୱତୀଙ୍କ ମୁଣ୍ଡରେ ଯେମିତି ନିଆଁ ପାଛିଆଏ କିଏ ଅଜାଡ଼ି ଦେଲା । ରଡ଼ିଟାଏ ଛାଡ଼ି ଛିଡ଼ା ହୋଇପଡ଼ିଲେ, ଏ କ’ଣ ? ମୋ ଶାଶୁ କହି ଯାଇଥିଲେ, ମୁଁ ସୁନା ଅଳକା ମୁଣ୍ଡରେ ଲଗାଇବି, ତାକୁ ଡାହାଣୀ ମୁଣ୍ଡରେ ଲଗାଇ ସାରିଲାଣି । ମୁଁ ଜୀବନ ରଖିବି ନାହିଁ, ଆଜି ଜୀବନ ହରାଇ ଦେବି । ହାତରେ ଲୁହା ଚଟୁ ଥିଲା, ଦୁମାଦୁମ୍ ଭାତ ହାଣ୍ଡିରେ ବାଡ଼େଇଲେ । ଚାଉଳିଆ ଭାତ ପେଜ ଖପରାରେ ଚୁଲୀ ପୁରିଗଲା, ନିଆଁ ଗୁଡ଼ାକ ନିଭିଯାଇ ସେଁ-ସେଁ କରୁଛି, ତତଲା ପେଜ ଛିଟିକି ଗୋଡ଼ ହାତରେ ପଡ଼ି ଗୁଆ ପରି ଗୋଟା ଗୋଟା ଫୋଟକା ବାହାରି ପଡ଼ିଲାଣି । ସେଥିକି ନଜର ନାହିଁ । ଘରେ ଯେତେ ପାଣିକଳସୀ, ତରକାରି ହାଣ୍ଡି, ଚାଉଳ ହାଣ୍ଡି ଥିଲା, ଚଟୁରେ ବାଡ଼େଇ ଗଲେ, ହାଣ୍ଡିଶାଳ ଗୋଟାଯାକ ଖପରା, ପାଣି, ଚାଉଳ, ପେଜରେ ପୁରି ଗଲାଣି । କ’ଣ ହେଲା, କ’ଣ ହେଲା କହି ଅର୍ଜୁନା ରଡ଼ି ଛାଡ଼ିଛି । ବାହାରକୁ ବାହାରି ଆସି ଅର୍ଜୁନା ଧରୁ ଧରୁ ଭୂଇଁରେ ମୁଣ୍ଡ ବାଡ଼େଇ ହେଲେ । ମୁଣ୍ଡ ଫାଟିଯାଇ ରକ୍ତଧାର ଛୁଟିଛି, ପିଣ୍ଡାରେ ବସିପଡ଼ି ବାହୁନିବାକୁ ଲାଗିଲେ ।

ବୋଉ ଲୋ’ ! ମତେ କଁସେଇ ଖୁଣ୍ଟରେ ବାନ୍ଧି ଦେଇଛୁ ମୋ ବୋଉ ଲୋ’ ! ମୁଁ ମରିବାବେଳେ ତୋ ମୁହଁ ଚାହିଁଲି ନାହିଁ, ମୋ ବୋଉ ଲୋ’ ! ମତେ ନିଆଁ ଖାତକୁ ପେଲି ଦେଲୁ, ମୋ ବୋଉ ଲୋ’ !

ଅର୍ଜୁନା ଦୁଇ ହାତରେ ବାହୁଟା ଯାବୁଡ଼ି ଧରି ବସି ଡକା ପାରୁଛି । ଘଡ଼ିଏ ଯାଏ ବାହୁନି ବାହୁନି ହାଲିଆ ହୋଇ ପଡ଼ିଲେଣି । ଟିକିଏ ଅଚେତ ହୋଇ ଯିମିତି ତଳେ ପଡ଼ିଯାଇଛନ୍ତି, ଅର୍ଜୁନା ଧୀରେ ଧୀରେ ହାତ ଛାଡ଼ି ଦେଇ ରାଧେ ବାବାଜି ମଠକୁ ଧାଇଁଲା । ଅଧବାଟରୁ ପାଟିକରି ଧାଇଁଛି- “ସାନ୍ତେ, ଦଉଡ଼ି ଆସ, ଘର ବୁଡ଼ିଲା, ଘର ବୁଡ଼ିଲା, ମା’ ସରିଗଲେଣି ।”

ତା’ପରେ

ଲୋକପ୍ରିୟ ଲେଖା

To Top