ଗଳ୍ପ

ପାଠୋଇ ବୋହୂ

Byaasakabi Fakir Mohan Senapati's odia story Paathoi Bohu

ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, “ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।”

ପାଠୋଇ ବୋହୂ

-: ପୂର୍ବରୁ :-

ସରସ୍ୱତୀ ମନ୍ତ୍ର ସବୁ ଶୁଣିଲେ । ଆଉ କିଛି ବୁଝିଲେ ନାହିଁ, ନାମ ଶୁଣିଲେ ଭଗବତୀ ଡାହାଣୀ- ଆଉ ବିରି ଗୁଡ଼ାକ ଝର ଝର କରି ଉପରେ ପଡ଼ିବାରୁ ଚମକି ପଡ଼ି ଚାହିଁ ଦେଲେ, ପାଖରେ ଭୂତଟାଏ, ଠେଙ୍ଗାଟାଏ କାନ୍ଧରେ ପକାଇ ବାନ୍ଧିବ କହୁଛି । ଭାରି ରଡ଼ିଟାଏ କଲେ, ଆଲୋ ମୋ ବୋଉ ଲୋ’, ଭୂତ ମତେ ଖାଇଗଲା ଲୋ’, ଡାହାଣୀ ମୋତେ ବାନ୍ଧିବ କହୁଛି ଲୋ’ ରଡ଼ି ଛାଡ଼ି ପଡ଼ିଗଲେ । ଗୁଣିଆ ବାବୁଙ୍କୁ କହିଲା, “ଆଜ୍ଞା ଭାରି ଛନ୍ଦୁଆ ଭୂତ, ଆଉ ଡାହାଣୀ ଯୋଡ଼ାଏ ବିଶ୍ରାମ କରିଛନ୍ତି । ଶୁଣିଲେ ନାହିଁ, ସାଆନ୍ତାଣୀ ଭୂତ ଆଉ ଡାହାଣୀ ଯୋଡ଼ାଏ ନାମ କହିଲେ । ନିଶରେ ହାତ ବୁଲାଇ (ନିଶ କିନ୍ତୁ ନାହିଁ) ଖୁବ୍ ଆଣ୍ଟରେ କହିଲା, ସାନ୍ତ କିଛି ଚିନ୍ତା ନାହିଁ । ଶୁକ୍ରିଆକୁ କ’ଣ ବଳାଇବ । ଯୋଡ଼ାକୁ ଯୋଡ଼ା ବାନ୍ଧି (ମୁଣ୍ଡ ଟେକି କହିଲା) ଏହା ଭିତରେ ପୁରାଇ ଘେନିଯିବି । ଆପଣ ଅଢ଼େଇଟା ଅଫୁଟା ମନ୍ଦାର ଫୁଲ, ଗୋଟାଏ ଅଫୁଟା କଦଳୀ ମଞ୍ଜ, ଜିସୁ ପଞ୍ଚୁବର୍ଣ୍ଣି ଭୋଗ ବେଗି ବେଗି ଅଣାନ୍ତୁ । ମୁଁ ଯାଉଛି, ଅମୁହାଁ ପୋଖରୀରୁ ଲୋଟାଏ ପାଣି ଆଣିବି । ଦେଲେ ଦେଲେ, ପୁଞାଏ ପଇସା ଦେଲେ, ସେଇଆଡୁ ଯୋଡ଼ାଏ ଡାକୁଣୀ ଫଳ ଘେନି ଆସିବି ।”

ସରସ୍ୱତୀ ଦେଈ ଏତିକି ଶୁଣି ପାରିଲେ, ବାନ୍ଧି ମୁଣିରେ ପୁରାଇ ଘେନିଯିବ । ରଡ଼ିଟାଏ ଛାଡ଼ି ଝାମ ଯାଇ ପଡ଼ିଗଲେ, ଚେତା ମୋଷ ।

ଏତିକି ବେଳେ ରାଧୀ ଦୀପଟାଏ ଧରିଛି, ପେସ୍ୱାର ବାବୁଙ୍କ ବୁଢ଼ୀମା’ ନଇଁ ନଇଁ ବାଡ଼ି ପଛ ପଟରୁ ବାହାରି ପହଞ୍ଚିଗଲେ । ସରସ୍ୱତୀଙ୍କୁ ଭଲ କରି ଅନାଇ ରଡ଼ିଟାଏ ଛାଡ଼ିଲେ, “ଆରେ ମୋ ଝିଅକୁ ସାରି ଦେଲେଣି, ଆରେ ମୋ ଛୁଆଟିକୁ ମାରି ପକାଇଲେଣି ରେ । ବୁଢ଼ୀ ରଡ଼ି ଛାଡ଼ି- ଆରେ ଗୋପାଳ, ସବୁ ମିଣିପ ପିଲାଏ ବାହାରି ଯାଅ- ଆରେ ଅର୍ଜୁନା, କବାଟ କିଳି ଦେ ।”

ସରସ୍ୱତୀଙ୍କର ଚେତା ନାହିଁ । ପାଖରେ ବସି ଧୀରେ ଧୀରେ ମୁଣ୍ଡରେ ହାତ ବୁଲାଇଲେ । ହାତକୁ ଚଟ୍ ଚଟ୍ କ’ଣ ଲାଗୁଛିରେ ? ଆଲୋ ରାଧୀ । ଦୀପଟା ତେଜି ଦେଲୁ । ଏଁ- ଏ କ’ଣ, ଆରେ ରକ୍ତ ଭାସି ଯାଉଛିରେ- ମଲା ମଲା ମଲା, ମୁଣ୍ଡ ଫାଟିଯାଇଛିରେ । ଚୂନ କନାପୋଡ଼ା ମୁଣ୍ଡରେ ପଟି ବାନ୍ଧି ଗେଲେ, ଏଁ ଦେହଯାକ ଫୋଟକା କ’ଣରେ ? ଫୋଟକା ସବୁରେ ଧୀରେ ଧୀରେ ନଡ଼ିଆ ତେଲ ଲଗାଇ ଦେଲେ । ଠାକୁମା କାନ୍ଦଣା ଦେଖି ରାଧୀ କାନ୍ଦି କାନ୍ଦି ଖଡ଼ି ଦେହରେ ହାତ ବୁଲାଉଛି । ଅର୍ଜୁନା ପଙ୍ଖା ପକାଉଥାଏ । ବୁଢ଼ୀ ଖଣ୍ଡେ ଭିଜା ଗାମୁଛାରେ ଦେହର ରକ୍ତ, ଧୂଳି, କାଦୁଅ ସବୁ ପୋଛି ପକାଇ, ରକ୍ତ ପେଜଲଗା ପିନ୍ଧିଲା ଲୁଗା ପାଲଟାଇ, ଖଣ୍ଡେ ବାସିକଚା ଶାଢ଼ୀ ପିନ୍ଧାଇ ଦେଲେ । ସରସ୍ୱତୀଙ୍କର ଟିକିଏ ଚେତା ବସିଲାଣି । ଦେଖିଲେ, ମା’ଶାଶୁ, ରାଧୀ, ଅର୍ଜୁନା ବେଢ଼ି ବସିଛନ୍ତି । ଘରର ସବୁଆଡ଼କୁ ଅନାଇ ଦେଖିଲେ, ଭୂତ ପଳାଇଲାଣି ।

ବୁଢ଼ୀ- ଆରେ ମୋ ମା’ରେ, ଆରେ ମୋ ସୁନାରେ- ଆରେ ମୋ ଚାନ୍ଦରେ- ଆରେ ମୋ ମାଣିକରେ ସାକୁଲେଇ ସାକୁଲେଇ ଢେର ଗେଲ କଲେ । ଥଣ୍ଡା ପବନ, ରାଧୀର ହାତ ବୁଲା ଓ ବୁଢ଼ୀର କଅଁଳ କଥାରେ ସରସ୍ୱତୀଙ୍କ ଚେତା ବସିଲାଣି, ଆଉ ଡର ନାହିଁ । ବୁଢ଼ୀ ଖାଲି ମନରେ ବିଚାରୁଛି, କଥା କ’ଣ ? ଗୋପାଳ ତ ମାରି ନାହିଁ, କଳିକଜିଆ ନାହିଁ, କ’ଣ ହେଲା ? ବୁଢ଼ୀ ପଚାରିଲେ, କହ ନାରେ ମା’, କ’ଣ କହୁଛୁ ? ଶାଶୁ କଥାରେ କ’ଣ ଜବାବ୍ ଦେବେ ? ରାଧୀକୁ ପାଖକୁ ଟାଣି ନେଇ କାନରେ ତୁନି ତୁନି କହିଲେ, “ମୁଁ ବୋଉ ପାଖକୁ ଯିବି ।”

ବୁଢ଼ୀ- ହଁ ଅବଶ୍ୟ ଯିବୁ । ମୋର ବି ତୋ ବୋଉକୁ ଦେଖିବାକୁ ବଡ଼ ମନ ଅଛି । ଭାଲୁକ- ପୋଷି ଗାଁଟା ବି ଦେଖି ଆସିବି । କାଲି ସକାଳେ ଯୋଡ଼ାଏ ଡୋଲି କରି ଦୁଇ ଜଣ ବସିଯିବା ।

ରାଧୀ- ଉଁ ଉଁ ଠାକୁରମା’, ମୁଁ ବି ତୋ ସାଙ୍ଗରେ ଯିବି ।

ବୁଢ଼ୀ- ନାହିଁ ନାହିଁ, ମୋ ଡୋଲିରେ ଜାଗା ହେବ ନାହିଁ, ତୋ ଖୁଡ଼ି ସାଙ୍ଗରେ ନେବ କି ପଚାର ?

ରାଧୀ ନ ପଚାରୁଣୁ ଖୁଡ଼ି ତା’ ହାତ ଚିପି ଦେଲେ- ଅର୍ଥାତ୍, ହଁ ସାଙ୍ଗରେ ନେବେ ।

ରାଧୀ- ଏଁ – ଏଁ ଖୁଡ଼ି ! ତୁମ ଗାଁରେ କ’ଣ ଭାଲୁ ପୋଷା ଥଆନ୍ତି, ମତେ କାମୁଡ଼ିବ ।

ଖୁଡ଼ି ଝିଆରୀ ହାତ ଧରି ହଲାଇ ଦେଲେ- ଅର୍ଥାତ୍, ଭାଲୁ କାମୁଡ଼ିବ ନାହିଁ ।

ଆରେ ଅର୍ଜୁନା, ବସାରେ କିଛି ଜଳଖିଆ ଅଛି । ଅର୍ଜୁନା ତାଟିଆଟିରେ ଯୋଡ଼ାଏ ମିଠାଇ, ଗିଲାସେ ପାଣି ପାଖରେ ଥୋଇ ଦେଲା । ଆଲୋ ରାଧି ଖୁଡ଼ିକୁ ଖୁଆ ଏତିକି କହି ମେଲାକୁ ଉଠିଗଲେ ।

ରାଧୀ- ଠାକୁର ମା’, ଖୁଡ଼ି ଖାଉ ନାହାନ୍ତି ।

ଏ, କ’ଣ ଖାଉ ନାହାନ୍ତି ! ତେବେ ତ ତା’ ବୋଉକୁ ଦେଖିବାକୁ ଯିବି ନାହିଁ । ଆଲୋ ରାଧୀ, ଖୁଡ଼ି ନ ଖାଇଲେ ତୁ ବି ଯିବୁ ନାହିଁ । ଆଉ ଖୁଡ଼ି କୁଆଡ଼େ ଯାଏ । ରାଧୀ ତ ଜୋକ ପରି ଲାଗିପଡ଼ି ହେଣ୍ଟେରେଇ ହେଣ୍ଟେରେଇ ମିଠାଇ ଯୋଡ଼ାକ ଖୁଆଇଲା, ଗିଲାସେ କ’ଣ, ଖୁଡ଼ି ଚଁ ଚଁ କରି ଏକ ନିଶ୍ୱାସକେ ତିନି ଅବୁଖୁରା ପାଣି ପିଇଗଲେ ।

ବୁଢ଼ୀ ପାଖରେ ଆସି ବସିଲେ । ଧୀରେ ଧୀରେ ବୋହୂ ମୁଣ୍ଡରେ ପିଠିରେ ହାତ ବୁଲାଉଥାନ୍ତି । ଖାଲି ତାଙ୍କ ମନ ଘାଣ୍ଟି ହେଉଛି, କଥା କ’ଣ ? ଏତେ କାଣ୍ଡ କିଆଁ ହେଲା । ହେଲେ, ଝିଅଟାକୁ ଟାଉ କରି ପଚାରି ଦେଲେ ତ କିଛି କହିବ ନାହିଁ, ସବୁ ଭଣ୍ଡୁର ହେବ ।

ବୁଢ଼ୀ ପାଖରେ ବସି କଅଁଳେଇ କଅଁଳେଇ ଢେର କଥା କହି ବୋହୂର ମନ ବହଲାଉଥାନ୍ତି । ଶେଷରେ ବେଳ ଉଣ୍ଡି କହିଲେ, ହଁ- ସତ କଥା, ଆରେ ମା’ ! ଗୋପାଳ ପଚାରିବ, କିଆଁ ଭାଲୁକପୋଷି ଯିବ । ସତ କଥାଟା ତାକୁ ନ କହିଲେ ତ ସେ ଯିବାକୁ ଦେବ ନାହିଁ- କଥା କ’ଣ, କହିଲୁରେ ମା’ ? ସରସ୍ୱତୀ ତ ନିହାତି ସନ୍ତପନ୍ତରେ ପଡ଼ିଗଲେଣି- ସ୍ୱାମୀ କଥା ଅସୁନ୍ଦର କଥା, ଶାଶୁଟାକୁ କିମିତି କହିବେ । ବୁଢ଼ୀ ବୁଝିପାରି ବାହାରକୁ ଉଠିଗଲେ- ଆଚ୍ଛା ମା’, ତୁ ରାଧୀକୁ କହ ।

ରାଧୀ- ଠାକୁରମା’, ଖୁଡ଼ି କିଛି କହୁନାହିଁ ।

ବୁଢ଼ୀ- ତେବେ, କଥା ଫେଇ ନ କହିଲେ ଗୋପାଳ ତ ଛାଡ଼ି ଦେବ ନାହିଁ । ରାଧୀ, ତୁ ଆଉ ତୋ ଆଈକୁ ଦେଖିବାକୁ ଯାଇ ପାରିବୁ ନାହିଁ ।

ରାଧୀ ତ ଚମଚଟା ପରି ଖୁଡ଼ି ସାଙ୍ଗରେ ଲାଗିଛି- ଖୁଡ଼ି, କହ-ହଁ କହ- ଦାଦା ପଠେଇବେ ନାହିଁ, ତୁ କହ ।

ରାଧୀ ଡାକି ଦେଲା ଠାକୁର ମା’, ଖୁଡ଼ି କହୁଛି ଡାହାଣୀ ।

ବୁଢ଼ୀ ପଚାରିଲେ- କିଏ ଡାହାଣୀରେ ?

ରାଧୀ ବୁଝି କହିଲା- ସେଇ ଭଗବତୀ ଡାହାଣୀ !

ବୁଢ଼ୀ ଅର୍ଜୁନାକୁ ପାଖକୁ ଡାକି ପଚାରିଲେ- ଢେର କଥା ପଚାରିଲେ, ସବୁ କଥାରେ ଉତ୍ତର- ନା । ସେ ଯେପରି ସନ୍ତପନ୍ତ ହୋଇ “ନା” କରୁଥାଏ ବୁଢ଼ୀ ବୁଝିଲେ ଏସବୁ କଥା ଜାଣେ, ଡରରେ କହୁନାହିଁ । ତାକୁ ଖୁବ୍ ଡରେଇଲେ, ଖୁବ୍ ଭରସା ଦେଲେ । ଅର୍ଜୁନା ଗୋଟାଏ କଥା ଲୁଚାଉଥିଲା- ହେଲେ, ବୁଢ଼ୀ ଜେରାରେ ପଡ଼ିଗଲା ।

ସବୁ କଥା ମଧ୍ୟରୁ ବୁଢ଼ୀ ଏହି କେତୋଟି ସାର କଥା ବାଛି ନେଲେ । ଗୋପାଳ ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯାଆନ୍ତି, ବୋହୂକୁ ଆଗପରି ଭଲ ପାଆନ୍ତି ନାହିଁ, ସେଥିପାଇଁ ଏତେ କାଣ୍ଡ ।

ବୁଢ଼ୀ ଗୋପାଳ ବାବୁଙ୍କୁ ଦାଣ୍ଡପଟରୁ ଡାକି ପଠେଇଲେ । ପୁଅଟାକୁ ଏଡ଼େ ଅସୁନ୍ଦର କଥା କିପରି କହିବେ- ଟିକିଏ ଆଡ଼େଇ ଛିଡ଼ା ହେଲେ । ବୁଢ଼ୀ କହିଲା ପରି ଅର୍ଜୁନା ବାବୁଙ୍କୁ ଏହିପରି କହିଲା-

ଆପଣ ଆଗପରି ମା’କୁ ଭଲ ପାଉ ନାହାନ୍ତି, ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯାଆନ୍ତି, ତାକୁ ସୁନା ଅଳକା ଦେଇଛନ୍ତି, ସେଥିପାଇଁ ମା’ ମନରେ ଦୁଃଖ, ଏତେ କାଣ୍ଡ ।

ଗୋପାଳ ବାବୁ ଭଗବତୀ ଡାହାଣୀ ନାମ ଚଟ୍ ବୁଝିଗଲେ । ସେ ଏବେ ହସିବେ, ନା ମୁଣ୍ଡ ବାଡ଼େଇ ହେବେ । କି ବଣ ପଶୁଟାଏ- କି କଥାକୁ କ’ଣ କରି ପକାଇଲା । ଦଶ ଭଲଲୋକରେ କଥାଟା ହଟହଟା ହେଲା, ଏଥିଲାଗି ଭାରି ମନ ଦୁଃଖ ।

ବୁଢ଼ୀ ଆଉ ରାଧୀ ଦୁଇ ଜଣ ଦୁଇ ପାଖରେ ଶୋଇ ବୋହୂକୁ ମଝିରେ ଶୁଆଇଲେ । ସେ ରାତିରେ ଗୋପାଳ ବାବୁଙ୍କ ବସାରେ ସମସ୍ତଙ୍କର ନିଶାପାଳନ ।

ବୋହୂ ଭଲ ହୋଇଗଲାଣି ଶୁଣି ଦାଣ୍ଡଲୋକେ ସମସ୍ତେ ଖୁସି ହୋଇ ଆପଣା ଆପଣା ଘରକୁ ଚାଲିଗଲେ । ହେଲେ ଭିତର କଥାଟା କ’ଣ, କେହି ବୁଝିଲେ ନାହିଁ । ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, “ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।”

ପ୍ରଥମରେ ଡାକ୍ତର ଡାକିବାର ପ୍ରସ୍ତାବ ହୋଇଥିଲା । ଶେଷରେ ଡାକ୍ତରକୁ ଆସିବାକୁ ହେଲା । ବୋହୂର ମୁଣ୍ଡଘା’ ଆଉ ଗୋଡ଼ ହାତ ଫୋଟକା, ଆଉ ଗୋପାଳ ବାବୁଙ୍କ ଦୁଇ ଆଣ୍ଠୁ ଘା’ ଶୁଖାଇବାକୁ ଡାକ୍ତରବାବୁ ଊଣା ପୁରା କୋଡ଼ିଏଟା ଭିଜିଟ୍ ପକେଟ୍‌ରେ ପକାଇଲେ ।

ଲୋକପ୍ରିୟ ଲେଖା

To Top