ଗଳ୍ପ

ପାଠୋଇ ବୋହୂ

Byaasakabi Fakir Mohan Senapati's odia story Paathoi Bohu

କ’ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।

ପାଠୋଇ ବୋହୂ

-: ପୂର୍ବରୁ :-

ସଭାରେ ପୁରାଣ ପାଠ ଚର୍ଚ୍ଚା ଲାଗିଛି । ଅର୍ଜୁନାର ପାଟି ଖନି ବାଜିଗଲାଣି, ଭଲ କରି କଥା କହିପାରୁନାହିଁ । ସମସ୍ତେ ବୁଝିଲେ, ମୁକ୍ତାର ଘର ପୋଡ଼ିଗଲା, ସାଆନ୍ତାଣୀ ମରିଗଲେଣି । ମୁକ୍ତାରଙ୍କୁ ତ ବାଟ ଦିଶୁ ନାହିଁ, ଧାଇଁଛନ୍ତି । ଆଉ ଅମଲା, ଓକିଲ, ମୁକ୍ତାର ଯେତେ- ଥିଲେ, ସମସ୍ତେ ଧାଇଁଛନ୍ତି, ପୁରାଣପଣ୍ଡା ବୁଢ଼ା ହରି ମିଶ୍ରେ ପୁରାଣ ଖେଦା ତଳେ ଫୋପାଡ଼ି ଦେଇ ସମସ୍ତଙ୍କ ପଛରେ ନସରପସ ହୋଇ ଧାଇଁଛନ୍ତି । ଦଣ୍ଡକ ମଧ୍ୟରେ ବାଟୋଇ, ଆଉ ଆଉ ପାଖ ପଡ଼ିଶା ଶକଡ଼ା ଲୋକ ଘରର ଚଉପିଠି ବେଢ଼ି ଗଲେଣି । ସମସ୍ତେ ପଚାରୁଛନ୍ତି, କ’ଣ ହେଲା ? ଭିତର କଥା ଜାଣୁଛି କିଏ, ଜବାବ୍ ଦେଉଛି କିଏ ?

ମୁକ୍ତାର ବାବୁ ଘର ଭିତରକୁ ଯାଇ ଦେଖିଲେ, ସରସ୍ୱତୀ ଦେଈ ଭୂଇଁରେ ପଡ଼ି ଗଁ ଗଁ କରୁଛନ୍ତି । ହାଣ୍ଡିଶାଳର ହାଲ ଦେଖିଲେ,ଅର୍ଜୁନାକୁ ଢେର କଥା ପଚାରିଲେ, ବସାକୁ କିଏ ଆସିଥିଲା, କିଏ କଣ କହିଲା, ସାନ୍ତାଣୀ କଣ ଖାଇଲେ ଇତ୍ୟାଦି ଢେର କଥା ପଚାରିଲେ । ଗୋଟିଏ ଉତ୍ତର, ନା, ମୁଁ କିଛି ଜାଣେ ନାହିଁ ।

ବାବୁ- ତୋତେ କିଛି କଥା କହିଥିଲେ ।

ଅର୍ଜୁନା ଟିକିଏ ଛେପ ଢୋକି କହିଲା, ନା । ଅର୍ଜୁନା କିନ୍ତୁ କଥାଟା ଜାଣୁ ଜାଣୁ ମିଛ କହିଲା, ଭଗବତୀ ଡାହାଣୀ କଥା, ସୁନା ଅଳକା କଥା, କହିଲେ କେଜାଣି ଉପରକୁ କିଛି ବଟା ଆସିବ ।

ଗୋପାଳବାବୁ ବାହାରକୁ ବାହାରି ଯାଇ ଭିତରର ହାଲ ସବୁ କହିଲେ । ବାବୁମାନେ ବିଚାର କରି ସ୍ଥିର କଲେ, ଏଟା ଏକରକମ ବ୍ୟାଧି । ଚଞ୍ଚଳ ଚାରିଜଣ ଧାଅଁ- ଯେଉଁଠି ଯେଉଁ ଡାକ୍ତରକୁ ପାଇବ, ଧରି ନେଇଆସ । ହରି ମିଶ୍ରେ ଟିକିଏ ଖାଁ’ ହୋଇ କହିଲେ, “କ’ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।” ଡାକ, ଗୁଣିଆ ଶୁକ୍ରିଆ ମୁଖୀକୁ, ସାଙ୍ଗେ ସାଙ୍ଗେ କାନିରେ ବାନ୍ଧି ଘେନିଯିବ । ଦଶଜାଗା ଆମର ଏ ଅଙ୍ଗେ ନିଭେଇବା କଥା । ହରି ମିଶ୍ରେ ପୁରୁଣା ପୁରୁଖା ଲୋକ ଭାଷା ଭାଗବତର ଭଲ ଅର୍ଥ ଜାଣନ୍ତି, ତାଙ୍କ କଥା କ’ଣ ତଳେ ପଡ଼ିବ । କାହାରିକୁ ନ କହି ମୁକ୍ତାରବାବୁ ଗୁଣିଆକୁ ଡାକିବା ଲାଗି ଏକ କାନିଆ ଆପେ ଧାଇଁଲେ । ଅନ୍ଧାର ରାତି ଦଶ ଜାଗାରେ ହାବୁଡ଼ି ଆଣ୍ଠୁ ଗଣ୍ଠି ଛିଡ଼ି ଝରଝର ରକ୍ତ ବହି ପଡ଼ିଛି । ପଛ ସାଙ୍ଗ ମଣିଷ ଧରି ଉଠାଇ ନେଉ ନ ଥିଲେ କେଜାଣି କି ହାଲ ହୁଅନ୍ତା ।

ଶୁକ୍ରିଆ ମୁଖୀ ଏ ଅଞ୍ଚଳରେ ଜଣେ ଡାକନାମ ଗୁଣୀ । ଲୋକଟା ବାଙ୍ଗରା, ଥୋଥମା ଥୁଥମୀ, ବାହୁ ଯୋଡ଼ାକ ଦେହକୁ ଚାହିଁ ବେଶି ଲମ୍ୱା ମୋଟା, କହୁଣୀ କତିରୁ ହାତ ପାପୁଲି ଯାଏ କିଛି ସାନ ଜଣାଯାଏ । ମୁହଁଟି ଖୁବ୍ ଚେପ୍ଟା, ବସନ୍ତ ଦାଗପରା, ନାକଟି ବେଶି ଚେପା ଆଉ ମୋଟ । ଚାଲିବାବେଳେ ଜଙ୍ଘକୁ ଜଙ୍ଘ ଘଷିଯାଏ, ମୁଣ୍ଡରେ ଗୋଟାଏ ଅଧୁଲିଟା ପରି ସିନ୍ଦୂର ଟିପା । ଆଖିରେ ମନ୍ତ୍ରା କଜ୍ୱଳ କଳା, ହେଲେ ଦେହ ରଙ୍ଗ ସହିତ ମିଷି ଯାଇଛି, ଜଣା ପଡ଼େ ନାହିଁ । ମୁଣ୍ଡରେ ସାନ ପେଣ୍ଡା ବାଳରେ ଅଷ୍ଟଲୋହି ଚେର ବୁଟି ପୁରା ପାଞ୍ଚଟା ଡେଉଁରିଆ । ଟାଣ ଗୁଣିଆ କି ନା, ଆଉ ଗୁଣିଏ ସହି ନ ପାରି ବାଣ ମାରନ୍ତି, କେହି ଜଣେ ବାଣ ମାରିଲେ ଗୋଟାଏ ଡେଉଁରିଆ ଫଟ୍କରି ଫାଟିଯାଏ । ଶୁକ୍ରିଆ ମୁହଁରୁ ଏହା ଶୁଣିବା କଥା । ଖଣ୍ଡେ ମଇଳା କସ୍ତାଖଦି ପିନ୍ଧି ଅଣ୍ଟାରେ ମଇଳା ଗାମୁଛା ଭିଡ଼ି ବାନ୍ଧିଛି, ବାଁ କାନ୍ଧରେ ମୂଳମୂଳିକାପୁରା ଗୋଟାଏ ଲମ୍ୱା ମୁଣ୍ଡି, ଏଥିରେ ଖଣ୍ଡେ କାଉଁରି ହାଡ଼ ଅଛି, ସେପରି ଟାଣ ଭୂତ ପ୍ରେତ ଡାହାଣୀ ଚିରିଗୁଣୀ ବେଳକୁ କାଢ଼େ, ହାତରେ ଗୋଟାଏ ମୋଟା ବାଡ଼ି ।

ଶୁକ୍ରିଆ ଲୋକମାନଙ୍କୁ ଶୁଣାଇ ଖୁବ୍ ଟାଣରେ କହିଲା, କିଛି ଚିନ୍ତା ନାହିଁ । ଦେଖନ୍ତୁ, ଏହିଲାଗେ ଡାହାଣୀ ଚିରିଗୁଣୀ ଯାହା ଥିବ ବନ୍ଧ ଘେନିଯିବି । ମୁଠାଏ ମନ୍ତ୍ରା ବିରି ଘର ଚାରିପିଠି ବୁଣି ଦେଇ ଘର ଚାରି କୋଣରେ ଚାରିଟା ଲୁହା କଣ୍ଟା ପୋତି ଦେଲା । ଅଧିକା ଆଉ କେହି ଭୂତ ପ୍ରେତ ଘର ଭିତରକୁ ପଶି ପାରିବେ ନାହିଁ । ଚାଲନ୍ତୁ, ଏବେ ରୋଗୀ ଦେଖାନ୍ତୁ ।

ଘର ଭିତର ପିଣ୍ଡାରେ ପଣନ୍ତ କାନିଟାରେ ଭଲ କରି ମୁଣ୍ଡ ପିଠି ଘୋଡ଼ାଇ ହୋଇ ଆଣ୍ଠୁ ଯୋଡ଼ିକ କୁଣ୍ଢେଇ ଆଣ୍ଠୁ ଉପରେ ମୁଣ୍ଡ ଥୋଇ ସରସ୍ୱତୀ ଦେଈ ବସିଛନ୍ତି, ଟିକିଏ ଛାଇ ନିଦ ଲାଗିଲା ପରି ଜଣାଯାଏ । ଅଜ୍ର୍ଜୁନା ଏକ ଧ୍ୟାନରେ ତାଙ୍କୁ ଅନାଇ ବସିଛି । ଗୁଣୀ ଯାଇ ପାଞ୍ଚଗାତ ଦୂରରେ ଛିଡ଼ା ହେଲା, ରୋଗିଣୀକୁ ତରାଟି ମରାଟି ଭଲ କରି ଦଣ୍ଡେଯାଏ ଅନାଇଲା, ଘର ଚାଳବାଡ଼କୁ ବି ଅନାଇଲା, ତାହା ବାଦେ ଗୋପାଳବାବୁଙ୍କୁ ଚାହିଁ ଏଣ୍ଡୁଅ ପରି ଖୁବ୍ ଗର୍ବରେ ମୁଣ୍ଡ ହଲାଇ କହିଲା, ହୁଁ, ଅନେଇ ଥାଆନ୍ତୁ ବାବୁ, ମୁଁ କ’ଣ କରୁଛି ଦେଖିବେ । ଜଣାଯାଏ କଥାଟା ଅଳ୍ପ, ମାତ୍ର ସରସ୍ୱତୀ ଦେଈଙ୍କ କାନକୁ ବାଜି ଯାଇଥିବ । ଟିକିଏ ତାଙ୍କ ଦେହ ହଲିଗଲା । ତହିଁ ଉତ୍ତାରେ ଗୁଣିଆ ପାଞ୍ଚହାତ ଦୂରରେ ବାଆଁ ଆଣ୍ଠୁ ମାଡ଼ି ବସି ଆଣ୍ଟରେ ମନ୍ତ୍ର ଡାକିଲା-

“ବୀର ବୀର ହନୁମାନ ମହାବୀର ତୁ ବୀର ଥିଲୁ କାହିଁ, ମୋ ଡାକ ଶୁଣି ଅଇଲୁ ଧାଇଁ, ବାନ୍ଧ ବାନ୍ଧ ଭୂତ ବାନ୍ଧ, ପ୍ରେତ ବାନ୍ଧ, ଡାହାଣୀ ବାନ୍ଧ, କାହାର ଆଜ୍ଞା, କାଉଁରୀ କାମଚଣ୍ଡୀ, ଭଗବତୀ ବାଶୁଳିଙ୍କ କୋଟି କୋଟି ଆଜ୍ଞା । ଆ-ଫୁଃ, ଆ-ଫୁଃ, ଆ-ଫୁଃ ତିନିଥର ଫୁଙ୍କା ମୁଠାଏ ମନ୍ତ୍ରା ବିରି ସରସ୍ୱତୀ ଦେଇ ଉପରକୁ ଛାଟି ମାରିଲା ।”

ତା’ପରେ

ଲୋକପ୍ରିୟ ଲେଖା

To Top