ପବନର ତାଳେ ତାଳେ ଯାର ମଧୁର ମୁର୍ଚ୍ଛନା,
ମନମୁଗ୍ଧ କରି ହରେ କେତେଯେ ଯନ୍ତ୍ରଣା ।
ସେ ବୃକ୍ଷ କାନ୍ଦୁଛି ।
ଯାହାର ସେବାରୁ ମିଳେ ଫୁଲ ଫଳ ଛାଇ,
ବିଷପାନ କରିଯାଏ ପ୍ରାଣ ବାୟୁ ଦେଇ ।
ସେ ବୃକ୍ଷ କାନ୍ଦୁଛି ।
ପ୍ରତି ଅଙ୍ଗ ଦାନ କରେ ମାନବ ସେବାରେ,
ଯା ଔଷଧି ଲାଗିଯାଏ ଅସାଧ୍ୟ ରୋଗରେ ।
ସେ ବୃକ୍ଷ କାନ୍ଦୁଛି ।
କବିର କଳ୍ପନା କେବେ ପ୍ରକୃତିର ଶୋଭା,
ଶିଳ୍ପିର ଆକୃତି ଯାର ଭାରି ମନ ଲୋଭା ।
ସେ ବୃକ୍ଷ କାନ୍ଦୁଛି ।
ଯାକୁ ନେଇ ଗଢିଉଠେ ନିବିଡ ଅରଣ୍ୟ,
ପଶୁପକ୍ଷି ନିର୍ଭୟରେ ନିୟନ୍ତି ଆଶ୍ରୟ ।
ସେ ବୃକ୍ଷ କାନ୍ଦୁଛି ।
ଯାହାର ଅଭାବେ ଘଟେ ମୃତିକାର କ୍ଷୟ,
ମିଠାପାଣି କମିଯାଏ,ବରଷାର ଭୟ ।
ସେ ବୃକ୍ଷ କାନ୍ଦୁଛି ।
ଯା ସବୁଜିମା ସ୍ଥାନେ ଆଜି କଙ୍କ୍ରିଟ ସ୍ଥାପତ୍ୟ,
ରଙ୍ଗିନ ଆଲୁଏ ହଜେ ଚନ୍ଦ୍ରମା ମହତ୍ଵ ।
ସେ ବୃକ୍ଷ କାନ୍ଦୁଛି ।
ବୃକ୍ଷକାଟି ନିରିମାଣ କଳକାରଖାନା,
ଜଳବାୟୁ ପ୍ରଦୁଷଣ ନାନା ଆବର୍ଜନା ।
ସେ ବୃକ୍ଷ କାନ୍ଦୁଛି ।
ଯାହାର ଅଭାବେ ବଢେ ବିଶ୍ଵଭରି ତାତି,
ଗରମରେ ଛଟପଟ ଫାଟିଯାଏ ଛାତି ।
ସେ ବୃକ୍ଷ କାନ୍ଦୁଛି ।
ପ୍ରଗତିର ନାମେ ଆଜି କୁଠାର ଆଘାତ,
ଯା ଛାତି ଚିରିଦିଏ କରି ମର୍ମାହତ ।
ସେ ବୃକ୍ଷ କାନ୍ଦୁଛି ।
ଧ୍ୟାନ ଦେଇ ଶୁଣ ଥରେ ବୃକ୍ଷର କ୍ରନ୍ଧନ,
ଫୁଟାଅ ହସ ମୁଖେ କରି ବୃକ୍ଷର ରୋପଣ ।
ସେ ବୃକ୍ଷ କାନ୍ଦୁଛି ।