ପ୍ରବନ୍ଧ

ବାର୍ଦ୍ଧକ୍ୟ

Shri Niranjan Padhee's Odia Prose Barddhakya

ତୁମର ବା ଚାରା କ’ଣ ବାର୍ଦ୍ଧକ୍ୟ ? ଋତୁଚକ୍ରର ଅଲଙ୍ଘ୍ୟ ଆବର୍ତ୍ତରେ ତୁମେ ଆସିବ ହିଁ ଆସିବ । ତୁମେ ମଧ୍ୟ ବାଧ୍ୟବାଧକତାର ଶିକାର ।

ବାର୍ଦ୍ଧକ୍ୟ

ହେ ! ମୋର ବିପୁଳଯଶା ବାର୍ଦ୍ଧକ୍ୟ, ତୁମକୁ ଶତସହସ୍ର ପ୍ରଣାମ । ଏ ମର୍ତ୍ତ୍ୟରେ ତୁମେ ମାୟାର ପ୍ରତିନିଧି । ବୋଧହୁଏ, ଜୀବକୁ ଆଚ୍ଛନ୍ନ କରି ରଖିଥିବା ଶେଷତମ ତଥା ଦୀର୍ଘତମ ମାୟା ହେଉଛ ତୁମେ । ଉଭୟ ହିଁ ଏବେ ନାହିଁର ଭୟାବହ ଅଥଚ ମୋହିନୀ ମାୟାର ମତୁଆଲା ମାଆ-ପଟଳ ରଚନା କରିବାରେ ତୁମେ ସିଦ୍ଧହସ୍ତ । ତୁମେ ଜୀବନର ଦୂତ, ସମୟର ଦୂତ, ରଥ, ପଥ ସମସ୍ତଙ୍କର ଦୂତ । ତୁମେ ଉଭୟ ଆଦ୍ୟ ପ୍ରାନ୍ତର ପ୍ରହେଳିକା-ପରିପୂର୍ଣ୍ଣ ଏକ ଶୂନ୍ୟପୋଲ । ତୁମେ ଏହି ସଂସାରରେ ଶେଷତମ ସମୟର ପ୍ରସ୍ଥାନ ଫାଟକ, ମହାପ୍ରସ୍ଥାନର ପଥ । ତୁମକୁ ମୋର ନମସ୍କାର ।

ତୁମେ ନବଯୁଗର ଆଗୁଆ ସଙ୍କେତ, ନବକଳେବରର ଆଦ୍ୟ ଆୟୋଜନ । ତୁମେ କେବେ ମୃତ୍ୟୁମୁଖୀ ଜୀବଙ୍କର ମନ୍ତ୍ରିତ ମହିମାଟିଏ ତ, ଆଉ କେବେ ଯୋଗଜନ୍ମା ଶିଶୁଟିର ଆଦ୍ୟ ଅଙ୍କୁରିମା । ତୁମେ କୋକେଇ ଓ କଫିନ୍‌ର ପର୍ବପାର୍ବଣ, ପ୍ରଳୟର ପୂର୍ବାଭାସ, ନବସୃଷ୍ଟିରେ ନିହିତ ଝଙ୍କାର । ତୁମେ ଅବୋଧ୍ୟ, ତୁମେ ଅବାଧ୍ୟ, ତୁମେ ଏକ ନିୟାମକ ଅବଧାରିତ ସତ୍ୟ । ତୁମେ ଆସିଲେ ପଶ୍ଚିମ ପହଞ୍ଚେ, ଲୋହିତ ଲହରୀମାଳାରେ ସୂର୍ଯ୍ୟ ଘୁଞ୍ଚେ, ଘଟାନ୍ତର ଘଟେ ।

ଫଗୁଣ ଆସିଲେ ପତ୍ର କଅଁଳେ, ଗଛ ବଉଳେ । ତୁମେ ଆସିଲେ କିନ୍ତୁ ଦେହ ଦୋହଲେ, ମନ ମଉଳେ । ତୁମେ ଆସିଲେ ହାତୁଡ଼ି ହସେ । ଆଘାତରହ ଛେଚାକୁଟା ବର୍ଷା ହୁଏ । ଜୀବନରେ ଅସୁମାରି ରଙ୍ଗମାନଙ୍କର ବର୍ଣ୍ଣବିଭାରେ ମନ୍ଥନ ହୁଏ ବିଷ ବିସ୍ଫୋରଣ ବିସ୍ମୃତି ହୁଏ, ବିଲୟ ହୁଏ । କଳାଶ୍ରୀ ହରଣ, ଅପସାରଣ ପ୍ରକ୍ରିୟାର ଶୁଭାରମ୍ଭ ହୁଏ । ବହୁବର୍ଣ୍ଣ ଏକବର୍ଣ୍ଣ ହୁଏ । ଶୁଭ୍ରକେଶଗୁଚ୍ଛକୁ ଶୁଭ୍ର ନିର୍ମଳ ପୋଷାକ ଖୁବ୍ ଖାପଖାଏ, ମାନେ ।

ବିସ୍ଥାପନର ପର୍ବ ବିସ୍ଫାରିତ ହୁଏ । ତ୍ୟାଗ ତିତିକ୍ଷାର ପର୍ବ ତରଳିତରଳି ତରଙ୍ଗାୟିତ ହୁଏ । ଅପେକ୍ଷା, ଉପେକ୍ଷାର ପର୍ବ ଉଗ୍ରଉନ୍ମାଦ ହୁଏ । ଏଭରେଷ୍ଟର ଐଶ୍ୱର୍ଯ୍ୟର ଆଭିଜାତ୍ୟ ଝୁଲେ, ହଲେ, ଦୋହଲେ । ସେହି ଦ୍ୱନ୍ଦ୍ୱ-ଦୋଳନରେ କେବେ ସିଏ ହିମାଳୟର ମାଟି ଆସନକୁ ଛୁଏଁ ତ, କେବେ ପୁଣି ଆକାଶର ଆସ୍ଫାଳନକୁ ଛୁଏଁ । ଏହି ବାର୍ଦ୍ଧକ୍ୟ ଯୋଗୁଁ ମଣିଷର ପୂର୍ବ ବେପରୁଆପଣ ଏବଂ ପରାକ୍ରମ ପରାହତ ପାଇଁ ପଥ ପରିଷ୍କାର ହୋଇଯାଏ । ଶକ୍ତି ହ୍ରାସର ପ୍ରକ୍ରିୟା ଓ ଲୀଳାମୟ ଲାଳିତ୍ୟର ଲଘୁକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ।

ସିଂହାସନ ଘୁଞ୍ଚିଯାଏ । ଶାସନଦଣ୍ଡ ହାତରୁ ଖସିଯାଏ । ଆଦେଶ ଅପାରଗ ହୁଏ । ବ୍ୟାଙ୍କଜମା ଜରାଗ୍ରସ୍ତ, ଜୀର୍ଣ୍ଣଶୀର୍ଣ୍ଣ ହୁଏ । ପକେଟ୍ ହାଲ୍କା ହୁଏ । ମନିପର୍ସ ଅମାନିଆ ହୁଏ । ମୁହଁତୋଡ଼ ତୁଣ୍ଡରେ ତୁଣ୍ଡି ବନ୍ଧା ହୁଏ । ନାଲି ଆଖି ଶେତା ପଡ଼ିଯାଏ । ଦି’ଦିନିଆ ଦୁନିଆଁରେ ଦୁର୍ଯ୍ୟୋଧନର ଦ୍ୟୁତି ହତଶିରୀ ଦିଶେ । ଚଲାପଥ ପଦ୍ମଶୂନ୍ୟ ହୁଏ । ଶ୍ରୀମଣ୍ଡିତ କାନ୍ଧ ଉପରୁ ଲକ୍ଷ୍ମୀଙ୍କର ପ୍ରସ୍ଥାନ ହୁଏ । ଚାରିଆଡ଼େ ଭୀମରଡ଼ି ଭୟଙ୍କର ଶୁଭେ ।

ବିଚ୍ଛୁରିତ ଯୌବନରେ ଯନ୍ତ୍ରଣା ଜର୍ଜର ହେଉଥିବା ହେ ! ମୋର ପ୍ରିୟ ବନ୍ଧୁ ବ୍ୟଥିତ ବାର୍ଦ୍ଧକ୍ୟ, ତୁମ ପାଇଁ ମୋର ଏ ଶୁଖିଲା ସମବେଦନା ଯଥେଷ୍ଟ ନୁହେଁ । ତା’ ମୁଁ ଅନୁଭବ କରେ । ବିଗତ ବୈଭବର ବୈଦୂର୍ଯ୍ୟ ହିଁ ତୁମର ଏ ବିବଶପଣର ବ୍ୟଥା । ଦେହରେ, ମନରେ, ସ୍ୱପ୍ନରେ, ଜୀବକୋଷରେ, ପ୍ରତିବିନ୍ଦୁ ରକ୍ତରେତରେ, ଯୌବନ, ଉତ୍ତାଳ ତରଙ୍ଗତାଳରେ ଜୁଆରର ଜିଜ୍ଞାସା ତୋଳିଥିଲାବେଳେ, ଆଜି ସେଠି ଭଟ୍ଟା ଆସେ ଖାଁ- ଖାଁ କୂଳବ୍ୟାପୀ ଶୂନ୍ୟ-ସାଗରରେ । ଭଟ୍ଟାଚ୍ଛନ୍ନ ଭୂଇଁ ପରି ଏ ଦେହରେ ଦିଶେ ଶିରା ପ୍ରଶିରାମୟ ଚର୍ମର ଲହଡ଼ି । ଭଟ୍ଟାରେ ଆକ୍ରାନ୍ତ ପାଦରେ ଆଜି ବୟସର ବୋଝ ସହ ବେଗହୀନତାର ବ୍ୟଥା ।

ତୁମର ବା ଚାରା କ’ଣ ବାର୍ଦ୍ଧକ୍ୟ ? ଋତୁଚକ୍ରର ଅଲଙ୍ଘ୍ୟ ଆବର୍ତ୍ତରେ ତୁମେ ଆସିବ ହିଁ ଆସିବ । ତୁମେ ମଧ୍ୟ ବାଧ୍ୟବାଧକତାର ଶିକାର । ସେଇଥିପାଇଁ ତ ତୁମ ପାଇଁ ମୋର ଅକୁଣ୍ଠ ସମବେଦନା । ତୁମେ ସମ୍ମାନନୀୟ ! କିନ୍ତୁ ମୋର ଏ ବିବଶ ପରିସ୍ଥିତି ତୁମର ପ୍ରଭୂତ ପରାକ୍ରମର ପରିଣତି । ତେଣୁ ମୁଁ କେବେକେବେ ବ୍ୟସ୍ତବିବ୍ରତ ହୋଇ ତୁମକୁ ଭିନ୍ନ ଦୃଷ୍ଟିରେ ଦେଖେ । ତାହା ଅବଶ୍ୟ ମୋର ନ ସହିପାରିବାର ଅକ୍ଷମପଣ, ଅବିଗୁଣ । ଏ ମର୍ତ୍ତ୍ୟର ମଣିଷର, ଏହା ହିଁ ମର୍ମଦାହ ।

ତଥାପି ତୁମର ତିଳେମାତ୍ର ଏଥିରେ ଦୋଷ ନାହିଁ, ବନ୍ଧୁ ! ନୂଆ ଘରଟିଏ ତୋଳା ହେଲା ଦିନଠାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତାହାର ଗତି ଓ ପ୍ରଗତି । ରଙ୍ଗଲେପର ଚର୍ମ ତା’ର ଧୁଡୁଧୁଡୁ ଲୋଚାକୋଚା ହୁଏ । ତା’ ଦେହକାନ୍ଥରୁ ଛେଲାଛେଲା ମାଂସ ପରି ଆବରଣ ଖସେ । ମରାମରି ମାଗେ, ରଙ୍ଗ ମାଗେ, ଢଙ୍ଗ ମାଗେ, ଯତ୍ନ ମାଗେ, ଆଉଁଶା ମାଗେ, ଆଦର ମାଗେ, ବଞ୍ଚିବାକୁ ବାରମ୍ୱାର ଝୁରି ହୁଏ । ଏସବୁ ତ, ତା’ ପାଇଁ ଅତି ଆଦରର ଆବଶ୍ୟକୀୟ ଔଷଧ । ତଥାପି ଆଗାମୀ କେଉଁ ଏକ ମୃତ୍ୟୁ-ଲଗ୍ନରେ ଟଳିପଡ଼େ । ନବକଳେବରର ଦାବି ମଧ୍ୟ ରଖେ ।

ମହାମହିରୁହ ତ ଅଙ୍କୁରଟିଏର ବାର୍ଦ୍ଧକ୍ୟ । ପଶୁପକ୍ଷୀ, ଗଛବୃଚ୍ଛ, ବନସ୍ପତି, କୀପତଙ୍ଗଠାରୁ ସମଗ୍ର ସୃଷ୍ଟି ସମ୍ଭାର ତ, ଏହି ଋତୁଚକ୍ରର ରୋମାଞ୍ଚରେ ମନ୍ଥିତ, ପୁଣି ମନ୍ତ୍ରମୋହିତ । ମୁଁ ବା ଏପରି ଏକ ଅପରିମେୟ ଏବଂ ଅଲଙ୍ଘ୍ୟ ଆବର୍ତ୍ତରୁ ବାଦ୍ ପଡ଼ନ୍ତି କିପରି ? ମୁଁ ଏ ବିଷୟରେ ସଚେତନ ଥିଲେ ବି, ଜଣେ ଖୁବ୍ ସାଧାରଣ ମଣିଷ ଭାବରେ ସଙ୍କଟପୀଡ଼ିତ । ତେଣୁ ତୁମେ ମୋତେ ଏଥିପାଇଁ ଘୃଣାକରି ହୀନଦୃଷ୍ଟିରେ ଦେଖିଲେ ମୁଁ ବିଚରା ନାଚାର ହେବି । ମୋର ଏ ମାନବୀୟ ଅସହାୟତାର ଅବବୋଧକୁ ଧୈର୍ଯ୍ୟ ସହ ତୁମର ଶୁଣିବାଟା ମୋ ପାଇଁ ଯଥେଷ୍ଟ । କହିଦେଲେ ମନ ହାଲ୍କା ହୋଇଯାଏ ତ !

-: ତା’ପରେ :-

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top