ପ୍ରବନ୍ଧ

ବାର୍ଦ୍ଧକ୍ୟ

Shri Niranjan Padhee's Odia Prose Barddhakya

ସେଥିପାଇଁ ହେ ମୋର ସମ୍ମାନନୀୟ ବାର୍ଦ୍ଧକ୍ୟ, ମୋ ପାଇଁ ତୁମେ କ’ଣ ତେବେ ଏକ ବିଡ଼ମ୍ୱିତ ବ୍ୟାଧି

ବାର୍ଦ୍ଧକ୍ୟ

-: ପୂର୍ବରୁ :-

ଏବେ ଆମର ଏଠି ପରିଚୟରେ ପ୍ରଭୂତ ପରିବର୍ତ୍ତନ । ଆମକୁ ଚିହ୍ନିବାକୁ, ବୁଝିବାକୁ ଆବଶ୍ୟକ ହୁଏ ବୁଝେଇ ବୁଝେଇ ଚିହ୍ନେଇବାର ଭାଷା । ଏଠି ଏବେ ସେଥିପାଇଁ ବହୁ ବିଧି ବିଶେଷଣର ପ୍ରୟୋଗ । ଏହି ବିଶେଷଣର ପ୍ରାବଲ୍ୟ ପ୍ରାଣକୁ ବାଧେ ।

କେହି କେହି କହନ୍ତି ବୁଢ଼ାହଡ଼ା, ଭୂତ ପୂର୍ବ ସମର୍ଥ ସୈନିକ, ଏବେ କିନ୍ତୁ ଅଲୋଡ଼ା ଅଦରକାରୀ ଅସମର୍ଥ ଲୋକ । ବୃଦ୍ଧକାଳେ ବୃଦ୍ଧକାକ କା’ କା’ ରଡ଼ିବା ହିଁ ସାର । ବହୁତ ଦିନରୁ ବ୍ୟବହୃତ ହୋଇଥିବା ଅତି ପୁରାତନ ଘଷରା ଧ୍ୱଂସପ୍ରାପ୍ତ ଅଥବା ଧ୍ୱଂସପ୍ରାୟ ମୁଁ ସେହି ନିକିତିର ନିଖୋଜ ମଣିଷ । ମୁଁ କୁଆଡ଼େ ଏକ ବଦ୍ଧମୂଳ ଧାରଣା ଥିବା ଏକ ସାଲିସ୍ ବିହୀନ ବ୍ୟକ୍ତି । ଯେଉଁ ଅତୀତର ଅନ୍ୟ ନାମ ମୃତ୍ୟୁ, ସେହି ଅଲୋଡ଼ା ଅତୀତ ସହିତ ମୋର ଦୂର୍ଘକାଳର ସମ୍ପୃକ୍ତି, ସହବନ୍ଧନ ସଲାସୁତୁରା ।

ମୁଁ କୁଆଡ଼େ ଏକ ଚାରିଆଡ଼େ ହିଡ଼ଥିବା ଏକ ଅବରୁଦ୍ଧ ପୁଷ୍କରିଣୀ । ଜଳମୟ ସ୍ଥିରତା ହିଁ, ତାହାର ଅଯୋଗ୍ୟପଣ । ସେଠି ଦୂରତ୍ୱର ଦୁନ୍ଦୁଭି ନାହିଁ । ଦିଗବ୍ୟାପୀ ଦିଗ୍‌ବଳୟ ନାହିଁ । ସୀମାହୀନ ଶୂନ୍ୟତା ନାହିଁ । ଘାତ ପ୍ରତିଘାତର ଘମାଘୋଟ ମଉଚ୍ଛବ ନାହିଁ । ନଦୀଟିଏ ହେବା ପାଇଁ ମୋ ଠେଇଁ ନିର୍ଭୀକତା ନାହିଁ । ପ୍ରବାହ ନାହିଁ । ପ୍ରତିପୋଷ ପାଣିର ପ୍ରବାହ ଭିତରେ କ୍ଷଣକ୍ଷଣ ନୂତନତା ନାହିଁ । ଉତ୍ତାଳ ଲହରୀମାଳାର ଲାବଣ୍ୟ ଲାଳିତ୍ୟ ନାହିଁ । କୁଳୁକୁଳୁ ଜଳଗୀତି ନାହିଁ । ସାଗର ସଙ୍ଗମ ଭଳି ଦୁର୍ବାର ସଂକଳ୍ପ ବି ନାହିଁ । ଏହା ଯଦି ସତ୍ୟ, ତେବେ ମୁଁ ସମୟର ପ୍ରତିଟି ମୁହୂର୍ତ୍ତ ପ୍ରତ୍ୟାଖ୍ୟାତ ହେବା ଉଚିତ୍ ।

କେହି କେହି ବି କହନ୍ତି, ମୁଁ ରକ୍ଷଣଶୀଳ, ଏକ ପ୍ରାଚୀନ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି । ମୁଁ ପୁଣି ପୁରୁଣା ପ୍ରଥା-ପ୍ରହେଳିକାକୁ ଆପଣେଇ ନେଇଥିବା ଏକ ନିର୍ବୋଧ ବିଶ୍ୱାସ । ମୃତ ଅତୀତର ଦୀର୍ଘ ଅନୁଭୂତିକୁ ଏବକାର ବିଜ୍ଞ ବର୍ତ୍ତମାନ ଉପରେ ଲଦି ଦେବା ହିଁ ମୋର ପ୍ରଚ୍ଛନ୍ନ ପ୍ରୟାସ । ଏକ ଅଚଳ ମୁଦ୍ରାର ମୁଁ ଏକ ମର୍ମଦାହ । ବିଗତଦିନର ଜକଜକ ଖାଣ୍ଟି ସୁନାର ଏକ ନିଷ୍ପ୍ରଭ ଚମକ । ମୁଁ ପୁଣି ବିରକ୍ତିକର ଭାବରେ ପରିଚିତ ନୀତିନିୟମରେ ବନ୍ଧା ଦୋଷଦର୍ଶୀ ଦୂରଦୃଷ୍ଟିହୀନ ଏକ ମନ୍ଥର ମଣିଷ । ଏହା ଯଦି ସତରେ ସତ୍ୟ ହୋଇଥାଏ, ତେବେ ମୁଁ ଅକ୍ଷମଣୀୟ, ପରିତ୍ୟାଗ ଯୋଗ୍ୟ ।

ଏ ଦୁନିଆଁର ରଙ୍ଗମଞ୍ଚରେ, ଅସରା ଏକ ନାଟକ ଅହରହ ଅଭିନୀତ ହେଉଥିବା ସତ୍ୟ । ସଭିଏଁ କଳାକାର । ସେପରି ଏକ କଳାପ୍ରେମୀ କଳାକାର ମୁଁ । ମୋର ଅଭିନୟର ଅବଧି ପର୍ଯ୍ୟନ୍ତ, ଏ ରଙ୍ଗମଞ୍ଚରେ ପଦଚାଳନା କରିବା ପାଇଁ ମୁଁ ସ୍ୱୀକୃତିପ୍ରାପ୍ତ । ଅଭିନୟରେ ବିଚ୍ୟୁତି ଆଣିବା କିମ୍ୱା ତାକୁ ବିକୃତ କରିବା ଅପରାଧ । ସେଥିପାଇଁ କୁତ୍ସା, ଅପମାନ, ଘୃଣାଠାରୁ ଆରମ୍ଭ କରି ଦଣ୍ଡ ପାଇବା ପର୍ଯ୍ୟନ୍ତ ମୁଁ ପ୍ରସ୍ତୁତ । ସେସବୁ ସୀମା, ଶୃଙ୍ଖଳ ଏବଂ ଶୃଙ୍ଖଳା ବିଷୟରେ ମୁଁ ମଧ୍ୟ ସଚେତନ । ସମସ୍ତ ବ୍ୟର୍ଥତାର ଆରୋପରେ ଆଲୋଡ଼ିତ କରି ଉବୁଟୁବୁ କରେଇବା ନିର୍ଦ୍ଦୟତାର ନିଦର୍ଶନ । ମୋତେ ଏକ ବ୍ୟାଜ ଚରିତ୍ରରେ ଚିତ୍ରିତ କରି, କପଟ କୃତ୍ରିମ ସେହି ବ୍ୟାଜ ବାହାନାର ବିଶେଷଣରେ ବିଭୂଷିତ କରି, ମୋର କଣ୍ଠରୋଧ କରିବା ଅନ୍ୟାୟ ହେବ ।

ମୋତେ କାଉଲୁବାଉଲୁ କରି, ମାନସିର ଅବସାଦଗ୍ରସ୍ତ କରି, ନିମ୍ନଗାମୀ କରେଇବା ନିଷ୍ଠୁରତାର ପରିଚୟ । କିଛି ଉଦାରତା ସହିତ କିଛି ସୁଯୋଗ ମୋତେ ଦରକାର । ଏକ ଦୀର୍ଘସ୍ଥାୟୀ ଯୁଦ୍ଧ ଲଢ଼ିଥିବା ସୈନିକକୁ ସେଇଆ ହିଁ ଆବଶ୍ୟକ ।

ଏ ବିଶ୍ୱକୁ ଏକ ବ୍ୟାଜଦର୍ଶନର ବସତିରେ ପରିଣତ କରିବା ପୂର୍ବରୁ କିଛି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ଅଛି । କିନ୍ତୁ ତା’ ପୂର୍ବରୁ ମୋତେ ତୁମେ ବ୍ୟାଧିତ କରୁଛ, ରୋଗାକ୍ରାନ୍ତ କରୁଛ । ଏପରିକି ରୋଗ ନିମନ୍ତ୍ରଣକାରୀ ରୋଗ ମଧ୍ୟ ମୋ ଉପରେ ଲଦି ଦେଉଛ । ଏହି ଶାରିରୀକ ଦୁରାରୋଗ୍ୟ ଏବଂ ମାନସିକ ସନ୍ତୁଳନ ମୋତେ ଅସହ୍ୟ ହେଉଛି । ପରିବାରଠାରୁ ଆରମ୍ଭ କରି ସମାଜ ଓ ଶାସନ ପର୍ଯ୍ୟନ୍ତ ଅବହେଳା ଓ ଅସହଯୋଗ ମୋତେ ଅସ୍ଥିର କରୁଛି ।

ମୁଁ ମୋ ନିଜ ହାତରେ ତିଆରି କରିଥିବା ଘର ଏବେ ମୋର ନୁହେଁ । ମୋର ମାଷ୍ଟର ବେଡ଼ରୁମ୍ ମୋର ନୁହେଁ । ମୋ ଆଖି ଆଗରେ ସେଠି ଚଳପ୍ରଚଳ ଆଉ ଏକ ମାଷ୍ଟର । ବାଟଘର, ଶିଡ଼ିଘର, ଅଥବା ପୋର୍ଟିକୋ ପାଖରେ ତିଆରି ଏକ ଚାରିକାନ୍ଥର ଆବରଣ ମୋ ପାଇଁ ଉଦ୍ଦିଷ୍ଟ । ମୋ ପାଖାପାଖି ବନ୍ଧା ହୋଇଥିବା ଆଲସିସିଆନ୍‌ର ଭୋ’ ଭୋ’ ଶବ୍ଦପୁଞ୍ଜ ହିଁ, ମୋର କ୍ଷୁଧା ପାଇଁ ଇଙ୍ଗିତ ଦେବାର ଅବଲମ୍ୱନ । ଯୁଧିଷ୍ଠିର ମହାରାଜାଙ୍କୁ ଶେଷ ପର୍ଯ୍ୟାୟରେ ସାଥି ଦେଇଥିବା ଶ୍ୱାନବଂଶରୁ, କେହି ହେଲେ ହୋଇଥିବ ମୋର ଏଇ ଶ୍ୱାନବନ୍ଧୁ । ଯନ୍ତ୍ରଣା ଦେବା ସହିତ ଜବରଦଖଲ ଏବେ ଏ ମୂଲକର ମାପକାଠି । ପ୍ରତିଦିନ ଦୂର ସହରର ଜରାନିବାସକୁ ସ୍ଥାନାନ୍ତରିତ କରିଦେବାର ଉଗ୍ର ଓଜସ୍ୱିନୀ ଉଚ୍ଚାରଣ ଏବେ ଅତ୍ୟାଧୁନିକ ବେଦମନ୍ତ୍ର ।

ଏପରି ଏକ ସମାଜର ପରିକଳ୍ପନା ବୋଧହୁଏ ଏହି କଠୋରତମ ସତ୍ୟ । ପିତାମହ ପିତାମହୀ କହି, ପ୍ରପିତାମହ ପ୍ରପିତାମହୀ କହି, ସମସ୍ତଙ୍କୁ ବୃଦ୍ଧ ମହାବୃଦ୍ଧର ଆଭୂଷଣରେ ଅଭିଷିକ୍ତ କରି, ଏପରିକି ଶ୍ରାଦ୍ଧପିଣ୍ଡ ବଢ଼ାହେବାବେଳେ ନାମଗୋତ୍ର ସମ୍ପୂର୍ଣ୍ଣ ଭୁଲିଯିବାଟା ହିଁ, ଏହି ତଥାକଥିତ ଶୋକାପ୍ଲୁତ ସମାଜର ସୁସ୍ଥ ସଂଯମପଣ । ତଥାପି ଏପରି ଏକ ଉପରଠାଉରିଆ ଋକ୍ଷ ମତାମତ ରଖିବା ପୂର୍ବରୁ ସତ୍ୟାସତ୍ୟର ଉଦ୍ଘାଟନ ପାଇଁ ଏ ବ୍ୟାପାରରେ ଏକ ବିଶେଷ ବ୍ୟୁତ୍ପତ୍ତିର ଆବଶ୍ୟକ ଥିବା ମନେହୁଏ ।

ଭୌତିକ ଦୃଷ୍ଟିଭଙ୍ଗୀ ବଦଳରେ ଏକ ଆଧିଭୌତିକ ଚେତନଶୀଳ ଦୃଷ୍ଟିଭଙ୍ଗୀ ଏପରି ଏକ ଚିରଚର୍ଚ୍ଚିତ ସ୍ପର୍ଶକାତର ସମସ୍ୟାକୁ ତୀକ୍ଷ୍ଣ ଆଲୋକପାତ କରିପାରେ । ତୃତୀୟ ନୟନର ସାହାଯ୍ୟରେ ଏପରି ଏକ ଗୁରୁଗମ୍ଭୀର ସାମାଜିକ ତଥା ପାରିବାରିକ ସମସ୍ୟାର ଦିବ୍ୟଦର୍ଶନ ଆବଶ୍ୟକ । ବୈଦିକ ସାମଗାନ ପରି କୃତଜ୍ଞତାର ମାଙ୍ଗଳିକ ମନ୍ତ୍ର, ମହତ୍ତ୍ୱର ପୁନଃପୁନଃ ଉଚ୍ଚାରିତ ହେବା ଆବଶ୍ୟକ ।

ତେବେ ଏହି ବେସାହାରା ବାର୍ଦ୍ଧକ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ କେବେ ତୁମେ ଥରେ ଅନୁଭବ କରିଛ ମଣିଷ । ତାହାର ଲାଳିତ୍ୟ ଲୋଭନୀୟ । ଏ ଧରିତ୍ରୀର ବୟସ କେତେ ? ଅକଳନ ବୟସ । ସାରା ବର୍ଷ ସେହି ଧରିତ୍ରୀ ଋତୁଋତୁରେ ଚିରଚିତ୍ରିତ ରୋମାଞ୍ଚରେ ପରିପୂର୍ଣ୍ଣ । ଶିଶୁ, କୈଶୋର, ଯୌବନ, ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟର ସେ ଏକ ମନ୍ତ୍ରମୁଗ୍ଧ ମିଳନସ୍ଥଳ । ଯାହା ଖୋଜିବ, ଯେତେବେଳେ ଖୋଜିବ, ତାହା ହିଁ ପାଇବ । ସେଠି ବାର୍ଦ୍ଧକ୍ୟ ପରାହତ ।

ସମୁଦ୍ରର ବୟସ କେତେ ଜାଣିଛ ମଣିଷ ? ଅକଳ୍ପନୀୟ ବୟସ । ଅସଂଖ୍ୟ ଜଳାଧାର, ଅସଂଖ୍ୟ ବର୍ଷାବିନ୍ଦୁକୁ ସାଇତି ରଖି ପୁଣି ସମର୍ପି ଦେଉଛି ସେହି ମହାବୃଦ୍ଧ ମହୋଦଧି । କୂଳରେ ସେ ଯୌବନ ମୁଖର, ତରଙ୍ଗତରଳ, ତୃଷିତ ତାରୁଣ୍ୟ, ଲାଳିତ୍ୟମୟ, ଲାବଣ୍ୟମୟ । କେନ୍ଦ୍ରସ୍ଥଳରେ ସେ ସ୍ଥିର ସ୍ଥବିର, ଅଥଳ ଅଚଳ ଏବଂ ଅସାମାନ୍ୟ ଭାବରେ ଅଭିଜ୍ଞ । କେନ୍ଦ୍ର ଏବଂ କୂଳର ସେଠି ଚୈତନ୍ୟ ମିଳନ, ଦିଆନିଆ ଭାବ, ଯୋଗାବିଷ୍ଟ ଯୋଗସୂତ୍ର ।

ଠିକ୍ ସେହିପରି ଆକାଶର ବୟସ କେତେ ? ଅନନ୍ତ ଶୂନ୍ୟତା ହିଁ ଈଶ୍ୱର ! ସେହି ଆକାଶ ହିଁ ଅନନ୍ତ ଶୂନ୍ୟତା । କଳାମେଘୀ କବରୀରେ ସେଠି ତାରାଫୁଲ । ଇନ୍ଦ୍ରଧନୁର ସେଠି ମନମତାଣିଆ ମୁଗ୍ଧ ଯୌବନ । ପୂର୍ଣ୍ଣିମାର ପ୍ରମତ୍ତପଣ ଏବଂ ଅମାବାସ୍ୟାର ରୋମାଞ୍ଚ ସେଠି ରଚେ ରମ୍ୟ ଉପବନ । ସୂର୍ଯ୍ୟମୟ, ଚନ୍ଦ୍ରମୟ ଆଖିର ଆଇନା ଭିତରେ ସମଗ୍ର ସଂସାର ମନମଞ୍ଜୁଳ ।

ବୟସର ବନ୍ଦୀଘର ନିଅଣ୍ଟ ହୁଏ ଧରି ରଖିବାକୁ ଏହି ଧରିତ୍ରୀ, ସମୁଦ୍ର ଏବଂ ଆକାଶର ତାରୁଣ୍ୟତୀର୍ଥକୁ । ଏହି ତ୍ରିଧାରା ତୀର୍ଥକୁ ବାଦ୍ଦେଇ ମୋର ଅସ୍ତିତ୍ୱକୁ ଅବଲୋକନ କରିବା ଅସମ୍ଭବ । ସେଥିପାଇଁ ତୁମମାନଙ୍କ ପାଇଁ ମୋର ଏହି ମାୟାମଖା ଆପାତତଃ, ବାର୍ଦ୍ଧକ୍ୟ, ଏକ ବାହ୍ୟ ପରିଚୟ ମାତ୍ର । ଭୁଲ୍ ବୁଝାମଣାର ଶିକାରଟିଏ ମୁଁ, ଯୁଗଯୁଗ କାଳକାଳ ।

ପ୍ରତିଟି ନିଃଶ୍ୱାସପ୍ରଶ୍ୱାସର ବିଶ୍ୱାସଟିଏ ହିଁ ମୋର ଜୀବନର ଅବଧି । ବଞ୍ଚିବାର ବେଳ, ମରିବାର ବେଳ, ମୁହୂର୍ତ୍ତମୁହୂର୍ତ୍ତର ମନ୍ମୟ ମିଳନ ତ, ଏହି ସମଗ୍ର କାଳର ଅବଧି । ମୁଁ ମୁହୂର୍ତ୍ତେ ଥାଏ ତ, ମୁହୂର୍ତ୍ତେ ନ ଥାଏ । ଏହି ବିଚ୍ଛିନ୍ନ ବିଯୋଗ ହିଁ, ତୁମମାନଙ୍କ ଭାଷାରେ ମୋର ଜନ୍ମମୃତ୍ୟୁର ଚକ୍ର । ତେଣୁ ତୁମରି ଭାଷାରେ ତ, ମୋର ବୟସ ମାତ୍ର ମୁହୂର୍ତ୍ତେ । ମୁହୂର୍ତ୍ତେ ବୟସକୁ କ’ଣ ବାର୍ଦ୍ଧକ୍ୟ ଛୁଏଁ । ତୁମେ ଦେଖୁଥିବା ଏଇ ମଞ୍ଚମାୟାର ଆରପଟେ ମୋର ପ୍ରକୃତ ମୂଳ ପରିଚୟଟି ହେଉଛି ଶୂନ୍ୟତା, ନିରବତା, ବୁଦ୍ଧତ୍ୱ । ଶୂନ୍ୟତାର ବାର୍ଦ୍ଧକ୍ୟ ନାହିଁ । ନିରବତାର ବାର୍ଦ୍ଧକ୍ୟ ନାହିଁ । ବୁଦ୍ଧତ୍ୱର ବାର୍ଦ୍ଧକ୍ୟ ନାହିଁ ।

ମୋର ବାର୍ଦ୍ଧକ୍ୟ ତେଣୁ ଉଭୟ ମାୟାସିକ୍ତ ଏବଂ ମାୟାତୀତ । ମୋତେ ତୁମେ ମାୟାମନ୍ତ୍ରିତ ବାର୍ଦ୍ଧକ୍ୟର ଅଭିଯୁକ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ । ସେପରି ଏକ ବାର୍ଦ୍ଧକ୍ୟର ଅଭିଯୋଗ ମୋ ପାଇଁ ଭାଗ୍ୟର ବିଡ଼ମ୍ୱନା । ସେଥିପାଇଁ ହେ ମୋର ସମ୍ମାନନୀୟ ବାର୍ଦ୍ଧକ୍ୟ, ମୋ ପାଇଁ ତୁମେ କ’ଣ ତେବେ ଏକ ବିଡ଼ମ୍ୱିତ ବ୍ୟାଧି । ତୁମେ କ’ଣ ଯନ୍ତ୍ରଣା ଦେବ, କ୍ଳେଶ ଦେବ, ପ୍ରତାରଣା ଦେବ, ଉପହାସ କରିବ, ଅଧିକାର ଅଧିଗ୍ରହଣ କରି ଅନ୍ଧକାର ଦେବ । ମୁଁ ଏକ ବେଗବାହୀ ବ୍ୟକ୍ତିସତ୍ତା ନୁହେଁ କହି ବିଦ୍ରୁପ କରିବ । ଆଗମନର ଫାଟକ ଦେଖେଇ ଆମନ୍ତ୍ରଣ କରିବ ତ, ପ୍ରସ୍ଥାନର ଫାଟକ ଦେଖେଇ ଅପମାନିତ କରିବ ।

ଇତିହାସ କହେ, ଖୁବ୍ ଅଳ୍ପ ବୟସର ପିଲା ଏକଲବ୍ୟର ବୃଦ୍ଧାଙ୍ଗୁଳିରେ ଚରମ ବୀରତ୍ୱ ସହିତ ପରମ ବୁଦ୍ଧତ୍ୱ ନିହିତ ଥିଲା । ପିତାମହ ଭୀଷ୍ମଙ୍କର ବିରଳ ବାର୍ଦ୍ଧକ୍ୟ ଭିତରେ ଶତଶତ ଅସାମାନ୍ୟ ଅଭିମନ୍ୟୁମାନଙ୍କର ଯୌବନର ଯୁଦ୍ଧଶୈଳୀ ଜମାଟ ବାନ୍ଧିଥିଲା ।

ମୁଁ ବେଶ୍ ସଚେତନ । ମୋର ବୟସର ଏକ ଊର୍ମିଳ ଉଦ୍ଦାମତା ଅଛି । ଏହା ଏକାନ୍ତ ଆଦିମ, ଅହାହତ, ଅମଳିନ, ଅଲଙ୍ଘ୍ୟ, ଅସମାହିତ, ଅକଳ୍ପନୀୟ ଏବଂ ଅନମନୀୟ ।

ହେ ! ମୋର ପ୍ରିୟ ସମ୍ମାନନୀୟ ପିତାମହ ବାର୍ଦ୍ଧକ୍ୟର ଭୀଷ୍ମ, ଏ ବିଚାର କେବଳ ତୁମରି ଉପରେ ନିର୍ଭରଶୀଳ । ତୁମେ ହିଁ କେବଳ ମୋ ଭାଗ୍ୟର ସୂତ୍ରଧର । ଉଚିତ୍ ଭାବିଲେ ମୋତେ ତୁମେ ସମ୍ମାନର ସହିତ ଗ୍ରହଣ କରିପାର । ନଚେତ୍ କେଉଁ ଏକ ଅନାମଧେୟ ଜରାନିବାସରେ ମୋତେ ଭାତଥାଳିର ଭତ୍ତା ଦେଇ, ତତ୍‌କ୍ଷଣାତ୍ ଭୁଲିଯାଇପାର ।

ଲୋକପ୍ରିୟ ଲେଖା

To Top