ପ୍ରବନ୍ଧ

ଭାରତୀୟ ଦର୍ଶନ ଓ ନାଥତତ୍ତ୍ୱ

Shreebatsa Prasad Nath's odia prose Bhaaratiya Darshan O Naathatattwa

ଓଡ଼ିଆ ବିଦ୍ୱାନମାନେ ଅଳ୍ପ କଥାରେ ସନ୍ତୁଷ୍ଟ ହୋଇ ଅଧିକ ଅନୁସନ୍ଧାନ କିମ୍ୱା ତଥ୍ୟ ସଂଗ୍ରହ କରି ତାହାର ସଂରକ୍ଷଣ ଦିଗରେ ଆଗଭର ହୋଇ ନାହାନ୍ତି ।

ଭାରତୀୟ ଦର୍ଶନ ଓ ନାଥତତ୍ତ୍ୱ

ଆମ ଦେଶର ବିଭିନ୍ନ ରାଜ୍ୟ ତଥା ପଡ଼ୋଶୀ ଦେଶ ନେପାଳ, ଭୁଟାନ, ସିକିମ୍, ତିବ୍ବତ୍, ପାକିସ୍ତାନ, ଆଫ୍ଗାନୀସ୍ତାନ ଆଦି ନାନା ସ୍ଥାନରେ ନାଥ ସମ୍ପ୍ରଦାୟର ଲୋକମାନେ ଦେଖିବାକୁ ମିଳନ୍ତି । ଦିନେ ଏହି ଧର୍ମ ସମଗ୍ର ଭାରତ ବର୍ଷ ଓ ଆଖପାଖ ବାହାର ଦେଶମାନଙ୍କରେ ପରିବ୍ୟାପ୍ତ ଥିଲା ଏହା ସହଜରେ ଅନୁମେୟ । ନାଥ ଧର୍ମ ଉପରେ ଭାରତୀୟ ଭାଷା ସାହିତ୍ୟମାନଙ୍କରେ ବହୁଳ ଗବେଷଣା ଅତୀତରେ ହୋଇଛି ଓ ଆଜି ମଧ୍ୟ ହେଉଛି । କିନ୍ତୁ ଆମ ଓଡ଼ିଆ ଭାଷାରେ ଏହାର ବିଶେଷ ଉନ୍ନତି ହୋଇ ପାରିନାହିଁ । ଆମ ପାଖରେ କିଛି ନିଦର୍ଶନ ନାହିଁ- ଏକଥା ନୁହେଁ । ଯାହା ଜଣାପଡ଼େ ଏହି ଧର୍ମ ସମ୍ୱନ୍ଧରେ ଆମ ପାଖରେ ବହୁ ତଥ୍ୟ ରହିଥିଲା । ଅଥଚ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି ଓ ଯାଉଛି । ଅଧିକନ୍ତୁ ଓଡ଼ିଶା ଗୋଟିଏ ନାନା ପ୍ରାକୃତିକ ବିପର୍ଯ୍ୟୟ ବହୁଳ ରାଜ୍ୟ ହୋଇଥିବାରୁ ଅତୀତର ଅନେକ ନିଦର୍ଶନ ସମୟ ସ୍ରୋତରେ ବିଲୁପ୍ତ ହୋଇଯାଇଛି । ଓଡ଼ିଆ ବିଦ୍ୱାନମାନେ ଅଳ୍ପ କଥାରେ ସନ୍ତୁଷ୍ଟ ହୋଇ ଅଧିକ ଅନୁସନ୍ଧାନ କିମ୍ୱା ତଥ୍ୟ ସଂଗ୍ରହ କରି ତାହାର ସଂରକ୍ଷଣ ଦିଗରେ ଆଗଭର ହୋଇ ନାହାନ୍ତି । ଯେଉଁ ଅଳ୍ପ କେତେ ଜଣ ଏହି ଧର୍ମ ସମ୍ପର୍କରେ କିଛି ପ୍ରମାଣ ପାଇ କିଞ୍ଚିତ୍ ଆଲୋକପାତ କରିଛନ୍ତି, ସେମାନଙ୍କୁ କୌଣସି ପ୍ରୋତ୍ସାହନ ମିଳିନାହିଁ କିମ୍ୱା ସେମାନଙ୍କ ଲେଖା ଉପରେ ବିଶେଷ ବିଚାର ଆଲୋଚନା ହୋଇନାହିଁ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗଠନର ଅର୍ଦ୍ଧଶତାବ୍ଦୀ ପରେ ଆଜି ଉକ୍ତ ଅନୁଷ୍ଠାନ ତରଫ୍‌ରୁ ନାଥ ଧର୍ମ ସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହେବା ଓଡ଼ିଆ ସାହିତ୍ୟ ଇତିହାସରେ ଗୋଟିଏ ଅତୀବ ଉଲ୍ଲେଖନୀୟ ଘଟଣା ।

ଭାରତୀୟ ଧର୍ମ ପରମ୍ପରାରେ ଶୈବଧର୍ମ ସର୍ବପ୍ରାଚୀନ । ଆମ ଦେଶର ଆଦିମ ଅଧିବାସୀମାନେ ସର୍ବ ପ୍ରଥମେ ଭଗବାନ ଶିବଙ୍କ ସନ୍ଧାନ ପାଇଥିଲେ । ସେମାନେ ତାଙ୍କୁ ପଶୁପତି ନାଥ ରୂପରେ ପୂଜା କରୁଥିଲେ । ସେତେବେଳେ ମାତୃକା ପୂଜାର ମଧ୍ୟ ପ୍ରଚଳନ ଥିଲା । ତାହାର ପ୍ରତ୍ୟକ୍ଷ ନିଦର୍ଶନ ଦ୍ରାବିଡ଼ ସଭ୍ୟତା ମହେେଞ୍ଜାଦାରୋ ଓ ହରପ୍ପାରୁ ମିଳିଛି । ନାନା ଗବେଷଣାରୁ ଜଣାପଡ଼ିଛି ଆର୍ଯ୍ୟ ଭିନ୍ନ ଜାତିମାନେ ଶିବଙ୍କ ଉପାସକ ଥିଲେ । ନାଥ ଶବ୍ଦର ଉତ୍ପତ୍ତି ମଧ୍ୟ ସେହି କାଳରୁ ହୋଇଛି । ତେଣୁ ଶିବଙ୍କୁ ଆଦି ନାଥ କୁହାଯାଏ । ଆଉ ମଧ୍ୟ ସେ ହେଉଛନ୍ତି ଭୂତନାଥ । ପଞ୍ଚଭୂତ ତତ୍ତ୍ୱର ମୂଳାଧାର ଦେବତା ହେଉଛନ୍ତି ଦେବ ଦେବ ମହାଦେବ । ସୃଷ୍ଟି ପ୍ରକ୍ରିୟା ଓ ବିବର୍ତ୍ତନବାଦ ଅନୁସାରେ ଶିବ ପଞ୍ଚଭୂତର ଜନକ ଓ ପୁଣି ସଂହାର କର୍ତ୍ତା । ପ୍ରକୃତି ଜଗତର ହର୍ତ୍ତାକର୍ତ୍ତା ଶିବଙ୍କ ତାଣ୍ଡବ ନୃତ୍ୟରେ ପୁରାତନ ଧ୍ୱଂସ ପାଇ ନୂତନ ସୃଷ୍ଟି ସଂଘଟିତ ହୋଇଥାଏ । ମୃତ୍ୟୁ ପରେ ଜୀବନ ସଦୃଶ ଲୟ ପରେ ସୃଷ୍ଟି ଏହା ପ୍ରକୃତିର ଚିରନ୍ତନ ଧାରା । ପୃଥିବୀ ଗଠନ ଆଦ୍ୟ କାଳରେ ଭଙ୍ଗାଗଢ଼ା କାମ ପ୍ରତି ମୁହୂର୍ତ୍ତରେ ଘଟୁଥିଲା । ତେଣୁ ବିଶ୍ୱବ୍ରହ୍ମାଣ୍ଡର ଉତ୍ପତ୍ତିରେ ଆଦି ଶକ୍ତି ହେଉଛନ୍ତି ରୁଦ୍ର ଭଗବାନ ଶିବ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଆର୍ଯ୍ୟ ସଭ୍ୟତାର ବହୁ ପୂର୍ବରୁ ପ୍ରାଚୀନ ଭାରତରେ ଶିବ ଉପାସନା ଥିଲା ଏକମାତ୍ର ଧର୍ମ ।

ଆର୍ଯ୍ୟମାନେ ଭାରତର ଆଦିମ ଅଧିବାସୀ ଦ୍ରାବିଡ଼ମାନଙ୍କୁ ବ୍ରାତ୍ୟ ଆଖ୍ୟା ଦେଇଥିଲେ । ବ୍ରାତ୍ୟ ଶବ୍ଦର ଅର୍ଥ ଦାସ, ଦସ୍ୟୁ, ଅସୁର ବା ଦୈତ୍ୟ । ଋକ୍‌ବେଦରେ ମଧ୍ୟ ଏହି ଦାସ, ଦସ୍ୟୁ, ଅସୁରମାନଙ୍କୁ ବ୍ରାତ୍ୟ ବୋଲି ନାମିତ କରାଯାଇଛି । ଏମାନେ ବିଭିନ୍ନ ଦଳରେ ବିଭକ୍ତ ଥିଲେ । ସେହି ଦଳଗୁଡ଼ିକର ନାମ ହେଲା- ପାରାବତ, ପକ୍‌ଥ, ଅଲିନ୍, ଉଲାଣ, ବିଶାଣି, ଶିବ, ମତ୍ସ୍ୟ, ପାଣି ବେକନଟ ଓ କୀକଟ । ଅନ୍ୟ କେତେକ ଗବେଷକଙ୍କ ମତରେ ଏମାନଙ୍କ ମଧ୍ୟରୁ ବେକନଟ ଓ କୀକଟ ଗୋଷ୍ଠୀର ଲୋକମାନେ ବିନ୍ଧ୍ୟାଞ୍ଚଳରେ ବସବାସ କରୁଥିଲେ । ସେମାନେ ଶିବ ଓ ଯୋଗପନ୍ଥାକୁ ପରମ ସତ୍ୟ ବୋଲି ଗ୍ରହଣ କରିଥିଲେ । ସେମାନେ ଥିଲେ ବ୍ରାତ୍ୟ । ସେମାନଙ୍କ ବେଶଭୂଷା ଥିଲା ମସ୍ତକରେ ପଗଡ଼ି, କନ୍ଧରେ ବସ୍ତ୍ର, ହାତରେ ଠେଙ୍ଗା, ପାଶ ଓ ଚାବୁକ । ସେମାନେ ପ୍ରାୟତଃ କ୍ଷତ୍ରୀୟ ଥିଲେ । ଏମାନେ ହଠଯୋଗୀ ଥିଲେ ବୋଲି ହକଲ୍‌ଦାର ତ୍ରିପାଠୀ ତାଙ୍କର ବୌଦ୍ଧଧର୍ମ ଓ ବିହାର ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ବ୍ରାତ୍ୟଗଣ ପ୍ରବଳ ପ୍ରତାପୀ ଥିଲେ ତେଣୁ ଆର୍ଯ୍ୟମାନେ ଏମାନଙ୍କ ସହିତ ବାରମ୍ୱାର ଯୁଦ୍ଧ କରି ହାରୁଥିଲେ । ସେଥିପାଇଁ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ । ଆର୍ଯ୍ୟଗଣ ବାଧ୍ୟ ହୋଇ ଶେଷରେ ବ୍ରାତ୍ୟମାନଙ୍କ ସହିତ ବନ୍ଧୁତା ପାଶରେ ଆବଦ୍ଧ ହୋଇଥିଲେ । ପରବର୍ତ୍ତୀ କାଳରେ ଏମାନଙ୍କ ଯୋଗଧାରାକୁ ସ୍ୱୀକାର କରିନେଲେ ଏବଂ ଏମାନଙ୍କ ଦେବତା ଶିବଙ୍କୁ ଆଦିବ୍ରାତ୍ୟ ବୋଲି କହି ପୂଜାର୍ଚ୍ଚନା କଲେ । ସେହି ବ୍ରାତ୍ୟ ଶୈବ ଧର୍ମରୁ ନାଥ ଧର୍ମର ଉତ୍ପତ୍ତି ।

ବସ୍ତୁତଃ ଦ୍ରାବିଡ଼ ଗୋଷ୍ଠୀର ସମ୍ପର୍କରେ ଆସି ଆର୍ଯ୍ୟମାନେ କ୍ରମଶଃ ଅନେକ କଥା ଜାଣି ପାରିଥିଲେ । ବୈଦିକ ଦର୍ଶନ ଉପରେ ତାହାର ପ୍ରଭାବ ବିଶେଷ ଭାବରେ ପଡ଼ିଥିଲା । ଆର୍ଯ୍ୟମାନେ ସେତେବେଳେ ସର୍ବେଶ୍ୱରବାଦୀ ଓ ଦ୍ରାବିଡ଼ମାନେ ଆସ୍ତିକ ବା ଈଶ୍ୱରବାଦୀ ଥିଲେ । ଋକ୍‌ବେଦରୁ ଜଣାପଡ଼େ ଆର୍ଯ୍ୟମାନେ ଅଗ୍ନି, ବରୁଣ, ଇନ୍ଦ୍ର, ମରୁତ, ଚନ୍ଦ୍ର, ବ୍ରହ୍ମା, ବିଷ୍ଣୁ ଆଦି ଦେବତାଙ୍କୁ ପୂଜା ଆରାଧନା କରୁଥିଲେ । ଏଠାରେ ରୁଦ୍ରଙ୍କ ସ୍ଥାନ ନାହିଁ କହିଲେ ଚଳେ । କିନ୍ତୁ ପରବର୍ତ୍ତୀ କାଳରେ ଆର୍ଯ୍ୟ ସଂସ୍କୃତିରେ ଶିବ ଦେବ ଦେବ ମହାଦେବ ଭାବରେ ପୂଜା ପାଇଛନ୍ତି । ତାଙ୍କୁ ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳକାରୀ ସଂହାରକର୍ତ୍ତା ହିସାବରେ ଗ୍ରହଣ କରାଯାଇଛି । ଆର୍ଯ୍ୟ ଓ ଦ୍ରାବିଡ଼ ସଭ୍ୟତାର ମିଳନରେ ଶିବଙ୍କ ମହିମା ବିଶେଷ ପ୍ରକଟିତ ହୋଇଛି ଏବଂ ଯଜୁଃ ଓ ଅଥର୍ବ ବେଦରେ ତାଙ୍କର ସ୍ଥାନ ସବୁ ଦେବତାଙ୍କ ଠାରୁ ଉର୍ଦ୍ଧ୍ଵରେ ରଖାଯାଇଛି । ଏହି ବ୍ରାତ୍ୟଧର୍ମୀମାନଙ୍କ ମଧ୍ୟରେ ଯୋଗାଚାରୀ ଆଦିନାଥ ପନ୍ଥୀମାନେ କାଳକ୍ରମେ ଯତି, ଆର୍ହତ, ଗାରାଗିର, ଲକୁଲିଆ, ପାଶୁପତ, କାପାଳିକ, କାଳମୁଖ ଓ ରାସେଶ୍ୱର ଆଦି ବିଭିନ୍ନ ବିଭାଗରେ ବିଭକ୍ତ ହୋଇଥିଲେ । ସେତେବେଳେ ଏମାନେ ଶିବ, ଦୁର୍ଗା (ଆମ୍ମା), କାର୍ତ୍ତିକେୟ, ଗଣେଷ ଓ ଲିଙ୍ଗକୁ ମଧ୍ୟ ଦେବତା ବୋଲି ପୂଜା କରୁଥିଲେ ।

ପ୍ରାକ୍ ଆର୍ଯ୍ୟ ସଭ୍ୟତାର ପ୍ରକୃଷ୍ଟ ନିଦର୍ଶନ ମହେେଞ୍ଜାଦାରୋ ଓ ହରପ୍ପାରୁ ଆବିଷ୍କୃତ ଯୋଗାସନ ଉପବିଷ୍ଟ ଧ୍ୟାନମଗ୍ନ କୁଣ୍ଡଳଧାରୀ ଶିବମୂର୍ତ୍ତିଙ୍କୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼େ ଯୋଗ ବେଦ ପୂର୍ବରୁ ଏକ ସାଧନ ପ୍ରଣାଳୀ ରୂପେ ବିବେଚିତ ହେଉଥିଲା । ବ୍ରାତ୍ୟମାନେ ମଧ୍ୟ ଯୋଗବଳରେ ଦୀର୍ଘ ନିରାମୟ ଶରୀର ଧାରଣ ଓ ଦିବ୍ୟଜ୍ଞାନ ପ୍ରାପ୍ତ ହେଉଥିଲେ । କିନ୍ତୁ ସେତେବେଳେ ଯୋଗ ପ୍ରକ୍ରିୟା ପ୍ରାଥମିକ ସ୍ତରରେ ଥାଇ ନାନା ମୁନିଙ୍କ ନାନା ମତ ପରି ବିଶୃଙ୍ଖଳିତ ଅବସ୍ଥାରେ ଥିଲା । ପ୍ରାଚୀନ ଯୋଗ ସମ୍ୱନ୍ଧୀୟ ଭାରତର ମତବାଦ ଗୁଡ଼ିକରୁ ଯୋଗର ପ୍ରାଚୀନତା ସମ୍ପର୍କରେ ଅନେକ କଥା ଜଣାପଡ଼େ ।

– ତା’ପରେ –

ଲୋକପ୍ରିୟ ଲେଖା

To Top