ପ୍ରବନ୍ଧ

ତୁମକୁ ମନ୍ଦିର ମନା

Shri Niranjan Padhee odia prose Tumaku Mandira Manaa

ଏପରିକି ଈଶ୍ୱର ତୁମକୁ ମଧ୍ୟ ଅବହେଳା କରିଛନ୍ତି । ପ୍ରସିଦ୍ଧ ଦଶ ଅବତାରଙ୍କ ମଧରୁ ସେହି ଈଶ୍ୱର କୌଣସି ନାରୀରୂପରେ ଅବତାର ଗ୍ରହଣ କରି ନାହାନ୍ତି ।

ତୁମକୁ ମନ୍ଦିର ମନା

ତୁମେ ହରିଜନ ! ତୁମକୁ ମନ୍ଦିର ମନା ! ଏ ମଣିଷ ଈଶ୍ୱରଙ୍କର ସୃଷ୍ଟି ! ଏ ସମାଜ ମଣିଷର ସୃଷ୍ଟି ! ସ୍ୱର୍ଗରେ ଈଶ୍ୱର ସିନା ପ୍ରଭୁ, କିନ୍ତୁ ଏ ମର୍ତ୍ତ୍ୟରେ, ଏ ସମାଜରେ ମଣିଷ ହେଉଛି ମାଲିକ ! ମାଲିକର ହୁକୁମାତିରେ ଶାସନ ଚାଲିବ । ଆଦେଶ ହେଲା, ତୁମେ ଅଚ୍ଛବ, ଅଛୁତ, ଅଛୁଆଁ, ପତିତ, ବେଜାତିଆ । ତୁମର ଜାତିଗୋତ୍ରର ବୁନିଆଦି ନାହିଁ । ତେଣୁ ମନ୍ଦିର ପ୍ରବେଶ ତୁମକୁ ମନା !

ଆମେ ମାନୁଛୁ, ତୁମେ ଲହୁଲୁହାଣ ହୋଇ ମନ୍ଦିରର ଇଟା ପଥର ବାଲି ସିମେଣ୍ଟକୁ ନିଜର ଚର୍ମହାତରେ ଛୁଇଁଛୁଇଁ, ଏହାକୁ ଠିଆ କରିବାରେ ସାହାଯ୍ୟ କରିଛ । ତୁମ ଲୁଣିଆ ଶ୍ରମଝାଳର ଗମୁରିଆ ଗନ୍ଧ ସହିତ ସେବେଳର ତୁମର ବିଭୁବିହ୍ୱଳିତ ବାସ୍ନାର ମଧୁରିମାକୁ ସେହି ନିର୍ଜୀବ ଇଟା ପଥର ଏବେ ବି ହୁଏତ ଭୁଲି ନ ପାରି ସାଇତି ରଖିଥାଇପାରନ୍ତି । କିନ୍ତୁ ଆମେ ନାଚାର ! ଆମେ ଆହୁରି ଜାଣିଛୁ ଯେ ତୁମେ ହଟିଆ ହରିଙ୍କର ପ୍ରିୟଜନ, ହରିଜନ ! କିନ୍ତୁ ମନ୍ଦିର ପ୍ରତିଷ୍ଠା ହୋଇଗଲା ପରେ ତାହା ପବିତ୍ର ହୋଇଯାଏ । ଆଉ ତାକୁ ଏବେ ମାରା କରିବା ମହାପାପ । ସେଥିପାଇଁ ଖୁବ୍ ଖର୍ଚ୍ଚବହୁଳ ମହାସ୍ନାନ ଆବଶ୍ୟକ ହେବ । ମହାସ୍ନାନ ପରେ ପୁଣି ପୂରାମାତ୍ରାରେ ତାହା ପବିତ୍ରିତ ହେଲା କି ନାହିଁ ଆମେ ସନ୍ଦେହରେ ରହିଯିବୁ । ଅକାରଣରେ ଏମିତିଆ ଆଶଙ୍କାର ଅବିଗୁଣ ଅପେକ୍ଷା ତୁମର ମନ୍ଦିର ପ୍ରବେଶ ନ କରିବାଟା ସର୍ବାଦୌ ବାଞ୍ଛନୀୟ !

ଆମେ ତୁମର ଯୁକ୍ତି ସପକ୍ଷରେ ଏକମତ ଯେ, ଆମର ଚରମ ଅସମୟରେ ତୁମର ଶ୍ରମ ଆମ ପାଇଁ ଲୋଡ଼ା । ତୁମ ଦେହର ରକ୍ତବାହୀ ଧମନୀ ଶିରା ପ୍ରଶିରାରୁ ନିଗିଡ଼ା ହୋଇଥିବା ରକ୍ତ ବୋତଲଟା ଆମ ଜୀବନକୁ ଜୀଆଇଁ ରଖିବାକୁ ସମର୍ଥ । ଏ ମନ୍ଦିରର ସିଂହାସନରେ ତୁମର ସେହି ପ୍ରିୟ ହରି ବିରାଜମାନ । ସେହି ହରି ପୁଣି ତୁମ ଦେହ-ଦେଉଳର ହୃଦୟ-ସିଂହାସନରେ ଆସୀନ । ଦାରିଦ୍ର୍ୟର ନିପୀଡ଼ନରେ ନିସ୍ପେଷିତ କେଉଁ ଏକ ପତିତ ଦାସିଆ ପଠେଇଥିବା ଶ୍ରୀଫଳକୁ ଖୁବ୍ ଆଗ୍ରହରେ ଝିଙ୍କି ଛଡ଼େଇ ନେଇପାରନ୍ତି ସେହି ହରି । ଓଡ଼ିଶାରେ ପିପିଲିଠାରେ ରହିଥିବା ଅବସରରେ ବୋରବୋଇ ଗ୍ରାମସଭା ପାଇଁ ଗାନ୍ଧି ମହାତ୍ମାର ଅନୁପସ୍ଥିତିର ସୁଯୋଗ ନେଇ ସହଧର୍ମିଣୀ କସ୍ତୁରବା କୁଆଡ଼େ ଜଗନ୍ନାଥ ଦର୍ଶନ କରିଥିଲେ ଯେ, ଗାନ୍ଧିବୁଢ଼ା ତାଙ୍କ ସହିତ କେତେଦିନ ଧରି କଥା ମଧ୍ୟ ହୋଇ ନଥିଲେ । ହରିଜନ ମନ୍ଦିର ପ୍ରବେଶ ନ କଲା ପର୍ଯ୍ୟନ୍ତ ସେ ନିଜେ ମଧ୍ୟ ମନ୍ଦିର ଯିବେ ନାହିଁ । ଏପରି କଠୋର ଥିଲା ତାଙ୍କର ବ୍ରତ । କିଛି ବଦଳିଥିଲେ ବି, ତଥାପି ଆଜିଯାଏ ଗାନ୍ଧି ମଧ୍ୟ ସଫଳ ହୋଇପାରି ନାହାନ୍ତି । ସେପାରିରେ ସେ ତାଙ୍କର ଏହି ବ୍ରତକୁ ପାଳନ କରୁଥିବେ ବୋଧହୁଏ । କିନ୍ତୁ ଆମେ ନାଚାର । ତୁମକୁ ମନ୍ଦିର ପ୍ରବେଶ ମନା ! ତୁମ ହୃଦୟ ସିଂହାସନରେ ବସିଥିବା ସେହି ହରିଙ୍କୁ ଦେଖିବାକୁ ଆମେ ଆଜିଯାଏ ବି, ଆଖି ଖୋଜିବାରେ ବ୍ୟସ୍ତ ।

ଘରେ ଘରେ ଭାଇମାନେ ଭିନ୍ନେ ହେଲା ପରି, ଆମେ ଏହି ଜଗତର ଭାଇମାନେ ଆମର ପୈତୃକ ଧନସମ୍ପଦକୁ ଭାଗ କରିବା ସହିତ ଧର୍ମସମ୍ପଦକୁ ମଧ୍ୟ ଭାଗଭାଗ କରିନେଇଛୁ । ହିଡ଼ ପକେଇ ଜମିକୁ ଚିହ୍ନଟ କଲାପରି ଆମେ ଭିନ୍ନ ଭିନ୍ନ ଧର୍ମର ହିଡ଼ ପକେଇଛୁ । ସେହିସବୁ ଧର୍ମହିଡ଼ମାନଙ୍କୁ ନାମକରଣ କରିଛୁ । ସାଙ୍କେତିକ ଚିହ୍ନ ଦେଇଛୁ । ଦେଶର ଜାତୀୟ ପତାକା ପରି ଧର୍ମଧ୍ୱଜା ମଧ୍ୟ ଦେଇଛୁ । ଭଜନ କୀର୍ତ୍ତନ ଶ୍ରବଣ ମନନ ଧ୍ୟାନ ସ୍ୱାଧ୍ୟାୟ ଯାନିଯାତ୍ରା ପୁନେଇଁ ପର୍ବ ପ୍ରଥା ଗୁରୁ ଗୁରୁମନ୍ତ୍ର ସବୁକିଛି ସଳଖ ବଙ୍କା ଯାହା କିଛି ହେଉ, ବୁଝିହେଲା ପରି ବ୍ୟବସ୍ଥା କରିଛୁ । ଏଥର ସେ ହିନ୍ଦୁ ହେଉ ଅବା ମୁସଲମାନ ହେଉ ମୁସଲମାନ ହେଉ, ଖ୍ରୀଷ୍ଟିଆନ୍ ହେଉ କି ବୌଦ୍ଧ, ଜୈନ, ଶିଖ ଯେକୌଣସି ଧର୍ମବାଦ ମତବାଦର ହୁଅନ୍ତୁ ପଛକେ, ତାଙ୍କର ପୂଜାମଣ୍ଡପ ଏବଂ ପୂଜା ଠାକୁରଙ୍କର ଚେହେରା ଶୈଳୀ ନାମ ସବୁ କିଛି ଅଲଗା ଅଲଗା ।

ଏମିତି ଏକ ଭଲ ଭାଇବାଣ୍ଟ କରିସାରିଲା ପରେ ଆଉ ବା ମତଭେଦ ସଂଘର୍ଷ ଜବରଦଖଲ ଜବର ପ୍ରବେଶର କାରଣ ବା କ’ଣ ? ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଭଳି ପଦପଦବୀରେ ଅଳଙ୍କୃତ ଥିବା ବ୍ୟକ୍ତିକୁ ବି, ଆମେ ଶ୍ରୀମନ୍ଦିରକୁ ଛାଡ଼ିନୁ । ପୃଥିବୀର ବିଭିନ୍ନ ଦେଶର ଗୋରା ଭକ୍ତମାନଙ୍କୁ ବି, ତାଙ୍କ ପ୍ରିୟ ଠାକୁରଙ୍କୁ ସିଂହାସନରେ ଦେଖିବାକୁ ବାରଣ କରି ରଖିଛୁ । ଦୂରପଥୁ ଚାଲିଚାଲି ଆସୁଥିବା କେଉଁ ଜଣେ ଯବନ ଭକ୍ତର ଆକୁଳ ନିବେଦନରେ ସେହି ହରି ଅଚଳ ମହାମେରୁ ପରି ଅଟକିଯାଇ କୁଆଡ଼େ ସେତେବେଳେ ଖୁମାଣ କରିଥିଲେ । ଏକଥାକୁ ଏବେ କିଏ ବା ସାକ୍ଷାତରେ ଦେଖିଛି ବୋଲି ପ୍ରମାଣ ଦେବ ! ଆମର ବିଶ୍ୱାସ ହେଉନି ।

ଆମ ଶାସ୍ତ୍ର ପୁରାଣର ପ୍ରତିଟି ପୃଷ୍ଠା ଯାହା କହିଲେ ବହୁ, ବେଦ ଉପନିଷଦ ଗୀତା ଭାଗବତ ଯାହା ବଖାଣିଲେ ବଖାଣୁ, ସେସବୁ ଆମ ପାଇଁ ପୋଥି ବାଇଗଣ । ଆମ ପଇତା ଆମ ଚିତା ଆମ ତିଳକ ଆମ ପ୍ରଥା ପରମ୍ପରା ଆମ ବିଶ୍ୱାସ ଆମ ବଂଶାବଳୀର ନିର୍ଦ୍ଦେଶ ଏବଂ ମଣ୍ଡପ-ମୁକ୍ତିମଣ୍ଡପର ମହାନତା ହିଁ, ଆମ ପାଇଁ ମହନୀୟ ! ବିଭିନ୍ନ ପ୍ରକାରର ହିଡ଼ ବାଡ଼ ପାଚେରି ମେଘନାଦ ପାଚେରୀ ଆମ ଚାରିଆଡ଼େ ଅଭେଦ୍ୟ ଜେଲକାନ୍ଥ ପରି ଉଭା । ସେଠାରେ ତୁମର ପ୍ରବେଶ କରିବା ପ୍ରୟାସ ଆମ ପାଇଁ ଅପ୍ରାସଙ୍ଗିକ ।

ଆମେ ପ୍ରଥାର ପ୍ରବକ୍ତା ! ଆମେ ପ୍ରହେଳିକା ପ୍ରତାରଣାର ପ୍ରବକ୍ତା ! ଆମେ ପରମ୍ପରାର ପ୍ରବକ୍ତା । ଆମେ ବଦ୍ଧମୂଳ ବିଶ୍ୱାସର ପ୍ରବକ୍ତା । ଆମେ ଅନ୍ଧବିଶ୍ୱାସର ବି ପ୍ରବକ୍ତା । ଆମେ ଆମ ଭାଗବଣ୍ଟା ଧର୍ମର ପ୍ରବକ୍ତା । ଆମେ ଗୋଷ୍ଠୀଗତ ଜ୍ଞାନର ପ୍ରବକ୍ତା । ଆମେ ମତବାଦର ପ୍ରବକ୍ତା । ପ୍ରୀତିର ପ୍ରାଣର ପ୍ରବକ୍ତା ବୋଲି ଆମକୁ ଅନ୍ୟ କେହି ନ କହିଲେ ନ କହନ୍ତୁ ପଛେ, ଆମ ସମ୍ପ୍ରଦାୟର ସଙ୍କେତ ଆମ ପାଇଁ ଶିରୋଧାର୍ଯ୍ୟ । ପୋଖରୀର ଶକ୍ତ ଚଉହଦିଆ ବନ୍ଧ ଭିତରେ ପହଁରୁଥିବା ମାଛଟିଏ ପରି ଆମେ ସବୁ ଋତୁରେ ବେଶ୍ ସୁରକ୍ଷିତ । ପ୍ରବହମାନ ନଦୀ ଏବଂ ଥଳହୀନ ମହୋଦଧି ଆମ ପାଇଁ ମରୀଚିକାର ମାୟା । ଠିକଣା ହଜାଇ ଦେବା ପାଇଁ ଆମେ ଅନିଚ୍ଛୁକ । ତେଣୁ ହେ ! ଆମ ପ୍ରିୟ ହରିଜନ ତଥା ବିଧର୍ମୀ ଭାଇମାନେ, ତୁମମାନଙ୍କ ପାଇଁ ଆମ ମନ୍ଦିର ପ୍ରବେଶ ମନା । ଏପରି ଏକ ଧର୍ମକାର୍ଯ୍ୟରେ ସହଯୋଗ କରି ତୁମେ ଆମମାନଙ୍କୁ ବାଧିତ କର ।

ଏବେ ପୁଣି ନାରୀମାନଙ୍କର ବିଭିନ୍ନ ପ୍ରକାରର ଅବୁଝା ଅମଙ୍ଗ ଆଜ୍ଞାଅବଜ୍ଞାର ସ୍ୱର । ନାହିଁ ନଥିବା କଥାରେ ମୁଣ୍ଡ ପୁରେଇବା ସେମାନଙ୍କର ନିତିଦିନିଆ ଅଭ୍ୟାସ ହୋଇଯିବା ପରି ମନେ ହେଲାଣି । ହେ ମହୀୟସୀ ! ନାରୀରୂପା ଦେବୀ, ତୁମେ ତ ଘରେ ଘରେ ସମ୍ମାନନୀୟା ଆଦରଣୀୟା । ଏତେଟା ଅମାନ୍ୟ କଲେ ଅନ୍ତତଃ ବିଶ୍ୱାସରେ ବିଭେଦ ହେବ, ଧର୍ମହାନୀ ହେବ, ସାମାଜିକ ଗୋବର ଗ୍ଲାନି ଜର୍ଜର ହେବ । ବିଭିନ୍ନ ଧାର୍ମିକ ପ୍ରତିବନ୍ଧକ ଯୋଗୁଁ ତୁମକୁ ବି କେତେକ ମନ୍ଦିର ପ୍ରବେଶ ମନା ଅଛି । ଠାକୁରଙ୍କ ପ୍ରତିମୂର୍ତ୍ତିକୁ ଗର୍ଭଗୃହର ବେଦୀ ଉପରେ ପୂଜା କରିବା ତୁମ ପାଇଁ ମନା । ତାଙ୍କୁ ଛୁଇଁବା ବି ମନା । ଏପରି ଅମାନିଆ ହେବା କ’ଣ ତୁମକୁ ଶୋଭା ପାଏ ?

ଧର୍ମର ଭାଗ ବଣ୍ଟୁଆରାରେ ତୁମେ ଯେକୌଣସି ଗୋଷ୍ଠୀର ହୁଅନା କାହିଁକି, ସବୁ ମନ୍ଦିରରେ ପ୍ରବେଶ, ଜଣେ ବିପଥଗାମୀ ବିଧର୍ମୀର ଅବ୍ୟବସ୍ଥିତ ମତିଗତି । ପରମ୍ପରାକୁ ପ୍ରହାର ଦେଲେ ଦିଅଁ ଦୂରେଇ ଯିବେ । ମନ୍ଦିରର ଭଗବାନ ହେଉଛନ୍ତି ବ୍ରହ୍ମଚାରୀ । ବ୍ରହ୍ମଙ୍କୁ ବୁଝିବାଟା ତ ବହୁ ଗୂଢ଼ ଗହନ କଥା । କିନ୍ତୁ ସେହି ଭଗବାନ ବ୍ରହ୍ମଚର୍ଯ୍ୟ ବ୍ରତଧାରୀ । ପ୍ରାପ୍ତବୟସ୍କା ବାଳିକାଙ୍କଠାରୁ ବାର୍ଦ୍ଧକ୍ୟର ବିବଶତା ଯାଏ, ସମସ୍ତ ନାରୀ ସମ୍ପ୍ରଦାୟ ପାଇଁ ସେହି ମନ୍ଦିର ପ୍ରବେଶ ମନା । ବ୍ରହ୍ମଙ୍କୁ ବିସ୍ଫାରିତ ହେବାକୁ ସୁଯୋଗ ଦିଅ । ବ୍ରହ୍ମଚର୍ଯ୍ୟ ବ୍ରତକୁ ବ୍ୟବସ୍ଥିତ ହୋଇ ରହିବାକୁ ସୁଯୋଗ ଦିଅ । ସେଥିରେ ବିଘ୍ନ ବିଘଟଣ ଘଟେଇବା ଧର୍ମସମ୍ମତ ନୁହେଁ । ଧର୍ମକୁ ଧାରଣ କର, ଅପବିତ୍ର କରନି ।

ସେମିତି ଦେଖି ବସିଲେ ତ, ଏସବୁ ଅପେକ୍ଷାକୃତ ଛୋଟ ଛୋଟ କଥା । ତୁମେ ସତରେ ଏକ ପ୍ରକାଣ୍ଡ ତଥା ପ୍ରଗାଢ଼ ପରମ୍ପରାକୁ ପରିପୁଷ୍ଟ କରିବା ପାଇଁ ଖୁବ୍ ପ୍ରାକ୍‌କାଳରୁ ପ୍ରତିଜ୍ଞାବଦ୍ଧ । ସେଥିପାଇଁ ତୁମେ ସହନଶୀଳତାର ଶେଷତମ ସୀମା । ତୁମେ ନାରୀ, ଭଦ୍ରମହିଳା, ଗୃହର ସମ୍ଭ୍ରାନ୍ତମୟୀ ରମଣୀ । ତୁମେ ପତ୍ନୀ ଭାର୍ଯ୍ୟା ଘରଣୀ ସହଧର୍ମିଣୀ । ନାରୀ ଧର୍ମ ତୁମର ଧର୍ମ । ନାରୀର ଲକ୍ଷଣ ତୁମର ଲକ୍ଷଣ । ସୁଯୋଗ୍ୟା ସ୍ତ୍ରୀ ଜନୋଚିତ ଆଚରଣ ତୁମର ଆଚରଣ । ଭାଗବଣ୍ଟୁଆରାରେ ଦାମ୍ପତ୍ୟଦର୍ଶନର ଅବବୋଧରେ ତୁମେ ପୁରୁଷର ଅର୍ଦ୍ଧାଙ୍ଗିନୀ । ଦ୍ୱିଧାବାଚକ ଦ୍ୱନ୍ଦ୍ୱରେ ତୁମେ ଦୌଦୁଲ୍ୟମାନା ହେବା ପୁରୁଷର ପୌରୁଷକୁ ପଦାଘାତ ସମ ହେବ । ତୁମେ ପତିବ୍ରତା ହୁଅ ସହଧର୍ମିଣୀ ହୁଅ ଦମ୍ପତି ହୁଅ ଏବଂ ଦାମ୍ପତ୍ୟର ଦର୍ଶନକୁ ଦେଦୀପ୍ୟମାନ କର ।

ତୁମେ ତ ବହୁ ପ୍ରଥିତ ଯଶସ୍ୱିନୀ । ବୁଧ ଚନ୍ଦ୍ର ଏବଂ ଶୁକ୍ର, ଜ୍ୟୋତିଷୋକ୍ତ ଏହି ତିନି ଗ୍ରହ ତ, ସ୍ତ୍ରୀଗ୍ରହ ଭାବରେ ଗୃହୀତ । ଏପରିକି ସୋମବାର, ବୁଧବାର ଏବଂ ଶୁକ୍ରବାର, ସପ୍ତାହରେ ଏହି ତିନିବାର ସ୍ତ୍ରୀବାର ଅଥବା ସ୍ତ୍ରୀ ବାସର ତିଥି ଭାବରେ ତୁମ ନାମରେ ତୁମ ପାଇଁ ଗୃହୀତ । ବିବାହ କାଳରେ ଆପଣାର ବାପଘରକୁ ସର୍ବସ୍ୱାନ୍ତ କରି ତୁମ ପତି ଦେବତାଙ୍କୁ ଅର୍ଘ୍ୟ ଭେଟି ଦେଇଥିବା ସର୍ବସ୍ୱ ସମ୍ପତ୍ତିର ସାମାଜିକ ସମ୍ମାନ ତ, ତୁମ ପାଇଁ ଆଶା ଆଶ୍ୱାସନା ଏବଂ ଆଉଁଶାଟିଏର କବଚ । ଏ ସମାଜ ତାହାକୁ ସ୍ତ୍ରୀଧନ ବୋଲି ସମ୍ୱୋଧନ କରେ । ସ୍ତ୍ରୀଧର୍ମ ପାଳନ କରିବାରେ ତୁମେ ପାରିବାପଣରେ ବି ସିଦ୍ଧହସ୍ତ । ସ୍ତ୍ରୀ ସଂସର୍ଗ ଏହି ସଂସାରରେ ତ ଏକ ସମ୍ମୋହନର ସମ୍ପୁଟ । ଲଜ୍ଜା ସଙ୍କୋଚ ଏବଂ କୋମଳତା ତୁମର ନାରୀ ସୁଲଭ ବୈଶିଷ୍ଟ୍ୟ ଗୁଣ ଭୂଷଣ ।

ଖୁବ୍ ବ୍ୟାପକ ଓ ପର୍ଯ୍ୟାପ୍ତ ତୁମର ପ୍ରତିଭାର ଦିଗଦିଗନ୍ତ । ବିଭିନ୍ନ ପରିଚୟରେ ତୁମେ ପୃଥିବୀରେ ପରିଚିତା । ବିଭିନ୍ନ ଭୂମିକାରେ ବାରି ହୋଇପଡ଼େ ତୁମର ଅସାମାନ୍ୟ ଅଭିନୟ । ତୁମେ ଦୁହିତା ବାଳିକା ଝିଅ ଝିଆରୀ ଭାଉଜ ଭଉଣୀ ମାଉସୀ ପିଉସୀ ମାଆ ମାଇଁ ଭାର୍ଯ୍ୟା ଶାଶୂ, ମାଉସୀ ଶାଶୂ, ପିଉସୀ ଶାଶୂ ମାତାମହୀ ପିତାମହୀ ପ୍ରମାତାମହୀ ପ୍ରପିତାମହୀ ସଧବା ବିଧବା- ଏମିତି ଅସଂଖ୍ୟ ଅଭିନୟରେ ପରିବାରମାନଙ୍କରେ ଅଭିନୟ କରିପାର ତୁମେ । ରାଜନୀତି, ଅର୍ଥନୀତି, ସମାଜସେବା ଏବଂ କର୍ମସଂସ୍ଥାନର ବିଭିନ୍ନ ପରିବେଶରେ ପାରଦର୍ଶିତା ଦେଖେଇପାର ତୁମେ । ତୁମେ ଯୁଦ୍ଧ ଭୂମିରେ ଜୀବନ ନେଇପାର ତ, ଅନ୍ତୁଡ଼ିଶାଳରେ ଜୀବନକୁ ଜନ୍ମ ଦେଇପାର । ସବୁବେଳେ ଅସମାପ୍ତ ରହିଯାଏ ତୁମର ଭୂମିକା । ସବୁବେଳେ କର୍ମଭୂମି ତୁମର ମାଗୁଥାଏ ଆହୁରି ଆହୁରି ।

ପାରିବାରିକ ଓ ସାମାଜିକ ଦାୟିତ୍ୱ ବଣ୍ଟନ ବେଳକୁ ହିଁ, କାହିଁ କେତେ ଯୁଗରୁ ତୁମ ସୀମାସରହଦ ନିର୍ଦ୍ଦେଶିତ । ଘରକୁ ଜଗିବା ସଜାଡ଼ିବା, ଆବଶ୍ୟକ ବେଳେ ଅର୍ଥ ଉପାର୍ଜନ କରିବା ସହିତ ସମାଜର, ପରିବାରର ଏବଂ ପୁରୁଷର ସମସ୍ତ ଅଦୌତି ଦଡ଼ମଡ଼ି ସହିବା ତ, ତୁମ ଜନ୍ମଜାତକର ଲକ୍ଷଣ । ଆମେ ଜାଣୁ, ତୁମର ସହିବା ଶକ୍ତି ଆମଠାରୁ ବେଶି । ସନ୍ତାନ ଜନ୍ମକରି ପାଳିବା ପୋଷିବା ତୁମର କର୍ତ୍ତବ୍ୟ । ଜୀବନର ଲାବଣ୍ୟ ଲାଳିତ୍ୟ ଜନ୍ମ ଦେବାର ଶକ୍ତି ସମ୍ଭାଳି ନେବାର ଶକ୍ତି ଜୀବନ ଧାରଣ ଶକ୍ତି ଭଳି ସବୁ ସ୍ତରରେ ତୁମେ ଆମ ଉପରେ ରହି ଆମର ଗାତ୍ରଦାହର ଉତ୍ସ । ଆମମାନଙ୍କୁ ତୁଳନାରେ ତୁମ ନାରୀ ସମ୍ପ୍ରଦାୟରେ ଅପେକ୍ଷାକୃତ କମ୍ସଂଖ୍ୟାର ପାଗଳ ଏବଂ କମ୍‌ସଂଖ୍ୟାକ ଆତତାୟୀ ଅଥବା ଆତ୍ମହତ୍ୟାକାରୀ । ତୁମର ହତାଶାବୋଧ ପୁରୁଷମାନଙ୍କଠାରୁ ବହୁତ କମ୍ । ଆମେ ଭଲଭାବରେ ଜାଣୁ ଯେ, ତୁମେ ଆମଠାରୁ ଅନେକ ଗୁଣରେ ଉତ୍କୃଷ୍ଟ ।

ତେଣୁ ଆମେ ଏକ ଯୋଜନାବଦ୍ଧ ପଦ୍ଧତିରେ ତୁମକୁ ଯୁଗଯୁଗ ଆମର ନିମ୍ନ ସ୍ତରରେ ରଖିବାକୁ ଚେଷ୍ଟା କରିଆସିଛୁ । ଏପରିକି ସମାଜରେ ବିବାହ ଏବଂ ଦାମ୍ପତ୍ୟ-ଜୀବନ-ପଦ୍ଧତିର ଅୟମାରମ୍ଭ ବେଳୁ ଆମେ ଠିକ୍ କରିଥିଲୁ ଯେ, ତୁମେ ଅନ୍ତତଃପକ୍ଷେ ଆମଠାରୁ ୫ବର୍ଷ ସାନ ହେବା ଉଚିତ୍ । ତା’ହେଲେ ସାମାଜିକ ନ୍ୟାୟ ଅନୁସାରେ ବଡ଼ ସାନକୁ ମାନିବ ଖାତିର କରିବ ସମ୍ମାନ ଦେବ । ଦେଖାଯାଏ, ପୁରୁଷ ଅପେକ୍ଷା ନାରୀ ହାରାହାରି ୫ ବର୍ଷ ବେଶି ବେଞ୍ଚ । ଏପରି ପରିସ୍ଥିତିରେ ଆମର ମୃତ୍ୟୁ ପରେ ତୁମେ ଅନ୍ତତଃ ୧୦ବର୍ଷ ନିଃସଙ୍ଗ ହାହାକାରମୟ ବୈଧବ୍ୟ ଯନ୍ତ୍ରଣା ଭୋଗୁଥାଆ ପରିବାରର ସମସ୍ତ ଉତ୍ତରଦାୟିତ୍ୱ ସହିତ । ଆମେ ରକ୍ଷା ପାଇଯାଉ । ସେଥିପାଇଁ ତୁମ ସୁବିଧା ଦୃଷ୍ଟିରୁ ନାରୀ ପୁରୁଷଠାରୁ ଅନ୍ତତଃ ୫ ବର୍ଷ ବଡ଼ ହେବା ଉଚିତ୍- ଏ ଯୁକ୍ତିକୁ ଆମେ ଓ ଆମର ସମାଜ ଗ୍ରହଣ କରିବାକୁ ନାରାଜ । ଆମର ଯନ୍ତ୍ରଣା ପାଇବାର ପ୍ରତିବଦଳରେ ତୁମେ ହିଁ, ତେଣୁ ଯନ୍ତ୍ରଣାଜର୍ଜର ହେବା ଶାସ୍ତ୍ରୋଚିତ ପତିବ୍ରତା ଧର୍ମ ।

ଏମିତି ବହୁ କାରଣରୁ ତୁମକୁ ଆମେ ବାହାରକୁ ଛାଡ଼ିବାକୁ ନାରାଜ । ତୁମେ ଘରେ ଥାଅ ଏବଂ ପୁରୁଷର ହାତଟେକା ଦୟାର ଦାୟାଦ ହେବା ପାଇଁ ନିଜର ସାମର୍ଥ୍ୟ ଏବଂ ଯୋଗ୍ୟତା ପ୍ରତିପାଦନ କର । କର୍ମକାଣ୍ଡ ପୂଜାପାଠ ଜ୍ୟୋତିଷ ଶାସ୍ତ୍ର ଅନ୍ତୁଡ଼ିଶାଳର ଷଠୀକର୍ମ ଶ୍ରାଦ୍ଧପିଣ୍ଡ ଶ୍ମଶାନ କର୍ମ ଭଳି ଅନେକ ସାଧାରଣ ଗାଉଁଲୀ ସହରୀ ରୋଜଗାରିଆ କର୍ମକ୍ଷେତ୍ରକୁ ବହୁକାଳରୁ ଆମେ ତୁମକୁ ବାରଣ କରିଛୁ । ତୁମକୁ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ କରି ରଖିବା ଥିଲା ଆମର ଯୋଜନା । ଆମକୁ ମାନି ଚଳିବା ହିଁ, ତୁମର ନାରୀ ଧର୍ମ ।

ଏପରିକି ଈଶ୍ୱର ତୁମକୁ ମଧ୍ୟ ଅବହେଳା କରିଛନ୍ତି । ପ୍ରସିଦ୍ଧ ଦଶ ଅବତାରଙ୍କ ମଧରୁ ସେହି ଈଶ୍ୱର କୌଣସି ନାରୀରୂପରେ ଅବତାର ଗ୍ରହଣ କରି ନାହାନ୍ତି । ମହିଷାସୁର ପାଖରେ ସମସ୍ତ ଦେବଗଣ ବାରମ୍ୱାର ହାରିହାରି, ଚରମ ଅସହାୟତାରେ କେବଳ ଯାହା ତୁମର ଦୁର୍ଗାମୂର୍ତ୍ତି ପାଖରେ ନତମସ୍ତକ ହୋଇ ଶରଣାପନ୍ନ ହୋଇଥିଲେ । ତୁମର ସେହି ଅନନ୍ୟ ସଂହାରକାଳୀନ ନାରୀମୂର୍ତ୍ତି ପୁଣି ସମସ୍ତ ପୁରୁଷ- ଦେବଗଣଙ୍କ ଦ୍ୱାରା ପ୍ରଦତ୍ତ ସାମୂହିକ ଶକ୍ତି-ସାମର୍ଥ୍ୟର ସଂଶୟବେଳର ସମାହାର । ସେସବୁକୁ ଆମ ପକ୍ଷରେ ଭୁଲିଯିବା ସ୍ୱାଭାବିକ୍ କଥା । ଆମର ସେହି ଭୁଲିବାପଣ ଆମ ମତଲବର ଏକ ସହଜ ସାଧନ ।

ଆମମାନଙ୍କର ବିଭିନ୍ନ ଧର୍ମଗୋଷ୍ଠୀ ମଠ ମଠାଧୀଶମାନେ ମଧ୍ୟ ତୁମକୁ ଶାସ୍ତ୍ରବିଚାର ଅନୁସାରେ ଉଚ୍ଚସ୍ଥାନ ଦେବାରେ ଘୋର ବିରୋଧୀ । ସେମାନେ ଧର୍ମରକ୍ଷକ, ଧର୍ମପାଳକ ଧର୍ମ ବିଶ୍ଳେଷକ ଧର୍ମ ପ୍ରବର୍ତ୍ତକ । ସେମାନଙ୍କ ଧର୍ମ ଧାରଣ ଅନୁସାରେ ଧର୍ମବ୍ୟାଖ୍ୟାର ନବୀକରଣ ହୁଏ, ବିବର୍ତ୍ତନ ଆସେ । ସେହି ମଠ-ପୀଠାଧୀଶମାନଙ୍କ ବିରୋଧରେ ଯୌନ ବ୍ୟଭିଚାର ଆରୋପ ଆସିପାରେ । ସମ୍ପତ୍ତିର ମୋହ ଚାକକ୍ୟ ଚଳଣିର ମୋହ ପ୍ରତିପତ୍ତିର ପ୍ରଲୋଭନ ଗାଦି ରକ୍ଷା କରିବାର କବଚ ପାଇଁ ଏପରିକି ହତ୍ୟାକାଣ୍ଡର ଅଭିଯୋଗ ବି ଆସିପାରେ । ଏପରି ଏକ ସୂତାଖିଅରେ ଝୁଲୁଥିବା ପରଶ୍ରୀକାତର ସଂସାରିକ ଜଞ୍ଜାଳରେ ଜନ୍ତି ହୋଇଯାଉଥିବା ଜଗତରେ ଏହିସବୁ ଆରୋପ ଅବା ଅଭିଯୋଗ ଆସିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।

ସେହି ମହାମାନ୍ୟ ମାନବମାନଙ୍କୁ ମଠାଧୀଶ ପଦ ପାଇଁ ଆବେଦନ କରିବାକୁ ପଡ଼ିପାରେ । ଶକ୍ତି ସଂଗ୍ରହ ପାଇଁ ଆଉ କାହାକୁ ନିବେଦନ କରିବାକୁ ପଡ଼ିପାରେ । ସେହି ପଦ ପାଇଁ ପ୍ରତିପକ୍ଷର ଦାବି ଉପଦାବିର ସ୍ୱରକୁ ଚପେଇ ଦେବା ପାଇଁ ରାଜନୀତିର ସାହାଯ୍ୟ ନିଆଯାଇପାରେ । ସେଥିରେ ସେମାନଙ୍କର ସମ୍ମାନରେ ଆଞ୍ଚ ଆସିବାର ଅବକାଶ ନାହିଁ ।

ଧର୍ମ ଏବଂ ରାଜନୀତିର ସହବନ୍ଧନ ଆଦିମ ଯୁଗରୁ । ରାଜାରାଜୁଡ଼ା ସମୟରେ ରାଜ୍ୟ ଶାସନରେ ଗୁରୁଙ୍କର ଉପଦେଶ ଶିରୋଧାର୍ଯ୍ୟ । ଏବେ ମଧ୍ୟ ଅନୁରୂପ ଦାବି ସେମାନଙ୍କର ବଂଶ ପରମ୍ପରାର । ଛାତ୍ରମାନେ ସ୍କୁଲ୍ କଲେଜ୍ ବିଶ୍ୱବିଦ୍ୟାଳୟରେ ପାସ୍ ସାର୍ଟିଫିକେଟ୍ ପାଇଲା ପରି, ଏବେ ମଧ୍ୟ ସନ୍ଥ ପର୍ଯ୍ୟାୟରେ ପରିଗଣିତ ହେବା ପାଇଁ ସାର୍ଟଫିକେଟ୍‌ର ଆବଶ୍ୟକତା ଆସିଲାଣି ।

କେତେକ ସନ୍ଥଗୋଷ୍ଠୀ ମଧ୍ୟ ନାରୀ ବିରୋଧୀ ହେବାକୁ ବାଧ୍ୟ । ନାରୀମାନେ ସଂଯମବ୍ରତ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତକୁ ବିଭ୍ରାନ୍ତ କରନ୍ତି । ଯୋଗଭ୍ରଷ୍ଟ କରନ୍ତି । ରମ୍ଭା ମେନକାଙ୍କ ପରି ଅନେକ ଅପ୍ସରୀ ମଧ୍ୟ ସେତେବେଳେ ଦେବତାମାନଙ୍କୁ ବିଭ୍ରାନ୍ତ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ କେତେକ ପ୍ରତିପତ୍ତିଶାଳୀ ତଥା ଉତ୍ପାତ ସୃଷ୍ଟିକାରୀ ଦୁବୃର୍ତ୍ତଙ୍କୁ ଯୋଗଭ୍ରଷ୍ଟ କରିବାକୁ, ସେହି ସୁନ୍ଦରୀ ଅପ୍ସରୀମାନଙ୍କୁ ନିୟୋଜିତ କରିବାକୁ ଦେବତାମାନେ କୁଣ୍ଠା କରୁ ନ ଥିଲେ । ସେହି ସନ୍ନ୍ୟାସୀମାନେ ଜାଣନ୍ତି ଯେ, ସେହି ନାରୀ ହିଁ ସେମାନଙ୍କର ସୃଷ୍ଟିକାରିଣୀ । କିନ୍ତୁ ଏବେ ସେମାନଙ୍କ ସଂଯମପଣକୁ ସମୃଦ୍ଧ କରିବା ପାଇଁ ତାଙ୍କ ପାଖରୁ ମଠରୁ ଯଜ୍ଞପୂଜାର ପରିସରରୁ ନାରୀ-ବିତାଡ଼ନ ବ୍ୟବସ୍ଥା ବିଧିସମ୍ମତ । ଏବେ ବହୁକାରଣରୁ ମଧ୍ୟ ଏହି ମଠସବୁ ସନ୍ତ୍ରାସବାଦର ସତୃଷ୍ଣ ନୟନର ପରିସରକୁ ଆସୁଛନ୍ତି । ସେଥିପାଇଁ ସନ୍ଥସନ୍ନ୍ୟାସୀଙ୍କର ସୁରକ୍ଷା ପାଇଁ ଦାବି ଯଥାର୍ଥ ।

ଏପରି ଏକ ସ୍ପର୍ଶକାତର ବିଷୟ ଏବଂ ସନ୍ଧିକ୍ଷଣରେ ତୁମର ସହଯୋଗ ଆବଶ୍ୟକ । ତୁମେ ସାଧ୍ୱୀ ସନ୍ନ୍ୟାସିନୀ ମାତାଜୀ ଭଳି ଉପାଧି ପାଇଗଲା ପରେ, ସେତେବେଳେ ହୁଏତ, କଥାଟା କିଛି ଭିନ୍ନ ମୋଡ଼ ନେବ । ସେ ପୁଣି କୋଟିକରେ ଗୋଟିଏ । ସମାଜଠାରୁ ସ୍ୱାଧୀନତା ଦାବି କରି ତୁମେ ଆଉ ଏତେଟା ଉଚ୍ଛୃଙ୍ଖଳ ହୁଅନି । ତୁମକୁ ଆମେ ମାନି ଚଳିଲେ ଏ ସମାଜ ପୁରୁଷକୁ ସ୍ତ୍ରୈଣ ବୋଲି ସମ୍ୱୋଧନ କରିବ । ଭାର୍ଯ୍ୟା ପାଖରେ ଏତେଟା ବଶୀଭୂତ ହେବା ତା’ ପାଇଁ ଅସହ୍ୟ ହେବ । ପୁରୁଷ ପ୍ରଧାନ ସମାଜର ଓଲମ୍ୱ ଓଲଟପାଲଟ ହୋଇଯିବ ।

ଆଧୁନିକ ଚିକିତ୍ସା ବିଜ୍ଞାନର ବକ୍ତବ୍ୟ ଅନୁସାରେ ଆମେ ଜାଣୁ, ଉଭୟ ପୁରୁଷ ଓ ନାରୀ ଶହେରୁ ଶହେ ସ୍ୱୟଂସମ୍ପୂର୍ଣ୍ଣ ନୁହଁନ୍ତି । ନାରୀ ଭିତରେ ପୁରୁଷ ଏବଂ ପୁରୁଷ ଭିତରେ ନାରୀ ସଦା ବିଦ୍ୟମାନ । ଗୋଟିଏ ଦୃଷ୍ଟିରୁ ଉଭୟେ ସମାହିତ ପୁଣି ଅସମାହିତ । ମାସିକ ଋତୁପର୍ଯ୍ୟାୟର ଋତୁସ୍ରାବ ସମୟରେ ତୁମେ ଖୁବ୍ ସଚେତନ । ତୁମେ ସେତେବେଳେ ମନ୍ଦିର ଆସି ତାକୁ କେବେ ଅପବିତ୍ର କରନି । ଆମେ ମଧ୍ୟ ଜାଣୁ ଯେ, ଠିକ୍ ନାରୀ ପରି ପୁରୁଷର ମାସିକ ଋତୁସ୍ରାବ ହୁଏ । ଖୁବ୍ ଗଭୀର ଭାବରେ ନିରୀକ୍ଷଣ କଲେ ହୁଏତ କେହି ଏହା ଜାଣିପାରେ । କିନ୍ତୁ ଆମେ ତାକୁ ଦୃଷ୍ଟି ନ ଦେଇ ମନ୍ଦିରରେ ପ୍ରଭୁଙ୍କର ପୂଜାର୍ଚ୍ଚନା କରୁ । ଆମେ ଏହି ପୃଥିବୀରେ ପୁରୁଷପ୍ରବର । ଆମର ଅପବିତ୍ରତା ବୋଲି କିଛି ନାହିଁ । ତୁମେ ନାରୀ । ତୁମେ ଆମ ପାଇଁ ଆବଶ୍ୟକ ସ୍ଥଳେ କୋରାମିନ୍ ଭଳି ଅମୃତ ଔଷଧ । ସେ ଔଷଧ ଯେତିକି ବ୍ୟବହାର୍ଯ୍ୟ, ତାହାର ଶୂନ୍ୟ ସିରିଞ୍ଜ୍ ସେତିକି ବର୍ଜ୍ୟ ।

ଏସବୁ ତୁମର ମଙ୍ଗଳ ପାଇଁ । ଏହା ତୁମ ପାଇଁ କେବଳ ସରଳ ଉପଦେଶ ନୁହେଁ, ତାଗିଦ୍ ମଧ୍ୟ । ତେଣୁ ଯେତେ ଅଣନିଃଶ୍ୱାସୀ ହେଲେ ବି, ଏ ସର୍ପମୟ ସମାଜର ଅଳିଆ ଅଳନ୍ଧୁ ଭର୍ତ୍ତି ସିନ୍ଦୂକକୁ ଖୋଲିବାକୁ ଉଦ୍ୟମ କରନି । ଯେମିତି ଚାଲିଛି ସେମିତି ସମାଜ- ରଥର ଚକକୁ ଗଡ଼ିବାକୁ ଦିଅ । ଆମମାନଙ୍କର ଅପୌରୁଷେୟ ମୁଖାକୁ ଖୋଲି ଆମକୁ ଅସହାୟତାର ଆତିଶଯ୍ୟରେ ଆଉ ଆତଙ୍କିତ କରନି । ଜାଲଜାଲୁଆ ରାତିରେ ପଡ଼ି ରହିଥିବା କତା ଦଉଡ଼ିଟାକୁ ଭୟ ସୃଷ୍ଟିକାରୀ ଏକ ବିଷଧର ସର୍ପର ପରିଚୟରୁ ପୁରୁଷକୁ ବଞ୍ଚିତ କରନି ।

“ଯୁଦ୍ଧଂ ଦେହି’ ଡାକରା କେବଳ ଇତିହାସ ସୃଷ୍ଟି କରେନି, ଭୂଗୋଳକୁ ମଧ୍ୟ ପ୍ରଭାବିତ କରେ । ପରିବର୍ତ୍ତନର ପରାକାଷ୍ଠା ତୁମ ପାଇଁ ହୁଏତ ଐଶ୍ୱର୍ଯ୍ୟମୟ ହୋଇପାରେ । କିନ୍ତୁ ତାହା ଆମ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ । ଜଳସ୍ରୋତର ଓଲଟ ଉଦ୍ଭ୍ରାନ୍ତ ଗତିପଥର ଅସମାହିତ ତୃଷା, ଅତୃପ୍ତ ତସଲିମାଙ୍କୁ ହିଁ ସୃଷ୍ଟି କରିବ । ଆମେ ସବୁ ଏବେ ଏପରି ଏକ ସଙ୍କଟର ଦ୍ୱାରଦେଶରେ ଦଣ୍ଡାୟମାନ ତଟସ୍ଥ ପୁରୁଷ ତଟସ୍ଥ ସମାଜ ଏବଂ ତଟସ୍ଥ ଧର୍ମର ରକ୍ଷକ । ହେ ନାରୀ ! ତୁମେ ଶାନ୍ତ ହୁଅ । ଆମମାନଙ୍କର ସଂହାରକାରିଣୀ ନ ହୋଇ, ସଂଯୋଗକାରିଣୀ ହୁଅ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top