ରାତି ପାହିବାକୁ ଢେର୍ ଡେରି ଅଛି ଆହୁରି । ସମୟ ଜାଣିବାକୁ ଇଛା ନାହିଁ ଜମା । ଅଚାନକ ନିଦ ଭାଙ୍ଗିଗଲା ତୁଷାରର । ଯେମିତି କିଏ ହାତ ମାରି ଉଠେଇ ଦେଲା ତା’କୁ ।
—-ଆରେ ଉଠ । ଉଠ । ଦେଖ ତୋ ପ୍ରିୟ ରାଜା’ର (ତା’ଛଡା ଘରେ ଓ ବାହାରେ ସମସ୍ତେ ତା’କୁ ହେରୀ ନାମରେ ହିଁ ଡାକୁଥିଲେ) ଅବସ୍ଥା…!
ଧଡପଡ ହୋଇ ଉଠି ଧାଇଁ ଯାଇ ମାଷ୍ଟର ବେଡ୍ରୁମ୍ରେ ଶାୟିତ ରାଜାକୁ ଦେଖିଲା ପାଖକୁ ଯାଇ । ନା ପେଟ ପିଠି ଆଉ ହଲଚଲ ହେଉ ନାହିଁ । ସ୍ଥିର । ନିଶ୍ଚଳ। ମାନେ…ରାଜା ଚାଲିଗଲା ସବୁଦିନ ପାଇଁ । ପାଖକୁ ଲାଗି ଖଟ ଉପରେ ଶୋଇଛି ସାନ ପୁଅ ରିକି । ସେ ଜାଣିଲେ ତା’କୁ ଆଉ ସମ୍ଭାଳିବା ଭୀଷଣ କଷ୍ଟ । ତେଣୁ ତୁଷାର ସ୍ତ୍ରୀ ତନିମାକୁ ଧିରେ ଚୁପଚାପ୍ ଉଠାଇ, ଠାରରେ କହିଦେଲା ଯେ ହେରୀ ଆଉ ନାହିଁ ।
ତନିମା ବି ଠାରରେ କହିଦେଲା କିଚେନ୍ ବାଲକୋନୀକୁ ଚାଲ । ଏବେ ଆମେ କନ୍ଦାକଟା କଲେ ରିକିକୁ ସମ୍ଭାଳି ହେବ ନାହିଁ ଜମା । ବର୍ତ୍ତମାନ ସମସ୍ତଙ୍କୁ ଜଣାଇ ଦିଅ ଏ ଦୁଃସମ୍ବାଦ। ଅନ୍ତତଃ ଯେଉଁମାନେ ରହୁଛନ୍ତି ଏ ସହରରେ ।
ତନିମା ଏତିକି କହି ଦେଇ କାନ୍ଦି କାନ୍ଦି ବାଥ୍ରୁମ୍ ଚାଲିଗଲା କୋହ ଆଉ ଲୁହକୁ ଚାପି ଦେଇ ।
ତୁଷାର କହିଲା ମନେ ମନେ—ରାଜା ତ ମୋ ପାଇଁ ମୋର ତୃତୀୟ ପୁତ୍ର ଥିଲା ନା….। ଚାଲିଗଲା ଭସେଇ ଦେଇ ମତେ ଅଥଳ ସାଗରେ । ଏକା କରି ଦେଇ ମତେ ଏକା ଥରେ । ଦୀର୍ଘ ନିଶ୍ଵାସ ଛାଡି ଛାତିକୁ ଚାପି ଧରିଲା ଜୋରରେ ।
ସେହି ସହରରେ ରହୁଥିବା ତିନୋଟି ଶଳା, ଜଣେ ଶାଳୀ, ଷଢୁଙ୍କ ପୁଅ ଝିଅ (ପୁତୁରା/ଝିଆରୀ) ସମେତ କିଛି ଖାସ୍ ବଂଧୁଙ୍କୁ ଏ ଖବର ମୋବାଇଲରେ ଜଣାଇ ଦେଇ ଆସିବାକୁ ଅନୁରୋଧ କଲା । ସମସ୍ତେ ଆସି ଠିଆ ହେବାକୁ ପ୍ରତିଶ୍ରୁତି ଦେଇ ଫୋନ୍ କାଟିଲେ । ସୁଦୂର ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ରହୁଥିବା ବଡ଼ ପୁଅ ପ୍ରକାଶକୁ ଜଣାଇ ଦେଇ ପ୍ଳେନ୍ରେ ତୁରନ୍ତ ପହଞ୍ଚିବାକୁ ତାଗିଦ୍ କଲା ତୁଷାର ।
ଘଣ୍ଟାଏ ପରେ ଅଚାନକ ଉଠିଲା ରିକି ।
ହେରୀକୁ ନିର୍ଜୀବ ଦେଖି କାନ୍ଥରେ ଢୋ ଢୋ ମୁଣ୍ଡ ପିଟି ଚଟାଣରେ ହାତ କଚାଡି “ମୋ ହେରୀ ଆଉ ନାହିଁ ମାମା ! ମୋ ହେରୀ ମତେ ଏକା ଛାଡ଼ି ଚାଲିଗଲା “ବଡ଼ ପାଟିରେ ଚିତ୍କାର କରି କାନ୍ଦିବାକୁ ଲାଗିଲା ଛୋଟ ଛୁଆଟିଏ ଭଳି ରାହା ଧରି । ତୁଷାର ତନିମା କେତେ ସାନ୍ତ୍ୱନା ଦେଲେ ବି ତା’କୁ କଣ୍ଟ୍ରୋଲ କରିଵା ମୁସ୍କିଲ ହୋଇ ଉଠିଲା । ସେ ଏତେ ଜୋରରେ ଏଡେ ଵିକଳରେ କାନ୍ଦୁଥାଏ ଯେ ଗଛପତ୍ର, କାନ୍ଥ ବାଡ଼, ଛାତଚଟାଣ ବି ଯେମିତି ଏ ଅଜଵ ଦୃଶ୍ୟରେ ମୁହ୍ୟମାନ । ସାହି ପଡିଶା ତ ଏ ଆପାର୍ଟମେଣ୍ଟରେ ଆତ୍ମୀୟତାଵିହୀନ ଆଉ ପ୍ରତିକ୍ରିୟାଶୂନ୍ୟ । ହେରୀ ଥିଲା ରିକିର ପୃଥିବୀ । ତା’ର କେହି ସାଙ୍ଗ ସାଥି ନ ଥିଲେ । ରିକି ହେରୀକୁ ନିଜ ଜୀଵନଠୁଁ ଅଧିକ ଭଲ ପାଉଥିଲା । ଚବିଶ ଘଣ୍ଟା ତା’ସହ ଏକାତ୍ମ ହୋଈ ରହୁଥିଲା । ଦୁହେଁ ଦୁହିଁଙ୍କୁ ପ୍ରଚୁର ପ୍ରେମୁଥିଲେ । ରିକି ନଭେମ୍ବରରୁ ଜାନୁଆରୀ ତିନି ମାସ ନେପାଳ ଚାଲିଗଲା ବୋଲି ତୁଷାର ସହ ଏତେ ଆତ୍ମୀୟତା ବଢିଗଲା ନା.. । ରିକିର ଦେହ ଖରାପ ଶୁଣି ତୁରନ୍ତ ଫେବୃଆରୀରେ ହିଁ ରିକି ହେରୀ ପାଖକୁ ଫେରି ଆସିଥିଲା ।
ପ୍ରାୟ ଘଣ୍ଟାଏ ପରେ ଶାଳୀର ତରୁଣୀ ଝିଅ ମିମି ଆସି ପହଞ୍ଚିଲା କାର୍ ରେ । ସେ ନିଜେ ଗୋଟାଏ ପେଟ୍ ଲଭର୍ । ରାସ୍ତାକଡର ବୁଲା କୁକୁରମାନଙ୍କ ହେପାଜତ୍ ନିଏ । ଖାଇବାକୁ ପିଇବାକୁ ନିୟମିତ ଦିଏ । ସେବା ଶୁଶ୍ରୁଷା କରେ । ତା’ଘରେ ଚାରୋଟି ବୁଲା କୁକୁର ପାଳିଛି ସିଏ ।
ମିମି ସମ୍ଭାଳିଲା ରିକିକୁ । ଆପର୍ଟମେଣ୍ଟର କିଛି ପେଟ୍ ଲଭର୍ ଆସି କାନ୍ଦି କାନ୍ଦି ସମବେଦନା ଜଣାଇ ଶେଷ ଦର୍ଶନ କରି ଫେରିଗଲେ । ଆଉ କେହି ବନ୍ଧୁପରିଜନ କି ଆତ୍ମୀୟସ୍ୱଜନ ପହଞ୍ଚିଲେ ନାହିଁ ।
ପ୍ରାୟ ନଅଟା ବେଳକୁ ଶ୍ମଶାନଘାଟକୁ ନିଆଗଲା ହେରୀକୁ । ସେଠାକାର ସମସ୍ତ ଆୟୋଜନ ଖୁବ୍ ବ୍ୟବସ୍ଥିତ ଢଙ୍ଗରେ କରିଦେଇଥିଲା ମିମି ଫୋନ୍ରେ । ତା’ର ଏ ଦିଗରେ ଯଥେଷ୍ଟ ଅଭିଜ୍ଞତା ଥିଲା ତ ଆଗରୁ । ତନିମା ସିନା ଟଙ୍କା ପେମେଣ୍ଟ କଲା ଆଉ କୌଣସି ଝମେଲା ନ ଥିଲା ।
ଘରଠୁଁ ପ୍ରାୟ ଦଶ/ବାର କିଲୋମିଟର ଦୂରରେ ଶ୍ମଶାନଘାଟ । ନିଜ କାର୍ରେ ବସିଲା ତୁଷାର ହେରୀକୁ କୋଳରେ ଧରି । କାର୍ ଚଳାଇବା ପାଇଁ ପ୍ରକାଶର ବନ୍ଧୁ ରଂଜନ ଆସିଥିଲା।ରିକି ସେମିତି ମୁଣ୍ଡ ପିଟି ଏମିତି ବିକଳରେ କାନ୍ଦୁଥାଏ ଯେ ବର୍ଣ୍ଣନା କରିବା ଅସମ୍ଭବ। ସେ ଡ୍ରାଇଭର ସାଇଡ୍ରେ ଆଗରେ ବସିଲା ତ ତନିମା ଆଉ ନାତୁଣୀ ବନି ବସିଲେ ମିମିର କାର୍ରେ।
ଶ୍ମଶାନଘାଟରେ ସାନ ଶଳା ନରେଶ୍ ଅପେକ୍ଷା କରିଥିଲା । ସମସ୍ତେ ମିଶି ହେରୀର ଦାହ ସଂସ୍କାର କରିବା ପାଇଁ ପ୍ରୟାସ କଲେ । ହେରୀକୁ ମାଟିରେ ପୋତି ଦେବାକୁ ସେଠାକାର କିଛି ଲୋକ ପ୍ରସ୍ତାବ ଦେବାରୁ ରିକି ଆଉ ତୁଷାର ଦୃଢ଼ ବିରୋଧ କଲେ । ନାତୁଣୀ ବନିକୁ ମିମି ଆଉ ରିକିକୁ ନରେଶ୍ ସମ୍ଭାଳୁଥାନ୍ତି । ମଣିଷ ଭଳି କାଠରେ ଜୁଇ ପ୍ରସ୍ତୁତ କରି ହେରୀକୁ ସେଥିରେ ଶୁଆଇ ଦେଇ ନୂତନ ବସ୍ତ୍ର ଆଚ୍ଛାଦିତ କରି ଦିଆଗଲା । ବ୍ରାହ୍ମଣ ମନ୍ତ୍ର ପଢିଲେ । ସମସ୍ତେ କଳାରାଶି ପକାଇଲେ । ମଧୁ ଦିଆଗଲା ମୁଖରେ ।
ମୁଖାଗ୍ନି ଦେଲା ରିକି ପ୍ରଦକ୍ଷିଣ କରି ହେରୀ ଚାରିପଟେ । ଚାହୁଁ ଚାହୁଁ ଜଳିଗଲା ଘୃତ ଆଉ ଚନ୍ଦନ କାଷ୍ଠର ମିଳିତ ଅଗ୍ନିରେ ପ୍ରିୟ ହେରୀର ସୁନ୍ଦର ସୁଢଳ ଶରୀର । ପଛକୁ ନ ଚାହିଁ ସମସ୍ତେ ଫେରିଲେ କାନ୍ଦି କାନ୍ଦି ପ୍ରିୟ ଜନର ଚିର ଅଵର୍ତ୍ତମାନରେ ମୁହ୍ୟମାନ ହୋଇ ।
ତା’ପର ଦିନ ତୁଷାର ବଡ଼ପୁଅ ପ୍ରକାଶ ସହିତ ଯାଇଥିଲା ଶ୍ମଶାନଘାଟକୁ ଦିବଂଗତ ହେରୀର ଅସ୍ଥି ଶୀତଳେଇବା ପାଇଁ। ଗୋଟାଏ ନାଲି କନାରେ ଅସ୍ଥି ସବୁ ଗୁଡ଼ାଇ ଧରି ଯମୁନାରେ ବିସର୍ଜନ ପାଇଁ ଗଲା ବଡ଼ କଷ୍ଟରେ।
ଭୋ ଭୋ କାନ୍ଦି କାନ୍ଦି କହୁଥିଲା
—ରାଜାରେ ମୋ ରାଜା ବାବା ! ମତେ ଏମିତି ଏକା ଛାଡ଼ି ଚାଲିଗଲୁ । ସାରା ଜୀଵନ ମୋ ଆଖିର ଲୁହ ହୋଇ ରହିଗଲୁ । ଛାତି ଫାଟି ଯାଉଛି ରେ ରାଜା ! ନିଜକୁ ଜମା ସମ୍ଭାଳି ପାରୁନି । ନା ନା ଜମା ସମ୍ଭାଳି ହେଉ ନାହିଁ ଏ ମରଣ ତୋର ।
ପ୍ରକାଶ ତୁଷାରକୁ ସାନ୍ତ୍ୱନା ଦେଉ ଦେଉ ନିଜେ ଭାଙ୍ଗିପଡିଲା । ତୁଷାରକୁ ଜାବୁଡ଼ି ଧରିଲା । ବାପ ପୁଅ ଦୁହେଁ କାନ୍ଦିଲେ ଢେର ସମୟ । ଏ ଅଭାବନୀୟ ଦୃଶ୍ୟ ଅବଲୋକନ କରି ଉପସ୍ଥିତ ବ୍ରାହ୍ମଣ ଓ ସହାୟକ ତରୁଣ ତାଜୁବ୍ । ଓଃ କି ପାଳିତ ପଶୁ ପ୍ରେମରେ ବାବା ପଟାନ୍ତର ନାହିଁ ।
ହୁଏତ ସେମାନେ ଭାବୁଥାଇ ପାରନ୍ତି–ସାମାନ୍ୟ କୁକୁରଟେ ପାଇଁ ଏତେ ମୋହ ମାୟା, କାନ୍ଦବୋବାଳି, ଦୁଃଖ ଶୋକ ଆଉ ଲୁହ କୋହର କୋରସ୍ ।
ଅସ୍ଥି ବିସର୍ଜନ ବେଳେ ତୁଷାର ଅବସ୍ଥା ଅସମ୍ଭାଳ । କୋହ ଆଉ ଲୁହରେ ସ୍ନାନ କଲାବେଳେ ଖୋଦ୍ ରାଜା ଯେମିତି ସଶରୀରେ ଆବିର୍ଭାବ ହୋଇଗଲା ସାମ୍ନାରେ । ଲୁହ ପୋଛି ଦେଇ କହିଲା– ବାବା ! ତମେ ପରା ଘରର ମୁରବି । ତମେ ଏମିତି ଭାଙ୍ଗି ପଡିଲେ ମୋ ରିକି ଭାଈକୁ ଆଉ ସମ୍ଭାଳିବ କିଏ ? ମୁଁ ତ ଏତିକି ଦିନ ପାଇଁ ହିଁ ସଂସାରକୁ ଆସିଥିଲି । ମୋର ଆୟୂଷ ସରିଲା ମୁଁ ଚାଲିଗଲି । ତମେ ଧୈର୍ଯ୍ୟ ଧର । ଆଉ ଅନ୍ୟମାନଙ୍କୁ ସାନ୍ତ୍ୱନା ଦିଅ ।
ତୁଷାର କାନ୍ଦି କାନ୍ଦି କହିଲା–ମୁଁ ପାରୁନି ରେ ରାଜା ପାରୁନି ଜମା । ଯେତେ ଦୃଢ଼ ହେଲେ ବି କୋହର ବନ୍ୟାରେ ଭାସିଯାଉଛି ମୋର ଧୈର୍ଯ୍ୟର ସିମେଣ୍ଟ ବନ୍ଧ ।
ତଥାପି ଯଥା ସମ୍ଭବ ଶକ୍ତ ହୋଇ ଘରକୁ ଫେରିଲା ତୁଷାର।ଏ ଘରେ ବି ରାଜାର ସ୍ମୃତି ମହଜୁଦ୍।ସାରା ଘର ଖାଁ ଖାଁ ଶୂନଶାନ୍।ସବୁଠି ତା’ର ଉପସ୍ଥିତି।ଖଟ,ସୋଫା, ବାଲକୋନୀ, ଚେୟାର , ବାଥ୍ରୁମ୍ ସବୁଠି ସିଏ । ଲାଞ୍ଜ ହଲାଇ ହଲାଇ ଏ ମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲୁଛି ଖୁସିରେ ଆତ୍ମହରା ହୋଇ । ସମ୍ଭାଳି ହେଉନି ନିଜକୁ । ହାବୁକା ହାବୁକା କୋହ ଉଠୁଥିଲା ଛାତିରୁ । କାହାକୁ କହିବ ଏ ଦୁଃଖ ? ସାନପୁଅ ରିକିର ଅବସ୍ଥା ତ ସଂଗୀନ । ତା’ମାମା ବାହୁନି ବାହୁନି କାନ୍ଦୁଥିଲା ସଦ୍ୟ ପୁତ୍ରହରା ଶୋକରେ ମୁହ୍ୟମାନ ହୋଇ ।
ସବୁଠୁଁ ବେଶୀ ବାଧିଲା ଷଢୁଙ୍କ ପୁଅ ଝିଅ, ଶଳା ଶାଳୀଙ୍କ ପରିବାର ତୁଷାରକୁ ପରିହାସ- ଟିକଲ କରି ଫୋନ୍ରେ ତନିମାକୁ କହିଥିବା କଟୁ ଶାଣିତ ବକ୍ତବ୍ୟ।
— ଓଃ ସାମାନ୍ୟ କୁକୁରଟାଏ ମରିଗଲା ଯେ କେତେ ତୁମ୍ବି ତୋଫାନ କରିଦେଲା ତୋ ବର ତୁଷାର । ସମସ୍ତଙ୍କୁ ଭୋରୁ ଭୋରୁ ନିଦ ଭଙ୍ଗେଇ ଦେଇ ହଟ୍ଚମଟ୍ ସୃଷ୍ଟି କରି ଆସି ପହଞ୍ଚିବାକୁ ତାଗିଦ୍ କରିଦେଲା । ଓଃ ହୋ ଅସହ୍ୟ । ଅଥଚ ଆମ ଘରେ ଆମ ବାପ ମା ଶଯ୍ୟାଶାୟୀ ହୋଇ ମାସ ମାସ ଦିନ ଦିନ ଧରି ପଡିଛନ୍ତି ଯେ ଥରୁଟେ ବି ଦେଖିବାକୁ ଆସିଲା ନା କେମିତି ଅଛନ୍ତି ବୋଲି ଫୋନ୍ରେ ପଚାରିଲା ? ଧେତ୍ ନିହାତି ଅଭଦ୍ର ଛୋଟଲୋକଟେ । ପରମ ସ୍ୱାର୍ଥପର ମତଲବି ମଣିଷଟେ ତୋ ବର । ଛି ଛି ଛି ।
ଏ ସବୁ ଘୃଣିତ ଆବର୍ଜନା ବ୍ୟଞ୍ଜନା ତୁଷାର ଶୁଣୁଥିଲା ପାଖରେ ବସିଥିବା ତନିମାର ମୋବାଇଲରୁ ଯାହାର ସ୍ପିକର ଅନ୍ ହୋଇଯାଇଥିଲା ଅଜାଣତରେ ।
ତୁଷାର ରାଗିପାଚି ଲାଲ୍ । ପାଟି କରି ଚିଲ୍ଲେଇଲା – ଆମ ହେରୀ କୁକୁରଟାଏ ହେଲେ ବି ତମମାନଙ୍କ ଭଳି ମତଲବି ମଣିଷଠାରୁ କୋଟିଏ ଗୁଣରେ ଗରୀୟାନ୍ ଥିଲା । ତା’ର ଆସନ ତୁମମାନଙ୍କଠାରୁ ଢେର ଉଚ୍ଚରେ । ତା’ର ବିଶ୍ୱସ୍ତ ବିଶ୍ୱରେ ସେ ଥିଲା ବାଦ୍ଶା । ଆପଣାପଣରେ ବାନ୍ଧି ରଖିଥିଲା ଆମ ସମସ୍ତଙ୍କୁ ଗୋଟିଏ ରଜ୍ଜୁ୍ରେ। ଦୁଇଖଣ୍ଡ ରୁଟି, ମୁଠାଏ ଭାତ ଆଉ ଦି’ଟା ବିସ୍କୁଟ ଖାଉଥିଲା ହେଲେ କେତେ ଖୁସିରେ ରହୁଥିଲା ସିଏ । ନ ଦେଖିଲା ଲୋକ ବିଶ୍ୱାସ କରିବା ମୁସ୍କିଲ । କେତେ ଆପଦ ବିପଦରୁ ଆମକୁ ସେ ରକ୍ଷା ନ କରିଛି କୁହ ତ… ! ଆମ ପାଇଁ ଜୀବନ ଦେବାକୁ ବି ପଛେଇନି କେବେ ।
ଆରେ ସେ ନମକସଚ୍ଚା ଥିଲା ରେ ତୁମମାନଙ୍କ ଭଳି ନମକହାରାମ ନ ଥିଲା । ତମମାନଙ୍କ ପରି ଆଗରେ ହସି ହସି ମିଠା କଥା କହି ପଛରୁ ଚାକୁ ଚଳେଇବା ଶିଖି ନ ଥିଲା । ମିଛ, ଅହଂକାର, ସ୍ୱାର୍ଥପର, ଛଳନା, କପଟ ଆଉ ଅଭିନୟ ଭଳି ଘୃଣ୍ୟ ଆଦବକାଇଦା ଆପଣେଇ ନ ଥିଲା କେବେ । ସତରେ ଖୁବ୍ ସଚ୍ଚା ଆଉ ନିର୍ଭେଜାଲ ଥିଲା ତା’ର ପ୍ରେମ । ଘରେ କାହାର ଦେହ ଖରାପ ହେଲେ ଘଣ୍ଟା ଘଣ୍ଟା ଧରି ଖଟ ପାଖରେ ବସି କାନ୍ଦୁଥିଲା । ଖାଉ ନ ଥିଲା । କିଏ କୁଆଡେ ବାହାରକୁ କିଛି ଦିନ/ମାସ ପାଇଁ ଗଲାବେଳେ ପ୍ୟାକିଂ ଜିନିଷ ପାଖରେ ମନ ଦୁଃଖରେ ମୁହଁ ମାରି ବସି ରହୁଥିଲା ଚୁପଚାପ୍ । ପୁଣି କିଛି ଦିନ/ମାସ ପରେ ଫେରି ଆସିଲେ ତା’ର କି ଖୁସି ଜାହିର କରୁଥିଲା ଯାହା ଅବର୍ଣ୍ଣନୀୟ । ଦେହ ମୁହଁ ଚାଟି ତା’ର ଆନନ୍ଦ ଆମକୁ ଜଣାଇଦେଉଥିଲା।
ଶୀତଦିନେ ତିନି ବାଇ ଛଅ ଫୁଟ ଖଟରେ ତୁଷାର ସହ ଶୋଇ ପଡୁଥିଲା ଗୁଂଜିଗାଂଜି ହୋଇ । କାରଣ ତନିମା ତା’ର ଡନଲପ୍ ଗଦିଦିଆ ଡବଲ୍ ଖଟରେ ଶୁଆଇବାକୁ ରାଜି ହେଉ ନ ଥିଲା । ସକାଳ ସଂଜରେ ତୁଷାର ହିଁ ତା’କୁ ବାହାରକୁ ବୁଲେଇ ନେଉଥିଲା ଗଗି ଆଉ ଶିଶି କରିବା ପାଇଁ । ସକାଳ ହେଲେ କେଡେ ସୁନ୍ଦର ତୁଷାରର ମୁହଁ ପାଖରେ ଚାଟି ଉଠାଇ ଦେଇ କହୁଥିଲା – ଉଠ ବାବା ମତେ ଶିଶି /ଗଗି ଲାଗିଲାଣି । ଧଡପଡ ହୋଇ ଉଠି ତା’କୁ ବାହାରକୁ ବୁଲେଇ ନେଉଥିଲା ସିଏ ।
ନା ଆଉ ସମ୍ଭାଳି ହେଉ ନାହିଁ ରାଜା’ର ଅନୁପସ୍ଥିତି । ଏ ଘରେ ଆଉ ମୁହୂର୍ତ୍ତେ ବି ରହି ହେବ ନାହିଁ । ଛଟପଟେଇ ମରିଯିବେ ସମସ୍ତେ । ବଡ଼ପୁଅ ପ୍ରକାଶ ତ ପ୍ଳେନ୍ରେ ପହଞ୍ଚି ଯାଇଥିଲା ତା’ପୂର୍ବ ଦିନ ବାରଟାରେ । ତା’ସହ ସମସ୍ତେ ସେ ହାଲ୍କୁ ରହୁଥିବା ହିମାଚଳ ପ୍ରଦେଶର କାଂଗ୍ରା ନିକଟସ୍ଥ ଧର୍ମଶାଳାକୁ ବାହାରି ପଡିଲେ କାର୍ରେ ସେହି ମୁହୂର୍ତ୍ତରେ । ଦୁଇ ଦିନ ହେଲା ତ ଖାଇବା ପିଇବା ନାହିଁ କାହାର । ପାଣି ପଣା ବ୍ରେଡ ବିସ୍କୁଟରେ ଚଳିଯାଉଛି ଯେନତେନ ପ୍ରକାରେ ।
କାର୍ ଚଲେଇଲା ବଡ଼ ପୁଅ ପ୍ରକାଶ ତ ଡ୍ରାଇଭର ସିଟ୍ ପାଖରେ ଆଗରେ ବସିଲା ତୁଷାର । ଦୀର୍ଘ ଆଠ ଶହ କିଲୋମିଟର ରାସ୍ତା । ଢୁଙ୍କୁରେଇଲେ ଡ୍ରାଈଭରକୁ ବିପଦ । ତେଣୁ ଆଖି ଖୋଲା ରଖି ସଂଯତରେ ବସିବାକୁ ହେଲା ସାରା ରାସ୍ତା ତା’କୁ । ସେ ଦେଖୁଥିଲା ଗାଡ଼ି ଆଗରେ ତା’ରାଜା ଦୌଡୁଥିଲା ତ ବେଳେ ବେଳେ ପଛକୁ ଚାହିଁ ଦେଇ ପୁଣି ଦୌଡୁଥିଲା ପ୍ରବଳ ବେଗରେ। କାହାକୁ କହିବ ଏ ବିରଳ ଏକାନ୍ତ ଅନୁଭବ । ରିକି, ତା’ମମି, ନାତୁଣୀ ବନି ପଛ ସିଟରେ ପ୍ରାୟ ଶୋଇପଡ଼ିଥିଲେ ଚୁପଚାପ୍ ।
ଧର୍ମଶାଳା ପହଞ୍ଚିଲା ପରେ ବି ରାଜା’ର ସ୍ମୃତିର ଜୁଇରେ ଜଳିବାରୁ ମୁକ୍ତି ମିଳିଲାନି ବରଂ ବେଶୀ ବେଶୀ ଅଥୟ ଅସ୍ଥିର କଲା ଅହରହ। ଦୀର୍ଘ ନିଃଶ୍ଵାସ ଛାଡି ଚିଠିଟିଏ ଲେଖିବାକୁ ସ୍ଥିର କରି କାଗଜ କଲମ ଧରି ବସିଲା ତୁଷାର ।
ରାଜାରେ ! ମୋ ପ୍ରାଣଠୁଁ ବଳି ଭଲ ପାଉଥିଲି ତୋତେ । ହୃଦୟରେ ସଂଚିତ ସବୁ ଅକପଟ ନିର୍ଭେଜାଲ ସ୍ନେହ ମମତା, ରାଗ ଅନୁରାଗ, ପ୍ରେମ ଶ୍ରଦ୍ଧା ତୋ ଉପରେ ଅଜାଡି ଦେଇଥିଲି । ତୁ ବି ମତେ ଆହୁରି ବେଶୀ ଭଲପାଉଥିଲୁ । ହେଲେ ପାଟି ଖୋଲି କହିପାରୁ ନ ଥିଲୁ । ତାହା କିନ୍ତୁ ତୋ ଆଖିର ମୋହଗ୍ରସ୍ତ ଚାହାଣୀରେ ଜଣାଇ ଦେଉଥିଲୁ ସେ ପ୍ରେମର ପରାଭବ ଆଉ ପରିଭାଷା । ଯାହା ପାଇ ମୁଁ ଧନ୍ୟ ହୋଇଥିଲି ରେ ରାଜା ଭାଗ୍ୟବାନ ମଣୁଥିଲି ନିଜକୁ ମନେ ମନେ ।
ହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ତୋ ପାଇଁ ଦିନେ ମତେ ଏ ଅଶ୍ରୁସିକ୍ତ ଚିଠି ଲେଖିବାକୁ ପଡ଼ିବ ତୋ ଅବର୍ତ୍ତମାନରେ ମୋ ଜୀବନରେ ବରଂ ଭାବିଥିଲି ତୋ ଆଗରୁ ମୁଁ ଏ ଦୁନିଆରୁ ବିଦାୟ ନେଇ ଚାଲିଯିବି ।
ସତରେ ଏ ମଣିଷ ଯାହା ଚାହେଁ , ତା’ କେବେ ପାଏ ? ଆଉ ଯାହା ପାଏ ତାହା କେବେ ବି ଚାହିଁ ନ ଥାଏ । ଏଇ ତ ଜୀଵନ ନାଟକର ପରମ ସତ୍ୟର ସଂଳାପ । ଚରମ ବାସ୍ତବତାର ଅଭିନୟ ।
ଯଦି ଈଶ୍ୱର ସତରେ ଅଛନ୍ତି ଏ ଦୁନିଆରେ । ତାଙ୍କୁ ମୋର ଏଇ ଗୋଟିଏ ପ୍ରଶ୍ନ –ପ୍ରଭୁ ! ଗୋଟିଏ ପାଟି ଫିଟୁ ନ ଥିବା ପ୍ରାଣୀକୁ, ତା’ ଆୟୁଷର ଅଧାରୁ ଅଧିକ ଭୋଗି ନ ଥିବା ବେଳେ ଅଚାନକ ନେଇଗଲ କାହିଁକି ? ତମକୁ ତ ମୁଁ ହାତ ଯୋଡ଼ି ନେହୁରା ହୋଇ ମାଗି ନ ଥିଲି ହୀରା ମୋତି ମାଣିକ, କୋଠା ବାଡି, ଘୋଡା ଗାଡି କି ସୁଖ ସଉକର ରାଜଭୋଗ । କେବଳ ମାଗୁଥିଲି ମୋ ରାଜାକୁ ବଞ୍ଚେଇ ଦିଅ । ପ୍ରଭୁ ମୋ ଆୟୂଷ ନେଇ ତା’ ଦେହ ସୁସ୍ଥ କରିଦିଅ । କେତେ ପ୍ରାର୍ଥନା -ଧ୍ୟାନ-ଧାରଣା କରିଛି । ପ୍ରତିଦିନ ମନ୍ଦିର ଯାଇ ଶିବଲିଙ୍ଗରେ ଖିର ଜଳ, ଫୁଲ ଚନ୍ଦନ, ଧୂପ ଦୀପ ନୈବେଦ୍ୟ ଦେଇ ଅଦଉତି ଜଣାଈଛି । ଖାଲି ମାଗିଛି ମୋ ରାଜାକୁ ବଞ୍ଚେଇ ଦିଅ। ବଞ୍ଚେଇ ଦିଅ। ବଞ୍ଚେଇ ଦିଅ । ହେଲେ ତମେ ନିଷ୍ଠୁର ପାଷାଣ ହୃଦୟ ନେଇ ମୋ ରାଜାକୁ ଛଡେଇ ନେଈଗଲ ଅକସ୍ମାତ୍ ଦିନେ ରାତିରେ । ବାହାରକୁ ଜିଭ ବାହାର କରି ନୀରବିଗଲା ସିଏ ସବୁଦିନ ପାଇଁ ।
କୁହ ଭଗବାନ କୁହ। କି ପାପ କରିଥିଲା ସିଏ ତୁମର ପାପ ପୁଣ୍ୟର ପ୍ରତ୍ୟୟଭରା ବେଦୀରେ ? ତା’ର ଅପରାଧ କଣ ଥିଲା କହିପାରିବ ? ଏଠି ଶହ ଶହ ହଜାର ହଜାର ମଣିଷ ଦୁର୍ନୀତିର ଦାନବ ସାଜି ଶୋଷି ଚାଲିଛନ୍ତି ଅଗଣିତ ନିରୀହ ନିଷ୍ପାପ ଗରିବ ଖଟିଖିଆ ମେହନତି ସରଳ ମଣିଷମାନଙ୍କୁ ଅହରହ । ନିଜେ କୋଟି କୋଟି କମେଇ କମର କଷି କୌତୁକ ଦେଖୁଛନ୍ତି କଳାକଉଶଳ କରି । କେଉଁଠି ଯନ୍ତ୍ରୀ ତ କେଉଁଠି କନଷ୍ଟେବଲ ତ ଆଉ କେଉଁଠି ଶିକ୍ଷକ ତ ଅନ୍ୟ କେଉଁଠି ଅଙ୍ଗନବାଡ଼ି ଦିଦି । ଏ ଅନ୍ୟାୟ ଉପାର୍ଜିତ ଧନରେ କୁଵେର ସାଜି ଲୁଟୁଛନ୍ତି ନିରୀହ ଜନତାଙ୍କୁ ଭକୁଆ ବନେଇ ଦେଇ।
ସତରେ କଣ ତମେ ଦେଖିପାରୁନ ଏତେ ବଡ଼ ବଡ଼ ଚକା ଆଖିରେ ନା ସବୁ ଦେଖି ଶୁଣି ନିଶ୍ଚୁପ ହୋଇ ଵସିଛ । ଅବା କହୁଛ -ମଣିଷ ତା’ର ପ୍ରାରବ୍ଧ ହିଁ ଭୋଗିଥାଏ । ସେଥିରେ ମୁଁ ହସ୍ତକ୍ଷେପ କରିପାରିବିନି । ମୁଁ ନାଚାର । ମୋର କରିବାର କିଛି ନାହିଁ । ମଣିଷ ନିଜ ନିଜର ଭାଗ୍ୟର ଅଧିନ । ତା’ହେଲେ ମଣିଷ ବିଚାରା ତମକୁ କାହିଁକି ତା’ର ଦୁଃଖ ଶୋକ ଜଣାଇବ ? ଆକୁଳ ପ୍ରାର୍ଥନା ବିକଳ ନିବେଦନ କରିଵ ତା’ର ବେଦନା ଯାତନା ବିମୋଚନ ପାଇଁ କୁହ ତ….!!!
ଏବେ ମୋ କଥା ଦେଖାଯାଉ । ଏତେ ଭଲପାଉଥିଵା ନିରୀହ ମୁକ ପ୍ରାଣୀ ମୋ ରାଜାକୁ ନେଇ ଯାଇ କଣ ବଡ଼ କାମଟେ କରିଦେଲ ଯେ…! ସିଏ ଆଉ ଆଠ ବର୍ଷ ବଞ୍ଚିଯାଇଥିଲେ ତମର ବା ତମର ପୃଥିବୀର କଣଟେ କ୍ଷତି ହୋଇଯାଇଥାନ୍ତା ? ଅଥଚ ଆମେ ତିନିଜଣ ,ମୋ ସାନ ପୁଅ ରାକେଶ -ତା’ର ରିକି ଭାଇ, ମୋ ସ୍ତ୍ରୀ ତନିମା -ତା’ର ମାମା, ଆଉ ଏ ଅକିଞ୍ଚନ ତା’ର ବାବା ଆନନ୍ଦରେ କାଳାତିପାତ କରିପାରିଥାନ୍ତୁ ତ। ହୁଏତ ତମେ କହିଦେଇପାର ସହଜରେ ସେ ଯେତିକି ଆୟୂଷ ନେଇ ଆସିଥିଲା ଏ ପୃଥିବୀକୁ, ସେ ସେତିକି ହିଁ ଭୋଗ କରି ସାରି ଫେରିଗଲା । ମୁଁ କଣ କରିପାରିଥାନ୍ତି କହ ? ତା’ହେଲେ ପୁରାଣରେ ବର୍ଣ୍ଣିତ ଅନେକ ଅଲୌକିକ କାହାଣୀମାନଙ୍କରେ ଆୟୂଷ ପ୍ରଦାନ/ମୃତ୍ୟୁଲୋକରୁ ପ୍ରତ୍ୟାବର୍ତ୍ତନ କଣ ଡାହା ମିଛ । ସୁଦୁ ମନଗଢା କାଳ୍ପନିକ । ଅଡ଼ୁଆ ଅଡ଼ୁଆ ଅବୁଝା ଅବୁଝା ଲାଗୁଛି ସବୁ। ମୁଣ୍ଡ ଗୋଳମାଳ ହୋଇଯାଉଛି।
ତମେ ବିଶ୍ୱାସ କରିବନି, ଯୋଉଦିନ ସଂଜରେ ରାଜା ନୀରବି ଗଲା, ସେ ଦିନ ସକାଳେ ମୁଁ ପୂଜା ଘରେ ପୂଜା କଲାବେଳେ ଅଚାନକ ମୋ କୋଳକୁ ଆସି ଜଗନ୍ନାଥଙ୍କ ଫଟୋକୁ ଚାହିଁ କାନ୍ଦିଥିଲା । ସେ କେବେ ପୂଜା ଘରକୁ ଆସେନାହିଁ ।
ହଁ, ରାଜା ଯିବା ପରଠାରୁ ମୁଁ ନାସ୍ତିକ ପାଲଟିଯାଇଛି । ଘଣ୍ଟା ଘଣ୍ଟା ପୂଜା କରୁଥିଵା ଲୋକଟା ପୂଜା କରୁନାହିଁ ଜମା । ଅବଶ୍ୟ କାଳିଆକୁ ମନେ ମନେ ସୁମରଣା କରେ । ଫଟୋକୁ ଦେଖି ଲୁହ ଝରାଇଥାଏ ।
ରାଜାରେ ତୋତେ ଲେଖୁଥିବା ଚିଠି ଦେଖ କେମିତି ଈଶ୍ୱରଙ୍କୁ ବି ଲେଖି ହୋଇଗଲା ମୋ ଅଜାଣତରେ । ମୋର ବିଶ୍ୱାସ ତୁ ତ ନିଶ୍ଚୟ ଭଗବାନଙ୍କ ପାଖକୁ ଯାଇଥିବୁ । କହିଦେଵୁ ମୋର ତାଙ୍କ ପ୍ରତି ଅଭିମାନର ଅନ୍ତରାଳେ ଥିବା କ୍ଷୋଭ ଓ ପ୍ରତିବାଦ।
ରାଜା ରେ ତୁ ତ ପୁରାପୁରି ସୁସ୍ଥ ସବଳ ଥିଲୁ ଫେବୃଆରୀ ସାତ ତାରିଖ ଯାଏଁ । ପଶୁ ଡାକ୍ତରକୁ ଘରକୁ ଡାକି ବାର୍ଷିକ ଟୀକା ଦିଆଗଲା ଯେ କାଳ ହେଲା । ଧଳା ଧଳା ବାନ୍ତି ହେଲା ତ ସିଟି ସ୍କାନ୍ରେ ବାହାରିଲା ଲିଭର୍ ପ୍ରୋବ୍ଲେମ । ଖାଲି ବାନ୍ତି ଆଉ କଳା ଝାଡ଼ା । ଜମା କିଛି ଖାଇପାରିଲୁନି କି ଶୋଇପାରିଲୁନି । ପେଟରେ ପାଣି ଜମି ଭାରୀ ହୋଇଗଲା । ରିକି, ମାମା ଆଉ ମୁଁ ବଡ଼ ବ୍ୟସ୍ତ ବିବ୍ରତ ହୋଇପଡିଲୁ । ସହରର ସବୁ ବଡ଼ ବଡ଼ ପଶୁ ଚିକିତ୍ସାଳୟକୁ ନେଇକି ଗଲୁ । ମେଡ଼ିସିନ୍, ଇଞ୍ଜେକସନ, ସାଲାଇନ୍ ସବୁ ରୀତିମତ ଦିଆଚାଲିଲା । ତୋ ମାମା ଅକାତରରେ କ୍ରେଡିଟ୍ କାର୍ଡରୁ ଚାଳିଶ ପଚାଶ ହଜାର ଟଙ୍କା ଖର୍ଚ୍ଚ କରିଦେଲା ସିନା ତୋତେ ବଞ୍ଚେଇ ପାରିଲୁନି । ଦେଢ଼ମାସ କାଳ ତୁ ଖୁବ୍ ଯନ୍ତ୍ରଣା ଭୋଗିଲୁ । ଜମା ଉଠି ଚାଲିପାରୁ ନ ଥିଲୁ । ନ ଖାଇ ନ ପିଇ ଶୁଖି କଣ୍ଟା ହୋଇଯାଇଥିଲୁ ।
ଦୀର୍ଘ ଆଠ ବର୍ଷ ତଳେ ଆମ ଘରକୁ ଆସିଥିଲୁ ଛଅ ମାସର କୁନି ଛୁଆଟିଏ ହୋଇ । ଥୁକୁଲୁ ଥୁକୁଲୁ ଚାଲୁଥିଲୁ କି ସୁନ୍ଦର । ବାଦାମୀ ରଂଗର ଦେହରେ ଧଳାର ଟିକିଏ ହାଲ୍କା ଛିଟା । ବେଶ୍ ମନମୋହିଆ ଚମତ୍କାର ଦେଖାଯାଉଥିଲୁ । କି ସୁନ୍ଦର ଖେଳୁଥିଲୁ ଆମମାନଙ୍କ ସହ । ଦେଖିଲେ ପେଟ ପୁରିଯାଉଥିଲା । ମନ ଭରିଯାଉଥିଲା।
ନା ଏଇ ଆଠ ବର୍ଷର ସଜଳ ମଧୁର ବିଧୂର ସ୍ମୃତି କେମିତି ଭୁଲିବି ରେ ରାଜା ! କେମିତି ଚାଲିବି ତୋ ବିନା ଏ ଅବଶିଷ୍ଟ ଜୀବନ ସରଣୀ । ପାରୁନି ରେ ଆଉ ପାରୁନି ରାଜା ମତେ ତୋ ପାଖକୁ ଶୀଘ୍ର ନେଇଯା । ମତେ ମୁକ୍ତି ଦେ ଏ ଯମ ଯନ୍ତ୍ରଣାରୁ ସବୁଦିନ ପାଇଁ ।
ମାର୍ଚ୍ଚ ଛବିଶ ତାରିଖ ସଂଧ୍ୟାରେ ମୋ କୋଳକୁ ଆସି ଗେଲ୍ହା ହେଲୁ । ତା’ପରେ ମାମାର ଖଟକୁ ଯାଇ ତା କୋଳରେ କିଛି ସମୟ ଶୋଇଲୁ । ରିକି ଭାଇ ଖଟକୁ ଯାଇ ତା କୋଳରେ ବି ଗେଲ୍ହା ହେଲୁ । ନାତୁଣୀ ବନି କୋଳକୁ ଗଲୁ । ସମସ୍ତଙ୍କୁ ଚାଟିଲୁ ବହୁ ଦିନ ପରେ । ଯେମିତି କି ସମସ୍ତଙ୍କୁ ବିଦାୟ ମାଗିନେଲୁ । ତୁ ବୋଧେ ତୋର ମୃତ୍ୟୁ ହେବ ବୋଲି ଜାଣିନେଲୁ ।ତା’ପରେ ବାହାରକୁ ନେବାକୁ କହିଲୁ ତ ମୁଁ ଆଉ ରିକି ନେଇକି ଗଲୁ । ଶିଶି କି ଗଗି କିଛି କଲୁନି । ଥରେ ଆମ କାର୍ ଚାରିପଟେ ଘେରାଏ ବୁଲି ଘରକୁ ଫେରି ଶୋଇପଡିଲୁ ସୋଫାରେ ଜିଭ ବାହାର କରିଦେଇ। ଡାକ୍ତର ଡାକି ସାଲାଇନ୍ ଆଉ ଇଞ୍ଜେକସନ୍ ଦିଆଗଲା ସିନା ସବୁ ବୃଥା ଗଲା । ଚୁପଚାପ୍ ଶୋଇଗଲୁ ସକାଳ ଯାଏ । ତା’ପରେ…
ରାଜା ରେ କ୍ଷମା ଦେବୁ ଆମମାନଙ୍କୁ । ବେଶୀ ଖାଉଥିଲୁ ବୋଲି ବେଳେ ବେଳେ ପାଟିରୁ ବାହାରି ପଡୁଥିଲା – ଏମିତି ଖାଇଲେ ଖାଈ ଖାଇ ମରିଯିବୁରେ ।
କେତେବେଳେ ପୁଣି ବଡ ପୁଅ ପ୍ରକାଶକୁ ଆକ୍ଷେପ କରି -ଏ ଲାବ୍ରାଡର କୁକୁରକୁ ଆଣି ବେକରେ ଆମର ବାନ୍ଧିଦେଲା ଯେ ଘର ତାଲା ପକାଇ ମଣିଷ କୁଆଡେ ଯାଇପାରୁନି । ଅଥଚ ଏବେ ତୁ କହୁଥିବୁ – ଯା ଏବେ ପୁରା ଫ୍ରି କରିଦେଲି ତୁମମାନଙ୍କୁ । ଯୁଆଡ଼େ ଇଚ୍ଛା ସେଆଡେ ଯାଇପାର । ମୁଁ କଣ୍ଟା ଥିଲି ନା ତୁମମାନଙ୍କ ଜୀବନରେ । ନୁହଁ…!! ??
ବେଳେବେଳେ ରାଗରେ ଗୋଇଠା କି ବାଡି ମାଡ଼ ବି କରିଛୁତୋ ଦେହରେ । ତୁ ଚୁପଚାପ୍ ସହିଯାଇଛୁ । ଥରେ ବି କୁଁ କାଁ ହୋଇନୁ କେବେ ।
ରାଜା ରେ ତୁ ଏବେ ଯେଉଁଠି ବି ଥାଆ-ଭଲରେ ଥାଆ । ଏ ଚିଠି ତୋତେ ମିଳିବ କି ନା ଜାଣେନା । ଠିକଣା ମୋ ରାଜା ମାର୍ଫତ ସ୍ୱର୍ଗପୁର ଲେଖି ପ୍ରେରକ ଠିକଣା ନ ଲେଖି ପୋଷ୍ଟ କରିଦେଉଛି।
ତୁ ତ ଏମିତି ମୋର ଦେହର ଶ୍ୱାସ ପ୍ରଶ୍ୱାସ ଭଳି ଅହରହ ବଞ୍ଚିରହିଥିବୁରେ ରାଜା ମୋ ଭିତରେ । କାରଣ ତୋର ବିକଳ୍ପ ନାହିଁ । ତୋର ପ୍ରେମର ପଟାନ୍ତର ନାହିଁ । ତୁ ଅମର । ତୁ ମୃତ୍ୟୁଞ୍ଜୟୀ । ତୁ ଶ୍ରେଷ୍ଠ । ତୁ ଅନନ୍ୟ ।
–ତୋର ଅସହାୟ ଅସମର୍ଥ ବାବା
ଢୋ ଢୋ ମୁଣ୍ଡ ପିଟୁଥିଲା ତୁଷାର କାନ୍ଥରେ ତ ଅବିଶ୍ୱାସ ଆଉ ଆଚମ୍ବିତ ହୋଇ ଦେଖୁଥିଲା ସମୟର ଚକ୍ର।
