କବିତା

ଛାଡ଼ଖାଇ

Prasanta Kumar Behera's odia poem Chhadakhaai

ଆଖିଆଗରେ ଦେଖାଅନି
ତୁହାକୁ ତୁହା ମୁଣ୍ତ କଟାର

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେଠି ମୁଣ୍ତ ସବୁ
କଟୁଥିଲା କ୍ଷଣକୁ କ୍ଷଣ
ଉସୁମ ରକ୍ତର ନଦୀ ବହିଯାଇ
ମାଟିକୁ କରୁଥିଲା ଓଦା
କଂସେଇର ଧାରୁଆ ଛୁରି
ଚାଲୁଥିଲା ଅହରହ
ଗଣ୍ତି ସବୁ ପାଲଟୁଥିଲେ
ରକ୍ତ ମିଶା ମାଂସ ଖଣ୍ତ ଖଣ୍ତ
କଲିଜା ସହିତ ଚର୍ବି ସବୁ
ହେଉଥିଲେ ଏକାକାର
ମାଳ ମାଳ ମୁଣ୍ତ ସହ
ଗୋଡସବୁ ଗଡୁଥିଲେ ଏକାଠି
ସେମାନଙ୍କ ସ୍ୱତନ୍ତ୍ର ନିମନ୍ତ୍ରିତ
ଗରାଖମାନଙ୍କୁ ଅପେକ୍ଷା କରି ।

ପଲେ ଛେଳିଙ୍କ ମଧ୍ଯରୁ
ଅନେକଙ୍କ ପାଳି ପଡିନାହିଁ
ସେମାନେ ସବୁ ପାଖା ପାଖି
ବନ୍ଧାହୋଇ ଦେହକୁ ଦେହ ଲଗାଇ
ମଟମଟ କରି ଚାହିଁ ରହିଥାନ୍ତି
ତାଙ୍କ ମୃତ୍ଯୁକୁ ଅପେକ୍ଷା କରି ।

ସତେ ଯେପରି ସେମାନେ
କହିବାକୁ ଚାହୁଁଥାନ୍ତି
ମାର ମନା ନାହିଁ
ମରିବାକୁ ଡର ନାହିଁ
ଖାଦ୍ଯ ହୋଇ ଜନ୍ମିଛୁ ବୋଲି
କ’ଣ ସମ୍ମାନର ସହିତ ମରିବାର
ଅଧିକାର ନାହିଁ ?

ଦୟାକରି ବାନ୍ଧିଦିଅ
ଆଢୁଆଳେ
ଟିକେ ଦୂରେ
ଆଖିଆଗରେ ଦେଖାଅନି
ତୁହାକୁ ତୁହା ମୁଣ୍ତ କଟାର
ସେଇ ବିଭତ୍ସ ଦୃଶ୍ୟ
କିମ୍ବା ଶୁଣାଅନି
ଜୀବନର ଶେଷ
ବୁକୁଫଟା ଚିତ୍କାର
ଆମ ସାଙ୍ଗସାଥି, ମାଆ,
ଭାଇ ଓ ଭଉଣୀ ମାନଙ୍କର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top