କବିତା

ପ୍ରେମର ସଂଜ୍ଞା କ’ଣ ?

Manas Ranjan Nayak's odia poem Premara Sangyaa Kana ?

ପ୍ରେମ କି ଖାଲି ଇନ୍ଦ୍ରିୟ ସମ୍ମୋହନର ଅଭିଳଷିତ ବର୍ଣାଢ୍ୟ ନିର୍ଘଣ୍ଟ?

ପ୍ରେମର ସଂଜ୍ଞା କ'ଣ ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନ ଟିଏ କି ପ୍ରେମ?
ଅବୁଝା ସ୍ପନ୍ଦନର ଝୀଣ୍ ଝୀଣ୍ ତାନରେ ପୁଲକିତ ମନଟେ ହିଁ ପ୍ରେମ
ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ?
ନିରାସକ୍ତ, ନିରୁଦିଷ୍ଟ ,ନିର୍ମଳ ଚେତନାର ସ୍ବଚ୍ଛ ପ୍ରତିବିମ୍ବ ହିଁ ପ୍ରେମ।

ପ୍ରଲୁବ୍ଧ ଆଳାପ, ଇନ୍ଦ୍ରିୟ ଆସକ୍ତ, ପ୍ରେମର ଆକର୍ଷଣ କ’ଣ କାମାନ୍ଧ?
କାମନା ପରିତ୍ଯକ୍ତ, ଆଞ୍ଜୁଳେ ଉଲ୍ଲାସ ସହ ପ୍ରେମ ବିଶ୍ବାସର ନିର୍ବନ୍ଧ
ମିଳନ,ଆଲିଙ୍ଗନ, ସହବାସ, ସମ୍ଭୋଗ କି ନିରୁତା ପ୍ରେମର ଆୟୁଧ ?
ପ୍ରେମରୁ ହିଁ ବିସରେ, ମହ ମହ ପୁଣ୍ଯ କୁସୁମର ମାଦକୀୟ ସୁଗନ୍ଧ ।

ପ୍ରେମ କ’ଣ ସ୍ବପ୍ନିଳ ଯୌବନର ସୁପ୍ତ ଆମୋଦିତ ମନଟିଏ ମାତ୍ର?
ମାନବୀୟ ଧର୍ମରେ, ଜୀବନ ଦୀକ୍ଷାରେ, ପ୍ରେମ ଏକ ଉଦଭାସିତ ମନ୍ତ୍ର
କ୍ଷଣିକ ବାସନା ଚରିତାର୍ଥେ, ପ୍ରେମ କ’ଣ ଅଭିନୟର ନିରୁତା ସୂତ୍ର?
ଅପ୍ରତ୍ଯାଶିତ, ଅପ୍ରତୀକ୍ଷିତ, ଅପ୍ରମିତ ପ୍ରେମର ଆଶ୍ଳେଷ ହିଁ ପବିତ୍ର ।

ଭଲପାଇବା ନୁହେଁକି ଏବେ ପ୍ରେମର ଏକ ଶସ୍ତା, ବହୁଳ ସଂସ୍କରଣ?
ନିସ୍ବାର୍ଥ ଭାବନା, ନିଃସ୍ବ ଅଭୀପ୍ସା, ପ୍ରେମ ଏକ ଶାଶ୍ବତ ଦିବ୍ଯ ଉଚ୍ଚାରଣ
ପ୍ରାପ୍ତି ପ୍ରାବଲ୍ୟର ସମୀକରଣରେ କିବା ଲୋଡା ପୁଣି ପ୍ରେମ ବ୍ଯାକରଣ?
ଅତିମାନବୀୟ ଚେତନାତ୍ତୋରଣେ ପ୍ରେମ ହିଁ ଏକ ତପସ୍ଯା, ଆମରଣ ।

ପ୍ରେମ କି ଖାଲି ଇନ୍ଦ୍ରିୟ ସମ୍ମୋହନର ଅଭିଳଷିତ ବର୍ଣାଢ୍ୟ ନିର୍ଘଣ୍ଟ?
ଭୋଗ ଭାଗ ହରରଙ୍ଗୀ ଭୂଗୋଳଠୁ ଭିନ୍ନ, ପ୍ରେମ ବର୍ଣ୍ଣବୋଧର ମଲାଟ
ଦେବରୁ ଦାନବ ଅବା ମାନବ, ଭିଆଇଲା କେ ଏ ଭାଇ ଭଗାରି ବାଣ୍ଟ?
ପ୍ରେମ ହିଁ ସୁଝିଲା ମାନବ ଖଳାରେ, ଉର୍ଦ୍ଧ ଚେତନାର ଶକ୍ତ ମେରିଖୁଣ୍ଟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top