କବିତା

ମଲାଜହ୍ନର ମୁକ ସାକ୍ଷୀ

Rukeya Jabeen's odia poem Malaajahnara Mooka Saakshi

ତକିଆଟିର ମୁହଁ ଥିଲେ ,
ହୁଏତ କହି ପାରିଥାନ୍ତା,
କେତେ ରାତି ସିଏ ମୋ ସାଥେ,
ଅଜାଣତରେ ଉଜାଗର ରହିଛି,

ମଲାଜହ୍ନର ମୁକ ସାକ୍ଷୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହୃଦୟଟା ପାଲଟିଛି ସତେ ମଲାଜହ୍ନ,
ନା ହସିବାରେ ଆନନ୍ଦ ଅଛି,
ନା କାନ୍ଦିବାରେ ଆତ୍ମତୃପ୍ତି,
ଖାଲି ଯାହା ମେଞ୍ଚାଏ କଟୁ ସ୍ମୃତି,
ସ୍ପନ୍ଦନକୁ ଜାବୁଡି ଧରି,
ଆତଙ୍କିତ କରି ଦରମରା କରୁଛି,
ଜୀବନକୁ ଆଉ ଜୀବନ ସହ ଜଡ଼ିତ,
ପ୍ରତ୍ୟେକଟି ଆଶା, ଆକାଂକ୍ଷା, ପୁଣି,
ବର୍ତ୍ତମାନ ଓ ଭବିଷ୍ୟତର ଦରଫୁଟା ସ୍ୱପ୍ନକୁ।

ଏ ମଲାଜହ୍ନର ଅନ୍ତରଙ୍ଗ ମୁକ ସାକ୍ଷୀ,
କେବଳ ସେଇ ଜନଶୁନ୍ୟ ଦିବାଲୋକ,
ଏକାନ୍ତ ନିଶିର ନିରୋଳା ଅନ୍ଧକାର,
ଆଉ ବନ୍ଦ କବାଟର ପଛପଟେ ,
ଶାନ୍ତ ଗଭୀର ପରିବେଶକୁ ,
ଭଙ୍ଗ କରୁଥିବା କୋହର କ୍ଷୀଣ ସ୍ୱର ,
ଏବଂ ସେ ଅଶ୍ରୁଧାରକୁ ନିଜ ଭିତରେ ,
ସଯତ୍ନେ ନିରୁତ୍ତର ସାଇତି ରଖୁଥିବା ,
କୋମଳ ତୁଳା ଦିଆ ତକିଆଟିଏ ।

ତକିଆଟିର ମୁହଁ ଥିଲେ ,
ହୁଏତ କହି ପାରିଥାନ୍ତା,
କେତେ ରାତି ସିଏ ମୋ ସାଥେ,
ଅଜାଣତରେ ଉଜାଗର ରହିଛି,
ବୁଝିବାର ଶକ୍ତି ଥିଲେ,
ହୁଏତ ବୁଝି ପାରିଥାନ୍ତା,
ମୋ ଅନ୍ତରର ଅସ୍ତବ୍ୟସ୍ତ କଟାକ୍ଷ ଗୁଡ଼ିକୁ,
ପୋଛି ଦେଇ ପାରିଥାନ୍ତା ଅଶାନ୍ତ ଲୁହକୁ,
ଶାନ୍ତ୍ବନା ର ମିଠା ମିଠା ବାଣୀରେ ।

କିନ୍ତୁ ତା’ର ନୀରବତା ନିଷ୍କ୍ରିୟତା,
ବୋଧେ ବେଶି ଭଲ,
ନ ହେଲେ ଆତ୍ମିୟତାର ମିଛ ଚାଦର ଘୋଡେ଼ଇ,
ସଙ୍ଗେ ଠିଆ ହୋଇ ଥିବା ସମ୍ପର୍କ ଗୁଡ଼ିକ ଭଳି,
ସିଏ ମଧ୍ୟ ପ୍ରତିବାଦ କରିଥାନ୍ତା,
ପ୍ରତିଘାତ କରିଥାନ୍ତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top