ଏବେ ଦେଖ
ନିବିଡ଼ତାର ଡ଼ାଳ ପତ୍ରରେ
କେତେ ହାହାକାର
ପତ୍ର ଝଡ଼ାର ଦୃଶ୍ୟ
ଚିର ବିଦାୟ ପରି
ମଉଳା ବସନ୍ତ ।
ଜ୍ଞାତି ଭାଇ ବଂଧୁ କୁଟୁମ୍ବ
ଗାଁ କ୍ଲବ, ଆଖଡ଼ାଶାଳ
ଅୟସ, ଅହଂକାର
କିଏ କେଉଁଠି
ହଜେଇ ଦେଲେଣି ପରିଚୟ ।
ଅସହାୟ ମରୁଭୂମି ପରି
ଖଜୁରୀ ଗଛର ଡେଣା
କଣ୍ଟାଗଛ ଓ କ୍ଲାନ୍ତ ଓଟ
ଅଚିହ୍ନା ଚଢେଇ
ତମ ଶେଷ ସମ୍ପତ୍ତି ।
ଜମାଟ ବାନ୍ଧି ଯାଇଥିବା ଅହଂକାର
ବାହୁବଳ ତରଳୁଚି
ଗ୍ଲୋବାଲ ୱାର୍ମିଙ୍ଗରେ
କାସ୍ପିୟାନ ହ୍ରଦ ପରି ।
ଗାଦିଚ୍ୟୁତ ଅହଂକାର,
ସ୍ନେହ ମମତାର ବଂଧନ
ଶେଷ ଶଯ୍ୟାର ପଥିକ ।
ଆଶ୍ରୟର ଆକାଶ
ମମତାର ଅଦିନିଆ ବର୍ଷାକୁ ଅନେଇ ରହିଚି
ତମ ମନ ।
ମନେ ପଡ଼ୁଚି ସେ କପଟ ପଶା ?
ଉଲଗ୍ନ ନାରୀର ଦେହ,
ଆସମାପ୍ତ ଉପଭୋଗ
ସୌଦର୍ଯ୍ୟ, ବିଭବ?
ରକ୍ତର ନଦୀ
ଛାତି ଫଟା କାନ୍ଦ ବୋବାଳି
କଟାମୁଣ୍ଡ, ବିକୃତ ଯୈାନାଙ୍ଗ
ହାତପାଦ ନାକ,
ନା କିନାରା ନା ଥଳକୁଳ
ଏବେ ଏକା ଏକା ଦୁର୍ଯ୍ୟୋଧନ . . . ।
ଏବେ ତ ସରିଚି ସବୁ
ସ୍ନେହ ଓ ଆଦର
ପାଂଚ ପଡ଼ା, ସୂଚ୍ୟଗ୍ରେ ମେଦିନୀ
ନ ଦେବାର ଜିଦ୍
ଦର୍ପିତ ହୁଂକାର
ସତ୍ୟ ଧର୍ମ ଲାଞ୍ଛିତ କରିବାର
କଉତୁକ ପଣ ।
ଖାଲି ଯା ବଞ୍ଚିଛି ଲୁହ
ମୁଠା ମୁଠା କୋହ
ଶେଷ ଧନ ହୋଇ
ଭଙ୍ଗା ଫଟା ଅଭିମାନ
ଜୀବନକୁ ଢାଙ୍କି ରଖିବାର
ଶେଷ କଉଶଳ ।
