ସମ୍ପାଦକୀୟ

ବ୍ୟକ୍ତି ପ୍ରାଧାନ୍ୟ ବନାମ ଗୋଷ୍ଠୀ ପ୍ରାଧାନ୍ୟ

Dr Mousumi Parida's odia editorial article Byakti Praadhanya Banam Goshthi Praadhanya

ଏଠି ବ୍ୟକ୍ତି ଗୋଷ୍ଠୀ ମାଧ୍ୟମରେ ସୁବିଧା ଲୁଟୁଥିବାରୁ ନା ବ୍ୟକ୍ତି ନା ଗୋଷ୍ଠୀ କେହି ପ୍ରତିବାଦ କରିବେ ନାହିଁ ।

ବ୍ୟକ୍ତି ପ୍ରାଧାନ୍ୟ ବନାମ ଗୋଷ୍ଠୀ ପ୍ରାଧାନ୍ୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କହିବା ବାହୁଲ୍ୟ ଯେ ବ୍ୟକ୍ତିମାନଙ୍କୁ ନେଇ ଗୋଷ୍ଠୀ, ଗୋଷ୍ଠୀକୁ ନେଇ ସମାଜ ଓ ସମାଜକୁ ନେଇ ଦେଶର ରୂପରେଖ । ସେଥିପାଇଁ ଦେଶ ଭିତରର ସମସ୍ୟା ଅସରନ୍ତି । ବହୁ ବର୍ଣ୍ଣ ଧର୍ମ ଓ ଜନସଂଖ୍ୟା ଦୃଷ୍ଟିରୁ ସମସ୍ୟାବହୁଳ ରାଷ୍ଟ୍ର ଭାବେ ଆମ ଦେଶର ପରିଚିତି । ଅସଂଖ୍ୟ ମନୋରମ ଯୋଜନା, ହିତାଧିକାରୀମାନଙ୍କ ଭିତରେ ବାସ୍ତବ ସମସ୍ୟାଗୁଡିକ କିନ୍ତୁ ଅପରିବର୍ତ୍ତିତ । ଯେତେ ଭାଇ ସେତେ ଭାଗ ପରି ଏଠି ଯେତେ ଦଳ ସେତେ ଯୋଜନା । ପୁଣି ସେତେ ଅଧିକ ଋଣଭାର ସହିତ ଛଡାଛଡି କଳିଗୋଳ, ହିଂସା ପ୍ରତିହିଂସା ଯାହା ଏବେ ରୋଗ ପରି ସମସ୍ତଙ୍କୁ ବ୍ୟାପିବାରେ ଲାଗିଛି । ପିଠାକଳି ପରି ସମସ୍ୟା ତୁଟୁନି କିନ୍ତୁ କାହାର ନା କାହାର ଲାଭ ହେଉଛି । ସେହି ଲାଭ ଲୋଭରେ ଦଳେ ମିଶି ଦଳ, ସଂଗଠନ କିମ୍ବା ଅନୁଷ୍ଠାନ ଗଢନ୍ତି । ଯେଉଁଥିରେ ସେମାନଙ୍କ ଲାଭ ଶହେରୁ ଶହେ । ଅର୍ଥ, ସମ୍ମାନ, ପ୍ରତିପତ୍ତି ନିମନ୍ତେ ଅନୁଷ୍ଠାନର ପ୍ରତ୍ୟେକ ବ୍ୟକ୍ତି ଗୋଟେ ଲେଖାଁ ନୈଷ୍ଠିକ ଚାଟୁକାର । କ୍ଷମତାର ଗୋଟେ ଲେଖାଁ ଆସନରେ ଚକା ପକେଇ ଅହଙ୍କାର ମିଶା ମୁଚୁକୁନ୍ଦ ହସରେ ନିଜ ପ୍ରଭୂତ୍ୱ ଦର୍ଶାଉଥାନ୍ତି । ପଛରେ ରହି “ଜୟ ହୋ” କହୁଥିବା ଚାଟୁକାରମାନେ ଅନେଇ ବସିଥାନ୍ତି କେତେବେଳେ କଣଟେ ମୁଣ୍ଡ ଉପରେ ଛିଣ୍ଡିବ, ସେ ଛୋଟ କ୍ଷମତାଟେ ହେଉ ବା ଆର୍ଥିକ ଅନୁଦାନ । ସେ ଲୋଭରେ ଦାନ୍ତ କାମୁଡି ପଡିଥାନ୍ତି ଯାବତୀୟ ଆବର୍ଜନା ମୁଣ୍ଡେଇ । କ୍ଷମତାଶାଳୀଙ୍କ ପଦଲେହନ ଏମାନଙ୍କ ଧର୍ମ ଓ କର୍ମ ।

କ୍ଷମତା ହାସଲ ଜରିଆରେ ଅନ୍ୟାନ୍ୟ ଭୋଗବିଳାସ ଏମାନଙ୍କ ଚରମ ଲକ୍ଷ୍ୟ । ଉପରକୁ ସମାଜର ମଙ୍ଗଳସାଧନ ଜୀବନର ମହାମନ୍ତ୍ର ବୋଲି କହିହେଉଥିବା କ୍ଷମତାଧାରୀ ପରୋକ୍ଷରେ ନିଜ ସହିତ ଚାରି ପାଞ୍ଚ ପିଢୀର ସୁଖସୁବିଧା ପାଇଁ ଜନତାଙ୍କୁ ହରିଲୁଟ୍ କରି ଅର୍ଥସଂଚୟର ସୁବନ୍ଦୋବସ୍ତ କରୁଥାନ୍ତି । ସମୂହ ସ୍ୱାର୍ଥସାଧନ ନିମନ୍ତେ ସମଧର୍ମାମାନଙ୍କୁ ନେଇ ଗଠନ କରାଯାଏ ଗୋଟେ ସମାଜ ଯାହା ଦ୍ୱାରା ସେମାନେ କ୍ଷମତା ଆଳରେ ଅନ୍ୟକୁ ପଦାନତ କରିପାରିବେ । ନିଜକୁ ଆଦର୍ଶବାଦୀ ପ୍ରମାଣିତ କରିବାକୁ ସତ୍କାର୍ଯ୍ୟ ପ୍ରଦର୍ଶିତ ହେଉଥିବ । ନଡିଆ ଭାଙ୍ଗି, ଠାକୁରଙ୍କ ଫଟୋ ନିକଟରେ ଦୀପଦାନ ପୂର୍ବକ ମନ୍ତ୍ର ଉଚ୍ଚାରଣ କରି ଜଗତକୁ ସାଧୁତା ଦେଖାଇ ଦେଇହେଉଥିବ । ପରକ୍ଷଣରେ ସ୍ୱାର୍ଥସଂପର୍କିତ ଖଳ କାରବାରର ଲୋକମାନେ ଜଳକା ହୋଇ ଚାହିଁଥିବେ । ସେମାନେ ବୁଝିଲେ ବି କୋଉ ଲାଭ! ସେମାନଙ୍କୁ ଭକୁଆ କହିହେବ । ଆମ ଦେଶରେ ଏମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ହଁ ଏମାନେ ବୋକା ନୁହନ୍ତି, କୋଉ ବାଟେ ନିଜର ଛୋଟିଆ ସ୍ୱାର୍ଥଟେ ହାସଲକରି ମନକୁ ବୁଝେଇ ନେଉଛନ୍ତି ।

ଖଟିଖିଆ ସେଇ ଖଟିଖିଆ କାରଣ ସେମାନଙ୍କ ମୁଣ୍ଡକୁ କିଣିନେଇଥିବେ ବୁର୍ଜୁଆମାନେ ମାତ୍ର କିଛି ଅର୍ଥ ବିନିମୟରେ । ମଧ୍ୟବିତ୍ତମାନଙ୍କ ଜିଭକୁ କାଟି ଦିଆଯାଇଥିବ ବିଭିନ୍ନ ଆଳରେ ! ବୁର୍ଜୁଆ ଗୋଷ୍ଠୀ କଳେ ବଳେ କୌଶଳେ କ୍ଷମତାର ଡାଳକୁ ମୁଠେଇ ଧରି ଏ.ସି କୋଠରୀରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ନିୟମାବଳୀ ତିଆରି କରୁଥିବେ । ସେମାନଙ୍କ ଥାଳିରୁ ଭାତ, ଡାଲି, ଭଜା କାଢୁଥିବେ ନହେଲେ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣା ଔଷଧ ପାଇବାକୁ ଯୋଜନା ପ୍ରସ୍ତୁତ କରି ନିଶ ଫୁଲେଇ ବସିଥିବେ । ପ୍ରଶ୍ନ କରିବାକୁ କେହି ନଥିବେ ଯେ- ରୋଗର କାରଣ ବାହାର କରି ରୋଗକୁ ମାର । ଔଷଧ କମ୍ପାନୀଙ୍କଠୁ ଲାଂଚ ଦ୍ୱାରା ନିଜ ବ୍ୟାଙ୍କ ବାଲାନ୍ସ ବଢାଇ ଲୋକଙ୍କ ଆଖିରୁ କଜ୍ଜଳ ଚୋରି କରନା । ନିଶା କାରବାର ବନ୍ଦ କର ଦେଖିବ ଝିଅବୋହୂଙ୍କ ଧର୍ଷଣ କମିଯିବ । କେହି କହିବେନି ଏସବୁ । କାରଣ ଏସବୁ ଚାଲୁରହୁ ବୋଲି ଅନେକ ଚାହାନ୍ତି । କିଛି ଚାହାନ୍ତି ରୋଗ ଥାଉ, ରୋଗୀ ଥାଆନ୍ତୁ, ବଇଦ ଥାଆନ୍ତୁ, ସରକାରୀ ହାସ୍ପାତାଳ ବନୁଥାଉ । ସେମିତି ହିଂସା ପ୍ରତିହିଂସା ଚାଲୁ ରହୁ । ନହେଲେ ଥାନା, ଜେଲ୍, ପୋଲିସ୍, କୋର୍ଟ କଚେରି ଚାଲିବ କେମିତି ?

ଏସବୁର ବିରୋଧରେ ବା ସପକ୍ଷରେ ଗୋଟି ଚଲାଉଥିବା କ୍ଷମତାସୀନମାନେ ଯେକୌଣସି କ୍ଷମତାର ଦୁରୁପଯୋଗ କରି ଆକାଶକୁ ନିଶୁଣି ବାନ୍ଧୁଥିବେ । ପୃଥିବୀକୁ ଖଣ୍ଡ ଖଣ୍ଡ କରି ନିଲାମ କରିଦେବାର କ୍ଷମତା ଠୁଳ କରୁଥିବେ । ଏମାନେ ଜାଣନ୍ତି ଆକାଶର ଉଚ୍ଚତା, ନିଶୁଣିର ଠିକଣା । ଅନେକ ତ ନିଶୁଣି ବନିଯାଆନ୍ତି । ଆଉ ବୁଦ୍ଧିଜୀବୀ ! ସେମାନେ ତ ହଲପ କରିନେଇଛନ୍ତି- ନୀରବତା ହିଁ ସେମାନଙ୍କ ଉତ୍ତର । ଅଧିକାଂଶ ତ କୌଣସି କଥାରେ ମୁଣ୍ଡ ଖେଳାନ୍ତିନି । ନିଜକୁ ଶତ ପ୍ରତିଶତ ସଚ୍ଚୋଟ ଓ ନିରପେକ୍ଷ ସିଦ୍ଧ କରିବାକୁ ଏମାନେ ଚୁପ୍ ରହିବାକୁ ଠିକ୍ ଭାବିନିଅନ୍ତି । ପଡିଶା ଘରର ସ୍ୱାମୀ ସ୍ତ୍ରୀ କଳି ଏମାନଙ୍କ ପାଇଁ ଯେତିକି ଗୁରୁତ୍ୱ ରଖେ, ସେତିକି ଗୁରୁତ୍ୱ ରଖେ ନେତା ଚୟନ ଅବା ଆଖି ସାମ୍ନାରେ ଘଟୁଥିବା ଗୋଟେ ଝିଅର ଗଣଧର୍ଷଣ । ଏମାନେ ଗାନ୍ଧୀ ମହାତ୍ମାଙ୍କ ତିନି ମାଙ୍କଡ ପରି ଆଜ୍ଞା ପାଳୁଥାନ୍ତି ସିନା କିନ୍ତୁ ଗାନ୍ଧୀବାଦକୁ ନାକ ଟେକୁଥାନ୍ତି । ସୁବିଧା ଅନୁସାରେ ନିଜକୁ ଏଣ୍ଡୁଅ ପରି ବଦଳିବାରେ ଏମାନେ ମାହିର୍ । ତେଣୁ ଛତାଦଳ ପରି ଆଉ ଦଳେ ଅଛନ୍ତି ଯାହାଙ୍କୁ ଆମେ ଏଣ୍ଡୁଅ ଦଳ କହିପାରିବା । ଏମାନେ ସାଂଘାତିକ ପର୍ଯ୍ୟାୟର । ବିଶ୍ୱାସଯୋଗ୍ୟ ନୁହନ୍ତି କୌଣସି ପ୍ରକାରେ । ଏଣ୍ଡୁଅ ଦଳ ଛତା ବ୍ୟବହାର ନକରି ବି ଅନେକ ସମୟରେ ବିଲେଇ ଆଖିମୁଦି କ୍ଷୀର ଖାଇବା ଭଳି ନିରପେକ୍ଷ ବୋଲାଇ ସୁବିଧା ହାସଲ କରିଜାଣନ୍ତି ।

ବିଭିନ୍ନ ଆଳରେ ଅନ୍ୟ ଉପରେ ଅଧିକାର ବା ହୁକୁମ୍ ଜାହିର୍ କରୁଥିବା ଚାଲାକ୍ ଗୋଷ୍ଠୀ ସବୁବେଳେ ପିଠାର ବଳକା ଭାଗକୁ ଖାଇ ମସ୍ତ ଥାଆନ୍ତି । କାହାକୁ ଖାତିର୍ କରିବା ଏମାନଙ୍କ ସମ୍ବିଧାନରେ ନଥାଏ । ମଂଚ ଉପରେ ଅସାଧାରଣ ଭାଷଣ, ଯାହାକୁ ଶୁଣି ଶ୍ରୋତାମଣ୍ଡଳୀ ଖୁସିରେ ଆତ୍ମହରା! କିନ୍ତୁ ବାସ୍ତବତା ମନକୁ ଆମ୍ବିଳା କଲାପରି । ସବୁ ଏଠି ଉପରଠାଉରିଆ, ଲୋକଦେଖାଣିଆ, କୁମ୍ଭୀର କାନ୍ଦଣାଭରା ଭାଷଣବାଜି ! ତେବେ ବି ବାଜି ଜିତିବାକୁ ପଛ ଲୋକର ବି ଲୋଭ କମ୍ ନଥାଏ । ଏହା ହିଁ ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ଅବ୍ୟବସ୍ଥା । ଏଠି ନିୟମ ପାଳୁଥିବା ଲୋକେ ଭକୁଆ । ନିୟମ ଭାଂଗୁଥିବା ଲୋକେ କ୍ଷମତାସୀନ, ବଳଶାଳୀ ଓ ବିତ୍ତଶାଳୀ ।

କାରଣ ଅନ୍ୟକୁ ଶାସନ କରିବା କିମ୍ବା ଭାଗ୍ୟବିଧାତା ବନିବାର ଲୋଭ ପ୍ରାୟ ଅନେଶତ ପ୍ରତିଶତ ଲୋକମାନଙ୍କ ଭିତରେ । ପ୍ରତ୍ୟେକ ମଣିଷ ଭିତରେ ଅନ୍ୟକୁ ଶାସନ କରିବାର ଲୋଭ ! ଏଠି କେହି ନା କେହି କାହା ଉପରେ ରାଜୁତି କରୁଛି । କେହି ନା କେହି ଅନ୍ୟକୁ ସହୁଛି, କାରଣ ତାକୁ ଅସହାୟ ହୋଇ ସହିବାକୁ ପଡୁଛି । ମଙ୍ଗଳସାଧନ ପ୍ରକ୍ରିୟାଟି କୌଣସି ହିସାବରେ ପରିଲକ୍ଷିତ ହେଉନାହିଁ । ପରନ୍ତୁ ଆର୍ଥିକ ଲାଭ ସହିତ ବ୍ୟକ୍ତିଗତ କ୍ଷମତାଟି ପରିଦୃଶ୍ୟ ହୁଏ । ଦେଶ ଭିତରେ ବି ଅନେକ ଗୋଷ୍ଠୀ, ଅନେକ ସମାଜ । ଫଳରେ ଆଦର୍ଶଭିତ୍ତିକ ତାରତମ୍ୟ ବା ଅସଂଖ୍ୟ ମତପାର୍ଥକ୍ୟ ପରିଲକ୍ଷିତ ହେବା ସାଧାରଣ କଥା । ଯେତେ ଗୋଷ୍ଠୀ ସେତେ ସମସ୍ୟା । ଯେତେ ସମସ୍ୟା ସେତେ ମତପାର୍ଥକ୍ୟ । ଯେତେ ମତପାର୍ଥକ୍ୟ ସେତେ ବିଫଳତା, ଅସହିଷ୍ଣୁତା ଓ ଦୁର୍ନୀତି । ତୃଣମୂଳ ସ୍ତରରୁ ଆରଂଭ ହୋଇ ପ୍ରଶାସନିକ ବ୍ୟବସ୍ଥାଯାଏଁ ଦୁର୍ନୀତିଗ୍ରସ୍ତ ଅଧିକାଂଶ । ଯାହାର ନିରାକରଣ ଅସଂଭବ ।

ଯେଉଁମାନେ ଏସବୁରେ ପୀଡିତ ସେମାନଙ୍କ ଭିତରୁ ଅଧିକାଂଶ ସ୍ୱାର୍ଥନ୍ୱେଷୀ । ନିଜ ଛଡା ଆନ ଚିନ୍ତା କରିପାରନ୍ତି ନାହିଁ । ଏପରିକି ନିଜେ ରହୁଥିବା କଲୋନୀ, ଗାଁ କିମ୍ବା ଅଂଚଳର ସୁବିଧା ଅସୁବିଧାର ଖିଆଲ ଏମାନଙ୍କର ନଥାଏ । ଏଇ ନିକଟରେ ସାମାଜିକ ଗଣମାଧ୍ୟମରେ ଗୋଟେ ସୁନ୍ଦର ଉଦାହରଣଟିଏ ଘୂରିବୁଲୁଥିଲା ଯାହା ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା ଆମ ବ୍ୟବସ୍ଥା ରୁଗ୍ଣତାକୁ । ଗୋଟେ ଛାତ୍ରାବାସରେ ସକାଳ ଜଳଖିଆ ଭାବେ ଉପମା ଦିଆଯାଉଥିବାରୁ ଅନେକ ଏହାର ତୀବ୍ର ବିରୋଧ କଲେ । ଅବଶ୍ୟ ତିରିଶ ପ୍ରତିଶତ ପିଲାଙ୍କର ଏଇଟା ମନପସନ୍ଦ ଜଳଖିଆ ଥିଲା । ବାକି ସତୁରୀ ପ୍ରତିଶତ ପିଲାଙ୍କୁ କୁହାଗଲା- ସେମାନେ ଉପମା ଯାଗାରେ ଅନ୍ୟ କେଉଁ ଖାଦ୍ୟ ଚାହୁଁଛନ୍ତି ଜଣାନ୍ତୁ । ସେମାନେ ନିଜ ନିଜ ପସନ୍ଦାନୁସାରେ ମତ ଜଣାଇଲେ । ଦଶରୁ ପନ୍ଦର ପ୍ରତିଶତ ପିଲା ରୁଟି ଜାତୀୟ ଖାଦ୍ୟ ଦିଆଯାଉ ବୋଲି କହିଲେ ତ ଆଉ କିଛି ନୁଡୁଲ୍ସଜାତୀୟ ଖାଦ୍ୟ ଦିଆଯାଉ ବୋଲି କହିଲେ । କେହି କେହି ତେଲଭାଜି ଜିନିଷ ଦେବାକୁ ଅନୁରୋଧ କଲେ ତ ଆଉ କିଛି ପାଉରୁଟି, ସାଲାଡ୍ ପାଇଁ କହିଲେ ।

କିନ୍ତୁ ସେ ତିରିଶ ପ୍ରତିଶତ ପିଲା ଉପମା ଉପରେ ପସନ୍ଦ ଜାହିର୍ କଲେ । ସତୁରୀ ପ୍ରତିଶତ ପିଲାଙ୍କର ଭିନ୍ନ ଭିନ୍ନ ମତ ତିରିଶ ପ୍ରତିଶତ ପିଲାଙ୍କ ମତଠାରୁ କମ୍ ହେବାରୁ ଉପମା ହିଁ ଜଳଖିଆ ଭାବେ ତିଷ୍ଠି ରହିଲା । କାରଣ ସେ ତିରିଶ ଲୋକ ନିଜ ମତ ପରିବର୍ତ୍ତନ କଲେନାହିଁ । ଫଳତଃ ସତୁରୀ ପ୍ରତିଶତ ଲୋକ ବିଭିନ୍ନ ମତ ଦ୍ୱାରା କିଛି ହାସଲ କରିପାରିଲେନି ଯଦିଓ ଏମାନଙ୍କ ପାଖରେ ସଂଖ୍ୟା ଥିଲା । ଏ ଉଦାହରଣକୁ ବିଚାର କରି ଦେଖାଯାଉ- ଆମେ କେଉଁଠି ହାରୁଛେ । କେଉଁ ଯାଗାରେ ବ୍ୟବସ୍ଥାର ଦୁରୁପଯୋଗ ହେଉଛି ଓ ସେଥିପାଇଁ ଦାୟୀ କିଏ? ତାର ନିରାକରଣ କିପରି ହୋଇପାରିବ, କାରଣ ସବୁ ବ୍ୟବସ୍ଥାର ଗଳାବାଟଟିଏ ଥାଏ । ସେ ଗଳାବାଟରେ ହାତୀ ପଶିଯାଏ, ପିମ୍ପୁଡି ପାଇଁ କିନ୍ତୁ ବାଟ ନଥାଏ । ତେବେ ବି କଣ ଏ ଅବ୍ୟବସ୍ଥାକୁ ଆମେ ସମର୍ଥନ କରୁଥିବା? ୟାର ନିରାକରଣ କଣ ନାହିଁ? କ୍ୟାନସର୍ ପରି ଆମ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଥିଲେ ମଧ୍ୟ ଆମେ କଣ ନୀରବ ହୋଇ ବସିରହିବା ?

ଏଭଳି ଅବ୍ୟବସ୍ଥାର ମୂଳ କାରଣ ଖୋଜାଯାଉ ଆବଶ୍ୟକ ସ୍ଥଳେ ସମ୍ବିଧାନ ସଂଶୋଧିତ ହେଉ । ନହେଲେ ବୁଦ୍ଧିଜୀବୀମାନେ ଏକବାରେ ନିଥର ପାଲଟିଯାଇଥିବେ । ନା କହିପାରୁଥିବେ ନା ସହିପାରୁଥିବେ । କାରଣ ଏମାନଙ୍କ ଜିଭକୁ କାଟି ଦିଆଯାଇଥିବ, ଆଖିରୁ ଡୋଳାଟିକୁ କାଢି ନିଆଯାଇଥିବ । କାନରେ ଠେଁସି ଦିଆଯାଇଥିବ କପଡା ବିଣ୍ଡା । ମୂର୍ଖମାନଙ୍କୁ ବନାଚାଲିଥିବ ସ୍ୱାର୍ଥ ପାଇଁ ! ବୁଦ୍ଧିଜୀବୀଙ୍କ ବାକ୍‌ସ୍ୱାଧୀନତାକୁ ହତ୍ୟା କରାଯାଉଥିବ । ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ ସହଜ ନୁହେଁ କାରଣ କାହାର ନା କାହାର ଲାଭ ହେଉଥିବ । ବ୍ୟବସ୍ଥା ତିଆରି କରିଥିବା କ୍ଷମତାସୀନମାନେ ନିଜ ପଦବୀରେ ଥିବାଯାଏଁ କ୍ଷମତା ଉପଭୋଗ କରୁଥିବେ । ଏଠି ବ୍ୟକ୍ତି ଗୋଷ୍ଠୀ ମାଧ୍ୟମରେ ସୁବିଧା ଲୁଟୁଥିବାରୁ ନା ବ୍ୟକ୍ତି ନା ଗୋଷ୍ଠୀ କେହି ପ୍ରତିବାଦ କରିବେ ନାହିଁ । ଲାଭ ହାସଲ କରୁଥିବା ଲୋକେ କେବେ ବି ଏଭଳି ବ୍ୟବସ୍ଥାକୁ ବଦଳିବାକୁ ଦେବେନାହିଁ । ଏଥିପାଇଁ ବିଚାରବିମର୍ଷ ହେଉ । ନହେଲେ ଏ ଅବ୍ୟବସ୍ଥାର ଉତ୍ତର ଦାୟୀ ସମସ୍ତେ ରହିବେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top