ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ତମେ କୁହ ବିପ୍ଲବ ! ମୋ ଶ୍ଵାସ ରୋକି ଯିବାପରି ଅବସ୍ଥା ମୋର । ତମେ କହିଦିଅ କାରଣ ମୁଁ ଯାହା ଗେସ୍‌ କରିବି ତାହା କେବେ ହୋଇନଥିବ କି ହେବା ସମ୍ଭବ ନୁହେଁ ଆଉ ମୋ ଜୀବନରେ । ତେବେ ତା ଭିନ୍ନ ଆଉ କଣ ଖୁସୀ ଖବର ମୋପାଇଁ ବିପ୍ଳବ ?

ପୂର୍ବରୁ

ସବୁ ଦିନ ରୁଟିନ ବତ୍‌ କାମ ଭିତରେ ଧାଁ ଧପଡ ଅଫିସ୍‌ରୁ କ୍ଵାର୍ଟର । ଫାଇଲ୍‌ ଚାଷଠୁଁ ନେଟ୍‌ ଯାଏ ସବୁ କିଛି ସାରିବାକୁ ପଡେ । ଆଜି କାଲି ଫାଇଲ କାମ କମ୍‌, କମ୍ପୁଟର କାମ ବେଶୀ, ଘରକୁ ଗୋଡ ଦେଲେ ଘର ଓଳା, ବାସନ ଧୁଆ, ଠାକୁରଙ୍କୁ ଧୂପଦିଆ, ରାତି ରୋଷେଇ ଭିତରେ କେତେବେଳେ ଦିନ ଯାଇ ସପ୍ତାହଟେ ପହଞ୍ଚଯାଏ ଜାଣି ହୁଏନା । ବିପ୍ଳବ କହିଥିଲେ ରଂଜନାଙ୍କୁ ଧରି ଆସିଥୁଲେ ଟିକେ ଭଲ ଲାଗିଥାନ୍ତା । ତାଙ୍କର ଦିନକୁ ଦିନ ଘୁଞ୍ଚି ଯାଉଛି ଆସିବାର ତାରିଖ । ବିଚାରୀ ରଂଜନା ଟା କେତେ କଷ୍ଟ ପାଉଥିବ ନା ? ଆଜି କ୍ୟାସିୟର ବାବୁଙ୍କ ପୁଅର ଷୋହଳପୂଜା । ଖାଇବାକୁ ଡାକିଛନ୍ତି । ତେଣୁ ରାତି ରୋଷେଇ ନାହିଁ । ଏଇ ସମୟରେ ରଂଜନା ଓ ବିପ୍ଲବ କୁ ଫୋନ କରାଯାଇପାରେ । ସେପଟୁ ରିଂ ହେଉ ଥିଲେବି ସମ୍ଭବତଃ । ମୋବାଇଲ ପାଖ ରେ କେହି ନାହାଁନ୍ତି । ଖଟରେ ଗଡି ପଡିଲା ଟିକିଏ ।

ପନ୍ଦର ମିନିଟ୍‌ ଯାଇଛି କି ନାହିଁ ବିପ୍ଲବ ଫୋନ କଲେ । ଆଗାମୀ ଶୁକ୍ରବାର ୧୨ ଅପ୍ରେଲରେ ସେ ରଂଜନାକୁ ଧରି ଆସିବେ । ତାମାନେ ହାତରେ ଆଉ ତିନୋଟି ଦିନ । ଭଲ ହେଲା ୧୩ତାରିଖ ସେକେଣ୍ଡ ସଟରଡେ । ବିଷୁବ ସଂକ୍ରାନ୍ତି । ଚଉଦ ତାରିଖ ରବିବାର । ଭଲହେଲା ।

ଖୁସୀ ହୋଇ ମୁଁ କହି ପକାଇଲି, “ ମୋତେ କମ୍ପାନୀ କ୍ଵାର୍ଟର ମିଳିଛି ବିପ୍ଲବ । ଆଠଦିନ ହେଲା ଆସିଲାଣି ଜିନିଷ ପତ୍ର କିନ୍ତୁ ପ୍ୟାକେଜ୍‌ରୁ ଖୋଲା ହୋଇନି । ଖାଲି ଖଟ ଆଉ ବିଛଣାପରେ ରୋଷେଇ ଘରଟି ଯେନତେନ ଜିନିଷ ରଖି କାମ ଚଳାଉଛି । ତମେ ଦୁହେଁ ଆସିଲେ ଯାହା ହେବ।”

“ହଉ ହେଲା । ରଂଜନା ସବୁ ସଜାଡି ଦେବ । ଖାଲି ଆମେ ପହଞ୍ଚି ଯାଉ !” ଫୋନ ରଖିଲା ସେପଟୁ ବିପ୍ଳବ ।

ରାତିରେ ଠାକୁର ଭୋଗସହ ପୁରୀ, ଖିରୀ, ତରକାରୀ ପଠାଇ ଦେଲେ କ୍ୟାସିୟର ଘର ତାଙ୍କ ପୁଅଝିଅ ହାତରେ । ଯିବି ଯିବି ଭାବି ବିଛଣାରେ ଗଡି ପଡିଛି, ଦିନ ହେଇଯାଇଛି କେତେ ସମୟ ଯାଏ କେଜାଣି ! କବାଟ ଖଟ୍‌ ଖଟ୍‌ ରେ ନିଦ ଭାଙ୍ଗିଲା । କବାଟ ଖୋଲିଲି ତ ଝିଅ ଅମିତ୍ରା ଅଂଶୁମାନ କ୍ୟାସିୟରଙ୍କର । ଥାଳି ଧରି ଠିଆ ହୋଇଛନ୍ତି । ଲଜିତ ହେଲି । ପ୍ରଥମ ଥର ପାଇଁ କ୍ଵାଟର ପଡୋଶୀ ହୋଇମଧ୍ୟ ଯାଇ ନ ପାରି ଥିବାରୁ । ପିଲାଙ୍କ ସାମନାରେ ଦୁଃଖ ପ୍ରକାଶ କରି ସାର୍‌ ମାଡାମ୍‌ଙ୍କୁ ଜଣାଇବାକୁ ଅନୁରୋଧ କଲି । ସେମାନେ ବେଶଭଦ୍ର ଆଉ ହସ ହସ । ମୋ ଠୁଁ ଥାଳି ଗିନା ନେଇ ଫେରିଗଲେ । ମୁଁ ଖାଇ ବସିଲି ।

ମଂଗଳବାର ଫୋନ୍‌ ରିଂରେ ନିଦ ଭାଙ୍ଗିଗଲା । ଆରାଧ୍ୟାର ଫୋନ । “ ଅପା ତୋର ପୁତୁରା ହୋଇଛି ଅପା । ତୁ ବଡ ମାଉସୀ ମା ପାଲଟିଗଲୁ । କେବେ ଆସିବୁ ତୋ ପୁତୁରାକୁ ଦେଖିବା ଲାଗି ?”

“ ଖଟରୁ ଡେଇଁ ପଡିଲା ବିଦ୍ୟା । “ଆରାଧ୍ୟା ତୁ ସକାଳୁ ସକାଳୁ କେଡେ ବଡ ଖବର ଟେ ଦେଲୁ ରେ । ଯିବି, ନିଶ୍ଚୟ ଯିବି ପୁଅକୁ ତତେ ଦେଖ ଆସିବି । ତୁ ଭଲ ଅଛୁତ ? ନରମାଲ୍‌ ନା ସିଜରରିୟାନ ?

– “ ନରମାଲ ଅପା, ସବୁ ତୋ ଆଶୀର୍ବାଦ । ”

ରାଜ୍‌ ଆଉ ବାପା ମାଆଙ୍କୁ ଜଣାଇବୁ । ଆରାଧ୍ୟା ଜାଣିଚୁ, ସେମାନେ ଖୁସୀରେ ପାଗଳ ହେଇଯିବେ । ପୁଅ ଏକେଉସିଆ ଦିନ ସମସ୍ତେତ ତୋ ଘରେ ଏକାଠି ହେବେ । ହଁ ଶୁଣୁ, ମୁଁ ଉଡା ଘର ଛାଡିଦେଲି । କମ୍ପାନୀ ତରଫରୁ ମୋତେ ଗୋଟେ ଟୁଆର୍‌ କ୍ଵାର୍ଟର ମିଳିଛି । ଏ କ୍ଵାର୍ଟର ମୋ ପାଇଁ ଅତ୍ୟନ୍ତ ଶୁଭ ଆରାଧ୍ୟା । ଆସୁ ଆସୁ ଭଗବାନ ଏତେ ଶୁଭ ଆଉ ବଡ ଖବରଟେ ଶୁଣାଇଲେ । ତମେ ସବୁ ବୁଲି ଆସିବ ଏ କ୍ଵାର୍ଟରକୁ । ତମମାନଙ୍କୁ ଛାଡିଦେଲେ ମୋର ବା ଆଉ କିଏ ଅଛି ?

“ ଯିବୁ ଅପା, ନିଶ୍ଚୟ ଯିବୁ । ଆଚ୍ଛା ବାଏ ! ”

କ୍ଵାର୍ଟରରେ ପାଦ ଦେଉଦେଉ ଏତେବଡ ଖୁସୀ ଖବର ନିଶ୍ଚୟ ଏକ୍ଵାର୍ଟର ମୋ ପାଇଁ ଲକି ସାବ୍ୟସ୍ତ ହେବ । କଣ ବା ଅନାଗତ ସୁଫଳ ଆଉ ମିଳିପାରେ ? ଶୋଭନଙ୍କ ସହ ଦେଖା ହୋଇ ଯିବକି ? ଶୋଭନ କ’ଣ ତା ଜୀବନ ଭିତରକୁ ପଶି ଆସି ପାରନ୍ତେ ନି ? ପୂର୍ବ ଭଳି ଥିବେ ନା ବାହାସାହା ହୋଇ ପତି, ବାପା ହୋଇ ସାରିବେଣି ! ନା ପୂର୍ବପରି ବନ୍ଧୁ, ପ୍ରେମିକ ବିଶ୍ଵାସୀ ଆଉ ଆତ୍ମାର ମଣିଷ ହୋଇ ରହିଛନ୍ତି ସାରା ଜୀବନକୁ ? ଜୀବନର ପ୍ରତିଟି ଚଲା ପଥରେ ନିଶ୍ଵାସ ପ୍ରଶ୍ଵାସରେ କେବଳ ପବନ ହୋଇ ଶୋଭନ ହିଁ ଆତଯାତ ହେଉଛନ୍ତି । ସାକ୍ଷାତ ରେ, ଦୃଶ୍ୟରେ, ଅଦୃଶ୍ୟମାନରେ ଥିଲେ ବି ପୂର୍ଣ୍ଣପ୍ରାଣରେ ତାଙ୍କୁ ତ ଧରି ଏଯାଏ ଚାଲି ଆସିଛି ଏତେବାଟ । ଆଗକୁ ବି ଚାଲିବି ।

ଶୋଭନ, ତମେ ଯେଉଁଠି ଥାଅ, ଯେମିତି ଅବସ୍ଥାରେ ଥାଅ, ମୋ ପାଇଁ ମୋର ହୋଇଥାଅ । ଏତିକି ଖାଲି ଏଜନ୍ଜ ପାଇଁ ନୁହେଁ ସବୁ ଜନ୍ମକୁ, ଯୁଗ ଯୁଗକୁ ମୋର ହୋଇ ରହିବ । ଏ ମୋର ବିଶ୍ଵାସ । ଶୋଭନ ଡିଅର, ମାଇଁ ଲଭ, ମାଇଁ ଲାଇଫ୍‌ ଭଲରେ ଥାଅ । ଖୁବ୍‌ ଭଲରେ ।

ଘଣ୍ଟାର ବେଲ୍‌ ସୂଚାଇ ଦେଲା ସକାଳ ସାତଟା ହେଲାଣି । ତର ତରରେ ନିଜ ନିତ୍ୟକର୍ମ ସାରି ରୋଷେଇ ବସେଇଲା । ଖାଲି ଭାତ, ଡାଲମା, ଅଣ୍ଡାଫ୍ରାଏ ବାସ୍‌ । ଆଉକିଛି ପାଇଁ ବେଳ ହେବ ନାହିଁ ।

କାମ ଆଉ ରୋଷେଇ ଭିତରେ ବିପ୍ଳବକୁ ଫୋନ କରି ଜଣାଇଦେଲା ବିଦ୍ୟା । “ ଆରାଧ୍ୟାର ପୁଅ ହୋଇଛି । ଏଥରେ ବହୁତ ଖୁସୀ । କେବେ ଆସୁଛି ଯେ ?”

ଖାଲି ସେପଟୁ ବିପ୍ଳବ ହସୁଥିଲା । ଯା ହେଉ, ବିଦ୍ୟା ଖୁସୀ ଅଛି । ବିଦ୍ୟା ଚାକିରୀଟି ପାଇଲା ପରେ ତାର ଅନେକ ପରିବର୍ତନ ହେଲାଣି । ବାହାର ପରିବେଶରେ ରହିଲା। ନିଜେ ଅନେକ କାମ କରିପାରୁଛି ବୋଲି ନିଜର ଆତ୍ମ ବିଶ୍ୱାସକୁ ଫେରିପାଇଲା । ଚାକିରୀ କରିନଥିଲେ ସେହି ଘରର ଚାରିକାନ୍ଥ ଭିତରେ ବାପା ମାଆଙ୍କ ସାଥିରେ ଗୋଟେ ଉଦାସ ଜୀବନ କଟାଉଥାନ୍ତା । ସାହି ପଡିଶାଙ୍କର ଟୀକ୍କା ଟୀପ୍‌ପଣୀ ଶୁଣୁଥାନ୍ତା । ନୁହେଁକି ?

“ ବିପ୍ଲବ, ତମେ ବନ୍ଧୁ ନୁହେଁ ବନ୍ଧୁଠାରୁ କାହିଁ କେତେଗୁଣ ଉର୍ଦ୍ଧ୍ଵରେ । ସବୁ ତମ ପାଇଁ ସିନା, ସ୍ଵଗତୋକ୍ତି କରୁଥିଲା ନିଜକୁ ନିଜେ ।

ଆଜିକାଲି ବାପା ମାଆଙ୍କର ବିପ୍ଲବଙ୍କ ପ୍ରତି ଆଗାଧ ବିଶ୍ଵାସ । କାହିଁରେ କଣ ଆସ୍ଥା ମଣିଷ ଜନ୍ମ ପାଇଁ ଯଦି କାହାର କିଛି ଉପକାର କି ସାହାଯ୍ୟ ନକରି ପାରିଲ ତା ହେଲେ ତମର ମଣିଷ ଜୀବନର ସାର୍ଥକତା କଣ ? ଠାକୁର ଅନୁକୂଳ ଚନ୍ଦ୍ର କହିଛନ୍ତି ତମର କର୍ମ ହିଁ ଏକମାତ୍ର ପ୍ରାର୍ଥନା । ସୁକର୍ମ ମାଧ୍ୟମରେ ତମର ପ୍ରାର୍ଥନା ଈଶ୍ଵରଙ୍କ ପାଖରେ ପହଞ୍ଚି ଯିବ । ହସିଲା ବିପ୍ଲବ । ନିଜକୁ ଏତେ ବଡ ବୋଲି ଆଜି କାହିକି ଭାବୁଚି ? ଏମିତି କଣ କରିପକେଇଛି କି, ବିଦ୍ୟା କମ୍ପାନୀରେ ଏମ୍‌.ଡି ରଂଜନାର ଦୁର ସଂପର୍କୀୟ ନ ହୋଇ ଥିଲେ ବିଦ୍ୟା ପାଇଁ ଚକିରୀଟା ପାଇବା କଣ ଏତେ ସହଜ ଥାନ୍ତା ? ଏଥିରେ ଅଧିକଟେ କଣ କରି ପକେଇଛି ! ସେ କେବଳ ଯୋଗସୁତ୍ରର ମାଧ୍ୟମ ହୋଇ କାମକଲା । ବିଦ୍ୟାର ଯୋଗ୍ୟତା ଥିଲା ଏବଂ ତାର ଗୋଟେ ଭଲ ସମୟ ବି ଥିଲା । ନଇଲେ ମୁଁ କିଏ ନା ଚାକିରୀ କିଏ ! ବୋଧହୁଏ ଏତିକି ମୋଦ୍ଵାରା ଈଶ୍ଵର କରାଇ ନେଲେ ।
ପଛଆଡୁ ରଂଜନା ଆସି ଧୀରେ କାନ୍ଧରେ ହାତ ରଖିଲା । “ ଫୋନ କାହାର ଥିଲା କି ? ଯା’ପାଇଁ ତା ପରଠୁଁ ଏତେ ଚିନ୍ତାରେ ଠିଆ ହୋଇଚ ? ” ରଂଜନା ପଚାରିଲା ।

“ ବିଦ୍ୟାର ଫୋନ ଥିଲା । ଆରାଧ୍ୟାର ପୁଅଟେ ହୋଇଛି । ସେ ବହୁତ ଖୁସୀ ବୋଲି ଜଣାଉଥଲା । ଏକଥା ମଧ୍ୟ କହୁଥିଲା, ରଂଜନା ର ରୋଗକୁ ଅବହେଳା କରୁନ ତ ? ତା ହେଲେ ଏତେ ଦିନ ହେଲା ନ ଆସି ସେଠି ବସିଗଲ କାହିଁକି ? ତା କ୍ଵାର୍ଟର ଟୁଆର୍‌ ଆଉ ଆମକୁ ଶୋଇବାକୁ ଅସୁବିଧା ହେବ ନାହିଁ ବୋଲି ବି କହୁଥିଲା । ଯା’ ହେଉ ଚାକିରୀ ଖଣ୍ଡକ ତାକୁ କିଛିତ ଆନନ୍ଦ ଦେଉଛି ! ”

“ଆମେ କେବେ ଯିବା ? ‘ ରଂଜନା ପ୍ରଶ୍ନକଲା ।”

“ଡେରିତ ହେଲାଣି । ବିଦ୍ୟାକୁ ଜଣେଇ ଦେଉଛି ଏଇ ଶୁକ୍ରବାର ୧୨ ତାରିଖ ଦିନ ଯିବା । ତେର ଚଉଦ ରହି ପରୀକ୍ଷା ନିରୀକ୍ଷା କରି ଔଷଧ ଧରି ଫେରିବା । ଯଦି ଦୁଇଦିନରେ କାମ ନସରେ, ଆଉ ଦୁଇଦିନ ଛୁଟୀ ନେବା । ତମେ ଦୁଇଚାରି ଖଣ୍ଡ ଲୁଗା, ବ୍ଲାଉଜ୍‌, ଏଠିକାର ପ୍ରେସ୍‌କ୍ରିପସନ ସହ ମେଡିସିନ୍‌ ନେଇ ଥିବ । ତମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ମୋର ‘ ପ୍ୟାଣ୍ଟସାର୍ଟ ଦୁଇହଳ ହେଲେ ଚଳିଯିବ । ବେଶୀ ଜିନିଷ ପ୍ୟାକ୍‌ କରିବ ନାହିଁ । ଶୁକ୍ରବାର ମୁଁ ହାପ୍‌ ଅଫିସ୍‌ କରି ଲଞ୍ଚ ପାଇଁ ଆସି ଖାଇ ବାହାରି ପଡିବା ।”

ରଂଜନା ଭାବୁଥିଲା ଦେଇ ଖରାପ ବୋଲି କଣ ସେ ବିଛଣା ଲଗା ହୋଇଛି ? କଷ୍ଟ ପଡିଲେ ବି ପୁଣି ଘର ଗୋଟାକର କାମ କରୁଛି କି ନାହିଁ ? ତେଣୁ ତାରି ଭିତରେ ବିଦ୍ୟାପାଇଁ କିଛି କାକରା ଆଉ ପୋଡ ପିଠାଟେ କରିନେବି । ଘର ଜିନିଷ ବାହାରେ ମିଳିବ କାହୁଁ । ନିଶ୍ଚେ ବିଦ୍ୟା ପିଠାପଣା ଦେଖିଲେ ଖୁସୀ ହୋଇଯିବ । ସେଥିରେ ଆନନ୍ଦ ଅପେକ୍ଷା ଆପଣା ପଣଟା ବେଶୀ ଥାଏ ।

ନିଜ ନିଜର କାର୍ଯ୍ୟରେ ଲାଗିଗଲେ ସ୍ଵାମୀ ସ୍ତ୍ରୀ । ବିପ୍ଲବ ଅଫିସ୍‌ କାମରେ ଢେଙ୍କାନାଳ ଜିଲ୍ଲାର ଅଭ୍ୟନ୍ତର ଅଞ୍ଚଳର ବ୍ଲକ ଅଫିସ୍‌ ଯିବ ବୋଲି ଅଫିସ୍‌ରୁ ନିର୍ଦ୍ଦେଶ ପାଇଲା । ଜିପ୍‌ ସହ ଡ୍ରାଇଭର ଓ ଆଉଜଣେ ସହକର୍ମୀ ସୁଧାକର ବାବୁ ତାଙ୍କ ସାଂଗରେ ଯିବେ । ଗୋଟିଏ ଦିନ ରହଣୀ ପରେ ତାପର ଦିନ ସକାଳ ଓଳି କାମ ସାରି ଅପରାହ୍ନରେ ଅନୁଗୁଳରେ ପହଞ୍ଚିବେ । ଭଲ ଲାଗୁ ନଥାଏ । ତଥାପି ଯିବାକୁ ତ ହେବ । ଟୁର୍‌ କାର୍ଯ୍ୟରୁ ଫେରିଲେ ତାଙ୍କୁ ଯେ ଦୁଇଦିନ ସହଜରେ ଛୁଟୀ ମିଳିଯିବ, ଏ ଆଶା ବିପ୍ଲବ ରଖିଥିଲେ ।

ଜିପ୍‌ ଚାଲିଥାଏ । ପାହାଡିଆ ଏରିଆ ମଝିରେ ପିଚୁର ସଡକ କିଛି କିଲୋମିଟର ଗାଡି ଚାଲିଗଲା ପରେ ଜଂଗଲ ରାସ୍ତାଟି ବିଶେଷ ପ୍ରଶସ୍ତ ନୁହେଁ । ଆଗପଟୁ ବଡ ଗାଡିଟେ ମାଡି ଆସିଲେ ଏ ପାଖ ଗାଡି ଅଟକି ସାଇଡ୍‌ ଦେବାକୁ ପଡେ । ରାସ୍ତା କଡ ସାରା ବଡ ବଡ ଗଛ । ଜଂଗଲ ମଧ୍ୟ ଦେଇ ରାସ୍ତାଟି ଅଙ୍କେଇ ବଙ୍କେଇ ଆଗକୁ ପଡିଛି । କିଛି ଦୂର ଗଲା ପରେ ଛୋଟ ଛୋଟ ପାହାଡ ପଡିଲା । ପାଦ ଦେଶରେ ଧାନକ୍ଷେତ । ଫସଲ କଟା ସରିଥିବା କ୍ଷେତ । ଯିବା’ ବାଟରେ ବସ୍ତିର୍ଣ୍ଣ ବାଦାମ ଚାଷ । ସିରି ସିରି ପବନ ଛାଇ ମିଶା ଝାପ୍‌ସା ଝାପ୍‌ସା ଖରା । ତାରି ଭିଡରେ ଡ୍ରାଇଭର ବ୍ରେକ୍‌ ଦେଲା ଗଦିଆଁ ବ୍ଲକ କାର୍ଯ୍ୟାଳୟ ଆଗରେ । ଧ୍ୟାନ ଭାଙ୍ଗି ଗଲା ପ୍ରକୃତିର ଦୃଶ୍ୟରୁ । ଓହ୍ଲେଇ ପଡିଲେ, ବିପ୍ଲବ ଆଉ ସୁଧାକର ବାବୁ ।

ଅଫିସ୍‌ ଭିତରେ ପଶିଲେ ନିଜ ପରିଚୟ ଦେବା ପୂର୍ବରୁ ବି.ଡି.ଓଙ୍କୁ ଚିଠି ହୋଇ ଥିବାରୁ ସେ ସଚେତନ ଥିଲେ । ଜଳଖିଆ ଓ ଚାପାନର ସାମାନ୍ୟ ସମୟ ନେଇ ଆମେ ଆମ କାମରେ ଲାଗିଗଲୁ । ବିଡିଓ ଓ ତାଙ୍କର ସହକର୍ମୀମାନେ ଚାହିଁଲାକ୍ଷଣି ଆବଶ୍ୟକିୟ ପେପର ଆଉ ଫାଇଲ ଯୋଗାଇ ଦେଉ ଥିଲେ । ଅପରାହ୍ନ ଦୁଇଟାରେ ଲଞ୍ଚ ନେଇ ପୁଣି କାମ ଚାଲିଲା ଅପରାହ୍ନ ଚାରିଟା । ଲାଗିଲା ଆଉ ଗୋଟେ ଜାଗାରେ ବସି ହେବନି । ଅଗତ୍ୟା କାଗଜ ପତ୍ର ରଖା ରଖି କରି ଦେଲୁ।

ଦିନ ସାରା କାର୍ଯ୍ୟଭାର ରେ ଭାରାକ୍ରାନ୍ତ ହୋଇ ବିପ୍ଲବ କହିଲେ, “ ଚାଲିଲ ସୁଧାକର ବାବୁ ଏଇ ଆଖପାଖରେ ଚାଲି ବୁଲି ଆସିବା ।’ ଦୁହେଁ ଚାଲିଲେ । କିଛିବାଟ ଗଲା ଭିତରେ ଅଫିସ କଥା ବିଡିଓଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଉପରେ ପ୍ରଂଶସା କରୁଥାନ୍ତି ସୁଧାକର ବାବୁ । ବିପ୍ଳବ କିନ୍ତୁ କିଛି ଦେଖିବା ଓ ବୁଲିବାକୁ ପ୍ରାଥମିକତା ଦେଇଥବାରୁ ସେ ଶୁଣି ନଶୁଣିଲା ଭଳି ଚାଲୁଥିଲା । ବାଟରେ ଯାଉ ଯାଉ ଆଶ୍ରମ ପରି ଦିଶୁଥିବା ସୁନ୍ଦର ସୁଦୃଶ୍ୟ ଘରଟା । କଞ୍ଚାବାଡ ଘେରା ଓ ସାମ୍ବାରେ ପ୍ରବେଶ କରିବା ପଥରେ ବାଉଁଶ ବତାରେ ନିର୍ମିତ ଧଡା ବା ଫାଟକ ତାକୁ କୁହାଯାଇପାରିବ, ଲାଗିଥାଏ ।

ବିପ୍ଳବ ସୁଧାକର ବାବୁଙ୍କୁ କହିଲା, “ ଚାଲନ୍ତୁ ସେ ଆଶ୍ରମ ପରି ଦିଶୁଥୁବା ଘର ଆଡେ । ବୋଧେ କେହି ସାଧୁସନ୍ଥ କି ବାବା ମାତା ରହୁଥିବେ ଦେଖିବା ।”

ଦୁହେଁ ଭିତରକୁ ଗଲେ । ପରିବେଶ ଶାନ୍ତ ଓ ଚତୁପାର୍ଶ ଭାରି ପରିଷ୍କାର ଘର ଚାରିପାଖରେ କେବଳ ସୁନ୍ଦର ଫୁଲ ଗଛ । ନାନା ଜାତିର ଫୁଲରେ ଭର୍ଭି । ଘର ପଛ ପାଖ ଜମିରେ ଲେମ୍ବୁ, ପିଜୁଳି, ଆମ, ଆଉ ପଣସ, ବେଦନା ପରି ଫଳ ଗଛ । ଛୋଟ ଗୋଟେ ପରିବା ବିଗିଚା ଘର ଡାହାଣ ପାର୍ଶ୍ଵକୁ । ଶାଗ, ବାଇଗଣ, ଭେଣ୍ଡି, କଲରା, ଟମାଟୋ, କଞ୍ଚାଲଙ୍କା ଭିଥିବା ଗଛ । ଲଙ୍କା କୋଳି ପରି ଗୋଲଗୋଲ । ବୋଧହୁଏ ଭିନ୍ନ ପ୍ରଜାତିର ଲଙ୍କା ଗୁଡିକ ପାଚି ଲାଲ୍‌ ଦିଶି ସୁନ୍ଦର କୋଳିର ଭ୍ରମ ସୃଷ୍ଟି କରୁଥିଲା । କାକୁଡି ମଧ୍ୟ ଓହଳି ଥିଲା ମଞ୍ଚାରେ । ଏଠି କଣ କେହି କିଛି ଖାଆନ୍ତି ନାହିଁ ? ପନିପରିବା ତୋଳି ନାହାଁନ୍ତି । ଏଠାକୁ ମାଙ୍କଡ ଆଦୌ ଆସନ୍ତି ନାହିଁ ? ସୁଧାକର ବାବୁଙ୍କୁ ବିପ୍ଲବ କହି ହସୁଥିଲେ । ଆଶ୍ରମ ପରି ଦିଶୁଥୁବା ପରିସର ଛାଡି ପ୍ରାୟ ଦୁଇଡିସ୍‌ ସିଲ୍‌ ଭଳି ଜାଗାରେ କଦଳୀ ଗଛ । ଦୁଇଚାରି କାନ୍ଦି କଦଳୀ ଅଛି ଗଛରେ ଅପରିପକ୍ଵ ଅବସ୍ଥାରେ ।

ଏସବୁର ବିଶ୍ଵକର୍ମା କିଏବୋଲି ମନରେ କୌତୁହଳ ଥିଲେ ହେଁ ଆଠଦଶ ବର୍ଷର ଚାରି ଆଠଟି ପିଲା ଛଡା ଆଉ କେହି ଦେଖାଯାଉ ନଥାନ୍ତି । ସଂଜ ଅନ୍ଧାର ହୋଇ ଆସିଲାଣି । ସୁଧାକର ବାବୁ ଫେରିବାକୁ ତରତର । ଆକାଶରେ ଘୋଡେଇ ହୋଇଗଲେଣି ମେଘର ଆଟୋପ । ଯେମିତି ଜୈତ୍ରପତାକା ଧରି ବିଜୟ ଅଭିଯାନରେ ବାହାରିଛି । ବର୍ଷବଇ ବର୍ଷିବ । ତା ସାଂଗକୁ ପବନ ବଢିଲାଣି ।

ଗୋଟେ ଦଶବର୍ଷ ଭଳି ପିଲାଟିକୁ ଡାକି ପଚାରିଲା ବିପ୍ଲବ, “ ଏ ଆଶ୍ରମର ବାବା କିଏ ? କାହିଁ ଦେଖିଲୁ ନାହିଁତ ଆମ ସାଂଗରେ ଦେଖା କରାଇ ଦେବ ?’

ପିଲାଟି ନମସ୍କାର ହୋଇ କହିଲା, “ ଇଏ ଆଶ୍ରମ ନୁହେଁ । ଏଠି କେହି ସାଧୁ କି ବାବା ନାହାଁନ୍ତି । ରୁକ୍ମଣୀ ମା ରାନ୍ଧିବାପାଇଁ, ସଦାନନ୍ଦ ଓ ହରି ଦାଦା ବାଡି ବଗିଚା, କାମ କରିବା ପାଇଁ ଅଛନ୍ତି । ଶୋଭନ ବାପା ଅଛନ୍ତି ।”

-“କେଉଁ ଶୋଭନ ବାପା ? ଶୋଭନ ଦାସ ନୁହଁନ୍ତି ତ ?”

ନିଜ ଭିତରେ ଉଦ୍‌ବିଗ୍ନତାକୁ ଚପାଇ ପୁଣି ବିପ୍ଲବ କହିଲେ ତମ ଶୋଭନ ବାପାଙ୍କୁ କୁହ, ଆମକୁ ମାତ୍ର ଗୋଟେ ମିନିଟ୍‌ ପାଇଁ ଦେଖା କରନ୍ତେ ନାହିଁ ? ଭାରିଜରୁରୀ । ”

ପିଲାଟି ଦୌଡିଗଲା ଗୋଟେ ଘର ଭିତରକୁ । ଟ୍ରାଉଜର ଗଞ୍ଜଟିଏ ପିନ୍ଧି, ଫ୍ରେଞ୍ଚକଟ ଦାଢି ରଖିଥିବା ସୌମ୍ୟକାନ୍ତ ଯୁବକ ଜଣେ ତାଙ୍କ ସାମ୍‌ନାରେ ଠିଆ ହୋଇ ପ୍ରଥମେ ତାଙ୍କ ତରଫରୁ ହାତଯୋଡି ଦେଲେ ।

ବିପ୍ଲବ ପାଦତଳୁ ମାଟି ଧସି ଯାଉଥିଲା । ସେ ନିଜର ମାନସିକ ଅସ୍ଥିରତାକୁ ନିୟନ୍ତ୍ରଣରେ ରଖି ଶାନ୍ତ ସ୍ଵରରେ ପ୍ରତି ନମସ୍କାର ଜଣାଇ ନିଜର ପରିଚୟ ଦେଲେ, ‘ ମୁଁ ବିପ୍ଳବ ସାମନ୍ତରାୟ ।’ ବିପ୍ଲବ ଲକ୍ଷ୍ୟ କରୁଥିଲେ ଶୋଭନ ଅସମ୍ଭବ ଭାବରେ ଅସ୍ଥିର ଆଉ ବିଚଳିତ ହୋଇ ପଡୁଥିଲେ । ତାଙ୍କ ମୁହଁ ରକ୍ତହୀନ ପରି ଶେଥା ଦେଖାଗଲା । ତଥାପି ନିଜକୁ ନିୟନ୍ତ୍ରଣରେ ତଥା ଗୋପନ ରଖି କହିଲେ, ମୁଁ ଠିକ୍‌ରେ ଜାଣିପାରୁନାହିଁ ।”

– “ ଆରେ ଶୋଭନ୍‌, ମୁଁ ବିପ୍ଲବ । ତମ କ୍ଲାସମେଟ୍‌ । କଲେଜ ବେଳକଥା ମନରେପକା । ଏକା କଲେଜରେ ଏକା କ୍ଲାସରେ ତିନିବର୍ଷ ଯାଏ ପଢିଲେ । ବିଦ୍ୟା ? ବିଦ୍ୟା ମନରେ ନାହିଁ ?

ବିଦ୍ୟା ତମକୁ ତା ପ୍ରାଣଠୁ ଅଧିକ ଭଲପାଉଥିଲା । ଆଉ ତମେ ବି ତାକୁ କାହିଁ କେତେ ଗୁଣରେ ଅଧିକ ଭଲ ପାଉଥିଲ । ସତରେ କଣ ଏ ସବୁକୁ ମନରୁ ପୋଛି ଦେଇଛ ? ପୋଛି ପାରିଛ ? କଣ ପାଇଁ ଏ ଅଜ୍ଞାତ ବନବାସ ଶୋଭନ ? ବିଦ୍ୟା ସେମିତି ଅପେକ୍ଷା କରିଛି । ଦିନଦିନ, ମାସମାସ, ବର୍ଷବର୍ଷ କେବଳ ଲୁହ ପିଇ ଅପେକ୍ଷା କରିଛି ।

ଶବରୀ ପରି କେଉଁଦିନ ତା ପ୍ରଭୁ ରାମଚନ୍ଦ୍ରଙ୍କୁ ସେ ଥରେ ଦେଖିବ ! ତାର ସବୁ କଥା ଶେଷରେ ସେହି ଆରମ୍ଭର କଥା, “ ତମେ ବିପ୍ଳବ, ମୋର ବହୁତ ଉପକାର କରିଛ । ମୋତେ ଥରେ ଶୋଭନଙ୍କ ସହ ଦେଖା କରେଇ ଦିଅ, ମୁଁ ଜୀବନ ଯାକ କୃତଜ୍ଞ ହୋଇ ରହିବି ।” ସେ ବି ଝୁରୁଛି । ସମସ୍ତ ଦୁର୍ଭାବନାକୁ ଲାଘବ କରିବା ପାଇଁ ସେ ଚାକିରୀ ଟିଏ କରିଛି । ଶାନ୍ତିରେ ହେଲେବି ଟିକେ ସ୍ଵାଧୀନ ଭାବରେ ସ୍ଵଉପାର୍ଜନରେ ଚଳୁଛି । ବିଶ୍ଵନାଥ ମଉସାଙ୍କର ଜିଦ୍‌ ଆଉ ବୃଥା ଅହଙ୍କାରର ଫଳ ତମ ଦୁହିଙ୍କୁ ଭୋଗିବାକୁ ହେଲା । ସବୁଠିକ୍‌ ହୋଇଯିବ ଶୋଭନ୍‌ । ଏଣିକି ମୁଁ ସବୁ ଠିକ୍‌ କରିଦେବି । ତମ ଦୁହିଙ୍କ ମୁହଁରେ ହସ ଦେଖୁବି ଶୋଭନ । ଖାଲି ଟିକେ ହସ । ଏଥର ମୁଁ ଆସେ ?”

ଶୋଭନ ସ୍ଥାଣୁ ପରି ଛିଡା ହୋଇଥିଲେ । ପାଟିରୁ ବାକ୍ୟ ସ୍ଫୁରୁ ନଥିଲା । ବିଦ୍ୟା କଣ ତା ବିବାହତ ଜୀବନ କାଟିଲା ନାହିଁ ? ନା ତା ସ୍ଵାମୀର ଅନୁମତି ନେଇ ଚାକିରୀ କରିଛି ? ମନ ଭିତରେ ଏଭଳି ସହସ୍ର ପ୍ରଶ୍ନ ଉଙ୍କି ମାରୁଥିଲେ ବି କିଛି ପଚାରିଲା ନାହିଁ ।

ବିପ୍ଲବ ଶୋଭନର ବାହା ଦୁଇଟାକୁ ଧରି ଜୋର୍‌ରେ ହଲାଇ ଦେଲେ । ଶୋଭନ୍‌, ମୁଁ ଜାଣେ ତମ ଭିତର ଟା କେତେ ଅଶାନ୍ତ । ବିଚଳିତ ତମେ । ସ୍ଵାଭାବିକ ଅବସ୍ଥାକୁ ଫେରି ଆସ ଶୋଭନ । ବି ବ୍ରେଭ୍‌ । ମୁଁ ଆସନ୍ତା କାଲି ଅପରାହ୍ନରେ ବ୍ଲକ ଅଫିସ୍‌ର କାମ ସାରି ପୁଣି ତମ ପାଖକୁ ଆସିବି । କଥା ଢେର୍‌ ହେବା । ବିଚାରୀ ବିଦ୍ୟା ମରୁମରୁ ବଞ୍ଚିଯିବ । ଆଚ୍ଛା ମୁଁ ଆସୁଛି । ପୁଣି କାଲି ଆସିବି ।”

ରାତିସାରା ଶୋଇ ପାରିଲା ନାହିଁ ବିପ୍ଲବ । ଆଶ୍ରମ ନୁହେଁ, ଆଶ୍ରମପରି । ସାଧୁ କି ବାବା ନୁହେଁ । ଏ ଶୋଭନ ବାପାଙ୍କ ବିଦ୍ୟାଳୟ । ବିଦ୍ୟାଳୟମାନେ ବିଦ୍ୟାର ଘର ଇଏ ? ତା ହେଲେ ଶୋଭନ ବି ବିଦ୍ୟାନାମରେ ବଞ୍ଚିବାକୁ ଚେଷ୍ଟା କରୁଛି ।

ସେ ଫୋନ ଲଗାଇଲା ପ୍ରଥମେ ରଂଜନାକୁ । ସବୁ କହିଲା ଶୋଭନ ସହ ସାକ୍ଷାତ, ତାଙ୍କରଘର ଯାହା ଆଶ୍ରମଠାରୁ କୌଣସି ଗୁଣରେ କମ୍‌ ନୁହେଁ । ସବୁକଥା କହି ସାରି କହିଲେ ଏଥର ବିଦ୍ୟାରପାଳି । ବିଦ୍ୟାକୁ ଫୋନ କରିବି ? ଫୋନ କଲେ । ମାତ୍ର ସର୍ତ୍ତ ରଖିଲେ ବିପ୍ଲବ ।

“ବିଦ୍ୟା ତମକୁ ଏମିତି ଗୋଟେ ଭଲ ଖବର ଦେବି, ଯାହା ତମେ କେବେ କଳ୍ପନା ବି କରିନଥିବ । ଗେସ୍‌ କର କଣ ହୋଇପାରେ ।”

ବିଚଳିତ ହୋଇ ପଡିଲା ବିଦ୍ୟା । କଣ ହୋଇପାରେ ଖୁସୀର ସମ୍ବାଦ ?

– “ ତମେ କୁହ ବିପ୍ଲବ ! ମୋ ଶ୍ଵାସ ରୋକି ଯିବାପରି ଅବସ୍ଥା ମୋର । ତମେ କହିଦିଅ କାରଣ ମୁଁ ଯାହା ଗେସ୍‌ କରିବି ତାହା କେବେ ହୋଇନଥିବ କି ହେବା ସମ୍ଭବ ନୁହେଁ ଆଉ ମୋ ଜୀବନରେ । ତେବେ ତା ଭିନ୍ନ ଆଉ କଣ ଖୁସୀ ଖବର ମୋପାଇଁ ବିପ୍ଳବ ? ତମେ ଆରାଧ୍ୟାର ପୁଅ ହେବା ଖବର କଥା କହୁନତ ? ତମ ପୁଅ ସମ୍ବିତ୍‌ ପଞ୍ଚମ ବୃତି ପାଇଛି କି ? ମୋ ବାପା ମାଆ ପାଖରେ ପହଞ୍ଚି ଯାଇଛନ୍ତି କି ? ଆଉ ତେବେ କଣ କୁହନା ? ମୋତେ ଅପେକ୍ଷା କରାଅନା ବିପ୍ଳବ । ମୋ ହାର୍ଟ ବିଟ୍‌ ବନ୍ଦ ହୋଇଯିବ ।’

– “ ଆରେ, ମୁଁ ତ କହିବାକୁ ଫୋନ ଲଗାଇଛି । ରାଜ୍ୟ ଗୋଟାକ କଥା କହୁଛ । ଆଚ୍ଛା ତମ ପ୍ରଥମ ଗେସ୍‌କଥା କଣ କହୁଥିଲ କୁହ ନା ?

– “ତମେ କଣ ଶୋଭନଙ୍କର ପତା ପାଇଗଲ କି ? ନା ତମର ଦେଖା ହେଲେ ?

– “ ଖାଲି ଶୋଭନଙ୍କ ଖବର କିଛି ପାଇନି । ତାଙ୍କ ରହିବା ସ୍ଥାନକୁ ଆଶ୍ରମ ଭାବି ଯାଇଥିଲି । ଘରଟି ଅନେକାଂଶରେ ଆଶ୍ରମପରି । ନାଅଁ ରଖା ଯାଇଛି ଶୋଭନ ବାପା ବିଦ୍ୟାଳୟ । ସ୍କୁଲ ନୁହେଁ, ସେଠି ସ୍ଵୟଂ ବିଦ୍ୟାମାମ୍‌ ଆଳୟ ଅର୍ଥାତ ଘର । ଦେଖିଲି ବୁଲିଲି । କଥାହେଲି । ହଲୋ, ହଲୋ ବିଦ୍ୟା…… ।”

ସେପଟୁ କିଛି ଉତ୍ତର ନଥିଲା । “ ବିଦ୍ୟାର କଣ ହୋଇଗଲା କି ? ବିଦ୍ୟା, ବିଦ୍ୟା, ଉତ୍ତର ଦିଅ ବିଦ୍ୟା…. । ସୁଧାକର ବାବୁ ଦଉଡି ଆସିଲେ, ବିପ୍ଲବଙ୍କ ପାଖକୁ “ କଣ ହେଲା’ ? ଏତେ ପାଟି କାହିଁକି କରୁଛନ୍ତି ?’ “ବିଦ୍ୟା କିଛି କହୁନାହିଁ କଣ ହେଲା ତାର? ମୁଁ ତାକୁ ଫୋନରେ ଶୋଭନ କଥା କହୁଥିଲି ତ ?”

“ପାଖରେ ଯାଇ ବିଦ୍ୟାମାଡାମ କହିଥିଲେ ଭଲ ହୋଇଥାନ୍ତା । କି ବୁଦ୍ଧି ଆପଣଙ୍କର ! ଏଭଳି ସେ ଇମୋସ୍‌ନାଲ, ଆପଣତ ଜାଣିଥିବେନା ? ଥାଉ, ଏଇନେ ତାଙ୍କୁ ଆଉ ଫୋନ କରନ୍ତୁ ନାହିଁ । ସେ କିଛି ସମୟ ପରେ ସ୍ଵାଭାବିକ ହେବେ । ପରେ କଥା ହେବେ ।” ସୁଧାକର ବାବୁ ପରାମର୍ଶ ଦେଲେ ।
ରାତି ପାହିଲା ସ୍ଵାଭାବିକ ଭଳି । ବିପ୍ଳଲବଙ୍କ ମନ ଲାଗିଥାଏ କେମିତି କାମ ସାରି ଆଉ ଥରେ ସେ ଶୋଭନଙ୍କ ପାଖକୁ ଯିବେ । ଆଜି ସେ କେବଳ ଏକାଯିବେ ଜିପ୍‌ରେ । କାରଣ ତାଙ୍କୁ ଅନେକ କଥା କହିବାର ଅଛି ଓ ଶୋଭନଙ୍କ ଠାରୁ ଶୁଣିବାର ଅଛି । ଆଉ କେହି ଶୁଣନ୍ତୁ ସେ ଚାହାନ୍ତି ନାହିଁ ।
ଏଣେ ଅପେକ୍ଷାକୃତ ସ୍ଵାଭବିକଠାରୁ ଖୁସୀ ଥିଲେ ଶୋଭନ । ବିପ୍ଳବକୁ ଦେଖି ଚେୟାର ଦୁଇଟି ଆଣି ଗଛ ଛାଇରେ ପକେଇ ଗୋଟିଏ ବିପ୍ଳବଙ୍କୁ ଦେଖାଇ, ଅନ୍ୟଟିରେ ସେ ବସିଲେ ।

-“ କଣ କହିବି, କେଉଁଠୁ ଆରମ୍ଭ କରିବି । ଏ ସବୁ ଜାଣିଲେ, କାହାର କଣ ଲାଭ ହେବ । ଯେଉଁ ସମୟ ଚାଲିଗଲା, ସେ ସମୟ କେହି ଫେରିପାଇବେ ନାହିଁ । ବିଦ୍ୟା ମୋ ଜୀବନରୁ ଚାଲିଗଲା ପରେ ମୁଁ ଦିଗହରା ହୋଇଗଲି । ବର୍ଷେ ଖଣ୍ଡ ପାଗଳ ପ୍ରାୟ ନିରୁର୍ଦ୍ଦିଷ୍ଟ ହୋଇଗଲି । ରହିବା, ଖାଇବା, ପିନ୍ଧିବା ଆଦିରେ ଅଯତ୍ନର ମାତ୍ରା ବଢିଗଲା । କିଏ କହିଲା ପାଗଳ, କିଏ କହିଲା ବୈରାଗ୍ୟର ରୋଗ, କେତେ କଣ କହିଲେ । କିଏ କହିଲା ମୁଁ ବାବାଜୀ ହୋଇ ଗଲିଣି । ମୁଁ ପ୍ରକୃତରେ କିଛି ହୋଇନଥୁଲି । କେବଳ ବିଦ୍ୟାର ଅନୁରାଗୀ ନିଜ ଜୀବନକୁ ପଳ ପଳ ନଷ୍ଟ କରୁଥିଲି । ଦିନେ କେଉଁ ଲକ୍ଷଦହୀନ ପଥରେ ଯାଉଥିବା ବେଳେ ଗୋଟେ ସଦ୍ୟଜାତ ଶିଶୁର କାନ୍ଦଣା ଶୁଣି ଅଟକିଲି । ଖୋଜାଖୋଜି କଲି । ନିହାତି ଅପାଂକ୍ତେୟ ଯାଗାରେ ପୁରୁଣା ଛିଣ୍ଡା ଶାଢୀଟିରେ ଗୁଡେଇ ହୋଇ ପଡି କାନ୍ଦୁଚି । ଉଠେଇ ଆଣି ଦେଖିଲି ଝିଅଟିଏ । ତାକୁ ସେଇଟି ଛାଡି ଆଗକୁ ଆସି ପାରିଲି ନାହିଁ । ଆଣିଲି ସତ, କେଉଁଟି ରଖିବି, କେମିତି ପାଳିବି ଭାବିଲି । ଏଇ ସମୟରେ ମୋ ସାନଭାଇ ଜୀବନଠାରୁ ଫୋନ ପାଇଲି । ସବୁ କଥା କହିଲି । ସାନଭାଇ ଆଉ ଭାଇବୋହୁ ସାଧନା ମୋ ପାଖରେ ପହଞ୍ଚି ଝିଅଟିକୁ ତାଙ୍କ ସାଂଗରେ ନେଇଗଲେ । ମାୟା ଲାଗିଲା ଛୁଆଟା ପ୍ରତି । ପ୍ରତି ମାସେ ପନ୍ଦର ଦିନରେ ଯାଇ ଛୁଆଟିକୁ ଦେଖିଦେଇ ଆସେ । ଏ ଜାଗାଟି ବାପା ତାଙ୍କ ଚାକିରୀ ଥିବାବେଳେ ଏଇ ଗଦିଆଁ ବ୍ଲକରେ ଖୁବ୍‌ ଶସ୍ତାରେ କିଣି ଥିଲେ । ସେ ଜାଗାକୁ ଆସି ପୁନଃ ଉଦ୍ଧାର କଲି । ସାତବର୍ଷ ଏ ଫଳଶ୍ରୁତି । ସେ ଝିଅ ଲକ୍ଷ୍ମୀ ବଡ ହୋଇ ଏବେ ଛଅବର୍ଷର ହେଲାଣି । ଏଇନେ ଏଇଠି ଅଛି । ଏ ଯେଉଁ ପିଲାମାନେ, ପାଖ ଗାଆଁର ମୋ ପାଖରେ ପଢନ୍ତି, ଦିନ ତମାମ ରହନ୍ତି । ବାପା ମାଆ ଆସି ସଂଧ୍ୟାରେ ଘରକୁ ନେଇ ଯାଆନ୍ତି । ସକାଳ ଦଶ ଭିତରେ ପୁଣି କୋଳାହଳ । ସତ କହିବାକୁ ଗଲେ ଏଇ ପିଲାମାନଙ୍କ ପାଇଁ ବିଦ୍ୟାଳୟ । ପିଲାଙ୍କ ଅଭିଭାବକ କିଛି ଦେୟ ଦିଅନ୍ତି । ଯାହାର ଯାହା ସାମର୍ଥ୍ୟ । ଜୀବନ ମଝିରେ ମଝିରେ ଟଙ୍କା, ଲକ୍ଷ୍ମୀ ପାଇଁ ଡ୍ରେଶ ପଠାଏ । ଗ୍ରାମବାସୀ ଗୋଟେ ଆଦର୍ଶ ଆଶ୍ରମଭାବି ଚାଉଳ, ଚୂଡା, ମୁଢି, ଫଳଫୁଲ ଦେଇ ଯାଆନ୍ତି ପିଲାଙ୍କ ପାଇଁ ଚଳିଯାଏ । ଋକ୍ମିଣୀ ମାଆ ଅସହାୟଟିଏ ତାର କେହି ନାହିଁ । ଏଠି ସେ ରୋଷେଇ କରେ । ଆମେ ଖାଉ ସେ ଖାଏ । ଅଛି ସେମିତି ।

ଦିନେ ଜୀବନ ଫୋନ କରି କହିଲା, “ ବିଦ୍ୟା ମାଡାମ୍‌ ଆମ ଅଫିସ୍‌ରେ ଜଏନ କରିଛନ୍ତି ।’ ଶୁଣି ବ୍ୟସ୍ତ ଲାଗିଲା । ବିବାହ କରି ଘର ସଂସାର କରିବାକୁ ଯାଉଥିବା ବିଦ୍ୟା ସଂସାର ଛାଡି ପୁଣି ଚାକିରୀ ? ଜୀବନ କହିଲା ନା, ସେ ବିବାହିତ ବେଶରେ ଆସୁନାହାଁନ୍ତି । ଝିଅଟିଏ ପରି ଆସୁଛନ୍ତି । ମୁଁ ଜାଣେନା; ସେ ସାହାଯ୍ୟ କରୁଛି କି ନାହିଁ, ଇଏ ତା ଠାରୁ ସାହାଯ୍ୟ ନେଉଛି କି ନାହିଁ ।

ସାନଭାଇ ଟା, ଇଚ୍ଛା ହେଲେ ବି କିଛି କଥା ପଚାରିବାକୁ ଖରାପ ଲାଗେ ।

– “ ହେ ଭଗବାନ, ତମେ ଶୋଭନ୍‌ ଏଇଠି ଏତେ ପାଖରେ । ଅବିଭକ୍ତ ଢେଙ୍କାନାଳରେ ଗୋଟିଏ ଜିଲ୍ଲାରେ ଆମେ ଅଛନ୍ତି । ଅଥଚ ମୁଁ ଯେ କେବଳ ବିଦ୍ୟାକୁ ଟିକେ ଖୁସୀ ଦେବାପାଇଁ କେତେ ତମକୁ ନ ଖୋଜିଛି ! ସାରା ଓଡିଶାରେ ଥିବା ଆତ୍ମୀୟ ଲୋକମାନଙ୍କ ମାଧ୍ୟମରେ ମୁଁ କେତେ ଆଡେ ତମର ପତ୍ତା ନ ଲଗାଇଛି ! ଅଥଚ ଏତେ ପାଖରେ ଅଛ ତମେ ବିଦ୍ୟା ଫୋନରେ ହେଉ କି ସାକ୍ଷାତରେ ହେଉ ଦେଖା ହେଲାକ୍ଷଣି କିମ୍ବା ମୋ ସ୍ଵର ଶୁଣି ଲାକ୍ଷଣି ତା ଆଖିରେ ସହସ୍ର ପ୍ରଶ୍ନ ଉଙ୍କିମାରେ । “ଶୋଭନଙ୍କ ଖବର କିଛି ପାଇଲା ? ଜୀବନରେ କଣ ଥରୁଟିଏ ତାଙ୍କ ସହ ଆଉ ଭେଟ ହେବ ନାହିଁ ? ବିପ୍ଳବ ସତରେ ତମେ ମୋ ପାଇଁ ଶୋଭନ୍‌ ଙ୍କୁ ଖୋଜୁଛ ନା ? ତମେ କୁହ; ଏଭଳିତାର ଆତୁର ବିକଳ ପ୍ରଶ୍ନରେ ମୁଁ ନା ଛଡା କିଛି ଉତ୍ତର ଦେଇ ନାହିଁ । ସେ ଭାଂଗି ପଡିଛି ମନ ଭିତରେ କାଟଖଣ୍ଡ ପରି ।”

ମନରେ ଖୁସୀ ଖେଳି ଯାଉଥିଲା ବିପ୍ଳବର ଏଠୁ କାଲି ସକାଳୁ ଗଲେ ରଂଜନାକୁ ଧରି ଆଗ ବିଦ୍ୟା ପାଖକୁ ଯିବି । ଡାକ୍ତର ଦେଖାଇ ଫେରିବା ବେଳକୁ ବିଦ୍ୟାକୁ ସାଥିରେ ଆଣିବି । ଭେଟ କରାଇବି ଶୋଭନ୍‌ଙ୍କ ସହ । ତାଙ୍କ ବିଦ୍ୟା ତପୋବନ ସହ । ଯାହା କେବଳ ଅପାଶୋରା ସ୍ମୃତିକୁ ଧରି ଜୀବନ୍ତ ଭାବେ ଦଣ୍ଡାୟମାନ । ବିପ୍ଲବ ରାଜ୍ୟ ଜୟକଲା ଭଳି ଆନନ୍ଦ ଅନୁଭବ କରୁଥଲେ । ବିଦ୍ୟା କେବଳ ଖୁସୀ ହେବନି । ତା ସାଥିରେ ମାଉସୀ ମଉସା, ଆରାଧ୍ୟା, ରାଜ୍‌ ସମସ୍ତେ ଖୁସୀ ହେବେ । ସେ ବିଦ୍ୟାର କେବଳ ବନ୍ଧୁ ହିସାବରେ ଏତିକି କାର୍ଯ୍ୟ ତୁଲାଇ ଦେଲେ ବନ୍ଧୁତ୍ୱ ଶବ୍ଦ ଓ ଅର୍ଥର ମର୍ଯ୍ୟାଦା ବଢିବ । ତା କର୍ତବ୍ୟ କେବଳ ସେ କରୁଛି । ସବୁକାମକୁ ଚଟାପଟ୍‌ ସାରି ଅନୁଗୁଳୁ ବଡିଭୋରୁ ଗଲେ ଅଧା ଅଫିସ୍‌ କରି ଭୁବନେଶ୍ୱର ଯିବ ରଂଜନାକୁ ଧରି ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top