ଅଣୁଗଳ୍ପ

ମହାର୍ଘ ପ୍ରେମ

Priyadarshini Panda's an odia short story Mahaargha Prema

ମୋତେ ବିଶ୍ୱାସ କର, ମୁଁ ତୁମ ସହିତ ପ୍ରତାରଣା ବା ଛଳନା କରୁନାହି । ମୁଁ ତୁମକୁ ଭଲପାଏ । ଖୁବ୍‌ ଭଲପାଏ । ମୁଁ ତୁମକୁ ବିବାହ କରିବାକୁ ଚାହେଁ । ତୁମେ ଶୁଭେନ୍ଦୁ ବାବୁଙ୍କୁ ଡିଭୋର୍ସ ଦେଇଦିଅ ।

ପୂର୍ବରୁ

ଖୁବ୍‌ ଗୋଟେ ଭାରୀ ମନ ଏବଂ ଉଦ୍‌ବେଳିତ ହୃଦୟରେ ଫେରି ଯାଇଥଲେ ବିକ୍ରମ । ମନର ସବୁ ଅଶାନ୍ତି ପରିପ୍ରକାଶ ହେଉଥଲା ଧିକ୍କାରରେ । ନିଜକୁ ବାରମ୍ବାର ଧିକ୍କାରୁ ଥିଲେ ସେ, “ କି ପାଷାଣ୍ତ ବୁଦି କଲି ମମତାଙ୍କୁ ଦୁଃଖର ନଈରୁ ଉଦ୍ଧାର କରିବାପାଇଁ ଭାବୁ ଭାବୁ, ତାଙ୍କୁ ଦୁଃଖର ସାଗରରେ ଡୁବାଇ ଦେଲି ।

ସେଦିନ ମମତାଙ୍କ ଆଖିରୁ କୋଇଲା ଗୁଣ୍ଡ କାଢୁ କାଢୁ ହଠାତ୍‌ କାହିଁକି “ ମନେହେଲା, ଯେଉଁ ଝିଅଟିକୁ ଏତେଦିନ ହେଲା ମୁଁ ମନେ ମନେ ଖୋଜୁଛି, ସେ ଏଇ… ବାସ୍‌, ସେ ଦୁର୍ବଳତା ହୃଦୟରେ ବସା ବାନ୍ଧିଗଲା । ମନକୁ କ’ଣ କମ୍‌ ବୁଝାଇଛି । ମା, କେତେ ସୁନ୍ଦର, ସୁନ୍ଦର ଝିଅମାନଙ୍କର ପ୍ରସ୍ତାବ ଆଣୁଛନ୍ତି, କାହିଁକି କେଜାଣି ଏ ମନଟା ସେମାନଙ୍କ ଠାରେ ଲାଗେନା । ଆଉ ଏ ମନ ଯାହା ପାଖକୁ ଉଡ଼ିଯାଏ, ସେ ବିବାହିତ, ଗୋଟିଏ ସନ୍ତାନର ଜନନୀ । ମନଟା ଖୁବ୍‌ ଅବୁଝା । ଯେତେ ବୁଝାଇଲେ ବୁଝେନା । ସେଇଥିପାଇଁ ସେଦିନ ଏ ଅବୁଝା ମନକୁ ନେଇ ଯାଇଥଲି ସିପ୍ରା ପାଖକୁ । ତା ପାଖରେ କହି ବସିଥିଲି ହୃଦୟର ପ୍ରତିଟି ଗୋପନ ତଥ୍ୟ । ସିପ୍ରା କିନ୍ତୁ ମୋତେ ନିରୁତ୍ସାହିତ କରିବା ପରିବର୍ଭେ ଉତ୍ସାହିତ କରିଥଲା । ବର୍ଣ୍ଣନା କରିଥିଲା ମୋ ଆଗରେ ମମତା ଜୀବନର ବ୍ୟର୍ଥତାର କାହାଣୀ । ଶୁଭେନ୍ଦୁଙ୍କ ଉପେକ୍ଷା ଓ ଅବହେଳାର ଇତିବୃତ୍ତି ।

ତା’ପରେ ଆଉ ଅନୁତାପ କରିବା ଉଚିତ୍‌ ମନେ କରିନଥିଲି । ମୋ ମନ ମନ୍ଦିରରେ ମମତାଙ୍କୁ ହିଁ ଅଧିଷ୍ଠିତ କରାଇ ଦେଇଥିଲି । ମନେମନେ ସଂକଳ୍ପ ନେଇଥିଲି ଭରିଦେବି ମମତାଙ୍କ ଶୂନ୍ୟ ହୃଦୟକୁ ଭଲ ପାଇବାର ହୀରା, ନୀଳାରେ କିନ୍ତୁ ଗୋପନରେ ଅତି ଗୋପନରେ । ଏ ପ୍ରେମର, ଏ ଭଲପାଇବାର ଆଭାସ କେବେହେଲେ ମମତାଙ୍କୁ ଦେବିନାହିଁ । କେବେହେଲେ ପିନ୍ଧାଇବି ନାହିଁ ତାଙ୍କ କପାଳରେ କଳଙ୍କର ଟୀକା । ତେଣୁ କେବେବି ଖୋଲି ନ ଥିଲି ମମତାଙ୍କ ଆଗରେ ହୃଦୟର ଏ ଗୋପନ ପୃଷ୍ଠା ।

ହେଲେ କେମିତି କେଜାଣି ମମତା ପଢ଼ିପାରୁଥିଲେ ମୋ ମନର ଭାଷା । ମୋ ଆଖିରୁ ମୋ ମୁଖରୁ । ସେଇଥପାଇଁ ପରା କୁହନ୍ତି, ମୁଖ ହିଁ ଦର୍ଧଣ । ମୋ ଏ ଗଭୀର ଭଲପାଇବାର ପ୍ରତିଛବି ମୁଁ ଦେଖି ପାରୁଥୁଲି ମମତାଙ୍କ ଭାସା ଭସା ଚକ୍ଷୁର ସରସୀରେ । ନିଜକୁ ରୋକିବାର ଅନେକ ଚେଷ୍ଟା, ଅନେକ ପ୍ରୟାସ କରିଥିଲି ମୁଁ । ହେଲେ ଭଲପାଇବାର ଏ ପ୍ରଖରତାକୁ ରୋକିବାର କୌଣସି ବନ୍ଧ, ବାଡ଼ ମୋ ପାଖରେ ନ ଥଲା । ସେ ବର୍ଷଣ ମୁଖର ସନ୍ଧ୍ୟା ହିଁ ଅଗ୍ନି ସଂଯୋଗ କରିଦେଲା ମୋ ଭିତରେ । ମୋ ପ୍ରେମ ପ୍ରକାଶିତ ହୋଇପଡ଼ିଲା ଖୋଲା ପୁସ୍ତକ ପରି ମମତାଙ୍କ ଆଗରେ । ହେଲେ, ମମତା ପ୍ରଥମେ ସାଦରରେ ଗ୍ରହଣ କରି ପୁଣି ପରମୁହୂର୍ତ୍ତରେ କାହିଁକି ଦୂରେଇଗଲେ ? ସେ କ’ଣ ମୋ ଭିତରେ ଜଣେ ପ୍ରେମମୟ ପ୍ରେମିକକୁ ନ ଦେଖି ଦେଖିଲେ ଏକ ନାରୀ ମାଂସଲୋଭୀ ବ୍ୟାଧ ! !

ନା…ନା… ମୋତେ ମମତାଙ୍କ ମନରୁ ଏ ‘ ଭୁଲ୍‌ ବୁଝାମଣା ଦୂରେଇ ଦେବାକୁ ପଡ଼ିବ । ମୋର ତାଙ୍କ ସହିତ ଦେଖା କରିବା ନିହାତି ପ୍ରୟୋଜନ । ମୋତେ ଯାଇ ବୁଝାଇ ଦେବାକୁ ପଡ଼ିବ ଯେ, ମମତା, ମୁଁ ତୁମକୁ ବିନ୍ଦୁଏ ମଧ୍ୟ ଦୁଃଖ ଦେବାକୁ ଚାହେଁନାହିଁ । ମୁଁ ତ ତୁମକୁ ସ୍ନେହ, ମମତା ଆଉ ଭଲପାଇବାର ସିନ୍ଧୁରେ ଡୁବାଇ ଦେବାକୁ ଚାହେଁ ।

ମୋତେ କେବଳ ଥରେ ସୁଯୋଗ ଦିଅ… ।

ସନ୍ଧ୍ୟାବେଳେ ମମତାଙ୍କ ବାବା ଓ ମା ଆସିଥିଲେ । ଜ୍ୱର ସମ୍ପୂର୍ଣ୍ଣ ଛାଡ଼ି ଯାଇଥିଲା । ଦୁଇଖଣ୍ଡ ପାଉଁରୁଟୀ ଓ ଟିକେ କ୍ଷୀର ଖାଇଥିଲେ ମମତା । ତାଙ୍କ ବାବା ଆସି ପାଖରେ ବସିଲେ । ଜ୍ଵର ଓ ନାଡ଼ି ଦେଖୁଥିବା ବେଳେ ତାଙ୍କ ମା” କହିଲେ, “ତୁ ତ ଖୁବ୍‌ ଦୁର୍ବଳ ହୋଇପଡ଼ିଛୁ । ଗୋଟେ ମାସ ଛୁଟି ନେଇଯା । ୟା ଭିତରେ ତୋ ଦେହ ସୁସ୍ଥ ହୋଇଯିବ ଆଉ ତୋ ବାବା ଚେଷ୍ଟା କରି ତୋ ବଦଳି କଟକକୁ କରାଇଦେବେ । ମମତା ନିଜେ ମଧ୍ୟ ଛୁଟି ନେବାପାଇଁ ଭାବୁଥିଲେ । କେମିତି ସେ ବିକ୍ରମଙ୍କ ସାମ୍ନା କରିବେ । ନିଜ ଦୃଷ୍ଟିରେ ଯେ ସେ ଛୋଟ ହୋଇଯାଇଛନ୍ତି ।

ବିକ୍ରମ, ମମତାଙ୍କ ସାମ୍ନା କରିବାପାଇଁ ନିଜକୁ ପ୍ରସ୍ତୁତ କରିନେଇଥୁଲେ । ପ୍ରତିଦିନ ମମତାଙ୍କ ଘରକୁ ଯାଉଥଲେ । ଦୁଇବେଳା ଯିବା ଆରମ୍ଭ କରିଦେଲେ ମଧ୍ୟ । ପ୍ରତିଥର ଗୋଲାପ ଫୁଲର ତୋଡ଼ା ଧରି ଆସନ୍ତି କିନ୍ତୁ ଦେଖା ଦିଅନ୍ତିନି ମମତା । ପ୍ରତିଥର ଫେରିଯାନ୍ତି ଆୟା ହାତରୁ ଚା ବା କଫି ଖାଇ । ଝରକା ଫାଙ୍କରୁ, ପର୍ଦ୍ଦା ଉହାଡ଼ରୁ ଲୁଚି ଲୁଚି ଦେଖନ୍ତି ମମତା ବିକ୍ରମଙ୍କର ଶୁଖିଲା ମୁହଁ, ମଳିନ ବେଶ । ଚେହେରା କ’ଣ ହେଲାଣି । ଓ, ତେବେ ସେ ଏକ ଜଳୁନି । ଜ୍ଵଳନର ତାପରେ ବିକ୍ରମ ମଧ୍ୟ ଅର୍ଦଦଗ୍ଧ । କ’ଣ କରିବେ ମମତା ? ନିଜକୁ ନିଜେ ପ୍ରଶ୍ନ କରନ୍ତି । ସମାଧାନର ସୂତ୍ରଟିଏ ବାହାର କରିବାପାଇଁ, ସବୁ ଦ୍ଵନ୍ଦର ଅବସାନ ଘଟାଇବା ପାଇଁ ସେ ତ ଏ କୋଡ଼ିଏ ଦିନ ହେଲା ଚିନ୍ତା କରୁଛନ୍ତି । କିନ୍ତୁ ସମାଧାନର ସୂତ୍ର ଯେ ପାଉନାହାନ୍ତି ।

ସେଦିନ ଆୟା ଚାଲିଯାଇଥାଏ । ଶୁଭେନ୍ଦୁ ଫେରି ନଥାନ୍ତି କ୍ଳବ୍‌ରୁ । ମାତାଲ୍‌ ହୋଇ ଫେରିବା ପାଇଁ ରାତି ଗୋଟାଏରୁ କମ୍‌ ହୁଏନା । ଏକା, ଏକା ମାଗାଜିନ୍‌ ଖଣ୍ଡେ ଧରି ବସିଥାନ୍ତି ମମତା । ଜୀବନ ଆଜି ତାଙ୍କୁ ଏମିତି ଏକ ଦୋଛକିରେ ଠିଆ କରେଇ ଦେଇଛି ଯେ, ସେ ନିଜ ପଥ ସ୍ଥିର କରିପାରୁ ନାହାନ୍ତି । ହଠାତ୍‌ କଲିଂବେଲ୍‌ଟା ବାଜି ଉଠିଲା । ଚାକର ପିଲାଟା କବାଟ ଖୋଲିଲା । “ ନା ବାବୁ ନା, ମା’ଙ୍କ ଦେହ ଭଲନାହିଁ । ସେ କାହା ସହିତ ଦେଖା କରିପାରିବେ ନାହିଁ”, କହୁଥାଏ ଚାକର ପିଲା କିନ୍ତୁ ତା କଥାକୁ ନଶୁଣି ଘର ଭିତରକୁ ଦଲକାଏ ପବନ ପରି ପଶିଆସିଲେ ବିକ୍ରମ । ମମତା ଚମକି ଚାହିଁଲେ । ଏ କ’ଣ ? ବିକ୍ରମଙ୍କ ଚେହେରା ଏମିତି କ’ଣ ହୋଇଛି ? ମୁହଁ ସାରା ଦାଢ଼ି ଭର୍ତ୍ତି ଆଖି ତଳେ କଳା ଦାଗ । ଦେହ ମଧ୍ୟ କିଛିଟା ଦୁର୍ବଳ ହୋଇ ଯାଇଥଲା ପରି ଲାଗୁଛି । ବିକ୍ରମ ତାଙ୍କ ପାଖକୁ ଚାଲିଆସିଲେ । ହାତ ଦେଖାଇ ମମତା ଚାକର ପିଲାକୁ ବାରଣ କଲେ, “ତୁ ଯା ରୋଷେଇ କର । ମୋ ଦେହ ଭଲ ଅଛି । ମୁଁ କଥାବାର୍ତ୍ତା କରିପାରିବି ।”

ଏଥର ବିକ୍ରମଙ୍କ ଆଡ଼େ ବୁଲି ଚାହିଁଲେ ଓ ମ୍ଳାନ ହସି ପାଖ ଚେୟାରରେ ବସିବା ପାଇଁ କହିଲେ । ବସିଲେ ନାହିଁ ବିକ୍ରମ । ତାଙ୍କ ପାଦ ପାଖରେ ବସପଡ଼ି ତାଙ୍କ ହାତଦୁଇଟାକୁ ଚାପି ଧରିଲେ ଓ କହିଲେ, ଆଉ ନୁହେଁ, ଆଉ ସମ୍ଭବ ମଧ୍ୟ ନୁହେଁ, ମୁଁ ଆଉ ସହ୍ୟ କରିପାରୁନି ମମତା । ତୁମ ବିନା ଗୋଟିଏ ମୁହୂର୍ତ ଗୋଟିଏ ଯୁଗ ପରି ଲାଗୁଛ । ମୁଁ ତୁମକୁ ଚାହେଁ । ସମ୍ପୂର୍ଣ୍ଣ ରୂପରେ ମୋ ନିଜର କରିବାକୁ ଚାହେଁ ।” ମମତା ଆସ୍ତେ ନିଜ ହାତକୁ ବିକ୍ରମଙ୍କ ହାତରୁ ଖସାଇନେଲେ । ବିକ୍ରମଙ୍କୁ ଦେଖି ସେ ସ୍ତବ୍ଧର ସ୍ଥାଣୁ ହୋଇ ଯାଇଥିଲେ । କ’ଣ କହିବା ପାଇଁ ଚେଷ୍ଟା କରି ସେ କହି ପାରିଲେ ନାହିଁ । ଅମାନିଆ କୋହଗୁଡ଼ାକୁ ଗଳା ପାଖରେ ଏମିତି ଜମିଗଲା ଯେ, ତାଙ୍କୁ ବାକରୁଦ୍ଧ ହୋଇଗଲା ପରି ଲାଗିଲା । ଟପ୍‌… ଟପ୍‌… ହୋଇ ତାଙ୍କ ଆଖିରୁ ଝରି ପଡ଼ିଲା ଅଶ୍ରୁ । ତାଙ୍କ କାନ୍ଦ ଦେଖି ବିକ୍ରମ ମଧ୍ୟ ଭୋ… ଭୋ… ହୋଇ କାନ୍ଦି ପକାଇଲେ ପୁଣି ନିଜକୁ ସମ୍ଭାଳି ନେଇ କହିଲେ, “ ମୋତେ ବିଶ୍ୱାସ କର, ମୁଁ ତୁମ ସହିତ ପ୍ରତାରଣା ବା ଛଳନା କରୁନାହି । ମୁଁ ତୁମକୁ ଭଲପାଏ । ଖୁବ୍‌ ଭଲପାଏ । ମୁଁ ତୁମକୁ ବିବାହ କରିବାକୁ ଚାହେଁ । ତୁମେ ଶୁଭେନ୍ଦୁ ବାବୁଙ୍କୁ ଡିଭୋର୍ସ ଦେଇଦିଅ ।

ଥର ଥର ଓଠରେ ଏଥର ପୁଣି କିଛି କହିବା ପାଇଁ ଚେଷ୍ଟା କରି କେବଳ କାନ୍ଦି ଉଠିଲେ ମମତା । ବିକ୍ରମ ତାଙ୍କ ମନର ଭାଷା ବୁଝିପାରିଲା ପରି ପୁଣି କହିଲେ, “ ଝିଅ ପାଇଁ ବ୍ୟସ୍ତ ହେଉଛ ? ବିଶ୍ଵାସ କର ମୁଁ ତାକୁ ନିଜ ଝିଅଠାରୁ ଅଧକ ଭଲରେ ରଖିବି । କେବେବି ତାକୁ ଜାଣିବାକୁ ଦେବିନାହିଁ ଯେ, ସେ ମୋ ଝିଅ ନୁହେଁ ।” ଏଥର ଖୁବ୍‌ “କଷ୍ଟରେ ଛେପ ଢୋକି ଢୋକି ମମତା କହିଲେ, “ ପ୍ଲିଜ୍‌ ବିକ୍ରମ, ବର୍ତ୍ତମାନ ପାଇଁ ଚାଲିଯାଅ । ମୁଁ ତୁମକୁ ମୋ ମତାମତ ଖୁବ୍‌ ଶୀଘ୍ର ଜଣାଇବି । ପ୍ଲିଜ୍‌ ଲିଭ୍‌ ମି ଏଲୋନ୍‌ ।”

ବିକ୍ରମ ତାଙ୍କ କଥା ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ପର ମୁହୂର୍ଭରେ ଝଡପରି ଚାଲିଗଲେ । କ୍ଲାନ୍ତି ଓ ଅବଶ ମନନେଇ ଶୋଇବା ଘରକୁ ଗଲେ ମମତା । ଏ ଦ୍ଵନ୍ଦର ଅବସାନ କରିବାକୁ ପଡ଼ିବ । କିଛି ଗୋଟେ ସମାଧାନ କରିବାକୁ ହେବ । ଏ କଷ୍ଟ ଆଉ ସତରେ ସହ୍ୟ କରି ହେଉନି ।

କଲମ ଓ ଲେଟର ପ୍ୟାଡ଼୍‌ ଧରି ବସିଲେ ମମତା । ସବୁକଥା ବିକ୍ରମଙ୍କୁ ବୁଝାଇ ଲେଖିବାକୁ ହେବ । ଯେ ପର୍ଯ୍ୟନ୍ତ ସେ ନିଜ ଅନ୍ତରର ଭାଷା ବିକ୍ରମଙ୍କୁ ବୁଝାଇ ନ ପାରିଛନ୍ତି, କେମିତି ବୁଝିବେ ସେ । ଦୁହେଁ ତ ପ୍ରେମର ନିଆଁରେ ହାତ ଥାପିଛନ୍ତି, ଏ ଜ୍ଵଳନ ତ ସହ୍ୟ କରିବାକୁ ପଡ଼ିବ । ଦୁହିଁଙ୍କୁ ଅଗ୍ନି ପରୀକ୍ଷା ଦେଇ ଆଉଟା ସୁନାପରି ଶୁଦ୍ଧ ହୋଇ ବାହାରିବାକୁ ପଢ଼ିବ । ବିକ୍ରମଙ୍କୁ ଦେଖିଲେ ହିଁ ସେ ବାକଶକ୍ତି ହୀନ ହୋଇ ପଢୁଛନ୍ତି । ତେଣୁ ମନରେ ସାଇତା ସବୁ ଗୋପନ କଥାକୁ ଚିଠି ଜରିଆରେ ହିଁ ବିକ୍ରମଙ୍କୁ ଜଣାଇବାକୁ ପଡ଼ିବ । ଏଥର ମମତା ଚିଠି ଲେଖା ଆରମ୍ଭ କଲେ ।

ବିକ୍ରମ,

ତୁମକୁ ପ୍ରାଣର, ହୃଦୟର ବା ପ୍ରିୟତମ, ଏପରିକିଛି ସମ୍ବୋଧନ କରୁନି । କାରଣ ଏସବୁ ସମ୍ଭୋଧନଠାରୁ ଆହୁରି ନିବିଡ଼ ଭାବରେ ତୁମେ ମୋର । ହଁ, ବିକ୍ରମ ଆଜି ମୁଁ ସ୍ଵୀକାର କରୁଛି ଯେ, ମୁଁ ତୁମକୁ ଭଲପାଇ ବସିଛି । ମୁଁ ଜଣେ ଷୋଡ଼ଶୀ କିଶୋରୀ ନୁହେଁ । ଅଜାଣତରେ କିମ୍ବା ଅଳ୍ପ ବୁଦ୍ଧିରେ କିଛି ଗୋଟେ କରି ପକାଇବାର ବୟସ ମୁଁ କେଉଁ ଦିନରୁ ପାର କରି ସାରିଲିଣି । ମୁଁ ସତେଇସିଟି ବସନ୍ତ ପାର କରିଥିବା ଜଣେ ନାରୀ, ବିବାହିତା ପୁଣି ଗୋଟିଏ ସନ୍ତାନର ଜନନୀ । ତଥାପି ତୁମକୁ ଭଲପାଇ ବସିଛି । ବିବେକର ଚାବୁକରେ ଏ ମନକୁ ସଂଯତ କରିବାର ଯେତେ ଚେଷ୍ଟା କରିଛି, ଏ ମନ ସେତେ ତୁମ ପାଖକୁ ଧାଇଁ ଯାଇଛି ।

ପ୍ରେମ କାଳେ ଏକ ଟେଲିପାଥ୍ଵ । ତୁମେ ଯାହାକୁ ପ୍ରେମ କରିବ, ପ୍ରତିଦାନରେ ସେ ନିଶ୍ଚୟ ତୁମକୁ ପ୍ରେମ କରୁଥିବ । ଏ କଥାର ସତ୍ୟତା ମୁଁ ମର୍ମେ ମର୍ମେ ଅନୁଭବ କରିପାରିଛି । ତୁମ ଆଖିରେ, ତୁମ କଥାରେ, ତୁମ ହସରେ, ତୁମ ଭାଷାରେ ସେଇ ପ୍ରେମର ଆଦିକାବ୍ୟ । ସେ ତ ମୋ ପାଇଁ କେବେ ଦୁର୍ବୋଧ୍ୟ ହୋଇପାରିନାହି । କେମିତି ମୁଁ ଲିଭାଇ ଦେଇ ପାରିଥାନ୍ତି ମୋ ପ୍ରେମର ଇସ୍ତାହାର ? ତୁମ ସାନ୍ନିଧ୍ୟରେ ମୋତେ ଯେ ମୋହନଙ୍କ ମୁରଲୀ ସ୍ଵନ ଶୁଣାଯାଏ, ଅଗୁରୁ ଚନ୍ଦନର ବାସ୍ନାରେ ଯେ ମୋ ଚଉଦିଗ ମହକିତ ହୋଇଯାଏ ।

ତୁମେ ତ ମୋ ବିଷୟରେ ସବୁ କିଛି ସିପ୍ରାଠାରୁ ଜାଣିଛ । ଶୁଭେନ୍ଦୁଙ୍କ କଠୋର, ଅବହେଳିତ ବ୍ୟବହାର ମୋ ଜୀବନକୁ ଶୁଷ୍କ, ନୀରସ ମରୁ ପ୍ରାନ୍ତରରେ ପରିଣତ କରି ଦେଇଥିଲା । ସମଗ୍ର ପୁରୁଷ ଜାତି ପ୍ରତି ମୋ ମନରେ ଭରି ଯାଇଥିଲା ଘୃଣା ଓ ଉପେକ୍ଷା । ଏପରିକି ମୋ ଝିଅ କଳିକା ଯେଉଁଦିନ ଜନ୍ମ ହେଲା, ମୁଁ ଆନନ୍ଦିତ ହୋଇଥିଲି ଯେ, ଯାହାହେଉ ଭଗବାନ ମୋତେ ନିଷ୍ଠୁର, ନିଦାରୁଣ ପୁତ୍ରଟିଏ ଦେଇ ନାହାନ୍ତି ସନ୍ତାନ ଭାବରେ । ସେଥପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଶତଶତ ଧନ୍ୟବାଦ ଅର୍ପଣ କରିଥିଲି ।

ତୁମେ କୁହତ ବିକ୍ରମ, ଏମିତି ଗୋଟେ ମନୋବୃତ୍ତି ନେଇ ମୁଁ କ’ଣ ସୁସ୍ଥ ଜୀବନ ଯାପନ କରିପାରିଥାନ୍ତି ? ସେଇଥିପାଇଁ ଭଗବାନ ତୁମକୁ ମୋ ଜୀବନରେ ଆଣିଲେ ।

ମୋର ସବୁ ଭ୍ନାନ୍ତଧାରଣାକୁ ତୁମେ ଦୂର କରିଦେଲ । ମୁଁ ମର୍ମେ ମର୍ମେ ଅନୁଭବ କଲି ଯେ ପୁରୁଷ ମଧ୍ୟ ନାରୀପରି ସ୍ଵେହୀ, ସହାନୁଭୂତିଶୀଳ, ଉଦାର ଓ ପରମପ୍ରେମିକ ହୋଇପାରେ । ବୁଝିପାରିଲି ଯେ ନାରୀ ଓ ପୁରୁଷ ଗୋଟିଏ ବୃନ୍ତର ଦୁଇଟି କଳି ସଦୃଶ । ପରସ୍ପର, ପରସ୍ପରର ପରିପୂରକ । ଗୋଟିଏ ମୁଦ୍ରାର ଦୁଇଟି ପାଖ ପରି । ଗୋଟିକୁ ଛାଡ଼ି ଅନ୍ୟଟିର ସ୍ଥିତି ଅସମ୍ଭବ । କୁହତ ଦେଖି ତୁମ ପ୍ରେମ ବିନା ମୋ ମନରୁ ଏ ସଂକୀର୍ଣ୍ଣତା କିପରି ଦୂର ହୋଇଥାନ୍ତା ? ଏ ମହାନ୍‌ ଅନୁଭବ ମୁଁ କିପରି ଲାଭ କରିଥାନ୍ତି ?

ବିକ୍ରମ, ତୁମ ପ୍ରେମ ମୋ ପାଇଁ ଅତି ମୂଲ୍ୟବାନ ସମ୍ପଦ । କିନ୍ତୁ ସେ ପ୍ରେମକୁ ସାକାର କରିବା ପାଇଁ ବିବାହ କ’ଣ ନିହାତି ଆବଶ୍ୟକ ? ଯଦି ମୁଁ ଶୁଭେନ୍ଦୁଙ୍କୁ ଛାଡ଼ପତ୍ର ଦେଇ ତୁମକୁ ବିବାହ କରୁଛି ତେବେ ଆମ ସାମାଜିକ ସମ୍ମାନ ନଷ୍ଟ ହୋଇଯିବ । ମୋ ଛାତ୍ରୀମାନେ ମୋତେ ବହୁତ ସମ୍ମାନ ଓ ଭକ୍ତି କରନ୍ତି । କିନ୍ତୁ ତାଙ୍କ ଆଗରେ ମୁଁ ଯଦି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥୁବା ଏକ ଆତ୍ମକୈନ୍ଦ୍ରିକ ସୁଖଲୋଭୀ, ଦେହସର୍ବସ୍ଵ ନାରୀଟିଏ ହୋଇ ଠିଆ ହେବି ତେବେ ସେମାନେ କ’ଣ ପୂର୍ବ ସମ୍ମାନ ଦେବେ ? ତାଛଡ଼ା ତୁମେ ମଧ୍ୟ ଜଣେ ବିବାହିତ ନାରୀକୁ ବିବାହ କରି ତୁମ ସାମାଜିକ ସ୍ଥିତି ଓ ସମ୍ମାନ ହରାଇ ବସିବ ।
ସବୁଠାରୁ ବଡ଼କଥା କ’ଣ ଜାଣ ବିକ୍ରମ, ମୋତେ ଶୁଭେନ୍ଦୁ ସ୍ତ୍ରୀର ସମ୍ମାନ ଦେଇ ନାହାନ୍ତି । ସ୍ଳେହହ ପ୍ରେମ ଭଲପାଇବା ତାଙ୍କଠାରୁ କିଛି ମିଳିନାହିଁ । ତେଣୁ ମୁଁ ଯେତେବେଳେ ସେସବୁ ତୁମଠାରୁ ପାଇଲି, ସ୍ୱାଭାବିକ ଭାବରେ ତୁମପ୍ରତି ଆକୃଷ୍ଟ ହୋଇପଡ଼ିଲି, ତେବେ ଆଉ ଜଣେ ଯଦି କିଏ ମୋ ଜୀବନରେ ଆସେ, ଯେ କି ତୁମଠାରୁ ଅଧିକ ସ୍ନେହ, ମମତା ଅଜାଡ଼ିଦେବ, ତେବେ କ’ଣ ମୁଁ ତୁମକୁ ଭୁଲି ତା ପ୍ରେମରେ ମାତିଯିବି ? ? ଏ ଉଶୃଙ୍ଖଳତା, ବ୍ୟଭିଚାରିତା ପାଇଁ ଆମ ଭାରତୀୟ ସମାଜରେ ତ ସ୍ଥାନ ନାହିଁ । କିଏ ମୋତେ ବିଶ୍ଵାସ କରିବ ? କେମିତି ମୁଁ ତୁମ ପ୍ରେମର ବିଶ୍ଵାସପାତ୍ରୀ ହେବି ?

ଆମ ପ୍ରେମ ନିଃସର୍ତ ଥିଲା, ଭାଷାହୀନ ଥିଲା ଆଉ ଦେହାତୀତ ଥିଲା ହେଲେ କ’ଣ ହେଲା ସେଦିନ… ଟିକେ ବର୍ଷା, ଅଳ ନିରୋଳା, ସାମାନ୍ୟ ସୁଯୋଗ ଆମକୁ ଦେହଜ କରି ପକାଇଲା । ମୁଁ ସେଦିନ ଅନ୍ତରର ସହିତ ଅନୁଭବ କଲି ଯେ, ଦେହକୁ ଛାଡ଼ି ପ୍ରେମ ହୋଇପାରେନା । ଯେତେ ନୈସର୍ଗିକ ପ୍ରେମ କର, ଦିନେ ନା ଦିନେ ତାହା ଦୈହିକ ହୋଇପଡ଼ିବ । ସେଇଥିପାଇଁ ମୁଁ ତୁମଠାରୁ ନିଜକୁ ଦୂରେଇ ରଖିଛି । ତୁମକୁ ପାଖରେ ପାଇଲେ ମୁଁ ନିଜକୁ ଭୁଲିଯିବି । ତୁମ ଭିତରେ ବିଲୀନ ହୋଇଯିବା ପାଇଁ ଚାହିଁବି । ଆଉ ଏହା କରିବା ମାତ୍ରେ ମୁଁ ସମାଜ ଆଖିରେ ଦୁଃଶ୍ଚରିତ୍ରା, କଳଙ୍କିନୀ ହୋଇଯିବି । ମୁଁ ଜାଣେ ତୁମେ ତୁମ ପ୍ରେୟସୀକୁ କେବେହେଲେ ଚରିତ୍ରହୀନା ନାରୀଟିଏ ଭାବରେ ଗ୍ରହଣ କରିପାରିବ ନାହିଁ ।

ଆମ ସମାଜ ଗୋଟେ ପୁରୁଷ ପ୍ରଧାନ ସମାଜ ହେଲେ ମଧ୍ୟ ପ୍ରତ୍ୟେକ ପରିବାର ନାରୀର ତ୍ୟାଗ, ନାରୀର ବଳିଦାନ ଉପରେ ତିଷ୍ଠଚିଛି । ତେଣୁ ମୋ ପରିବାର ପାଇଁ, ମୋ କଳିକାର ଭବିଷ୍ୟତ ପାଇଁ ଆଜି ମୋ ପ୍ରେମକୁ ବଳିଦାନ କରି ଦେଉଛି । ଆଶା ଓ ବିଶ୍ଵାସ କରୁଛି ମୋତେ ଭୁଲ ବୁଝିବ ନାହିଁ । ତୁମକୁ ମୋର ଏକ ବିଶେଷ ଅନୁରୋଧ ତୁମେ ବିବାହ କର । ତୁମ ସ୍ତ୍ରୀଙ୍କୁ ତୁମ ସବୁ ପ୍ରେମର ଅଧିକାରିଣୀ କର । ନିଜ ସ୍ତ୍ରୀକୁ ଭଲ ପାଉନଥବା, ସମ୍ମାନ ଦେଉନଥିବା ପୁରୁଷଙ୍କୁ ମୁଁ ସବୁଠାରୁ ବେଶୀ ଘୃଣା କରେ । ତୁମେ କେବେହେଲେ ଏମିତି ନିଷ୍ଠୁର ହେବନାହିଁ । ତୁମେ ମୋ ପ୍ରେମକୁ ତ୍ୟାଗକର/ ମୋ ସ୍ମୃତିକୁ ଭୁଲିଯାଅ । ମୋ ପ୍ରତିଛବିଟିକୁ ତୁମ ସ୍ତ୍ରୀ ମଧ୍ୟରେ ଦେଖ ଏବଂ ତାଙ୍କୁ ସୁଖୀ କର । ତୁମ ସ୍ତ୍ରୀଙ୍କ ସୁଖରେ ହିଁ ମୁଁ ଶାନ୍ତି ଲଭିବି ।

ବିକ୍ରମ, ଆମେ ଯେତେବେଳେ ଏ ଦୈହିକ ଦୁର୍ବଳତାଠାରୁ ଉର୍ଦ୍ଧ୍ୱକୁ ଉଠିଯିବା, ସେତେବେଳେ ଆମର ଏ ଭଲପାଇବା ମହାର୍ଘ ମଣି ପରିପବିତ୍ରତାରେ ଉଦ୍ଭାସିତହେବ ।

ଆଶା କରୁଛି ଏଥର ତୁମେ ଆମ ସମସ୍ୟା ଓ ପ୍ରତିବନ୍ଧକ ଗୁଡ଼ିକୁ ଠିକ୍‌ରେ ଅନୁଭବ କରିପାରିବ । ଶେଷରେ ତୁମକୁ ଏତିକି କହୁଛି ଯେ, ନିଷ୍କାମ ଭଲ ପାଇବାର ପ୍ରଦୀପ ତୁମପାଇଁ ହୃଦୟରେ ସର୍ବଦା ପ୍ରଜ୍ଜ୍ଵଳିତ ହେଉଥିବ । ତୁମ ଭଲ ପାଇବାର ଏ ମହାର୍ଘ ଅନୁଭୂତି ମୋ ମନପ୍ରାଣକୁ ସର୍ବଦା ପୁଲକିତ କରି ରଖିଥିବ । ଏ ମହାନ ଅନୁଭବର ମୁଁ ଅଧିକାରିଣୀ ହୋଇଥିବାରୁ ସର୍ବଦା ନିଜକୁ ଧନ୍ୟ ମନେ କରୁଥୁବି । ଯଦି ମନର ସମସ୍ତ ଆବିଳତା ଦୂରେଇ ଦେଇଆମ ଭଲପାଇବାକୁ ଦେହାତୀତ ଓ ପବିତ୍ର କରି ଦେଇପାରିବା, ତେବେ ଦୁଇଜଣ ଶୁଭେଚ୍ଛୁ ବନ୍ଧୁ ପରି ମିଳିତ ହେବାରେ ଆମର ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

କେହି ଜଣେ ଠିକ୍‌ କହିଥିଲେ, “ ଅନ୍ୟକୁ ଭଲ ପାଉଥବା ବ୍ୟକ୍ତି କେବେହେଲେ ଦୁଃଖୀ ହୁଏନାହିଁ ।” ପ୍ରକୃତରେ ଅସରନ୍ତି ଭଲପାଇବାର ସେଇ ପରିପୂର୍ଣ୍ଣ ପବିତ୍ର ପ୍ରେମ ନେଇ ଆମେ ଆଜିଠାରୁ ପରସ୍ପରକୁ ଭେଟିବା ଓ ଜୀବନରେ ନିଶ୍ଚୟ ସୁଖୀ ହେବା । ବିଦାୟ ନେଉଛି, ଏଇ ମୋର ତୁମ ପାଖକୁ ପ୍ରଥମ ଓ ଶେଷ ଚିଠି ।

। ଇତି ।
ମମତା

ଚିଠିଟି ପଢ଼ି ସ୍ଥାଣୁ ପାଲଟି ଯାଇଥିଲା ବିକ୍ରମ । କିଛି ଲୁହର ଦରକୋଳିଆ ଟୋପା ଭିଜାଇ ଦେଇଥିଲା ଚିଠିଟିକୁ । ଏଥର ଚିଠିଟିକୁ ବନ୍ଦକରି ନିଜ ଓଠରେ ଛୁଆଁଇଲେ ।

ପର ମୁହୂର୍ରରେ ଚିଠିଟିକୁ ନିଜ ଛାତିରେ ଚାପିଧରି ସ୍ଵଗତୋକ୍ତି କଲେ, ଆଃ, ମମତା ଏଇଥିପାଇଁ ତୁମେ ମହାନ୍‌, ଅନନ୍ୟା । ଏଇଥି ପାଇଁ ହିଁ ତୁମେ ମୋ ହୃଦୟରେ ଏତେ ବଡ଼ ସ୍ଥାନ ଜମାଇ ବସିଛ । କି ଦୂର ଦୃଷ୍ଟି ତୁମର, କି ବିଚାରଶକ୍ତି ତୁମର । ତୁମେ ମୋ ମନରୁ ସବୁକାମନା, ବାସନାର ପର୍ଦା ଉଠାଇ ଦେଇଥବାରୁ ମୁଁ ତୁମ ପାଖରେ ଚିର କୃତଜ୍ଞ । ସତରେ ମମତା ମୁଁ ତୁମ ଅନୁରୋଧ ରକ୍ଷା କରିବି । ଅନ୍ୟଜଣଙ୍କୁ ବିବାହ କରି, ସଫଳତାର ସହିତ ଦାମ୍ପତ୍ୟ ଜୀବନ ଅତିବାହିତ କରି ମଧ୍ୟ ଆମ ଶାଶ୍ୱତ ଭଲ ପାଇବାକୁ ଚିରଦିନ ମୋ ହୃଦୟରେ ଉଜ୍ଜୀବିତ କରି ରଖିବି । ମମତା ତୁମେ ମୋ ଜୀବନରେ ଉଚିତ ପଥ ପ୍ରଦର୍ଶନ କରାଇଥୁବାରୁ ସତରେ ତୁମେ ଧନ୍ୟା । ମୁଁ ନିଶ୍ଚିତ ଭାବରେ ଆମ ଏ ପବିତ୍ର ଭଲପାଇବାକୁ ମହାର୍ଘ କରି ତୋଳିବି ।”

ଆଜି ବିକ୍ରମଙ୍କ ବିବାହର ରିସେପ୍‌ସନ୍‌ । ଉପସ୍ଥିତ ଅନେକ ସଜ୍ଜନମାନଙ୍କ ମଧ୍ୟରେ ବିକ୍ରମଙ୍କ ଆଖି ଘୁରି ବୁଲୁଛି ଜଣଙ୍କ ଦର୍ଶନ ପାଇଁ । ହୃଦୟ ପ୍ରତୀକ୍ଷା କରୁଛି ଜଣକୁ । ସତରେ କ’ଣ ମମତା ନିଜକୁ ନିଜେ ଜୟ କରି ଆସିପାରିବେ ? ?

ହାତରେ ପୁଷ୍ପଗୁଚ୍ଛ ଧରି ଶୁଭେନ୍ଦୁଙ୍କ ସହିତ ସହାସ୍ୟ ବଦନରେ ଆସିଛନ୍ତି ମମତା । କୋଳରେ କଳିକା । ଆଜି ବିକ୍ରମଙ୍କ ସମସ୍ତ ପ୍ରେମକୁ ସେ ହୃଦୟର ଗୋପନ କୋଠାରୀଟେ ଛପାଇ ରଖି ଜାଣି ଜାଣି ଚାବିକାଠି ହଜାଇ ଦେଇଛନ୍ତି । ମମତା ଯେତେବେଳେ ପାରିଲେ, ବିକ୍ରମ କ’ଣ ପାରିବେ ନାହିଁ ତାଙ୍କ ପବିତ୍ର ପ୍ରେମକୁ ମହାର୍ଘ କରି ? ନିଶ୍ଚୟ ପାରିବେ ପାରିବେ ବୋଲିତ ସେ ମମତା ଭିନ୍ନ ଆଉ ଜଣେ ଯୁବତୀଙ୍କ ହାତ ଧରିଛନ୍ତି ।

-ସମାପ୍ତ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top