ଶୁନ୍ୟରୁ ଶବଦ ଶୁଭିଲା ଭଳି
ନୀରବତାର ପରିଚୟ ଭିତରେ କେବେ ଯେ ଉଙ୍କି ମାରିଯାଏ
ସେଇ ନିଷ୍ଠୁର ପଣିଆ ଦେଖେଇ,
ଜଣା ବି ପଡେନି କି ମନେ ବି ପଡେନି ।
ଜଣା ବି ପଡିବ ବା କେମିତି ?
ସବୁ ତ ଏକ ମିଛ ହେଲେ ବି, ନିଜକୁ ବଡ ମନେ କରିବାର ପରାକାଷ୍ଠା ଭିତରେ,
ମନୁଷ୍ୟ ଭୁଲିଯାଏ ନିଜର ଭାବ ଓ ବିଚାର ,
ଭାବିନିଏ ନିଜକୁ ଦୁନିଆଁରେ ସବୁଠୁ ମହାନ, ସର୍ବଶ୍ରେଷ୍ଠ ।
ଅନ୍ୟ ସବୁକୁ ହେୟ ମନେ କରୁ କରୁ,
ମନୁଷ୍ୟ ପଶିଯାଏ ଅନ୍ଧକାର ରୂପି ପାପ ଭିତରେ ।
ନିଜର ସବୁ କିଛି କଣ୍ଟା ହେଲେ ବି
ସୁନାର ମୁକୁଟ ଭାବି ସାଦରେ ମଥାରେ ଟେକି ନିଏ ।
ଭୟ ଓ ମିଛକୁ ଚାପି ଭିକ୍ଷ୍ୟୁକ ସାଜି
ମାଗିଚାଲେ ସମସ୍ତଙ୍କର ପ୍ରଶଂସା ଓ ଆଦର ।
“ମୁଁ ଓ ମୋର” ଭିତରେ ସଂସାରକୁ ବାନ୍ଧି ସାରିଲା ପରେ,
ଶେଷରେ ଅନୁତାପ କରେ,
ଇଏ ଏକ ମିଛ ଓ ମାୟାର ଅଦୃଶ୍ୟ ଛାୟା,
ପାରଦର୍ଶୀ ଭିତରେ ଲୁଚି ରହିଥିବା ଏକ ସାଂସାରିକ ମୁଖା ।
ଜାଳି ଦେଇଚାଲେ ମନୁଷ୍ୟ ତାର ବିବେକ ଆଉ ଚିନ୍ତା କରିବାର ଶକ୍ତି,
ମାରିଦିଏ ପ୍ରେମମୟ ଦୁଇ ପଦ ଶୁଣିବାର ପ୍ରୟାସ,
ଛାଡିଯାଏ ଦୁନିଆଁରେ ଏକ ବିରାଟ ଅନ୍ଧକାରର ସମୁଦ୍ର ।
ହରେଇ ଦିଏ ଅନ୍ୟକୁ ଆପଣେଇବାର ଶକ୍ତି,
ଭୁଲିଯାଏ ସତ୍ୟ, ପ୍ରେମ, ଜ୍ଞାନ ଆଉ ଶାନ୍ତି ର ପଥକୁ,
ଆଦରି ନିଏ ସେଇ ଅକୁହା, ନୀରବତା ଭିତରେ ଲୁଚି ରହିଥିବା ଏକ ଶବ୍ଦ “ଅହଂକାର” ।
ସାମିଲ ହେଇଯାଏ ସନ୍ଧ୍ୟା ରୂପି ବାର୍ଦ୍ଧକ୍ୟର ଯାତ୍ରାପଥେ,
ଆଉ ମିଶେଇ ଦିଏ ନିଜକୁ ଭୟଙ୍କର ସ୍ୱପ୍ନ ଓ ମାୟାର ଛଳନୀୟ ସାଗରେ ।
କରିଯାଏ ସେଇ ପୂର୍ବ ପାଠର ଆଲୋଚନା, ଆଉ,
ଛାଡିଯାଏ କେବଳ ଅକୁହା ମିଛ ଭିତରେ ଏକ ସତ୍ୟ ଓ ବାସ୍ତବିକତା ।
