କବିତା

ଫୁଲବର୍ଷାର ରାତି

Brundabana Das's odia poem Phulabarshara Raati

ଅପେକ୍ଷା…
ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ
ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି
ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ ।

ଶୁଦ୍ଧ ଆହାର ପରି ଅମୃତମୟ ଗୋଟାଏ ରାତି
ଚିତ୍ରିତ ବହୁ ପ୍ରତୀକ୍ଷିତ
ରଙ୍ଗ-ରସ-ଆସ୍ଵାଦନରେ ଆଭୂଷିତ
ଅନ୍ଧାରର କୃଷ୍ଣ ବେଣୀ ଲୋଟି ପଡୁଛି
ମୁହୂର୍ତ୍ତର ଚୂନା ଚୂନା ଜାତି ଜାତି
ତାରାଫୁଲ ସଙ୍ଗେ
ବିଞ୍ଚିହୋଇ ପଡୁଛି କଳ୍ପିତ ଇଚ୍ଛାର
କେରିକେରି ଜହ୍ନ ଆଲୁଅରେ
ଭିଜାଭିଜା ହଜିଲାପଣ ।

ଅପେକ୍ଷା…
ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ
ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି
ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ ।

କେବେ କା’ର କୋମଳ କରାଘାତରେ
ଅକସ୍ମାତ ମୁକୁଳି ଯାଏ
ରୁଦ୍ଧ କୋଠରିର ପରସ୍ତ ପରସ୍ତ ଦ୍ବାର
ଉଛୁଳା ଉତୁରା ମନ ତରଳିଯାଏ
ଛୁଇଁବାକୁ ସେଇ ଈପସିତ୍ ଠିକଣା
ନୂଆକରି ପର ଲାଗିଥିବା ପାଗଳ ପକ୍ଷୀ
ଅଝଟ ଉଚ୍ଛନ୍ନ ହୁଏ ଭ୍ରମବାକୁ ବିସ୍ତୃତ ଆକାଶ ।

ଆଖିରେ ଆଖିଏ ରଙ୍ଗ
ସେ ରଙ୍ଗରେ ଚିତ୍ରମୟ ଅସୁମାରି ସ୍ଵପ୍ନର
ଦିହୁଡ଼ି ଜଳେ
ସେ ରାତିର ପ୍ରତୀକ୍ଷାରେ
ଶ୍ୟାମଳ ଇଚ୍ଛାର ଛାଇ ଲମ୍ବିଯାଏ
ଦୂର – ବହୁଦୂର
ସୀମାତୀତ ଅନୁଭବ-ଜ୍ଵଳନର ସବୁଗାର ଟପି ।

ପ୍ରତୀକ୍ଷା ସେ ରାତି ପାଇଁ ଅସ୍ତବ୍ୟସ୍ତ କରେ
ମହକିତ ପ୍ରତ୍ୟୟର ଛାଇ ଆଲୁଅରେ
ଆଲୋକଠୁଁ ଅନ୍ଧାର
ଆପଣାର ବେଶି ଲାଗୁଥିବ ବେଶି ରଙ୍ଗ ବୁଣୁଥିବ
ସଚିତ୍ର ଅନ୍ଧାର ସମ୍ପର୍କର କମନୀୟ ଡୋରି
ଶକ୍ତ ଭାବେ ଟାଣି ନେଉଥିବ
ସିନ୍ଦୁର ଫାଟିବା ଯାଏଁ ଅନ୍ୟ ଏକ ସକାଳକୁ
ଅଜଣା ସମୟର ରାସ୍ତାଧାରେ ଚାଲିବାକୁ ହେବ
କେଉଁ ଅହେତୁକ ସମ୍ପର୍କର ହାତ ଧରି ।

ଆଶାୟୀ ମନ ତା’ ପାଇଁ ଉଦ୍‌ଗ୍ରୀବ
ସମ୍ପୃକ୍ତିର ହାଲ୍‌କା ଫୁଲ୍‌କା ନିବିଡ଼ତାରେ
କାମନା ବାସନାରେ ଜର୍ଜରିତ ସେ
ଫୁଲବର୍ଷାର ରାତି
ଅହରହ ଡାକେ ନିମନ୍ତ୍ରଣ କରେ
ସମର୍ପିତ ସଲଜ୍ଜ ଠାଣିରେ
କେବେ ଧରାଦେବ ଜଡେଇ ଦେବାକୁ
ନିତି ନିତି କଳ୍ପନାର ଶେଷ ଅଙ୍କ ରଚି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top