କବିତା

ମୁଖା ବଦଳି ଯାଏ

Binay Mohapatra's odia poem Mukha Badali Jaae

ହେ ସମୟ,
ମୋତେ ଥରେ ଶିଖେଇ ଦିଅନ୍ତନି
ବାରମ୍ବାର ମୁଖା ବଦଳାଇବାର କଳା,
ଅନ୍ତରେ ଲୁଚାଇ ବିଷ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହେ ସମୟ ମୋତେ ଟିକେ
ଶିଖେଇ ଦିଅନ୍ତ ହେଲେ,
କେମିତି ବଦଳାନ୍ତି, ଆପଣାର ରଂଗ,
ତୁମେ ତ ନିଇତି ବଦଳି ଯାଅ,
ତୁମେ କୁହ, ତୁମ ଠାରୁ ଆଉ କିଏ
ହୋଇ ପାରେ ବଡ କଳାକାର ?
ତୁମେ ତ ନିଇତି ବଦଳାଇ ନିଅ
ନିଜ ରଙ୍ଗ, ନିଜ ଢଙ୍ଗ,
ତା ଆଗେ ସବୁ ରଙ୍ଗ,
ଫିକା ପଡି ଯାଏ,
ସଙ୍ଗ ବି ପଲକେ, ନିସଙ୍ଗ ପାଲଟି ଯାଏ ।

ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ପରି
ସବୁ କିଛି ବଦଳେ ଏଇଠି,
ହେଲେ, ସୂର୍ଯ୍ୟ ତ ସୂର୍ଯ୍ୟ ଥାଏ,
ହେଲେ ମଣିଷର ସମ୍ପର୍କ ବଦଳି ଯାଏ ।

ଟିକିଏ ଟିକିଏ କଥାରେ,
ଘଡିକରେ ଛିଣ୍ଡି ଯାଏ,
ସମ୍ପର୍କର ନିବିଡ ବନ୍ଧନ,
ସତେ ଅବା,
କେବେ କିଛି ନଥିଲା ସମ୍ବନ୍ଧ,
ଏଇନେ ଏଇନେ ପ୍ରେମ,
ପଲକ ପଡିବା ଆଗରୁ
ପ୍ରେମରେ ବିଚ୍ଛେଦ ହୁଏ,
ଚିହ୍ନା ଚିହ୍ନା ମୁହଁ,
ଘଡିକରେ ଅଚିହ୍ନା ହୋଇ ଯାଏ ।

କେବେ ଅଚିହ୍ନା ମୁହଁଟିଏ
କାନ୍ଧରେ ହାତ ପକାଇ
ବନ୍ଧୁର ଦୁଃଖ ସୁଖ ବୁଝି ନିଏ ।
ସତେ କେତେ ସହଜରେ,
ସବୁ କିଛି ଭୂଲି ହୋଇ ଯାଏ,
ହଜାର ସୁଖର ମୁହୁର୍ତ୍ତ
ଗୋଟିଏ ଉତ୍ୟକ୍ତ ମୁହୁର୍ତ୍ତର,
ବଳି ଚଢି ଯାଏ,
ଏବଂ ହୃଦୟର ନିବିଡ ସମ୍ପର୍କ
ଘଡିକରେ ତୁଟି ଯାଏ ।

ହେ ସମୟ,
ମୋତେ ଥରେ ଶିଖେଇ ଦିଅନ୍ତନି
ବାରମ୍ବାର ମୁଖା ବଦଳାଇବାର କଳା,
ଅନ୍ତରେ ଲୁଚାଇ ବିଷ
ଉପରେ ଅମୃତ, ସିଞ୍ଚନ୍ତି କିପରି,
ଅନ୍ତରରେ ଘୃଣା ରଖି
ଓଠେ ମିଛ ହସର,
ପ୍ରଲେପ ଲଗାନ୍ତି କିପରି ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top