ଅଣୁଗଳ୍ପ

ଅଧା ଚାନ୍ଦ

Binay Mohapatra's odia short story Adha Chaanda

ଆସନ୍ତା କାଲିର ଠିକଣା ନାହିଁ, ଏ ସମୟରେ ବାକିଆ ପେମେଣ୍ଟ୍‌ ଆସୁନି, ଯାହା ପାଖରେ ଯାହା କିଛି ପୁଞ୍ଜି ଥିଲା ସମସ୍ତେ ନିଜ ପାଖରେ ଜାକି ଦେଇ ବସିଛନ୍ତି, ସପ୍ଲାୟର ମାନେ ପେମେଣ୍ଟ୍‌ ମାଗୁଛନ୍ତି, ଟଙ୍କା ନାହିଁ ଯେ ଦରମା ଦେଇ ହେଉନି, ଏଥିରେ ଆଡଭାନନ୍ସ କିଏ ଦେବ ?

ସଦେଇ ଓରଫ ସଦାନନ୍ଦ ଏଥର ଯେତେ ବେଳ ଗାଁକୁ ଫେରିଲା, ସେତେ ବେଳେ, ସବୁ ଥର ପରି ତା ପାଖରେ ଗୋଟିଏ ବଡ଼ ଆଟାଚି ନଥିଲା, ବରଂ ଛୋଟ ଗୋଟେ କ୍ୟାରୀ ବ୍ୟାଗ୍ ଭିତରେ ତାର ସବୁ ସମ୍ପତ୍ତି ଜାକିଜୁକି ହୋଇ ଠୁଁସା ହୋଇ ଥିଲା । ସବୁ ଥର ପରି ଏଥର ସଦେଇ ଦେହରେ ନୁଆ ଷ୍ଟାଇଲ୍‌ର ସୁଟ୍ ବୁଟ୍, ଛିଟ ପକା ସାର୍ଟ, ଆଖିରେ କଳା ଚଷମା କି ହାତରେ ବଡ ଗୋଟାଏ ଚାଇଁନିଜ ମୋବାଇଲ ବି ନଥିଲା ।

ସମୟର ବିଡମ୍ବନା, ଏ ଥର ତା ବ୍ୟାଗ୍‌ରେ, ସବୁ ଥର ପରି ତା ବାପା ବୋଉଙ୍କ ପାଇଁ ନୁଆ ଲୁଗାପଟା, ଭଣଜା ଭାଣେଜୀଙ୍କ ପାଇଁ ନୁଆ ଡ୍ରେସ୍‌, ଭଉଣୀ ଭେଣେଇଙ୍କ ପାଇଁ କିଛି ବି ଉପହାର ନଥିଲା । କେବଳ ଦି’ ଜୋଡି ଅସନା କୋଚଟ ମଇଳା ପ୍ୟାଣ୍ଟ୍‌ ସାର୍ଟ, ଲୁଙ୍ଗି ଆଉ ଗାମୁଛା ହୋଇ ଦି’ ଖଣ୍ଡ ସେ କଳା କ୍ୟାରୀ ବ୍ୟାଗଟାରେ ଠୁଁସା ହୋଇ ଥିଲା । ସଦେଇ ଦେହରେ ଖଣ୍ଡେ ଅସନା ଜାମା, ଆଉ ଗୋଟିଏ ହାପ୍ ପେଣ୍ଟ୍‌, ସବୁ ଥର ପରି ଏଥର ତା ମୁହଁରେ ସେ ତେଜ ବି ଦେଖା ଯାଉ ନଥିଲା, ଚେହେରା ସୁଖି ପୁରା ପୁରି କଳା କାଠ ପଡି ଯାଇ ଥିଲା । ଦୁଇ ଗାଲ ପାକୁଆ ବୁଢା ମଣିଷ ପରି ଭିତରକୁ ପଶି ଯାଇ ଥିଲା, ଦି ପୋଷ ଚାଉଳ ଭରି ଯିବ ଦୁଇ ଗାଲରେ, ଆଖି ଦୁଇଟା ତାର କୋଟର ଭିତରେ ପଶି ଯାଇ ଥିଲା । ସତେ ଯେପରି କେଉଁ ନଅଙ୍କ ଦୁର୍ଭିକ୍ଷ ଅଞ୍ଚଳରୁ ସେ ପ୍ରାଣ ବଞ୍ଚାଇ ଚାଲି ଆସିଛି । ସତ କହିବାକୁ ଗଲେ, ସେ ଯେଉଁ ପ୍ରକାର ପରିସ୍ଥିତିରୁ, ଯେପରି ଭାବରେ ଜୀବନ ବଞ୍ଚେଇ ଫେରି ଆସି ପାରିଛି ସେଇଟା କେଉଁ ନଅଙ୍କ ଦୁର୍ଭିକ୍ଷ ଠାରୁ କିଛି କମ୍ ତ ନଥିଲା ।

ଯେତେ ବେଳେ ଚାଇଁନିଜ୍ ଭାଇରସ୍ କରୋନା ବ୍ୟାପିବା ଆରମ୍ଭ ହେଲା, ସେତେ ବେଳେ ସେ ସୁରତ୍‌ର ଗୋଟିଏ ସୁତା କଳରେ ହେଲ୍‌ପର ଭାବେ କାମ କରୁଥିଲା । ହଠାତ୍ କରୋନା ବ୍ୟାପିବାରୁ ବିନା ନୋଟିସ୍‌ରେ ସାରା ଦେଶରେ ଅଚାନକ ସଟଡାଉନ୍, ଲକଡାଉନ୍ ହୋଇ ଗଲା । ଲକଡାଉନ୍‌ର ପ୍ରଥମ ଦିନରୁ ସବୁ ବନ୍ଦ, କଳ କାରଖାନା ଦୋକାନ ବଜାର ଅଫିସ ସବୁ କିଛି ହଠାତ୍ ବନ୍ଦ ହୋଇ ଗଲା, କାହା ହାତକୁ କାମ ନାହିଁ । କାହା ହାତରେ କିଛି ପଇସା ବି ନାହିଁ । କାମିକା ମଜଦୁର, ଘରେ ହାତରେ ହାତ ବାନ୍ଧି ବସି ରହିଛି, ଟଙ୍କାଟାକର ରୋଜଗାର ବି ନାହିଁ । ହାତରେ କାହାର କଣା ପଇସାଟିଏ ନାହିଁ । ଦୋକାନ ବଜାର ସବୁ ବନ୍ଦ, ରାସନ ଦୋକାନୀ ସକାଳୁ ଦୁଇ ଘଣ୍ଟା ଖୋଲି ଦିନ ସାରା ଘରେ ବସି ରହୁଛି । ଧାର ଉଧାର କେହି କାହାକୁ ଦେଉନି, ଘରେ ଖାଇବାକୁ ଚାଉଳ ଦି’ ମୁଠା କି ମୁଠାଏ ଡାଲି ନାହିଁ । ଏପରି ବିଷମ ପରିସ୍ଥିତି ସମୟରେ ସଦେଇ ସୁରତରେ ତାର ତିନି ସାଙ୍ଗ ବାନା, ଚକରା ଆଉ ମୁକୁନ୍ଦ ସହିତ ବଖରାଏ ଭଡା ଘରେ ଏକାଠି ରହୁ ଥିଲା । ସେଇ ଗୋଟାଏ ବଖରା ଘର, ବସିବା, ଶୋଇବା, ରୋଷେଇ ଠାରୁ ଆରମ୍ଭ କରି ସବୁ କାମ ସେଇ ଗୋଟିଏ ବଖରାରେ ହୁଏ । ଦିନ ସାରା ସୁତା କଳରେ କାମ କରି ରାତି ନଅଟାରେ ଘରକୁ ଫେରନ୍ତି । ସାରା ଦିନର କ୍ଳାନ୍ତି ପରେ ରୋଷେଇ କରିବାକୁ ମନ ହୁଏନି, କିନ୍ତୁ ନରାନ୍ଧିଲେ ଖାଇବେ କଣ ? ଯେମିତି ସେମିତିରେ ଚାରି ସାଙ୍ଗ ମିଶି ଭାତ ଡାଲମା ରାନ୍ଧି, ଖାଇ ନିଅନ୍ତି । ତାପରେ ତଳେ ଦରି ବିଛାଇ ଚାରି ସାଙ୍ଗ ଏକାଠି ଶୋଇ ପଡନ୍ତି ।

ପର ଦେଶରେ ଏହା ଠାରୁ ଅଧିକ ସୁଖ ଚାହିଁଲେ, ଗାଁରେ ଥିବା ବୁଢା ବାପା ମାଆ, ଛୋଟ ଭାଇ ଭଉଣୀଙ୍କ ପେଟକୁ କଣ ଦେଇ ପାରିବେ । ବେଡି ଉପରେ କୋରଡା ମାଡ ପରି ଦିନେ ଦୁଇ ଦିନ ଭଡା ଦେବାରେ ଡେରି ହୋଇ ଗଲେ, ସକାଳ ସଂଜରେ ଘର ମାଲିକ ଘର ଭଡା ପାଇଁ ତାଗିଦ୍ କରି ଦେଇ ଯାଏ । ଅସମୟରେ କାରଖାନା ମାଲିକ ଦରମା ଗଣ୍ଡାକ ଦେଲାନି, ଅଧା ମାସରେ ହିସାବ କେମିତି ହେବ ? ଅକସ୍ମାତ ସବୁ ବନ୍ଦ ହୋଇଯିବ ବୋଲି କିଏ ଜାଣିଥିଲା ? ମାଲିକ କାଣି କଉଡିଟିଏ ବି ଆଡଭାନ୍ସ ଦେବାକୁ ରୋକ ଠୋକ ମନା କରି ଦେଲା, କହିଲା ମାସ ଅଧାରେ କେଉଁ ଠାରୁ ପେମେଣ୍ଟ ଆସିନି । ଟିଭି ରେଡିଓରେ ମହାମାରୀର ଏପରି ପ୍ରଚାର ପ୍ରସାର ହେଲା, ସେଥିରେ ଚାରି ଦିଗରେ କୋକୁଆ ଭୟର ପରିବେଶ ସୃଷ୍ଟି ହୋଇଗଲା, ଚାରି ଦିଗରେ ଅବିଶ୍ଵାସର ଏକ ଦୂଷିତ ପରିବେଶ । ଫ୍ୟାକ୍ଟ୍ରି ମାଲିକ କହିଲା ଏ ଲକଡାଉନ୍ କେତେ ଦିନ ଚାଲିବ କିଏ ଜାଣିଛି ? ତା ଉପରେ ଏକ ଅଜଣା ରୋଗ, ଏହାର ଔଷଧ କଣ, ଚିକିତ୍ସା କେମିତି ହୁଏ, ଏ ବିଷୟ ଏବେ ବି ଅଜଣା । ଏ ମହାମାରୀରେ କିଏ ମରିବ, କିଏ ବଞ୍ଚିବ କାହାକୁ ଜଣା ନାହିଁ । ଆସନ୍ତା କାଲିର ଠିକଣା ନାହିଁ, ଏ ସମୟରେ ବାକିଆ ପେମେଣ୍ଟ୍‌ ଆସୁନି, ଯାହା ପାଖରେ ଯାହା କିଛି ପୁଞ୍ଜି ଥିଲା ସମସ୍ତେ ନିଜ ପାଖରେ ଜାକି ଦେଇ ବସିଛନ୍ତି, ସପ୍ଲାୟର ମାନେ ପେମେଣ୍ଟ୍‌ ମାଗୁଛନ୍ତି, ଟଙ୍କା ନାହିଁ ଯେ ଦରମା ଦେଇ ହେଉନି, ଏଥିରେ ଆଡଭାନନ୍ସ କିଏ ଦେବ ?

କେତେ ଆଶା ନେଇ ସଦେଇ ପରି କେତେ ଓଡ଼ିଆ, ନିଜ ପରିବାରର ପେଟ ପାଟଣା, ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ସୁରତ, ଦିଲ୍ଲୀ, କଲିକତା, ହାଇଦ୍ରାବାଦ ଆଦି ପ୍ରଦେଶକୁ କାମ ଆଶାରେ ଚାଲି ଯାଆନ୍ତି, ହେଲେ ହୁଏ କଣ ? ଏ କଥା ସଦେଇ ଠାରୁ ଅଧିକ କିଏ ଜାଣି ପାରିବ ? ସେ ଯେତେ ବେଳେ ତାର ବାପାକୁ ସୁରତ ଯିବା କଥା କହି ଥିଲା, ତା ବାପା ବହୁତ ମନ ଦୁଃଖ କରି ତାକୁ ସବୁ ବୁଝେଇ ଥିଲା । ମାଆ ତାର ଲୁହ ଗଡେଇ ଗେହ୍ଲା କରି କେତେ କଥା କହି ଥିଲା । ବାପା କେତେ ବୁଝେଇ ଥିଲେ ତାକୁ, କହିଲେ ପୁଅରେ, ଆମେ ଯେମିତି ଅଛେ ଭଲରେ ଅଛେ । ଚାଳ ଛପର ହେଉ ପଛେ, ନିଜ ଘରେ ନିଜ ଗାଁରେ ତ ଅଛେ । ଭଲ ମନ୍ଦକୁ ସାଇ ପଡିଶା ପଛରେ ଅଛନ୍ତି । ବେଳ ଅବେଳରେ ପାଖରେ ଠିଆ ହେବା ପାଇଁ ସହି ସଙ୍ଗାତ ଅଛନ୍ତି । ବାପା ଜେଜେ ଅମଳର ଏଇ ଚାରି ଏକର ଚାଷ ଜମି ଅଛି । ତିନି ପ୍ରାଣୀ କୁଟୁମ୍ବ ଆମର । ତୁ ପାଠ ଶାଠ ତ ପଢି଼ଲୁନି, ଯେତିକି ପାଠ ପଢା ହେଲା, ହୋଇ ଗଲା । ଏବେ ସ୍କୁଲ୍‌ ଚିନ୍ତା ଛାଡ, ବହୁତ ହୋଇ ଗଲା ଆମର ପାଠ ପଢା ।

ଏବେ ତ ସରକାରୀ ଚାକିରୀ ବି ମିଳୁନି, ଦେଖୁନୁ କେତେ କେତେ ପଢୁଆ, ବାବୁ ହୋଇ ବେକାର ବୁଲୁଛନ୍ତି, ତୋ ପାଠ ପଢା ଏବେ ସେତିକିରେ ଥାଉ । ଆମେ ବାପା ପୁଅ ମିଶି ନିଜ ଚାଷ ବାସ ଦେଖିଲେ ଆମ ପେଟ ଅପୋଷା ରହିବନି । ବିଦେଶ କାହିଁକି ଯିବୁ ? ଏଇଠି ବସି ସବୁ କରି ପାରିବା ଆମେ । ହେଲେ ସଦେଇ ମନରେ ସେତେ ବେଳେ ସୁରତ ଯିବାର ନିଶା ଏମିତି ଘାରି ଥିଲା ଯେ ବାପା ମାଆର ସବୁ କଥା ତାକୁ ବିଷ ପରି ଲାଗୁ ଥିଲା । ସୁରତରେ ବାବୁ ନବନି, ଏଇ ଗାଁ ଆଉ ଖେତରେ ମାଟି କାଦୁଅ ହୋଇ କିଏ ରହିବ ?

ସେତେ ବେଳେ ସଦେଇକୁ ବାପା ମାଆର ସବୁ କଥା ନିରର୍ଥକ ଲାଗୁ ଥିଲା । ମେଟ୍ରିକ୍ ଫେଲ୍ ହୋଇ ଗଲା ପରେ ପାଠରୁ ମନ ଛାଡି ଯାଇଥିଲା ତାର । ପିଲାଟି ଦିନରୁ ଗରିବର ମୋହର ଲାଗି ଯାଇ ଥିଲା ମଥାରେ ତାଙ୍କର । କେତେ ସ୍ୱପ୍ନ ଦେଖି ଥିଲା ପିଲା ଦିନେ । ପାଠ ପଢି ବଡ ମଣିଷ ହେବ । ଭଲ ପେଣ୍ଟ ସାର୍ଟ ପିନ୍ଧିବ, କେତେ ପୁରୁଷର ପୁରୁଣା ଦି’ ବଖରା ମାଟି ଘରକୁ ତାଙ୍କର କୋଠା କରିବ, ଗାଡି ମଟର ଚଢି଼ବ । ନିଜ ପରିବାରର ଦାରିଦ୍ର୍ୟତା, ଗାଁର କାଦୁଅ ପଚ୍‌ପଚ୍ ରାସ୍ତା, ଗାଁ ରେ ଦୁଇ ଚାରି ଘର ଛାଡି ଦେଲେ ବାକି ସବୁ ଦରିଦ୍ରତାର ଚକିରେ ପେଷି ହୋଇ ଯାଉଛନ୍ତି । ଦିନ ସାରା ନିଜର ରକ୍ତ ଜଳେଇ, ଝାଳରେ ଗାଧୋଇ ସଂଧ୍ୟାରେ ଯେତେ ବେଳେ ଘରେ ପହଞ୍ଚନ୍ତି ସେତେ ବେଳେ ଭୋକିଲା ଛୁଆଙ୍କ ପେଟକୁ ଅଧା ପେଟ ଖାଇବାକୁ ଦେଇ ପାରନ୍ତିନି । ନିଜ ପାଇଁ କି ପିଲାଙ୍କ ପାଇଁ ଦୁଇ ଜୋଡା ଭଲ ଲୁଗା ଯୋଗାଡ ହୁଏନା । ଭୋକିଲା ପେଟରେ ପିଲାଙ୍କୁ ସ୍କୁଲ କିଏ ପଠାଉଛି ? ଏସବୁ ଦେଖି ଦେଖି ଗାଁରୁ ତାର ମନ ଛାଡି ଯାଇ ଥିଲା ।

ଏଇ ସମୟରେ ତଳ ସାହିର ମଧୁ ଭାଇ ସୁରତରୁ ଫେରି ଥାଏ । ତାର ସୁଟ୍ ବୁଟ୍ କଳା ଚଷମା, କାନ୍ଧରେ ଟ୍ରାଞ୍ଜିଷ୍ଟର ରେଡିଓ ଦେଖି ସଦେଇର ବି ମନ ହୋଇ ଥିଲା ଗାଁ ଛାଡି ସହରକୁ ଚାଲି ଯିବା ପାଇଁ । ମଧୁ ଭାଇକୁ ସଦେଇ ପଚାରିଲା, ଭାଇ, ସୁରତରେ ମୋ ପାଇଁ କିଛି ଛୋଟ ମୋଟ କାମ ମିଳି ଯିବ ? ମଧୁ ଭାଇ ତାକୁ କେତେ କଥା କହି ଥିଲା । ସୁରତ କେତେ ବଡ ସହର ଆଉ କେତେ ସୁନ୍ଦର ସହର, କେତେ ସୁତା କଳ ଅଛି ସେଇଠି । ସେଠାରେ ଥରେ ପହଞ୍ଚି ଗଲେ, କାମର ଅଭାବ ନାହିଁ । ସୁତା କଳରେ କାମ ବହୁତ ଭଲ, ଓଭର ଟାଇମ କରି ପାରିଲେ ଆହୁରି ଅଧିକ ଟଙ୍କା । ବର୍ଷ ଗୋଟିକରେ ତୁ ତୁମ ଘରଟାକୁ କୋଠା ଘର କରି ଦେବୁ । ସେ ଦିନ ମଧୁ ଭାଇ କେତେ ସ୍ୱପ୍ନ ଭରି ଦେଇ ଥିଲା ତା ଆଖିରେ । ସୁରତର ନିଶା ତାକୁ ଏମିତି ଘାରିଥିଲା ଯେ ତା ଆଗରେ ବାପାଙ୍କର ସବୁ କଥା ତାକୁ ନିରର୍ଥକ ଲାଗି ଥିଲା ।

ହେଲେ ପାଞ୍ଚ ବର୍ଷ ପରେ ଆଜି ସଦେଇ ଭାବୁଛି, ସେ ସୁନ୍ଦର ସୁରତ ସହର କେଉଁଠି ରହି ଗଲା ? ସେ ଯେତେ ବେଳେ ବୁଲିବାକୁ ଯାଏ, ବଡ ବଡ ଆକାଶ ଛୁଆଁ ବିଲଡିଙ୍ଗ ଦେଖେ, ସଫା ସୁନ୍ଦର ଚଉଡା ରାସ୍ତା, ବିଜୁଳି ଆଲୁଅରେ ଚକ୍ ମକ୍ ସହର, ସତରେ ବହୁତ ସୁନ୍ଦର ଦିଶେ ସଦେଇକୁ, କିନ୍ତୁ ତା ପାଇଁ ଏ ଭବ୍ୟ ସହରର ସୁନ୍ଦରତାର ମୂଲ୍ୟ କଣ ? ତାକୁ କେବଳ ନୟନ ସୁଖ ମିଳେ ସିନା, ସଦେଇର ବାକି ଦିନର, ବାର ଘଣ୍ଟା ସେଇ ଧୂଳି ଧୂଆଁ ଭରା ସୁତା କଳରେ କଟେ, ବିଳମ୍ବିତ ରାତିରେ ଯେତେ ବେଳେ ଘରକୁ ଫେରେ, ସେତେ ବେଳେ ଇନ୍ଦ୍ର ଭୂବନ ପରି ଝଲକୁ ଥିବା ସହରକୁ ଦେଖେ, ଶେଷରେ ସହରର ଉପକଣ୍ଠରେ ଧୂଳି ମଳି ଘେରା ଅନ୍ଧାରୁଆ ବସ୍ତିର ଶେଷ ମୁଣ୍ଡରେ ଥିବା ତାଙ୍କର ବସା ଘରକୁ ଫେରେ, ଦିନର ବାକି ସମୟ ତାର ସେଇଠି କଟେ ?

ସଦେଇ ଯେତେ ବେଳେ ଭାବେ, ସେ ଦିନ ସେ ବାପା କଥା ନମାନି କେତେ ବଡ ଭୁଲଟାଏ କରି ଦେଇ ଥିଲା ସତେ । ଏବେ ବାପା, ବୁଢା ହୋଇ ଗଲାଣି ଚାଷ କାମ କରି ପାରୁନି, ହଳ ଭାଙ୍ଗି ଦେଇଛି । ମୂଲିଆ ମିଳୁନି ବୋଲି ଭାଗ ଚାଷ କେହି ନେଉନି । ଚାରି ଏକର ଜମି ସେମିତି ଟାଙ୍ଗରା ପଡିଛି । ସୁରତରୁ ସଦେଇ କିଛି ଟଙ୍କା ପଠାଇଲେ ବୁଢା ବୁଢୀ ସେଥିରେ ଦୁଃଖେ ସୁଖେ ଚଳି ଯାଆନ୍ତି । ଦି’ ବର୍ଷ ହେଲା ଘର ଛପର ହୋଇ ପାରିନି । ଯେଉଁ ଘରୁ କାଲି କେହି, କେବେ ଖାଲି ହାତରେ ଯାଇନି, ସେ ଘର ସାମ୍ନାରୁ ଆଜି ଭିକାରି ମୁଠାଏ ଚାଉଳ ନପାଇ ଖାଲି ହାତରେ ଫେରି ଯାଉଛି । ଭିକ ଦେବାକୁ ମଧ୍ୟ ଘରେ ବଳକା ଚାଉଳ ମୁଠାଏ ନାହିଁ । ସୁନା ଫଳୁଥିବା ଚାରି ଏକର ଚାଷ ଜମି ସେମିତି ପଡିଆ ପଡିଛି ।

ମାଟି ମାଆ ଆଜି ବି ଅନେଇ ବସିଛି, “କିଏ ଜଣେ ଆସନ୍ତାନି, ହଳ ଘେରାଏ ବୁଲେଇ, ଧାନ ମୁଠାଏ ବୁଣି ଦିଅନ୍ତା । ଲହଡି ମାରୁଥିବା ଖେତରୁ ଅମାର ଭରି ଦିଅନ୍ତି’। ହେଲେ କାହାକୁ ଡାକୁଛି ମାଟି ମାଆ ? ତାର ପାରିବାର ପୁଅ ମାନେ, କିଏ ସୁରତ ସୁତା କଳରେ ତ କିଏ ହାଇଦ୍ରାବାଦର ଇଟା ଭାଟିରେ ନିଜ ରକ୍ତ ବୁହେଇ ଦାଦନ ଖଟୁଛନ୍ତି ।

ଦୂର ପର୍ବତ, ଦୂର ଗାଁ ସବୁ ବେଳେ ଦୂରରୁ ସୁନ୍ଦର ଲାଗେ, ହେଲେ ପାଖକୁ ଗଲା ପରେ, ଜଣା ପଡେ ସେମାନଙ୍କର ଅସଲ ରୂପ । ପାହାଡ ସିନା ଦୂରରୁ ସୁନ୍ଦର ଦିଶେ, କିନ୍ତୁ ପାଖକୁ ଗଲେ, ଦେଖି ହୁଏ କେତେ ଖାଲ, ଖମା, ଥୁଣ୍ଟା ଗଛ ଭରା ପାହାଡର କର୍କଶ, ବନ୍ଧୁର ରୂପ । ଗାଁରେ ଥାଇ ସୁରତ, ଦିଲ୍ଲୀ, ବାଙ୍ଗାଲୋର ଯେମିତି ଭାବରେ ସ୍ୱପ୍ନରେ ଆସେ, ସେଠାରେ ପହଞ୍ଚିଲା ପରେ ସବୁ ଓଲଟା ଥାଏ । ଯେମିତି ନିଜେ ନ ମଲେ ସ୍ୱର୍ଗ ଦେଖି ହୁଏନି କି ସୁଖ ଭୋଗି ହୁଏନି, ସେମିତି ପର ଦେଶର ଦୁଃଖ ଅଙ୍ଗେ ନିଭାଇଥିବା ମଣିଷ ବ୍ୟତିତ ଆଉ କେହି ସେ କଷ୍ଟକୁ ଏତେ ଭଲ ଭାବରେ ବୁଝି ପାରିବନି କିମ୍ବା ଅନୁଭବ କରି ପାରିବନି ।

ଦୁଇ ଦୁଇ ସପ୍ତାହର ଲକଡାଉନ୍ ବଢି ବଢି ଏବେ ମାସେ ପୁରିଲା । ଯାହା ପାଖରେ ଯାହା କିଛି ବି ଜମା ପୁଞ୍ଜି ଥିଲା ସବୁ ସରିଲାଣି । ଗାଁକୁ ବାହୁଡି ଯିବା ପାଇଁ ମନ ବ୍ୟାକୁଳ ହେଲାଣି । ଗାଁ କେଉଁ ପାଖ ବାଟ ହୋଇଛି ଯେ, ଯେବେ ମନ କରିବ ଚାଲି ଯିବ ! ରେଲ ମଟର ବନ୍ଦ, ଗାଁ କୁ ଫେରି ଯିବାର ସବୁ ରାସ୍ତା ବନ୍ଦ । ଲକଡାଉନ୍‌ରେ ଘରୁ ବାହାରିବା ଅପରାଧ ପରି, ପ୍ରତି ଛକରେ, ଠେଙ୍ଗା ଧରି ପୋଲିସ ଜଗିଛି । ଅମାନିଆ ହୋଇ ବାହାରକୁ ବାହାରିଲେ ନିର୍ଘାତିଆ ମାଡ ମାରୁଛି । ଘର ଭିତରେ ଭୋକ ଓପାସରେ କେତେ ଦିନ ବଞ୍ଚି ପାରିବେ ସେମାନେ ? ବାହାରକୁ ବାହାରିଲେ ସିନା କିଛି ଯୋଗାଡ କରି ପାରନ୍ତେ, କିଛି ନହେଲେ ଭିଖ ମାଗି ପେଟର ଭୋକ ମେଣ୍ଟାନ୍ତେ । କିନ୍ତୁ ବାହାରେ ଯେ ପୋଲିସ୍‌ର ଶକ୍ତ ପହରା ।

ଏ ରୋଗ କୁଆଡେ ଜଣଙ୍କ ଠାରୁ ଆଉ ଜଣଙ୍କୁ ଖୁବ୍ ଶିଘ୍ର ବ୍ୟାପୁଛି । କେହି କାହାକୁ ଛୁଇଁ ଦେଲେ, କାହା ପାଖରେ ଠିଆ ହୋଇ କାଶି ଦେଲେ କି ଛିଙ୍କି ଦେଲେ ରୋଗ ମାଡି ଯାଉଛି । ସମସ୍ତେ ମୁହଁରେ ତୁଣ୍ଡି (ମାସ୍କ) ବାନ୍ଧି ବାହାରକୁ ବାହାରୁଛନ୍ତି । ଚାରି ଦିଗରେ ଅବିଶ୍ଵାସର ଏକ ଦୂଷିତ ପରିବେଶ, କେହି କାହା ସହିତ ମିଶିବାକୁ କଥା ହେବାକୁ ଡରୁଛି, ଏମିତିକି ମଣିଷ ମଣିଷ ଠାରୁ ଦୂରତା ରଖିବାକୁ ସଙ୍ଗରୋଧ କରୁଛି । ଜଣେ ମଣିଷ ଆଉ ଜଣଙ୍କ ଠାରୁ ଦୂରେଇ ଯାଉଛି, କେହି କାହାକୁ ବିଶ୍ୱାସ କରି ପାରୁନି । ମରି ଗଲେ କାଳେ ଉଧାର ପଇସା ବୁଡି ଯିବ ଭାବି, କେହି କାହାକୁ ଧାର ଉଧାର ବି ଦେଉନି । ବିଶେଷ କରି ପ୍ରବାସୀମାନଙ୍କ ପାଇଁ ଏହି ଲକଡାଉନ୍ ସମୟ ଆହୁରି କଠିନ ହୋଇ ଯାଇଛି ।

ଏଇ ସମୟରେ ଏକ ଖୁସି ଖବର ଆସି ଗଲା । କେତେ ଜଣ ଓଡିଆ ମିଶି କେତେଟା ବସ୍ ବୁଝିଛନ୍ତି । ଯେଉଁ ଗୁଡିକ ଓଡିଆ ଲୋକ ମାନଙ୍କୁ ନେଇ ଓଡ଼ିଶା ଯିବ । ଚାରିଟା ବସରେ କେତେ ଲୋକ ଅବା ଯାଇ ପାରିବେ କେଜାଣି ? ତା ଉପରେ ଟିକଟ ଖର୍ଚ୍ଚ ପାଇଁ କାହା ହାତରେ ଏବେ ଟଙ୍କା ପଇସା ଅଛି ! ସେଥିରେ ପୁଣି ଟିକଟ ପାଞ୍ଚ, ଦଶ ହଜାର ଟଙ୍କାରେ ବ୍ଲାକ ହେଉଛି । ସଦେଇ ଆଉ ତାର ସାଙ୍ଗ ମାନଙ୍କର ଏକା ଅବସ୍ଥା । ଖାଇବାକୁ ପଇସା ନାହିଁ, ବସ୍ ଭଡା ପାଇଁ କେଉଁଠୁ ଆସିବ? ତଥାପି ସେମାନେ ଆଶା ଛାଡି ନଥିଲେ । ଶେଷ ମୁହୁର୍ତ୍ତ ଯାଏ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ, ହଜାରେ ଲୋକଙ୍କୁ ନେହୁରା ହେଲେ, ଗୋଡ ତଳେ ପଡିଲେ, କହିଲେ ଭାଇ ଆମକୁ ଘରେ ପହଞ୍ଚାଇ ଦିଅ, ଘରେ ପହଞ୍ଚିଲେ ଜମି ବାଡି ବିକି ପଛେ ତୁମକୁ ଟଙ୍କା ଦେଇ ଦେବୁ । କିନ୍ତୁ କେହି ଶୁଣିଲେନି କି ବୁଝି ପାରିଲେନି ସେମାନଙ୍କର କାତରତା । ପରଦେଶରେ, ନିରାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ଛଡା ଆଉ କିଛି ବାଟ ନଥିଲା ଚାରି ସାଙ୍ଗଙ୍କ ପାଖରେ । ସଦେଇ ଭାବି ପାରୁ ନଥିଲା, ଗୋଟିଏ ପ୍ରଦେଶର ମଣିଷ ହୋଇ ବି ଜଣେ ଓଡ଼ିଆ ଆଉ ଜଣ ଜଣେ ଓଡ଼ିଆକୁ ସାହାଯ୍ୟ କରିବାକୁ ଚାହୁଁନି, ବରଂ ଏପରି ଦୁର୍ଦ୍ଦିନରେ ଜଣେ ଓଡିଆ ଅନ୍ୟ ଜଣେ ଓଡିଆର ସର୍ବସ୍ଵ ଛଡେଇ ନେବାକୁ ଚେଷ୍ଟା କରୁଛି, ଏପରି ଅସୁବିଧା ସମୟରେ ବସ୍ ଟିକଟରେ ବି କଳା ବଜାରୀ କରିବାକୁ ଲୋକେ ପଛାଉ ନାହାଁନ୍ତି ।

ଏ କଥା କିଛି ନୁଆ ନୁହେଁ ଯେ ଅନେକ ଓଡିଆ ଭାଇ ନିଜକୁ ଓଡିଆ ବୋଲି ପରିଚୟ ଦେବାରେ ନିଜର ଅପମାନ ବୋଲି ମନେ କରନ୍ତି । ଜଣେ ଆଉ ଜଣଙ୍କ ସହିତ ଖଣ୍ଡି ହିନ୍ଦୀ କି ଖଣ୍ଡି ଗୁଜୁରାଟୀରେ କଥା ହେବେ ପଛେ, ନିଜ ମାତୃ ଭାଷାରେ କଥା ଦି ‘ପଦ ହେବାକୁ ପସନ୍ଦ କରନ୍ତିନି । ଏ ସବୁ ମିଥ୍ୟା ଆଡମ୍ବରରେ ଜୀଉଁଥିବା ମଣିଷ, ସତରେ କେତେ ନିକୃଷ୍ଟ ହୋଇ ପାରନ୍ତି ସେମାନେ । ସଦେଇ ଭାବେ, ମୋ ବାପା ମଳି ମୁଣ୍ଡିଆ ଦିଶୁଛି ବୋଲି ମୁଁ କଣ ଆଉ କେଉଁ ପେଣ୍ଟ ସାର୍ଟ ପିନ୍ଧା ଧୋବ ଧାବୁଳିଆ ସାହାବକୁ ବାପା ବୋଲି ଡାକିବି ? ମୋ ପ୍ରଦେଶ, ମୋ ଭାଷା, ମୋର ପରିଚୟ । କଣ ନାହିଁ ମୋ ପ୍ରଦେଶରେ ? ଇତିହାସ ଠାରୁ ଆରମ୍ଭ କରି ଭୂଗୋଳ ଯାଏ, ଏତେ ବୈଭବଶାଳୀ ଐତିହ୍ୟ ଅଛି ଆଉ କେଉଁ ପ୍ରଦେଶରେ? ମୋ ଜଗା, କାଳିଆ ସାଆନ୍ତ ପରା, ସେଇ ଏକା ଜଗତର ନାଥ, ‘ଜଗନ୍ନାଥ’ ।

କିନ୍ତୁ ବିଡମ୍ବନା ଇତିହାସକୁ ନେଇ ବଞ୍ଚି ହୁଏନି । ଆଜିର ଭୋକ ମଣିଷକୁ ଅତିଷ୍ଠ କରି ଦିଏ । ଭୋକ ଜାତି ଦେଖେନା, ଧର୍ମ ଦେଖେନା, ଦେଶ କି ପ୍ରଦେଶର ପ୍ରଭେଦ କରେନା । ସବୁ ଦିଗରୁ ନିରାଶ ହୋଇ ସଦେଇ ଆଉ ତାର ସାଙ୍ଗ ମାନେ ଜଗନ୍ନାଥଙ୍କ ଭରସାରେ ଅନାଇ ବସିଥାନ୍ତି, କିଛି ତ ଚମତ୍କାର କରିବେ ବଳିଆର ଭୂଜ । ହେଲେ କେବେ ? କେତେ ଦିନ ଏମିତି ଭୋକ ବରଦାସ୍ତ କରି ହେବ ? ତିନି ଦିନ ହେଲା କେହି କିଛି ଖାଇନି । ଯାହା ପାଖରେ ଯାହା କିଛି ଜମା ପୁଞ୍ଜି ଥିଲା ସବୁ ଝାଡି ଝୁଡି କେବେ ଠାରୁ ଖର୍ଚ୍ଚ କରି ସାରିଲେଣି । ଚିହ୍ନା ଜଣା ଲୋକ ଯେତେକ ଥିଲେ ସମସ୍ତଙ୍କ ଠାରୁ ଉଧାର ନେଇ ସାରିଲେଣି, ଆଉ କେହି ବାକି ନାହିଁ, ଯାହା ଠାରୁ ଆଉ କିଛି ଟଙ୍କା ଧାର ଉଧାର ମିଳି ଯିବ । ସାଙ୍ଗ ଚାରି ଜଣ, ଜଣେ ଆଉ ଜଣକ ମୁହଁକୁ ଅନେଇ ରହିଛନ୍ତି, କେବେ ଏଇ ସଟଡାଉନ୍ ଖୋଲିବ, ସେମାନଙ୍କର ଦୁଃଖ ସରିବ । ଭୋକିଲା ପେଟରେ କାହା ଆଖିକୁ ନିଦ ବି ଆସୁନି, ରାତି ସାରା ଘଡି ଘଡିକେ ଉଠି ପାଣି ମୁନ୍ଦାଏ, ମୁନ୍ଦାଏ ପିଇ, ପେଟର ନିଆଁକୁ ଲିଭାଉଛନ୍ତି । ସମସ୍ତେ ଥର ଥର କରି ଡାଲି, ଚାଉଳ, ଅଟା ଡବା ସବୁ କେତେ ଥର ଅଣ୍ଡାଳି ସାରିଲେଣି, କାଳେ କେଉଁଥିରୁ ମୁଠାଏ କିଛି ମିଳି ଯିବ । ନିଜ ନିଜର ଟ୍ରଙ୍କ୍ ବାକ୍ସ ଆଟାଚି ଖୋଲି କେତେ ଥର ଖୋଜି ସାରିଲେଣି, କାଳେ କେଉଁଠି କିଛି ଟଙ୍କା ପଇସା ରଖି ଭୁଲି ଯାଇଥିବେ । କିନ୍ତୁ ସବୁ ଶୂନ୍ୟ, କେଉଁଠି କିଛି ବି ନଥିଲା ।

ସବୁ ଶୁନ୍ୟତା ଭିତରେ ବି ଚାରି ସାଙ୍ଗ ନିରାଶ ହୋଇ ନଥିଲେ । କେଉଁଠି ନା କେଉଁଠି ନିଜ ମନ ଭିତରେ ଆଶାର ଏକ କ୍ଷୀଣ କିରଣ ଉଙ୍କି ମାରୁଥିଲା, ମନ କହୁ ଥିଲା, କଳା ରାତି ପରେ ନୁଆ ସୂର୍ଯ୍ୟ ନେଇ ଏଇ କଷ୍ଟର ଦିନ ନିଶ୍ଚୟ ବଦଳିବ । ଖୁବ୍ ଶିଘ୍ର ଭଲ ଦିନ ନିଶ୍ଚୟ ଆସିବ । ଏ ମହାମାରୀରେ କେତେ ମଣିଷ ଯନ୍ତ୍ରଣାରେ ଛଟ୍ ପଟ୍ ହୋଇ ମରୁଛନ୍ତି, ଏମିତି ମରଣ ଯେ କେହି ଦେଖିବାକୁ ଆସୁନି, ଛୁଇଁବାକୁ ସାହସ କରୁନି । ବାପା ପୁଅର ଶବକୁ ହସପିଟାଲରେ ଛାଡି ଦେଇ ଚାଲି ଯାଉଛି । ପୁଅ ବାପାକୁ କାନ୍ଧ ଦେଉନି କି ମୁଖାଗ୍ନି ଦେବାକୁ ଆସୁନି । ବେନାମୀ, ଲାବାରସ୍ ମଣିଷର ଲାସ୍ ପରି କୁଢ କୁଢ ଶବ ଆମ୍ବୁଲାନ୍ସରେ ଲଦି ମଶାଣିକୁ ବୋହି ନେଉଛନ୍ତି । ମଶାଣିରେ ଶବ ମାନଙ୍କର ଲାଇନ୍ ଲାଗିଛି, ଗୋଟିଏ ଜୁଈ ଲିଭିବା ଆଗରୁ ସେଥିରେ ଆଉ ଏକ ଶବ ଲଦି ଦିଆ ଯାଉଛି, ଗୋଟିଏ ଜୁଈରେ ଅନେକ ଶବ ଏକାଠି ଦାହ ସଂସ୍କାର କରା ଯାଉଛି । କେଉଁଠି ଗୋଟିଏ ଗାତ ଖୋଳି ତା ଭିତରେ ଶବ ମାନଙ୍କୁ ଏକାଠି ପୋତି ଦିଆ ଯାଉଛି । ଆଜି ପରିସ୍ଥିତି ଏପରି ହୋଇଛି ଯେ ଜୀଅଁନ୍ତା ମଣିଷର ସମ୍ମାନ ନାହିଁ, ମଲା ମଣିଷର ସମ୍ମାନ କଥା କିଏ ଭାବୁଛି । କେତେ ଶିଶୁ ବାପା ମାଆଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି, ସ୍ଵାମୀକୁ ହରାଇ ନବ ବିବାହିତା ପତ୍ନୀ ବିଧବା ହୋଇ ଯାଉଛି । କେତେ ବୁଢା ବାପ ମାଆ ନିଜର ଭେଣ୍ଡିଆ ପୁଅକୁ ହରାଇ ନିଜ ଜୀବନର ଶେଷ ଆଶ୍ରା ହରାଉଛନ୍ତି । ଏପରି ଅବସ୍ଥା କେବଳ ସୁରତରେ ନଥିଲା । ସାରା ଭାରତରେ ସବୁ ଛୋଟ ବଡ ଗାଁ, ସହରରେ ଏକା ଅବସ୍ଥା । ଘର ଠାରୁ ହଜାର ହଜାର ମାଇଲ ଦୂରରେ କେତେ ପ୍ରବାସୀ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି । ତଥାପି ଭଲ ଦିନ ଆଶାରେ ନିଜର ସାହସ ବାନ୍ଧି ନିସ୍ତାର ପାଇବା ପାଇଁ ଭଗବାନଙ୍କୁ ଡାକୁଛନ୍ତି ।

କାହା ଆଖିରେ ନିଦ ନାହିଁ, ଖାଲି ପେଟରେ ନିଦ କେଉଁଠୁ ଆସିବ । ଆଜି ଦିନଟି ତ ଭୋକ କଷ୍ଟରେ ବିତି ଗଲା, କାଲି ପୁଣି କଣ ହେବ ? ପେଟକୁ ମୁଠାଏ ଭାତ କେଉଁଠୁ ମିଳିବ ? ମନେ ମନେ ଭାବୁ ଥାଆନ୍ତି ରାତି ପାହୁ, ଆଉ ଥରେ ଯାଇ ରାସନ ଦୋକାନୀକୁ ନେହୁରା ହୋଇ ମାଗିବେ । ଯଦି ତା ମନରେ ଟିକିଏ ଦୟା ଆସି ଯିବ, କି ସରସ୍ଵତୀ ମାଆ ତା କଣ୍ଠରେ ବିରାଜିବେ । ମଣିଷର ଆଶା, ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଳବତ୍ତର ଥାଏ । ଜାତି ଯାଉ ପଛେ ପ୍ରାଣ ବଞ୍ଚି ଯାଉ । ଏମିତି ଭାବୁ ଭାବୁ ସଦେଇ ଶୋଇ ଶୋଇ ଛାତକୁ ଅନେଇ ପଡି ଥାଏ । ସତେ ଅବା ଭାବୁଥାଏ ଏମିତି ଭୋକ ଓପାସରେ ଡହଳ ବିକଳ ହୋଇ ସେମାନଙ୍କର ଆୟୁଷ ଆଉ କେତେ ଦିନ ବଳକା ଅଛି ? ଏମିତି ଭାବନା ଭିତରେ ହଠାତ୍ ତାରଳ ହାତ ନିଜ ଗଳାରେ ପଡିଥିବା କଳା ସୁତାଟା ସହିତ ଖେଳୁ ଥାଏ । ହଠାତ ତାର ହାତ କଳା ସୁତାରେ ବନ୍ଧା ସୁନାର ଅଧା ଚାନ୍ଦଟାରେ ଅଟକି ଗଲା । ସେଇଟାକୁ ହାତରେ ମୁଠାଇ ଧରି ଧଡ ପଡ ହୋଇ ଉଠି ବସି ପଡିଲା ସଦେଇ ।

ମାଆ କଥା ତାର ମନେ ପଡି ଗଲା, ଆଖିରେ ଲୁହ ଜକେଇ ଆସିଲା । ପିଲା ଦିନେ ସେ ଠିକ୍‌ରେ କଥା କହି ପାରୁ ନଥିଲା, ଖନେଇ ଖନେଇ କଥା କହୁଥିଲା ବୋଲି ପିଲାଟି ଦିନରୁ ତା ନା ଖନା ରଖି ଦେଲେ । ଗାଁ ପଣ୍ଡିତେ ଜାତକ ଦେଖି କହି ଥିଲେ କୋଷ୍ଟିରେ ଚନ୍ଦ୍ର ଦୁର୍ବଳ ଅଛନ୍ତି ବୋଲି ପୁଅ ଖନେଇ ଖନେଇ କଥା କହୁଛି, ସେଥି ପାଇଁ ମାଆ ଚନ୍ଦ୍ର ବ୍ରତ କରି ଥିଲା । ଚିନାଏ ସୁନାରେ ଅଧା ଚାନ୍ଦଟିଏ ଗଢ଼େଇ କଳା ସୂତାରେ ତା ଗଳାରେ ପିନ୍ଧେଇ ଦେଇ ଥିଲା । ସେଇ ଦିନ ଠାରୁ ଏଇ ଚାନ୍ଦ ତା ଗଳାରେ ବନ୍ଧା, ବୟସ ବଢିବା ସହିତ ସୁତାର ଲମ୍ବ ସିନା ବଢ଼ି ଚାଲିଲା କିନ୍ତୁ ସେଇ ଚିନାଏ ସୁନା, ସେଇ ଚିନାଏ ହିଁ ରହି ଗଲା । ମାଆ ସବୁ ବେଳେ ମନେ ପକେଇ ଦିଏ, ପୁଅରେ ଏ ଚାନ୍ଦ କେବେ ହଜାଇବୁନି କି କାହାକୁ ଦେବୁନି । କିନ୍ତୁ ସେଇ ଚାନ୍ଦକୁ ହାତରେ ଜାବୁଡି ଧରି ସଦେଇ ଆଜି ଭାବୁ ଥିଲା, ବୋଧହୁଏ ଏଇ ଚାନ୍ଦ, ଚନ୍ଦ୍ର ଦେବତାଙ୍କ ପ୍ରତିନିଧି ହୋଇ, ସତେ ଯେପରି ତା ହାତକୁ ଆସିଛନ୍ତି ଆଉ, ସେମାନଙ୍କୁ ଜୀବ ଦାନର ବର ଦେବା ପାଇଁ ଉପସ୍ଥିତ ହୋଇଛନ୍ତି ।

ସୁତାରେ ବନ୍ଧା ଅଧା ଚାନ୍ଦକୁ ହାତରେ ମୁଠାଇ ଧରି ଖୁବ୍ ଜୋରରେ ଚିତ୍କାର କରି ଉଠିଲା ସଦେଇ, ମିଳିଗଲା, ମିଳିଗଲା । ସଦେଇର ଚିତ୍କାର ଶୁଣି ବାକି ଦୁଇ ସାଙ୍ଗ ଘଡ ପଡ ହୋଇ ଉଠି ପଡି ସଦେଇକୁ ଦେଖୁଥାନ୍ତି । କଣ ହେଲା ସଦେଇ? କଣ ସ୍ଵପ୍ନ ଦେଖିଲୁ କି? ‌

: ଆରେ ସ୍ଵପ୍ନ ନୁହେଁ, ସ୍ଵୟଂ ଜଗନ୍ନାଥ ଆମ ଦୁଃଖ ଦେଖି ଦୟାରେ ଚନ୍ଦ୍ର ଦେବତାଙ୍କୁ ଆମ ପାଖକୁ ପଠାଇଛନ୍ତି, ବଡ ଉତ୍ସାହର ସହିତ କହି ପକାଇଲା ସଦେଇ ।

ହ‌ଇରେ ସଦେଇ, ଭୋକରେ ତୁ ବାଉଳା ହୋଇ ଗଲୁଣି । ୟାଡୁ ସ୍ୟାଡୁ କଣ ଗୁଡାଏ ସ୍ଵପ୍ନ ଦେଖି ବିଳି ବିଳ‌ଉଚୁ ଧୈର୍ଯ୍ୟ ରଖ ସବୁ ଠିକ୍ ହୋଇ ଯିବ ।

: ଆରେ, ସବୁ ଠିକ୍ ହୋଇ ଯିବ ନୁହଁ, ସବୁ ଠିକ୍ ହୋଇ ଯାଇଛି, ଏଇ ଦେଖ ମୋତେ କଣ ମିଳିଛି । ନିଜ ଗଳାରେ ସୁତାରେ ବନ୍ଧା ଚାନ୍ଦକୁ ନିଜ ହାତ ମୁଠାରେ ଜାବୁଡି ଧରି ସଦେଇ କହିଲା, ଏଇ ଦେଖ ସୁନାର ଏଇ ଚାନ୍ଦକୁ, ଚିନାଏ ସୁନାର ଏଇ ଚାନ୍ଦ । ରାତି ପାହିଲେ, ରାସନ ଦୋକାନି ପାଖକୁ ଯିବା । ସେ ଯଦି ଏଇଟାକୁ କିଣି ନବାକୁ ରାଜି ହେବ, ତାକୁ ବିକି ଦେବା ନହେଲେ ବନ୍ଧା ପକାଇ ଦେବା । କିଛି ଦିନ ପାଇଁ ରାସନର ଯୋଗାଡ ହୋଇଯିବ ।

ଏ ମହାମାରୀ କେବେ ସରିବ କେହି ଜାଣିନି, ସୁତା କଳରେ କାମ ପୁଣି ଥରେ କେବେ ଆରମ୍ଭ ହେବ କହି ହେଉନି ‌। ଆମ ପାଖରେ ଆଉ କିଛି ନାହିଁ । ଏଇ ସୁନା ଚିନାକରୁ ଯାହା ମିଳିବ, ସେତିକି ପ‌ଇସାରେ ଚୁଡା ଗୁଡ କିଣି ବହୁଡିବାର ବନ୍ଦୋବସ୍ତ କରିବା । କେତେ ଲୋକ ପିଲା ଛୁଆଙ୍କୁ ସାଙ୍ଗରେ ନେଇ ପାଦରେ ଚାଲି ଚାଲି, ବିହାର, ୟୁପି, ହରିୟାଣା ଯାଉଛନ୍ତି । ଆମେତ ଭେଣ୍ଡିଆ ଗୁଡାକ, ଟିକିଏ ସାହସ କଲେ, ଘରେ ପହଞ୍ଚି ଯିବା ।

ସଦେଇର କଥା ଶୁଣି ବାକି ଦୁଇଜଣଙ୍କ ମନରେ ଟିକେ ଭରସା ଆସିଲା । ରାତି ପାହିଲେ, ପେଟ ପୁରାଇ କିଛି ଖାଇବାକୁ ମିଳିବ । ମରୁଭୂମୀରେ ସତେ ଯେପରି ବର୍ଷା ହୋଇଗଲା କି ରଙ୍କକୁ ଯେପରି କୋଟି ସମ୍ପତ୍ତି ମିଳିଗଲା ପରି ତିନି ସାଙ୍ଗ ପରସ୍ପରକୁ କୁଣ୍ଢେଇ ଧରି ଭୋ ଭୋ କରି କାନ୍ଦି ଉଠିଲେ । ଏ ଲୁହରେ କଷ୍ଟ ନଥିଲା ବରଂ ଶୁଷ୍କ ଧରିତ୍ରୀ ଉପରେ ଆଷାଢ଼ର ପ୍ରଥମ ବର୍ଷାର ବୁନ୍ଦା ଥିଲା, ଏଥିରେ ଏକ ଆସ୍ଵସ୍ଥି ଥିଲା, ଆହୁରି କିଛି ଦିନ ବଞ୍ଚି ଯିବାର ବରଦାନ ଥିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top