ସମ୍ପାଦକୀୟ

ହସ୍ତତନ୍ତ ଶିଳ୍ପରେ ଓଡିଶା- କେତେ ବାସ୍ତବତା !

Dr Mousumi Parida's odia editorial article Hastanta Shilpare Odisha - Kete Bastabikata !

ଆଜିକାଲି ସଭ୍ରାନ୍ତ ବର୍ଗର ସ୍ତ୍ରୀ ପୁରୁଷ ଉଭୟ ସମ୍ବଲପୁରୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

“ଅତିଥି ଦେବୋ ଭବ”ଅନୁସାରେ ୨୦୨୫ ମସିହା ଜାନୁଆରୀ ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବୈଶ୍ୱିକ ରାଜଦୂତମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଉଦ୍ଧେଶ୍ୟରେ ରାଜ୍ୟ ପ୍ରଶାସନ ତରଫରୁ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରକୁ ରାଣୀ ପରି ସଜାଯାଇଥିଲା ଅତିଥିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ । ସମ୍ମେଳନ ଶେଷରେ ଅନେକ ରୋଚକ ଖବର ଭିତରୁ ଗୋଟିଏ ପ୍ରସଂଗଭିତ୍ତିକ ରୋଚକ ଖବର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ହେଉଛି- ୪ ଦିନରେ ବୟନିକାରୁ ୨ କୋଟି ଶାଢୀ କାରବାର ସଂପର୍କିତ ଖବର । ତାଂଜାନିଆରୁ ଆସିଥିବା ଡ. କୌଶିକ ଲକ୍ଷ୍ମୀଙ୍କ ଅନୁଯାୟୀ ଓଡିଶାର ଶାଢୀ ପ୍ରତି ବିଦେଶର ଆଦର ରହିଛି । ସୁଯୋଗ ମିଳିଲେ ଆମେ ଶାଢୀ କିଣିବାକୁ ଭୁଲି ନଥାଉ । ମିଆଁମାରର ଡ. ରାମ ନିବାସଙ୍କ ମତରେ- ଓଡିଶାର ଶାଢୀ ଦେଖି ଆମେ ବିସ୍ମିତ । ଆମ ପାଇଁ ଶାଢୀ କିଣିବାର ଏହା ଏକ ସ୍ମରଣୀୟ ଦିନ ହୋଇ ରହିବ । ଡ. ପ୍ରେମ କୁମାରଙ୍କ ସହିତ ଲେଖାରାଜଙ୍କ ପରି ଅନ୍ୟମାନେ ଓଡିଶାର ଶାଢୀକୁ ଆଗ୍ରହର ସହିତ କିଣିଛନ୍ତି । ( ସମାଜ, ୧୨ ତାରିଖ ଜାନୁଆରୀ ) । କହିବା ବାହୁଲ୍ୟ ଓଡିଶାର ଶାଢୀ ନିଜ ସ୍ୱତନ୍ତ୍ରତା ଦୃଷ୍ଟିରୁ ବେଶ୍ ଆକର୍ଷଣୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ।

ଶାଢୀର ମୂଳ ଶବ୍ଦ ଶାଟିକା । ଆନୁମାନିକ ଖ୍ରୀ.ପୂ ୨୦୦୦ର ସିନ୍ଧୁ ସଭ୍ୟତାରୁ ଜଣାଯାଏ ଯେ ସେତେବେଳର ମହିଳାମାନେ ଶାଢୀ ବ୍ୟବହାର କରୁଥିଲେ । ତନ୍ତୁରୁ ପ୍ରସ୍ତୁତ ସୂତା ଦ୍ୱାରା ଶାଢୀ ତିଆରି ହେଉଥିଲା । ପ୍ରାକୃତିକ ରଙ୍ଗ ଦିଆଯାଇ ଶାଢୀକୁ ଆକର୍ଷଣୀୟ କରାଯାଉଥିଲା । ସମୟାନୁକ୍ରମେ ବିଭିନ୍ନ ଶୈଳୀ ଓ ବିଭିନ୍ନ ସୂତା ଦ୍ୱାରା ଏହାକୁ ଅତ୍ୟାଧୁନିକ ଢାଂଚାରେ ପ୍ରସ୍ତୁତ କରାଗଲା । ବିଭିନ୍ନ ରାଜ୍ୟର ଲୋକେ ସେମାନଙ୍କ ପାରମ୍ପରିକ ଶୈଳୀରେ ଶାଢୀ ପିନ୍ଧିଥାନ୍ତି । ଶାଢୀରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଅନ୍ୟ ଏକ ଗବେଷଣାରୁ ଜଣାଯାଏ ଯେ ୧୯୧୩ ମସିହାରେ ଇଜିପ୍ଟର କାଏରେଠାରେ ଖନନ ଦ୍ୱାରା ମିଳିଥିବା ଗୋଟେ ସଂରକ୍ଷିତ ଶବ (ମମି) ଠାରୁ ଚିହ୍ନଟ କରାଯାଇଥିବା ତରଖାନ୍ ପୋଷାକଟି ପ୍ରାୟ ୫ ହଜାର ବର୍ଷ ତଳ ପୁରୁଣା ହୋଇଥିବାରୁ ଏହାକୁ ପ୍ରଥମ ହାତବୁଣା ପୋଷାକ ବୋଲି ଅନୁମାନ କରାଯାଏ । ଅର୍ଥାତ୍ ହାତବୁଣା ପୋଷାକର ଇତିହାସ ବେଶ୍ ପ୍ରାଚୀନ ।

ସମୟାନୁକ୍ରମେ ସଂସ୍କୃତି, ପରମ୍ପରା, ପସନ୍ଦ ଓ ଆର୍ଥିକ ସ୍ୱଚ୍ଛଳତା ଅନୁସାରେ ପୋଷାକର ଇତିହାସ ତଥା ରୂପରେଖ, ଆକାର, ପ୍ରକାର, ରଙ୍ଗ, ଭେଦ ବିବର୍ତ୍ତିତ ହେଲା । ଅବଶ୍ୟ ମଣିଷ ସେତେବେଳେ ଆଧୁନିକ ହେଲା ଯେତେବେଳେ ନିଆଁର ବ୍ୟବହାର ଜାଣିବା ସହିତ ସମାଜ ଗଠନ କରି ଛୋଟଛୋଟ ଦଳରେ ରହିବାକୁ ଲାଗିଲା । ନିରାପତ୍ତା ଓ ସହଜ ଜୀବନଯାପନ ପାଇଁ ଘର ସହିତ ଖାଦ୍ୟଶସ୍ୟ ଗଚ୍ଛିତ କରି ଶିଖିଲା । କ୍ରମଶଃ ଖାଦ୍ୟର ପ୍ରକାରଭେଦ ସହିତ ପୋଷାକ ଓ ଜୀବନ ଶୈଳୀ ମଧ୍ୟ ପ୍ରଭାବିତ ହୋଇଥିଲା । ସେହି କ୍ରମରେ ପୋଷାକ ତିଆରି ଓ ବ୍ୟବହାର ବଦଳିଲା । ଗଛରୁ ପ୍ରସ୍ତୁତ ତନ୍ତୁ, ସୂତା,ଚମଡା, ସିଲ୍କ, ଝୋଟ, ମେଣ୍ଢା ଲୋମ ବା ପଶମରୁ ପୋଷାକ ପ୍ରସ୍ତୁତ କରିବା ଆରଂଭ କଲା । ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଅନୁସାରେ ଖ୍ରୀ. ପୂ ୭୦୦୦ରୁ ହସ୍ତତନ୍ତ ପୋଷାକ ବ୍ୟବହାର ହୋଇଆସୁଛି ।
ଆମ ଦେଶରେ ଲୁଗା/ଶାଢୀ ନାରୀ ଓ କୁର୍ତ୍ତା ପାଇଜାମା ପୁରୁଷମାନଙ୍କ ମୁଖ୍ୟ ପରିଧାନ । ଆଂଚଳିକ ସ୍ତରରେ ଏହା ସାମାନ୍ୟ ପରିବର୍ତ୍ତିତ ହୋଇ ନିଜସ୍ୱ ସ୍ୱତନ୍ତ୍ରତା ବଜାୟ ରଖିଛି । ଖାଲି ଆମ ଦେଶରେ ନୁହେଁ ଆଜିକାଲି ଦେଶବିଦେଶରେ ମଧ୍ୟ ଆମ ଶାଢୀକୁ ପସନ୍ଦ କରାଯାଉଛି । ଅବଶ୍ୟ ଅତ୍ୟାଧୁନିକ ଶୈଳୀ, ପାରମ୍ପରିକତା ସହିତ ପାଶ୍ଚାତ୍ୟ ପୋଷାକ ପ୍ରତି ଆକର୍ଷଣ ବୃଦ୍ଧି ଶାଢୀ ଶିଳ୍ପକୁ ନୂଆ ରୂପରଙ୍ଗ ଦେଇ ବିଶ୍ୱ ଦରବାରରେ ପରିଚିତ କରାଇ ସାରିଲାଣି । ସେଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ଶାଢୀର ଚାହିଦା ଅଚାନକ ବୃଦ୍ଧି ପାଇଛି । ଚଳିତବର୍ଷ ପ୍ରାରଂଭରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ହୋଇଥିବା ଶାଢୀବିକ୍ରୀ ଏହାର ଉଦାହରଣ । ପ୍ରକାଶ ଥାଉ କି କେବଳ ଭାରତରେ ନୁହେଁ ଶ୍ରୀଲଙ୍କା, ନେପାଳ, ବଙ୍ଗଳାଦେଶ ଓ ପାକିସ୍ତାନରେ ମଧ୍ୟ ଶାଢୀ ପିନ୍ଧାଯାଏ । କିନ୍ତୁ ଶାଢୀ ରପ୍ତାନୀ ଓ ବ୍ୟବହାରକାରୀଙ୍କ ସଂଖ୍ୟାରେ ଭାରତ ବିଶ୍ୱରେ ପ୍ରଥମ । ଶାଢୀ ରପ୍ତାନୀର ୭୩.୬୧ ପ୍ରତିଶତ ଭାଗ ଆମେରିକା, ମାଲୟେସିଆ, ନେପାଳ, ଶ୍ରୀଲଙ୍କା ଓ ସଂଯୁକ୍ତ ରାଷ୍ଟ୍ରକୁ ଯାଏ । ଅଷ୍ଟ୍ରେଲିଆକୁ ମଧ୍ୟ ଶାଢୀ ରପ୍ତାନୀ ହୁଏ ।

ଆମ ରାଜ୍ୟ ଓଡିଶାରେ ମଧ୍ୟ ବୟନ ଶିଳ୍ପର ଇତିହାସ ବହୁ ପୁରୁଣା । ସମ୍ବଲପୁରୀ ବାନ୍ଧକଳା ଖାଲି ଆମ ରାଜ୍ୟରେ ନୁହେଁ ସାରା ଦେଶରେ ପରିଚିତ ଓ ଲୋକପ୍ରିୟ । ବୟନ ଶୈଳୀ, ରଙ୍ଗ ଓ ବ୍ୟବହୃତ ସୂତାର ମାନକୁ ନେଇ ବସ୍ତ୍ରର ମୂଲ୍ୟ ପ୍ରଭାବିତ ହୁଏ । ବିଭିନ୍ନ ସ୍ଥାନର ବୁଣାକାରମାନେ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରୁଥିବାରୁ ସେସବୁକୁ ବିଭିନ୍ନ ନାମରେ ନାମିତ କରାଯାଏ । ସମ୍ବଲପୁରୀ ବସ୍ତ୍ର କହିଲେ ଆଖି ଆଗରେ ନାଚିଉଠେ ଭଳିଭଳି କିସମର ଚିତ୍ରିତ ଶାଢୀ । ଓଡିଶାର ପୁରପଲ୍ଲୀ ବିଶେଷ କରି ପଶ୍ଚିମ ଓଡିଶା ଓ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବହୁ ପୁରୁଣା କାଳରୁ ହାତରେ ବୁଣାଯାଉଥିବା ଏହି ଶାଢୀଗୁଡିକ ପିନ୍ଧିବାକୁ ବେଶ୍ ଆରାମଦାୟକ ।

ଦ୍ୱାଦଶ ଶତାବ୍ଦୀର ସୁନାମଧନ୍ୟ କବି ଜୟଦେବ ସଂପୂର୍ଣ୍ଣ ଗୀତଗୋବିନ୍ଦର ପଦାବଳୀ ନିଜ ଜନ୍ମସ୍ଥାନ କେନ୍ଦୁଲିରୁ ପାଟବସ୍ତ୍ରରେ ଲେଖେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ପରେ ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ପୁରୀ ରାଜା ନୂଆପାଟଣା ଅନ୍ତର୍ଗତ ଟିଗିରିଆର ବୁଣାକାରମାନଙ୍କୁ ଏଭଳି ବସ୍ତ୍ର ତିଆରି କରିବାକୁ ଆଦେଶ ଦେଇଥିଲେ । ସମୟାନୁସାରେ ଏହାର ନବୀକରଣ ହେଲା । ଖଣ୍ଡୁଆ ପାଟ ଓ ଅନ୍ୟ ବୁଣାବସ୍ତ୍ର ମଧ୍ୟ ମହାପ୍ରଭୁଙ୍କୁ ଲାଗି ହୋଇଆସୁଛି । କାଳକ୍ରମେ ଏହାର ଡିଜାଇନ୍ ଶ୍ରୀମନ୍ଦିର ଛଡା କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଛି ।

ପଶ୍ଚିମ ଓଡିଶାର ବରଗଡ, ସୋନପୁର, ବରପାଲି, ରେମୁଣ୍ଡା, ବୌଦ୍ଧ, ସିଂହପାଲି, ତରଭା, କେନ୍ଦୁପାଲି, ବୀରମହାରାଜପୁର ଆଦି ସ୍ଥାନଗୁଡିକରେ ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ଆମ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଯଥା କଟକର ନୂଆପାଟଣା, ବଡମ୍ବା, ମାଣିଆବନ୍ଧ, ନରସିଂହପୁର, ଟିଗିରିଆ, ବାଲେଶ୍ୱର ଓ ଯାଜପୁରର କିଛି ସ୍ଥାନରେ ଏଭଳି ଶାଢୀ ପ୍ରସ୍ତୁତ ହୋଇଆସୁଛି । ଆଜିକାଲି ସଭ୍ରାନ୍ତ ବର୍ଗର ସ୍ତ୍ରୀ ପୁରୁଷ ଉଭୟ ସମ୍ବଲପୁରୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ବୁଣାକାରମାନଙ୍କର ପରିଶ୍ରମ-ପ୍ରସୂତ ବସ୍ତ୍ରଗୁଡିକରେ ନିହିତ ଥାଏ କଳାକୁଶଳତା, ରଙ୍ଗର ଅପୂର୍ବ ଚୟନ ଯାହାଦ୍ୱାରା ଶାଢୀଗୁଡିକ କେବଳ ସୁଦୃଶ୍ୟ ନୁହଁନ୍ତି ଖୁବ୍ ଆକର୍ଷଣୀୟ ମଧ୍ୟ । ଆଜିକାଲି ବିଭିନ୍ନ ରଙ୍ଗ, ଶୈଳୀ, ବଜାର ଚାହିଦା ସହ ଆଧୁନିକତାକୁ ବଜାୟ ରଖି ପ୍ରସ୍ତୁତ କରାଯାଉଥିବାରୁ ସମ୍ବଲପୁରୀ ବସ୍ତ୍ରର ଆବଶ୍ୟକତା ଆଗ ଅପେକ୍ଷା ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ବିଦେଶୀଙ୍କ ଧ୍ୟାନ ଆକର୍ଷଣ କରିଆସିଛି । ଦିନ ଥିଲା ପ୍ରତି ଘରେ ସମ୍ବଲପୁରୀ ବସ୍ତ୍ରର ବ୍ୟବହାର ହେଉଥିଲା । ବିଶେଷ କରି ବୟସ୍କା ମହିଳା ସମ୍ବଲପୁରୀ ସୂତାଶାଢୀ ବେଶି ବ୍ୟବହାର କରୁଥିଲେ । ଧନୀ ଗରିବ ମଧ୍ୟବିତ୍ତପ୍ରାୟ ସବୁ ଶ୍ରେଣୀର ଲୋକ ସମ୍ବଲପୁରୀ ଶାଢୀ ପିନ୍ଧିପାରିବାର କ୍ଷମତା ରଖୁଥିଲେ । ସେ ଅନୁଯାୟୀ ସେତେବେଳେ ବଜାରରେ ବିଭିନ୍ନ ମୂଲ୍ୟର ସମ୍ବଲପୁରୀ ଶାଢୀ ଉପଲବ୍ଧ ହେଉଥିଲା । ବିବାହ ବ୍ରତରେ ଦାମିକା ଶାଢୀ ହିସାବରେ ପ୍ରାୟତଃ ସମ୍ବଲପୁରୀ ପାଟ ବ୍ୟବହାର କରାଯାଉଥିଲା ।

ସମୟ ଥିଲା ନଣନ୍ଦ ପୁଟୁଳିରେ ପ୍ରଥମେ ସମ୍ବଲପୁରୀ ପାଟ ଖୋଜାପଡୁଥିଲା । ଝିଅର ବିବାହଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ପାଟଶାଢୀ ହିଁ ଉପହାର ରୂପେ ବାପଘର ପକ୍ଷରୁ ଦିଆଯାଉଥିଲା । ତା ଭିତରେ ଲୁଚି ରହିଥିଲା ମାଟିର ମହକ, ବୁଣାକାରମାନଙ୍କ ସ୍ନେହଭରା ଆଶିଷ । ଆଜିକାଲି ସମୟ ସହିତ ଋଚି ଓ ଦୃଷ୍ଟିକୋଣ ବଦଳିଛି । ଆଗପରି ସମ୍ବଲପୁରୀ ଶାଢୀ ସହଜଲବ୍ଧ ହୋଇ ରହିନାହିଁ । ଏହାର ଚାହିଦା ବୃଦ୍ଧି ସହିତ ମୂଲ୍ୟ ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧିପାଇଛି ।

କିନ୍ତୁ ତନ୍ତବୁଣା ଶାଢୀ ଓ ବୟନଶିଳ୍ପ କାହିଁ କୋଉ କାଳରୁ ଓଡିଶାର ପାରମ୍ପରିକତା ବଜାୟ ରଖିଆସିଛି । କଳା-ଐତିହାସିକଙ୍କ ମତରେ ଏହି ପାରମ୍ପରିକ ତନ୍ତବୁଣା ଶାଢୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ସମ୍ବନ୍ଧାନ୍ୱିତ ଓ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ । ଆରମ୍ଭରୁ ଧଳା, ହଳଦୀ, ଲାଲ୍ ଓ କଳା ଏହି ଚାରିରଙ୍ଗରେ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ପରେ ସବୁଜ ରଙ୍ଗର ପ୍ରୟୋଗ କରାଯାଇଥିଲା । ବେଦ ଅନୁସାରେ ବ୍ୟବହୃତ ରଙ୍ଗ ଅତୀତ, ବର୍ତ୍ତମାନ, ଭବିଷ୍ୟ ତଥା ମହାକାଳର । ମନ୍ଦିର, ଗଛଲତା, ପତ୍ର, ହାତୀ, ହରିଣ, ଫୁଲପତ୍ର, ଚଢେଇ ଓ ଜ୍ୟାମିତିକ ଆକାରକୁ ନେଇ ଶାଢୀରେ ଡିଜାଇନ୍ ପ୍ରସ୍ତୁତ କରାଯାଉଥିଲା । ( ଓଡିଶାରେ ବୟନ ଇତିହାସ, ୨୬ ନଭେମ୍ବର, ୨୦୨୦) ଏବେ ସମୟ ସହିତ ଶୈଳୀ ମଧ୍ୟ ବଦଳିଛି । ତା ସହିତ ଲୋକମାନଙ୍କ ପସନ୍ଦ ବି ।

୧୯୮୦ ମସିହାରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ସମ୍ବଲପୁରୀ ଶାଢୀ ପିନ୍ଧୁଥିଲେ ଯାହା ତାଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣିତ କରୁଥିଲା । ୨୦୦୭ ମସିହାରେ ବଲିଉଡ୍ ଫିଲ୍ମର କିମ୍ବଦନ୍ତୀ ପୁରୁଷ ଅମିତାଭ ବଚ୍ଚନ ନିଜପୁଅର ବିବାହ ପ୍ରସ୍ତାବ ନେଇ ଐଶ୍ୱର୍ଯ୍ୟା ରାୟଙ୍କ ଘରକୁ ଯିବାବେଳେ ଦୁଇଟି ସମ୍ବଲପୁରୀ ଶାଢୀ ଉପହାର ସ୍ୱରୂପ ସାଙ୍ଗରେ ନେଇଯାଇଥିଲେ । ନିକଟରେ ଲୋକସଭା ସଦସ୍ୟା ସୁପ୍ରୟା ସୁଲେ ପାର୍ଲ୍ୟାମେଣ୍ଟରେ ନିଜ ବକ୍ତବ୍ୟ ରଖିବାବେଳେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା ନକରି ରହିପାରିନଥିଲେ । ସେ କହିଥିଲେ- ସମ୍ବଲପୁରୀ ଶାଢୀ ପିନ୍ଧି ସେ କେତେ ସୁନ୍ଦରୀ ଓ ମର୍ଯ୍ୟାଦାସଂପନ୍ନ ଦିଶୁଛନ୍ତି ! ନିକଟ ଅତୀତରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ତାଙ୍କ ଫିଲ୍ମ ଶକୁନ୍ତଳା ଦେବୀର ପ୍ରମୋସନ୍ ଅବସରରେ ସମ୍ବଲପୁରୀ ଶାଢୀ ପିନ୍ଧିଥିଲେ । ସେ ଅବସରରେ ସେ ବାନ୍ଧ ଶିଳ୍ପୀମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । ସମ୍ବଲପୁରୀ ଶାଢୀର ଚାହିଦା ବୃଦ୍ଧିର ଏସବୁ ଗୋଟେ ଗୋଟେ ଉଦାହରଣ ।

ଏହା ସତ୍ତ୍ୱେ ଓଡିଶାର ପୁରପଲ୍ଲୀରେ ଆଉ ସେଭଳି ସମ୍ବଲପୁରୀ ଶାଢୀପିନ୍ଧା ଝିଅବୋହୂ ଦେଖାଯାଉନାହାନ୍ତି ! ଚାହିଦା ବଢୁଥିବାରୁ ଏହାର ଅହେତୁକ ମୂଲ୍ୟବୃଦ୍ଧି ଲୋକଙ୍କ ପକେଟକୁ ଆଜିକାଲି ଆଗପରି ସୁହାଉ ନାହିଁ । ଅବଶ୍ୟ ପାଟଶାଢୀଟିଏ ବୁଣିବା ସମୟସାପେକ୍ଷ । ସେ ଅନୁସାରେ ମୂଲ୍ୟ ମଧ୍ୟ ବୃଦ୍ଧି ସାଧାରଣ କଥା । ସାଢେ ଚାରିହଜାରରୁ ସତୁରୀ, ଅଶୀ ହଜାର ପର୍ଯ୍ୟନ୍ତ ସମ୍ବଲପୁରୀ ଶାଢୀ ବଜାରରେ ଉପଲବ୍ଧ ଯାହା ସୁନା ଦାମ୍ ପରି ଆକାଶଛୁଆଁ । ସେଥିପାଇଁ ସମ୍ବଲପୁରୀ ପ୍ରିଂଟ୍ ଦେଇ ବନାଯାଉଥିବା ଶାଢୀ ପିନ୍ଧି ସେମାନେ ମନକୁ ବୁଝାଇ ଦେଉଛନ୍ତି !

ନିମ୍ନ ମଧ୍ୟବିତ୍ତ ବ୍ୟକ୍ତିଟିଏ ଝିଅ ବିବାହ ପାଇଁ ମନ ପସନ୍ଦର ପନ୍ଦର, କୋଡିଏ ହଜାର ଟଙ୍କାର ପାଟଶାଢୀ ନକିଣି ସେହି ଟଙ୍କାରେ ସୁନା ଗହଣା କିଣିବା ଉଚିତ୍ ହେବ । ନଣନ୍ଦ ପୁଟୁଳିରେ ଅନ୍ୟ କୌଣସି ବିକଳ୍ପ ଆପଣାଯାଇ ମନ ବୁଝାଯାଇପାରେ । ପାଞ୍ଚ ସାତ ଖଣ୍ଡ ସମ୍ବଲପୁରୀ ପାଟ ବଦଳରେ ବିବାହ ସମୟରେ ଖଣ୍ଡେ ସମ୍ବଲପୁରୀ ପାଟ କିଣାଯାଇପାରେ ।

ମୂଲ୍ୟବୃଦ୍ଧି ଦ୍ୱାରା ଯେ ବୁଣାକାରର ଭାଗ୍ୟ ବଦଳୁଛି, ତା ସତ୍ୟ ନୁହେଁ । ଭାଗ୍ୟ ବଦଳୁଛି କିଛି ଅସାଧୁ ବ୍ୟବସାୟୀଙ୍କର । ହସ୍ତତନ୍ତର ସ୍ୱାତନ୍ତ୍ର୍ୟ ବହନ କରୁଥିବା ସମ୍ବଲପୁରୀ ବସ୍ତ୍ର ଓଡିଆ ଅସ୍ମିତାର ପରିଚାୟକ, ତେଣୁ ସବୁ ଓଡିଆ ଏହାର ହକଦାର୍ ହେବା ଉଚିତ୍ । ସେଥିପାଇଁ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖି ବ୍ୟବସାୟକୁ ପ୍ରସାରିତ କରାଗଲେ ବୁଣାକାର, ବ୍ୟବସାୟୀ ଓ ଜନସାଧାରଣ ସମସ୍ତେ ସନ୍ତୁଷ୍ଟ ହୋଇପାରନ୍ତେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top