ପ୍ରବନ୍ଧ

ଐତିହ୍ୟ, ଗୌରବ ଓ ଅସ୍ମିତା ଜାଗରଣର ବାର୍ତ୍ତାବହ ଉତ୍କଳ ଦିବସ

Shri Nihar Ranjan Sabat's Odia Prose Aitihya, Gouraba o Asmita Jagaranara Barttabah Utkala Dibasa

ଅତୀତରେ ଏହା ମୁଖ୍ୟତଃ ରାଜ୍ୟ ଗଠନ ପାଇଁ ହୋଇଥିବା ସଂଘର୍ଷକୁ ସ୍ମରଣ କରି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋଭାଯାତ୍ରା ଓ ସଭାସମିତି ମାଧ୍ୟମରେ ପାଳିତ ହେଉଥିଲା ।

କେତେକ ଦିନ କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ବରଂ ଏକ ଜାତିର ହୃଦୟରେ ଚିରକାଳ ଅମର ହୋଇ ରହେ । ସେହି ଦିନଗୁଡ଼ିକ ଆମର ପୂର୍ବଜମାନଙ୍କ ତ୍ୟାଗ, ସଂଘର୍ଷ, ଆଶା ଓ ସ୍ୱପ୍ନକୁ ଏକ ସୁନ୍ଦର ସୂତ୍ରରେ ଗୁନ୍ଥି ଦେଇଥାଏ । ପ୍ରତିବର୍ଷ ଅପ୍ରେଲ୍ ମାସ ଏକ ତାରିଖରେ ପାଳିତ ହେଉଥିବା ଉତ୍କଳ ଦିବସ ବା ଓଡ଼ିଶା ଦିବସ ଠିକ୍ ଏମିତି ଏକ ପବିତ୍ର ଦିନ, ଯାହା ଓଡ଼ିଶାର ଆତ୍ମାକୁ ନୂଆ ଉତ୍ସାହରେ ଜାଗ୍ରତ କରେ । ଏହା ଆମର ଗୌରବର ଦିନ, ପରିଚୟର ଦିନ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ।

ପ୍ରାଚୀନ କଳିଙ୍ଗର ବୀରତ୍ୱ ଓ ସଂସ୍କୃତି ବିଶ୍ୱରେ ଖ୍ୟାତି ଲାଭ କରିଥିଲା । ୧୫୬୮ ମସିହାରେ ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ପତନ ପରେ ଓଡ଼ିଶା ସ୍ୱାଧୀନତା ହରାଇଥିଲା । ମୋଗଲ ଓ ବ୍ରିଟିଶ୍ ଶାସନ ଏହି ପବିତ୍ର ଭୂମିକୁ ବିଭାଜିତ କରିଦେଲା, ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ଅବହେଳିତ ହୋଇପଡ଼ିଥିଲା । ଲୋକେ ନିଜ ଜନ୍ମଭୂମିରେ ମଧ୍ୟ ଅସ୍ତିତ୍ୱର ସଙ୍କଟ ଅନୁଭବ କରୁଥିଲେ । ଏହି ଅନ୍ଧକାର ଯୁଗରେ ମଧ୍ୟ ଆଶାର ଏକ କ୍ଷୀଣ ଆଲୋକ ଜଳିଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାକୁ ଭୟଙ୍କର ଭାବେ ଆଘାତ ଦେଇଥିଲା ଏବଂ ଲୋକଙ୍କ ମନରେ ଭରି ଦେଇଥିଲା ନୂଆ ଜାଗରଣ ଓ ନୂଆ ଚେତନା ।

୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ତାଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପଣ୍ଡିତ ନୀଳକଣ୍ଠ ଦାସ, ଭୁବନାନନ୍ଦ ଦାସ, ଶଶିଭୂଷଣ ରଥ ଓ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଭଳି ମହାନ୍ ନେତୃ ସ୍ଥାନୀୟ ବ୍ୟକ୍ତିତ୍ୱମାନଙ୍କର ଅଦମ୍ୟ ସଙ୍କଳ୍ପ ବଳରେ ୧୯୩୬ ମସିହାର ଅପ୍ରେଲ୍ ମାସ ଏକ ତାରିଖରେ ଓଡ଼ିଶା ଭାରତର ପ୍ରଥମ ଭାଷା ଆଧାରିତ ସ୍ୱତନ୍ତ୍ର ରାଜ୍ୟ ରୂପେ ଜନ୍ମ ନେଇ ନିଜର ପରିଚୟ ଫେରି ପାଇଥିଲା ଏବଂ ତା’ର ଯଥାର୍ଥ ସମ୍ମାନ ଲାଭ କରିଥିଲା । ଗଠନ ସମୟରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଭଳି ଛଅଟି ଜିଲ୍ଲାକୁ ନେଇ ରାଜ୍ୟ ଗଠିତ ହୋଇଥିଲା, ଏବଂ କଟକ ହୋଇଥିଲା ଓଡ଼ିଶା ରାଜ୍ୟର ରାଜଧାନୀ । ଏହା ପ୍ରମାଣ କରିଥିଲା ଯେ ଭାଷା ଓ ସଂସ୍କୃତି କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏକ ଜାତିର ଆତ୍ମାର ମୂଳ ସ୍ୱର । ଏହି ଗୌରବମୟ ସଫଳତା କୌଣସି ସହଜ ଉପହାର ନୁହେଁ; ଏହା ଦୀର୍ଘ ବର୍ଷର ଅକ୍ଲାନ୍ତ ତ୍ୟାଗ, ନିରନ୍ତର ସଂଘର୍ଷ ଓ ଅଟଳ ଏକତାର ମଧୁର ଫଳ ।

୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଶାର ବିକାଶ ଯାତ୍ରା ଏକ ପ୍ରେରଣାଦାୟକ କାହାଣୀ । ଭାଷା ଭିତ୍ତିକ ପ୍ରଦେଶରୁ ଏହା ଆଧୁନିକ ଶିଳ୍ପ ଓ ସେବା ଆଧାରିତ ରାଜ୍ୟରେ ପରିଣତ ହୋଇଛି । ହୀରାକୁଦ୍ ନଦୀବନ୍ଧ, ରାଉରକେଲା ଇସ୍ପାତ କାରଖାନା ଭଳି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ସତ୍ତ୍ୱେ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବିକାଶର ଗତି ଥିଲା ମନ୍ଥର । ୨୦୦୦ ମସିହା ପରେ ଏକ ଗଠନାତ୍ମକ ପରିବର୍ତ୍ତନ ଦେଖାଗଲା । ଅର୍ଥନୈତିକ ବୃଦ୍ଧି ହାର ଉନ୍ନତ ହୋଇଛି, ଖାଦ୍ୟ ଅଭାବରୁ ଆଧିକ୍ୟ ରାଜ୍ୟ ହୋଇଛି ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସ୍ଥାପନ କରିଛି । ତଥାପି ଏହା “ଧନୀ ରାଜ୍ୟ ଅଥଚ ଗରିବ ରାଜ୍ୟବାସୀ”ର ପରିଚୟକୁ ଏବେ ମଧ୍ୟ ବଜାୟ ରଖିଛି । ବିକାଶକ୍ଷେତ୍ରରେ ଆଞ୍ଚଳିକ ଅସମାନତା, କୃଷିର କମ୍ ଉତ୍ପାଦକତା, ଜଳ ସେଚନ ଓ ଖାଦ୍ୟ ପ୍ରକ୍ରିୟାକରଣର ଅଭାବ, ସୂଚନା ପ୍ରଯୁକ୍ତି (ଆଇଟି) ଓ ଉଚ୍ଚ ମୂଲ୍ୟର ଦ୍ରବ୍ୟ ଉତ୍ପାଦନ ତଥା ସେବାସୃଷ୍ଟିରେ ପଛରେ ପଡ଼ିବା ଏବଂ ମାନବ ସମ୍ପଦର ଗୁଣବତ୍ତାରେ ଅଭାବ ଭଳି ସମସ୍ୟାଗୁଡ଼ିକ ଉଭା ହୋଇଛନ୍ତି ରାଜ୍ୟ ପ୍ରଗତିପଥର ପ୍ରମୁଖ ପ୍ରତିବନ୍ଧକ ଭାବରେ । ତେଣୁ ୨୦୩୬ ମସିହାରେ ରାଜ୍ୟଗଠନର ଶହେବର୍ଷ ପୂର୍ତ୍ତି ଓ ୨୦୪୭ ମସିହାରେ ସ୍ୱାଧୀନ ଭାରତର ଶତବାର୍ଷିକୀ ବେଳକୁ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ଭାରତୀୟ ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ଖଣିଜପଦାର୍ଥ ଭିତ୍ତିକ ଅର୍ଥନୀତିରୁ ଉଚ୍ଚ ମୂଲ୍ୟର ଦ୍ରବ୍ୟ ଉତ୍ପାଦନ, ନୀଳ ଅର୍ଥନୀତି, ବିକେନ୍ଦ୍ରୀକୃତ ବିକାଶ, କୃଷି ତଥା ଶିଳ୍ପକ୍ଷେତ୍ରରେ ବିପ୍ଳବ ଓ କୌଶଳ ବିକାଶ ଭଳି ଦିଗ ଗୁଡ଼ିକ ପ୍ରତି ପ୍ରଦାନ କରିବାକୁ ହେବ ଯଥୋଚିତ ଗୁରୁତ୍ତ୍ଵ ।

ଉତ୍କଳ ଦିବସର ସମାରୋହ ସମୟରେ ପୁରୁଣା ଓ ନୂଆର ସୁନ୍ଦର ମିଶ୍ରଣ ଦେଖାଯାଏ । ଅତୀତରେ ଏହା ମୁଖ୍ୟତଃ ରାଜ୍ୟ ଗଠନ ପାଇଁ ହୋଇଥିବା ସଂଘର୍ଷକୁ ସ୍ମରଣ କରି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋଭାଯାତ୍ରା ଓ ସଭାସମିତି ମାଧ୍ୟମରେ ପାଳିତ ହେଉଥିଲା । ଏଲ୍ଇଡ଼ି ଡିସ୍ପ୍ଲେ, ଲାଇଭ୍ ଷ୍ଟ୍ରିମିଙ୍ଗ୍, ଡିଜିଟାଲ୍ କ୍ୟାମ୍ପେନ୍, ଭବ୍ୟ ସାଂସ୍କୃତିକ ମହୋତ୍ସବ, ଆତସବାଜି, ଓଡ଼ିଆ ଖାଦ୍ୟ ଉତ୍ସବ ଓ ଯୁବବର୍ଗଙ୍କ ପାଇଁ କ୍ୱିଜ୍ ଓ ବିତର୍କ ଏହାର ଅଙ୍ଗ ହୋଇଛି । ରାଜ୍ୟ ଗଠନ ଦିବସ ଅପ୍ରେଲ୍ ମାସ ଏକ ତାରିଖରୁ ଅପ୍ରେଲ୍ ମାସ ଚଉଦ ତାରିଖ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳିତ ହେଉଛି । ବିଶ୍ୱର ବିଭିନ୍ନ ଦେଶରେ ଥିବା ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ସଙ୍ଗଠନମାନେ ମଧ୍ୟ ଏହି ଦିନକୁ ଭବ୍ୟତାର ସହ ପାଳନ କରୁଛନ୍ତି ।

ଆଧୁନିକ ଯୁଗର ଉତ୍କଳ ଦିବସ ଏକ ଗଭୀର ସନ୍ଦେଶ ଦେଇଥାଏ । ଏହା ପ୍ରାଚୀନ କଳା ଓ ସଂସ୍କୃତିକୁ ସମ୍ମାନ କରି ଶିଳ୍ପ, ପ୍ରଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବା ନିମନ୍ତେ ଆହ୍ୱାନ ଦେଇଥାଏ । ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଓଡ଼ିଆମାନେ ନିଜ ମୂଳକୁ ସ୍ମରଣ କରୁଛନ୍ତି ଏବଂ “ସ୍ୱାଭିମାନୀ ଓଡ଼ିଆ” ଭାବରେ ଗର୍ବ ଅନୁଭବ କରୁଛନ୍ତି । “ବନ୍ଦେ ଉତ୍କଳ ଜନନୀ”ଗାନ ଏବେ ଏକତା, ସହିଷ୍ଣୁତା ଓ ଆତ୍ମବିଶ୍ୱାସର ପ୍ରତୀକ ହୋଇଛି । ଏହି ଦିବସ ଓଡ଼ିଆମାନଙ୍କୁ ସ୍ମରଣ କରାଏ ଯେ ଆମ ପୂର୍ବପୁରୁଷମାନେ ଭାଷା ପାଇଁ କରିଥିବା ସଂଘର୍ଷକୁ ସମ୍ମାନ ଜଣାଇ ଆମର କଳା, ସଂସ୍କୃତି ଓ ଖାଦ୍ୟ ନିମନ୍ତେ ଗର୍ବିତ ହେବା ଉଚିତ୍ । ନିଜସ୍ୱ ଭାଷା ଓ ସଂସ୍କୃତିର ସମ୍ମାନ ରଖି ଏକ ସମ୍ପୂର୍ଣ୍ଣ ସଂଘୀୟ ବ୍ୟବସ୍ଥାରେ ବିବିଧତା ମଧ୍ୟରେ ଏକତା ରକ୍ଷା କରିବା ସମ୍ଭବ ବୋଲି ଭାରତୀୟ ସମାଜକୁ ଏହା ବାର୍ତ୍ତାଦିଏ । ବିଶ୍ୱ ମାନବ ଜାତିକୁ ଏହା ସନ୍ଦେଶ ଦେଇଥାଏ ଯେ ପରିଚୟ ପୁନଃପ୍ରାପ୍ତି, ସହିଷ୍ଣୁତା, କଳାର ଉତ୍କର୍ଷତା ଓ ଶାନ୍ତିର ପଥ ସର୍ବଦା ପ୍ରାସଙ୍ଗିକ । ପରିଶେଷରେ ଏହା ସାଂସ୍କୃତିକ ମୌଳିକତାକୁ ସୁରକ୍ଷିତ ରଖି ଆଧୁନିକତା ଓ ନବସୃଜନକୁ ଆଲିଙ୍ଗନ କରି ଓଡ଼ିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବରେ ଗଢ଼ିବା ନିମନ୍ତେ ପ୍ରୟାସୀ ହେବାକୁ ଆହ୍ୱାନ ଦେଇଥାଏ ଆଗାମୀ ଭବିଷ୍ୟତର ପିଢ଼ିକୁ ।

ଉତ୍କଳ ଦିବସ ଆମକୁ ଏକତା, ପରିଶ୍ରମ ଓ ପରିଚୟର ମହତ୍ତ୍ୱ ଶିଖାଏ । ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଆମର ଗର୍ବ, ପରିଚୟ ଓ ଭବିଷ୍ୟତର ଏକ ପବିତ୍ର ପ୍ରତିଜ୍ଞା । ଆମେ ଅତୀତର ଗୌରବକୁ ସ୍ମରଣ ରଖି ନୂତନ ପ୍ରଗତିର ସହିତ ପାରମ୍ପରିକତାକୁ ସୁରକ୍ଷିତ ରଖିବା ଉଚିତ୍ । ଆମ ଜନ୍ମଭୂମିର ଗୌରବ ଓ ଆତ୍ମା ଚିରକାଳ ଅମର ରହୁ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top