ପ୍ରବନ୍ଧ

ଶିକ୍ଷା : ଶିକ୍ଷାର ବଜାର : ଜ୍ଞାନ କି ସଉଦା ?

Soujanya Kumar Parida's Odia Prose Shikhya: Shikhayara Bajaar : Gyana Ki Souda

ଏହି ମୁକ୍ତି କେବଳ ଦାରିଦ୍ର୍ୟରୁ ନୁହେଁ; ଅଜ୍ଞାନ, ଅନ୍ଧବିଶ୍ୱାସ, ସଂକୀର୍ଣ୍ଣତା, ଅନୈତିକତା ଓ ମାନସିକ ଅନ୍ଧକାରରୁ ମୁକ୍ତି ।

ଆଜିର ସମାଜରେ ଶିକ୍ଷା ଆଉ କେବଳ ଜ୍ଞାନାର୍ଜନର ପବିତ୍ର ସାଧନା ହୋଇ ରହିନାହିଁ; ଏହା ଧୀରେ ଧୀରେ ଏକ ବୃହତ୍ ବ୍ୟବସାୟରେ ପରିଣତ ହେଉଛି । ଯେଉଁଠାରେ ଗୁରୁ-ଶିଷ୍ୟ ସମ୍ପର୍କ ଥିଲା ଆଧ୍ୟାତ୍ମିକତା, ଆଦର ଓ ଜ୍ଞାନର ପବିତ୍ର ସେତୁ, ସେଠାରେ ଏବେ ଦେଖାଯାଉଛି ଲାଭ-କ୍ଷତିର ହିସାବକିତା । ଶିକ୍ଷାର ମୂଳ ଉଦ୍ଦେଶ୍ୟ ଅସ୍ପଷ୍ଟ ହୋଇପଡ଼ିଛି, ଓ ତାହାର ସ୍ଥାନ ଦଖଳ କରିଛି ନମ୍ବର, ଚାକିରି ଓ ଆର୍ଥିକ ସଫଳତାର ଅନ୍ଧ ଦୌଡ଼।

ପରୀକ୍ଷା ଋତୁ ଶେଷ ହୋଇଛି, ଆରମ୍ଭ ହୋଇଛି ନୂତନ ଶିକ୍ଷାବର୍ଷର ଋତୁ । କିନ୍ତୁ ଏହି ନୂଆ ଶିକ୍ଷା ଋତୁର ପରିବେଶକୁ ଦେଖିଲେ ମନେ ହୁଏନାହିଁ ଯେ ଏହା ଜ୍ଞାନର ଉତ୍ସବ; ବରଂ ଏକ ବିଶାଳ ବ୍ୟବସାୟିକ ମେଳାର ଚିତ୍ର ଆଖିଆଗରେ ଭାସିଉଠେ । ଯେପରି ଦୋକାନ ବଜାରରେ ରିହାତି ବା ସଉଦା ପାଇଁ ଲୋକଙ୍କର ଅସହ୍ୟ ଭିଡ ଲାଗେ, ସେହିପରି ଏବେ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କର ଭିଡ ଦେଖାଯାଉଛି । କେଉଁଠି “ଶତପ୍ରତିଶତ ରେଜଲ୍ଟ”ର ବିଜ୍ଞାପନ, କେଉଁଠି “ସ୍ମାର୍ଟ କ୍ଲାସ୍”, “ଏସି କ୍ୟାମ୍ପସ”, “ପ୍ଲେସମେଣ୍ଟ ଗ୍ୟାରାଣ୍ଟି”ର ଆକର୍ଷକ ପ୍ରଲୋଭନ । ଶିକ୍ଷା ପ୍ରତିଷ୍ଠାନମାନେ ନିଜକୁ ଜ୍ଞାନମନ୍ଦିର ଠାରୁ ଅଧିକ ଏକ ପ୍ରତିଯୋଗୀ ବ୍ୟବସାୟିକ ସଂସ୍ଥାରେ ପରିଣତ କରିବାରେ ବ୍ୟସ୍ତ ।

ଅଭିଭାବକମାନେ ମଧ୍ୟ ଅନିଶ୍ଚିତ ଭବିଷ୍ୟତର ଚିନ୍ତାରେ ଏକ ପ୍ରକାର ଅଣନିଶ୍ୱାସୀ ଦୌଡ଼ରେ ସାମିଲ ହେଉଛନ୍ତି । ସନ୍ତାନର ଭବିଷ୍ୟତକୁ ସୁରକ୍ଷିତ କରିବାର ଆତୁରତାରେ ସେମାନେ ବିଭିନ୍ନ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରର ଦ୍ୱାରେ ଦ୍ୱାରେ ଘୁରୁଛନ୍ତି । କେଉଁଠି ଆଡମିସନ ଫି ର ଚାପ, କେଉଁଠି ଡୋନେସନର ଅଲିଖିତ ନିୟମ, କେଉଁଠି ପୁଣି ସଫଳତାର ସ୍ୱପ୍ନ ଦେଖାଇ ଅଭିଭାବକଙ୍କ ଭାବନା ସହ ବ୍ୟବସାୟ । ଏହି ଦୃଶ୍ୟ କେବେ କେବେ ଏମିତି ଲାଗେ, ଯେପରି ଶିକ୍ଷା ନୁହେଁ, ଏକ “ପ୍ୟାକେଜ୍ଡ ପ୍ରୋଡକ୍ଟ”ର ବଜାର ଚାଲିଛି; ଯେଉଁଠାରେ ଛାତ୍ର ଗ୍ରାହକ ଓ ଶିକ୍ଷା ପ୍ରତିଷ୍ଠାନ ବ୍ୟବସାୟୀ ।

ଆଜିର ଛାତ୍ର ଅଧିକାଂଶ ସମୟରେ ଶିକ୍ଷକଙ୍କ ପାଖରୁ ଜ୍ଞାନ କିମ୍ବା ବିଦ୍ୟା ଆଶା କରୁନାହାନ୍ତି। ସେ ଖୋଜୁଛନ୍ତି ପରୀକ୍ଷାରେ କିପରି ଅଧିକ ନମ୍ବର ଆଣିବେ, କିପରି ସହଜରେ ପାସ୍ କରିବେ, କିପରି ଭଲ ଚାକିରି ପାଇବେ। ତାଙ୍କ ପାଇଁ ଶିକ୍ଷା ହେଉଛି ଜୀବିକାର ଟିକେଟ୍ । ଅନ୍ୟପଟେ ଅନେକ ଶିକ୍ଷକଙ୍କର ମଧ୍ୟ ଲକ୍ଷ୍ୟ ରହିନାହିଁ ଜ୍ଞାନ ବିତରଣର ମହାନ ବ୍ରତ । ଶିକ୍ଷାଦାନ ଏବେ ଅନେକଙ୍କ ପାଇଁ ଏକ ପେଶା, ଉପାର୍ଜନର ଉପାୟ ମାତ୍ର । ଫଳସ୍ୱରୂପ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟର ସମ୍ପର୍କ ଧୀରେ ଧୀରେ ବ୍ୟବସାୟୀ ଓ ଗ୍ରାହକର ସମ୍ପର୍କରେ ପରିଣତ ହେଉଛି ।

ନିଶ୍ଚୟ ଏହାର ବ୍ୟତିକ୍ରମ ଅଛି । ଆଜିମଧ୍ୟ କିଛି ଶିକ୍ଷକ ଅଛନ୍ତି, ଯେଉଁମାନେ ଶିକ୍ଷାକୁ ଏକ ସାଧନା ବୋଲି ମନେ କରନ୍ତି ଓ କିଛି ଛାତ୍ର ଅଛନ୍ତି, ଯେଉଁମାନେ ସତ୍ୟ ଜ୍ଞାନ ପାଇଁ ଆତୁର । କିନ୍ତୁ ସେହି ସଂଖ୍ୟା ଅତ୍ୟନ୍ତ ସାମାନ୍ୟ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ଗ୍ରାସ କରିଛି ସ୍ଥୂଳ ଉପଯୋଗିତାବାଦ ବା “Utilitarianism” । ଶିକ୍ଷାର ମୂଲ୍ୟ ଏବେ ମାପାଯାଉଛି କେତେ ଟଙ୍କା ଉପାର୍ଜନ କରାଯିବ, କେତେ ଶୀଘ୍ର ଚାକିରି ମିଳିବ, କିମ୍ବା କେତେ ବଡ଼ ପଦ ହାସଲ ହେବ ।

କିନ୍ତୁ ଶିକ୍ଷାର ପ୍ରକୃତ ଲକ୍ଷ୍ୟ କ’ଣ ? ଆମ ଭାରତୀୟ ଦାର୍ଶନିକ ପରମ୍ପରା ଏହାର ଉତ୍ତର ଅନେକ ପୂର୍ବରୁ ଦେଇଛି । ଶାସ୍ତ୍ରରେ କୁହାଯାଇଛି, “ସା ବିଦ୍ୟା ଯା ବିମୁକ୍ତୟେ” ଅର୍ଥାତ୍ ଯେଉଁ ବିଦ୍ୟା ମଣିଷକୁ ମୁକ୍ତି ଦେଏ, ସେହି ହେଉଛି ପ୍ରକୃତ ବିଦ୍ୟା । ଏହି ମୁକ୍ତି କେବଳ ଦାରିଦ୍ର୍ୟରୁ ନୁହେଁ; ଅଜ୍ଞାନ, ଅନ୍ଧବିଶ୍ୱାସ, ସଂକୀର୍ଣ୍ଣତା, ଅନୈତିକତା ଓ ମାନସିକ ଅନ୍ଧକାରରୁ ମୁକ୍ତି । ବିଦ୍ୟା ମଣିଷକୁ ମାନବିକ କରେ, ବିବେକୀ କରେ, ସତ୍ୟ ଓ ନ୍ୟାୟର ପଥରେ ଚାଲିବାକୁ ଶିଖାଏ ।

ଦୁଃଖର ବିଷୟ, ଆଜିର ଶିକ୍ଷା ବ୍ୟବସ୍ଥା ସେହି ମହତ୍ ଲକ୍ଷ୍ୟକୁ ପ୍ରାୟ ବିସ୍ମୃତ କରିଦେଇଛି । ଏବେ ଶିକ୍ଷା ମନୁଷ୍ୟ ଗଢ଼ିବାଠାରୁ ବେଶି ବଜାର ପାଇଁ “ମାନବ ସମ୍ପଦ” ପ୍ରସ୍ତୁତ କରୁଛି । ନୈତିକତା, ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ଚରିତ୍ର ଗଠନ ପଛକୁ ଚାଲିଯାଇଛି । ଶିକ୍ଷାର ମନ୍ଦିରରେ ଜ୍ଞାନର ଦୀପ ଧୀରେ ଧୀରେ ମ୍ଲାନ ହେଉଛି, ଓ ତାହାର ସ୍ଥାନରେ ଜଳୁଛି ବଜାରବାଦର ଚକଚକିଆ ନିଅନ୍ ଆଲୋକ ।

ଆମେ ଯଦି ଏହି ପରିସ୍ଥିତିକୁ ଏବେ ମଧ୍ୟ ଅନୁଭବ କରିନଥାଉ, ତେବେ ଆସନ୍ତା ପିଢ଼ି କେବଳ ଡିଗ୍ରୀଧାରୀ ହେବେ, କିନ୍ତୁ ସତ୍ୟ ଅର୍ଥରେ ଶିକ୍ଷିତ ମଣିଷ ହୋଇପାରିବେ ନାହିଁ । ତେଣୁ ଆବଶ୍ୟକ ଶିକ୍ଷାକୁ ପୁଣିଥରେ ତାହାର ମୂଳ ଆଦର୍ଶ ସହ ଯୋଡ଼ିବା । ଶିକ୍ଷା କେବଳ ଜୀବିକା ନୁହେଁ, ଜୀବନର ମାର୍ଗଦର୍ଶନ ହେଉ । ଶିକ୍ଷକ ପୁଣି ଗୁରୁର ଆସନକୁ ଫେରନ୍ତୁ ଓ ଛାତ୍ର ପୁଣି ଜ୍ଞାନ ପ୍ରତି ଶ୍ରଦ୍ଧା ଅନୁଭବ କରନ୍ତୁ ।

ନଚେତ୍ ଏକଦିନ ଏମିତି ଆସିବ, ଯେଉଁଠାରେ ଶିକ୍ଷା ଥିବ, ବିଦ୍ୟାଳୟ ଥିବ, ଡିଗ୍ରୀ ଥିବ; କିନ୍ତୁ ଜ୍ଞାନ, ମୂଲ୍ୟବୋଧ ଓ ମାନବିକତାର ଆଲୋକ ଅନ୍ଧକାରରେ ହାରାଇଯିବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top