ଭଗ୍ନ ସ୍ଵପ୍ନ ଘର ଭଗ୍ନାଂଶ ସାଉଁଟି
ଥରେ ତ ଉତ୍ତର ଦିଅ ,
ଆତ୍ମସମ୍ମାନର ଆଶାବାଡ଼ି ଭାଙ୍ଗି
ପାଳୁଛ ସମାଜ ଭୟ ।
ନିଜ ଝିଅ ରକ୍ତ କାଢ଼ା ପିଆଉଛ
ରୁଗ୍ଣ ଯୌତୁକ ପ୍ରେମୀ ଗଣ,
ନିକି ଭାଟି, ତ୍ଵିଶା, ଦୀପିକା
ଆଉ କେତେ ଯେ ପାଇବ ପ୍ରମାଣ ?
ପୁରୁଣା ଦଦରା ଅନ୍ଧବିଶ୍ୱାସକୁ
ଛାତିରେ ଜାକି ଯେ ଚାଲେ ,
ଖୁସି କରିବାକୁ ବାହାରିଛ ସେ ସମାଜ
ଶବ ଖାଇ କହିବ ସ୍ୱାଦ ନ ଥିଲା ମଲେ ।
ହୃଦୟ ଖଣ୍ଡକୁ କାଢ଼ି ଫୋପାଡୁଛ
ନିନ୍ଦା କାନ ତୁମ ଯେପରି ନ ଶୁଣେ,
ସେହି ଖଣ୍ଡ ଆଜି ବିଲୁଆ ଝୁଣନ୍ତି
ଅଜ୍ଞାନ ଓଢଣା ସମାଜ ଟାଣେ ।
ମଣିଷ ହୋଇକି କି ଲାଭ ତୁମର
ସାଜ ସ୍ଵରହୀନ ନିର୍ବୋଧ ପଶୁ,
ଧୋଇ ସମାଜର ପାଦ ପୂଜ ତୁମେ
ପଛେ ତୁମ ଚର୍ମ ଚଟ କରି ସେ ବସୁ ।
ଥରେ ସ୍ୱର ଧରି ସାହସରେ ଭରି
ଏ ସମାଜ ଠାରୁ ପ୍ରଶ୍ନ କର,
ନେଇ ତୁମକୁ ଗଢ଼ା ଏ ସମାଜ
ନା ମାଲିକ ଖାଲି ସେ ଅଟେ ତୁମର ?
