ଶରୀର ଯଦିଓ ଅକ୍ଷତ ରହିଥାଏ, କିନ୍ତୁ ଲାଗୁଥାଏ ଦେହର ସବୁ ଭାରିପଣକୁ ଛାଡି ଆସିଛି ପଛରେ । ପାଦ ଯଦିଓ ଆଗ୍ରହହୀନ ଭାବରେ ପାହୁଣ୍ଡେ ପାହୁଣ୍ଡେ ଅଗ୍ରସର ହେଉଥାଏ, କିନ୍ତୁ ଲାଗୁଥାଏ ପଥର ମୂର୍ତ୍ତିର ଅବୟବ ପରି ସ୍ଥାଣୁଭୂତ ହୋଇ ଯାଇଛି ସେହି ଛାଡି ଆସିଥିବା ଦୃଶ୍ୟର ଚଉହଦୀରେ । ମନ ଯଦିଓ ବୁଝି ସାରିଥାଏ ଆବେଗର ଅଭିସନ୍ଧିକୁ; ତଥାପି ତା’ ଅମାନିଆ ଆକାଶରେ ବିଷାଦର ବାଦଲ ଘୋଟି ହୋଇ ରହିଥାଏ । ଆଖିର ପରଦାରେ ସାମ୍ନା ରାସ୍ତାର ଚଳମାନ ଦୃଶ୍ୟ ଆତଯାତ ହେଉଥାଏ ସତ, କିନ୍ତୁ ଡୋଳାର ଅନ୍ତରାଳରୁ ସେହି ଦୃଶ୍ୟର ମୂର୍ଚ୍ଛନା ଅପସରି ନ ଥାଏ ।
ରେଳଷ୍ଟେସନରୁ ପାଦଚଲା ବାଟଦେଇ ଦୁରୁଜ ଫେରୁଥାଏ ଓଏମ୍ପି ଛକକୁ ।
ତା’ ଭିତରେ ଅଣଚାଶ କୋହ ଗୁମୁରି ଗୁମୁରି ଚାଲିଥାଏ । ଖାଲି ନିଜକୁ ସମ୍ଭାଳି ନେବାର ଲମ୍ୱା ଅଭିଜ୍ଞତାଟାଏ ଅଛି ବୋଲି ସେ ବାକି ଲୋକଙ୍କ ପରି ଚାଲି ପାରୁଥାଏ । ନ ହେଲେ ଯଦି ତା’ ଜାଗାରେ ଆଉ କିଏ ଥାଆନ୍ତା, ତା’ ଦୁଇ ଆଖି ଚିପୁଡାରୁ ଏକ ନୂଆ ନଈଟିଏ ତିଆରି ହୋଇ ସାରିଥାଆନ୍ତା ! ହୋଇ ନ ଥାଆନ୍ତା ବା କେମିତି !
ଛାତିର ଟୁକୁରା…
ମନର ଗବାକ୍ଷ…
ଆଖିର କନକ ପ୍ରତିମା…
ତା’ ଜୀବନର ଚଳନ୍ତି ମହାର୍ଘ ପୁଞ୍ଜି…
ତା’ ଦୁଇ ବଖୁରି ଘରର ପ୍ରାଣ ସ୍ପନ୍ଦନକୁ… ଏଇ ଯେ ବସେଇ ଆସିଛି ପୁରୀ ହାଉଡା ଏକ୍ସପ୍ରେସ୍ ରେ ।
ଯୁକ୍ତ ଦୁଇ ବିଜ୍ଞାନ ପରେ ଶୀତଳା ମନ କରିଥିଲା ଇଣ୍ଟିଗ୍ରେଟେଡ୍ ବିଇଡି କରି ନିଜ ଜିଲ୍ଲାରେ କେଉଁଠି ଶିକ୍ଷୟତ୍ରୀର ଜୀବନଟିଏ ଆରମ୍ଭ କରିଥାନ୍ତା । ଅତି କମ୍ରେ ଘରେ ରହି ବାପାଙ୍କ କଥା ବୁଝି ପାରିଥାନ୍ତା । ହେଲେ ବାପାଙ୍କର ଏକା ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥିଲା । ଜେଇ ଆଡ଼ଭାନ୍ସରେ କୃତକାର୍ଯ୍ୟ ପରେ ଆଇଆଇଟି ଖଡଗପୁରରେ ପଢିବା ପାଇଁ ପାଇଥିଲା ଆମନ୍ତ୍ରଣ ।
ଯୋଉଦିନ ଝିଅ କୃତକାର୍ଯ୍ୟ ହୋଇଥିବାର ଖବର ଦୁରୁଜ କାନର ପରଦାକୁ ଆସି ଛୁଇଁଥିଲା, ସେଦିନ ପ୍ରଥମ କରି ତା’ ନିବୁଜ ଭାରି ମୁଣ୍ଡଟା ଶିମିଳି ଗଛର ତୁଳା ପରି ଉଡି ବୁଲିବା ଆରମ୍ଭ କରି ଦେଇଥିଲା । ସହଜେ ଲେଦ୍ର ଛିଟିକା ନିଆଁଝୁଲ ଦେଖି ଦେଖି ତରାସ ପାଲଟି ଯାଇଥିବା ଦୁଇ ଆଖିକୁ ତା’ ଲେଦ୍ର ଦନ୍ଥରା ଚଟାଣ, ଧୂଆଁଟିଆ କାନ୍ଥ ଆଉ ଛାତ ସବୁ ମିଶି ସୁନାରୀ ଫୁଲର ରଙ୍ଗରେ ଛାଉଁଣି ହୋଇ ଯାଇଥିବା ପରି ଦିଶୁଥିଲା । ଆତ୍ମହରା ଖୁସିରେ ଦଣ୍ଡେ ନିରବିଯାଇ ଧାଇଁ ଆସିଥିଲା ଲେଦ୍ ବାହାରକୁ । ମୁକୁଳା ଆକାଶ ଆଡକୁ ଅପଲକ ଆଖିରେ ଚାହିଁ ପ୍ରଗଳ୍ଭ ହୋଇ ଶୁଣାଇଥିଲା, “ଶୁଣିଲ ତ ବନ୍ଦିତା ! ଯୋଉ ଖବର ମୋ ଦୁଇ କାନକୁ ଛୁଇଁଲା, ଏ ଖବର ନିହାତି ପହଞ୍ଚି ସାରିଥିବ ତମ ପାଖରେ । ମୁଁ ଜାଣେ, ବିଜୁଳିଠାରୁ ଆହୁରି କ୍ଷୀପ୍ରବେଗରେ ପହଞ୍ଚି ଯାଉଥିବ ତମ ପାଖରେ ଝିଅର ଖବର । ତମେ ଦେଖିଥିବା ସ୍ୱପ୍ନର ତାରା ଆଜି ସତସତିକା ଫୁଲ ହୋଇ ଶୀତଳା ଜୀବନର ତରୁଡାଳରେ ଫୁଟି ସାରିଛି । ଏ ପ୍ରାପ୍ତିରେ ମୋ ଆନନ୍ଦର ସୀମା ନାହିଁ । ପାହାଡଠାରୁ ଆହୁରି ଉଚ୍ଚା ଏଇ ଆନନ୍ଦର ଅନୁଭବ! ଜାଣେ… ଖୁବ୍ ଖୁସି ହେଉଥିବ ତମେ ! ମୋ ପରି ଅଧିର ହୋଇ ପଡୁଥିବ ଉଚ୍ଛୁଳା ଆବେଗରେ! ହେବନି ବା କାହିଁକି ! ଏ ଖୁସି ଆମ ଦୁଇଜଣଙ୍କ ଓଠର ! ଆମ ଦୁଇଜଣଙ୍କ ଆଖିର !…” ଆହୁରି ବାତୁଳଙ୍କ ପରି ଗୁଣୁଗୁଣୁ ହେଇ କ’ଣ ସବୁ କହିଦେବାକୁ ଚାହୁଁଥିଲା । ସହସା ତା’ ମୁହଁ ମେଘରଙ୍ଗ ପରି ବତୁରି ଆସିଲା ଯେ ଏକମୁହାଁ ହୋଇ ଫେରି ଆସିଲା ଲେଦ୍ ଘର ଭିତରକୁ । ଲୁହ ଜାଲୁ ଜାଲୁ ଆଖିରେ ଯୁଆଡେ ମଣିଷ, ରାସ୍ତାଘାଟ, ଗାଡି ମଟରକୁ ଚାହୁଁଥାଏ, ସବୁ ଦିଶୁଥାଏ କାନ୍ଦ କାନ୍ଦ ରଙ୍ଗକୁ ପୋଛି ପକାଉଥିବା ଚହଟା ହସର ଛାଇ ପରି ।
ଅପେରା ପାର୍ଟିର ପ୍ରଚାର ଗାଡି ଯେପରି ଗାଁ ରାସ୍ତା ଧରୁ ଧରୁ ନୂଆ ନାଟକର ଚହଳ ଖେଳିଯାଏ, ସେମିତି ଦିନେ ଘଟିଥିଲା ଆଜିକୁ ଅଠର ବର୍ଷ ତଳେ ବାଗଲପୁର ଗାଁରେ ।
ଛକମୁଣ୍ଡ ବନାଗୁଡ଼ିଆ ଚାହା ଦୋକାନ ଆଗରେ ଲୋକଙ୍କର ଛୋଟ ଗହଳି । ପଛକୁ ଜଣକ ପରେ ଜଣେ ଆସି ସାମିଲ ହେବା ସହ ସେହି ଗହଳିର ଆକାର ବଢି ଚାଲିଥାଏ । ପଛରେ ଯୋଡି ହୋଇଥିବା ଲୋକର କୌତୁହଳମିଶ୍ରିତ ଆଖିକୁ ଚାହିଁ ଚାପା ଚାପା କଣ୍ଠରେ ଗୁମର ଖୋଲି ବସୁଥାଏ ଆଗ ଲୋକଟି, “ଧଡ଼ି ମଳିକ ପୁଅ ଦୁରୁଜ, ନିତାଇ ପ୍ରଧାନ ଝିଅ ବନ୍ଦିତାକୁ ନେଇ ଚାଲି ଯାଇଛି । କୁଆଡେ କଟକ ରେଜେଷ୍ଟି୍ର ଅଫିସ୍ରେ କୋର୍ଟ ମ୍ୟାରେଜ କରିଛନ୍ତି । ସେଣେ ପ୍ରଧାନ ସାହିର ସବୁ ମିଣିପେ ଠେଙ୍ଗା ବାଡି ଧରି ସଜ । ଶପଥ କରିଛନ୍ତି, ଦୁରୁଜ ଗାଁ ମାଡିବ ତ ବାହୁଙ୍ଗି ମାଡରେ ସେଇଠି ମୁଣ୍ଡରୁ ବଶ କାଢିଦେବେ ! ମାନେ କାମ ଖତମ୍…” ଗାଁ ପବନରେ ଯେପରି ଉତ୍କଣ୍ଠା ସହ ପୁଞ୍ଜିଭୂତ କ୍ରୋଧର ଝାଞ୍ଜି ଟହଲ ମାରୁଥାଏ ।
ଖବର କେମିତି କ’ଣ ଶୂନ୍ୟରେ ଉଡି ପହଞ୍ଚି ଯାଇଥିଲା କଟକରେ ଅଟକିଥିବା ଦୁରୁଜ ପାଖରେ ! ତା’ ଦମ୍ଭିଲା ମନରେ ବେଲୁନ୍ରେ ଫୁଙ୍କି ପବନ ଭରିବା ପରି ସାହସ ଦେଇଥିଲା ବନ୍ଦିତା । କହିଥିଲା, “ଲକ୍ଷ୍ମଣଗାର ତ ଡେଇଁ ସାରିଛେ… ଆଉ ଡର କାହାକୁ ? ଆଇନ୍ ଅନୁସାରେ ଏବେ ଆମେ ପରସ୍ପରର ପତିପତ୍ନୀ । ଏଇଠୁ ମରଣ ଯାଏଁ ଯେତିକି ଆୟୁଷର ବାଟ ଚାଲିବା… ଦୁହେଁ ଦୁହଁଙ୍କ କା’ ହୋଇ ଚାଲିବା । ତେବେ ତୁଚ୍ଛା ଗାଁବାଲାଙ୍କୁ ଡରିବା କାହିଁକି ?”
କଣ୍ଠରେ ଭଲ ପାଇବାର ପରିଣାମକୁ ନେଇ ତା’ ଦୃପ୍ତସ୍ୱର ସେଦିନ ଏକରକମ ବିସ୍ମିତ କରିଥିଲା ଦୁରୁଜକୁ । ବନ୍ଦିତା ଭିତରେ ବାରି ହୋଇ ପଡୁଥିବା ଏହି ଟାଣପଣ ହିଁ ତାକୁ ଭାରି ଭଲ ଲାଗେ । ଯେତେବେଳେ ସେମାନଙ୍କ ଲୁଚାଛପା ପ୍ରେମ ବରଫ ଜମିଲା ପରି ଏକ ଅଦୃଶ୍ୟ ଆକାର ଆଡକୁ ଗତି କଲା, ସେତେବେଳେ ବନ୍ଦିତ ତା’ ଆଡୁ ପ୍ରଥମେ ବାହାଘରର ସ୍ୱପ୍ନ ଦେଖାଇଥିଲା । ମାତ୍ର ଝଡ ତାଣ୍ଡବ ପରି ସ୍ୱପ୍ନର ବାସ୍ତବତାକୁ ପୂର୍ବାନୁମାନ କରି ପଛକୁ ଗୋଡ ଫେରାଇଥିଲା ସେ । କେତେ କ’ଣ ପ୍ରମାଦ ଭିତରେ ଘାଣ୍ଟି ଚକଟି ହୋଇ ଗୋଟା ସୁଦ୍ଧା କଳାକାଠ ପଡି ଯାଇଥିଲା ଯେପରି ତା’ ସରଳ ଛାତିଟା । ସେହି ସମୟରେ ବନ୍ଦିତା ଆଗକୁ ପାଦ ବଢାଇ ଶିଖାଇଥିଲା ହୃଦୟର ଗଣ୍ଠି ଯେତେ ଟାଣ କରିବ, ସେତେ ଜୋରେ ଛିଡାଇ ହେବ ପାଦକୁ ପଛକୁ ଭିଡୁଥିବା ଜାତି ଆଉ କୁଳର ସାମାଜିକ ଶୃଙ୍ଖଳକୁ ।
ଯୋଉ ବସ୍ରେ ଦୁହେଁ ସବୁଦିନ ବିରିଡି ଛକରୁ କଟକ ଯାଏଁ ଆସନ୍ତି ଆଉ ଠିକ୍ ଓଏମ୍ପି ଛକରେ ଦୁହିଁଙ୍କ ବାଟ ବଦଳିଯାଏ । ବନ୍ଦିତା ସେଇଠୁ ଓହ୍ଲାଇ ଜେକେବିକେ କଲେଜକୁ ଯାଏ । ସେଇଠି ଶେଷବର୍ଷ ବିଏ ପଢୁଥିଲା । ଦୁରୁଜ ଆଉ ଟିକେ ଆଗକୁ ଯାଇ ଲିଙ୍କ୍ ରୋଡରେ ଓହ୍ଲାଏ । ଯୁକ୍ତ ଦୁଇ ପାସ କରିବା ପରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଖପୁରିଆ ଆଇଟିଆଇରେ ତାଲିମ୍ ନେଉଥିବା ଛାତ୍ର । ସେହି ବାଟ ଭାଙ୍ଗୁଥିବା ଛକରୁ ସେଦିନ କିନ୍ତୁ ଦୁହେଁ ଅଲଗା ହୋଇ ନ ଥିଲେ । ଗୋଟିଏ ବାଟ… ଗୋଟିଏ ମନ… ଗୋଟିଏ ନିଷ୍ପତ୍ତିରେ ଆଗେଇ ଯାଇଥିଲେ କଟକ ରେଜିଷ୍ଟ୍ରାର ଅଫିସ୍ । ଯଥେଷ୍ଟ ଆଗରୁ ଆବେଦନ ସରିଥାଏ । ସେଦିନ ଥାଏ ଚୂଡ଼ାନ୍ତ ସ୍ୱୀକୃତିର ତାରିଖ ।
ଘରକୁ ନ ଫେରି ରାତି କାଟିଥିଲେ ମାଣିକଘୋଷ ବଜାରର ଗଳିରେ ଥିବା ଏକ ଧର୍ମଶାଳାରେ । ରାତି ଅଧ ଯାଏଁ ଦୁରୁଜର ଜିଦି ଥିଲା ଚାଲିଯିବାକୁ ସୁରଟ । ସେଇଠି ଯାଇ ଅଜଣା ପରିଚୟରେ ଗଢ଼ିଥାନ୍ତେ ଯୁଗ୍ମ ଜୀବନର ନୂଆ ନୀଡ । ଥରକୁ ଥର ବାଧା ଦେଇଥିଲା ବନ୍ଦିତା । ମନୋବଳ ବଢାଇ ବୁଝାଇଥିଲା, “ଅନ୍ୟ ଦୁଇ ଜାତିର କେହି ପରସ୍ପରକୁ ଭଲପାଇ ସମାଜ ଡରରେ ଯେପରି ବାହାରକୁ ପଳାୟନ କରନ୍ତି, ଆମେ ସେପରି କରିବାନି । ଆମେ ପ୍ରମାଣ କରିବା ଯେ କ୍ଷଣିକ ଭାବପ୍ରବଣତାରେ ନୁହେଁ ବରଂ ଭଲ ପାଇବାର ଗଭୀରତାରେ ଦୁହେଁ ଦୁହିଁଙ୍କୁ ବୁଝିଛୁ ଓ ଆଉ ସେଇ ନିଆରାପଣରେ ଆମ ଆଦର୍ଶ ଦାମ୍ପତ୍ୟ ଜୀବନ ଏହି ସମାଜ ଭିତରେ ହିଁ ମହକିବ ।” ପରଦିନ ଦୁହେଁ ବାଗଲପୁର ନ ଯାଇ ବିରିଡି ଛକ ନିକଟରେ ଦୁରୁଜର ମାମୁଘରେ ଆଶ୍ରୟ ନେଇଥିଲେ । ଛକରେ ଥିବା ଲେଦ୍ ପାଲଟି ଯାଇଥିଲା ତା’ର ନୂଆ କର୍ମକ୍ଷେତ୍ର । ଆରମ୍ଭ ହୋଇଥିଲା ଶ୍ରମ ଆଉ କର୍ମର ସୁଗନ୍ଧିତ ଝାଳରେ ସ୍ନାତ ଯୁଗ୍ମ ଜୀବନର ଅନନ୍ୟ ପୁଲକିତ ଯାତ୍ରା । ତା’ ସହିତ ଫଗୁଣର ବାସ ପରି ପ୍ରେମମୟ ନବବିବାହିତ ଜୀବନ । ହେଲେ ମାୟାବୀ ସମୟର ପଶାଖେଳରେ ଓଲଟି ଯାଇଥିଲା ସେମାନଙ୍କ ସ୍ୱର୍ଣ୍ଣିମ ଦୁନିଆ । ଯେଉଁ ବିଧିର ଭିଆଣକୁ ଅଣ୍ଟାଭିଡି ବଦଳାଇବାକୁ ଚାହିଁ ଏକ ନୂଆ ମୋଡଟିଏ ତିଆରି ବସିଥିଲେ ଆଉ ସମ୍ଭବ ମଧ୍ୟ କରିଥିଲେ, ବଦଳି ଯାଇଥିଲା ତା’ର ଚିତ୍ର । ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥାର ମୋଡ ଭାଙ୍ଗି ସ୍ରୋତର ବିପରୀତରେ ପହଁରିଥିଲେ… ହେଲେ, ହାତ ଧରାଧରି ହୋଇ ସେହି ବାଟରେ ବେଶି ଦୂର ଯାଏଁ ଯାଇ ପାରିଲେ ନାହିଁ ।
ନିୟତିର ଆକ୍ରୋଶ ଚଡକ ପରି ଅସମୟରେ ଦଗ୍ଧ କରି ଦେଇଥିଲା ସେମାନଙ୍କ ଦୃଢ ବନ୍ଧନର ଜୀବନ ଗଣ୍ଠିକୁ । କଟକ ବଡ ଡାକ୍ତରଖାନାରେ ପ୍ରସୂତି ୱାର୍ଡରେ ବନ୍ଦିତା ଜନ୍ମ ଦେଇଥିଲା ଏକ କନ୍ୟା ସନ୍ତାନ ।
ବସନ୍ତ ଋତୁରେ ପ୍ରକୃତିର ନବ ପଲ୍ଲବିତ ଉଲ୍ଲାସ ପରି ଦୁରୁଜ ପିତୃତ୍ୱର ଉପଲବ୍ଧିରେ ପୁଲକିତ ହୋଇ ଉଠୁଥାଏ । ହେଲେ ସମୁଦ୍ରର ସୁଉଚ୍ଚ ଢେଉ ବେଳାଭୂମିରେ ମଥାକୋଡ଼ି ମିଳେଇ ଯିବା ପରି ଉଛୁଳା ଆନନ୍ଦ କ୍ଷଣିକ ମଧ୍ୟରେ ମିଳାଇ ଯାଇଥିଲା । ଗୁରୁତର ଜରାୟୁ ସଂକ୍ରମଣରେ ଶିକାର ହୋଇ ମାତ୍ର ସାତଦିନରେ ସେହି ୱାର୍ଡରେ ପ୍ରାଣ ଛାଡିଥିଲା ବନ୍ଦିତା ।
ଭଗ୍ନ ମନ ଆଉ ବିପର୍ଯ୍ୟସ୍ତ ହୃଦୟରେ ଝିଅକୁ ହାତରେ ଧରି ଫେରିଥିଲା ଘରକୁ । ଭୁଲି ଯାଇଥିଲା ଯେ ସେ ଧାରଣ କରିଥିବା ଶରୀରରେ ଜୀବନଟିଏ ଅଛି ବୋଲି । କି’ ଦିନ କି’ ରାତି ଯୁଝି ହେଉଥିଲା ନିଜ ଭିତରର ଦିଗନ୍ତ ବିସ୍ତାରି ଶୂନ୍ୟତା ସହିତ । ସେଇ ଶୂନ୍ୟତା ପଥରେ ନିମଜ୍ଜିତ ପଥିକ ପରି ଚାଲିଯାଉଥିଲା ଅବ୍ୟକ୍ତ ନିରବତାର ଅନ୍ଧାରୀ ଦୁନିଆ ଭିତରକୁ । ବାହାର ପୃଥିବୀ ଠାରୁ ତା’ର ସେଇ ନିଭୃତ ଦୁନିଆକୁ ସାଙ୍ଗରେ ଧରି ନେଉଥିଲା ଅଦୃଶ୍ୟ ଲୁହର ମହାର୍ଘ ପାହାଡ଼ ।
ଝିଅର ଏକୋଇଶା ପାଇଁ ସତ୍ୟନାରାୟଣ ପୂଜା ଚାଲିଥାଏ । କେଇଟା ଦିନର ନାତୁଣୀ ଜୀବନରେ ଏହି ଦୁର୍ଦ୍ଧଶା ଦେଖି ମା’ ଛେଉଣ୍ଡ ଛୁଆଟିର ଲାଳନ ପାଳନକୁ ସମ୍ଭାଳି ନେଇଥିଲା ଆଈ ।
ବ୍ରାହ୍ମଣ ଗୋସେଇଁ ଯେତେବେଳେ ଦୁରୁଜ ଆଡେ ଚାହିଁ କହିଥିଲେ, “ଝିଅର ନାଁ କ’ଣ ରଖିବୁ କହ? ତା’ କୁଣ୍ଡଳିକୁ ‘ଶ’ ନାମର ଅକ୍ଷର ଛିଣ୍ଡୁଛି ।” ଦୁରୁଜ ମୁହଁରେ କୌଣସି ପ୍ରତିକ୍ରିୟା ନ ଥାଏ । ଅଲୋଡ଼ା ଠୁଙ୍ଗାର ମଳିନ ଚେହେରା ଧରି ସେହିପରି ଆଣ୍ଠୁ ଭାଙ୍ଗି ବସି ରହିଥାଏ ଘର କୋଣରେ । ଥିଲା ଥିଲା ସେହି ଉଦାସୀନ ପରିବେଶକୁ ଭାଙ୍ଗି ପାଟି କରି ଉଠିଲା ଆଈ, “ହଁ, ଗୋସେଇଁ! ତା’ ନାଁ ରଖିବ ତ ରଖ… ଶୀତଳା ! ସେ ହିଁ ଶୀତଳ କରିବ ସ୍ତ୍ରୀ ବିରହରେ ଅଧା ଜଳିଯାଇଥିବା ତା’ ବାପାର ହୃଦୟକୁ ।”
ଏଇ ନାଁଟି ଶୁଣି ଚମକି ଉଠିଥିଲା ସେଦିନ ଦୁରୁଜ । ତା’ ଅଧା ନିର୍ଜୀବ ଦେହରେ ପ୍ରାଣର ତରଙ୍ଗ ଖେଳି ଯାଇଥିଲା । ଯେପରି ତା’ ଆଗରେ ଅବଶିଷ୍ଟ ଜୀବନ କାଟିବା ପାଇଁ ଗୋଟିଏ ବାଟ ମେଲି ହୋଇଗଲା ଆଗକୁ!
ମନ କଣରେ ଚେଇଁ ଉଠିଲା ଝିଅ ଜନ୍ମ ପୂର୍ବରୁ ବନ୍ଦିତା ଦେଖିଥିବା ସ୍ୱପ୍ନ । ଦିନ ତମାମ୍ ଲେଦ୍ରୁ କଠିନ କାମର ବିରାମ ପରେ ଘରକୁ ଫେରି ନିଜର କ୍ଲାନ୍ତ ଶରୀରକୁ ଖଟରେ ବିଶ୍ରାମ ଦେଉଥାଏ । ଏତିକିବେଳେ ହାତରେ ଖଣ୍ଡେ ଅଧାପଢ଼ା ପତ୍ରିକା ଧରି ଆସି ପାଖରେ ବସିପଡିଥିଲା ବନ୍ଦିତା । ତା’ର ପୁରୁଣା ଅଭ୍ୟାସ ଫାଙ୍କା ସମୟ ପାଇବ ତ ଗପ କି ଉପନ୍ୟାସ, କିଛି ନ ହେଲେ ପତ୍ରିକାଟାଏ ଖେଳେଇ ପଢି ଚାଲିଥିବ । ସେଥିପାଇଁ ବେଳେବେଳେ ସେ ଅଭୁତ ଲାଗିଥାଏ । ତା’ କଥାରେ ଆଦର୍ଶ ଆଉ କଳ୍ପନାର ବାସ୍ନା ବାରି ହୋଇପଡେ ।
‘ଗୋଟେ କଥା କହିବ’ କହି ବୁଢୀ ଅସୁରୁଣୀ ଗପର ସାତତାଳ ପାଣି ଭିତରର ସୁନା ଫରୁଆ ଖୋଲିବା ପରି ସେଙ୍କାଚ ଓ ସ୍ୱପ୍ନ ଭରା ଆଖିରେ ରହି ରହି ମୁହଁ ଖୋଲିଥିଲା, “ଜାଣିଛ… ବହୁ ଦିନରୁ ମୋ ମନ ଭିତରେ ଗୋଟେ ଛୋଟ ଇଚ୍ଛାର ମଞ୍ଜିଟିଏ ପୋତି ହୋଇ ଯାଇଛି । ଭାବିନିଅ, ମୋର ଏ ଗର୍ଭର ଅଙ୍କୁର ସହିତ ସେହି ପୋତି ହୋଇଥିବା ଇଚ୍ଛା ମଞ୍ଜି ସହ କେମିତି ଏକ ଅଦୃଶ୍ୟ ଅଭେଦ୍ୟ ସାମଞ୍ଜସ୍ୟ ରହିଛି । ଦିନକୁ ଦିନ ମୋ ଗର୍ଭରେ ବଢୁଥିବା ସେହି ଅନାଗତ ସନ୍ତାନ ଯେତିକି ଜନ୍ମଲଗ୍ନର ନିକଟବର୍ତ୍ତୀ ହେଉଛି, ସେତିକି ଉଚ୍ଚା ହୋଇ ବଢି ଚାଲିଛି ମୋ ମନ ଭୂଇଁରେ ପୋତା ସେହି ଇଚ୍ଛା ମଞ୍ଜିର ଚାରା । ଭାବୁଛି, କହିଦେବି… ହେଲେ ତମେ ତାକୁ ଅଲଗା ଅର୍ଥରେ… ମାନେ… ତମ ପରିଚୟକୁ କମ୍ ନଜରରେ ଦେଖୁଛି ବୋଲି ଭାବିବ ନାହିଁ ତ?” ପଚାରି ଏକ ପ୍ରତ୍ୟାଶାଭରା ଆଖିରେ ଚାହିଁ ରହିଲା । ମୁଣ୍ଡ ଟୁଙ୍ଗାରି ଦୁରୁଜ ସମ୍ମତି ଦେବାପରେ କହିଥିଲା, “ତମେ ଆଇଟିଆଇ ପାସ୍ କରିଛ । ଲେଦ୍ର ମେକାନିକ୍ କାମରେ ଆଉ ତମ ପାଠ ଭିତରେ ସେପରି କିଛି ବଡ ଅନ୍ତର ନାହିଁ । ହେଲେ, ଆମର ଯିଏ ସନ୍ତାନ ହେଇ ଆସିବ, ସିଏ ପୁଅ କି ଝିଅ ହେଉ, ସେ ତମ ପରି ଆଇଟିଆଇରେ ଅଟକି ନ ଯାଇ ଆଇଆଇଟି ଇଞ୍ଜିନିୟର ହଉ । ମାନେ… ମୋର କହିବା କଥା ହେଉଛି, ଯଦି ସେହିପରି ଉଚ୍ଚା ପଦବୀରେ ତମେ ଥାଆନ୍ତ, ତେବେ ଆମ ଭଲ ପାଇବା ପଛରେ ନା’ ମୋ ଘର ଲୋକ, ସାହିଭାଇ କିମ୍ୱା ସମାଜ ଜାତିର ଗନ୍ଧକୁ ଏତେ ଜୋର୍ କରି ବାରିଥାନ୍ତ!” ଛୋଟ ଶୋଇବା ଘର ବଖରା ଭିତରେ ଷାଠିଏ ପାୱାର୍ର ମିଞ୍ଜି ମିଞ୍ଜି ଫିକା ହଳଦିଆ ଆଲୁଅରେ ବିସ୍ମିତ ହେବା ପରି ଦୁରୁଜ ଦେଖୁଥିଲା ବନ୍ଦିତାର ମୁହଁରେ ପହଁରି ବୁଲୁଥିବା ସୁନା ଖରାର ଢେଉ ।
ତା’ ମୁହଁରେ ଦେଖିଥିବା ସେହି ସୁନାରଙ୍ଗର ଢେଉକୁ ପାଥେୟ କରି ତା’ ଅନ୍ଧାରୀ ଜୀବନ ସୁଡ଼ଙ୍ଗର ଦିହୁଡ଼ି ପରି ଜାଳି ଚାଲିଥିଲା ଏଯାଏଁ । ଝିଅ ଛୋଟରୁ ବଡ ହେବା ସହିତ ତା’ ପାଠପଢାର ଯତ୍ନ, ତଦାରଖ ଓ ସଠିକ୍ ଦିଶାକୁ ପାଖେ ପାଖେ ରହି ସେହି ଇଚ୍ଛାର ପରିପୂରଣରେ ସମର୍ପି ଦେଇଥିଲା ନିଜକୁ । କେବେ କାହାକୁ, ଏମିତି କି ଝିଅକୁ ସୁଦ୍ଧା କହି ନ ଥିଲା ଏଯାଏଁ ଆଖିରେ ଟଳମଳ କରି ଧରିଥିବା ସେହି ନିଟୋଳ ସ୍ୱପ୍ନ ପଛର ଉତ୍ସକୁ ।
ଦୁରୁଜ ଜାଣିଥିଲା । ତା’ ହୃଦୟର ଅବିଭାଜ୍ୟ ଅଂଶ ପାଲଟି ସାରିଥିବା ଝିଅକୁ ଦିନେ ଆତ୍ମାକୁ ଖଣ୍ଡ କଲା ପରି ଭାଗ କରିବାକୁ ପଡିବ । ତା’ ପ୍ରାଣରୂପୀ ବୃକ୍ଷରେ ଏକମାତ୍ର କେନା ମେଲିଥିବା ଶାଖା ଯଦି ଅଲଗା ହୋଇଯାଏ, ତେବେ ସେହି ଅଦେଖା ରକ୍ତ କ୍ଷରଣର ଯନ୍ତ୍ରଣାକୁ କାହାକୁ ଦେଖାଇବ? ଯେଉଁ ବିଚ୍ଛେଦର କ୍ଷତକୁ କେବଳ ସେହି ମୂଳ ବୃକ୍ଷ ଓ ବିଚ୍ୟୁତ ଶାଖା ଦୁହେଁ ହିଁ ହୃଦ୍ବୋଧ କରିପାରିବେ । ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ସୁଦ୍ଧା ଝିଅଠାରୁ ଦୂରରେ ରହି ନ ଥିଲା । ସେମାନଙ୍କ ସମ୍ପର୍କ କେତେବେଳେ ବାପ ଝିଅ, କେତେବେଳେ ଦୁଇ ସାଙ୍ଗ, କେତେବେଳେ ଦୁଇ ସହପାଠୀ, କେତେବେଳେ ଗୁରୁ ଓ ଶିଷ୍ୟ ପୁଣି କେତେବେଳେ ଧୂଳି ଖେଳର ଦୁଇ ବଉଳଙ୍କ ମାନ ଅଭିମାନ ସହ ପ୍ରଗାଢ ନିବିଡ଼ତାର ଫାଶରେ ଗୁଡାଇ ହୋଇ ଯାଇଛି । କେମିତି ବା ସହନ୍ତା କିଛି ସମୟ ଆଗରୁ ଦୂର ଯାତ୍ରାରେ ଛାଡ଼ିଆସିଥିବା ଝିଅର ଅନୁପସ୍ଥିତିଜନିତ ଶୂନ୍ୟତାକୁ ?
ଟ୍ରେନ୍ ଛାଡିବା ବେଳାରେ ଦୁରୁଜ ଜାଣି ଜାଣି ଚାହିଁ ନ ଥିଲା ଝିଅର ମୁହଁ ଆଡକୁ । ଭିତରେ ଅଣଚାଶ ବେଗର କୋହକୁ ଲୌହପୁରୁଷ ସାଜି ଅଟକାଇ ରଖିଥିଲା ଶେଷ ଯାଏ । ମନର ଦୁର୍ବଳତାକୁ ଲୁଚାଇବାକୁ ଯାଇ କଥା ହେଉଥିଲା ତ ଝିଅକୁ ସାଙ୍ଗରେ ଧରି ନେଉଥିବା ନିଖିଳ ସାର୍ଙ୍କ ସହ । ଯିଏ ତା’ କୋଚିଙ୍ଗ୍ ସେଣ୍ଟରର ସଞ୍ଚାଳକ । ତାଙ୍କରି ଉତ୍ସାହ, ପ୍ରେରଣା ଓ ନିରନ୍ତର ସହଯୋଗ ହେତୁ ଆଜି ଏପରି ସଫଳତା ଝିଅ ପାଇବାରେ ସକ୍ଷମ ହୋଇଛି । କାରଣ ସେ ହିଁ ଠିକ୍ ବୁଝିଥିଲେ ଦୁରୁଜ ମନତଳର ଅଭିଳାଷକୁ ।
ଶେଷ ହର୍ଣ୍ଣ ମାରିବା ପରେ ପରେ ଟ୍ରେନ୍ ଗଡିବା ଆରମ୍ଭ କରି ଦେଇଥିଲା । ପ୍ଲାଟଫର୍ମର ବାହାର ଝର୍କାପାଖେ ଛିଡା ହୋଇଥିବା ଦୁରୁଜ ଆଡକୁ ନିଖିଳ ସାର୍ ହାତ ହଲାଇବା ଭିତରେ ଧୀରେ ଧୀରେ ଅଦୃଶ୍ୟ ହୋଇ ଯାଇଥିଲା ଟ୍ରେନ୍ ଟି ।
ଏହାପରଠୁ ଦୁରୁଜର ମନ, ଛାତି, ପ୍ରାଣ ସବୁ ଯେପରି ଭିଣି ହୋଇ ଚାଲିଥାଏ ଝିଅର ବିଚ୍ଛେଦଜନିତ ଉଦ୍ବେଳନରେ । କୌଣସି ମତେ ଓଏମ୍ପି ଛକରୁ ବସ୍ ଖଣ୍ଡେ ଧରି ବସି ସାରିଥାଏ ସିଟ୍ରେ । ଏଣେ ନିଜ ଅଧୈର୍ଯ୍ୟ ମନକୁ ବୁଝାଇବା ପାଇଁ ହୋଇ ପଡୁଥାଏ ଅସମର୍ଥ । ମନ ଟାଣୁଥାଏ… ପୁଣି ଫେରିପଡି ପଛ ଟ୍ରେନରେ ଧାଇଁ ଯାଆନ୍ତା କି ଝିଅ ପାଖକୁ । ଏକମାତ୍ର କୋଟି ଗୁଣବତୀ କନ୍ୟାର ପିତୃ ହୃଦୟ ଯେତେବେଳେ ! ତରଳିବନି ବା କାହିଁକି ? ଥରେ ତରଳିଲେ ତାକୁ ସମ୍ଭାଳିବ ବା କିଏ !
ଘୋଟି ସାରିଥିବା ବହଳ ମେଘପଟ୍ଟଳ ଅସମ୍ଭାଳ ରୂପରେ ବର୍ଷିବା ଆଗରୁ ଦୁରୁଜ ନିଜକୁ ଅନ୍ୟମନସ୍କ କରାଇ ନେଲା । ଛାତି ପକେଟ୍ରୁ ମୋବାଇଲ୍ କାଢି ସ୍କିନ୍କୁ ଅନ୍ଲକ୍ କରି ଚାହିଁଲା । ଦେଖେ ତ, ଝିଅ ପଠାଇଛି ଗୋଟେ ଛୋଟ ଭିଡିଓ । ପ୍ଲେ କଲା । ଛୋଟ ବେଳରୁ ସେ ଦୁହିଁଙ୍କର ଯାହା ସବୁ ସାଇତା ଫଟୋ ଥିଲା, ସବୁଯାକ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲିଥାଏ । ହଠାତ୍ ତାକୁ ଚମକାଇବା ପରି ଶେଷ ଫଟୋ ପାଖରେ ଅଟକିଗଲା ତା’ର ଆଖି । ଯେଉଁ ଫଟୋ ଥିଲା ବନ୍ଦିତା ସହ ଦୁରୁଜର ଏକମାତ୍ର ଫଟୋ । ଯେଉଁଦିନ କଟକ ରେଜିଷ୍ଟ୍ରେସନ୍ ଅଫିସ୍ରେ ସେମାନଙ୍କ ବାହାଘର ହୋଇଥିଲା ସେଦିନ ଚୌଧୁରୀ ବଜାର ଯାଇ ରୁପାଲି ଷ୍ଟୁଡିଓରେ ଉଠାଇଥିବା ଦାମ୍ପତ୍ୟର ପ୍ରଥମ ସ୍ମୃତିଚିତ୍ର । ଏହି ବିରଳ ଫଟୋକୁ ଦେଖି କାଳେ ଝିଅ ଦୁଃଖ କରିବ, ସେଥିପାଇଁ ସତର୍କତାର ସହ ତା’କୁ ଲୁଚାଇ ରଖିଥିଲା ଆଲମାରୀରେ ।
ସେଇଟିକୁ ସେ କିପରି ପାଇଯାଇ ନିଜର ସୃଜନଶୀଳ ବୁଦ୍ଧିରେ ଏଡିଟିଙ୍ଗ୍ କରି ଦୁହିଁଙ୍କ ବେକ ଚାରିପଟେ ହାର ପରି ଲମ୍ୱାଇ ତା’ ମଝିରେ ଏକ ଲକେଟ୍ ଚିହ୍ନ ବସାଇ ଦେଇଥିଲା । ଯାହା ମଝିରେ ରହିଥିଲା ତା’ର ମୁହଁ । ତଳେ ଲେଖିଥିଲା ଦୁଇ ଧାଡି କବିତା,
“ଚାରିଆଖି ଗୋଟିଏ ତାରା
ଆକାଶ ବିନା ତାରା ଅଧୁରା ।”
ଏ ପର୍ଯ୍ୟନ୍ତ ସମ୍ଭାଳି ରହିଥିବା ଦୁରୁଜ ଛାତିର ଭରା ନୂଆଣି ଆକାଶ ଥିଲା ଥିଲା ମେଘ ଗର୍ଜନ ପରି ଭାଙ୍ଗି ପଡିଲା । ଭୋ’ ଭୋ’ ହୋଇ ଦୁରୁଜ ଚିତ୍କାର କରି ଉଠିଲା –
“ମୋ ଝିଅ…
ମୋ ସୁନା…
ମୋ ଶୀତଳା… ।”
