ଅଣୁଗଳ୍ପ

​ଶେଷ କପ୍ କଫି

Binay Mohapatra's odia short story Shesha Cup Coffee

​”ମୁଁ ଏଇଟା ତୁମ ପାଇଁ ଲେଖିଥିଲି… ହେଲେ କେବେ ପଠାଇବାକୁ ସାହସ କରିପାରିଲିନି ।”

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

​ପ୍ରଥମ ପରିଚ୍ଛେଦ: “ଅପରାହ୍ନର ନୀରବତା”

​ସେଦିନ ଅପରାହ୍ନର ଖରା ବହୁତ ଟାଣ ଥିଲା । ଦିଲ୍ଲୀରେ ଖରାଦିନେ ଏଇଟା କିଛି ନୂଆ କଥା ନୁହେଁ, ହେଲେ ସେଦିନର ଗରମ କେମିତି ଗୋଟାଏ ଅଲଗା ପ୍ରକାରର ଥିଲା । ଏ ଗରମ ଦେହକୁ ଯେତିକି ଜଳାଉ ନଥିଲା, ତା’ଠାରୁ ଅଧିକ ଆତ୍ମାକୁ ଜାଳି ଦେଉଥିଲା ଯେପରି ।

​ମୁଁ ଅଫିସ୍‌ରୁ ଟିକେ ସହଳ ବାହାରି ଆସିଥିଲି । ଝାଳରେ ଭିଜି ସାର୍ଟଟା ଦେହରେ ଚିପିକି ଯାଇଥିଲା । ସାରା ଦିନର ଖଟଣି ପରେ ମନ ଓ ଶରୀରରେ ଏକ ପରିଚିତ କ୍ଲାନ୍ତି ଭରି ରହିଥିଲା । ମନ ହେଉଥିଲା, କେମିତି ଟିକିଏ ଜଲ୍ଦି ପହଞ୍ଚି ପଙ୍ଖା ତଳେ ଘଡ଼ିଏ ଗଡ଼ିପଡ଼ିବି ।

​କଲୋନି ଗଳିର ଶେଷ ମୋଡ଼ ବୁଲୁ ବୁଲୁ ହଠାତ୍ ମୋ ନଜର ପଡ଼ିଲା ତା’ ଉପରେ । ସେ ମୋ ଆପାର୍ଟମେଣ୍ଟ ଗେଟ୍ ସାମ୍ନାର ସେହି ସିମେଣ୍ଟ ବେଞ୍ଚଟା ଉପରେ ବସିଥିଲା ।

​ସେହି ସମାନ ବେଞ୍ଚ, ଯେଉଁଠି ଦିନେ ଆମ ବିବାହିତ ଜୀବନର ସବୁ ସଂଧ୍ୟା ଏଇ ବେଞ୍ଚ ଉପରେ ଗପ୍ ସପ୍ କରି କଟି ଯାଉଥିଲା । ଷ୍ଟ୍ରିଟ୍ ଲାଇଟ୍‌ର ମିଞ୍ଜି ମିଞ୍ଜି ଆଲୁଅ ଭିତରେ ଆମର ସମସ୍ତ କଥାବାର୍ତ୍ତା ଶେଷ ହୋଇଗଲା ପରେ ବି ନୀରବତା ହିଁ ଆମର ଭାଷା ପାଲଟି ଯାଉଥିଲା, ଆଉ ଶେଷରେ ଦିନେ ଆମର ସେହି ଦାମ୍ପତ୍ୟ, ଏକ ଦୁଃଖଦ ବିଚ୍ଛେଦର ରୂପ ନେଇଥିଲା । ସେ ଥିଲା ମୋର ପୂର୍ବ ପତ୍ନୀ ରୁତୁପର୍ଣ୍ଣା, ସ୍ନେହର ସମସ୍ତେ ଚାକୁ ରିତୁ ବୋଲି ଡାକୁଥିଲେ ।

​ତା’ ଆଖିରେ ଆଜି ବି ସେହି ଗଭୀରତା ଥିଲା । ନା ଥିଲା କୌଣସି ଅଭିମାନ, ନା ଥିଲା କିଛି ଅଭିଯୋଗ । ଥିଲା କେବଳ ଭୁଲିଯାଇଥିବା ଏକ ଅଭୁଲା ଅତୀତର ସୁବାସ, ଯାହା ଅପ୍ରତ୍ୟାଶିତ ଭାବେ ସ୍ମୃତିର ନୀରବ ଛାୟା ହୋଇ ଫେରି ଆସିଥିଲା ।

​ତାକୁ ଏଇଠି, ଏ ସମୟରେ, ଏପରି ପରିସ୍ଥିତିରେ ଦେଖି ମୁଁ ସ୍ଥାଣୁ ପାଲଟି ଯାଇଥିଲି । ଯେମିତି କିଛି ସମୟ ପାଇଁ ସବୁକିଛି ସ୍ଥିର ହୋଇ ଯାଇଥିଲା । ପବନ ବି ଥମିଗଲା ଭଳି ଲାଗିଲା । ଆମ ଚାରି ଆଖି ପୁଣିଥରେ ସେହି ପୁରୁଣା, ପରିଚିତ ଭାଷାରେ କଥା ହେବାକୁ ଲାଗିଲେ ।

​”ଆଜି ବି କ’ଣ ସବୁକିଛି ସେମିତି ଅଛି?” ମନେ ମନେ ମୁଁ ନିଜକୁ ପଚାରିଲି ।

​”ହୁଏତ ନୁହେଁ… କିନ୍ତୁ ବୋଧହୁଏ କିଛି ଅଂଶ ଆଜି ବି ବାକି ରହିଯାଇଛି,” — ହୃଦୟ ଉତ୍ତର ଦେଲା ।

​ଛାତିର କମ୍ପନକୁ ଚାପିନେଇ ଧୀରେ ଧୀରେ ମୁଁ ତା’ ପାଖକୁ ଆଗେଇ ଗଲି ।

​”ତୁମେ… ଏଠି ? କେତେବେଳେ ଆସିଲ ?”

​ଶବ୍ଦଗୁଡ଼ିକ ଓଠରୁ ବାହାରିଗଲା ସତ, ହେଲେ ମୋ ନିଜ ସ୍ୱର ମୋତେ ଯେମିତି ଅପରିଚିତ ଲାଗୁଥିଲା ।

​ସେ ମୋ ଆଡ଼େ ଚାହିଁ ଏକ ମୃଦୁ ହସ ହସିଲା, ସତେ ଯେମିତି ସମୟ କେବେ ତା’ ଦୁଆର ମୁହଁରେ କବାଟ ବାଡ଼େଇ ନାହିଁ ।

​”ହଁ… ବାସ୍ ଏମିତି ଟିକେ ଦେଖି ଆସିବାକୁ ମନହେଲା । ଏ ସହରରେ ଆଜି ବି ‘କିଛି ମୋର ଆପଣାର ବୋଲି’ ଲାଗୁଛି କି ନାହିଁ ।”

ରି​ତୁର ସ୍ୱରରେ ସେହି ସମାନ ସ୍ଥିରତା ଓ ମାଧୁର୍ଯ୍ୟ ଥିଲା, ଯାହା ଦିନେ ମୋ ସଂଧ୍ୟାକୁ ରୋମାଞ୍ଚିତ କରିଦେଉଥିଲା ।

​ଚାରିଆଡ଼େ ଉସ୍ମତାର ଲହରୀ ଭରି ରହିଥିଲା । କହିଲି, “ଏତେ ଗରମରେ କେତେ ସମୟ ହେଲା ଏଇଠି ବସିଛ ? ଭିତରକୁ ଚାଲ, ସେଇଠି ପଙ୍ଖା ତଳେ ବସିବା ।”

​ସେ କିଛି କହିଲାନି, କେବଳ ମୃଦୁ ହସିଦେଲା । ଆଖିର ଇସାରାରେ ପାଖରେ ବସିବାକୁ କହିଲା — “ନା, ଏଇଠି ଭଲ ଲାଗୁଛି ।” ଆମେ ଦୁହେଁ ସେହି ଉତ୍ତପ୍ତ ସିମେଣ୍ଟ ବେଞ୍ଚଟାରେ ପାଖାପାଖି ହୋଇ ନୀରବରେ ବସିପଡ଼ିଲୁ । ଆମ ଶରୀରର ଦୂରତା ବେଶି ନଥିଲା, ଏପରିକି ଆମେ ପରସ୍ପର ନିଶ୍ୱାସର ଶବ୍ଦ ଶୁଣିପାରୁଥିଲୁ । କିନ୍ତୁ ହୃଦୟର ଶବ୍ଦ ? ତାହା ବହୁତ ଅସ୍ପଷ୍ଟ ଥିଲା, ବୁଝି ବି ବୁଝିହେଉ ନଥିଲା । ଆମ ଭିତରେ ନୀରବତା ଥିଲା, କିନ୍ତୁ ସେ ନୀରବତାରେ ଶୂନ୍ୟତା ନଥିଲା; ବରଂ ତାହା ଶାନ୍ତିଦାୟକ ଥିଲା — ବହୁ ଦୂରରୁ ଭାସି ଆସୁଥିବା ଏକ ଭୁଲାଭଟକା ସଙ୍ଗୀତର ସ୍ୱର ପରି ।

​ନୀରବତା ବି ଅନେକ କିଛି କହେ, କିନ୍ତୁ ନୀରବତାର ଶବ୍ଦକୁ ଶୁଣିବା ଓ ଅନୁଭବ କରିବା ପାଇଁ ଏକ ଦରଦୀ ହୃଦୟ ଲୋଡ଼ାଥାଏ । ଆମ ଭିତରେ ସମ୍ବେଦନା ଥିଲା, ପ୍ରେମ ବି ଥିଲା; କିନ୍ତୁ ଆଜି ଆମର ସବୁ ପ୍ରେମ ବୁଢ଼ୀ ଅସୁରୁଣୀର ଫରୁଆ ଭିତରେ ବନ୍ଦ ଭ୍ରମର ପରି ଅଣନିଶ୍ୱାସୀ ହୋଇପଡ଼ିଥିଲା । ଉନ୍ମୁକ୍ତ ଆକାଶରେ ଉଡ଼ି ନିର୍ମଳ ପବନରେ ନିଶ୍ୱାସ ନେବାକୁ ଚାହୁଁଥିଲା, କିନ୍ତୁ ଡରୁଥିଲା — ବାହାରକୁ ବାହାରିଲେ ଯଦି କାହାର ଆଘାତ ଲାଗିବ, ଆଉ ତାର ଜୀବନ ଚାଲିଯିବ ।

​ଦ୍ୱିତୀୟ ପରିଚ୍ଛେଦ: ଫିକା ପଡ଼ିଯାଇଥିବା ମୁହୂର୍ତ୍ତ ଓ ଗୋଟିଏ ବନ୍ଦ ଲଫାପା ।

​”କେବେ କେବେ ଅତୀତ ଗୋଟିଏ ପୁରୁଣା ଚିଠି ପରି ଫେରିଆସେ, ଧୂସର କାଗଜ ଉପରେ ଅକ୍ଷର ଗୁଡ଼ିକ ସିନା ଫିକା ପଡ଼ିଯାଏ, ହେଲେ ଭାବନା ଗୁଡ଼ିକ ତଥାପି ଜୀବନ୍ତ ଲାଗେ।”

​ଆମେ ଦିଜଣ ସେହି ଗୋଟିଏ ବେଞ୍ଚରେ ବସିଥିଲୁ । ଲାଗୁଥିଲା ସମୟ ଯେପରି କିଛି ମୁହୂର୍ତ୍ତ ପାଇଁ ପଛକୁ ଫେରିଆସି ପୁଣିଥରେ ନୂଆ କରି କିଛି ଲେଖିଯିବାକୁ ଚେଷ୍ଟା କରୁଛି ।

ଆମ ଭିତରେ ​ନା ଥିଲା କୌଣସି ବ୍ୟସ୍ତତା, ନା କୌଣସି ବାଧ୍ୟବାଧକତା । ତଥାପି, ଦୁଇଜଣ ଚିରପରିଚିତ ଥାଇ ବି, ଅଜଣା ପାଲଟି ଯାଇଥିବା ମଣିଷ ଗୋଟିଏ ବେଞ୍ଚରେ ପାଖା ପାଖି ସାଥିହୋଇ ବସିଥିଲୁ । କହିବାକୁ, ଶୁଣିବାକୁ ତ ବହୁତ କିଛି ଥିଲା, ତଥାପି ଆମ ଭିତରେ ନୀରବତା ଥିଲା । ସେହି ନୀରବତା — ଯେଉଁଠି ଦିନେ ଆମ ଦୁହିଙ୍କ ପୃଥିବୀ ମହାକାଶୀୟ ବିସ୍ଫୋରଣରେ ଟୁକୁଡ଼ା ଟୁକୁଡ଼ା ହୋଇସାରିବା ପରେ ବି, ପୁଣି କେଉଁ ଏକ ଆକର୍ଷଣରେ ନୂଆ ଗୋଟିଏ ମଜବୁତ ଦୁନିଆ ଗଢ଼ିବାର ପ୍ରୟାସ କରୁଥିଲା ।

​ନୀରବତା ଭାଙ୍ଗି ସେ ହଠାତ୍ କହିଲା, “ତୁମର ମନେଅଛି ? କେମିତି ଆମେ ଏଇଠି ବସି ଗୋଟିଏ ବହିର ପୃଷ୍ଠା ଭିତରେ ଆମର ସ୍ୱପ୍ନ ସାଉଣ୍ଟୁଥିଲେ ?”

​ମୁଁ ଟିକିଏ ହସିଦେଲି । “ହଁ… ସେହି ବହିର ପ୍ରତ୍ୟେକ ପୃଷ୍ଠାରେ ମୋତେ କେବଳ ତୁମର ହିଁ ଛବି ଦିଶୁଥିଲା ।”

​ତା’ ଆଖି କୋଣରେ ଟିକିଏ ଓଦାପଣ ଜମିଗଲା, ହେଲେ ସେ ଆଖି ପୋଛିଲା ନାହିଁ । ବୋଧହୁଏ ସେ ଚାହୁଁ ନଥିଲା ମୁଁ ତା’ ଲୁହଭିଜା ଆଖି ଦେଖେ । କିମ୍ବା ହୁଏତ… ସେ ଚାହୁଁଥିଲା !

​”ମୁଁ କେବେ କେବେ ଭାବେ,” ସେ ଧୀରେ କହିଲା, “ଆମର ଆଇନଗତ ବିଚ୍ଛେଦ ପରେ, ଆମେ ସତରେ କେତେ ଦୂରେଇ ଗଲେ?”

​ତା’ ପ୍ରଶ୍ନ ଯେପରି ମୋ ପାଇଁ ନଥିଲା — ଲାଗୁଥିଲା ସେ ଯେପରି ନିଜକୁ ହିଁ ପ୍ରଶ୍ନ କରୁଛି ।

​ମୁଁ ମୃଦୁ ସ୍ୱରରେ ଉତ୍ତର ଦେଲି, “କେବଳ ଭଲପାଇବା ସବୁକିଛି ନୁହେଁ ରିତୁ । ଜୀବନକୁ ବି ସମୟ ଓ ପରିସ୍ଥିତି ସାଙ୍ଗରେ ତାଳଦେଇ ଚାଲିବାକୁ ହୋଇଥାଏ ।”

​ସେ ନଜର ନୁଆଁଇ ନିଜ ବ୍ୟାଗ୍ ଭିତରୁ ଗୋଟିଏ ପୁରୁଣା, ଲୋଚାକୁଚା ଲଫାପା ବାହାର କଲା ।

​”ମୁଁ ଏଇଟା ତୁମ ପାଇଁ ଲେଖିଥିଲି… ହେଲେ କେବେ ପଠାଇବାକୁ ସାହସ କରିପାରିଲିନି ।”

​ଲଫାପାଟି ତା’ ହାତ ସହିତ ତାଳଦେଇ ଥରୁଥିଲା । ଲଫାପା ଉପରେ ଥିବା ତାରିଖ — ସେହି ଦିନର, ଯେଉଁଦିନ ଆମେ ବିବାହ ବିଚ୍ଛେଦ ପୂର୍ବରୁ ଶେଷଥର ପାଇଁ ଆମେ ଏକାଠି ହୋଇଥିଲୁ ।

ଚିଠିର ​ସ୍ୟାହି ଫିକା ପଡ଼ିଯାଇଥିଲା, ହେଲେ ସେଥିରେ ଥିବା ଭାବନା ଆଜି ବି ସ୍ପଷ୍ଟ ଥିଲା:

​”ଯଦି କେବେ ମୋ କଥା ମନେପଡ଼େ, ତେବେ ସେହି ଜାଗାକୁ ଫେରିଆସିବ ଯେଉଁଠି ଦିନେ ଆମେ ଏକାଠି ନୀରବତାକୁ ଶୁଣୁଥିଲେ । ହୁଏତ ମୁଁ ସେଠାରେ ନଥିବି… ହେଲେ ମୋ ଛାଇ ଆଜି ବି ସେଇଠି ତୁମକୁ ଅପେକ୍ଷା କରିଥିବ ।”

​ମୁଁ ନୀରବରେ ଚିଠିଟି ପଢ଼ି ତାକୁ ଫେରାଇ ଦେଲି ।

​”ଆଉ ଏବେ ?” ମୁଁ ପଚାରିଲି ।

​”ଏବେ… କେବେ କେବେ ଛାଇ ବି କ୍ଲାନ୍ତ ହୋଇଯାଏ, କାରଣ ପ୍ରତୀକ୍ଷାର ବି ଏକ ବୟସ ଥାଏ ଶ୍ରୀକାନ୍ତ” ସେ ଫିକା ହସ ସହ ଉତ୍ତର ଦେଲା ।

​ଆମେ ଦୁହେଁ ପରସ୍ପରକୁ ଚାହିଁଲୁ । ଆଖିରେ ଆଖିରେ ଗୋଟିଏ ପ୍ରତିଶ୍ରୁତି ଥିଲା, ହେଲେ ଓଠରେ କୌଣସି ଶବ୍ଦ ନଥିଲା । ବୋଧହୁଏ ତାହାର ଆବଶ୍ୟକତା ବି ନଥିଲା ।

​ତୃତୀୟ ପରିଚ୍ଛେଦ: “ସେହି ବର୍ଷିଳ ସଂଧ୍ୟା”

​”ଯେଉଁଠି ପୁରୁଣା ସମ୍ପର୍କର ପ୍ରତିଧ୍ୱନି ବର୍ଷାରେ ଓଦା ହୋଇଯାଏ, ଦୁଇଟି ଆତ୍ମା ସମୟର ସୀମାନ୍ତରେ ପୁଣିଥରେ ଏକାଠି ଛିଡ଼ା ହୁଅନ୍ତି ।”

​ଦିନ ଢ଼ଳିବା ସହିତ ଆକାଶରେ ମେଘଖଣ୍ଡ ଭାସିଆସୁଥିଲା । ପବନରେ ଏବେ ଶୀତଳତାର ସ୍ପର୍ଶ ଅନୁଭବ ହେଉଥିଲା । ହଠାତ୍ ସେ ଠିଆହୋଇ ପଡ଼ି କହିଲା, “ଚାଲ ଘେରାଏ ବୁଲି ଆସିବା ।” ମୁଁ ବି ଉଠିପଡ଼ିଲି । ଆମର ବିଚ୍ଛେଦ ପରେ କେବେ ବି ସଂଧ୍ୟାରେ ଏକୁଟିଆ ବୁଲିଯିବାକୁ ସାହସ କରି ପାରିନି, ନିସଙ୍ଗତାକୁ ଡର ଲାଗେ, ଅନେକ ବର୍ଷ ପରେ ଏ ନିମନ୍ତ୍ରଣକୁ ଅଣଦେଖା କରିପାରିଲିନି ।

​ଚାଲୁ ଚାଲୁ ଆମେ କେତେବେଳେ ସେ ପୋଲ ଉପରେ ପହଞ୍ଚି ଯାଇଥିଲୁ ଜଣା ପଡିଲାନି, ଜୀବନର ଯାତ୍ରାରେ କେହିଜଣେ ଦରଦୀ ସହଯାତ୍ରୀ ମିଳିଗଲେ, ଯାତ୍ରାର ଦୂରତା ଜଣା ପଡେନି । ଏଇଠି ଦିନେ କୌଣସି ବର୍ଷା ଆମକୁ ପାଖାପାଖି ଚାଲିବାରୁ ବାରଣ କରିପାରୁନଥିଲା । ଆଜି କିନ୍ତୁ ପରିସ୍ଥିତି ଭିନ୍ନ ଥିଲା ।

​ସେ ଆକାଶକୁ ଚାହିଁ ଧୀର ସ୍ୱରରେ କହିଲା, “ବର୍ଷାର ବିନ୍ଦୁଗୁଡ଼ିକ କେବଳ ପାଣି ନୁହଁନ୍ତି… ସେଥିରେ ବହୁତ କିଛି ଅକୁହା କଥାର ସୁବାସ ଭରି ରହିଥାଏ ।”

​ସମ୍ମତିରେ ମୁଁ ମୁଣ୍ଡ ଟୁଙ୍ଗାରିଲି । “କିମ୍ବା ହୁଏତ ସେଥିରେ ଆମର ସେଇ ପ୍ରଶ୍ନଗୁଡ଼ିକର ଉତ୍ତର ଥାଏ, ଯାହା ଆମେ କେବେ କେହି କାହାକୁ ପଚାରିପାରିନୁ ।”

​ସେ ମୋ ହାତ ଧରି ନଥିଲା, କିନ୍ତୁ ତା’ ହାତର ଆଙ୍ଗୁଠିଗୁଡ଼ିକ ପବନରେ ମୋ ହାତ ପାଖାପାଖି ହୋଇ ଯାଉଥିଲା — ଏକ ଭୁଲି ଯାଇଥିବା ଅଭ୍ୟାସ, ଯେପରି ଅଜାଣତରେ ଫେରି ଆସୁଥିଲା ।

​ଆମେ ନୀରବରେ ପୋଲର କାନ୍ଥ ପାଖକୁ ଗଲୁ ।

​”ଏଇଟା ସେଇ ଜାଗା, ନା ଶ୍ରୀକାନ୍ତ?” ସେ ପଚାରିଲା ।

​ମୁଁ ମୁଣ୍ଡ ହଲେଇଲି । “ହଁ ସେହି ଜାଗା, ଯେଉଁଠି ଦିନେ ତୁମେ କହିଥିଲ — ‘ଯଦି ଆମେ କେବେ ଅଲଗା ହୋଇଯିବା, ତେବେ ପୁଣି ଏଇଠି ଭେଟ ହେବା ।'”

​ସେ ହସିଲା — ଗୋଟିଏ କ୍ଲାନ୍ତ, ହେଲେ ନିଷ୍କପଟ ହସ । ସତେ ଯେପରି ଗୋଟିଏ ପୁରୁଣା ଅଙ୍ଗୀକାର ସମୟର ଜିଦ୍‌କୁ ଭାଙ୍ଗି ଦେଇଛି ।

​”ଏବେ ଯେତେବେଳେ ସବୁକଥା କୁହା ସରିଛି,” ସେ ଫୁସ୍‌ଫୁସ୍ ସ୍ୱରରେ କହିଲା, “ବାସ୍ ଶେଷ ପ୍ରଶ୍ନଟିଏ… ଯଦି ସମୟ ପଛକୁ ଫେରି ପାରନ୍ତା, ତେବେ ତୁମେ କ’ଣ ପୁଣିଥରେ ମୋତେ ହିଁ ବାଛିଥାନ୍ତ ?”

​ମୁଁ କିଛି ଉତ୍ତର ଦେଲିନି । କେବଳ ତା’ ଆଡ଼େ ଚାହିଁଲି । ତା’ ଆଖିରେ ସେହି ପୁରୁଣା ଉତ୍ସୁକତାର ଆଲୋକ ଥିଲା । ତା’ପରେ ମୁଁ ଧୀରେ ତା’ ହାତକୁ ମୋ ଦୁଇ ହାତରେ ଚାପି ଧରିଲି।

​”ଯଦି ସମୟ ପଛକୁ ଫେରି ପାରନ୍ତା,” ମୁଁ କମ୍ପିତ ସ୍ୱରରେ କହିଲି, “ତେବେ ମୁଁ ସେହି ସମୟଟି ଆଉ ଆଗକୁ ନବଢ଼ୁ ବୋଲି ପ୍ରାର୍ଥନା କରନ୍ତି ।”

​ବର୍ଷା ଏବେ ଜୋରରେ ଆରମ୍ଭ ହୋଇଯାଇଥିଲା । ଆମେ ବିନା ଛତାରେ ଚାଲୁଥିଲୁ — ସତେ ଯେପରି ବର୍ଷାର ଟୋପାଗୁଡ଼ିକ ଆମକୁ ଏକାଠି ହେବାର ନୀରବ ସାକ୍ଷୀ ସାଜୁଥିଲେ ।

​ଚତୁର୍ଥ ପରିଚ୍ଛେଦ: “ବିଦାୟ ପୂର୍ବର ସେହି ସଂଧ୍ୟା”

​”ଯେଉଁଠି ନୀରବତା ସ୍ୱର ପାଇଯାଏ, ଆଉ ଗୋଟିଏ ଅଧାକୁହା କାହାଣୀ ତା’ର ଶେଷ ମୋଡ଼ରେ ପହଞ୍ଚେ…”

​ରାସ୍ତା କଡ଼ର ଆଲୋକ ଗୁଡ଼ିକରୁ ମୃଦୁ ହଳଦିଆ ଆଲୋକ ଚାରି ଦିଗରେ ବିଛେଇ ହୋଇ ପଡ଼ୁଥିଲା । ଆମେ ଗୋଟିଏ ଛୋଟ କାଫେ ଭିତରେ ଯାଇ ବସିଗଲୁ । ସେହି ପୁରୁଣା କାଫେ, ଯେଉଁଠି ଦିନେ ସେ ମୋତେ ନପଚାରି ବି ମୋ ପସନ୍ଦର କଫି ଅର୍ଡର କରିଦେଉଥିଲା।

​ସେ କଫି କପ୍‌ଟିକୁ ଓଠ ପାଖକୁ ନେଲା ସତ, ହେଲେ ଚୁମୁକେ ବି ପିଇ ପାରିଲାନାହିଁ।

​”ସବୁ ସମ୍ପର୍କ ଶେଷ ପରିଣତି ପର୍ଯ୍ୟନ୍ତ ପହଞ୍ଚିବା କ’ଣ ଜରୁରୀ?” ସେ ମୋ ଆଡ଼କୁ ଚାହିଁ ପ୍ରଶ୍ନ କଲା ।

​ମୁଁ ଦୀର୍ଘ ନିଶ୍ୱାସ ନେଇ କହିଲି, “ନା… କିଛି ସମ୍ପର୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନୁହେଁ, ବରଂ ଜୀବନ ଯାତ୍ରାରେ କିଛି ଦୂର ସାଥୀ ହୋଇ ଚାଲିବା ପାଇଁ ହୋଇଥାନ୍ତି ।”

​ସେ ନୀରବ ରହିଲା । ତା’ ଆଖିରେ ଲୁହ ନଥିଲା, ବରଂ ଥିଲା ଏକ ସ୍ୱୀକୃତିର ପ୍ରଶାନ୍ତି ।

​”ବୋଧହୁଏ ଆମେ ଏକାଠି ଥାଇ ବି ଅସମ୍ପୂର୍ଣ୍ଣ ଥିଲେ… ଆଉ ଆଜି ଏହି ବିଚ୍ଛେଦ ପରେ ବି ଅସମ୍ପୂର୍ଣ୍ଣ ହୋଇ ରହିଗଲେ ।” ତା’ ସ୍ୱରରେ କରୁଣତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

​ମୁଁ ଟିକିଏ ହସିଦେଇ କହିଲି, “ତୁମେ ଆଜି ବି ମୋ ପାଇଁ ମୋ ଜୀବନର ସବୁଠୁ ସୁନ୍ଦର, କିନ୍ତୁ ଅସମାପ୍ତ କବିତାଟିଏ ହୋଇ ରହିଛ । ପ୍ରେମରେ ସବୁକିଛି ମିଳିଗଲେ ସେ ଆଉ ପ୍ରେମ ହୋଇ ରହି ଯାଏନା, କିଛି ପ୍ରେମ ଅପୂର୍ଣ୍ଣ ହିଁ ଭଲଲାଗେ, ଚତୁର୍ଦ୍ଦଶୀର ଚାନ୍ଦ ପୂର୍ଣ୍ଣିମାର ଚାନ୍ଦ ଠାରୁ ଅଧିକ ସୁନ୍ଦର, କାରଣ ପୂର୍ଣ୍ଣିମା ଚାନ୍ଦର ଗତି କ୍ଷୟ ଆଡ଼କୁ, ଚତୁର୍ଦ୍ଦଶୀ ଚାନ୍ଦର ଗତି ପୂର୍ଣ୍ଣତାର ପ୍ରାପ୍ତି ପାଇଁ ।”

​ସତେ ଯେମିତି ସମୟ ସେଇଠି ଅଟକିଗଲା, ଆଉ ସେହି ନୀରବତା ଭିତରେ ଆମକୁ ଆମର ସବୁ ପ୍ରଶ୍ନର ଉତ୍ତର ମିଳିଗଲା ।

​ବାହାରେ ବର୍ଷା କମି ଯାଇଥିଲା । ସେ ଛିଡ଼ା ହୋଇ କହିଲା, “ମୋତେ ଏବେ ଯିବାକୁ ହେବ । କାଲିଠାରୁ ଏକ ନୂତନ ଯାତ୍ରା ଆରମ୍ଭ ହେବ… ହେଲେ ଆଜିର ସଂଧ୍ୟା ସଦାସର୍ବଦା ମୋର ହୋଇ ରହିବ ।”

​ମୁଁ ତାକୁ ଅଟକାଇବାକୁ ଚେଷ୍ଟା କଲିନାହିଁ । କେବଳ ଏତିକି କହିଲି — “ଯଦି କେବେ ପୁଣି ଦେଖାହୁଏ, ତେବେ ଏମିତି ଏକ ମୋଡ଼ରେ ସାକ୍ଷାତ ହେଉ, ଯେଉଁଠି ପବନରେ ପୁରୁଣା ସ୍ମୃତିର ସୁବାସ ମହକୁଥିବ, ଆଉ ଏକ ନୂଆ ସକାଳର ସନ୍ଦେଶ ନେଇ ଆସୁଥିବ ।”

​ସେ ମୁଣ୍ଡ ଟୁଙ୍ଗାରି ଚାଲିଗଲା । ରାସ୍ତାର ଗହଳି ଭିତରେ ହଜିଗଲା । ମୁଁ କିଛି ସମୟ ତା’ ଅଣପିଆ କଫି କପ୍‌କୁ ଚାହିଁ ବସି ରହିଲି, ଯେଉଁଥିରେ ଏବେ ବି ଅଧୁରା ସ୍ପନ୍ଦନ ବାକି ରହି ଯାଇଥିଲା ।

– ତା’ପରେ –

(ମୋର ଇଂଗ୍ରାଜୀ ଗଳ୍ପ “The last cup of coffe”ର ଓଡିଆ ସଂସ୍କରଣ ।)

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top