କବିତା

ଯୁଦ୍ଧ ଶେଷ

Niranjan Jena's Odia Poem JUDDHYA SESHA

ଗାଁ ନୋକେ ଛୁଟୁଛନ୍ତି
ଦକ୍ଷିଣସାହିରୁ ଉତ୍ତରସାହି
ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!

ଯୁଦ୍ଧ ଶେଷ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆହାଃ ଉତ୍ତରକବାଟ ଫେରିଗଲେ
ଫେରନ୍ତେ ନାହିଁ ତ କରନ୍ତେ କ’ଣ ?
ବଅସ ତିନିକୋଡ଼ି ନଅ
କଳିଷଠା ଛୁଇଁଲାଣି ଅନେକଦିନୁ
କେତେଦିନ ବା ମାଟି କାମୁଡ଼ି
ପଡ଼ିରହିଥାନ୍ତେ ସାଆନ୍ତେ !!

ଗାଁ ନୋକେ ଛୁଟୁଛନ୍ତି
ଦକ୍ଷିଣସାହିରୁ ଉତ୍ତରସାହି
ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!

ବଳି ପଧାନେ ବୋଇଲେ,
ପଟେ କବାଟ ହୁଗୁଳିଗଲା ଗାଁର
ଆରପଟକର ଏକି ଦଶା
ଜୀବନ ପାଚିଲା ପତର
କେତେ ବେଳେ ମାଟି ଛୁଇଁବ
ପବନକୁ ଜଣା !!

ଦିହି ସାଆନ୍ତେଙ୍କର ସବୁ ଭଲ
ଭାରି ଜିଦିଆ ମଣିଷ ସେମାନେ
ସାରାଜୀବନ କାଟିଦେଲେ
ଜମିଜମା କଚିରି ମାମଲାରେ !!

ଗାଁ ଉଠେ ପଡ଼େ ସେମାନଙ୍କ ହାରଜିତ୍‌ରେ
ମକଦ୍ଦମାରେ ଫଳାଫଳ ବଦଳେ
ସାନ କଚିରିରୁ ବଡ଼ କଚିରି
ଅହି-ନକୁଳର ଅହନ୍ତା ସେମାନଙ୍କର
ସବୁଦିନେ ଥାଏ ଭିତରେ ବାହାରେ !!

ବେଶ୍ ଲଢୁଆ ମଣିଷ ଉତ୍ତରକବାଟେ,
ପଥର ଛାତିରେ ଥିଲା ନରମ କଲିଜା ଖଣ୍ଡେ
କଥା ନାହିଁ କି ବାର୍ତ୍ତା ନାହିଁ
ହଠାଦସ୍ତ ଉଭା ହେଲେ ଝୁଅ ବାଆଘରେ
ବେନିମନ୍ତ୍ରଣିଆ ।

ଝୁଅକୁ ମୋର ପଥରବସାଣ ମୁଦି ପିନ୍ଧେଇ
ଫେରିଗଲେ ସଅଳ, ସଅଳ ।

କଥାର ଗୁମର ଖୋଲିବାରୁ ଜାଣିଲି
ପୁଅ ତାଙ୍କର ସୁଖୁ ପାଉଥିଲା ମୋ ଝୁଅକୁ
କେସ୍ ମାମଲାରୁ ପ୍ରସ୍ତାବ ଲଟକିଗଲା ସେତିକିରେ
ପୁଅ ତାଙ୍କର ଘରଛଡ଼ା ହେଲା
ସାଆନ୍ତାଣୀ ବିଷ ଖାଇ ଜୀବନ ହାରିଲେ !!

ଶୁଣୁଛି, ପୁଅ ଫେରୁଛି ସୁରତରୁ
ସାରା ଗାଁର ନୋକବାକ ସେଠି
କେହି ଶଳେ ଥରେ ବି କହୁନାହାଁନ୍ତି
ସାଆନ୍ତେ ଆସ ବୋଲି. . .
ତମେ ଥାଉ ଥାଉ
ଉତ୍ତରକବାଟେ କ’ଣ ବାସିମଡ଼ା ହେବେ ?

ମରିଗଲାପରେ କ’ଣ ବା ଥାଏ ବାଦ
କାହା ସାଙ୍ଗରେ ଆଉ ଯୁଝିବ ସାଆନ୍ତେ ?
ଯା’ ହେଲେ ବି ଏ କଥା କହିଗଲେ
ଛଳେଇ, ଛଳେଇ ମକଦ୍ଦମେ ମଧୁ ମାହାନ୍ତି !!

ଲୁହ ଛଳଛଳ ଆଖିରେ
ଆଣ୍ଠୁ ସନ୍ଧିରୁ ମୁହଁ ଟେକିଲେ ଦଖଣ୍ଡରା
ଶିଙ୍ଗବାଡ଼ିକୁ ଆଶ୍ରା କରି
ଗୋଟି, ଗୋଟି ପାଦ ପକେଇ
ସେ ଆଗେଇଗଲେ ଉତ୍ତରସାହି !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top