କବିତା

ଉପରୁ ଖସିଲା ଗୋଟିଏ ତାଳ

Madhabananda Panda's odia poem for children Uparu Khasila Gotie Taala

ପୃଥିବୀଟା ସାରା ବୁଲି ବୁଲିକା
ଫେରିବ ଏଇ ଭାରତେ
ଜନମ ଭୂଇଁଠୁ କିଏ ବା ଆଉ
ଏତେ ପ୍ରିୟ ହେବ ସତେ ।

ଉପରୁ ଖସିଲା ଗୋଟିଏ ତାଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଉପରୁ ଖସିଲା ଗୋଟିଏ ତାଳ
ମୁଣ୍ଡରେ ତାହାର ଟୋପି
ଆମ କୁନି ପୁଅ ବଢ଼ିଆ ପିଲା
ନାଁଟି ପରା ଗୋପି ।

ତାଳ ଗୋଟିକ ଯାଇଚି ପାଚି
ଭିତରେ ପାଚିଲା ଖୋସା
ଆମ କୁନିପୁଅ ବଣକୁ ଯାଇ
ଦେଖିବ ଚଢ଼େଇ ବସା ।

ଚଢ଼େଇ ବସାରେ ଦୁଇଟି ଅଣ୍ଡା
ମା’ ଯାଇଅଛି ଚରି
ପୋକ ଜୋକ ଖାଇ ବିଲମାଳରୁ
ସଞ୍ଜରେ ଆସିବ ଫେରି ।

କୁନି କୁନି ଅଣ୍ଡା ଫୁଟିଲେ ଛୁଆ
କୁନି ପୁଅ ହେବ ଖୁସି
କୁନି କୁନି ଥଣ୍ଟ ଛୋଟିଆ ପର
ଦେଖିଲେ ଉଠିବ ହସି ।

ବଡ଼ ହେଲେ ସେହି ଚଢ଼େଇ ଛୁଆ
ଆକାଶକୁ ଯିବେ ଉଡ଼ି
ବଡ଼ ହେଲେ ଆମ କୁନି ପୁଅ
ଯିବ ଉଡ଼ା ଜାହାଜରେ ଚଢ଼ି ।

ଚଢ଼େଇ କହିବ ବସାଅ ମତେ
ପୁଅ କହିଦେବ ନାଇଁ
ତୁମର ତ ଅଛି ବଢ଼ିଆ ପର
ଆକାଶେ ଉଡ଼ିବା ପାଇଁ ।

ଉଡ଼ି ଉଡ଼ି ଯିବ ଦୂର ରାଇଜ
ଦେଖିବ ସହର କେତେ
ସେ ଦେଶର ଯେତେ କୁନି କୁନି ଛୁଆ
ଆଦର କରିବେ ତୋତେ ।

ପୃଥିବୀଟା ସାରା ବୁଲି ବୁଲିକା
ଫେରିବ ଏଇ ଭାରତେ
ଜନମ ଭୂଇଁଠୁ କିଏ ବା ଆଉ
ଏତେ ପ୍ରିୟ ହେବ ସତେ ।

ସରଗଠୁଁ ପରା ଅଟଇ ବଡ଼
ଜନନୀ ଜନମ ଭୂଇଁ
ତାହାରି କୋଳଟି ସରଗ ପରା
ଆପେ ମଥାଯାଏ ନଇଁ ।

ଭଲ କାମ କରି ସାରା ଜଗତେ
ବଢ଼ାଇବ ନାମ ତା’ର
ନିଜ ନାମ ପରା ଇତିହାସରେ
ରଖିଯିବ କାଳ କାଳ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top