ପର୍ଯ୍ୟଟନ

ଅଜଣା ଦୁନିଆ (କୋରାପୁଟର ଆଦିବାସି ଗାଁ ଖିଆଲ୍‌ଗୁଡ଼ା)

Er Bidyadhar Panda's Odia Travel Article Ajanaa Duniaa

ଅକସ୍ମାତ କାହାର ଦିହ ପା’ କିଛି ଖରାପ ହେଲେ ନାଇକ ଅନୁମତି ନେଇ ଘରକୁ ଫେରିବାକୁ ହୁଏ କିନ୍ତୁ ଗ୍ରାମଦେବୀଙ୍କ ପ୍ରାଙ୍ଗଣରେ ପ୍ରଥମେ ମୁଣ୍ଡନ କରାଯାଏ, ପୁରା ନିଶଦାଢ଼ି କାଟି ସମସ୍ତ ଗ୍ରାମବାସିଙ୍କୁ କ୍ଷମାପ୍ରାର୍ଥନା ମାଗିବାକୁ ହୁଏ । ଏକ ଅପମାନ ଓ ଲଜ୍ଜ୍ୟା ଜନକ ପରିସ୍ଥିତିକୁ ସାମନା କାରିବାକୁ ପଡ଼ିଥାଏ

ଅଜଣା ଦୁନିଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଓଡ଼ିଶା ଏକ ଆଦିବାସି ବହୁଳ ରାଜ୍ୟ ଆଉ ଦକ୍ଷୀଣ ଓଡ଼ିଶାକୁ ଆଦିବାସି ମାନଙ୍କ ଭୂସ୍ୱର୍ଗ କହିଲେ ଅତ୍ୟୁକ୍ତି ହେବନି । ଅବିଭାଜିତ କୋରାପୁଟ ଜିଲ୍ଲା (ରାୟଗଡ଼ା, କୋରାପୁଟ, ମାଲକାନାଗିରି ଏବଂ ନବରଙ୍ଗପୁର)ରେ ଆଦିବାସିଙ୍କ ସଂଖ୍ୟା ଓଡ଼ିଶାର ଅନ୍ୟ ଜିଲ୍ଲା ତୁଳନାରେ ଟିକିଏ ବେଶି । ଗତ କିଛିଦିନ ହେବ ମେଡ଼ିଆ ଭାଇମାନଙ୍କ ସଫଳ ଉଦ୍ୟମ ଯୋଗୁଁ ଆଦିବାସି କ୍ଷେତ୍ରଗୁଡ଼ିକର ଅନେକ ସମସ୍ୟା ଲୋକଲୋଚନକୁ ଆସିଛି । ନଗଡ଼ା, ଗୁମୁଡ଼ୁମାହ ଓ ଦାନମାଝୀ ଘଟଣା ପରେ ଏହା ବିଶେଷଭାବେ ତ୍ୱରାନିତ ହୋଇଛି । ସରକାରଙ୍କଠାରେ ମଧ୍ୟ ଆଦିବାସିଙ୍କ ପ୍ରତି ଅନେକ ଅହେତୁକ ଅନୂକମ୍ପା ଦେଖିବାକୁ ମିଳୁଛି । ବହୁତ ବେସରକାରି ସଂସ୍ଥା ସଚେତନତା କାର୍ଯ୍ୟକ୍ରମ ଲାଗି ଆଦିବାସି ବହୁଳ ଅଞ୍ଚଳରେ ସରକାରଙ୍କ ଅନୁଦାନରେ କାର୍ଯ୍ୟରତ ଅଛନ୍ତି । ତୃଣମୂଳ ସ୍ତରରେ ଏ ସବୁ ସଚେତନତା କାର୍ଯ୍ୟକ୍ରମର ସତ୍ୟାସତ୍ୟ ଜାଣିବା ପାଇଁ ସର୍ପେଶ୍ୱର ସେବା ଚାରିଟେବଲ୍ ଟ୍ରଷ୍ଟର ସଭ୍ୟ ଈଂ. ବିଦ୍ୟାଧର ପଣ୍ଡା ଅବିଭାଜିତ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦିବାସି ଗ୍ରାମ ଗସ୍ତ କରିଥିଲେ । ସେଥିରୁ ସବୁଠାରୁ ଉନ୍ନତ ଗାଁ ଟିର ସବିଶେଷ ବିବରଣି କିଛି ସ୍ଥିରଚିତ୍ର ସହ ପାଠକ ମାନଙ୍କ ଉଦ୍ଧେଶ୍ୟରେ ଉପସ୍ଥାପନ କରାଯାଉଛି ।

ଓଡ଼ିଶାରେ ପ୍ରାୟ ପଚାଶ (୫୦)ରୁ ଅଧିକ ପ୍ରକାରର ଆଦିବାସି ବସବାସ କରିଥାନ୍ତି । ଏମାନଙ୍କର ଜିବନ ଶୈଳି, ବେଶପୋଷାକ, ବିବାହ ପ୍ରଥା ଏବଂ ଯାତ୍ରା, ନାଚ, ଲୋକଗୀତ ଆଦିରେ କିଛି କିଛି ଫରକ ଦେଖାଯାଇଥାଏ । ବଣ୍ଡା ଏବଂ ଦିଦାୟୀ ସମ୍ପ୍ରଦାୟର ଆଦିବାସିଙ୍କର ସଂଖ୍ୟା ବହୁତ ନଗଣ୍ୟ । ଏମାନେ ଏବେ ବି ସଭ୍ୟତାରୁ କୋଷ ଦୂରରେ ନିବସ୍ତ୍ର ହୋଇ ଜିବନ ଜାପନ କରୁଛନ୍ତି । ପଚିଶ(୨୫) କି ଛବିଶ(୨୬) ପ୍ରକାର ଆଦିବାସି ସମ୍ପ୍ରଦାୟଙ୍କ ସଂଖ୍ୟା ପ୍ରାୟ ହଜାର(୧୦୦୦) ରୁ ପାଞ୍ଚ ହଜାର(୫୦୦୦) ଭିତରେ । ବାକି କୁରାଡ଼, କୋଲ୍ଲହ, କନ୍ଧ, ଭୁମିଆ, ବାଥ୍ରା (ବାତ୍ରା), ଗୋଣ୍ଡା, କୋୟା, ପରଜା ଇତ୍ୟାଦିଙ୍କ ସଂଖ୍ୟା ପଚାଶ(୫୦) ହଜାରରୁ ଅଧିକ । ଏମାନେ ମୂଖ୍ୟ ଧାରାକୁ ଆସିବାକୁ ଅନବରତ ଚେଷ୍ଟାରତ ଥିବାବେଳେ ଅନେକ ପଢ଼ାପଢ଼ି ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲେଣି । କିଛି ସରକାରି ଚାକିରିରେ ବି ଅଛନ୍ତି । ତଥାପି ସ୍କୁଲର ସବୁ ଛାତ୍ରଙ୍କ ଦେହରେ ପୁରା ପୋଷାକ ନାହିଁ କି ପାଦରେ ଚପଲ ନାହିଁ ।

ସର୍ପେଶ୍ୱର ସେବା ଚାରିଟେବଲ୍ ଟ୍ରଷ୍ଟର ମିଶନ ପହଞ୍ଚିଥିଲା କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକ ଅନ୍ତର୍ଗତ ଖିଆଲଗୁଡ଼ା ଗାଁ’ରେ । କୋରାପୁଟ ଜିଲ୍ଲା ମୂଖ୍ୟାଳୟ ଜୟପୁର ସହରରୁ ଜାତୀୟ ରାଜପଥ ନଂ-୨୬ ଦେଈ ବୋରିଗୁମା ଆଡ଼କୁ ୧୯(ଉଣେଈସି) କି. ମି. ଯିବାପରେ ବାମପାଶ୍ୱର୍ରେ ଦୁଈ(୨) କି.ମି. ଗଲେ ପଡ଼େ ଖିଆଲ୍‌ଗୁଡ଼ା । ଶହେଦଶ (୧୧୦)ଟି ଘର ଆଉ ସମସ୍ତେ ପରଜା ସମ୍ପ୍ରଦାୟର ଆଦିବାସି । ଗ୍ରାମରୁ ଦୁଇଜଣ ଦଶମ ପାଶ୍ କରି ପ୍ରତିରକ୍ଷା ବିଭାଗରେ କାମ କରୁଛନ୍ତି ଆଉ କେତେଜଣ ଦଶମ ଫେଲ୍ ପରେ କମ୍ପାନି କାମରେ ଲାଗିଛନ୍ତି । ତିନି ଚାରି ଜଣ ବେସରକାରି ସଂସ୍ଥାରେ ଜଗୁଆଳି ଅଛନ୍ତି । ମୋଟାମୋଟି କହିବାକୁ ଗଲେ ଗ୍ରାମର ଆର୍ଥିକ ଅବସ୍ଥା ସ୍ୱଛଳ । ଗ୍ରାମର ଅଧିକାଂଶ ରାସ୍ତା କଂକ୍ରିଟ୍ ରେ ତିଆରି କାରାଯାଇଛି । ଘରଗୁଡ଼ିକ ମାଟିଝାଟିରେ ହେଲେ ବି ସଫାସୁତୁରା ରଙ୍ଗିନ୍ ଝୋଟି ଦିଆ ହୋଇ ସୁନ୍ଦର ଭାବେ କାନ୍ଥ ଗୁଡ଼ିକ ଲିପାଯାଇଛି ।

ପ୍ରଥମେ ଆମେ ସରକାରଙ୍କ ଅନୁଦାନମୂଳକ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କ ସହ ଆଲୋଚନା କଲୁ ଏବଂ ଜାଣିବାକୁ ପାଇଲୁ ଯେ ସମସ୍ତେ କେବଳ ଟଙ୍କିକିଆ ଚାଉଳ ବଣ୍ଟନ ବ୍ୟବସ୍ଥା ଭଲରେ ଜାଣିଛନ୍ତି । କିଛି ଲୋକ କେବଳ ସ୍ୱଛ ଭାରତ, ବିଜୁ ପକ୍କା ଘର, ଉଜ୍ଜ୍ୱଳା ଏବଂ ଈନ୍ଦିରା ଆବାସ ବିଷୟରେ ଅବଗତ । ଏଇ କେତେ ମୂହୁର୍ତ୍ତର କଥାବାର୍ତ୍ତା ଭିତରେ ସେମାନେ ଏତେ ଆପଣାର ହୋଇଗଲେ ଯେ ଆମର ବିନା ପ୍ରଶ୍ନରେ ଗୋଟିଏ ପରେ ଗୋଟିଏ ଅଜଣା ତଥ୍ୟ ଆପେ ଆପେ କହି ଚାଲିଲେ । ପର୍ବ ପର୍ବାଣି ଭିତରେ ମୂଖ୍ୟ ଦୁଇଟି ପର୍ବରେ ଜଙ୍ଗଲକୁ ଯାଇ ଶିକାର କରିବାର ବିଦ୍ଧି ଅଛି । ପୌଷପର୍ବରେ ପୁରା ପରିବାରର ସମସ୍ତ ସଭ୍ୟ ଏକାଠି ଜଙ୍ଗଲକୁ ଯାଇ ଶିକାର କରିଥାନ୍ତି ଆଉ ଚୈତ୍ର ପର୍ବଟିର ବିଦ୍ଧି ନିଆରା । ଗ୍ରାମର ସମସ୍ତ ପୁରୁଷ ପ୍ରଥମେ ଗ୍ରାମଦେବୀଙ୍କ ପ୍ରାଙ୍ଗଣରେ ମେଳିହୋଇ ମାଜଣା କରନ୍ତି । ସେଇଠାରେ ଶେଷ ଖିଆପିଆ ସାରି ଜଙ୍ଗଲକୁ ଶିକାର ପାଇଁ ବାହାରିଯାନ୍ତି । ଯେପର୍ଯ୍ୟନ୍ତ ଗୋଟିଏ ବାରହା କିମ୍ବା ହରିଣ ନ ମିଳିଛି ସେ ପର୍ଯ୍ୟନ୍ତ ଘରକୁ ଫେରିବା ମନା । ଅକସ୍ମାତ କାହାର ଦିହ ପା’ କିଛି ଖରାପ ହେଲେ ନାଇକ ଅନୁମତି ନେଇ ଘରକୁ ଫେରିବାକୁ ହୁଏ କିନ୍ତୁ ଗ୍ରାମଦେବୀଙ୍କ ପ୍ରାଙ୍ଗଣରେ ପ୍ରଥମେ ମୁଣ୍ଡନ କରାଯାଏ, ପୁରା ନିଶଦାଢ଼ି କାଟି ସମସ୍ତ ଗ୍ରାମବାସିଙ୍କୁ କ୍ଷମାପ୍ରାର୍ଥନା ମାଗିବାକୁ ହୁଏ । ଏକ ଅପମାନ ଓ ଲଜ୍ଜ୍ୟା ଜନକ ପରିସ୍ଥିତିକୁ ସାମନା କାରିବାକୁୁ ପଡ଼ିଥାଏ । ପରଜା ସମ୍ପ୍ରଦାୟର ଆଦିବାସି ମାନଙ୍କର ସ୍ୱାଧିନ ପ୍ରେମ (ଫ୍ରି ଲଭ୍) ଭଳି ଏକ ଅନୋଖା ପ୍ରଥା ମଧ୍ୟ ଅଛି । ବିବାହ ପୂର୍ବରୁ ଅବିବାହିତ ଯୁବକ ଯୁବତୀ ମାନଙ୍କୁ ଯୋଡ଼ି ଯୋଡି ହିସାବରେ ସମାଜର ସମ୍ମତି ସହ କିଛିଦିନ ଜଙ୍ଗଲରେ ଏକାଏକା ବୁଲିବାକୁ ସୁଯୋଗ ଦିଆଯାଇଥାଏ । ଆମ ସହରି ଭାଷାରେ ବୋଧହୁଏ ଏହାକୁ ଡ଼େଟିଂ କୁହାଯାଏ । ବିବାହର ବନ୍ଧନରେ ଛନ୍ଦିହେବା ପୁର୍ବରୁ ଦୁହେଁ ଦୁହିଁକୁ ଜାଣିବାର ଏହା ଆଦିବାସି ଯୁବ ସମାଜ ମାନଙ୍କପାଇଁ ଏକ ପ୍ରାଚିନ ପରମ୍ପରା ।

ଶେଷ ଏବଂ ଆମର ମୂଖ୍ୟ ଆଲୋଚନା ବିଷୟଟି ଥିଲା ସ୍ୱାସ୍ଥ୍ୟ । ଏ’ ବିଷୟ ଆରମ୍ଭରୁ ସର୍ପେଶ୍ୱର ସେବା ଚାରିଟେବଲ୍ ଟ୍ରଷ୍ଟର ମିଶନରେ ଥିବା ସମସ୍ତ ସଭ୍ୟ ମାନଙ୍କର ମଥା ଘୁରିବାକୁ ଆରମ୍ଭ କରିଥିଲା । ଶତକଡ଼ା ଶହେଭାଗ ଗ୍ରାମବାସି ଯେ କୌଣସି ରୋଗ ହେଲେ ପ୍ରଥମେ ଦେହୁରୀ ପାଖକୁ ଯାଆନ୍ତି । ସେଠାରେ ସିଏ ଝାଡ଼ଫୁଙ୍କ କରେ । କାମଳ, ମିଳୀମିଳା ଓ ହାଡ଼ଫୁଟି ଭଳି ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଗ୍ରାମଦେବୀଙ୍କ ପାଖରେ ବିଶେଷ ପୂଜା ଅର୍ଚ୍ଚନା (ବଳି)ର ବି ବନ୍ଦୋବସ୍ତ କରାଯାଏ । ଏକ ଜିଲ୍ଲା ମୂଖ୍ୟାଳୟରୁ ୨୦କିମି ଭିତରେ ଅବସ୍ଥିତ ଏଇ ଗାଁର ସମସ୍ତ ଲୋକେ ଆଜି ବି ବଶ୍ୱାସ କରନ୍ତି ଯେ ସବୁରୋଗ ଝାଡ଼ଫୁଙ୍କ କିମ୍ବା ଗ୍ରାମଦେବୀଙ୍କ ପାଖରେ ବିଶେଷ ମାନସିକ ପୂଜା ଅର୍ଚ୍ଚନା (ବଳି) ଦ୍ୱାରା ଦେହୁରୀ (ଆଦିବାସି ଗ୍ରାମର ପୂଜକ) ଭଲ କରିପାରେ । ଅନ୍ୟ ମାନଙ୍କ ମୁହଁରୁ ଏତେ ପ୍ରଶଂଶା ଶୁଣିବା ପରେ ଆମେ ବାହାରିଲୁ ସେ ଅଞ୍ଚଳର ପ୍ରସିଦ୍ଧ ଦେହୁରୀ ଦୁର୍ଯ୍ୟୋଧନ ନାୟକଙ୍କ ଘରକୁ । ସେଠାରେ ପହଞ୍ଚି ଜାଣିଲୁ ଯେ ଏଇଟା ତୃତୀୟ ପିଢ଼ି । ପ୍ରାୟ ୧୫୦ ବର୍ଷ ହେଲା ଏଭଳି ସେବା ତାଙ୍କ ପରିବାର କରି ଆସୁଛି । ପାରିଶ୍ରମିକ ବାବଦକୁ କୁକୁଡ଼ା, ଛେଳି, ମେଣ୍ଢା ଇତ୍ୟାଦି ଲୋକମାନେ ଦେଇଥାନ୍ତି । କିଛି ସମୟ ତାଙ୍କ ବାରଣ୍ଢାରେ ବସି ଆତ୍ମିୟତା ବଢ଼ାଇବା ପରେ ସେ ତାଙ୍କ ବୁଢ଼ାବାପା ପାଇଥିବା ୪୦୦ରୁ ୫୦୦ବର୍ଷ ତଳର ପୋଥି ଆଣି ଆମକୁ ଦେଖାଇଲେ । ସେଥିରେ ସବୁ ତାନ୍ତ୍ରିକ ପଦ୍ଧତି ସହ ମନ୍ତ୍ର ଗୁଡ଼ିକ ଲେଖାଥିଲା । ଲିପି ଓଡ଼ିଆରେ ଥିଲା । କିଛି କିଛି ତାନ୍ତ୍ରିକ ଭାଷା ସହ ସବୁ ଦୋହା ଶେଷରେ ଲେଖାଥିଲା – ଏମିତି ହେଉ ବୋଲି କାହାର ଆଜ୍ଞା, ଶ୍ରୀକୃଷ୍ନ ପାଣ୍ଡବଙ୍କ କୋଟି କୋଟି ଆଜ୍ଞା , ଆଉ କେଉଁଠି ଏମିତି ହେଉ ବୋଲି କାହାର ଆଜ୍ଞା, ଶ୍ରୀରାମ ଲକ୍ଷ୍ମଣଙ୍କ କୋଟି କୋଟି ଆଜ୍ଞା । ଦୁର୍ଯ୍ୟୋଧନ ନାୟକଙ୍କ ଅନୁସାରେ ଏ ସବୁ ମନ୍ତ୍ରକୁ ସିଏ ସିଦ୍ଧ କରିଛନ୍ତି । ସେଥିପାଇଁ ମଶାଣିରେ ରାତି ଅଧରେ ଶବ ପୋଡ଼ାଯାଇଥିବା ପାଉଁଶ ଉପରେ ବସି ବିଶେଷ ପୂଜା ଅର୍ଚ୍ଚନା (ବଳି) ଦେବାକୁୁ ହୁଏ । ବେଳେ ବେଳେ ନିଜର ଜଂଘ, ହାତ ଓ ଅଙ୍ଗୁଳିକୁ ବ୍ଲେଡ଼ପାତରେ କାଟି ରକ୍ତ ପୂଜା ଅର୍ପଣ କରାଯାଏ । ସେଥିପାଇଁ ସାଧକକୁ ଚଣ୍ଡି, ଗ୍ରାମଦେବୀ କି ଚାମଣ୍ଡା ନିର୍ବ୍ଦେଶ ଦେଇଥାନ୍ତି । ସାଧନା ସଫଳ ହେଲା ପରେ ସାଧକ ସେଇ ମନ୍ତ୍ର ଉଚ୍ଚାରଣ କରି ଫୁଙ୍କିଲେ କିମ୍ବା ପାଣିମନ୍ତ୍ର କରି ଛିଞ୍ଚିଦେଲେ ଇଛା ଅନୁସାରେ କାମ ହୋଇଥାଏ । ସବୁଠାରୁ ବଡ଼କଥା ହେଲା ସମସ୍ତ ଗ୍ରାମବାସିଙ୍କର ଏସବୁ ଗୁଣିଗାରେଡ଼ି ଉପରେ ପୂର୍ଣ୍ଣ ବିଶ୍ୱାସ । କୌଣସି ରୋଗରେ ଅବସ୍ଥା ଶୋଚନିୟ ହେଲାପରେ ଯାଇ ଡ଼ାକ୍ତରଖାନା କଥା ମନେପଡ଼େ ।

ସହର ଉପକଣ୍ଠରେ ଥିବା ଖିଆଲ୍‌ଗୁଡ଼ା ଗାଁ ‘ଟିର ଅବସ୍ଥା ଏମିତି ଆଉ ଯଦି ଟିକିଏ ଭିତରକୁ ୧୦/୨୦ କିମି ଗଲେ ଅବସ୍ଥା କେମିତି ଥିବ ସହଜରେ ଅନୁମାନ କରି ହେଉଥିବ । ଆମେ ଯେତେବେଳେ ଶ୍ରୀହରିକୋଟାର ମହାକାଶ ଅନୁଭୁତି ନେଇ ଗର୍ବ କରୁଛୁ ଏବଂ ୪ଜି ଦୌଡ଼ରେ ବ୍ୟସ୍ତ, ସେତେବେଳେ ଏମିତି ଗାଁ ‘ ର କଥା କ’ଣ ସହଜରେ ବିଶ୍ୱାସ କରିହେବ ? ସତୁରୀ ବର୍ଷର ସ୍ୱାଧିନତା ପରେ ଆମ ଆଧୁନିକ ସମାଜରେ ଯଦି ଏମିତି ଗୋଟିଏ ଗୋଟିଏ ପଡ଼ା ରହିବ ତେବେ କେମିତି କହିବା ଆମେ ସଚେତନ? କେମିତି କହିବା ଆମେ ଆଧୁନିକ ? କେମିତି ଦେଖିବା ଭବିଷ୍ୟତର ସେ ବିଶ୍ୱଗୁରୁ ହେବାର ସୁନେଲି ସ୍ୱପ୍ ନ? ଖାଲି ସରକାର ଉପରେ ଛାଡ଼ି ନିର୍ବ୍ଦୋଶ ବୋଲି ଚିତ୍କାର କଲେ କ’ଣ ଶୋଭାପାଇବ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top