କବିତା

ମରିଯାଇଥିବା ଚାଷୀ ପାଇଁ

Dr Dilip Kumar Swain's odia poem Marijaaithibaa Chaashi Paain

ତଥାପି ଚାଷୀ ମରେନା
ସବାଶେଷ ଦୁଃଖ ପାଇଁ ତପସ୍ୟାରେ ଥାଏ !

ମରିଯାଇଥିବା ଚାଷୀ ପାଇଁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖବରକାଗଜ ପୃଷ୍ଠାରେ
ଚାଷୀ ମରନ୍ତିନି
ବିଧାନସଭାରେ ପାଆନ୍ତିନି ଜୀବନ !

ଚାଷୀଟିଏ ମରିବା ପୂର୍ବରୁ
ମରି ସାରିଥାଏ ସବୁଜ କ୍ଷେତ
ପାଣି ଶୁଖି ଯାଇଥାଏ କେନାଲରୁ
ଆକାଶରେ ମେଘମାଳା ହରତାଳରେ ଥାଆନ୍ତି
ଭୋକ ପାଇଁ ଘର ଛାଡ଼ିଦିଏ ଗେହ୍ଲାପୁଅ
ବଢ଼ିଲା ଝିଅ ସହରକୁ ଯାଏ ମୂଲମାଗି
ବଳଦ ଖୁଣ୍ଟରେ ମରେ
ଗାଈ ବାନ୍ଧିନିଏ ପଠାଣ !

ତଥାପି ଚାଷୀ ମରେନା
ସବାଶେଷ ଦୁଃଖ ପାଇଁ ତପସ୍ୟାରେ ଥାଏ !

ଚାଷୀ ଜଣେ ମରିଗଲେ କ’ଣ
ଗୃହୀତ ହେବ ଶୋକ ପ୍ରସ୍ତାବ
ଖସିପଡ଼ିବ ଖମ୍ୱରୁ ଜାତୀୟ ପତକା
ତୋପ ସଲାମି ନେଇଯିବ ସେ ସ୍ୱର୍ଗକୁ
ଆବକ୍ଷ ପ୍ରତିମୂର୍ତ୍ତି ଠିଆ ହେବ
ସହରର ଛକମାନଙ୍କରେ !

“ଜୟ କିଷାନ୍” କହୁଥିବା ବାବୁଙ୍କୁ ପଚାର
ଆଜିଯାଏଁ କେଉଁ ଚାଷୀର ନାଆଁରେ
ତିଆରିଛ ରାସ୍ତା, ପୋଲ, ମାନପତ୍ର
ଚାଷୀ ମଙ୍ଗଳ ଯୋଜନା !
ଏଠି ଧାନଗୋଟାକୁ
ଲୁହ ଟୋପାଏ ନିଗିଡ଼େ
ତୁମେ କ’ଣ ଜାଣ ?

ହଳଲଙ୍ଗଳ, କୋଡ଼ି କୋଦାଳ
ଧାନଗଉଣୀ ଆଣ
ଜଣେ ଚାଷୀକୁ ପୋଡ଼ିବା ପୂର୍ବରୁ
ଏସବୁକୁ ପୋଡ଼ି ଦିଆଯାଉ
ମାଟିରେ ମିଶିଯାଉ
ଗୋଟାଏ ସଭ୍ୟତାର କଙ୍କାଳ !

ଖବରକାଗଜ ପୃଷ୍ଠାରେ ଚାଷୀ ମରନ୍ତିନି
ମାରି ଦିଆଯାଏ
ସବୁଜ ଛଳନାରେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top