କଳଙ୍କର ଟିକା ମଥାରେ ମୋହର
କାହିଁକି ଲଗେଇ ଦେଲ
ଦୁନିଆଁ ଆଖିରେ କଳଙ୍କିନୀ ମୋତେ
କାହିଁକି ସଜେଇ ଦେଲ ।
କଳଙ୍କର ବୋଝ ବହୁଛି ସାଥିରେ
କଳଙ୍କିନୀ ଗୋଟେ ହୋଇ
ଦୁନିଆଁ କହୁଛି କଳଙ୍କିନୀ ବୋଲି
ପାରୁନାହିଁ ଜମା ସହି ।
ଡେଇଁ ଯାଇଥଲି ଭଲ ପାଇବାର
ମୁଁ ସେହି ଲକ୍ଷ୍ମଣ ଗାର
ଜାଣିମୁଁ ନଥିଲି ତୁମେ ମୋତେ ଦେବ
କଳଙ୍କର ଉପହାର ।
କଳଙ୍କିନୀ ମୁହିଁ ହୋଇଲି କେମିତି
ପାରିବକି ତୁମେ କହି
ତୁମେ ଚାଲୁଅଛ ମଥାକୁ ଟେକିକି
ଗଲି ବାଟବଣା ହୋଇ ।
ତୁମରି ସାଥିରେ ସଂସାର ଗଢିବା
ଥିଲାତ ମୋହର ଆଶା
ଅଧାବାଟେ ମୋତେ ଛାଡି ଚାଲିଗଲ
ଭାଙ୍ଗିଦେଇ ମୋ ଭରଷା ।
କାହା ପାଇଁ ମୁହିଁ ହେଲି କଳଙ୍କିନୀ
ଦୁନିଆଁ ବୁଝିଲା ନାହିଁ
ଆଜି ମୁଁ ଜାଣିଲି ସୀମା ଡେଇଁଗଲେ
କେହି ନାହିଁ କାହା ପାଇଁ ।
