କବିତା

ଅଜାଙ୍କ ଗୀତ ଖାତା

Manorama Mishra's odia poem for children Ajaanka Gita Khaataa

ପାଖେ ଥିଲା ଖାତା ସିଏ ଯାଇଥିଲେ ବଜାରେ
କାହିଁଗଲା ପାଇଲେନି ଖୋଜିଲେ ବି ହଜାରେ ।।

ଅଜାଙ୍କ ଗୀତ ଖାତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲେଖିଥିଲେ ଅଜା ଆମ ଗୀତ କେତେ ସଜେଇ
ସେଇ ଗୀତ ଖାତାଟିକୁ ଦେଲେ ଥରେ ହଜେଇ ।।

ପାଖେ ଥିଲା ଖାତା ସିଏ ଯାଇଥିଲେ ବଜାରେ
କାହିଁଗଲା ପାଇଲେନି ଖୋଜିଲେ ବି ହଜାରେ ।।

ଖାତା ଲୋଭ ଛାଡ଼ି ଶେଷେ ନିରବରେ ରହିଲେ
ମନଦୁଃଖ କରି ଖାଲି ବେଳେବେଳେ କହିଲେ ।।

ଖବରକାଗଜେ ଦିନେ ଦେଖିଲେ ସେ କାହାରି
ଗୀତଟିଏ ଛପା ହୋଇ ଯାଇଥିଲା ବାହାରି ।।

ଧାଡ଼ିଟିଏ ପଢୁ ପଢୁ କହିଲେ ସେ କେମିତି
ମୋ. . . ଲେଖା ଗୀତ ଏଠି ବାହାରିଛି ଏମିତି ?

ଆହୁରି ସେ ଗୀତଟିକୁ ଶେଷଯାଏ ପଢ଼ିଲେ
ଗୀତ ଶେଷେ ଆଉ କାହା ନାଁ ଦେଖି ଚିଡ଼ିଲେ ।।

ପାଶେ ଥିଲେ ବଡ଼ଭାଇ ନଇଁ ପଡ଼ି ଦେଖିଲେ
ନାଁ ଆଉ ଠିକଣାକୁ ଟିପି ନେଇ ରଖିଲେ ।।

ପରଦିନ ନେଇଗଲେ ଅଜାଙ୍କୁ ସେ ଗାଡ଼ିରେ
ପହଞ୍ଚାଇ ଦେଲେ ନେଇ କବିଙ୍କର ବାଡ଼ିରେ ।।

ସବୁକଥା ଶୁଣି କବି ଲାଜେ ପୋତି ମଥାଟି
ଅଜାଙ୍କର ହାତେ ଆଣି ଧରାଇଲେ ଖାତାଟି ।।

ହଜାଇ ସେ ଖାତା ଅଜା ଦୁଃଖୀ ଥିଲେ ଯେତିକି
ପାଇ ତାକୁ ଏତେ ଦିନେ ଖୁସି ହେଲେ ସେତିକି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top