ସେଇ ମୋର ଛୋଟ ଗାଁ
ଅତି ଆପଣାର,
ମୋ ଅଝଟ ପଣିଆର
ଅବୁଝା ପଣର
ଆଉ ମୋର ପିଲାଦିନର
ଚପଳାମି ସବୁ
ଆପଣାର କରିନେଇଥିବା
ସ୍ନେହବୋଳା ଗାଁ. . .
ଯେଉଁ ଗାଁରେ ଝରଣାଟି
ବହିଯାଏ,
ମୋ ମାଆର ସରୁଧଡ଼ି
ଲୁଗାଟିଏ ପରି
କାଚକେନ୍ଦୁ ଜଳସାଥେ,
ସରୁବାଲି
କାଶତଣ୍ଡୀ ଫୁଲ ।
ତା’ସାଥେ ପୁନେଇଁ ଜହ୍ନ
କି ଅମୂଲ ମୂଲ,
ରଜଦୋଳୀ, ଦୋଳର ମେଲଣ
ଶାଗୁଆ ଧାନର କ୍ଷେତ
ମନୋରମ ଅତୀବ ସୁନ୍ଦର,
ମନଖୋଲା ଗୀତ ଗାଏ
କଇଁଫୁଲିଆ ଭାତ ପାଇଁ
ଚଷା ପୁଅ ନାଚୁଥାଏ
ସଜାଇ ସେ ସୁଖର ସମ୍ଭାର ।
ସେଇ ମୋର ଗାଁ ଦାଣ୍ଡ
ମୂକ ସାଖି ଗୋଧୂଳି
ଖେଳର
ଯେତେ ବେଶି ଧୂଳି ହୁଏ
ଆଟୋପ କରେନି ମାଆ
ପଣତରେ ପୋଛି ଦିଏ
ବୁକୁରେ ତା’ ତୋଳି ନିଏ
ପୁଣି ଅଜସ୍ର ଚୁମ୍ୱନରେ,
ଭରିଦିଏ ଦେହ ମନ ପ୍ରାଣ ।
ସେଇତ ମୋ ଗାଁ,
ମୋ ମାଆ,
ପ୍ରାଣ ଠାରୁ
ପ୍ରିୟତମ ମୋର
ଧନୀ କି ଦରିଦ୍ର ଯା’ର
ନଥାଏ ବାଛବିଚାର
ନିହାତି ଗରିବଟିଏ
ସୁଖ ବାଣ୍ଟି ଚାଲୁଥାଏ
ପ୍ରୀତିପୂର୍ଣ୍ଣ କଥା କହି କହି
ସମସ୍ତଙ୍କ ମନ କିଣିନିଏ
ସମସ୍ତଙ୍କୁ ଆପଣାର
କରିନିଏ ସବୁଦିନ ପାଇଁ
ସେଇ ମୋ ଗାଁ ମାଟିକୁ
କରେ ସହସ୍ର ପ୍ରଣାମ ।
