କବିତା

କିଏ ଖାଇବ ଆସ

Madhabananda Panda's odia poem for children Kie Khaaiba Aasa

ସାଲେପୁରର ରସଗୋଲାକୁ
ପାରିବ କିଏ ଭୁଲି ?
ରସାବଳି କି ପୋଟଳି ଖାଅ
କେନ୍ଦ୍ରାପଡ଼ାରେ ବୁଲି ।।

କିଏ ଖାଇବ ଆସ

ବାରିପଦାର ଗରମ ମୁଢ଼ି
ଢେଙ୍କାନାଳର ବରା ।
ଠୁଙ୍କାପୁରୀରେ ମନ ଯଦିରେ
ଚାଲ ବାଲି ଯାତରା ।।

ସାଲେପୁରର ରସଗୋଲାକୁ
ପାରିବ କିଏ ଭୁଲି ?
ରସାବଳି କି ପୋଟଳି ଖାଅ
କେନ୍ଦ୍ରାପଡ଼ାରେ ବୁଲି ।।

ପୁରୀକୁ ଚାଲ ଖାଇବ ଯଦି
ମହାପ୍ରସାଦ, କ୍ଷୀରା ।
ଦୁଧ ଛେନାରେ ରାବିଡ଼ି ପରା
ଭୁବନେଶ୍ୱର ହୀରା ।।

ବ୍ରହ୍ମପୁରରେ ଖାଇବା ଚାଲ
ଚାରୁ ଚଟଣି ଚହ୍ଲା ।
ପାରାଦ୍ୱୀପର ପ୍ରନ୍ କଟ୍ଲେଟ୍
କେଡ଼େ ସୁଆଦ ଭଲା ।।

ଚାଟ୍, ଦହିବରା, ଆଳୁଦମ୍
ପାଇବ ଆଉ କାହିଁ ?
କଟକ ଚାଲ ଖାଇବା ମଜା
କାହିଁ ମିଳିବ ନାହିଁ ।।

ଗାଁରେ ଭଲ ପଖାଳ ସାଥେ
ଚଟଣି, ଶାଗ ଭଜା ।
ଶୁଖୁଆ ପୋଡ଼ା, ବଡ଼ିଚୁରାଟି
କେମିତି ଲାଗେ ମଜା ।।

ବାଇଗଣକି ଆଳୁପୋଡ଼ାରେ
ରସୁଣ, ଲଙ୍କା ପଡ଼ି ।
ଚକ୍‌ଟା ଯଦି ଅଛିରେ ଭାଇ
ଲାଳ ଆସୁଛି ଗଡ଼ି ।।

ପତର ପୋଡ଼ା ବେସର ଗୋଳା
ଚୁନାମାଛର ଟେଷ୍ଟ୍ ।
ଜାଣିଛି ଯିଏ କହିବ ନିଶ୍ଚେ
ଇଏ ହେଉଛି ବେଷ୍ଟ୍ ।।

ରସୁଣ, କଞ୍ଚାଲଙ୍କା, ବିଲାତି
ଟିପେ ସୋରିଷ ତେଲ ।
ଧଣିଆ ପତ୍ର ଚକଟି ଦେଲେ
କେମିତି ହେବେ ଗେଲ ।।

ଘଟଗାଁରେ ମା’ ପ୍ରସାଦ
ଖାଅ ନଡ଼ିଆ କୋରା ।
ଭଦ୍ରକର ପାଳୁଅ ଲଡୁ
କେଡ଼େ ସୁଆଦ ପରା ।।

ଆନନ୍ଦପୁରେ ଶାଳ ଠୋଲାରେ
ଖାଇବା ଛେନା ପୋଡ଼
ଚାନ୍ଦୋଳ ଦହିବରା ଖାଇବା
ଲମ୍ୱାଇ ଦେଇ ଗୋଡ଼ ।।

ଅତି ଶସ୍ତାରେ ଖାଇବା ପାଇଁ
କେତେ ଯେ କେତେ ଚିଜ୍
ବଞ୍ଚିବା ପାଇଁ ଖାଇବା ସିନା
ଏତିକି ମନେ ହେଜ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top