ଚିହ୍ନି ପାରିଛକି ନିଜକୁ ନିଜେ ?
କେଉଁଠୁ ଆସିଛ କେଉଁଠାକୁ ଯିବ
ନିଜ ଠିକଣାରୁ ଅକ୍ଷରଟେ
ଅକ୍ଷରରୁ ଶବ୍ଦଟେ ଶବ୍ଦରୁ ଆହତ ପ୍ରଶ୍ନ
କିଏ ତୁମେ ? ମୁଁ
ମୁଁ କଣ ତ୍ରୀଡ଼ନକ ନା ବ୍ୟାଘ୍ର
ଜଳଚର ନା ସ୍ଥଳଚର ବା ଉଭୟଚର
ନା ଆତ୍ମା ଭିତର ଉଞଡ଼ନ୍ତା ପକ୍ଷୀ ?
ପର୍ବତ ତଳେ ମୁଁ ଉଚ୍ଚାରିଲେ
ସେ କହେ ମୁଁ
ଅଗ୍ନାଅଗ୍ନି ନିଘଞ୍ଚ ବନସ୍ତ ବି ପ୍ରତିଧ୍ୱନି ଦିଏ ମୁଁ
ନିର୍ଜନ ଅଟ୍ଟାଳିକା ମୁଁ ର
ପ୍ରତ୍ୟୁତ୍ତର ଦିଏ ମୁଁ
ସର୍ବନାମେ ବିଦିତ
ପରିପୂରକେ ରହିଛି ମୁଁ, ଭୁମା ।
ମଣିଷ ଭିତର ମୁଁଟା କିଏ ?
ଶ୍ରୀକୃଷ୍ଣ କହିଲେ ଅର୍ଜୁନକୁ
ମୁଁ, ମଲେ ପାଇବୁ କୃଷ୍ଣକୁ
ରାମକୃଷ୍ଣ ପରମହଂସଙ୍କ ବାଣୀ
ମୁଁ’ ଟା ଥାକ୍ ଶାଳା ଥାକ୍
ଦାସର ମତନ ଥାକ୍ ।
ସ୍ୱାତି ନକ୍ଷତ୍ରର ଜଳ
ପାତ୍ର ଅନୁସାରେ ଫଳ ।
ତାକୁ ଦାସଭାବେ ରଖ
ଉଗ୍ରପନ୍ଥୀ କରନାହିଁ
ଦେବତା, ଗନ୍ଧର୍ବ, ମାନବବ, ରାକ୍ଷସ
ସମସ୍ତ ମୁଁ କୁ ମାରି ଦିଅ ।
ମୁଁ ଅନ୍ଧାରରୁ ଅନ୍ଧାରକୁ ନେଇ
ତୁମ ତଣ୍ଟି ଚିପି ତୁମ କୁଲ୍ୟକୁ ଖାଇବ
ସତ୍ୟାନାଶ କରି ଦେବ ।
ପ୍ରଭୁ ତୁମ ନିକଟକୁ ଗଲାବେଳେ
ମୁଁ ହିଁ ମୋର ପଥ ଓଗାଳିବି
ମୁଁ ମଲେ ଜଞ୍ଜାଳ ତୁଟିବ
ହେ ବତ୍ସାପାଳ ! ତାକୁ ମାରିଦିଅ ପ୍ରଭୁ
ଏତିକି ମୋର ନମ୍ର ନିବେଦନ ।
