କଣ ଖୋଜୁଛ ବାପା ?
ସମ୍ପତ୍ତି ସନ୍ତକ, ଚାବି ନା ଚାଦର
ପୁଅ କି ବୁଝିବ କବିତାଖାତା
ହଜାଇ ଦେବାର ଦାରୁଣ ଦହନ !
ହଜାଇ ଦେଇଛି କବିତାଖାତା
ନବ ପଲ୍ଲବରେ ବସନ୍ତ ସ୍ୱାକ୍ଷର
ସବୁଜ କ୍ଷେତରେ
କିଶୋରୀ ପବନର ଉଚ୍ଚନ୍ନ ନୂପୁର
ସେ କବିତାଖାତାରେ ନଥିଲା
ପଡୋଶୀଙ୍କ ସଂଭ୍ରାନ୍ତ ଇର୍ଷା କେମିତି
ଭୂସ୍ୱର୍ଗକୁ କରେ ନରକ ଦ୍ୱାର;
ନଥିଲା କୁଟନୀତି ଚକ୍ରବ୍ୟୁହ ରାଜିନାମାରେ
କିଏ ହେବ ସଂତ୍ରାସବାଦୀ
କିଏ ଗଢ଼ିବ ସରକାର
ସେ କବିତା ଖାତାରେ ଥିଲା
କହ୍ଲାର ସକାଳ କୋଳ, କାଶ୍ମିର
ଯେଉଁଠି ସ୍ୱର୍ଗର ଶ୍ୱେତ ପତାକା ଉଡ଼ାଇ
ଦେବଦୂତ ଓହ୍ଲାଇ ଆସନ୍ତି ଶୈଳ ଶିଖରରୁ
ସେ କବିତାଖାତାରେ ଲେଖାଥିଲା
ଝେଲମର ଝଲମଲ ମାଳା ପିନ୍ଧି
କେମିତି ଦେଶଟିଏ ନାଚି ଉଠେ
ଗୌରଗୋପାଳ ଛନ୍ଦରେ
କବିତା ଖାତା ମୁଁ ଖୋଜୁଛି
ଖୋଜୁଛି ପୁଅର ଭବିଷ୍ୟତ
ଖୋଜୁଛି ଏ ଦେଶପାଇଁ
ନୀହାର ସକାଳ, କାଶ୍ମିର ।
