ସ୍ମୃତିର ଝରକା ଖୋଲି ଉଇଁ ଆସେ
ସକାଳର ସୁରୂଜ
କିଛି ନରମ ଗରମର ସ୍ମୃତିର ଝଲକ
ନାଚିଯାଏ ମନ ଭିତରେ. . . (୧)
ମନର ସେ ବଗିଚାର କଅଁଳ ଘାସ ଗାଲିଚା
ଉପରେ ଲୋଟିଯାଏ ମୁଁ
ଡୁବିଯାଏ ମୁଁ ମୋର
ସ୍ମୃତିର ସମୁଦ୍ର ଭିତରେ. . . (୨)
ପରସ୍ତ ପରେ ପରସ୍ତ ଲହଡ଼ି
ମାଡ଼ିଯାଉ ଥାଏ ଶରୀର ଉପରେ
ଏ କଣ ମୁଁ ତ ନିଜର ଅସ୍ତିତ୍ୱକୁ ବି
ହଜାଇ ବସିଛି ସେ ଲହରୀରେ
ଶରୀର ଧୋଇ ହୋଇଯାଏ
ମନ ନାଚି ନାଚି ପ୍ରଫୁଲ୍ଲିତ ହୋଇଯାଏ
ସେ ସ୍ମୃତିରେ. . . (୩)
ସତରେ କ’ଣ ମୁଁ ଫେରି ପାରିବି ବର୍ତ୍ତମାନକୁ ।
ନା ରହିଯିବି ସ୍ମୃତିର ସାଥି ହୋଇ,
କିନ୍ତୁ ପାଗଳ ମନ କ’ଣ କେବେ ବୁଝିପାରେ
ବର୍ତ୍ତମାନ ଦିନେ ପାଲଟି ଯାଏ
ସ୍ମୃତିର ଆଇନା. . . (୪)
ଆଇନାର ସମ୍ମୁଖରେ ପ୍ରତିବିମ୍ୱିତ ହୁଏ କେବଳ
ମୋରି ମାନସ ପଟର ଛବି,
ତେଣୁ, ହେ ସ୍ମୃତି ତୁମେ ହିଁ ପରିଚାଳିତ କର
ସୁନ୍ଦର ଏକ ମନ ଆଉ ଦେହକୁ
ମୁଁ ଧନ୍ୟ ହୋଇଯାଏ
ତୁମରି ସେ ଛାୟାପଟରେ
ଦେଖି ମୋର ନିଜକୁ
ଦେଖି ମୋର ନିଜକୁ ।
